Unknown

 

 

 

 

 

 

 

 

 

 

 

ନିର୍ବାସିତ

ଗଣେଶ ପ୍ରସାଦ ପରିଜା

 

ନୂତନ ଧରଣର ଉପନ୍ୟାସ

 

ଶ୍ରୀ ଗଣେଶପ୍ରସାଦ ପରିଜାଙ୍କ ଲିଖିତ ‘ନିର୍ବାସିତ’ ନାମକ ଉପନ୍ୟାସ ବାସ୍ତବିକ ଏକ ନୂତନ ଧରଣର ଗଳ୍ପ । ଏଥିରେ ଲେଖକ ସାଧାରଣ ଜୀବନଠାରୁ ଆରମ୍ଭ କରି ତନ୍ତ୍ରଜଗତ ଓ ଆଧ୍ୟାତ୍ମିକ ଜଗତର ଜୀବନକୁ ମଧ୍ୟ ଗଳ୍ପ ଭିତରକୁ ଆଣିଛନ୍ତି । ସେଥିଯୋଗୁ ଏ ଉପନ୍ୟାସଟି ଏପରି ଚିତାକର୍ଷକ ଯେ ଏହାକୁ ଶେଷପର୍ଯ୍ୟନ୍ତ ନ ପଢ଼ି ଅପେକ୍ଷା କରି ହେବ ନାହିଁ । ମୋର ମନେହୁଏ ବହୁପୂର୍ବେ ଫରାସୀୟ ଉପନ୍ୟାସ ସବୁ ଏହି ଧରଣରେ ଲେଖା ହେଉଥିଲା । ଓଡ଼ିଆ ଉପନ୍ୟାସରେ ଏ ଉଦ୍ୟମ ବାସ୍ତବିକ ଅଭିନବ । ଲେଖକଙ୍କୁ ଧନ୍ୟବାଦ ଦେଉଛି ଓ ଆଶା କରୁଛି କ୍ରମେ ସେ ଉପନ୍ୟାସ କ୍ଷେତ୍ରରେ ଅଗ୍ରସର ହୁଅନ୍ତୁ । ‘ନିର୍ବାସିତ’ ଗଳ୍ପଟି ସିନେମାପାଇଁ ମଧ୍ୟ ସୁନ୍ଦର ହୋଇଛି । ଅଳ୍ପ ଟିକିଏ ଏଠି ସେଠି ପରିବର୍ତ୍ତନ କରିଦେଲେ ଏହା ଏକ ଉତ୍କଷ୍ଟ ସିନେମା ବିଷୟବସ୍ତୁ ହେବ ।

Image

 

ପ୍ରିୟ ପାଠକ ବର୍ଗ !

 

ହଠାତ୍‌ ମୋର ମନରେ ଏକ ଅଭିନବ ଉପନ୍ୟାସ ଲେଖିବା ବାସନା କାହିଁକି ଜାଗ୍ରତ ହେଲା । ରୂପ ଦେବାକୁ କାଗଜ କଲମର ଆଶ୍ରା ନେଲି, ମାତ୍ର କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ମୂଳକରି ଆଗେଇବା ସମ୍ଭବପର ହେଲା ନାହିଁ । ଲେଖିଲାବେଳେ ଯାହା ଲେଖିହୋଇ ଯାଉଥାଏ ତାହା ଲେଖି ଗଲି । ଯେଉଁଭଳି ହେବ ବୋଲି ଭାବିଥିଲି ତାହା ହେଲା ନାହିଁ । ହୁଏତ ଆଜିକାଲିର ସଭ୍ୟପାଠକଙ୍କ ନିକଟରେ ନୂତନ ବୋଲି ଗଣ୍ୟ ହୋଇପାରେ, ମାତ୍ର ମୁଁ ଯେ ନିହାତି ବାସ୍ତବ ସେହି ପୁରାତନ ସତ୍ୟତାକୁ ଲିପିବଦ୍ଧ କରିଛି ଏଥିରେ ସନ୍ଦେହର ଅବକାଶ ନାହିଁ । ଆଧିଭୌତିକ, ଆଧିଦୈବିକ ଓ ଆଧ୍ୟାତ୍ମିକ ଅନୁଭୂତି ଭାରତ ତଥା ଉତ୍କଳର ଚିର ପରିଚିତ । ନିର୍ବାସିତର ନାୟକ ଦୁଷ୍ମନ୍ତର ଆଧିଭୌତିକ ସାଧନା ଉତ୍କଳରୁ ଏବେ ବି ଲୋପ ପାଇନାହିଁ । ତନ୍ତ୍ରରେ ଅଳ୍ପ କିଛି ସିଦ୍ଧିଲାଭ କଲା ପରେ ତାନ୍ତ୍ରିକ ଯଦି ବାହାର ଜଗତକୁ ତାହାର ଅଦ୍ଭୁତ କ୍ରିୟା ଦେଖାଇବାକୁ ଫେରି ନ ଆସି କ୍ରମଶଃ ଅଧିକ ଅଗ୍ରସର ହୁଅନ୍ତେ ତାହା ହେଲେ ଦୁଷ୍ମନ୍ତ ଭଳି ସେମାନେ ଅନୁତପ୍ତ ହୁଅନ୍ତେ ନାହିଁ କିମ୍ବା ହୁକୁମଦିଆ ବାବାଜିଙ୍କ ଭଳି ପ୍ରଥମେ ଆଦର ପରେ ନିନ୍ଦା, ତାଡ଼ନ ଆଦିର ପ୍ରଶ୍ନ ଉଠନ୍ତା ନାହିଁ ।

 

ଲେଖା ସରିଲା ପରେ ପ୍ରଥମେ ପାଣ୍ଡୁଲିପିଟି ତତ୍‌କାଳୀନ ଝଙ୍କାରର ସମ୍ପାଦକ ଶ୍ରୀଗୋବିନ୍ଦଚନ୍ଦ୍ର ଦାସ ଏମ୍‌. ଏ. ଙ୍କୁ ଦେଖିବାକୁ ଦେଲି । ସେ ଅଳ୍ପ ଟିକିଏ ଟିକିଏ ସଂଶୋଧନ କରି ଦେବାକୁ ପରାମର୍ଶ ଦେଇ ଏହା ଏକ ଉତ୍ତମ ଉପନ୍ୟାସ ହେବ ବୋଲି ମତ ଦେଲେ । ତତ୍‌ପରେ ବହୁ ଲେଖକ ତଥା ସୁଧୀ ବ୍ୟକ୍ତିଙ୍କୁ ଏହି ଉପନ୍ୟାସର ବିଷୟବସ୍ତୁ କହିଛି । ପ୍ରତ୍ୟେକ ଉଚ୍ଚ ଧରଣର ଉପନ୍ୟାସ ବୋଲି ମତ ଦିଅନ୍ତି; କିନ୍ତୁ କାହାରି କଥାରେ ମୋ ମନ ମାନେ ନାହିଁ । ଏକଦା ମୋର ଦାଦି ଶ୍ରୀ ଶାରଦାପ୍ରସନ୍ନ ପରିଜା ପାଣ୍ଡୁଲିପିଟି ପାଠ କରି ପ୍ରକାଶ ପାଇଁ ଅନୁକୂଳ ମତ ଦେଲେ । ପାଣ୍ଡୁଲିପିଟିକୁ ଭଲ ଅକ୍ଷରରେ ଉତ୍ତାରି ଦେଲେ ଶ୍ରୀ ସୁରେନ୍ଦ୍ରନାଥ ମିଶ୍ର । ରାଷ୍ଟ୍ରଭାଷା ନେଲେ ଏହାର ଛପାଇବାର ଦାୟିତ୍ୱ । ପୁସ୍ତକ ଭଣ୍ଡାରର କେତେକ ଅସୁବିଧା ନେଇ ସେଠାରେ ମଧ୍ୟ ଏହା ପଡ଼ି ରହିଥିଲା । ଏହା ମଧ୍ୟରେ ରାଷ୍ଟ୍ରଭାଷାର ସଂଚାଳକ ଆଜୀବନ କର୍ମଯୋଗୀ ପଣ୍ଡିତ ଅନୁସୂୟାପ୍ରସାଦ ପାଠକ ତିରୋହିତ ହେଲେ; ତାଙ୍କ ସ୍ଥାନରେ ରହିଲେ ଶ୍ରୀମତୀ ବିନୀତା ପାଠକ । ସ୍ୱର୍ଗତ ପଣ୍ଡିତଙ୍କ ଅପୂରଣୀୟ ପ୍ରତିଶ୍ରୁତିକୁ ସେ ପୂରଣ କରିବାକୁ ବହିଟି ଛପାଇବାର ବନ୍ଦୋବସ୍ତ କଲେ । ଏହାହିଁ ମୋଟାମୋଟି ନିର୍ବାସିତ ଗଳ୍ପର ଇତି କଥା ।

 

ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପୂଜ୍ୟ ଡଃ ହରେକୃଷ୍ଣ ମହତାବ୍‌ ବହିଟିର ବିଷୟବସ୍ତୁକୁ ହୃଦୟଙ୍ଗମ କରି ଉଚ୍ଚ ପ୍ରଶଂସା କରିଥିବାରୁ ସୁଧୀବୃନ୍ଦଙ୍କ ନିକଟରେ ଆଦୃତ ହେବ ବୋଲି ଆଶା ।

 

ଲେଖକ

Image

 

ଆଉମାତ୍ର କେତୋଟି ଘଣ୍ଟା......

 

ଖୁବ୍‌ କମ୍‌ ସମୟ ।

 

ପୂର୍ବଶାର ଆରକ୍ତ ଉପକୂଳରେ ପହଞ୍ଚିବାକୁ ରାତ୍ରି ଆଗେଇ ଚାଲିଛି ପ୍ରହର ପରେ ପ୍ରହର କାଟି । ରାତ୍ରିର ଏ ଯାତ୍ରା ଶେଷହେବା ପୂର୍ବରୁ ମୋତେ ମୋର କାମ ସାରିବାକୁ ପଡ଼ିବ । ଆସନ୍ତାକାଲିର ଉଦିତ ସୂର୍ଯ୍ୟକୁ ପ୍ରଣାମ କରିବା ପୂର୍ବରୁ ମୁଁ ଏ ନଗରଠାରୁ ବହୁ ଦୂରକୁ ଚାଲିଯାଇଥିବି । କେବଳ ଏ ନଗରବାସୀଙ୍କଠାରୁ ନୁହେଁ ସମଗ୍ର ଦେଶବାସୀଙ୍କଠାରୁ ବି ମୁଁ ଦୂରେଇ ଯାଇଥିବି । ପ୍ରବଳ ଭୂମିକମ୍ପ ପରେ କେଉଁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଯିବା ପରି ମୁଁ ନିଶ୍ଚିହ୍ନ ହୋଇଯିବି । କେହି ଜାଣିବେନି, ଜାଣିବାକୁ ଚେଷ୍ଟା ବି କରିବେନି—ମୁଁ ଆସିଥିଲି କେଉଁଠୁ–ଗଲି କୁଆଡ଼େ ? ମୁଁ ଦିନେ ଏଇଠି ଥିଲି—ଏଇ କଥାଟି ହିଁ କିଛିଦିନପାଇଁ କେତେକଙ୍କ ମନରେ ରହିଯିବ; କିନ୍ତୁ ତା’ ବି ମୁଁ ଚାହେନା । ଯେଉଁ ଚମତ୍‌କାରୀ ପ୍ରତାରଣାଦ୍ୱାରା ମୁଁ ସାରା ଦେଶକୁ ଅଭିଭୂତ କରି ଦେଇଛି ସେଇ ପ୍ରତାରଣା ମୋପରି ଏକ ଅବାଞ୍ଛିତର ସ୍ମୃତିକୁ ବଞ୍ଚାଇ ରଖୁ ତା ମୋର କାମ୍ୟ ନୁହେଁ ।

 

ସେଇଥିପାଇଁ ହିଁ ମୁଁ କଲମ ଧରିଛି । ଅନ୍ୟକୁ ମୁଁ କେମିତି ଦେଖିଛି ତା’ର ସମୀକ୍ଷା ନ କରି ଅନ୍ୟମାନେ ମୋତେ କେମିତି ଭାବରେ ଦେଖିଛନ୍ତି ତା’ରି ବିଶ୍ଳେଷଣ କରିବାକୁ ଯାଉଛି ମୁଁ । ମୋରି ଖୋଳଭିତରୁ ମୁଁ ମୋତେ ହିଁ ଖୋଜୁଛି । ଛାଡ଼ି ଆସିଥିବା ଜୀବନର ପାହାଚଗୁଡ଼ିକ ଉପରେ ମୋର ଗୋଟିଏ ବି ପଦଚିହ୍ନ ନ ରହୁ ଜଣେ ବି କେହି ମୁହଁ ଫେରାଇ ମୋର ଯାତ୍ରାପଥକୁ ନ ଚାହୁଁ ତାହା ହିଁ ଆଜି ଏ ରାତ୍ରିରେ ମୋର କାମନା—ଆଉ ସେଇଥିଲାଗି ଅତି ନିଃସଙ୍କୋଚରେ ମୁଁ ମୋର ପ୍ରକୃତ ପରିଚୟ ଦେବାକୁ ଯାଉଛି ।

 

ଜୀବନ ଯାତ୍ରାରେ ପ୍ରତିଟି ମୁହୂର୍ତ୍ତରେ ମୋ ଦେହରେ ରଙ୍ଗ ବୋଳି ମୁଁ ଛିଡ଼ା ହୋଇଛି ଜନମନ୍ଦିରର ତୋରଣ ଦୁଆରେ । ରାମ ନ ହୋଇ ରାମର ଅଭିନୟ କରିଛି—କଂସର ହତ୍ୟାକାରୀ ନ ହୋଇ ବି ଅଧରର ସ୍ମିତତଳେ ଆଡ଼ ବଇଁଶୀଟି ଲଗାଇ ଛିଡ଼ା ହେବାକୁ ଚେଷ୍ଟା କରିଛି ଛନ୍ଦ ଚରଣରେ । ସେଥିଲାଗି ବରଂ ମୁଁ କହିବି ଦୁନିଆର ବହୁ ପରାସ୍ତ ସୈନିକଙ୍କ ଭଳି ମୁଁ ମୋ ଜୀବନକୁ ନେଇ ଖେଳିବା ପରିବର୍ତ୍ତେ ମୋର ଜୀବନ ମୋତେ ହିଁ ନେଇ ଖେଳିଛି ।

 

ପାହାଚ ପରେ ପାହାଚ—ଘୂର୍ଣ୍ଣି ପରେ ଘୂର୍ଣ୍ଣି—ମୁଁ ଚାଲିଛି—ମୁଁ ପୁଣି ହଜିଯାଇଛି । କେହି ମୋତେ ଖୋଜି ପାଇବା ପୂର୍ବରୁ ମୁଁ ନିଜେ ନିଜକୁ ଆଜି ଠିଆ କରାଇଛି ସମସ୍ତଙ୍କ ସମ୍ମୁଖରେ.......

 

ଘନ ଘନ କରତାଳି ।

 

ଉଚ୍ଛ୍ୱସିତ ପ୍ରଶଂସା ।

 

ନିଜକୁ ଠକି ଦୁନିଆକୁ ଠକେଇବାର ଗୌରବ—ଏହା ହିଁ ମୋରି ସର୍ବସ୍ୱ—ମୋ ଆଧିଭୌତିକ ସାଧନାର ବିଭୂତି—ଏକ ହୁକୁମଦିଆ ଜୀବନର ଆଦିପର୍ବ; କିନ୍ତୁ ସେ ପର୍ବ ଆରମ୍ଭରେ ହିଁ ଶେଷ ହେଉ....ନିଜକୁ ନିଃସ୍ୱକରି ହୁକୁମ ଦେବାର ସ୍ତରକୁ ଓହ୍ଲେଇ ଆସି ମୁଁ ଆଉ ଚାହେଁ ନା ମୋର ପ୍ରତିଷ୍ଠା—ସେଥିଲାଗି ଆଜି ମୋର ଏ ଆଖି ପରିଚୟ—ସ୍ୱୀକାରୋକ୍ତି । ସେଇଥିଲାଗି ହି ମୁଁ ଆଗାମୀ କାଲିର ଉଦିତ ସୂର୍ଯ୍ୟକୁ ପ୍ରଣାମ କରିବାକୁ ଚାହେଁ । ଏଠାରୁ ଦୂରରେ–ଖୁବ୍‌ ଦୂରରେ ।

 

ମୁଁ ପାଗଳ ହୋଇଯାଇନି—ବରଂ ଆଜିର ଏ ରାତ୍ରିର ଅନ୍ଧକାରରେ ମୁଁ ମୋର ସମସ୍ତ ପାଗଳାମିକୁ ସମାଧି ଦେଉଛି ବୋଲି ମନେକରୁଛି । ଆଉ ସେହି ସମାଧିତୀରରୁ ମୁଁ ପଥ ଖୋଜିବାକୁ ଯାଉଛି ସୁଦୂର ହିମାଳୟର କେଉଁ ଏକ ଅଜ୍ଞାତ ଗିରିକନ୍ଦର ଅଭିମୁଖେ ।

 

ପୁଣି ପରିବର୍ତ୍ତନ–

 

ପୁଣି ପାହାଚ ।

 

କିନ୍ତୁ ଏ ପରିବର୍ତ୍ତନ ଝଡ଼-ହୀନ ଏ ପାହାଚରେ ଶିଳ୍ପୀର ଆଲେଖ୍ୟ ପରିକଳ୍ପନା ଅନୁପସ୍ଥିତ ।

 

ସବୁ ରଙ୍ଗର ସମାହାରରେ ଏ ପଥ ମୋର ଶୁଭଶ୍ରୀ ସମନ୍ୱିତ—ସବୁ ଶବ୍ଦର ସମାରୋହରେ ଏ ଯାତ୍ରା ମୋର ନିଃଶବ୍ଦ ।

 

ଏଇ ନିଃଶବ୍ଦତା ମଧ୍ୟରେ ହିଁ ମୁଁ ସେଇ ଚିନ୍ମୟତାକୁ ଖୋଜୁଛି ସ୍ୱାଗତିମାର ଶଙ୍ଖ ବଜାଇ ସନାତନର ଆବାହନ କରୁଛି; କିନ୍ତୁ ତା’ କ’ଣ ସମ୍ଭବ ? —ଅସମ୍ଭବ ବି ନୁହେଁ—ହଟଚମକ ବିଦ୍ୟାର ସ୍ୱର୍ଗାରୋହଣ ପର୍ବରେ ହୁଏତ ଏଥିପାଇଁ ମାନସିକ ସ୍ଥୈର୍ଯ୍ୟ ଆସି ନ ପାରେ—ମାତ୍ର ତା’ ବୋଲି ଆଧ୍ୟାତ୍ମିକ ସାଫଲ୍ୟର ଦୁଃଖ ସୁଖହୀନ ବିଭୂତିକୁ ଫାଙ୍କି ଦେଇ ହେବ ନାହିଁ । କିଏ ଜାଣେ ଜୀବନର ଅବଶିଷ୍ଟ ସମୟ ମଧ୍ୟରେ ସେ ସାଫଲ୍ୟ ଆସିବ କି ନାହିଁ ।

 

ତନ୍ତ୍ର ସାଧନାର ବିନ୍ଧ୍ୟାଚଳ ଉପରୁ ଖସି ଆସି ମୁଁ ଆଜି ଆଗେଇବାକୁ ଯାଉଛି ଆଧ୍ୟାତ୍ମିକ ଜୀବନର ହିମାଦ୍ରି ଆଡ଼େ । ଏ ସନ୍ଧି କ୍ଷଣରେ ମୁଁ ଆଜିଯାଏ ଯାହାଥିଲି ତା’ ନୁହେଁ ଏବଂ କାଲି ଯାହା ହେବାକୁ ଯାଉଛି ତା ହୋଇନି । ତେଣୁ ଏ ମୁହୂର୍ତ୍ତ ମୋତେ ଆଜି ପୁଣି ଥରକପାଇଁ ମନେ ପକାଇ ଦେଉଛି ଏ ଗାଙ୍ଗେୟ ଉପତ୍ୟକାର ସାଧାରଣ ଜୀବନ—ହସ, କାନ୍ଦ, ଦୁଃଖ ଓ ବିଷାଦଭରାମାନ ସୃଷ୍ଟିର ନିରବଚ୍ଛିନ୍ନ ଜୀବନଯାତ୍ରା ।

 

ଏହିପରି ଭାବରେ ହିଁ ଦିନେ ମୋର ଜୀବନଯାତ୍ରା ଆରମ୍ଭ ହୋଇଥିଲା—ଆଜି ବି ମନେ ପଡ଼େ–ଜୀବନର ବହୁ ଉତ୍‌ଥାନ ପତନର ମରୁଝଡ଼ ମଧ୍ୟରେ ଆକସ୍ମିକ ଆଲୋରା ପରି ଦୀର୍ଘ ଦିନ ସେ ସ୍ମୃତି ଜଳି ଉଠିଛି—ଆଉ କ୍ଷଣକପାଇଁ ଜଳାଇ ଦେଇଛି ମୋର ଆଶା ଓ ନିରାଶାର ପରିବେଶକୁ । ହେଇ ଆଖି ଆଗରେ ମୋର ସେହି ଜନ୍ମଭୂମି ମଫସଲ ଗାଁଟି ଦିଶି ଯାଉଛି । କେଡ଼େ ସରଳ ଆଉ ବିଶୁଦ୍ଧତାର ଆବହାଓ୍ୱା । କେଡ଼େ ସୁନ୍ଦର ତା’ର ଅବସ୍ଥିତି । ପୂର୍ବପଟ ଗାଁ ମୁଣ୍ଡରେ ବରଗଛଟି କେଉଁକାଳୁ ଶାଖାପ୍ରଶାଖା ମେଲି ବୁଢ଼ାଙ୍କ ପରି ଓହଳଟିମାନ ଉପରେ ଭରା ଦେଇ ଠିଆ ହୋଇଛି । ସକାଳଠାରୁ ସଂଧ୍ୟା ପର୍ଯ୍ୟନ୍ତ କେତେ ଯେ ପକ୍ଷୀ କଳରବରେ ତା ତଳେଥିବା ବୁଢ଼ୀ ଠାକୁରାଣୀଙ୍କ ମନକୁ ମୋହନ୍ତି ତା’ର ହିସାବ କେହି ରଖିନି । ତା’ ପାଖକୁ ଲାଗି ବୁଡ଼ି ଗଡ଼ିଆ । କେଉଁ କାଳେ ତାହା ଭିତରେ କିଏ ବୁଡ଼ି ଯାଇଥିଲା ବୋଲି ତାର ନାଁକୁ ସାର୍ଥକ କରିବାପାଇଁ ଲୋକେ ତାକୁ ବୁଡ଼ି ଗଡ଼ିଆ ବୋଲି ଡାକି ଆସୁଛନ୍ତି । ତା ଆଗକୁ ଗୋଟାଏ ବଡ଼ ପଡ଼ିଆ । ସେହି ପଡ଼ିଆକୁ ଲାଗି ଗାଁର ମଶାଣି । କେତେ ବୁଢ଼ା, ବୁଢ଼ୀ, ଯୁବକ, ଯୁବତୀ, ପିଲା ସେହି ମଶାଣି ମାଟିରେ ମିଶିଛନ୍ତି । ତା’ ପାଖରେ ବିସ୍ତୀର୍ଣ୍ଣ ଧାନ କ୍ଷେତ, କାହିଁ କେତେ ଦୂରରେ ଧାନ କ୍ଷେତ ଶେଷରେ ଦିଗ୍‌ବଳୟକୁ ଲାଗି ଗୋବିନ୍ଦପୁର ଗାଁ, ତା’ପାଖକୁ ତା ପାଖକୁ କେତେ ନାଇଁ କେତେ ଗାଁ ଲାଗିଛି । ଦକ୍ଷିଣ ଆଡ଼ୁ ସୁବର୍ଣ୍ଣପୁରଠାରୁ ଗୋଟିଏ କଚା ସଡ଼କ ଆମ ଗାଁଦେଇ ବଡ଼ ରାସ୍ତାକୁ ପଡ଼ିଛି । ସେହି ବଡ଼ ସଡ଼କ ପଶ୍ଚିମକୁ କଟକ ପର୍ଯ୍ୟନ୍ତ ଲମ୍ବି ଯାଇଛି ।

 

ଗାଁର ପଶ୍ଚିମରେ ବୁଢ଼ାନଈ । ବର୍ଷାଦିନେ ଅଥଳ ଥଳ ପାଣି, ଖରା ଦିନକୁ ଶୁଖିଯାଏ; କେଉଁଠି କିପରି ଠାଏ ଠାଏ ଗଣ୍ଡରେ ପାଣି ରହେ । ଲୋକେ ଗାଧୁଆ ପାଧୁଆ କରନ୍ତି । ତା’ ନ ହେଲେ ଖରାଦିନେ ଅନ୍ୟ ଆଶ୍ରା ନ ଥାଏ । ନଈ ଆର ପାଖରେ ଧାନ ବିଲ । ତା’ରି ମଝିରେ ଧାନ କଟା ପରେ ଶଗଡ଼ ସରି ହୁଏ । କେତେ ନାଇଁ କେତେ ଶଗଡ଼ିଆ ସେଇ ବାଟେ ଶଗଡ଼ ନେଇଯାନ୍ତି-। ରାତି ଅଧରେ ତାଙ୍କର ସେହି କେଉଁ କାଳର ଗୀତ ‘ମନ ତୁ ହୋଇଲୁ ବାଇରେ’ ମୁଁ କେତେଥର ଶୁଣିଛି । ତାଙ୍କର ସେହି ଟାକରା ଫୁଟା ଏବେ ବି ମୋତେ ଶୁଭିଲା ପରି ଜଣାଯାଏ । ତା ସେପଟକୁ କେନାଲ ବନ୍ଧ । ଉତ୍ତର ପଟେ ସିଦ୍ଧ ମୁନିଙ୍କ ମଠ । ସବୁ ମାସର ପୂର୍ଣ୍ଣିମୀ ଦିନ ଆମ ଗାଁର ଲୋକମାନେ ମିଳି ବୈଠକ ବା ଭୋଜି କରନ୍ତି । ପିଲାଦିନେ କେତେଥର ସେ ବୈଠକରେ ଯୋଗ ଦେଇଛି, ପ୍ରତିବର୍ଷ ମାଘ ଶୁକ୍ଳ ସପ୍ତମୀ ଦିନ ସିଦ୍ଧ ଗୋସେଇଁଙ୍କ ମେଳା ହୁଏ । ବହୁତ୍‌ ବାବାଜି, ବୈଷ୍ଣବ ଆସନ୍ତି । ଦୋକାନ ବଜାର ବସେ । ନାଚ ତାମସା କେତେ ନାଇଁ କେତେ ହୁଏ ।

 

ମୁଁ ପ୍ରାଇମେରୀ ପର୍ଯ୍ୟନ୍ତ ଆମ ଗାଁରେ ରହି ପଢ଼ିଛି । ତା’ପରେ ମାଇନର ଷଷ୍ଠ ଶ୍ରେଣୀଠାରୁ ମାଟ୍ରିକ୍‌ ପାସ୍‍ ପର୍ଯ୍ୟନ୍ତ କଟକରେ ରହି ପଢ଼ିଛି । କଟକରେ ସାନ ବାପା ସେକ୍ରେଟେରୀଏଟରେ କାମ କରନ୍ତି । ତାଙ୍କ ପାଖରେ ରହି ପଢ଼େ । ମାଇନର ଷଷ୍ଠଶ୍ରେଣୀ ବର୍ଷ ବାପା ମରିଗଲେ, କିନ୍ତୁ ସାନ ବାପାଙ୍କ ଯୋଗୁଁ ବାପାଙ୍କ ପରେ ମୋର ପଢ଼ାପଢ଼ିରେ ବିଶେଷ କିଛି ଅସୁବିଧା ହୋଇ ନ ଥିଲା । ବୋଉ ପିଲାଦିନୁ ମରିଛି; କିନ୍ତୁ ସାନ ବୋଉ ସେ ସ୍ଥାନ ପୂରଣ କରି ପାରିଲାନି । ସେଥିପାଇଁ ବାପା କେତେଥର ମୋତେ କହିଛନ୍ତି ସାନ ବୋଉ ତ ତୋର ସେହିପରି ଗୋଟିଏ ମଣିଷ, ତା’ ପାଇଁ ତୁ ଦୁଃଖ କରିବୁ ନାହିଁ । ପାଠ ପଢ଼ି ମଣିଷ ପରି ଗୋଟିଏ ମଣିଷ ହେଲେ ସାନ ବୋଉ କ’ଣ ଠିକ୍‌ ତୋ ବୋଉ ଭଳି ତୋତେ ଦେଖିବ ନି ! ଆଜି ଜୀବନର ଏ ମୁହୂର୍ତ୍ତରେ ସେହି ଦିନର ସ୍ମୃତି ମନେ ପଡ଼ୁଛି । ସାନ ବାପା ବଡ଼ କଡ଼ାଲୋକ, ସବୁବେଳେ ଗମ୍ଭୀର । ତାଙ୍କ ଆଗରେ ଛିଡ଼ା ହୋଇ କେବେ ପଦେ କଥା କହିବା ମୋ ପକ୍ଷେ ସମ୍ଭବ ହୋଇନି । କେବଳ ମୁଁ କାହିଁକି ଗାଁରେ ସମସ୍ତେ ତାଙ୍କୁ ଭୟ କରନ୍ତି । ସେ ଗାଁରେ ଥିବାବେଳେ ଛୋଟପିଲା ମଧ୍ୟ ବଡ଼ ପାଟିରେ କାନ୍ଦେନି । ଆଖପାଖର ଲୋକେ ମଧ୍ୟ ତାଙ୍କୁ ଯଥେଷ୍ଟ ଖାତିର୍‌ କରନ୍ତି ।

 

ସାନବାପାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ । ବଡ଼ ପୁଅ ବିଭୁପ୍ରସନ୍ନ ଓ ସାନପୁଅ ଦେବୀ ପ୍ରସନ୍ନ, ଝିଅ ଆଲୋକମାଳା । ସମସ୍ତେ ମୋ ଠାରୁ ବହୁତ୍‌ ସାନ । ସେତେବେଳେ ବିଭୁକୁ ଆଠ, ଦେବୀକୁ ତିନି ଓ ଆଲୋକକୁ ଛଅ ହୋଇଥିଲା । ସମସ୍ତେ ମୋତେ ଭକ୍ତି କରନ୍ତି । ମୁଁ ମଧ୍ୟ ସମସ୍ତଙ୍କୁ ସ୍ନେହ କରେ । ସାନ ବାପାତ ସ୍ୱତନ୍ତ୍ର ମଣିଷ କିନ୍ତୁ ସାନ ବୋଉ ମୋତେ କାହିଁକି ଭଲ ପାଇ ପାରେନାହିଁ, ମୋର ସମସ୍ତ ପ୍ରଶଂସନୀୟ କାର୍ଯ୍ୟ ତାଙ୍କ ଆଗରେ ପସନ୍ଦ ହୁଏ ନାହିଁ । ସେଥିପାଇଁ ମୁଁ ଅଧିକାଂଶ ଦିନ କଟକରେ କଟାଇ ଦିଏ । ଯଦି କେବେ ଗାଁକୁ ଯାଏ ତେବେ ଏଣେ ତେଣେ ହୋଇ ସମୟ ବିତେଇ ଦିଏ ।

 

ସେବର୍ଷ ଆଇ: ଏ: ପରୀକ୍ଷା ଦେଇ ମୁଁ ଘରକୁ ଯାଇଥାଏ । ଗାଁରେ ମଧ୍ୟ ଆଉ କେତେକ ମୋରି ଭଳି ବିଦେଶରେ ରହି ପଢ଼ୁଥିବା ପିଲା ଆସିଥିଲେ । ପିଲାଦିନୁ ଆମେ ଗୋଟିଏ ଲାଇବ୍ରେରୀ ଗାଁରେ କରିଥିଲୁ । ଗାଁକୁ ଆସିଲେ ଅଧିକାଂଶ ସମୟ ମୁଁ ସେ ଲାଇବ୍ରେରୀରେ କଟାଇ ଦିଏ । ସମସ୍ତେ ଯେତେବେଳେ ଏକାଠି ଜୁଟୁ ସେତେବେଳେ ନାନାଆଡ଼ୁ ନାନାକଥା ପକାଇ ତୁମୁଳ ଯୁକ୍ତି କରି ଛୋଟଘରଟିକୁ କେତେକ ସମୟ ପାଇଁ କମ୍ପାଇ ଦେଉ । ଦିନେ ଦିନେ ଗାଁ’ର ସମସ୍ତ ଯୁବକଙ୍କୁ ଡାକି ଗୋଟିଏ ଗୋଟିଏ ମିଟିଂ କରୁ । ଲାଇବ୍ରେରୀ, ଗାଁ ରାସ୍ତା ଇତ୍ୟାଦିର ଉନ୍ନତିପାଇଁ ନାନା କଳ୍ପନା ଜଳ୍ପନା ଚାଲେ । ସବୁ ସାରି ଘରେ ପହଞ୍ଚିଲା ବେଳକୁ ରାତି ଅନେକ ହୋଇଯାଏ । ଘରେ ସାନ ବୋଉ ଖୁବ୍‌ ବିରକ୍ତ ହୁଏ । ତା’ର ସବୁ ଗାଳି ମନ୍ଦ ମୁଣ୍ଡ ପାତି ସହିନିଏ । ତାଙ୍କ କଥାକୁ ସେପରି କିଛି ନ ଭାବିବା ମୋର ଗୋଟିଏ ଅଭ୍ୟାସ ହୋଇ ଯାଇଥାଏ ।

 

ସେ ଦିନ ରାଜନୀତି ବିଷୟରେ ନାନାପ୍ରକାର ଆଲୋଚନା ହେଉ ହେଉ ରାତି ଏଗାର ହୋଇଗଲା । ସାନ ବୋଉର ବିପଦ କଡ଼ି । କଥା ଶୁଣିବାକୁ ଛାତିଟାକୁ ପଥର କରି ନେଇଥାଏ । ଛ ସାତ ବର୍ଷ ତଳେ ବାପା କିଣି ଦେଇଥିବା ମୋର ହର୍‌କୁଲେଶ୍‌ ଗାଡ଼ିଟିକୁ ଗଡ଼ାଇ ଗଡ଼ାଇ ଦାଣ୍ଡରେ ପହଞ୍ଚିଲି । ସାଇକେଲଟିକୁ ଦାଣ୍ଡ ପିଣ୍ଡାରେ ଡେରି ଦେଇ ବିଭୁକୁ ଡାକିଲି । ଚାରୋଟି ଡାକ ଦେବାପରେ କବାଟ ଫିଟିଲା । କବାଟକୁ ମେଲାକରି ସାନବାପା ଲଣ୍ଠନଟିକୁ ହାତରେ ଧରି ଦାଣ୍ଡକୁ ବାହାରି ପଡ଼ିଲେ । ପ୍ରଥମେ ଲଣ୍ଠନଟିକୁ ଟିକିଏ ଭଲକରି ତେଜି ଦେଇ ମୋ ଗୋଡ଼ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖିଗଲେ । ବିପଦର ସୂଚନା କରି ମୁଁ ତଳକୁ ଅନାଇ ନୀରବରେ ଠିଆ ହୋଇଥାଏ ।

 

ସେ ପଚାରିଲେ କୁଆଡ଼େ ଯାଇଥିଲ ?

 

କିଛି ଉତ୍ତର ଦେଲିନି...ପୁଣି ସେହି ପ୍ରଶ୍ନ ।

 

ତଥାପି ନୀରବ ରହିଲି ।

 

ସେ ଟିକିଏ ଚିଡ଼ିଉଠି କହିଲେ କ’ଣ ଫିଟୁନାହିଁକି ? ନା ପସନ୍ଦ ହେଉ ନାହିଁ ? ବାଧ୍ୟ ହୋଇ ଉତ୍ତର ଦେଲି....ଲାଇବ୍ରେରୀରେ ବସିଥିଲି ।

 

ସେ ତାଚ୍ଛଲ୍ୟ କରି କହିଲେ ଲାଇବ୍ରେରୀରେ ବସିଥିଲ ! ମିଟିଂ ହେଉଥିଲା ନା ! ଏଥର ଘରକୁ ଫେରି ଗୋଟିଏ ମାମଲତ୍‌କାର ହୋଇଯାଇଛ, ନା ! ବାପାଙ୍କ ସ୍ଥାନଟା ବୋଧେ ଅଧିକାର କରିବ । ସେ ତ ଥିଲେ ଯେ ମାମଲତ୍‌ କରି କରି ପରଡିହ ପର୍ଯ୍ୟନ୍ତ ସାରି ଦେଇଗଲେ । ଆଉ ତୁମେ ଏଥର ରାଜନୀତି ଚର୍ଚ୍ଚା । କରି କ’ଣ ପୁଣି ସାରିବ ? ଓଃ.... ! ମୁଁ ଭାବିଥିଲି ପାଠଶାଠ ପଢ଼ି ଏ ଗୋଟାଏ ମଣିଷ ହେବ ! ମୁଣ୍ଡକୁ ତ ହାତ ପାଇଛି, ଏଥର ଗାନ୍ଧି ହୁଅ ବା ଜହର୍‌ ଲାଲ୍‌ ହୁଅ । ଯାହାମାନେ ତା ହୁଅ; କିନ୍ତୁ ତୁମ ଗାନ୍ଧି, ସୁବାସ୍‌ ମୋ ଘରେ ପଶିବେ ନାହିଁ । ତାଙ୍କପାଇଁ ଏ ଦ୍ୱାର ବନ୍ଦ । ଏତିକି କହି କବାଟଟିକୁ ଜୋରରେ ପକାଇ ଦେଇ ସେ ଘରଭିତରକୁ ଚାଲିଗଲେ । ମୁଁ ସେହିପରି ଦାଣ୍ଡରେ ଠିଆ ହୋଇଥାଏ । ଅନେକ ସମୟ ପରେ ଯେତେବେଳେ ମୋର ଖିଆଲ ହେଲା ସେତେବେଳେ ମନ ଭିତରେ ସାନ ବାପାଙ୍କ ପ୍ରତି ଗୋଟାଏ ବିଦ୍ୱେଷଭୂତ ପଶି ମୋ ମନଟାକୁ ଅସ୍ତବ୍ୟସ୍ତ କରି ପକାଇଲା ।

 

ସାନ ବାପାଙ୍କ କଥା ଆଗରୁ ମୁଁ ଜାଣେ ! ସେଥିପାଇଁ ମୁଁ ବରାବର ତାଙ୍କୁ ଲୁଚି ଲୁଚି ଚାଲେ । ସେ ଘରକୁ ଆସିଥିଲାବେଳେ ମୁଁ ସତର୍କରେ ଗାଁରେ ଚଳେ । ତାଙ୍କ ଉପସ୍ଥିତିରେ କେବେ କେଉଁଠି ସେପରି କହିଲା ଭଳି ଭୁଲ୍‌ ମୁଁ କରେନି । ଏଇ ଗୋଟାକ ହେଲା ପ୍ରଥମ ଆଉ ଶେଷ । ଏଇ ଟିକକ ଭୁଲ୍‌ ମୋ ଜୀବନର ପରଦାକୁ ଏକଦମ ଓଲଟାଇ ଦେଲା । ଅବଶ୍ୟ ମୁଁ ଯଦି ଟିକିଏ ଜାଣିପାରିଥାନ୍ତି ସାନ ବାପା ଆସିଛନ୍ତି ବୋଲି, ତେବେ ଖୁବ୍‌ ଶୀଘ୍ର ଫେରି ଆସିଥାନ୍ତି । ମାତ୍ର ଭାଗ୍ୟକୁ କିଏ ଏଡ଼ିଦେଇ ପାରିବ ? ସେ ବୋଧେ ଲାଇବ୍ରେରୀ କଡ଼ଦେଇ ଆସିଛନ୍ତି ଓ ଆମର ଯୁକ୍ତି ତର୍କରୁ କିଛି ଶୁଣିଛନ୍ତି ।

 

ସେ ସବୁବେଳେ ରାଜନୀତିଠାରୁ ଦୂରରେ ରହନ୍ତି । ତାଙ୍କ ଚାକିରିରେ କାଳେ ଆଞ୍ଚ ଆସିବ ସେଥିପାଇଁ ଭୁଲ୍‌ରେ ରାଜନୈତିକ ଦଳର ଲୋକଙ୍କ ସଙ୍ଗେ ମିଳାମିଶା କରନ୍ତି ନାହିଁ । ତେଣୁ ମୋ ଉପରେ ବିରକ୍ତ ହେବାଟା ସ୍ୱଭାବିକ୍‌; କିନ୍ତୁ ମୁଁ ସେ ଦିନ ତାଙ୍କ କଥାକୁ କାହିଁକି ସହ୍ୟ କରିପାରିଲି ନାହିଁ । ଦିନ ତିନିଟାରୁ ସାଇକେଲ ଖଣ୍ଡକ ଧରି ଯାଇଥିଲି । ଖାଇଥିଲି ଯାହା ଦିନ ବାରଟା ବେଳେ ସେତିକି । ଦିନ ବାରରୁ ରାତି ଏଗାର, ଏଗାର ଘଣ୍ଟା ହେଲାଣି । ଏହା ଛଡ଼ା ଆଡ଼େ ସାଡ଼େ ବୁଲାବୁଲି କରି ଏଣୁ ତେଣୁ ଗପ କରି କରି ଆଉ ଧୈର୍ଯ୍ୟ ନ ଥାଏ । ତା’ ଉପରେ ସାନ ବାପାଙ୍କର ଏତକକୁ ସହ୍ୟ କରିବାକୁ ଆଉ ଧୈର୍ଯ୍ୟ କାହିଁ ?

 

ଆଖି ଆଗରେ ବାପାଙ୍କର ମୁହଁ ନାଚି ଉଠୁଥାଏ । ତାଙ୍କର ସ୍ନେହପୂର୍ଣ୍ଣ କଥା କେଇ ପଦ ମନେ ପଡ଼ିଗଲା । ସତେ ଯେପରି ତାଙ୍କର ସେହି ପ୍ରଶାନ୍ତ ମୂର୍ତ୍ତି ମୋ ଆଗରେ ଆସି ଉଭା ହୋଇ କହି ଉଠିଲେ, ‘‘ଦୁଷ୍ମନ୍ତ ବ୍ୟସ୍ତ ହୁଅନା । ମୁଁ ଥିବା ପର୍ଯ୍ୟନ୍ତ ତୋର ଦୁଃଖ କ’ଣ !’’ ଦେହ ଗୋଟାକଯାକ ଶୀତେଇ ଉଠିଲା, ଲୋମଗୁଡ଼ିକ ଟାଙ୍କୁରି ଉଠିଲା । ଆଖି କୋଣରେ ମଧ୍ୟ ଜକେଇ ଆସିଲା ଲୁହ । ଅସ୍ପଷ୍ଟ ସ୍ୱରରେ ମୁହଁରୁ ବାହାରି ପଡ଼ିଲା ବାପା !

 

କ୍ଷଣକ ମଧ୍ୟରେ ଇନ୍ଦ୍ରଜାଲ ପରି ସେ ମୂର୍ତ୍ତି ଆଖି ଆଗରୁ ଉଭେଇ ଗଲା । ସେହି ମୁହୂର୍ତ୍ତରେ ମନରେ ସମସ୍ତ ଗ୍ଳାନି ଉଭେଇ ଯାଇ ଗୋଟାଏ ଅପୂର୍ବ ଉତ୍ତେଜନା ଖେଳିଗଲା । ହାତର ରେଡ଼ିଅମ୍‌ ଦିଆ ଓ୍ୟାଚକୁ ଚାହିଁଲି । ବାରଟା ପଇଁତିରିଶ୍‌ । ସାଇକେଲଟି ପାଖକୁ ଫେରି ଆସିଲି । ସେତିକିବେଳେ ଶୁଣିଲି ସାନ ବାପାଙ୍କ ଶୋଇଲା ଘର କବାଟ ବନ୍ଦ ହେବାର ଶବ୍ଦ । ସେ ଶବ୍ଦ କ୍ଷଣକପାଇଁ ମୋତେ ସ୍ତମ୍ଭୀଭୂତ କରିଦେଲା । ମନରେ ପ୍ରଶ୍ନ ଉଠିଲା ଏବେ ମୁଁ କରିବି କ’ଣ ?

 

ମୋ ମନ ଭିତରେ ଯେତେ ପ୍ରଶ୍ନ ଅତୀତରେ ଆସିଥିଲା ସମସ୍ତଙ୍କଠାରୁ ବିରାଟ ଥିଲା ସେ ଦିନର ସେହି ପ୍ରଶ୍ନ ‘‘ବର୍ତ୍ତମାନ ମୁଁ କରିବି କ’ଣ ?’’

 

ବାପାଙ୍କ ବଞ୍ଚିଥିବା ପର୍ଯ୍ୟନ୍ତ ଅନଟନର କରାଳ ଛାୟା ମୋ ପାଖରୁ ଖୁବ୍‌ ଦୂରରେ ଥିଲା-। ସେ ଯତ୍‍ପରୋନାସ୍ତି ଚେଷ୍ଟା କରି ତାଙ୍କର ଦୁଃଖ ଅନଟନକୁ ମୋ ଆଗରୁ ଦୂରରେ ରଖିଥିଲେ-। ତାଙ୍କର ଇଚ୍ଛା ଥିଲା, ମୁଁ ପାଠ ପଢ଼ି ମଣିଷ ହୁଏ । ତା’ ପରେ ଆପେ ଆପେ ସବୁ ସୁଧୁରିଯିବ-। ସାନ ବାପାଙ୍କ ସହିତ ତାଙ୍କର ମନ ବିଶେଷ ମିଳୁ ନ ଥିଲା, । ସାନ ବାପା ତ ଚିରଦିନ ବିଦେଶରେ ରହି ଆସିଥିଲେ । ଗାଁରେ ବି ତାଙ୍କର ବିଶେଷ କିଛି ପ୍ରଭାବ ନ ଥିଲା । ବାପା ଥିଲେ ଘରର ସର୍ବେସର୍ବା, ଆଉ ଗାଁର ମୁଖ୍ୟ । ତାଙ୍କ ସ୍କୁଲ ଜୀବନଠାରୁ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ଥିଲେ ସମସ୍ତଙ୍କର ଅଗ୍ରଣୀ । ସ୍କୁଲ କଲେଜର ହରତାଳରେ ତାଙ୍କରି ତୁଣ୍ଡରୁ ପ୍ରଥମେ ବିପ୍ଳବ ଧ୍ୱନି ଶୁଣା ଯାଉଥିଲା । ଗାଁର ଟାଉଟର, ବଦମାସ ଲୋକଙ୍କ ଜୁଲମରୁ ନିରୀହ ଲୋକଙ୍କୁ ରକ୍ଷା କରିବାକୁ ସେ କଲେଜ ଅଧାରୁ ପାଠ ଛାଡ଼ି ଗାଁରେ ରହିଲେ । ତାଙ୍କର ଅଦମ୍ୟ ଚେଷ୍ଟାଦ୍ୱାରା ଆମ ଗାଁ ଅଞ୍ଚଳର ଟାଉଟରଶ୍ରେଣୀ ତାଙ୍କ ପାଖରେ ମୁଣ୍ଡ ନୁଆଇଁ ଥିଲେ । ସେହି ଟାଉଟରମାନଙ୍କ ମତି ବଦଳାଇ ତାଙ୍କରି ଦ୍ୱାରା ସ୍କୁଲ, ରାସ୍ତା, ପୋଲପ୍ରଭୃତି ବହୁତ ହିତକର କାର୍ଯ୍ୟ କରିଯାଇଥିଲେ; କିନ୍ତୁ ତାଙ୍କ ଶେଷ ଜୀବନରେ ସାନ ବାପା ହୋଇ ଉଠିଲେ ତାଙ୍କର ବଡ଼ ଶତ୍ରୁ ।

 

ଗ୍ରାମର କେତେକ ହିଂସ୍ରକଙ୍କ ପ୍ରରୋଚନାରେ ସାନ ବାପା ବାପାଙ୍କ ବିରୁଦ୍ଧାଚରଣ କଲେ । ସାନ ବୋଉ ତହିଁରେ ଯୋଗ ଦେଇ ତାଙ୍କ ସମ୍ପତ୍ତିକୁ ପୃଥକ୍‌ କରି ନେବାକୁ କୋର୍ଟରେ ଆଶ୍ରୟ ନେଲେ । ବାପା ତାଙ୍କ ଦାବୀରେ ଏକମତ ହୋଇଥିଲେ ମଧ୍ୟ ସାନ ବାପା କଟକରେ ରହି ଯେପରି ନାନାପ୍ରକାର ଷଡ଼ ଯନ୍ତ୍ରମାନ କଲେ ସେଥିରେ ବାପା ବାଧ୍ୟ ହେଲେ ମୋକଦ୍ଦମା ଲଢ଼ିବାକୁ-। ଗୋଟାଏ ନୁହେଁ, ଗୋଟା ଗୋଟା ହୋଇ ବାର ଚଉଦଟି ଦେଓ୍ୟାନି, ଅଦାଲତରେ ମୋକଦ୍ଦମା ହେଲା, ଶେଷରେ ବହୁ ଖର୍ଚ୍ଚାନ୍ତ ପରେ ସାନ ବାପା ବାପାଙ୍କ ସହିତ ମିଳାମିଶା କଲେ-। ସେତେବେଳକୁ ବାପା ଥିଲେ ବେମାର । ସେହି ବେମାରରେ ସେ ଚାଲିଗଲେ ମୋର ସମସ୍ତ ଭାର ସାନ ବାପାଙ୍କୁ ଦେଇ ।

 

ସାଇକେଲଟି ଧରି ଟିକିଏ ଚିନ୍ତା କଲି, କୁଆଡ଼େ ଯିବି । ସାନ ବାପା ବୋଧେ ସବୁଦିନପାଇଁ ଦ୍ୱାର ବନ୍ଦ କରି ଚାଲିଯାଇଛନ୍ତି । ଏ ଘରର ଦ୍ୱାର ଯେତେବେଳେ ବନ୍ଦ ସେତେବେଳେ ମୋତେ ଅନ୍ୟତ୍ର ନିଶ୍ଚୟ ଯିବାକୁ ହେବ । ଆଗକୁ ଚାଲିଲି । ରାତି ଅଧ, ସବୁ ନିଶୂନ-। ଗାଁ ମୁଣ୍ଡରେ ପହଞ୍ଚିଲି । ଗାଁ ମୁଣ୍ଡ ବରଗଛ ତଳେ ବୁଢ଼ୀଠାକୁରାଣୀଙ୍କ ଆସ୍ଥାନ । ଗାଁର ପୁରୁଖା ବୁଢ଼ା ବୁଢ଼ୀ କହନ୍ତି ଠାକୁରାଣୀ କୁଆଡ଼େ ରାତି ଅଧରେ ବାହାରନ୍ତି । ଗାଁ ଚାରି ପାଖରେ ବୁଲନ୍ତି-। ହଇଜା, ବସନ୍ତକୁ ଗାଁରେ ପୂରାଇ ଦିଅନ୍ତି ନାହିଁ । ଥରେ କୁଆଡ଼େ ଗୋବିନ୍ଦପୁର ଗାଁରେ ହଇଜା ହେଲା । ଗାଁରୁ ଅଧେ ମରି ଶୋଇଲେ । ଆମ ଗାଁକୁ କୁଆଡ଼େ ଦୁଇ ଭଉଣୀ ଆସୁଥିଲେ, ବୁଢ଼ୀଠାକୁରାଣୀ ବାଟ ଛାଡ଼ିଲେ ନାହିଁ । କାଳିଶିର ବେତ ଧରି ଗୋଡ଼େଇଲେ ଯେ ସେ ଦୁଇ ଭଉଣୀ ଆମ ଗାଁ ଛାଡ଼ି ବାଲିପାଟଣା ପର୍ଯ୍ୟନ୍ତ ପଳାଇଗଲେ । ତହିଁଆର ଦିନ ସକାଳେ କାଳିଶି ଅବତରି କହିଲା, ମା’ ବାଲିପାଟଣା ମୁଣ୍ଡରେ ବାଡ଼ିଠାକୁରାଣୀଙ୍କୁ ଛାଡ଼ି ଦେଇଆସିଛନ୍ତି ।’’ ସତକୁ ସତ କଅଁଳ ଗାଧୁଆ ବେଳକୁ ଦେଖାଗଲା ଦଶ ପନ୍ଦର ଜଣ ଝାଡ଼ା ବାନ୍ତିରେ ପଡ଼ିଛନ୍ତି-। ଠାକୁରାଣୀଙ୍କର ଭାରି ମହିମା । କେହି ଯଦି ବେମାର ପଡ଼େ ତାହା ହେଲେ ଠାକୁରାଣୀଙ୍କୁ ହଳଦୀ ଚୂଆରେ ଗାଧୋଇ ଦିଅନ୍ତି । ଗାଁର ଭାବତି ବ୍ରାହ୍ମଣ ସୁନ୍ଦର ବୋଳି ଚିକ୍‌ ଚିକ୍‌ କରିଦିଏ । ସେତିକିରେ କୁଆଡ଼େ ରୋଗ ଛାଡ଼ି ପଳାଏ । ଥରେ ପିରି ବୋଉ ବୁଢ଼ୀର କାନକାଟି ଗାଈ ହଜିଥିଲା ଯେ ତାକୁ କୁଆଡ଼େ ଠାକୁରାଣୀ ଅଡ଼େଇ ଆଣି ତା ଦୁଆର ମୁହଁରେ ଛାଡ଼ି ଦେଇ ପିରି ବୋଉ ବୁଢ଼ୀକୁ ସପନେଇ ଦେଇଗଲେ । ଏହିପରି କେତେ କ’ଣ ଶୁଣିବାକୁ ମିଳେ । ସେଇଠି ଟିକିଏ ଠିଆ ହେଲି । ସୁନ୍ଦର ଧାରିଣୀ ପଥରମୂର୍ତ୍ତି ଆଡ଼କୁ ଥରେ ଚାହିଁ ଭାବିଲି ଏହି ସେ ଦୟାମୟୀ; କିନ୍ତୁ ଆଜି ତା’ର ଦୟାର କାଣିଚାଏ ନ ପାଇ ଗ୍ରାମ ଛାଡ଼ି ଚାଲିଯାଉଛି । ସେ କ’ଣ ସେଥିପାଇଁ ଦୁଃଖିତ ନୁହେଁ-?’’ ଠାକୁରାଣୀଙ୍କ ମୁଣ୍ଡ ଉପରେ ଯେଉଁ ପଥର ମନ୍ଦିରଟି ତୋଳାହୋଇଛି ତାହାକୁ ବାପା ତିଆରି କରିଥିଲେ । ତା ପୂର୍ବରୁ କୁମ୍ଭାରଙ୍କ ଗମ୍ଭୀରାରେ ସେ ରହୁଥିଲେ । ମାଙ୍କଡ଼ଙ୍କ ଉତ୍ପାତରେ ଗମ୍ଭୀରା ବର୍ଷରେ ଦଶଥର ଭାଙ୍ଗେ । ଠାକୁରାଣୀ ଖରା ବର୍ଷା ସହନ୍ତି । ପୁଣି ନୂଆ ଗମ୍ଭୀରା ଆସେ; କିନ୍ତୁ ଏଥର ଆଉ ଠାକୁରାଣୀ ଖରା ବର୍ଷା ସହୁ ନାହାନ୍ତି । ମାଙ୍କଡ଼ଙ୍କ ସମସ୍ତ ଉତ୍ପାତ ପଥର ମନ୍ଦିରଟି ସହୁଛି ।

 

ସେଇଠି ଟିକିଏ ଠିଆ ହୋଇ ଠାକୁରାଣୀଙ୍କ ଆଡ଼କୁ ଅନାଇ ଦେଖିଲି ଠାକୁରାଣୀଙ୍କ ଆର ପାଖରୁ ବୁଡ଼ି ଗଡ଼ିଆରୁ କିଏ ଗୋଟିଏ ଉଠିଲା । ଭାବିଲି କ’ଣ ବୁଢ଼ୀ ଠାକୁରାଣୀ କି ? ଛପି ଛପିକିଆ ଜହ୍ନ ଆଲୁଅରେ କଳା ମୂର୍ତ୍ତିଟି ମୋ ଆଡ଼କୁ ଆଗେଇ ଆସିଲା । ମୁଁ ସେହିପରି ସାଇକେଲ୍‌ଟି ଧରି ଠିଆ ହୋଇ ଥାଏ । ସେହି କଳା ମୂର୍ତ୍ତିଟି ମୋ ପାଖରେ ଆସି ପହଞ୍ଚି କହିଲା କିଏ’ ?

 

ମୁଁ ଜବାବ୍‌ ଦେଲି ।

 

ସେ ଟିକିଏ କାଶି କହିଲା ‘କିଏ ଟିକି ବାବୁ ! ଏତେ ରାତିରେ କୁଆଡ଼େ ଯାଉଛ ?

 

କ’ଣ ବା ଉତ୍ତର ଦେବି । ସତେ ତ ଏତେ ରାତିରେ କୁଆଡ଼େ ଯାଉଛି ? ଟିକିଏ କ’ଣ ଭାବି କହିଲି ତୁମେ ଏତେ ରାତିରେ କୁଆଡ଼େ ଦିନେଇ ସାମଲ । ସେ ଟିକିଏ କାଶି ଉତ୍ତର ଦେଲ, ‘ପେଟଟା କ’ଣ ହେଲା ଯେ ଟିକିଏ ବାହାର ବସି ଆସିବାକୁ ଆସିଥିଲି । ଅଫିମିଆ ଲୋକ ଖାଲି ଆସିବା ସାର ।

 

କହିଲି ତୁମେ–ଅଫିମ କ’ଣ ଖାଅ ବୁଢ଼ା !

 

ହଁ ବାବୁ, ସେତକ ଆଗରୁ ତମ ବାପାଙ୍କବେଳେ ଅଭ୍ୟାସ କରିଥିଲି । ସେତେବେଳେ ଖୁବ୍‌ ପଇସା ମିଳୁଥିଲା । ଏଇ ଶଳା ଅଲବତ୍‌ ପଠାଣ ମୋତେ ଶିଖେଇଲା; କହିଲା ଅଫିମ ଖାଇଲେ ଦେହ ଫୂର୍ତ୍ତି ହେବ । ରାତିଦିନ ସବୁବେଳେ ଖଟି ପାରିବ । ସେତିକି ବେଳୁ ତ ଅଭ୍ୟାସ କରିଛି ଯେ ବାବୁ ଆଉ ଏଇଲେ ଛାଡ଼ି ହେଉଛି କେଉଁଠି । ସେତେବେଳେ ବାବୁ ଏଇ ଦିନା ସାମଲ ଗୋଟାଏ ଡାକ ଦେଲେ ଲୋକେ କବାଟ କଣରେ ପଶୁଥିଲେ । ତମ ବାପା ପଦାକୁ ବାହାରିଲା ମାତ୍ରେ ଦିନାକୁ ଡାକରା ପଡ଼ୁଥିଲା । ଆହା କୁଆଡ଼େ ଗଲେ । ସେ ଜମିଦାରୀକୁ ଯିବେ ଯେ ସାଙ୍ଗରେ ଆଠ ଦଶ ପିଆଦା । ରଜାଘର ପରି ଆଧି ଥିଲା । ଗଲାବେଳେ ଗର୍ଭଣୀ ଗାଈ ବାଟ ଛାଡ଼ୁଥିଲା । କାଲିପରି ଲାଗୁଛି ବାବୁ; ସେପାରି ମଧୁ ବିଶ୍ୱାଳ ସାଙ୍ଗରେ ଲାଗିଲେ ଯେ ତାକୁ ବସବାସରୁ ଉଚ୍ଛନ୍ନ କରି ଦେଲେ । ସାଇଭାଇ ହିଂସାରେ ଜଳିଯାଇ ଆକୁ ତାକୁ ଶିଖେଇ ମତେଇ ମାଲିମକଦ୍ଦମା ଲଗାଇଲେ; କିନ୍ତୁ କେହି କ’ଣ କିଛି ଜଛ ପାଇଲେ । ଯିଏ ଯେତେ ଲାଗିଲେ ସବୁ ହାରିଗଲେ, ଶେଷରେ ସିନା ସାନବାବୁ ଭଗାରି ହେଲେ । ସେତିକି ବେଳକୁ ସେବି ବେମାର ପଡ଼ିଲେ । ନଇଲେ ଏଠି ଗୋଟାଏ କିଏ ପୁଅ ଥିଲା ତାଙ୍କୁ ଜିତି ଥାନ୍ତା ।

 

ମନର ସମସ୍ତ ଉଦ୍‌ବେଗକୁ ଚାପିରଖି କହିଲି ଶେଷରେ ତ ମିଳା ମିଶା ହେଲା ଆଉ ଅଧିକ ବା କ’ଣ ହୋଇଥାନ୍ତା ?

 

ବଡ଼ ବାବୁଙ୍କର କାଳ ହେଲା ବେଳକୁ ସିନା ସାନବାବୁ ତାଙ୍କ ସହିତ ମିଳାମିଶା କଲେ, ତା ପୂର୍ବରୁ ପରା ଜମିଦାର ମହାଜନମାନଙ୍କୁ ଶିଖେଇ ସେଇ କଟକ ଆଡ଼େ ନାଲିଶ୍‌ ନୁଲୁସା କରି ଧୀରେ ଧୀରେ ସବୁ ନିଲାମ କରି ନେଇଛନ୍ତି । ଏଇ ଦୁଇମାସ ତଳେ ଧୋଇ ମହାନ୍ତି କଟକ ଯାଇଥିଲା ଯେ ସେ କୁଆଡ଼େ କୋଉ ଓକିଲଠାରୁ ଶୁଣି ଆସି କହୁଥିଲା ଅନଦା ବାବୁ ଆକୁ ତାକୁ ଶିଖେଇ କେଉଁ କାଳର ତମାଦିକୁ ନାଲିଶ କରାଇ ସବୁ ସମ୍ପତ୍ତି ନିଲାମ ପାଇଁ ଥିଲା । ଏକଥା ଶୁଣି ଗାଁର କେତେଲୋକ ଟଙ୍କା କଉଡ଼ି ଧରି ନିଲାମ ଧରିବାକୁ ଯାଇଥିଲେ ଯେ ଶୁଣି ଆସିଲେ ଅନଦାବାବୁ ସବୁ କାମ ଖତମ୍‌ କେଉଁଦିନୁ କରି ସାରିଛନ୍ତି । ସବୁ ତାଙ୍କ ପୁଅ ନାଁରେ, ସ୍ତ୍ରୀ ନାଁରେ ଧରିଛନ୍ତି । ଏମିତି କି ପ୍ରଜାଡିହ ବି ଗୁଣ୍ଠେ ରଖି ନାହାନ୍ତି ।

 

ଏଇ ମାସେ ଖଣ୍ଡେ ତଳେ ସିଙ୍ଗି ପଡ଼ାର ରାମସିଙ୍ଗିକୁ ସାନବାବୁ ତଲବ କରି ତା’ର ଥାଳି କଂସା ବିକେଇ କେଉଁ ଅମଳର ବାକି ଖଜଣା ନେଲେ ଯେ ସେ କାନ୍ଦି ବୋବେଇ କହୁଥିଲା, ବରଦା ବାବୁ ମୋତେ ସେ ଜମିତକ ସେମିତି ଛାଡ଼ି ଦେଇଥିଲେ । ଏବେ ଅନଦା ବାବୁଙ୍କ ଅମଳକୁ କଣ କିମିତି ଆଡ଼ୁସାଡ଼ୁ ହିସାବ କରି ଷାଠିଏ ଟଙ୍କା ନେଲେ । ହଉ ଭଗବାନ ତା’ର ଅଛନ୍ତି !

 

ମନ ଭିତରେ ଆଉ ଗୋଟାଏ ନୂତନ ଚାଞ୍ଚଲ୍ୟ ସୃଷ୍ଟି ହେଲା । ଏ ବୁଢ଼ା କ’ଣ କହୁଛି । ମୋର ସମସ୍ତ ସମ୍ପତ୍ତି ସାନବାପା ଚଞ୍ଚକ କରି ନିଲାମ ନେଇଛନ୍ତି ? ଏହିଭଳି ଏହା ପୂର୍ବରୁ ଜଣେ କିଏ ମୋତେ କହୁଥିଲେ ତୁମର—କେଉଁ ସମ୍ପତ୍ତି କଟକରେ ନିଲାମ ହେବାର ମୁଁ ଶୁଣି ଆସିଲି । ସାନ ବାପାଙ୍କୁ ତ ମୁଁ କିଛି କହେ ନି, ବିଦେଇ ମହାନ୍ତି ଗୁମାସ୍ତାକୁ ପଚାରିଲି, ସେ ମୋତେ କେତେଆଡ଼ୁ କେତେ କଥା କହି ନାନା ସତ ମିଛ ଏଣୁ ତେଣୁ ଗପି ଭୁଲେଇ ଦେଲା । ଶେଷରେ କହିଲା ଯଦି କିଛି ହୋଇଥାଏ ତେବେ ସେ କଥା ସାନବାବୁ ବୁଝିବେ ନାହିଁ । ତୁମେ ଖାଇ ପିଇ ପଢ଼ାପଢ଼ି କର । ସେହିଦିନୁ ମୁଁ ଆଉ ସମ୍ପତ୍ତି କଥା ମୁହଁରେ ଧରେନି ।

 

ବାପାଙ୍କର ସେହି ଅନ୍ତିମଶଯ୍ୟା କଥା ଏବେ ବି ମୋର ଖିଆଲ ଅଛି । ସାନବାପାଙ୍କ ହାତରେ ମୋ ହାତଟି ଦେଇ କହିଥିଲେ, ‘‘ଅନ୍ନଦା ! ମୋର କାମ ସରିଗଲା । ଆର ପାରିରୁ ଡାକରା ଆସିଛି ମୁଁ ଏଥର ଚାଲିଲି । ଦୁଷ୍ମନ୍ତ ତୋତେ ଲାଗିଲା । ବାପା, ମା’ ଛେଉଣ୍ଡ ପିଲାଟାକୁ ପର ବୋଲି ଭାବିବୁ ନାହିଁ । ବିଭୁ ପରି ଦୁଷ୍ମନ୍ତ ବି ତୋର ପୁଅ ।’’ ମୁଁ ଆଖିରେ ଦେଖିଛି ସାନବାପାଙ୍କ ଆଖିରୁ ଗୋଟାଏ ଅଶ୍ରୁଧାରା ଗଡ଼ି ଚାଲିଥାଏ । ସବୁଦିନେ ବାପା ଧୀରସ୍ଥିର; କିନ୍ତୁ ସେଦିନ ସେ ବଡ଼ ଚଞ୍ଚଳ ହୋଇ ପଡ଼ୁଥାନ୍ତି । ଶେଷଥରପାଇଁ ସେ କହିଲେ, ‘ଥରେ ତୁ ମୋତେ ଅନ୍ନଦା କହ, ହଁ ଭାଇ ମୁଁ ଦୁଷ୍ମନ୍ତର ଭାର ନେଲି ।’’

 

ସାନବାପା ଭୋ ଭୋ ହୋଇ କାନ୍ଦିଉଠି କହିଲେ, ଭାଇ ତୁମେ ଆଉ ସେ କଥା କୁହନା-। ବିଭୁ, ଦେବୀଠାରୁ ଦୁଷ୍ମନ୍ତ ବୟସରେ ବଡ଼ । ସେ ମୋର ବଡ଼ପୁଅ । ତୁମେ ମୋତେ ପିଲାଦିନେ କେତେ ସ୍ନେହ କରିଛ, ତୁମରି ଚେଷ୍ଟାରେ ମୁଁ ଆଜି ଦାଣ୍ଡରେ ମଣିଷ ଭଳି ଚାଲିପାରିଛି-। ମୁଁ ସିନା ପର ଶିକ୍ଷାରେ ପଡ଼ି ତୁମଭଳି ଦେବପ୍ରତିମ ଭାଇ ସହିତ କଳି କଲି; କିନ୍ତୁ ତୁମେ କେବେ ମୋତେ ପାଖରୁ ଠେଲି ଦେଇନ । ଆଜି ତୁମର ଏହି ଅନ୍ନଦା ଡାକ ପଦକ ମୁଁ କେବେ ଭୁଲି ପାରିବି ନାହିଁ-। ତୁମେ ଥିଲ ଏ ଘରର ମୁରବି । ତୁମ ପରେ ଦୁଷ୍ମନ୍ତ ହେବ ଏ ଘରର ମାଲିକ ।

 

ବୁଢ଼ା ପୁଣି କ’ଣ କହିବାକୁ ଆରମ୍ଭ କଲା । ମୁଁ ଦେଖିଲି ଏଠାରେ ଏପରି ଠିଆ ହୋଇଥିଲେ ବୁଢ଼ା ଗପୁଥିବ । କେଉଁକାଳର କଥା ତା’ ମନରେ ସାଇତି ରଖିଛି । ସେ ଆଜି ମୋତେ ଏକୁଟିଆ ପାଇଛି । ମନର ସବୁକଥା କହିଯିବ । ତେଣୁ ତରତର ହୋଇ କହିଲି ହଉ ବୁଢ଼ା ଥାଅ ମୁଁ ଯାଉଛି । ବୁଢ଼ା କହିଲା ହଁ ବାବୁ ଯାଅ ରାତି ଖୁବ୍‌ ହେଲାଣି । କୁଆଡ଼େ କେତେ ବାଟ ଯିବ କେଜାଣି । ସେଦିନ ରାତିର ସମସ୍ତ ଘଟଣା ମୋତେ ଏବେ ବି ତଟକା ପରି ଲାଗେ । ଦିନେଇ ସାମଲ ମଲାଣି କି ଅଛି ଜାଣେ ନି । ଗାଁରେ କିଏ କିପରି ଜାଣିବାର ଇଚ୍ଛା ହେଲେ ମଧ୍ୟ ଜୋର୍‌ କରି ମନକୁ ସେଆଡ଼ୁ ଫେରାଇ ଆଣିଛି । ଆଜି ରାତି ସେଦିନ ରାତିଭିତରେ ବହୁତ ତଫାତ୍‌ ଥିଲେ ମଧ୍ୟ କେତେକ ସାମଞ୍ଜସ୍ୟ ଅଛି । ସେଦିନ ମୁଁ ମୋର ଜନ୍ମମାଟି ଛାଡ଼ି ଚାଲିଆସିଥିଲି । ଆଜି ଏ ସହର ଛାଡ଼ି ଚାଲିଯିବାକୁ ତରତର ହେଉଛି ।

 

ସାନବାପାଙ୍କର ରୂଢ଼ ବ୍ୟବହାର ସହିତ ବୁଢ଼ାଠାରୁ ଯେ ନିଃସ୍ୱ ଏହି ଖବର ଶୁଣିଲା ପରେ ମୋ ଭିତରେ ଗୋଟାଏ ହତାଶାର ବହ୍ନ ଜଳି ଉଠିଲା । ମନରେ ଜାଗି ଉଠିଲା ଦୁନିଆଁ ପ୍ରତି ଅବିଶ୍ୱାସ । ଇସ୍‌ ମଣିଷ ଏତେ କଦର୍ଯ୍ୟ ହୋଇ ପାରେ ? ପୁଅପରି ଲାଳନ ପାଳନ କରିବାକୁ ବାପାଙ୍କ ପାଖରେ ପ୍ରତିଜ୍ଞା କରି ପରେ ତାକୁ ସର୍ବହରା କ’ଣ ମଣିଷ କରେ ? ଆଜି ଯଦି ସେ ଏଇଠି କେଉଁଠି ଥାଆନ୍ତେ ତେବେ ଧାଇଁଯାଇ ତାଙ୍କ ଆଗରେ ଠିଆ ହୋଇ କହନ୍ତି ‘‘ଚିହ୍ନି ପାରୁଛ, ମୁଁ କିଏ ? ମୁଁ କାହାର ପ୍ରେତାତ୍ମା ନୁହେଁ । ଏବେ ବି ମୋର ନିଃଶ୍ୱାସପ୍ରଶ୍ୱାସ ଚାଲିଛି । ଦେହରେ ପୂର୍ବବତ୍‌ ରକ୍ତ ସଞ୍ଚାରିତ ହେଉଛି । ତୁମେ ଯାହାକୁ ଆଖି ଆଗରେ ଦେଖୁଛ ଜାଣ ସେ କେତେ ଊର୍ଦ୍ଧ୍ୱକୁ ଉଠିପାରିଛି ? ହିନ୍ଦୁ ସ୍ଥାନର କୋଟି କୋଟି ଲୋକ ଆଜି ଯାହାର ଟିକିଏ ସାକ୍ଷାତ୍‌ ପାଇବାପାଇଁ ଉଦ୍‌ବିଗ୍ନ ହୋଇ ପଡ଼ିଛନ୍ତି ସେଦିନ ତୁମେ ତାକୁ ତା’ ଘର କବାଟ ସବୁଦିନପାଇଁ ବନ୍ଦ କରି ଦେଇଥିଲ ନା ? କେତୋଟି ଟଙ୍କାର ସମ୍ପତ୍ତି ପାଇଁ ତା’ ବିଶ୍ୱାସରେ ତୁମେ ବିଷ ମିଶାଇ ତାକୁ ସର୍ବସ୍ୱାନ୍ତ କରିଥିଲ । ଜାଣ ସେ ଆଜି କାହାର ମାଲିକ !’’

 

ମୁଁ ମୋର ସାଇକେଲ୍‌ଟିକୁ ଗଡ଼ାଇ ଗଡ଼ାଇ ଚାଲୁଥାଏ ଅନ୍ୟମନସ୍କ ହୋଇ । ଆଖି ଆଗରେ ସାନବାପାଙ୍କର ଚେହେରାଟା ଦେଖା ଯାଉଥାଏ । ଯେପରି ସେ ପୁଣି କହୁଛନ୍ତି—ଓଃ, ଗୋଟାଏ ମାମଲତ୍‍କାର ହୋଇଯାଇଛ ନା.... ? ମନ ବିଦ୍ରୋହ କରି ଉଠୁଥାଏ । ଇଚ୍ଛା ହେଉଥାଏ ଧାଇଁଯାଇ କହନ୍ତି କାହିଁକି ? ମୋତେ ତୁମେ ନିଃସ୍ୱ କରି ଦେଇଛ ବୋଲି, ତଥାପି ତ ମୁଁ ମଣିଷ । ମୋର କ’ଣ କିଛି କରିବାର ଅଧିକାର ନାହିଁ ? ଭାବିଛି କ’ଣ ତୁମେ ସବୁଦିନେ ଏହିଭଳି ଆଖି ଦେଖାଇପାରିବ !

 

ଆଗରେ ଦେଖାଗଲା ବାଲିପାଟଣାର ବତାଙ୍ଗ ମଶାଣି । ମାଇଲିଏ କି ଦେଢ଼ମାଇଲ ବ୍ୟାପୀ ବିରାଟ ନିର୍ଜ୍ଜନ, ନିଛାଟିଆ ସ୍ଥାନ । ଆଠ ଦଶଟା ଗାଁର ଏଇ ଗୋଟିଏ ମଶାଣି । ଦିନ ଦି’ପହରେ ବି ଲୋକେ ଡରନ୍ତି ସେ ବାଟେ ଯିବାପାଇଁ; ପିଲାଦିନେ ଶୁଣିଛି ଭାଗା ତନ୍ତୀକୁ କୁଆଡ଼େ ମଶାଣିଚଣ୍ଡୀ ଘଡ଼ ଘଡ଼ ହୋଇ ଜିଅନ୍ତା ଖାଇ ଯାଇଥିଲା । ଦୁମଦୁମିଆ ଦି’ପହରେ ବାବନା ଭୂତ ମାଙ୍କଡ଼ଚିତ୍‌ ମାରି ଖଣ୍ଡିଆଭୂତ ପରି ବାଲି ଉଡ଼ାଏ । ମଶାଣି ମଝିରେ ଯେଉଁ ଥୁଣ୍ଟା ବରଗଛଟିଏ ଅଛି ତା’ ଉପରେ କୁଆଡ଼େ ସାଦୁଲା ପଠାଣ ସୈତାନ ହୋଇ ରହିଛି । ଦିନେ ଦିନେ ନିଃଶବ୍ଦ ରାତିରେ ଗୋଟାଏ ଲେଖାଁ ଗଜନ ଛାଡ଼ି ଚାରିଆଡ଼ ହୁଲସ୍ତୁଲ୍‌ କରି ଦିଏ । ସେ ପାଖରେ ଗୋଟାଏ ବଡ଼ ଗାତ ଦେଖାଯାଏ, ସେ ଗାତରେ କୁମଡ଼େ ରାତିରେ ଚିରିଗୁଣୀ ଆଲୁଅ କରି ଛୁଆ ସେକେ । ମୁଁ ଏକୁଟିଆ ଦିନବେଳେ କେବେ ସେ ବାଟଦେଇ ଯାଇ ନାହିଁ । ରାତିବେଳ କଥା ତ ଅଛି; କିନ୍ତୁ ସେଦିନ ମୋଟେ ଡରମାଡ଼ୁ ନ ଥାଏ । ମନର ସମସ୍ତ ଦୁଃଖ କବାଟପରି ଭୟରେ ଦ୍ୱାରଦେଶରେ ଦଣ୍ଡାୟମାନ ହୋଇଥାଏ । ଗୋଡ଼ ଚାଲିଥାଏ ଆଗକୁ ଆଗକୁ, ଅଳ୍ପ କିଛି ବାଟ ଗଲାପରେ ନାଲିରାସ୍ତା ପଡ଼ିଲା । ଡାଇନାମାଟି ଟିପିଦେଇ ସାଇକେଲ୍‌ରେ ବସିଲି । ସାଇକେଲ୍‌ ଗଡ଼ିଚାଲିଲା ଜୋର୍‌ରେ । ମନଭିତରେ କେତେ ନାଇଁ କେତେ କଥା ଉଙ୍କି ମାରୁଥାଏ । ସାରା ଜୀବନ ଚାଲିବାକୁ ପଡ଼ିବ । ଅଚିହ୍ନା, ଅଜଣା ରାସ୍ତାଦେଇ ଧାଇଁବାକୁ ପଡ଼ିବ । କେବଳ ପୁଣି ସେହି ଗତ କଥାର ପୁନରାବୃତ୍ତି ମନଭିତରେ ହେଉଥାଏ । ମନ ରାଜ୍ୟର ପ୍ରେକ୍ଷାଳୟରେ ସେହି ଗତ ବିଷୟ ଗୋଟିକ ପରେ ଗୋଟିଏ ସଜେଇ ହୋଇ ଆଖି ଆଗରେ ସ୍ୱପ୍ନ ଭଳି ଭାସି ଯାଉଥାଏ ।

 

ସାଇକେଲ୍‌ ଚାଲିଥାଏ ଆଗକୁ; କିନ୍ତୁ ମନ ପଡ଼ିଥାଏ ପଛରେ ସେହି ଗାଁରେ । ସନ୍ଧ୍ୟାପରେ ଗାଁର ଟୋକାମାନେ ଗୋଟି ଗୋଟି ହୋଇ ପହଞ୍ଚିଲେ ଲାଇବ୍ରେରୀ ଘରେ । ରାଜନୀତି କ୍ଷେତ୍ରରେ ଗାଁ ଯୁବକଙ୍କ କାର୍ଯ୍ୟକଳାପ ବିଷୟରେ ନାନା କଥା ପଡ଼ିଲା । କଥା କଥାକେ ଯୁକ୍ତି ଆରମ୍ଭ ହେଲା । ଗୋଟାଏ ଗୋଟାଏ କଥାରେ ତୁମୁଳ ବାଦାନୁବାଦରେ ଘରଟି କମ୍ପି ଯାଉଥାଏ । ଶେଷରେ ଏଗାରଟା ବେଳକୁ ମିଟିଂ ଭାଙ୍ଗି ନିଜ ନିଜ ଘରକୁ ଚାଲିଲୁଁ । ସାଇକେଲ୍‌ଟି ଡେରି ବିଭୁକୁ ଡାକିଲି । ବିଭୁ ବଦଳରେ ଆବିର୍ଭାବ ହେଲେ ସାନବାପା । ଇସ୍‌....କି ଗମ୍ଭୀର ଭୟଙ୍କର ମୁଖ ତାଙ୍କର । ମୁଁ ଆଉ କେବେ ତାଙ୍କର ଏପରି ମୁଖ ଦେଖି ନାହିଁ । ତାଙ୍କର ସେହି କଥା....ବାପ୍‌ସେ ବେଟା ଜ୍ୟାଦା.....ଗୋଟାଏ ମାମଲତ୍‌କାର ହୋଇଗଲାଣି ନା ? ତା’ପରେ କବାଟ ବନ୍ଦ କରିବା ଶବ୍ଦ । ସହ୍ୟ କରି ପାରିଲିନି । ଆଖି ଆଗରେ ଗୋଟାଏ ଛକ । କେଉଁଠି ହେଲିଣି ଜାଣିବାକୁ ଉପାୟ ନାହିଁ । ମୁହଁରେ ପଡ଼ିଲା ଗୋଟାଏ ଉଜ୍ଜ୍ୱଳ ଆଲୁଅ । କେଉଁଆଡ଼କୁ ହ୍ୟାଣ୍ଡଲ ବୁଲାଇବି କିଛି ଠିକ୍‌ କରି ପାରିଲି ନାହିଁ । ଆପେ ଆପେ ହାତଟା ନଇଁଗଲା । ସାଇକେଲ୍‌ଟିକୁ ଆଉ ମୋ ଶକ୍ତି ଭିତରେ ରଖି ପାରିଲି ନାହିଁ । ସାଇକେଲ୍‌ ସହିତ କଚାଡ଼ି ହୋଇ ପଡ଼ିଲି ତଳେ । ତା’ ପରେ କ’ଣ ହେଲା ତା’ ଆଉ ଜାଣି ପାରିଲି ନାହିଁ ।

 

ଯେତେବେଳେ ମୋର ଆଖି ଖୋଲିଲା ସେତେବେଳେ ଦେଖିଲି ପ୍ରକାଣ୍ଡ କୋଠାଘର । ତା’ ଭିତରେ କେତେଟା ଖଟିଆ ପଡ଼ିଛି । ପ୍ରତି ଖଟିଆ ଉପରେ ଜଣେ ଜଣେ ଲୋକ ଶୋଇଛନ୍ତି । କାନ୍ଥରେ ଚାର୍ଟ, ପ୍ରତି ଖଟିଆ ପାଖରେ ଲୁହା ଆଲମିରା । ବିଜୁଳି ଆଲୁଅରେ ସବୁ ପରିଷ୍କାର ଦେଖାଯାଉଥାଏ । ମୋତେ ଜାଣିବାକୁ କିଛି ବାକି ରହିଲା ନାହିଁ । ଟିକକ ପରେ ଜଣେ ନର୍ସ ମୋ ପାଖରେ ଠିଆ ହେଲେ । ମୁଁ ଉଠି ବସିବାକୁ ଚେଷ୍ଟା କଲାବେଳେ ନର୍ସଟି ବାଧା ଦେଲା । ମୋତେ ଶୋଷ ହେଉଥାଏ; କିନ୍ତୁ କହିଲାବେଳକୁ ପାଟି ଖୋଲୁ ନ ଥାଏ । କ’ଣ ହେଲା ମୋର କାହିଁକି ମୁଁ ଡାକ୍ତର ଖାନାରେ, କିଛି ବୁଝି ପାରିଲି ନାହିଁ ।

 

ଅଳ୍ପ କେତେକ ସମୟ ପରେ ସାଇଁ ସାଇଁ କରି ନର୍ସକୁ ପଚାରିଲି, କିଏ ମୋତେ ଏଠାକୁ ଆଣିଲା । ଦୁଇ ଚାରିଥର କହିଲା ପରେ ନର୍ସଟି ବୁଝିଲା । ସେ କହିଲା ମୁଁ କିଛିଜାଣେନି । ଆଜି ବଦଳି ହୋଇ ଏ ଓ୍ୱାର୍ଡ଼କୁ ଆସିଛି । ମୋର ନାଇଟ୍‌ ଡିଉଟି ଥିଲା । ଡଃ ସେନ୍‌ ନିଜେ ଆପଣଙ୍କ ବିଷୟ ବୁଝୁଛନ୍ତି । ସେ ବାରଟାବେଳେ ମୋତେ କହି ଯାଇଥିଲେ ପ୍ରାୟ ତିନିଟା ପାଖାପାଖିରେ ପେସେଣ୍ଟର ଚେତା ଆସିବ । ଚେତା ନ ଆସିବା ପର୍ଯ୍ୟନ୍ତ ଖୁବ୍‌ ସତର୍କତା ସହିତ ଜଗିବାକୁ । ମୋ ପୂର୍ବ ନର୍ସଠାରୁ ଶୁଣିଥିଲି ଗତ ଦୁଇଦିନ ତଳେ ଅବସ୍ଥା ବଡ଼ ସାଂଘାତିକ ହୋଇ ଯାଇଥିଲା । ତା’ ପରେ ଆସ୍ତେ ଆସ୍ତେ ଭଲଆଡ଼କୁ ଗତି କରୁଛି । ଦୁଇଦିନ କାହିଁକି ଆଜି ପର୍ଯ୍ୟନ୍ତ ପ୍ରାୟ ଅକ୍‌ସିଜେନ ଦରକାର ପଡ଼ିଥିଲା । ବର୍ତ୍ତମାନ ଆଉ ବିପଦର କୌଣସି କାରଣ ନାହିଁ । ମୁଁ ଶୁଣିଛି ଡଃ ସେନ୍‌ ଜଣେ ବାବୁଙ୍କୁ କହୁଥିଲେ ସନ୍ଦେହ କରାଯାଉଥିଲା ବ୍ରେନ୍‌ ଉପରେ ଚୋଟ ବସିଛି ବୋଲି, କିନ୍ତୁ ତାହା ନୁହେଁ । ଯଦି ଆଜି ରାତିରେ ଚେତା ନ ଆସେ ତେବେ ବିପଦର ସମ୍ଭାବନା ଅଛି ।

 

ମୁଁ ହାତ ବଢ଼ାଇଲି ମୁଣ୍ଡ ଆଡ଼କୁ । ଚଟ୍‍କରି ନର୍ସ ମୋ ହାତଟି ଧରି ହାତ ଉଠାଇବାକୁ ବାରଣ କଲା ।

 

କୌଣସି ବିଷୟ ଚିନ୍ତା କରି ପାରୁ ନ ଥାଏ । ଚିନ୍ତା କଲାବେଳକୁ ମୁଣ୍ଡଟା କିପରି କ’ଣ ହୋଇ ଯାଉଥାଏ । ଦେହଟା ନିସ୍ତେଜ ଲାଗୁଥାଏ । ବେଳେ ବେଳେ ଆଖିଟା ଘୋଡ଼ି ହୋଇ ପଡ଼ୁଥାଏ । ମୁଣ୍ଡରେ ତେବେ ଚୋଟ ଲାଗିଛି । କି ଚୋଟ ସେ ? କେଉଁଠି କ’ଣ ହେଲା ମୋର, କିଏ ବା କହୁଛି ମୋତେ ।

 

ରାତି ପାହିଲା ପରେ ଆମ ଓ୍ୱାର୍ଡ଼ରେ ବହୁତ ଲୋକ ଯିବା ଆସିବା କଲେ । ମୋ ଛଡ଼ା ଅନ୍ୟ ରୋଗୀମାନେ ଉଠି ନିଜ ନିଜର ନିତ୍ୟକର୍ମ ସାରିଲେ । ଧୀରେ ଧୀରେ ଡାକ୍ତରମାନେ ଆସିଗଲେ, ଡଃ ସେନ୍‌ଙ୍କୁ ମୁଁ ଆଗରୁ ଚିହ୍ନେ । ଦେଖିଲି ଡଃ ସେନ୍‌ ଆସୁଛନ୍ତି ମୋରି ଆଡ଼କୁ । ତାଙ୍କ ପଛରେ ଜଣେ ଅଚିହ୍ନା ଭଦ୍ରଲୋକ । ମୁଁ ଡାକ୍ତରଙ୍କୁ ହାତ ଉଠାଇ ନମସ୍କାର କରିବାକୁ ଚେଷ୍ଟା କଲାବେଳେ ନିଜେ ଡାକ୍ତର ମୋ ହାତଟିକୁ ଧରି ବାରଣ କଲେ । ତା’ପରେ ସେ ଅଚିହ୍ନା ଭଦ୍ରଲୋକ ଜଣଙ୍କୁ ଇଂରେଜୀରେ କହିଲେ ମୁଁ ଯାହା କହୁଥିଲି ଠିକ୍‌ ତାହା ହେଲା । ବ୍ରେନ୍‌ରେ କେବେ ହେଲେ ଆଘାତ ଲାଗି ନାହିଁ । ସଂଜ୍ଞା ଯେତେବେଳେ ଫେରିଆସିଛି ସେତେବେଳେ ଭୟ କରିବାର କିଛି କାରଣ ନାହିଁ ।

 

ଅଚିହ୍ନା ଭଦ୍ରଲୋକ ଇଂରେଜିରେ ପଚାରିଲେ ପୂରା ଭଲ ହେବାପାଇଁ ଆଉ କେତେ ସମୟ ଲାଗିବ । ଡଃ ସେନ୍‌ ଷ୍ଟେଅ ଲଗାଇ ମୋତେ ପରୀକ୍ଷା କରି କହିଲେ । ଈଶ୍ୱର ଚାହିଲେ ଚାରିଦିନ ଭିତରେ ବାହାରକୁ ଯାଇ ପାରିବେ । ତା’ପରେ ଡାକ୍ତରଙ୍କ ସହିତ ଅଚିହ୍ନା ଭଦ୍ରଲୋକ ଜଣକ ବାହାରକୁ ଚାଲିଗଲେ ।

 

ମୋ ଚିକିତ୍ସାରେ ତ୍ରୁଟି ନ ଥିଲା । ଦୁଇଦିନ ପରେ ଜାଣିଲି କଲିକତାରୁ ଜଣେ ବିଶିଷ୍ଟ ବ୍ୟବସାୟୀ ବ୍ୟବସାୟ ସଂକ୍ରାନ୍ତରେ କଟକ ଆସିଲେ । କାମ ସାରି କଲିକତା ଫେରିଯିବା ପୂର୍ବରୁ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଆସିବାକୁ କଟକରୁ ଗୋଟିଏ ମଟରକାର୍‌ ଧରି ପୁରୀ ଯାଇଥିଲେ । ପୁରୀରେ ଦିଅଁ ଦର୍ଶନ ସାରି ଓ ତାଙ୍କ ବ୍ୟବସାୟ ବିଷୟରେ କେତେ ଜଣଙ୍କ ସହିତ କଥାବାର୍ତ୍ତା ସାରି ଆସିଲାବେଳେ ଚାଉଳିଆଗଞ୍ଜ ଛକ ଉପରେ ତାଙ୍କ କାର୍‌ ସହିତ ମୋ ସାଇକେଲ୍‌ର ଧକା ହେଲା । ସେ ସଙ୍ଗେ ସଙ୍ଗେ ସେଇ କାର୍‌ରେ ମୋତେ ପକାଇ ମେଡ଼ିକାଲ ନେଇଗଲେ । ମୁଣ୍ଡରେ ଆଘାତଲାଗି ଅଜସ୍ର ରକ୍ତ ଯାଇଥିଲା । ଦୀର୍ଘ ତିନି ଦିନ ପର୍ଯ୍ୟନ୍ତ ବେହୋସ ଅବସ୍ଥାରେ ଥିଲି । ବିରାଟ ଦୁର୍ଘଟଣା । ଏହି ଦୁର୍ଘଟଣା ନ ଘଟିଥିଲେ ଆଜି ମୁଁ କେଉଁଠି ଥାନ୍ତି କ’ଣ କରୁଥାନ୍ତି ତାହା କେହି କହି ପାରିବେ ନାହିଁ ।

 

ସବୁ ଘଟଣା ଶୁଣି ସାରିଲା ପରେ ମୋର ମୁଣ୍ଡ ଆପେ ଆପେ ସେହି ଅଚିହ୍ନା ଭଦ୍ରଲୋକ ସରସ୍ୱତୀ ବାବୁଙ୍କ ପଦତଳେ ନଇଁ ପଡ଼ିଲା । ସେ ଦିନ ଡଃ ସେନ୍‌ ମୋ ଦୁର୍ଘଟଣା ବିଷୟ କହି ସାରିବାର ଦଶ ପନ୍ଦର ମିନିଟ୍‌ ପରେ ସରସ୍ୱତୀ ବାବୁ ଆସିଲେ । ତା ଦେଖି ମୋ ଆଖି କୋଣରେ ଲୁହ ଜକେଇ ଆସିଲା । ସେ ବ୍ୟସ୍ତ ହୋଇ ହିନ୍ଦୀରେ କହିଲେ, ଯାହା ହେବାର ହୋଇଯାଇଛି, ଆପଣ କିଛି ଭାବନ୍ତୁ ନାହିଁ । ଆପଣଙ୍କ ବିଷୟରେ କାହାକୁ ଖବର ଦିଆଯିବ ଦୟା କରି କହିଲେ ମୁଁ ତା’ର ବନ୍ଦୋବସ୍ତ କରିବି । ମୁଁ କିଛି କହିବା ପୂର୍ବରୁ ଡଃ ସେନ ଓଡ଼ିଆରେ କହିଲେ ଆପଣଙ୍କ ନିଜର ଲୋକ କିଏ ଅଛନ୍ତି ଯାହାଙ୍କୁ କି ଆପଣଙ୍କ ବିଷୟରେ ଖବର ଦିଆଯିବ ?

 

ଅତି ବ୍ୟାକୁଳିତ ଭାବରେ ମୁଣ୍ଡଟି ହଲାଇଲି । ବିସ୍ମିତ ହୋଇ ସରସ୍ୱତୀ ବାବୁ କହିଲେ କୋଇ ନେହିଁ ? ହେ ଭଗବାନ !

 

ତାଙ୍କ ଆଖିରୁ ଲୁହ ଦୁଇଟୋପା ଗଡ଼ି ପଡ଼ିଲା । ସେ ଆନନ୍ଦରେ ଡାକ୍ତରଙ୍କୁ କୁଣ୍ଢାଇ ପକାଇ କହିଲେ ଡକ୍ଟର, ମେରା ବେଟା । ଡାକ୍ତର କିଛି ବୁଝିପାରିଲେ ନାହିଁ । ସରସ୍ୱତୀ ବାବୁ ବାହାରକୁ ଚାଲିଗଲେ । ତାଙ୍କ ପଛେ ପଛେ ଡାକ୍ତର ମଧ୍ୟ ।

 

ମୁଁ ବୋକାଙ୍କ ଭଳି ଚାହୁଁଥାଏ । କ’ଣ କଥା । ତାଙ୍କର ପୁଅ କିଏ ? ବହୁତ ପରେ ଜାଣିପାରିଲି ତିନିବର୍ଷ ତଳେ ତାଙ୍କ ପୁଅ ନିରୁଦ୍ଦିଷ୍ଟ ହୋଇଯାଇଛି । ବହୁତ ଖୋଜାଖୋଜି ପରେ ତା’ର ସଠିକ୍‌ ପ୍ରମାଣ କିଛି ମିଳିଲା ନାହିଁ । ପୋଲିସ୍‍ ରିପୋର୍ଟରୁ ଜଣାଯାଏ ମହୀଶୂର ପାଖରେ ଯେଉଁ ରେଲ୍‌ ଦୁର୍ଘଟଣାରେ ଶତାଧିକ ଯାତ୍ରୀ ପ୍ରାଣ ହରାଇଥିଲେ ସେମାନଙ୍କ ଭିତରୁ ତାଙ୍କ ପୁଅ ଅନ୍ୟତମ; କିନ୍ତୁ ସରସ୍ୱତୀ ବାବୁ କିମ୍ବା ତାଙ୍କ ସ୍ତ୍ରୀ ଏହାକୁ ବିଶ୍ୱାସ କରନ୍ତି ନାହିଁ । ତାଙ୍କର ବିଶ୍ୱାସ ତାଙ୍କ ପୁଅ ବଞ୍ଚିଛି । ସେ କୁଆଡ଼େ ଦେଖିବାକୁ ଠିକ୍‌ ମୋରିଭଳି ।

 

ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ନ ଥିଲେ ମଧ୍ୟ କଲିକତା ପର୍ଯ୍ୟନ୍ତ ଚାଲିଯିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ଡାକ୍ତରମାନେ ମତ ଦେଲେ । ତେଣୁ ସରସ୍ୱତୀ ବାବୁ ମୋତେ କଲିକତା ନେଇଯିବାକୁ ଠିକ୍‌ କଲେ । ପୁରୀ ଏକ୍‌ସପ୍ରେସରେ ବର୍ଥ ରିଜର୍ଭ ହୋଇଥାଏ । କଟକ ଷ୍ଟେସନରୁ ଗୋଟିଏ କମ୍ପାଣ୍ଟମେଣ୍ଟରେ ମୁଁ, ସରସ୍ୱତୀ ବାବୁ ଓ ତାଙ୍କର ଗୋଟିଏ ଚାକର ଚଢ଼ିଲୁ ।

 

କେତେ ଜଣ ଲୁଗା ବ୍ୟବସାୟୀ ସରସ୍ୱତୀ ବାବୁଙ୍କୁ ଷ୍ଟେସନରେ ବଳାଇ ଦେବାକୁ ଆସିଥିଲେ । ଗାଡ଼ି ଛାଡ଼ିଲାବେଳେ ସେମାନେ ନମସ୍କାର କରି ଚାଲିଯାଉଥାନ୍ତି । ମୁଁ ଝରକା ପାଖରେ ବସି ବାହାରକୁ ଚାହିଁଥାଏ । ମୋର ଜନ୍ମଭୂମି ଛାଡ଼ି ମୁଁ ଚାଲିଯାଉଛି । ଆଉ କେବେ ଆସିବି କି ନା ତା କିଏ ଜାଣେ । ଏହି ଜିଲ୍ଲାରେ ମୋର ଜନ୍ମ । ଦୀର୍ଘ ଛ’ ବର୍ଷ ପାଠ ପଢ଼ିଛି ଏହି ସହରରେ । ସହର ଭିତରେ କେତେ ସାଙ୍ଗ ସାଥି ଅଛନ୍ତି । ଅଥଚ ମୁଁ ଆଜି ଚାଲିଯାଉଛି କେହି ଜଣେ ହେଲେ ଆସିନାହାନ୍ତି ବଳେଇ ଦେବାକୁ । ତା’ ପର ମୁହୂର୍ତ୍ତରେ ପୁଣି ମନରେ ଆସିଲା କିଏ ଜାଣିଛି; ମୁଁ ଯାଉଛି ବୋଲି ଜାଣିଥିଲେ କ’ଣ କେହି ଆସି ନ ଥାନ୍ତେ ?

 

ଝରକା ଫାଙ୍କରେ ପଦାକୁ ଚାହିଁ କେତେ ନାହିଁ କେତେ କ’ଣ ଭାବୁଥାଏ । ଗାଡ଼ିଟି ପ୍ଲାଟଫର୍ମରୁ ଦୂରକୁ ଚାଲିଯାଇଥାଏ । ମୁଁ ସେହିପରି ପଦାକୁ ଚାହିଁଥାଏ । ସରସ୍ୱତୀ ବାବୁ ଡାକି କହିଲେ—କୋଇଲା ଗୁଣ୍ଡ ଆଖିରେ ପଡ଼ିବ, ଝରକାଟା ଦେଇ ଦିଅ । ମୁଁ ଝରକାର କାଚ କବାଟଟି ଦେଇ ଘୁଞ୍ଚି ଆସିଲି ।

 

ମୁଁ ଆଗରୁ କେବେ କଲିକତା ଦେଖି ନ ଥିଲି । ଆମ ଗାଁର କେତେକ ଲୋକେ କଲିକତାରେ ଚାକିରି କରନ୍ତି; ପିଲାଦିନେ ସେହିମାନଙ୍କଠାରୁ କେତେ ନାହିଁ କେତେ ଆରବ୍ୟ ରଜନୀ କାହାଣୀ ଭଳି ଗପ ଶୁଣିଛି । ରାତି ପାହିଲେ ପହଞ୍ଚିବି କଲିକତାରେ । ନୂଆ ସ୍ଥାନ, ନୂଆ ମଣିଷ, ସବୁ ନୂଆ । ନୂଆକୁ ମୋତେ ପୁରୁଣା କରିବାକୁ ପଡ଼ିବ । ହୁଏତ ସାରାଜୀବନ ସେଇଠି ବିତାଇବାକୁ ହେବ । ଏହିପରି କେତେ ନାହିଁ କେତେ ଅସୁମାରି ଚିନ୍ତା ମୋତେ ଗ୍ରାସ କଲା । ହଠାତ୍‌ ମୋ ଚିନ୍ତାର ଡୋର ଛିଡ଼ିଗଲା ସରସ୍ୱତୀ ବାବୁଙ୍କ ଡାକରେ । ମୁଁ ହିନ୍ଦୀ ଯାଇତାଇ ବୁଝିପାରେ, ମାତ୍ର କହି ପାରେ ନାହିଁ । ସେ ମୋତେ ହିନ୍ଦୀରେ କହିଲେ ତୁମେ ମୋତେ ଆଗରୁ ନିଶ୍ଚୟ ଚିହ୍ନିଥିବ । ମୁଁ ମୁଣ୍ଡ ହଲାଇ ନାହିଁ କଲି । ସେ ଟିକିଏ ଥତ ମତ ହୋଇ କହିଲେ, ତୁମେ କ’ଣ ପ୍ରକୃତ ଓଡ଼ିଆ । ମୁଁ ମୁଣ୍ଡ ଟୁଙ୍ଗାରି ହଁ କଲି । ସେ ଟିକିଏ ରହି ପୁଣି କହିଲେ ତୁମ ନାଁ କ’ଣ ? କହିଲି ଦୁଷ୍ମନ୍ତ ।

 

ସେ ଟିକିଏ ଚିନ୍ତା କରି କହିଲେ ଦେଖ ବାବୁ ତୁମେ ଯିଏ ହୁଅନା କାହିଁକି ତୁମେ ମୋର ପୁଅ ବୋଲି ନିଜକୁ ଭାବି ନିଅ । କଲିକତାରେ ତୁମର ଆଉ ଦୁଇଟି ଛୋଟ ଭଉଣୀ ଅଛନ୍ତି । ବଡ଼ଟି ନା ଧୂପ, ତାକୁ ବୟସ ପନ୍ଦର ପାଖାପାଖି ହେବ, ଅନ୍ୟଟି ନାଁ ଇରା, ତାକୁ ଆଠବର୍ଷ ଚାଲିଛି । ତୁମର ଯେ ମା’ ପ୍ରୀତି ଦେବୀ ସେ ତୁମରି ଭଳି ଗୋଟିଏ ପୁଅକୁ ଗତ ତିନିବର୍ଷ ହେବ ଦେଖି ନାହାନ୍ତି । ଖୁବ୍‌ ସମ୍ଭବତଃ ସେ ଆଉ ନାହିଁ । ସେହି ମହୀଶୂର ରେଲ୍‌ ଦୁର୍ଘଟଣାରେ ଶେଷ ହୋଇଯାଇଛି । ଏତିକି କହି ସେ କାନ୍ଦି ପକାଇଲେ ।

 

ମୁଁ ଅଧା ହିନ୍ଦୀ ଅଧା ଇଂରେଜିରେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲି । ସେ ଉଠିଗଲେ ବାଥ ରୁମ୍‌କୁ ।

 

ଟିକିକ ପରେ ମୁହଁ ଧୋଇ ଆସି ମୋ ପାଖରେ ବସିଲେ ।

 

କହିଲେ ଯାହା ହେବାର ତାହା ହୋଇଯାଇଛି । ଜଗନ୍ନାଥଜୀ ମୋତେ ମୋ ପୁଅକୁ ଫେରାଇ ଦେଇଛନ୍ତି । ମୋ ପାଇଁ ବିଶେଷ କିଛି ଆବଶ୍ୟକ ନାହିଁ; କିନ୍ତୁ ତା ମା’କୁ ଟିକିଏ ବୁଝାଇବାକୁ ଚେଷ୍ଟା କରିବ ।

 

ସେ ଉଠିଗଲେ ଆଗ ବେଞ୍ଚକୁ । ୧ମ ଶ୍ରେଣୀ କମ୍ପାଣ୍ଟମେଣ୍ଟର ବେଞ୍ଚରେ ଖାଲି ଖଣ୍ଡେ ଖଣ୍ଡେ ଚାଦର ବିଛାଇ ଶୋଇବାକୁ ଚେଷ୍ଟା କଲୁଁ । ଗରମ ପଡ଼ୁଥାଏ । ମୋପାଇଁ ସେ ବେଶୀ ସତର୍କ ଥାନ୍ତି । ମୁଣ୍ଡଟିର ବ୍ୟାଣ୍ଡେଜ ଫିଟି ନ ଥାଏ । ମୁଁ କିପରି ଶୋଇବି, କ’ଣ କରିବି ସବୁ ସରସ୍ୱତୀ ବାବୁ ବନ୍ଦୋବସ୍ତ କରିଦେଲେ । ଉଭୟେ ଶୋଇପଡ଼ିଲୁଁ । ମୋତେ ତ ସହଜେ ନିଦ ହେଉ ନ ଥାଏ । ନାନା ଚିନ୍ତା ମୋ ବ୍ୟାଣ୍ଡେଜ ବନ୍ଧା ମୁଣ୍ଡକୁ ଆହୁରି ଭାରି କରି ଦେଉଥାଏ । କେତେକ ସମୟ ପରେ ନିଦ ଲାଗି ଆସିଲା ।

 

ଏକ୍‌ସପ୍ରେସ ଗାଡ଼ିଟି ହାବଡ଼ା ଷ୍ଟେସନରେ ପହଞ୍ଚିଲା ବେଳକୁ ଟିକିଏ ଦିନ ହୋଇଯାଇଥାଏ । ହାବଡ଼ାରେ ପହଞ୍ଚିବା ପୂର୍ବରୁ ସେହି ଟ୍ରେନ୍‌ରେ ସକାଳର ନିତ୍ୟକର୍ମ ସାରିଦେଲୁଁ-

 

ଗାଡ଼ି ହାବଡ଼ା ଷ୍ଟେସନରେ ରହିବା ସଙ୍ଗେ ସଙ୍ଗେ ତୃତୀୟ ଶ୍ରେଣୀରୁ ଚାକରଟି ଆସି ପହଞ୍ଚିଲା । ସେ ଜିନିଷପତ୍ର ବନ୍ଧାବନ୍ଧି କରି ଦୁଇଟି କୁଲି ଡାକି ଷ୍ଟେସନ ବାହାରକୁ ଚାଲିଲା । ଆମେ ଦୁଇଜଣ ଚାଲିଥାଉ । ସେ ମୋତେ ସତର୍କ କରୁଥାନ୍ତି ଦେଖି ଚାହିଁ ଚାଲିବାକୁ । ମୁଣ୍ଡରେ ଯେପରି କିଛି ନ ବାଜେ ସେଥିପାଇଁ ବଡ଼ ସାବଧାନରେ ଚାଲିଥାଏ । ବିରାଟ ଷ୍ଟେସନ । ନୂଆ ଲୋକ ମୁଁ, ତେଣୁ ଏଣିକି ତେଣିକି ଟିକିଏ ଟିକିଏ ଅନାଇ ଚାଲୁଥାଏ । ବାହାରକୁ ଓହ୍ଲାଇ ଟାକ୍‌ସି ପାଖରେ ପହଞ୍ଚିଲା କ୍ଷଣି ଗୋଟିଏ ବେଭରଲେଟ କାର ଭିତରୁ ଗୋଟିଏ ସାତ, ଆଠବର୍ଷର ଝିଅ ବାହାରି ପଡ଼ି ସରସ୍ୱତୀ ବାବୁଙ୍କୁ ବାପୁଜି କହି କୁଣ୍ଢାଇ ପକାଇଲା । ମୁଁ ଅନୁମାନ କଲି ଏଇ ବୋଧେ ଇରା, ମୋତେ ଦେଖି ପାରି ନ ଥିଲା । ସରସ୍ୱତୀ ବାବୁଙ୍କ ନିର୍ଦ୍ଦେଶରେ ମୁଁ ଗାଡ଼ିରେ ବସିଲାବେଳେ ସେ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇ ସରସ୍ୱତୀ ବାବୁଙ୍କୁ ଚାହିଁଲା । ସରସ୍ୱତୀ ବାବୁ କହିଲେ ତୁ ତୋ ଭାଇକୁ ଚିହ୍ନି ପାରୁନୁ । ମୁଁ ଗଲାବେଳେ ତୁ ପରା କହୁଥିଲୁ ବାପୁଜୀ ଭାଇକୁ ଏଥର ସାଙ୍ଗରେ ଆଣିବ ।

 

ବାସ୍‌ ସେତିକି ତା’ର ଯଥେଷ୍ଟ ହୋଇଗଲା । ସତେ ଯେପରି ବହୁ ଦିନର ଚିହ୍ନା ପରି ନଇଁ ପଡ଼ିଲା ମୋ କୋଳରେ । ସରସ୍ୱତୀ ବାବୁ ତାଗିଦ୍‌ କରି କହିଲେ ଦେଖ୍‌ ଭାଇ ସାଙ୍ଗରେ ଲାଗ୍‌ନା । ତାଙ୍କ ଦେହ ଅସୁସ୍ଥ ହୋଇଛି ।

 

ଅଧା ବଙ୍ଗଳା ଅଧା ହିନ୍ଦୀରେ ସେ ଆରମ୍ଭ କରିଦେଲା ମୋ ସହିତ ଗପ । ତୁମ ମୁଣ୍ଡରେ କ’ଣ ହୋଇଛି । ଧୂପ ଦିଦି ତୁମ କଥା କହି ମୋତେ ଡରାଏ । କହେ ଭାଇ ଆସିଲେ ମାରିବେ । ତୁମେ କୁଆଡ଼େ ମୋତେ ଭାରି ମାରୁଥିଲ ? ତୁମେ ଧୂପ ଦିଦି ପାଖକୁ ଚିଠି ଦେଲାବେଳେ ମୋ କଥା କାହିଁକି ମୋଟେ ଲେଖ ନାହିଁ ? ମା’ କିନ୍ତୁ ମୋତେ ସବୁଦିନେ କହେ ତୁମେ ଆସିବ, ମୋତେ ସିନେମା ନେବ, ମଟରରେ ବୁଲାଇବ । ଏହିପରି କେତେ ନାଇଁ କେତେ । ମୋର ଉତ୍ତର ଦେବାକୁ ସେ ଅପେକ୍ଷା କରୁ ନ ଥାଏ । ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥାଏ । ସତେ ଯେପରି ତାକୁ କିଏ ଶିଖେଇଛି କାକତୁଆ ଭଳି ଖାଲି ଗାଇଯିବାକୁ ।

 

କାର୍‌ଟି କେତେ ଛକ କେତେ ରାସ୍ତା, ଗଳି କେତେ ଦୋକାନ ବଜାର ଟପି ଗୋଟିଏ ଗେଟ୍‌ ଆଗରେ ହର୍ଣ୍ଣ ଦେଲା । ସଙ୍ଗେ ସଙ୍ଗେ ଜଣେ ଚାକର ଆସି ଗେଟଟି ଖୋଲିଦେଲା । ଗାଡ଼ି ହତା ଭିତରେ ପ୍ରବେଶ କରି ବନ୍ଦ ହେବା ସଙ୍ଗେ ସଙ୍ଗେ ଇରା କବାଟ ଫିଟାଇ ପଦାକୁ ଡେଇଁପଡ଼ି ଧାଇଁଗଲା ଭିତରକୁ । ସରସ୍ୱତୀ ବାବୁଙ୍କ ନିର୍ଦ୍ଦେଶରେ ମୁଁ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଅନୁସରଣ କଲି । ମସ୍ତବଡ଼ ତିନି ମହଲା ପକ୍‌କା ଘର । ତଳ ମହଲାର ବାହାର ଘରଗୁଡ଼ିକ ବିଭିନ୍ନ ଦୋକାନରୂପେ ବ୍ୟବହୃତ ହେଉଛି । ସିଡ଼ି ଉପରେ ଉଠି ଠିକ୍‌ ଦୋ ମହଲା ଉପରେ ପହଞ୍ଚିଛି ଇରା ଜଣେ ବୟସ୍କ ସ୍ତ୍ରୀଲୋକ ସହିତ ଆସୁଥିବାର ଦେଖିଲି । ସେ ଯେ ପ୍ରୀତି ଦେବୀ ଏଥିରେ ମୋର ସନ୍ଦେହ ରହିଲା ନାହିଁ । ମୁଁ ତାଙ୍କ ପାଦ ଛୁଇଁ ନମସ୍କାର କଲି ।

 

ସେ ମୋତେ ତଳୁ ଉଠାଇ କୁଣ୍ଢାଇ ପକାଇଲେ ବାତ୍ସଲ୍ୟ ସ୍ନେହ ଆବେଗରେ । ମୁଁ ଦେଖିଲି ତାଙ୍କ ଆଖିରୁ ଲୁହ ବୋହି ଆସୁଛି । ସେ କ’ଣ କହିବାକୁ ଚେଷ୍ଟା କରୁଥିଲେ ସରସ୍ୱତୀ ବାବୁ ବାରଣ କଲେ କିଛି ନ କହିବାକୁ । ସେ ହିନ୍ଦୀରେ କହିଲେ ତା’ଦେହ ଭଲ ନାହିଁ ତା ସହିତ କୌଣସି କଥାବାର୍ତ୍ତା କର ନାହିଁ ।

 

ଇରା ମୋତେ ଟାଣି ନେଇଗଲା ଗୋଟିଏ କୋଠରୀ ଭିତରକୁ । ସେ କୋଠରୀଟି ଯେ ମୋରି ପାଇଁ ଉଦ୍ଦିଷ୍ଟ ଏଥିରେ ଆଉ ସନ୍ଦେହ ରହିଲା ନାହିଁ । ଗୋଟିଏ ଟେବୁଲର ଦୁଇ ପାଖରେ ଦୁଇଟି ଚେୟାର ପଡ଼ିଛି, ପଶ୍ଚିମ ପଟକୁ ଗୋଟିଏ ଖଟଉପରେ ବିଛଣା ବିଛା ହୋଇ ରହିଛି । କାନ୍ଥରେ କେତେଗୁଡ଼ିଏ ଆଲୋକ ଚିତ୍ର । ଫଟୋ ଗୁଡ଼ିକରୁ ଅଧିକାଂଶ ତାଙ୍କ ପୁଅର । ମୁଁ କେତୋଟି ଫଟୋକୁ ଲକ୍ଷ୍ୟ କଲି । ମୋ ଚେହେରା ସହିତ ଫଟୋଗୁଡ଼ିକ ବେଶ୍‌ ମିଳି ଯାଉଛି । ମୁଁ କୋଠରୀଟି ଦେଖିଲାବେଳେ ଇରା ବାହାରକୁ ଚାଲିଗଲା ।

 

କୋଠରିଟିରେ ତାଙ୍କ ପୁଅ ରହୁଥିଲା ଏଥିରେ ଦ୍ୱିଧା କରିବାର କିଛି ନାହିଁ । ବେଶ୍‌ ଆଧୁନିକ ଧରଣର ସଜା ହୋଇଛି କୋଠରିଟି । କୋଠରିଟିର ପୂର୍ବ ପଟରେ ଗୋଟିଏ କାଚ ଆଲମିରା । ଆଲମିରାଟି ଭିତରେ ଖାଲି ବହି ଖଞ୍ଜା ହୋଇ ଥୁଆ ହୋଇଛି । ମୁଁ ସେହି ଆଲମିରା ଆଡ଼କୁ ଲକ୍ଷ୍ୟ କରି ଦେଖୁଛି—କି କି ବହି ଅଛି, ଏତିକି ବେଳେ ଇରା ପଶି ଆସିଲା ସାଙ୍ଗରେ ଗୋଟିଏ ଝିଅକୁ ଧରି । ଝିଅଟି ମୋତେ ନମସ୍କାର କଲା । ଇରା ଦୁଷ୍ଟାମି ଦେଖାଇ କହିଲା ଦେଖିଲ ଭାଇ ଧୂପ ଦିଦି ମୋଟା ହୋଇ ଯାଇ ନାହିଁ ? ମୁଁ ମୁଣ୍ଡ ଟୁଙ୍ଗାରି ସମ୍ମତ୍ତି ଜଣାଇଲି । ଧୂପ ଟିକିଏ ଲାଜରା ହୋଇ ପଲାଇଲା ଘରୁ ବାହାରି ।

 

ମୁଁ ଖଟଟି ଉପରେ ବସି ଇରାକୁ ପାଖରେ ବସାଇ ଖଣ୍ଡ ଖଣ୍ଡିଆ ହିନ୍ଦୀରେ ତାକୁ ପଚାରିଲି କ’ଣ ପଢ଼ୁଛ । କେଉଁଠି ପଢ଼ୁଛ ଇତ୍ୟାଦି । ସେ ହିନ୍ଦୀରେ କହିଲା ପଞ୍ଚମରେ, ଏ ପାଖରେ ଗୋଟିଏ ମାଇନର ସ୍କୁଲରେ ପଢ଼ୁଛି । ସେ ଖୁବ୍‌ ଭଲ ପଢ଼େ । ଦିନକୁ ଦୁଇଜଣ ମାଷ୍ଟର ଆସନ୍ତି ପଢ଼ାଇବାକୁ । ଧୂପ ଦିଦି ପଢ଼ିଲା ନାହିଁ ଇତ୍ୟାଦି ସେ କହି ଚାଲିଲା ।

 

ସରସ୍ୱତୀ ବାବୁ ଆସି ପହଞ୍ଚିଗଲେ । ତାଙ୍କୁ ଦେଖି ଇରା ଚୁପ୍‌ ହୋଇଗଲା; ସେ ଇରାକୁ ଡାକି କହିଲେ ଯା, ଭାଇକୁ ନେଇ ଯା ବାଥ୍‌ ରୁମ୍‌କୁ ।

 

ଇରା ସହିତ ଗାଧୋଇବା ଘରକୁ ଗଲି । ଚାକର ପହଞ୍ଚିଲା ତଉଲିଆ, ନୂଆ ଲୁଗା ଇତ୍ୟାଦି ଧରି, ମୁଣ୍ଡର ବ୍ୟାଣ୍ଡେଜ ତ ଖୋଲା ହୋଇ ନ ଥିଲା । ଗାଧୋଇବା ଘର ସାଙ୍ଗକୁ ପୋଷାକ ପିନ୍ଧିବା ଘର ଲାଗିଥାଏ । ନୂଆ ଲୁଗା, ପଞ୍ଜାବୀ ଇତ୍ୟାଦି ପିନ୍ଧି ବାହାରକୁ ବାହାରିଲି ।

 

ସରସ୍ୱତୀ ବାବୁ ଅପେକ୍ଷା କରି ବସିଥାନ୍ତି ଖାଇବାକୁ । ଇରା ସହିତ ମୁଁ ପହଞ୍ଚିଲି ଖାଇବା ଘରେ । ପ୍ରୀତି ଦେବୀ ପରଶୁ ଥାନ୍ତି । ଯୋର କରି ଏଥିରୁ ଟିକିଏ ସେଥିରୁ ଟିକିଏ ଦେଉଥାନ୍ତି । ପିଲାଦିନୁ ମୁଁ ବୋଉକୁ ହରାଇଥାଏ । ସାନ ବୋଉଠାରୁ ମାତୃ ସ୍ନେହ ପାଇବାର ଭାଗ୍ୟ ଦିନକପାଇଁ ବି ମୋ ଭାଗ୍ୟରେ ଆସିନି । ଏହି ଅଯାଚିତ ମାତୃସ୍ନେହ ମୋତେ ‘ସ୍ୱର୍ଗାଦପି ଗରୀୟସି’ ଭଳି ଲାଗିଲା । ତାଙ୍କ ଭିତରେ ଏତେ ଟିକିଏ ବି ସନ୍ଦେହ ନ ଥିଲା, ମୁଁ ତାଙ୍କ ପୁଅ ସୁଶାନ୍ତ ନୁହେଁ । ମୋତେ କ’ଣ କହିବାକୁ ସେ ଚେଷ୍ଟା କରୁଥାନ୍ତି । କିନ୍ତୁ ସରସ୍ୱତୀ ବାବୁ କିଛି କଥାବାର୍ତ୍ତା କରିବାକୁ ବାରଣ କରୁଥାନ୍ତି ।

 

ଡାକ୍ତର କହିଥିଲେ ଯଥେଷ୍ଟ ପରିମାଣରେ ବିଶ୍ରାମ ନେବାକୁ; ତେଣୁ ମୁଁ ମୋ କୋଠରୀଟିରେ ଆସି ଶୋଇ ପଡ଼ିଲି । ଉଠୁ ଉଠୁ ସାଢ଼େ ଚାରି, ଇରା କେତେବେଳୁ ମୋତେ ଅପେକ୍ଷା କରି ବସିଥିଲା । ମୁଁ ଉଠିଲା ମାତ୍ରେ ଧାଇଁଗଲା ପଦାକୁ । ମୁଁ ମୁହଁ ହାତ ଧୋଇ ଚେୟାରରେ ବସିଛି ଜଣେ ଡାକ୍ତରଙ୍କୁ ଧରି ସରସ୍ୱତୀ ବାବୁ ଆସିଲେ । ଇରା ତାଙ୍କ ପଛେ ପଛେ ଥାଏ । ସେ ମୋତେ ଟିକିଏ ପରୀକ୍ଷା କରି କହିଲେ ଠିକ୍‌ ଅଛି ଆଉ ଚାରିଦିନ ପରେ ମୁଣ୍ଡରୁ ବ୍ୟାଣ୍ଡେଜ ଖୋଲାଯିବ । ଡଃ ସେନ୍‌ ଦେଇଥିବା କାଗଜତକ ସରସ୍ୱତୀ ବାବୁ ତାଙ୍କୁ ଦେଖାଉଥାନ୍ତି । ସେ ମୁଣ୍ଡ ହଲାଇ ଠିକ୍‌ ଅଛି, ଠିକ୍‌ ଅଛି କହି ଦେଖି ଯାଉଥାନ୍ତି ।

 

ଠିକ୍‌ ଛ’ ଦିନ ପରେ ମୋ ମୁଣ୍ଡରୁ ବ୍ୟାଣ୍ଡେଜ ଖୋଲାଗଲା । ମୁଁ ଏକ ପ୍ରକାର ସୁସ୍ଥ ହୋଇଗଲି । ଗୋଟିଏ ଦୁର୍ଘଟଣା ପରେ ଦୁଷ୍ମନ୍ତର ମୃତ୍ୟୁ ହୋଇ ସୁଶାନ୍ତ ନାମରେ ମୋତେ ଦୁନିଆଁ ଆଗରେ ଚିହ୍ନା ଦେବାକୁ ପଡ଼ିଲା । ମୁଁ ନିଜକୁ ରଙ୍ଗେଇ ହେବାକୁ ବ୍ୟସ୍ତ ତା’ ନୁହେଁ । ନିଃସ୍ୱ ଦୁଷ୍ମନ୍ତର ଖୋଳ ଭିତରେ ଧନୀ ସୁଶାନ୍ତର ଆଭିଜାତ୍ୟ ହଠାତ୍‌ ଏପରି ପହଞ୍ଚିବ ବୋଲି ମୁଁ ତ କେବେ ଆଶା କରି ନ ଥିଲି । ହୁଏତ ପୁଣି କେବେ ଅଜଣା ଅଶୁଣା ଭାବର ଦୀନ ଅସହାୟ ହୋଇ ଦାଣ୍ଡରେ ଠିଆ ହେବାକୁ ପଡ଼ିବ ମୋତେ ।

 

ପ୍ରୀତି ଦେବୀଙ୍କୁ ସରସ୍ୱତୀ ବାବୁ କହିଥାନ୍ତି ଦୁର୍ଘଟଣାରେ ସେ ସବୁ ଭୁଲି ଯାଇଛି । କିଏ ମା’ କିଏ ପିତା କିଏ ଭଉଣୀ ଏ ସବୁ ତା’ର ଏକ ପ୍ରକାର ମନେ ନାହିଁ । ତେଣୁ ତା ବ୍ୟବହାରରେ କିଛି ଭାବିବାର ନାହିଁ; ସେଥିପାଇଁ ପ୍ରୀତି ଦେବୀ ବେଳେ ବେଳେ ମୋ କୋଠରୀରେ ଆସି ବସନ୍ତି, ନାନା ପ୍ରକାର ଗପ କରନ୍ତି । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ ପୂର୍ବର ସେହି ପୁରୁଣା କଥା କହି ଦୁଷ୍ମନ୍ତ ଭିତରେ ସୁଶାନ୍ତକୁ ଉଜ୍ଜୀବିତ କରିବେ ।

 

ହିନ୍ଦୀ ମୁଁ ଜାଣି ନ ଥିଲେ ମଧ୍ୟ କେତୋଟି ଦିନ ଭିତରେ କହିବାକୁ ଶିଖି ଯାଇଥାଏ । ହାଇସ୍କୁଲରେ ପଢ଼ିଲାବେଳେ ମୁଁ ତ ହିନ୍ଦୀରେ ଲେଖା ଲେଖି କରୁଥିଲି । ତେଣୁ ଲେଖା ଲେଖିରେ କିଛି ଅସୁବିଧା ନ ଥିଲା । ଧୀରେ ଧୀରେ କଲିକତାର କେତେଜଣ ସାଥି ମଧ୍ୟ ମୋର ଜୁଟି ଗଲେ । ସେମାନଙ୍କ ସହିତ କ୍ଲବ, ଥିଏଟର, ସିନେମା ଇତ୍ୟାଦି ଯାଏ । ଯେଉଁଦିନ ଡାକ୍ତର ଆସି ମତ ଦେଇ ଗଲେ ମୁଁ ରୋଗମୁକ୍ତ ହୋଇଛି ବୋଲି, ସେଦିନ ରାତିରେ ସରସ୍ୱତୀ ବାବୁ, ପ୍ରୀତିଦେବୀ, ଧୂପ, ଇରା ମୁଁ ସିନେମା ଯାଇଥିଲୁଁ । ତାହାହିଁ ଥିଲା କଲିକତା ସିନେମା ଦେଖିବାର ପ୍ରଥମ ଦିନ । ଇରାକୁ ସଙ୍ଗରେ ନେଇ ଅନେକ ଥର ସିନେମା ଯାଇଛି । ଇରାର ଅନାବିଳ ସ୍ନେହ ପାଖରେ ମୁଁ ହାରମାନେ, ତାକୁ ଗେଲ କଲାବେଳେ ମୋର ମନେ ପଡ଼େ ବିଭୁ, ଦେବୀ କଥା କ୍ଷଣକପାଇଁ ନିର୍ବେଦ ହୋଇପଡ଼େ । ମନ ଧାଇଁଯାଏ ଓଡ଼ିଶାର ସେହି ମଫସଲ ଗାଁଟିକୁ । ହସ ହସ ମୁହଁରେ ବିଭୁ ଧାଇଁ ଆସେ, ଦେବୀ ଧାଇଁଆସେ, ଦୁଇଜଣଙ୍କୁ ଦୁଇ ପାଖରେ ବସାଇ ମୁଁ ହୁଏ ସେମାନଙ୍କର ବଡ଼ ଭାଇ, ମୁଁ ହୁଏ ସେମାନଙ୍କର ମୁରବୀ । ପୁଣି ସ୍ୱପ୍ନ ଭାଙ୍ଗିଯାଏ ଇରା ଡାକରେ, ଦୁଷ୍ମନ୍ତ ଫେରି ସୁଶାନ୍ତ ଭିତରକୁ ।

 

ଇରା କହେ, ଚାଲ ଆଜି ଥିଏଟର ଯିବା । ମୋ ଠାରୁ କେବଳ ସେ ଚାହେ ହଁ କି ନା ! କହିଲା ମାତ୍ରେ ସେ ସବୁର ବ୍ୟବସ୍ଥା କରିଦିଏ । କେଉଁଠି ଭଲ ଖେଳ ପଡ଼ିଲା ତା’ର ହିସାବ ରଖେ ଇରା । ମୁଁ ରାଜି ହେବା ମାତ୍ରେ ଟିକେଟ୍‌ର ବ୍ୟବସ୍ଥା ସେ କରିଦିଏ । ସରସ୍ୱତୀ ବାବୁ ଯଦି ଘରେ ନ ଥାନ୍ତି ତେବେ ଫୋନ୍‌ରେ ଡାକି ତାଙ୍କୁ କହିଦିଏ ଭାଇ ସିନେମା ଯିବେ, ମୋ ନାଁ କହିଲା ମାତ୍ରେ ସରସ୍ୱତୀ ବାବୁଙ୍କର ଆଉ ଆପତ୍ତି ନ ଥାଏ । ସଙ୍ଗେ ସଙ୍ଗେ ସବୁ ବନ୍ଦୋବସ୍ତ ହୋଇଯାଏ । ଠିକ୍‌ ସମୟକୁ ଗାଡ଼ି ପହଞ୍ଚେ ନେଇ ଯିବାକୁ ।

 

ଇରା ଭଳି ଧୂପ ହୋଇ ପାରେନି । ପୂର୍ବ ପରି ତାର ସଂକୋଚ ନ ଥିଲେ ମଧ୍ୟ ଇରା ସେ ମୋ ସହିତ ମିଶି ପାରେନି । ମୋର ବିଷାଦଭରା ନିଲିପ୍ତ ଜୀବନକୁ ତା’ ଆଡ଼କୁ ଟାଣି ନେଇ ମୋତେ ତା’ ସହିତ ବାନ୍ଧି ପାରେନି । ବେଳେ ବେଳେ ସେ ଇରା ସହିତ କଳି କରେ ଏଥି ନେଇ । ଇରା ଧାଇଁ ଆସେ ମୋ ପାଖକୁ ଅଭିଯୋଗ ଧରି, ଇରା ସହିତ ଧୂପ ବି ଆସେ । ଦୁଇଜଣଙ୍କ କଳି ମୋତେ ଭଲ ଲାଗେ । ରାୟ ଦେବାକୁ ଯାଇ କହେ ହେଲା ଦୁଇଜଣଜାକ ସିନେମା ଯିବ । ଧୂପ ମୋ ରାୟରେ ସନ୍ତୁଷ୍ଟ ହୋଇ ଇରାକୁ ଚିଡ଼େଇବାକୁ କହେ, ହେଲା ! ଇରା ମୋ ହାତକୁ ଜାବୁଡ଼ି ଧରି କହେ ହେଲେ ତୁ କ’ଣ ଭାଇଙ୍କ ପାଖରେ ବସିବୁ କି ? ଧୂପ କିଛି କହି ପାରେନି । ଯେତିକି ସୁଯୋଗ ସେ ପାଇଛି ସେତିକି ତା’ର ଯଥେଷ୍ଟ ।

 

ସରସ୍ୱତୀ ବାବୁଙ୍କର ଦୁଇଟି ଲୁଗାକଳ ଅଛି । ଗୋଟିଏ କଲିକତାରେ ଅନ୍ୟଟି ବମ୍ବେରେ-। କଲିକତା ପରି ବମ୍ବେ ମିଲ୍‌ଟି ସେପରି ବିଶେଷ କିଛି ଲାଭ ଦେଉ ନ ଥାଏ । ମୋ ସହିତ ସରସ୍ୱତୀ ବାବୁ କଥାବାର୍ତ୍ତା କଲାବେଳେ ବମ୍ବେ ମିଲ୍‌ ପାଇଁ ବେଶୀ ଦୁଃଖ କରନ୍ତି । ମୁଁ ନିଜେ ଯାଇ ବୁଝିବାକୁ କହିଲେ ସେ ବାରଣ କରି କହନ୍ତି ନା ତୁମର ପଢ଼ିବା ପ୍ରଥମେ ଦରକାର । ପଢ଼ା ସରିଲା ପରେ ସବୁ ଆପେ ଆପେ ବୁଝିବ ନାହିଁ ? ମୁଁ ବୁଢ଼ା ହୋଇ ଗଲିଣି । ଆଉ କେତେ ଦିନ ସବୁ କରି ପାରିବି ।

 

ସେଦିନ କଥାବାର୍ତ୍ତା ହେଉ ହେଉ ମୁଁ ସରସ୍ୱତୀ ବାବୁଙ୍କୁ କହିଲି ଧୂପକୁ ଆଉ କିଛି ପଢ଼ାଇବାକୁ । ସେ ଆଗ୍ରାହାନ୍ୱତ ହୋଇ କହିଲେ, ‘‘ହଁ ମୁଁ ସେ କଥା କେତେଥର ଭାବିଛି । କିନ୍ତୁ ଧୂପ ତ ଆଉ ଛୋଟ ପିଲା ହୋଇ ନାହିଁ ? ଝିଅ ବଡ଼ ହୋଇଗଲେ ସାଧାରଣତଃ ବାହାରକୁ ବାହାରନ୍ତି ନାହିଁ; କିନ୍ତୁ ଆଜିକାଲି ଯୁଗରେ ଅବଶ୍ୟ ଏତେଟା କଟକଣା ନାହିଁ, ତଥାପି ଘରେ ଟିକିଏ ନାମଙ୍ଗ ହେଉଛନ୍ତି । ସେଥିପାଇଁ ତା ପଢ଼ାପଢ଼ି ପ୍ରତି ଉଦାସୀନ ହେବାକୁ ହୋଇଛି’’ ।

 

ମୁଁ ପ୍ରତିବାଦ କଲି, ଶାସ୍ତ୍ର ପୁରାଣର ଗପଗୁଡ଼ିକ ଉଦାହରଣ ସ୍ୱରୂପ ତାଙ୍କ ଆଗରେ ଉପସ୍ଥାପିତ କଲି । ପୁରାଣ ବର୍ଣ୍ଣିତ ସତୀ ଶିରୋମଣୀ ସାବିତ୍ରୀଙ୍କଠାରୁ ଆରମ୍ଭ କରି ସତୀ ସୀତାଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଚରିତ୍ରକୁ ବିଶ୍ଳେଷଣ କରି ତାଙ୍କୁ ବୁଝାଇଲି । ମୋର ଯୁକ୍ତିରେ ସରସ୍ୱତୀ ବାବୁ ବଡ଼ ଉତ୍‌ଫୁଲ୍ଲ ହୋଇଗଲେ । କଥା ହେଲା ପ୍ରୀତି ଦେବୀଙ୍କୁ ମଙ୍ଗାଇବା ଭାର ମୁଁ ନେବି । ଯେ କୌଣସି ମତେ ଧୂପ ପଢ଼ିବ ।

 

ଧୂପର ପଢ଼ା ବିଷୟରେ ପ୍ରୀତି ଦେବୀଙ୍କଠାରୁ ଅନୁମତି ଆଣିବା ପୂର୍ବରୁ ଧୂପର ପଢ଼ିବାକୁ ଝୁଙ୍କ ଅଛି କି ନା ତାହା ଜାଣିବା ଆବଶ୍ୟକ ବୋଲି ମୋର ଗୋଟିଏ ଖିଆଲ ହେଲା । ଘରେ ଥିଲାବେଳେ କିଛି ନା କିଛି ପଢ଼ିବା ମୋର ଗୋଟାଏ ଅଭ୍ୟାସ । ମୁଁ ପୂର୍ବରୁ ବଙ୍ଗଳା ଭଲ ପଢ଼ି ଜାଣିଥାଏ । ତେଣୁ ଅଧିକାଂଶ ସମୟ ବଙ୍ଗଳା ଉପନ୍ୟାସ ଆଣି ପଢ଼େ । ସେ ଦିନ ଗୋଟାଏ କ’ଣ ଉପନ୍ୟାସ ପଢ଼ୁଥାଏ । ମୋ କୋଠରୀ ଭିତରକୁ ଇରା ପଶି ଆସିଲା । ସେ ଆସିଲେ ମୋର ପଢ଼ାପଢ଼ି ସବୁ ବନ୍ଦ । କାହିଁରେ କେତେ କ’ଣ ଗପ ସେ ଗପେ । ଗପ ଶେଷରେ ଫର୍ମାସି ହେବ ସିନେମା ଯିବା । ସବୁଦିନେ ସିନେମା ଯିବା ତ ହୁଏ ନାହିଁ । ଅନ୍ତତଃ ସପ୍ତାହରେ ଥରେ ଦୁଇଥର ଛଡ଼ା ବେଶୀ ଯିବାକୁ ମୁଁ ରାଜି ହୁଏନାହିଁ । ସେ କିନ୍ତୁ ନିତି ଯିବାକୁ ମୋ ଆଗରେ କହେ । ସେ ଦିନ ବହିଟି ଥୋଇ ଧୂପକୁ ଡାକି ବାକୁ ତାକୁ କହିଲି । ସେ ଆଖି ତରାଟି ମୋତେ କହିଲା ସିନେମା ଯିବା ନା ? ମୁଁ ମୁଣ୍ଡ ଟୁଙ୍ଗାରିଲି ।

 

ସେ ଧାଇଁଗଲା ଧୂପକୁ ଡାକିବାକୁ । ଟିକକ ପରେ ଧୂପକୁ ଧରି ସେ ପହଞ୍ଚିଲା । ମୋ ଆଗରେ ପଡ଼ିଥିବା ଚେୟାରଟିରେ ଧୂପକୁ ବସିବାକୁ କହିଲା । ସେ ବସିଲା ପରେ ତାକୁ ପଚାରିଲି ତୁମେ କେଉଁ ପର୍ଯ୍ୟନ୍ତ ପଢ଼ିଛ । ତା’ କହିବା ପୂର୍ବରୁ ଇରା କହିଲା ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା-। ମା’ ନାହିଁ କଲା ଆଉ ସ୍କୁଲକୁ ଯିବାକୁ । ଏତିକି କହି ସେ ଦୌଡ଼ିଗଲା ତା’ ଶୋଇବା ଘରକୁ-। କ୍ଷଣକଭିତରେ ତା ବହି ଥାକଟି ଧରି ମୋ ଟେବୁଲ ଉପରେ ଆଣି ଥୋଇ ଦେଲା । ମୁଁ ପ୍ରତ୍ୟେକ ବହିକୁ ଗୋଟି ଗୋଟି କରି ଦେଖିଗଲି । ତା’ପରେ କହିଲି କାଲିଠାରୁ ତୁମର ପଢ଼ା ଆରମ୍ଭ ହେବ-। ସେ ମୁରୁକିହସା ଦେଇ କହିଲା । ପଢ଼େଇବ କିଏ ? ମୁଁ କହିଲି କେହି ନ ମିଳିଲେ ମୁଁ ପଢ଼େଇବି-

 

ଠିକ୍‌ ଏତିକିବେଳେ ପ୍ରୀତିଦେବୀ ପହଞ୍ଚିଲେ । ସେ ଗୋଟିଏ କୁସନ ଚେୟାର ଉପରେ ବସି କହିଲେ କାହାକୁ ପଢ଼ାଇବ । ମୁଁ କିଛି କହିବା ପୂର୍ବରୁ ଇରା କହିଲା କାଲିଠାରୁ ଦିଦିକୁ ଭାଇ ପଢ଼ାଇବେ । ସେ ହସି ପକାଇଲେ । ହସି ହସି କହିଲେ ତୋ ଭାଇର ମୁଣ୍ଡ କାଳେ କ’ଣ ହେବ ବୋଲି ଡାକ୍ତର ନାହିଁ କରିଛି ବେଶୀ କିଛି କଥାବାର୍ତ୍ତା କରିବାକୁ, ଆଉ ସେ ପୁଣି ପଢ଼ାଇବ କ’ଣ ?

 

ପ୍ରୀତି ଦେବୀଙ୍କ ସହିତ କଥାବାର୍ତ୍ତା କଲାବେଳେ ମୋତେ ସାବଧାନ ହୋଇ କଥାବାର୍ତ୍ତ କରିବାକୁ ପଡ଼ିଥାଏ । ସେ ଯେପରି ନ ଜାଣନ୍ତୁ ମୁଁ ସୁଶାନ୍ତ ନୁହେଁ ଦୁଷ୍ମନ୍ତ । ସରସ୍ୱତୀ ବାବୁଙ୍କୁ ମୁଁ ମୋ ଜୀବନୀଟି କହିଛି । ସେ ଶୁଣି କହିଛନ୍ତି ଯାହା ଯାଇଛି ତାହା ଯାଇଛି । ଅତୀତକୁ ଗୋଟାଏ ଦୁଃସ୍ୱପ୍ନ ଭଳି ଭୁଲିଯିବା ଉଚିତ । ତୁମେ ତ ତୁମ କଲେଜରେ ଦର୍ଶନ ପଢ଼ୁଥିଲ । ମୁଁ ତ ସେ ଶାସ୍ତ୍ର ପଢ଼ିନି, କିନ୍ତୁ ମୁଁ ଜାଣେ ଏ ହେଉଛି ଗୋଟିଏ ପ୍ରେକ୍ଷାଳୟ । ପ୍ରତ୍ୟେକ ଆମେ ଗୋଟିଏ ଗୋଟିଏ ଅଭିନେତା । ସେ ପ୍ରେକ୍ଷାଳୟରେ ତୁମର ଦୁଷ୍ମନ୍ତର ଅଭିନୟ ସରି ଯାଇଛି । ଏ ରଙ୍ଗାଳୟରେ ତୁମେ ଠିଆ ହୋଇଛ ସୁଶାନ୍ତ ରୂପରେ । ଜଣେ ପ୍ରଖ୍ୟାତ ଅଭିନେତା ହିସାବରେ ସୁଶାନ୍ତ ରୂପରେ । ଜଣେ ପ୍ରଖ୍ୟାତ ଅଭିନେତା ହିସାବରେ ସୁଶାନ୍ତ ଅଭିନୟଟି ଯେପରି ନିଖୁଣ ହୁଏ ତାହା ନିଶ୍ଚୟ ତୁମେ କରିବାକୁ ଚେଷ୍ଟା କରିବ । ଆଉ ମଧ୍ୟ ମନେରଖ ମୁଁ ଅତୀତରେ ତୁମର କେହି ନ ଥିଲି, କିନ୍ତୁ ମୁଁ ଆଜି ପିତୃତ୍ୱର ଭିକ୍ଷାଥାଳି ଧରି ତୁମ ପାଖରେ ହାତ ପାତିଛି । ଏକ ପୁତ୍ରହରା ପିତା ମୁଁ । ମୋରି ରକ୍ତଜାତ ସନ୍ତାନ ଭଳି ତୁମକୁ ଗ୍ରହଣ କରି ସାରିଛି । ଏଥର ତୁମର ଯାହା କର୍ତ୍ତବ୍ୟ ତୁମେ ତାହା ସ୍ଥିର କରିବ ।

 

ତା’ ପରେ ଯୁକ୍ତି ଉଠିଛି ଦୁଷ୍ମନ୍ତ ମନରେ । ସତେ ଆଉ ଦୁଷ୍ମନ୍ତ କାହିଁ ? ସେ ଦିନର ସେହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଦୁଷ୍ମନ୍ତର । ତା’ପରେ, ତା’ପରେ ଜନ୍ମ ଲଭିଛି ଦୁଷ୍ମନ୍ତର ଦେହ, ମନ ସବୁ ସୁଶାନ୍ତ ରୂପେ । ଏକ ଜାତିସ୍ମର ପରି ସୁଶାନ୍ତ ଗାଉଛି ତା’ ପୂର୍ବ ଜନ୍ମର କାହାଣୀ । ସୁଶାନ୍ତର ବାପ ମା’ ହାତ ଟେକି ଡାକୁଛନ୍ତି କୋଳକୁ ଟେକି ନେବାକୁ । ଆଉ ଦୁଷ୍ମନ୍ତର ? ସତେ ଆଜି ଦୁଷ୍ମନ୍ତକୁ କେହି ତ ହାତଠାରି ଥରକପାଇଁ ହେଲେ ଡାକୁ ନାହାନ୍ତି । କେହି ମରିଗଲା ପରେ ଯେପରି ତା’ର ଆତ୍ମୀୟ ପ୍ରିୟଜନମାନେ ସେହି ମୃତ ବ୍ୟକ୍ତିର ପ୍ରିୟ ଶରୀରଟିକୁ ଅତି ନୃଶଂସ ଭାବେ ନିଆଁ ଲଗାଇ ଧ୍ୱଂସ କରି ଦିଅନ୍ତି ଏବଂ ସେହିପରେ ସେହି ଅଞ୍ଚଳରେ ଆବଦ୍ଧ ଥିବା ତା’ର ଆତ୍ମାକୁ ପ୍ରେତ ବୋଲି ଅବିହିତ କରି ଦଶାହ ଶୁଦ୍ଧ କ୍ରିୟାଦି ସମ୍ପନ୍ନ କରି ତାକୁ ତଡ଼ି ଦିଅନ୍ତି । ସେହିପରି ତ ଦୁଷ୍ମନ୍ତର ଅବସ୍ଥା । ତେବେ ଏ ଦୁନିଆଁ ମଞ୍ଚରେ ମୁଁ କଣ ଜଣେ ଅଭିନବ ଶିଳ୍ପୀ ହୋଇ ପାରିବି ? ଯେ କୌଣସି ମୁହୂର୍ତ୍ତରେ ଯେ କୌଣସି ବ୍ୟକ୍ତିର ଅଭିନୟ କରି ପାରିବି ? ପ୍ରତ୍ୟେକଙ୍କର ଜୀବନ ନାଟିକା ଜନ୍ମ ପରଠାରୁ ଆରମ୍ଭ ନିଶ୍ଚୟ ହୋଇଛି, କିନ୍ତୁ ମୋ ଭଳି ଏଡ଼େ ଚମକପ୍ରଦ ଜୀବନ ନାଟିକା କେତେଜଣଙ୍କ କପାଳରେ ଜୁଟିଛି ?

 

ମୁଁ ପ୍ରୀତି ଦେବୀଙ୍କ କଥାରେ ପ୍ରତିବାଦ କଲି । ମୁଁ କହିଲି ଡାକ୍ତର ନାହିଁ କରିଛି ଏଣୁ ତେଣୁ ଗପ କରିବାକୁ, କିନ୍ତୁ ପାଠ ପଢ଼ିବାକୁ ବା ଟିକିଏ କାହାକୁ ବତାଇ ଦେବାକୁ ସେ କ’ଣ ନାହିଁ କରିଛନ୍ତି କି ?

 

ପ୍ରୀତିଦେବୀ ମୋ କଥାରେ ବେଶୀ କିଛି ପ୍ରତିବାଦ କଲେ ନାହିଁ । ସେ ତାଙ୍କ କ୍ଷୁଦ୍ର ମତଟି ବ୍ୟକ୍ତ କରି ନୀରବ ରହିଲେ । ତାଙ୍କର ମତ ଥିଲା ତାଙ୍କ ସମୟରେ ଯାଇ ତାଇ ଟିକିଏ ପଢ଼ିଲେ ଯଥେଷ୍ଟ । ଆଜିକାଲି ଝିଅମାନେ ତ ବିଲାତ ଗଲେଣି । ଧୂପ ପଢ଼ା ପାଇଁ ତା’ର ବାପ ଭାଇ ଯେତେବେଳେ ଜିଗର କରୁଛନ୍ତି ତାଙ୍କର ବା ସେଥିରେ ବିଶେଷ କ’ଣ କହିବାର ଅଛି ?

 

ତା’ ପରଦିନଠାରୁ ଧୂପର ପଢ଼ା ଆରମ୍ଭ ହେଲା । ନିହାତି ମନ୍ଦ ପଢ଼ୁ ନ ଥାଏ । ଟିକିଏ ଟିକିଏ ବତାଇ ଦେଲେ । ସେ ମାଡ଼ି ଯାଉଥାଏ ଆଗକୁ । ଅତି କମ୍‌ରେ ମାଟ୍ରିକ୍‌ଟା ତାକୁ ଯେ କୌଣସି ମତେ ପଢ଼ାଇବାକୁ ପଡ଼ିବ । ମୁଁ ବରାବର ତାକୁ ବତାଇ ବତାଇ ଆଗକୁ ଟାଣି ନେଉଥାଏ-। ମୁଁ ଦେଖିଲି ତା’ର ମଧ୍ୟ ଝୁଙ୍କ ଅଛି ପଢ଼ିବାକୁ ।

 

ମୁଁ ସେଦିନ ବସି ଧୂପକୁ ଆଲଜେବ୍ରା ବୁଝାଇ ଦେଉଥାଏ । ହଠାତ୍‌ ସରସ୍ୱତୀ ବାବୁ ପଶି ଆସିଲେ ମୋ କୋଠରୀ ଭିତରକୁ; ତାଙ୍କ ହାତରେ ଥାଏ ଖଣ୍ଡେ ଓଡ଼ିଆ ଦୈନିକ ସମ୍ବାଦପତ୍ର ସମାଜ; ସେ ତାକୁ ମୋ ଆଡ଼କୁ ବଢ଼ାଇ କହିଲେ ଦେଖତ୍‌ କେଉଁ ଶ୍ରେଣୀ ତୁମର ହେଲା ।

 

ମୁଁ ବଡ଼ ଆନନ୍ଦରେ ଆଇ:ଏ: ପରୀକ୍ଷାଫଳରୁ ମୋ କଲେଜ ନାଁଟା ଖୋଜି, ମୋ ନାଁଟି ଦେଖିବାକୁ ଆଗ୍ରହୀ ହୋଇ ଉଠିଲି । ଦ୍ୱିତୀୟ ଶ୍ରେଣୀର ପ୍ରଥମରେ ମୋ ନାଁଟି ବାହାରିଛି । ସେଦିନ ମୋର ଗୋଟାଏ ଆନନ୍ଦର ଜୁଆର ଖେଳିଗଲା । ସରସ୍ୱତୀ ବାବୁ ପଚାରିଲେ ଦ୍ୱିତୀୟ ଶ୍ରେଣୀ ନା-? ମୁଁ ମୁଣ୍ଡ ଟୁଙ୍ଗାରିଲି । ସେ ଆନନ୍ଦରେ ଫେରିଗଲେ ମୋ କୋଠରୀରୁ । ଧୂପ କିଛି ବୁଝି ପାରୁ ନ ଥାଏ । ସେ ମୋ ଆଡ଼କୁ ଉତ୍ସାହୀ ନେତ୍ରରେ ଅନାଇ କହିଲା କ’ଣ ହୋଇଛି । ମୁଁ ଖବରକାଗଜଟି ତା’ ଆଡ଼କୁ ବଢ଼ାଇ ଦେଲି । ସେ ବା ଓଡ଼ିଆ କାଗଜରୁ କ’ଣ ପଢ଼ିବ ? ବୋକିଙ୍କ ଭଳି ଅନାଇ ରହିଲା ମୋ ମୁହଁକୁ । ମୁଁ ମୋ ନାଁତଳେ କଲମରେ ଗୋଟିଏ ଗାର ଦେଇ କହିଲି ପଢ଼, ଦ୍ୱିତୀୟ ଶ୍ରେଣୀରେ ପାସ୍‍ କରିଛି ।

 

ସେ ଖୁବ୍‌ ଆନନ୍ଦିତ ହୋଇଗଲା । କାଗଜଟି ଧରି ଧାଇଁଗଲା ପ୍ରୀତି ଦେବୀଙ୍କ ପାଖକୁ, ସେଦିନ ତାଙ୍କ ଘରେ ଗୋଟାଏ ଆନନ୍ଦର ସ୍ରୋତ ବହୁଥାଏ । କେତେ ଦେବାଦେବୀଙ୍କ ପାଖରେ ଭୋଗରାଗ ହେଲା । ମିଠେଇ ବଣ୍ଟା ହେଲା । ଏପରି କେତୋଟି ଭିକାରୀଙ୍କୁ ଖଣ୍ଡେ ଖଣ୍ଡେ ଲୁଗା ମଧ୍ୟ ଦିଆଗଲା । ଲକ୍ଷପତି କାହିଁକି, କୋଟିପତି ସରସ୍ୱତୀ ପ୍ରସାଦଙ୍କ ପୁଅ ପାସ୍‍ କରିଛି । ଏହା କମ୍‌ ଆନନ୍ଦର କଥା ନୁହେଁ ?

 

କିନ୍ତୁ ସୁଶାନ୍ତ ତ ପାସ୍‍ କରିନି ! କରିଛି ଦୁଷ୍ମନ୍ତ । ସେ କୋଟିପତି ବା ଲକ୍ଷପତିର ସନ୍ତାନ ନୁହେଁ । ଭାରତର ଅନୁନ୍ନତ ପ୍ରଦେଶ ଓଡ଼ିଶା, ସେହି ଓଡ଼ିଶାର ନିହାତି ମଫସଲ ଗାଁରେ ଦୁଷ୍ମନ୍ତର ଘର । ସେ ଘର ନୁହେଁ, ଧବଳମୟପୁର ମାଟି କାନ୍ଥ ଉପରେ ନଡ଼ା ଛପର ଚାଳଘର ସେ । ବାପ କିମ୍ବା ଅଜା ଅମଳରେ ସେଘର ହୁଏତ କୋଠାହୋଇ ପାରିଥାନ୍ତା, ମାତ୍ର ବଂଶର କେହି କେବେକୋଠା କରିନି । ଯେ କରିବ ତା’ର ହେବ ଅମଙ୍ଗଳ । ସେଥିପାଇଁ ଇଟା ପୋଡ଼ାଇବା ବି ହୋଇ ପାରିନି ଏପର୍ଯ୍ୟନ୍ତ ।

 

ନକଲି ସୁଶାନ୍ତ ଭିତରୁ ଅସଲି ଦୁଷ୍ମନ୍ତ ବାହାରି ଚାଲିଗଲା ତା’ର ସେହି ଜନ୍ମଭୂମି ମଫସଲର ପଡ଼ା ଗାଁଟିକୁ । ହୁଏତ ଆଜି ଖବରକାଗଜ ଗାଁରେ ପଢ଼ାହେଉଥିବ ଦୁଷ୍ମନ୍ତ ମହାପାତ୍ର ପାସ୍‍ କରିଛି । ଦେବୀ ବିଭୁ କାଗଜଟିରୁ ଆବିଷ୍କାର କରିବେ ତାଙ୍କ ପ୍ରିୟ ଭାଇର ନାଁଟିକୁ । ଭାଇ ପାସ୍‍ କରିଛି ଏତିକି କହି ସମ୍ଭବତଃ ବିଭୁ କ୍ଷଣକପାଇଁ ନାଚି ଯାଇଥିବ । ସେ ଆନନ୍ଦରେ ଧାଇଁ ଯାଇଥିବ ତା’ ପଢ଼ାଘରେ ଟଙ୍ଗା ହୋଇଥିବା ତା’ ଭାଇର ବଡ଼ ଫଟଟି ପାଖକୁ । କାଚଭିତରେ ଥିବା କାଗଜ ଉପରେ ଚିତ୍ରିତ ତା’ଭାଇର ଚିତ୍ରପଟକୁ ଅନାଇଁ କାନ୍ଦି ପକାଇଥିବ ସେ । ଭାଇ ତା’ର ପାସ୍‍ କରିଛି; କିନ୍ତୁ ସେ କାହିଁ ? ସେ କ’ଣ ବୁଝଇ ପାରିବ ତା’ର ଭାଇ ବହୁ ଦୂରରେ ଏକ ବିରାଟ ହର୍ମ୍ୟ ଉପରେ ବସି ତା’ରି କଥା ଚିନ୍ତା କରୁଛି ବୋଲି ? ଇରା କାଗଜଟି ଧରି ଫେରି ଆସିଲା ସୁଶାନ୍ତ ପାଖକୁ । ଦୁଇ ଚାରିଡାକ ଡାକିଲା; କିନ୍ତୁ ଉତ୍ତର ନାହିଁ । ସେ ହଲେଇ ଦେଲା ଜୋରରେ, ଦୁଷ୍ମନ୍ତ ଭିତରକୁ ପୁଣି ସୁଶାନ୍ତ ଫେରି ଆସିଲା । କୋଟିପତିର ପୁଅ ସୁଶାନ୍ତ ଲକ୍ଷକଲା ଇରାଆଡ଼କୁ । ଇରା ମୁହଁରେ ବିସ୍ମୟର ଚିହ୍ନ । ଟିକିଏ ହସିଲି । ତା’ ମୁହଁରେ ପୁଣି ହସ ଖେଳିଗଲା । ସେ କହିଲା ତୁମେ ଏପରି ମୁହଁ କାହିଁକି ଶୁଖାଇ ଦେଇଥିଲ ?

 

ମୁଁ ମୁହଁ ଶୁଖାଇ ଦେଇଥିଲି ?

 

ସେ ମୁଣ୍ଡ ଟୁଙ୍ଗାରିଲା ।

 

ଆଉ ତାକୁ ବିଶେଷ କିଛି ନ ପଚାରି କୋଳକୁ ଟାଣି ଆଣିଲି, ସବୁଦିନ ପରି ତାକୁ ବୋକଦେଇ ଗେଲ କଲି । ତା’ର ଅଳି ସିନେମା ଯିବା ।

 

ଯାହାହେଉ ରକ୍ଷା, ସେ ଦୁଷ୍ମନ୍ତକୁ ଚିହ୍ନି ପାରିନି । ଧୂପ ଆସିଲା, ହାତରେ ତା’ର ଗୋଟିଏ ରୂପାଥାଳି । ଥାଳିରେ ଦେବତାଙ୍କ ପ୍ରସାଦ; ହାତପାତି ପ୍ରସାଦ ଗ୍ରହଣ କଲି, ଇରା ଜବର ଦସ୍ତ ଗୋଟାଏ ସନ୍ଦେଶ ମୋ ପାଟିରେ ଭର୍ତ୍ତି କରିଦେଲା । ଧୂପ ବି ଗୋଟିଏ ସନ୍ଦେଶ ଧରି ମୋ ଆଡ଼କୁ ବଢ଼ାଇଲା । ଇରାର ସନ୍ଦେଶ୍‌କୁ ଖାଇ ଦେଇ ଧୂପ ସନ୍ଦେଶକୁ ପାଟିରେ ଗ୍ରହଣ କଲି । ଦେଖିଲି ଧୂପ ମହାଖୁସି । ସେ ଆଜି ତା ନିଜ ହାତରେ ତା ଭାଇକୁ ଖାଇବାକୁ ଦେଇଛି । ଭାଇ ତା’ର ହସି ହସି ଗ୍ରହଣ କରିଛି ।

 

ମୁଁ କାଳେ ସିନେମା ଯିବାକୁ ନାହିଁ କରିବି ସେଥିପାଇଁ ଇରା ଧୂପ ଆଡ଼କୁ ଅନାଇ କହିଲା ଦିଦି ଆଜି ସିନେମା ଯିବା !

 

ଧୂପ ତା’ ଭୋଗ ଥାଳିଟିକୁ ଟେବୁଲ୍‌ ଉପରେ ଥୋଇ ଦେଇ ଇରାପରି ମୋ ପାଖରେ ବସିପଡ଼ି, ଅଳିକଲା—ଭାଇ ଆଜି ସିନେମା ଯିବା ।

 

ସୁଶାନ୍ତ ପାଖରେ ଗଙ୍ଗା ଯମୁନା ପରି ତା’ର ଦୁଇଟି ଭଉଣୀ ଅଳିକରୁଛନ୍ତି ସିନେମା ଯିବା । ସେହି ସୁଦୂର ମଫସଲର ଦୁଷ୍ମନ୍ତ କାହିଁ ? ଏ ସୁଶାନ୍ତର ଘର, ଏମାନେ ସୁଶାନ୍ତର ଭଉଣୀ, ବସିଛନ୍ତି ସେମାନେ ସୁଶାନ୍ତ ପାଖରେ । ନାହିଁ ହିଂସା, ନାହିଁ ଦ୍ୱେଷ, ନାହିଁ ବର୍ବରତା, ନାହିଁ କିଛି । ସବୁ ଅଛି । ସୁଶାନ୍ତର ସ୍ନେହ, ମୋହ, କର୍ତ୍ତବ୍ୟ ଯାହା କିଛି ସବୁକୁ ସେ ଟାଣି ଆଣି ରୁଣ୍ଡ କରିଛି । ସେ ଏ ଘରର ଭାବୀ ମାଲିକ, ତା’ର ପିତା ଅର୍ଦ୍ଧ ଶତାବ୍ଦୀ ବୟସର ବୃଦ୍ଧ ସରସ୍ୱତୀ ପ୍ରସାଦଙ୍କୁ ହୁଏତ କାଲି କହିବ, ଆପଣ ବିଶ୍ରାମ କରନ୍ତୁ ମୁଁ ବୁଝୁଛି ସବୁ ! ହସି ହସି ସେ ଗ୍ରହଣ କରିବ ସମସ୍ତ ଭାର, ସରସ୍ୱତୀ ବାବୁ ଯେତେ କହିଲେ ମଧ୍ୟ ତାଙ୍କ କଥା ସେ ଶୁଣିବ ନାହିଁ । ବୟସ ହୋଇଗଲାଣି । ସ୍ୱାସ୍ଥ୍ୟ ସମ୍ଭବତଃ ନିମ୍ନ ଆଡ଼କୁ ଗତି କରୁଛି । ନା, ତାଙ୍କର ବିଶ୍ରାମ ଆବଶ୍ୟକ । ସେ ତାଙ୍କର ପୁଅହୋଇ ତାଙ୍କୁ ଟିକିଏ ବିଶ୍ରାମ ଦେବ ନାହିଁ ?

 

ମଞ୍ଜୁର ହେଲା ସିନେମା ଯିବାପାଇଁ । ଆନନ୍ଦରେ ଦୁହେଁ ଚାଲିଗଲେ । ସୁଶାନ୍ତ ଲକ୍ଷ୍ୟ କଲା ସେହି ଦୁଇ ଭଉଣୀଙ୍କ ଗତିକୁ । ତା’ର ଭ୍ରାତୃତ୍ୱ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠିଲା । ଭାଇ ପାଖରୁ ଭଉଣୀ ଆଜି ବିଜୟ ହାସଲ କରି ଫେରିଯାଇଛି । ସେ ଆଜି ଯିବ ସିନେମା ତା’ର ଦୁଇ ଭଉଣୀଙ୍କୁ ଧରି । ସେ ଯେ ସେମାନଙ୍କ ଭାଇ ଏଥିରେ ଦ୍ୱିଧା କରିବାର ମୋଟେ ନାହିଁ । ଆଗେ ଅନେକଥର ଧୂପ ସହିତ ଏକାଠି ବସିଛି । ସେ ବସିବା ଆଜିର ବସିବା ବହୁତ ତଫାତ୍‌ । ଆଗରୁ ଥିଲା ତା’ର ସଙ୍କୋଚ ଲଜ୍ଜା; କିନ୍ତୁ ଆଜି କିଛି ନାହିଁ । ଦୁଷ୍ମନ୍ତ ଅପସରି ଯାଇଛି । ଆଉ ତାକୁ ଆସିବାକୁ ଦେବ ନାହିଁ ସେ । ଦୁଷ୍ମନ୍ତ ଆଜି ସୁଶାନ୍ତ ହୋଇ ଠିଆ ହେବ ।

 

ମୁଁ କୋଠରୀ ବାହାରକୁ ଗଲି । ମୋ କୋଠରୀ ପାଖକୁ ଧୂପ ଇରାଙ୍କ କୋଠରୀ, ତା’ ପାଖକୁ ସରସ୍ୱତୀବାବୁଙ୍କ କୋଠରୀ । ଠିଆହୋଇଗଲି ସେହି କୋଠରୀ-ଦ୍ୱାର ମୁହଁରେ । ଘରଭିତରକୁ ଲକ୍ଷ୍ୟ କଲି—ସରସ୍ୱତୀବାବୁ ଭିତରେ ନାହାନ୍ତି । ଆଗକୁ ଆଗେଇଲି । ସିଡ଼ି ପାଖରେ ଓହ୍ଲାଇବାକୁ ବସିଛି ଦେଖିଲି ସରସ୍ୱତୀବାବୁ ଆସୁଛନ୍ତି । ଯେଉଁ ସାହସରେ ଯାଇଥିଲି, ଦବିଗଲି ଟିକିଏ ସରସ୍ୱତୀ ବାବୁଙ୍କୁ ଦେଖି । ସେ ଉପରକୁ ଉଠିଲେ । ମୁଁ ତାଙ୍କୁ ଅନୁସରଣ କଲି । ସେ ଠିଆ ହୋଇ ମୋ ଆଡ଼କୁ ଅନାଇ କହିଲେ କ’ଣ କାମ ଅଛି ମୋଠାରେ ? କହିଲି ହଁ, ମୁଁ ଟିକିଏ ବୁଲିଯିବି ।

 

ସେ ସଙ୍ଗେ ସଙ୍ଗେ କହିଲେ ଗାଡ଼ି ଥୁଆ ହୋଇଛି ତଳେ । ତା’ପରେ ସେ ତାଙ୍କ ପକେଟରୁ ତାଡ଼ାଏ ନୋଟ୍‌ ବାହାର କରି ଦୁଇଟି ଶହେଟଙ୍କିଆ ନୋଟ୍‌ ବଢ଼ାଇ ଦେଲେ ମୋ ଆଡ଼କୁ-। ମୁଁ ଗ୍ରହଣ କଲି ଆନନ୍ଦରେ । ତା’ପରେ ସେ ଚାଲିଲେ ତାଙ୍କ କୋଠରୀଆଡ଼କୁ ।

 

କାର୍‌ରେ ଗଲାବେଳେ ମୁଁ ପ୍ରଥମେ ବସିଲି ମୋ କଡ଼ରେ ଧୂପ ଓ ଇରା ଦୁହେଁଯାକ ବସିଲେ । ମୋ ପାଖକୁ ଧୂପ ତା ପାଖକୁ ଇରା । ଛବିଟି ଖୁବ୍‌ ଭଲ ଥିଲା । ଉପଭୋଗ୍ୟ ହୋଇ ଥିଲା ମଧ୍ୟ । ଲାଗି ଲାଗି ବସିଥିଲୁଁ ଆମେ ତିନିହେଁ । ବେଳେ ବେଳେ ଇରା, ଧୂପ ଉପରେ ନଇଁ ପଡ଼ି ମୋ ସହିତ କଥାବାର୍ତ୍ତା କରେ । ଧୂପ ଟିକିଏ ବିରକ୍ତ ହୁଏ । ତଥାପି ଇରା ଛାଡ଼େନି । ମଧୁର କଳି ବି ହୁଏ ଦୁଇଜଣଙ୍କ ଭିତରେ; ମୁଁ ଟିକିଏ ସତର୍କ କରିଦିଏ ଧୂପକୁ । ଦୁଇଜଣଙ୍କ କଳିରେ ଅନ୍ୟ ଦର୍ଶକଙ୍କର ଯେପରି କିଛି ଅସୁବିଧା ନ ହୁଏ । ମୋ ସତର୍କରେ ଧୂପ ହୋଇଯାଏ ନୀରବ; କିନ୍ତୁ ଇରା ଛାଡ଼େନି । ମୁଁ ଧୂପ କାନରେ ଚୁପି ଚୁପି କହେ ତା’ର ଏଇ ଟିକିଏ ଦୌରାତ୍ମ୍ୟ ସହ୍ୟ କରି ପାରୁନୁ—ତୁ କି ବଡ଼ ଭଉଣୀ ହେବୁ ।

 

ମୋର ଏହି ପଦକ ଠିକ୍‌ ବାଟକୁ ନେଇ ଆସିଲା । ଆଉ ଇରା ସହିତ ସେ ଲାଗିଲା ନାହିଁ । ଖେଳ ସରିବା ପର୍ଯ୍ୟନ୍ତ ବସି ରହିଲୁଁ । ଫେରିଲାବେଳେ ପଛ ପଟରେ ବସିଲୁଁ । ମୁଁ ଗୋଟିଏ କଡ଼କୁ ବସିଲି । ଇରାକୁ ଭଲ ଲାଗେ କଡ଼ରେ ବସି ବାହାରକୁ ଅନାଇବାକୁ । ତେଣୁ ସେ ବସିଲା ଗୋଟିଏ କଡ଼ରେ ଧୂପ ବସିଲା ମଝିରେ । ଗାଡ଼ି ଛାଡ଼ିଲା । ସିନେମାର ବିଷୟବସ୍ତୁ ଉପରେ ଧୂପ କିଛି କହିବାକୁ ଆରମ୍ଭ କଲା । ମୁଁ କହିଲି; ‘‘ଦେଖ ଧୂପ, ବାହାରକୁ ଗଲେ କିପରି ବସିବ, କିପରି ଦେଖିବ, କିପରି କଥା କହିବ ଇତ୍ୟାଦି ବିଷୟରେ ଟିକିଏ ଶିଖିବା ଦରକାର । ତୁ ତ ଆଉ ଇରା ଭଳି ଏତେ ଟିକିଏ ପିଲା ନୋହୁ ଯେ ସବୁ ତୋତେ ମାଫ୍‌ ହେବ ? ଆଜି ଯାହା ହେଲା ହୋଇଗଲା, ଆଉ ଦିନେ ବାହାରକୁ ଆସି ଇରା ସହିତ ପାଟି କଲେ କିମ୍ବା ଭଦ୍ରଲୋକଙ୍କଭଳି ନ ବସିଲେ ମୁଁ ଆଉ କେବେ ସଙ୍ଗରେ ଆଣିବିନି ।’’

 

ସେ ପ୍ରତିବାଦ କରି କହିଲା ‘‘ଇରା କାହିଁକି ମୋ ଉପରେ ନଇଁପଡ଼ି କଥାବାର୍ତ୍ତ କରିବ ? ଆଗେ ସେ ଭୁଲ୍‌ କରିବ । ମୁଁ ଟିକିଏ ତାକୁ କହିଲି ବୋଲି ଦୋଷ ହେଲା ମୋର ।’’

 

ବଡ଼ ଭାଇ କିମ୍ବା ଗୁରୁଜନମାନଙ୍କ କଥାରେ ପ୍ରତିବାଦ କରା ଯାଏନି । ତାଙ୍କର ହିତ ଉପଦେଶକୁ ମାନିନେବା ଭଲ । ଯେତେବେଳେ ତୁମର ବୟସ ବା ଅବସ୍ଥା ଆସିବ ସେତେବେଳେ ତୁମେ ଆପେ ସବୁ ବୁଝି ପାରିବ । ଯଦି ତୁମର ଧାରଣା ଥାଏ ମୁଁ ହେଉଛି ତୁମର ବଡ଼ ଭାଇ ଓ ମୋ କହିବାରେ କୌଣସି ଖରାପ ଉଦ୍ଦେଶ୍ୟ ନାହିଁ ସେତେବେଳେ ବିନା ପ୍ରତିବାଦରେ ମାନିଯିବା ଉଚିତ । ତା’ ନ ହେଲେ ତୁମେ ଆଉ ଶିଖିବ କାହାଠାରୁ ?

 

ଧୂପ ଆଉ କିଛି କହିଲା ନାହିଁ । ସେ ନୀରବରେ ବସି ରହିଲା । ମୁଁ ଦେଖିଲି ତା’ ମୁହଁଟି ଟିକିଏ ଅଭିମାନିଆ ହୋଇ ଯାଇଛି । ମୁଁ ସଙ୍ଗେ ସଙ୍ଗେ ତା ବେଣୀଟିକୁ ଟିକିଏ ଟାଣି ଦେଲି । ସେ ମୋ ଉପରେ ଅଧା ଢଳି ପଡ଼ିଲା । କହିଲି ବୋକୀଟାଏ କି, ବାପ ଭାଇ ପ୍ରଭୃତିଙ୍କ ଉପରେ କ’ଣ ଅଭିମାନ କରାଯାଏ ? ତା’ ମୁହଁରେ ଛୋଟ ହସଟିଏ ଦେଖାଗଲା ।

 

ସେତେବେଳେମୋ ମନରେ ସବୁବେଳେ ଥାଏ ମୁଁ ହେଉଛି ଏମାନଙ୍କର ବଡ଼ ଭାଇ । ବଡ଼ ଭାଇର କର୍ତ୍ତବ୍ୟ ହିଁ ମୋତେ କରିବାକୁ ପଡ଼ିବ । ଲଜ୍ଜା, ସଂକୋଚ କରି ଦୂରେଇ ଗଲେ ଯୁଗୋପଯୋଗୀ ଭଦ୍ରତା ସେମାନେ ଶିଖିବେ କିପରି ? ପିଲାଙ୍କର କେଉଁଠି ଭୁଲ୍‌ ହେଲା ତାହା ତ ମା ଦେଖି ପାରୁନାହିଁ । ସବୁବେଳେ ତେଣୁ ସେ ଭୁଲ ଠିକ୍‍ ବିଷୟରେ କାହାକୁ କ’ଣ କହିବ ବା କିପରି ? ବ୍ୟବହାର ମୁଁ ନ ଶିଖାଇଲେ ଶିଖାଇବ ବା କିଏ ?

 

କଟକର ରେଭେନ୍‌ସା କଲେଜରୁ ମୋର ସାର୍ଟିଫିକେଟ ଅଣାଇଲେ ସରସ୍ୱତୀ ବାବୁ । ସେଇଥିପାଇଁ ମୋର ମୁଣ୍ଡ ଖେଳାଇବା ଆବଶ୍ୟକ ପଡ଼ି ନ ଥିଲା । ବିଦ୍ୟାସାଗର କଲେଜରେ ନା ମଧ୍ୟ ଲେଖା ହୋଇଗଲା । କୌଣସି ବିଷୟରେ ସେପରି କିଛି ଅସୁବିଧା ପଡ଼ିଥିବା କଥା ମୋ ଶ୍ରୁତିକୁ ଆସିନି ।

 

କଲେଜରେ ବହୁତ ସାଥି ମୋର ମିଳିଲେ । ଧନୀଠାରୁ ଦରିଦ୍ର ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ସହିତ ବନ୍ଧୁତା ବାନ୍ଧିବାରେ ମୋର ଦ୍ୱିଧା ନ ଥାଏ, କିନ୍ତୁ କଲେଜ ସାଥି ଭିତରେ ଜୀବନ ହେଉଛି ମୋର ଅନ୍ତରଙ୍ଗ । ତା’ ଘର କଲିକତାରେ । ସ୍ୱଚ୍ଛଳ ଅବସ୍ଥା କଲିକତାର ବଡ଼ ବଜାରରେ ତା’ର ଗୋଟିଏ ବଡ଼ ଗୋଦାମ ଅଛି । ତାହା ତା’ର ବଡ଼ ଭାଇ ବୁଝାଶୁଣା କରନ୍ତି । ନିଜେ ଜୀବନ ଗୋଟିଏ କବି । ମୋ ସହିତ ତା’ର ବନ୍ଧୁତା ହେବାବେଳେ ତା’ର ଖଣ୍ଡେ ବହି ଛପା ସରିଥାଏ । ତା’ ଲେଖାଗୁଡ଼ିକ ମୋତେ ଖୁବ୍‌ ଭଲ ଲାଗେ । ଜାତିରେ ବଙ୍ଗାଳୀ କାୟସ୍ଥ । ଉଚ୍ଚ ବଂଶଧର ମଧ୍ୟ । ତା’ର କବିତାଗୁଡ଼ିକ ବଡ଼ ହୃଦୟସ୍ପଶୀ । ବସୁ ବସୁ ଲେଖିଯିବ ଗୋଟାଏ କବିତା ତା’ କବିତାଗୁଡ଼ିକ ଯେପରି ବ୍ୟଙ୍ଗାତ୍ମକ ସେହିପରି ବିଦ୍ରୋହାତ୍ମକ । ସରଳ ଭାଷାରେ, ଆଧୁନିକ ଢାଞ୍ଚାରେ ସେ ବେଶ୍‌ ସରସ ସୁନ୍ଦର କରି ଲେଖିପାରେ । ତା’ ପାଖକୁ ଯେତେଥର ଯାଇଛି ସେତେଟି ନୂଆ କବିତା ଶୁଣି ମୁଁ ଫେରିଛି । ତା’ ଠାରୁ ଶିଖିଛି ମୁଁ ବହୁତ । ସବୁ ଶ୍ରେଣୀ ଲୋକଙ୍କ ସହିତ ତା’ର ସମ୍ପର୍କ ଥାଏ । କାହା ସହିତ କିପରି ମିଶିବାକୁ ହେବ କିପରି କଥାବାର୍ତ୍ତା କରିବାକୁ ହେବ ତାକୁ ବେଶ୍‌ ଜଣାଥାଏ । କଲେଜ ପାଠ ଛଡ଼ା ବାହାରର ବହି ଦକ୍ଷତା ମୋତେ ଚମତ୍କୃତ କରେ, ତା’ ଭଳି ସାଙ୍ଗ ପାଇ ମୁଁ ନିଜକୁ ଭାଗ୍ୟବାନ୍‌ ମନେ କରେ ।

 

କେଉଁଠି କ’ଣ ହେଲା, କେଉଁଠି କ’ଣ ହେବାକୁ ଯାଉଛି ସବୁ ଜୀବନକୁ ଜଣା । ସଭା-ସମିତିରେ ସେ ବେଶ୍‌ ଭାଷଣ ଦେଇ ମଧ୍ୟ ପାରେ । କଲେଜରେ କେତେକ ତାକୁ ନେତା ବୋଲି ଡାକନ୍ତି । ବାହାରେ ବୁଲିବାବେଳେ ସାଧାରଣ ଧୋତି ପଞ୍ଜାବୀ ପିନ୍ଧେ, ତା ବେଶଭୂଷାରେ ଆଡ଼ମ୍ବର ନ ଥାଏ । ତାକୁ ଦେଖିଲେ କେହି କେହିବ ନାହିଁ ଏହି ସାଧାରଣ ଲୋକଟି ଭିତରେ ଅସାଧାରଣ ବ୍ୟକ୍ତିତ୍ୱ ଲୁଚି ରହିଛି ବୋଲି ।

 

ସେଦିନ ମୋତେ କାହିଁକି କିଛି ଲାଗୁ ନ ଥାଏ; ମୁଁ ମୋ କୋଠରୀଟିରେ ବସି ଖଣ୍ଡେ ଇଂରେଜି ଉପନ୍ୟାସ ପଢ଼ୁଥାଏ; ଧୂପ ବଡ଼ ପାଟିରେ ଡାକି କହିଲା ଭାଇ ତୁମକୁ କିଏ ତଳେ ଡାକୁଛନ୍ତି । ମୁଁ ଝରକା ଖୋଲି ତଳକୁ ଅନାଇଲି । କାହାରିକୁ ପାଇଲି ନାହିଁ, କିଏ ବୋଲି ବଡ଼ ପାଟିରେ ପଚାରିଲି । ଜବାବ ପାଇଲି ମୁଁ । ଜୀବନର କଣ୍ଠସ୍ୱର ଶୁଣି କହିଲି ଉପରକୁ ଆସୁନୁ । ସେ ଆଉ ଦ୍ୱିଧା ନ କରି ଉପରକୁ ଉଠି ଆସିଲା ।

 

ମୁହାଁମୁହିଁ ଦୁହେଁ ଦୁଇଟି ଚେୟାର ଆବୋରି ବସିଲୁଁ । ସେ ଆଗେ ଆରମ୍ଭ କଲା । କହିଲା ହେ ମୁଁ ତୋତେ ଗୋଟାଏ କଥା ପଚାରିବାକୁ ଆସିଥିଲି । ତାହା ଯେତେ ଅପ୍ରିୟ ହେଲେ ମଧ୍ୟ ଟିକିଏ ବିଷୟଟାକୁ ଜାଣିବାର ଇଚ୍ଛା ହେଲା । ମୋର ଧାରଣା ତୁ ବୋଧେ କିଛି ଖରାପ ଭାବିବୁ ନାହିଁ ।

 

ମୁଁ କହିଲି ଆରେ କଥାଟା କ’ଣ ତା ନ କହି ମୁଖବନ୍ଧ ଉପରେ ଏତେ ଜୋର କାହିଁକି ?

 

ସେ ଟିକିଏ ଚାରିଆଡ଼କୁ ସତର୍କଭାବେ ଦୃଷ୍ଟିପାତ କରି କହିଲା ତୋ ବିଷୟରେ ଗୋଟିଏ ବିପ୍ଳବ ମୁଣ୍ଡ ଟେକି ଉଠୁଛି । ବେଶୀ ଭାବରେ ଉତ୍‌ଥାପନ କରୁଛନ୍ତି ତୋର ମାମୁଁ ଲାଲ ଗିରିଜାଶଙ୍କର । ଏହାପୂର୍ବରୁ ମୁଁ ତୋ ବିଷୟରେ ତୋତେ କିଛି ଅବଶ୍ୟ ପଚାରି ନାହିଁ; ତଥାପି ମୋର ମଧ୍ୟ ଅନେକଦିନୁ ଗୋଟାଏ ସନ୍ଦେହ ଉଙ୍କି ମାରୁଥିଲା । ତାହା ହେଉଛି ତୋର ପରିଚୟ ବିଷୟରେ । ପ୍ରକୃତରେ ତୁ ଦୁଷ୍ମନ୍ତ ନା ସୁଶାନ୍ତ ?

 

ମୁଁ କହିଲି—ମୁଁ ଯଦି କହେ ମୁଁ ଦୁଷ୍ମନ୍ତ ବୋଲି !

 

ସେ ମୋତେ ସତର୍କ କରାଇ କହିଲା ଆସ୍ତେ କହ, ଏ କାନ୍ଥର ମଧ୍ୟ କାନ ଅଛି । ଆମ ଭିତରର କୌଣସି ଜିନିଷ ବାହାରକୁ ନ ଯିବା ଭଲ ।

 

ମୁଁ କହିଲି ତୁ କ’ଣ ଶୁଣିଛୁ ଟିକିଏ କହ, ମୁଁ କହିବି ନାହିଁ ମୋ ବିଷୟରେ ସବୁ, ସେ ଖୁବ୍‌ ଧୀରସ୍ୱରରେ କହିଲା, ଲାଲା ପ୍ରଚାର କରୁଛନ୍ତି ମହୀଶୂର ରେଲ ଦୁର୍ଘଟଣାରେ ସୁଶାନ୍ତର ମୃତ୍ୟୁ ହୋଇଯାଇଛି । ସୁଶାନ୍ତ ବୋଲି ଯେ ବର୍ତ୍ତମାନ ଉପସ୍ଥିତ ସେ ସୁଶାନ୍ତ ନୁହେଁ ଦୁଷ୍ମନ୍ତ । ତା’ର ଘର ଓଡ଼ିଶାର କଟକ ଜିଲ୍ଲାରେ । ସେ କଟକ ରେଭେନ୍‌ସା କଲେଜରେ ଆଇ: ଏ: ପାସ୍‍ କରିଛି, ଏହା ପୂର୍ବରୁ କଲିଜିଏଟ୍‌ରେ ପଢ଼ି ମାଟ୍ରିକ ମଧ୍ୟ ପାସ୍‍ କରିଥିଲା । ତା’ଘରେ ସମସ୍ତେ ଅଛନ୍ତି ଇତ୍ୟାଦି ।

 

ଇତ୍ୟାଦି ମାନେ, ମୁଁ କହିଲି ।

 

ଭାଇ, ଭଉଣୀ, କକା ଇତ୍ୟାଦି ।

 

ମୁଁ ଧୀରେ ସ୍ୱରରେ କହିଲି ଅବଶ୍ୟ କଥାଟା ଏକଦମ୍‌ ମିଥ୍ୟା ନୁହେଁ । ପ୍ରକୃତରେ ମୁଁ ଦୁଷ୍ମନ୍ତ, ସୁଶାନ୍ତର ଅଭିନୟ କରି ଚାଲୁଛି ସରସ୍ୱତୀ ବାବୁଙ୍କ ଅନୁରୋଧରେ । ଆଜି ଯଦି ତୁ କହିବୁ ସୁଶାନ୍ତର ଅଭିନୟ କରିବା ତୋର ଆଉ ଉଚିତ୍‌ ନୁହେଁ, ତାହା ହେଲେ ଏହି ମୁହୂର୍ତ୍ତରେ ସୁଶାନ୍ତଠାରୁ ବହୁତ୍‌ ଦୂରକୁ ଚାଲି ଯିବି । ଯେଉଁଠି କି କାହାରି ସନ୍ଦେହ କରିବାର ଅବକାଶ ନ ଥିବ ।

 

ମୁଁ ମୋ ବିଗତ ଜୀବନରେ ଘଟିଥିବା ବିବରଣୀ ତାକୁ ସଂକ୍ଷେପରେ କହିଲି । ସେ ସବୁ ଶୁଣି ଟିକିଏ କ’ଣ ଚିନ୍ତା କଲା । ତାପରେ କହିଲା ଯାହା ହେଉନା କାହିଁକି ତୋର ଯେତେ ଆପଣାର ଲୋକ ହେଲେ ମଧ୍ୟ ତୁ ତୋର ଜୀବନପୋଥିରୁ ଗୋଟିଏ ଧାଡ଼ି ମଧ୍ୟ କହିବା ଉଚିତ ହେବ ନାହିଁ । କେହି ତୋର କିଛି କରି ପାରିବେ ନାହିଁ । ଲାଲା ଚାହାନ୍ତି ତାଙ୍କର ଗୋଟିଏ ପୁଅକୁ ପୁଅ କରି ଦେବାକୁ ସରସ୍ୱତୀ ବାବୁଙ୍କୁ, ଏ କୋଟି କୋଟି ଟଙ୍କାର ମୋହ ଲାଲାଜୀଙ୍କୁ ଅଥୟ କରି ପକାଇଛି । ତାହା ନ ହେଲେ ଓଡ଼ିଶା ଯାଇ ତୋ ବିଷୟରେ ଖବର ବୁଝିବା ତାଙ୍କର କି ଆବଶ୍ୟକ ଥିଲା; କ’ଣ ହେବ ହୋଇଯାଉ, କିନ୍ତୁ ତୁ ଆଉ ତୋର ସେହି ଗତ ବିଗତ ଜୀବନର ଡାଇରୀରୁ ଗୋଟିଏ ପୃଷ୍ଠାବି ଯେପରି କାହାରିକୁ ନ ଶୁଣାଉ । ନଚେତ୍‌ ସବୁ ଭଣ୍ଡୁର ହୋଇଯିବ । ସରସ୍ୱତୀ ବାବୁ ପରିଷ୍କାରଭାବରେ ଲାଲାଜୀଙ୍କୁ ଶୁଣାଇ ଦେଇଛନ୍ତି, ମୋ ପୁଅକୁ ମୁଁ ଚିହ୍ନିଛି ସେ ବିଷୟରେ କାହାରି କିଛି ଟୀକା ଟିପ୍‌ପଣି ଦେବା ଆବଶ୍ୟକ ପଡ଼ୁନାହିଁ । ସେ ମୋର ଜନ୍ମିତ ପୁଅ ନ ହେଲେ ମଧ୍ୟ ମୁଁ ତାଙ୍କୁ ପୁଅ କରି ଆଣିଛି, କିଛି ନ ହେଲେ ମୁଁ ମୋର ସମସ୍ତ ସମ୍ପତ୍ତି ତାକୁହିଁ ଦାନ କରିଯିବି-। ପ୍ରୀତି ଦେବୀ ତାଙ୍କ ଭାଇଙ୍କ କଥାରେ ଟିକିଏ ବିଚଳିତ ହେଉଥିଲେ; କିନ୍ତୁ ସରସ୍ୱତୀ ବାବୁଙ୍କ ଦୃଢ଼ତା ପାଖରେ ସେ ବାଧ୍ୟ ହୋଇଛନ୍ତି ନୀରବ ହେବାକୁ । ତୁ ସେ ବିଷୟରେ କିଛି ଚିନ୍ତା କର ନା-। ମୁଁ ତୋ ବିଷୟରେ ଯଥେଷ୍ଟ ସଚେତ୍‌ ଅଛି ।

 

ମୁଁ ଟିକିଏ ହସିଲି । କହିଲି ତୁ କ’ଣ ଭାବୁଛୁ ମୁଁ କୋଟିପତିର ପୁଅ ହେବାକୁ ଲାଳାୟିତ-? ବରଂ ମୁଁ ଦେଖୁଛି ଏହାଠାରୁ ପଦାରେ ଠିଆ ହେବା ସବୁଠାରୁ ଭଲ ।

 

ସେ ଚେୟାର ଛାଡ଼ି ଉଠୁ ଉଠୁ କହିଲା, ହଉ ଥାଉ ତୋର ବଦାନ୍ୟତା !

 

Unknown

ବର୍ତ୍ତମାନ ଯେଉଁ ବାଟରେ ଚାଲିଛୁ ଠିକ୍‌ ସେହି ବାଟରେ ଚାଲ । ଦେଖିବା କେଉଁ ପାଣି କେଉଁଆଡ଼କୁ ଯାଉଛି ।

 

ମୁଁ ଆଉ ସେ ବିଷୟରେ କିଛି ନ କହି କହିଲି ଆରେ ତୁ କ’ଣ ଉଠିଲୁଣୁ, ଚା’ ଟିକିଏ ଖାଇବୁନି ।

 

ସେ ହସି କହିଲା, ଭାଇ ଚା ଖାଏନି । ସର୍ବତ ଟିକିଏ ହୁଏତ ତୁ ଯାଚିବୁ । ଅନ୍ତତଃ ଆଜି ଦିନଟାପାଇଁ ଥାଉ । ଆଉଦିନେ ଆସି ଆପେ ଆପେ ମାଗି ଖାଇଯିବି । ସେ ପଦାକୁ ଚାଲିଲା । ମୁଁ ତା’ ପଛେ ପଛେ ଚାଲିଲି । ଧୂପ କୋଠରୀ ପାଖରେ ଦେଖିଲି ଧୂପ ତା’ ଖଟ ଉପରେ ଶୋଇଛି । ଜୀବନକୁ ତଳେ ଛାଡ଼ି ଉପରକୁ ଆସିଲି । ମନରେ ଆସିଲା ଧୂପ ଶୁଣି ନାହିଁ ତ ଆମ ଗପ ?

 

ଧୂପ ତା’ କୋଠରୀରେ ଠିକ୍‌ ପୂର୍ବପରି ଶୋଇ ରହିଛି । ମୁଁ ପଶିଗଲି ତା’ କୋଠରୀଭିତରକୁ । ଟିକିଏ ଲକ୍ଷ୍ୟ କଲି ତାକୁ । ସେ ଶୋଇଛି ଚିତ୍‌ହୋଇ ତା’ ଖଟରେ । ତା’ ନିଃଶ୍ୱାସପ୍ରଶ୍ୱାସରେ ମୋର ସନ୍ଦେହ ହେଲା ସେ ଶୋଇ ନାହିଁ ବୋଲି । ଭଲଭାବରେ ତା’ ନିଃଶ୍ୱାସପ୍ରଶ୍ୱାସର ଅବସ୍ଥା ପରୀକ୍ଷା କରିବାକୁ ଟିକିଏ ନଇଁପଡ଼ି କାନେଇଲି । ମନହେଲା ଏଇ ବର୍ତ୍ତମାନ ଯେପରି ଜୋର୍‌ରେ ନିଃଶ୍ୱାସ ନେବାକୁ ଚେଷ୍ଟା କରୁଛି । ଆଉ ଟିକିଏ ଅପେକ୍ଷା କଲି । ସମ୍ଭବତଃ ତା’ ଦେହକୁ ମୋ ଦେହ ସ୍ପର୍ଶ କଲାଭଳି ଅବସ୍ଥାକୁ ଆସିଯାଇଥାଏ । ତା’ର ଖର ନିଃଶ୍ୱାସ ପୂରାପୂରି ମୁଁ ଅନୁଭବ କରୁଥାଏ ହୁଏତ ସେ ଶୋଇଯାଇଛି । ଖାଲି ନିଜର ଦୁର୍ବଳତା ତାକୁ ସନ୍ଦେହ ଭିତରକୁ ଟାଣି ଆଣୁଛି ଯାହା । ସଳଖ ହୋଇ ଠିଆ ହେଲି । ତା’ ଆଡ଼କୁ ପୁଣି ଟିକିଏ ଅନାଇଲି । ସେ ଶୋଇଛି ନିଶ୍ଚୟ; ହଠାତ୍‌ ତା’ର ଓଠଟା ଥରିଉଠିଲା । ବୋଧହୁଏ କ’ଣ ଗୋଟାଏ ଦୁଃସ୍ୱପ୍ନ ଦେଖୁଛି । ଛାତି ଉପରେ ଥୋଇଥିବା ତା’ର ବାଁ ହାତଟିକୁ ଆସ୍ତେ କରି ଉଠାଇ ତା’ର ବାଁପଟ ବିଛଣାରେ ଥୋଇଦେଲି । ଚିତ୍‌ହୋଇ ଶୋଇଲେ ଦୁଃସ୍ୱପ୍ନ ବହୁତ ଦେଖାଯାଏ । ତେଣୁ ଗୋଟିଏ କଡ଼କୁ କଡ଼େଇ ଦେବାକୁ ମୋ ହାତଟି ତା’ର ବାହୁ ଉପରେ ଥୋଇଲି ।

 

ଆରେ ଏ ମୁଁ କ’ଣ କରୁଛି । ଚଟ୍‌କରି ଫେରିପଡ଼ିଲି । ଧୂପ ତ ଆଉ ଛୋଟପିଲା ନୁହେଁ ଯେ ତାକୁ ତା’ର ଶୋଇବା ଅବସ୍ଥାରେ ଯାହାମାନେ ତା’ କରିବି । ରକ୍ଷା ହୋଇଛି କେହି ଦେଖିନି । ତା’ର ମଧ୍ୟ ନିଦ ଭାଙ୍ଗିନି । ଫେରିଆସିଲି ମୁଁ ମୋ କୋଠରୀଟିକୁ । ନିଶ୍ଚେଷ୍ଟ ହୋଇ ବସିପଡ଼ିଲି ଗୋଟିଏ ଚେୟାରରେ । ତାହାହେଲେ ସୁଶାନ୍ତକୁ ପୁଣି ଦୁଷ୍ମନ୍ତ ହେବାକୁ ପଡ଼ିବ । ହେଲେ କ୍ଷତି କ’ଣ ହେବ ? ଘର—ପୁଅ ନ ହୋଇ ପର ପୁଅ ହେବି । ଆପଣାର କରିବାକୁ ସମସ୍ତେ ଯେପରି ତତ୍ପର ହୋଇ ଉଠିଛନ୍ତି ତାହା ଆଉ ହେବ ନାହିଁ । ନ ହେଉ । ମୁଁ ତ ଚାହିଁ ନ ଥିଲି ଏତେ ପ୍ରାଚୁର୍ଯ୍ୟ । ବିନା ଚେଷ୍ଟା ବିନା ଆକାଙ୍‌କ୍ଷାରେ ସେ ବଳେ ବଳେ ମିଳିଥିଲା । ସେ ଯେପରି ଆପେ ଆପେ ଆସିଥିଲା ସେହିପରି ଆପେ ଆପେ ଚାଲିଯିବ ସ୍ୱପ୍ନଭଳି; ଦୁଷ୍ମନ୍ତ ସୁଶାନ୍ତ ନାମରେ ଅବିହିତ ହୋଇଥିଲା । ସ୍ୱପ୍ନ ଭାଙ୍ଗି ଗଲା, ଯେଉଁ ଦୁଷ୍ମନ୍ତକୁ ସେହି ଦୁଷ୍ମନ୍ତ । ପିଲାଦିନେ ସାହିର ଜଣେ ଆଈବୁଢ଼ୀଠାରୁ କେତେ ଥର ଶୁଣିଛି ସେହି ରଜାପୁଅ ଗପ । ରଜାଙ୍କର ସାନପୁଅ ବିଦେଶ କରି ଯାଇଥିଲା । ସେ ଦେଶରେ ରଜା ନ ଥିଲେ । ହାତୀ ସୁନା କଳଶ ଧରି ବୁଲୁଥିଲା । ତା’ରି ମୁଣ୍ଡରେ ଢାଳି ଦେଲା । ରାଜାଙ୍କର ସାନପୁଅ ତ କେବେ ରାଜା ହୁଏ ନା, ବଡ଼ପୁଅ ରାଜା ହୋଇଥାନ୍ତା । ସାନପୁଅକୁ ରାଜା କରୁଛି କିଏ ? ତା’ ଭାଗ୍ୟ ସିନା ତାକୁ ବାଟ କଢ଼ାଇଲା ।

 

ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣି ଇରା ପଶିଆସି ଲୋଟି ପଡ଼ିଲା ମୋ ଉପରେ । ସବୁ ଭୁଲିଯାଇ ମୁଁ ତାକୁ ଟିକିଏ ଗେଲ କଲି । ସବୁଦିନପରି ସେଦିନ ମଧ୍ୟ ଆଖିବୁଜି ପଡ଼ିରହିଲା ମୋ ଉପରେ । ମୁଁ ତା’ର ବବୁରକଟା ବାଳଗୁଡ଼ିକୁ ସାଉଁଳଉ ସାଉଁଳଉ ସେ ଗୋଟିଏ ବଡ଼ ମଣିଷଙ୍କ ଭଳି କହିଲା ଆଜି ଟିକିଏ ବୁଲିଗଲେ ହୁଅନ୍ତା ନାହିଁ ? ମୋତେ ତା’ କଥାରେ ଟିକିଏ ହସ ମାଡ଼ିଲା । ମୁଁ ହସି ହସି କହିଲି ନିଶ୍ଚୟ ଟିକିଏ ବାହାରେ ବୁଲି ଆସିବାକୁ ଆପତ୍ତି କ’ଣ ଅଛି ?

 

ସେ ଚଟ୍‌କରି ମୋ ଉପରୁ ଉଠି ଧାଇଁଗଲା ବାହାରକୁ । ମୋର ଧାରଣା ହେଲା ବୋଧେ ଖଣ୍ଡେ ଭଲ ଫ୍ରକ୍‌ ପିନ୍ଧିବାକୁ ଗଲା । କିନ୍ତୁ ଦୁଇମିନିଟ୍‌ ଭିତରେ ପୁଣି ଫେରିଆସି କହିଲା ବାଃରେ ତୁମେ ଲୁଗା ପିନ୍ଧିନା ? ମୁଁ ଲୁଗା ଖଣ୍ଡେ ପିନ୍ଧିବାକୁ ଉଠିପଡ଼ି କହିଲି କ’ଣ ଗାଡ଼ି ଅଛି ନା ଚାଲି ଚାଲି ଯିବା । ସେ ମୁଣ୍ଡ ଟୁଙ୍ଗାରି କହିଲା ଗାଡ଼ି ଗାଡ଼ି । ମୁଁ ଧୋତି ପଞ୍ଜାବୀ ପିନ୍ଧି ବାହାରିଲାବେଳକୁ ସେ ଆସି ହାଜର । ମୋ ଆଗେ ଚାଲିଲା ସେ, ମୁଁ ତା ପଛେ ପଛେ । ତଳମହଲାରେ ଦେଖିଲି ସରସ୍ୱତୀବାବୁ ବାହାରୁ ଆସୁଛନ୍ତି । ସେ ମୋତେ ଦେଖି କହିଲେ କ’ଣ ସିନେମା ଯିବ ? ମୋ କହିବାପୂର୍ବରୁ ଇରା କହିଲା ନାଇଁ ବୁଲିଯାଉଛୁଁ । ସେ ମୋତେ ଉଦ୍ଦେଶ୍ୟ କରି କହିଲେ ତେବେ ତୁମେ ଧୂପକୁ ସାଙ୍ଗରେ ନେଇଯା । ଗାଡ଼ି ପଦାରେ ଥୁଆ ହୋଇଛି । ସେ ଟିକିଏ ବଜାର ଯିବ ବୋଲି କହୁଛି । ମୁଁ କିଛି କହିବା ପୂର୍ବରୁ ଦେଖିଲି ଧୂପ ପ୍ରସ୍ତୁତ ହୋଇ ଆମ ପାଖରେ ଠିଆ ହେଲାଣି ।

 

ତା’ର ବଜାରରେ ବିଶେଷ କିଛି କାମ ନ ଥିଲା । ଗୋଟିଏ ପାଇଲଟ୍‌ ଝରକଲମ ସେ କିଣିଲା । ତା’ପରେ ଚାଲିଲୁ ବୁଲି । ଘରୁ ବାହାରିଲାବେଳେ ଯେଉଁ ସରସତା ଧରି ବାହାରିଥିଲି ସେ ସରସତା ମୋର କାହିଁକି ରହିଲା ନାହିଁ । ମୋତେ କିପରି ଖାପଛଡ଼ା ଲାଗୁଥାଏ । ମୁଁ ପଚାରିଲି କୁଆଡ଼େ ଯିବା ? ଇରା କିଛି କହିବା ପୂର୍ବରୁ ଧୂପ କହିଲା ଗଙ୍ଗାକୂଳଆଡ଼େ ତାହା ହିଁ ହେଲା । ଗାଡ଼ିରେ ଗଙ୍ଗା କୂଳେ କୂଳେ କିଛି ବାଟ ଗଲାପରେ ଗୋଟାଏ ସ୍ଥାନରେ ଗାଡ଼ିଟି ଠିଆକରି ବାହାରିଲି ପଦାକୁ—ଗୋଟିଏ ସିମେଣ୍ଟ ଚଟାଣ ଉପରେ ବସିଲି । ମୋର ଗୋଟିଏ ପାଖରେ ବସିଲା ଇରା, ଅନ୍ୟ ପାଖରେ ଧୂପ । ମୁଁ କହିଲି ତୁମେ କେହି ଗଙ୍ଗାମାହାତ୍ମ୍ୟ ଜାଣିଛ ? ସେମାନେ ନାହିଁ କଲେ । ମୁଁ କହିଲି ହେଇ ଏ ଯେଉଁ ପବିତ୍ର ଗଙ୍ଗାର ସ୍ରୋତ ଧାଇଁ ଚାଲିଛି ବିରାଟ ଜଳଧିରେ ନିଜକୁ ମିଶାଇ ଦେବାକୁ; ବୋଧେ ସତ୍ୟଯୁଗ ହେବ, କପିଳ ମୁନିଙ୍କ କୋପରେ ଇକ୍ଷ୍ୱାକୁ ବଂଶର ସଗରରାଜାଙ୍କ ସହସ୍ରପୁତ୍ର ଅଗ୍ନିରେ ଦଗ୍‌ଧିଭୂତ ହେଉଥିଲେ । ସେହି ଅଗ୍ନିରୁ ସେମାନଙ୍କୁ ଉଦ୍ଧାର କରିବାକୁ ଇକ୍ଷ୍ୱାକୁର ଅନ୍ୟତମ ମହାରାଜା ଭଗୀରଥ ତପସ୍ୟା କଲେ ଗଙ୍ଗା ପ୍ରାପ୍ତି ନିମନ୍ତେ । ବହୁ ବର୍ଷ ପରେ ଗଙ୍ଗା ଭଗୀରଥଙ୍କ ଉପରେ ସନ୍ତୁଷ୍ଟ ହେଲେ, ମାତ୍ର ସ୍ୱର୍ଗର ସୁରତରଙ୍ଗିଣୀ ଗଙ୍ଗା ସେ ମର୍ତ୍ତ୍ୟକୁ ଆସିବେ ବା କିପରି ? ସ୍ୱର୍ଗରୁ ଗଙ୍ଗାଧାର ନିମ୍ନଗାମୀ ହେବା ମାତ୍ରେ ପୃଥିବୀ ଏକ ବିରାଟ ଗର୍ତ୍ତରେ ପରିଣତ ହୋଇଯିବ । ତେଣୁ ମର୍ତ୍ତ୍ୟରେ କେହି ଜଣେ ଧାରଣ କରିବା ଉଚିତ । ଏଥିପାଇଁ ଦେବ ଦେବ ମହାଦେବଙ୍କ ଛଡ଼ା ଅନ୍ୟ କେହି ସମକକ୍ଷ ହୋଇ ପାରିବେ ନାହିଁ; ଶିବଙ୍କୁ ସେ ତପସ୍ୟା କଲେ ଗଙ୍ଗାଙ୍କ ଭାର ବହନ କରିବାକୁ । ଅନେକ ବର୍ଷ ପରେ ଶିବ ସନ୍ତୁଷ୍ଟ ହୋଇ ଠିଆ ହେଲେ ଗଙ୍ଗାକୁ ଧାରଣ କରିବା ନିମିତ୍ତ । ଗଙ୍ଗା ସୁର ପୁରରୁ ନିମ୍ନମୁଖୀ ହୋଇ ଶିବଙ୍କ ଉପରେ ପତିତ ହେଲେ । ଭଗୀରଥ ଚାଲିଲେ ଆଗେ ଆଗେ, ପଛରେ ଚାଲିଛନ୍ତି ଗଙ୍ଗା, ଯେଉଁଠି ସଗର ବଂଶଧର କପିଳଙ୍କ କୋପରେ ଦଗ୍‌ଧୀଭୂତ ହେଉଥିଲେ ଭଗୀରଥ ଝାମ୍ପ ଦେଲେ ତା’ରି ଭିତରକୁ । ହାଃ, ଭଗୀରଥ କହି ଗଙ୍ଗା ସେଇଠି ଘୂରି ବୁଲିଲେ ଇତ୍ୟାଦିକୁ ଟିକିଏ ବିସ୍ତୃତ ଭାବରେ କହିଲି । କଥାଟି ସରିବାକୁ ପ୍ରାୟ ଅଧଘଣ୍ଟାକରୁ ବେଶୀ ସମୟ ଲାଗିଯାଇଥିବ । ମୁଁ ମୋର କଥାଟିକୁ ମନେ ପକାଇ ଗପିବାରେ ବ୍ୟସ୍ତ । ଲକ୍ଷ୍ୟ ନାହିଁ ଅନ୍ୟ କେଉଁଆଡ଼େ; ଯେତେବେଳେ ଗପଟି ସରିଲା ଦେଖି ଇରା ମୋର ଦକ୍ଷିଣ ପାଖ କୋଳରେ ନଇଁ ପଡ଼ିଛି ଏବଂ ଧୂପ ବାଁପଟ କାନ୍ଧ ଉପରେ ତା’ର ଦକ୍ଷିଣ ବାହୁଟି ଥୋଇ ତା ଦେହରୁ ଗୋଟିଏ ଫାଳ ମୋ ଦେହରେ ଜଡ଼ାଇ ଦେଇଛି ।

 

ମୁଁ ଇରାର ବବୁର ବାଳକୁ ଟିକିଏ ଆଉଁସି ଦେଇ କହିଲି କିରେ ଶୋଇ ପଡ଼ିଲୁ କି ? ତା’ର କିଛି ଉତ୍ତର ଦେବା ପୂର୍ବରୁ ମୁଁ ବାଁ କଡ଼କୁ ମୁହଁ ବୁଲାଇ ଧୂପକୁ କହିଲି ଆରେ ତୁ ବୋକୀଟା ବି ଶୋଇ ପଡ଼ିଲୁ ନା କ’ଣ ? ସେ ସିଧା ହୋଇ ବସୁ ବସୁ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ କହିଲା ନାଁ ମୁଁ ଭଗୀରଥଙ୍କ କଥା ଭାବୁଥିଲି, ଏତେ ପରିଶ୍ରମ କରି ସେ ଗଙ୍ଗାକୁ ଆଣିଲେ, କିନ୍ତୁ ସେ ବି ସେହି କପିଳ ମୁନିଙ୍କ କୋପାଗ୍ନିରେ ଝାସ ଦେଲେ ? ଗଙ୍ଗା ତାଙ୍କୁ ଉଦ୍ଧାର କରି ପାରିଲେ ନାହିଁ ।

 

ଗଙ୍ଗାତ ସମସ୍ତଙ୍କୁ ଉଦ୍ଧାର କଲେ, ଏକା ଭଗୀରଥ କାହିଁକି ? ସେ ଆସିବା ବାଟରେ ଯେତେ ପ୍ରାଣୀଙ୍କ ଅସ୍ଥିକୁ ସ୍ପର୍ଶ କରି ଆସିଲେ ସେମାନେ ବି ଉଦ୍ଧାର ପାଇଲେ । ଇରା ଆଶ୍ଚର୍ଯ୍ୟ ହୋଇ କହିଲା, ସେମାନେ କଣ ସତରେ ଜୀବଦାନ ପାଇ ଉଠିଲେ । ମୁଁ କହିଲି ହୁଣ୍ଡିଟା, ଜୀବଦାନ କିପରି ପାଇବେ ? ସେମାନେ ମୁକ୍ତି ପାଇଗଲେ । ପୁରାଣରେ ଲେଖା ଅଛି ମଣିଷ ପାପ କଲେ ନର୍କରେ ପଡ଼େ । ସେହି ନରକରୁ ଉଦ୍ଧାର ପାଇବାକୁ ସମସ୍ତେ ପୁଣ୍ୟ କରନ୍ତି । ଯେଉଁମାନେ ଗଙ୍ଗା ଜଳରେ ସ୍ନାନ, ପାନ ଇତ୍ୟାଦି କରନ୍ତି ତାଙ୍କର ଅଶେଷ ପୁଣ୍ୟ ହୁଏ; କିନ୍ତୁ ଯେଉଁମାନଙ୍କର ମଲାପରେ ତାଙ୍କ ଅସ୍ଥିକୁ ଗଙ୍ଗାଜଳ ସ୍ପର୍ଶ କରେ ସେମାନେ ଯଦି ନରକରେ ପଡ଼ିଥାନ୍ତି ତେବେ ଉଦ୍ଧାର ପାଇଯାନ୍ତି ।

 

ରାତି ବଢ଼ିବାକୁ ଲାଗିଥାଏ ସେହି ସିମେଣ୍ଟ ଚଟାଣ ଉପରେ ଆମେ ବସି ଥାଉ ତିନିଜଣ ଭାଇ ଉଭଣୀ । ଏଥିରେ ମୋର ନ ଥିଲା ଦ୍ୱିଧା, ନ ଥିଲା ଗ୍ଳାନି, ନ ଥିଲା ଶୋଚନା । ସେହି ଦିନର ପବିତ୍ରତା ଆଜି ନାହିଁ । ଅଛି ତା’ର ସ୍ମୃତି କେବଳ । ପରସ୍ପର ଲଗାଲଗି ହୋଇ ବସିଥାଉ, ଉଚ୍ଛଳ ଯୌବନ ଧୂପ ଦେହରେ ଲହଡ଼ି ଭାଙ୍ଗୁଥାଏ । ହୁଏତ ବେଳେ ବେଳେ ସେହି ଲହଡ଼ିରୁ ଚେନାଏ ଚେନାଏ ମୋ ଉପରେ ଛିଟିକି ପଡ଼ୁଥାଏ । ସେ ଛିଟିକାରେ ଆସୁ ନ ଥାଏ ଶିହରଣ, ନ ଥାଏ ସେଥିପ୍ରତି ଦୃଷ୍ଟି । ହୃଦୟର କେଉଁ ନିଭୃତ କୋଣରୁ ବହି ଆସୁଥାଏ ତା ପାଇଁ ଏକ ପବିତ୍ର ଧାରା । ସେହି ପବିତ୍ରତାକୁ ହୁଏତ ସେ ଉପଲବ୍‌ଧି କରିପାରୁ ନ ଥାଏ । ତଥାପି ବିପୁଳ ଜଳରାଶିରେ ଉପଳ ଖଣ୍ଡ ପରି ସେ ପଡ଼ିଥାଏ । ସେ ଜଳରାଶିକୁ ରୋକିବାକୁ ତାର ଶକ୍ତି ନ ଥାଏ । ବରଂ ଭାସି ଯାଉଥାଏ ସେହି ପବିତ୍ର ସ୍ରୋତମୁଖରେ ।

 

ସେ ଦିନ ଅନେକ ଅନେକ ପୁରାଣ କାହାଣୀ ମୁଁ ସେ ଦୁଇ ଭଉଣୀଙ୍କୁ ଶୁଣାଇଥିଲି । ଶେଷରେ ମହାଭାରତର ଗଙ୍ଗାଙ୍କ ବିଷୟ ସଂକ୍ଷେପରେ ତାଙ୍କୁ ଶୁଣାଇ ଉଠିଲି ଯିବାକୁ । ମୋ ପଛେ ପଛେ ଦୁଇ ଭଉଣୀ ଚାଲିଲେ, ଗଙ୍ଗାକୂଳରେ ଆଉ ଟିକିଏ ଗାଡ଼ିରେ ବୁଲି ଘରେ ପହଞ୍ଚିଲା ବେଳକୁ ରାତି ଦଶଟାରୁ ବେଶୀ ହେବ ।

 

ସେହିଦିନଠାରୁ ପୁରାଣର କାହାଣୀ ଶୁଣିବାକୁ ଅନେକ ସମୟରେ ଧୂପ ଇରାକୁ ଶିଖାଇ ମୋ ପାଖରେ ପହଞ୍ଚେ । ଦିନେ ଦିନେ ପ୍ରୀତି ଦେବୀ ବି ପହଞ୍ଚନ୍ତି । ମୋ ଖଟ ଉପରେ ଶୋଇ ପୁରାଣ କାହାଣୀ ଶୁଣୁ ଶୁଣୁ ତାଙ୍କୁ ନିଦ ଆସିଯାଏ । ଧୂପର ଡାକରେ ତାଙ୍କର ନିଦ ଭାଙ୍ଗେ । ନିଦରୁ ଉଠି କେବେ ସେ ସେହି ଖଟ ଉପରେ ବସି ରହି ମୋ ଆଡ଼କୁ ଅନାନ୍ତି, କେବେ କେବେ ବା ଧଡ଼ପଡ଼ ହୋଇ ଉଠି ଚାଲିଯାନ୍ତି । ସେ ଯେ ମୋତେ ଖୁବ୍‌ ଭଲ ପାନ୍ତି ଏଥିରେ ସନ୍ଦେହ କରିବାର କିଛି କାରଣ ନ ଥିଲା । ସେ ତାଙ୍କ ସରଳତା ଭିତରେ ଗୋଟାଏ କିଛି ମତଲବ ରଖି ବାହାରେ ହସି କଥା କହିବା ଦ୍ୱାରା ମୋଟେ ହୁଏନି । ପାଣିଭଳି ଯେଉଁଆଡ଼କୁ ବାଗେଇବେ ସେ ସେଆଡ଼କୁ ବାଗେଇ ଯିବେ । ପରେ ସରସ୍ୱତୀ ବାବୁ ତାଙ୍କୁ ପ୍ରକୃତ ତଥ୍ୟଟି ବୁଝାଇଲା ପରେ ଯେ ତାଙ୍କୁ ଭୁଲ୍‌ କଥା କହିଥିବ ତା’ ଉପରୁ ତାଙ୍କର ବିଶ୍ୱାସ ତୁଟିଯାଏ । ମୋ ବିଷୟରେ ତାଙ୍କ ଭାଇ ନାନା କଥା କହି ତାଙ୍କୁ ଟାଣି ନେଇ ଥିଲେ ମୋଠାରୁ ଦୂରକୁ, କିନ୍ତୁ ସରସ୍ୱତୀବାବୁ ତାଙ୍କୁ ଏପରି ବୁଝାଇ ଦେଲେ ଯେ ସେହିଦିନଠାରୁ ସେ ତାଙ୍କ ଭାଇଙ୍କ ଘର ମାଡ଼ନ୍ତି ନାହିଁ କି ସେ ଆସିଲେ କିମ୍ବା ତାଙ୍କର କେହି ଆସିଲେ ତାଙ୍କ ସହିତ ଖୋଲାଖୋଲି କିଛି ଗପ କରନ୍ତି ନାହିଁ । ସେଥିପାଇଁ ଆଜିକାଲି ସେମାନେ ଆଉ ବେଶୀ ଯାଆ ଆସ କରନ୍ତି ନାହିଁ ।

 

ପ୍ରୀତି ଦେବୀଙ୍କ ସହିତ ଜୀବନର ପରିଚୟ କରାଇ ଦେଇଥାଏ । ତେଣୁ ଥରେ ଥରେ ଜୀବନ ଆସି ପ୍ରୀତିଦେବୀଙ୍କ ସହିତ ଏଣୁ ତେଣୁ କେତେକ’ଣ ଗପ କରି ଚାଲିଯାଏ । ମୋ ପ୍ରତି ପ୍ରୀତିଦେବୀ ଯେପରି କିଛି ସନ୍ଦେହ ନ କରନ୍ତି ସେ ବିଷୟରେ ଜୀବନ ବେଶ୍‌ ତାଙ୍କୁ ବାଗାଏ । ମୋର ମନେ ହୁଏ ଜୀବନ ଭଳି ଏତେ ଆପଣାର ଆଉ କେହି ହୋଇ ପାରିବେ ନାହିଁ ମୋର । ଆମ ଭିତରେ ବିଶେଷ କିଛି ତଫାତ୍‌ କେବେ ହୋଇନି କିମ୍ୱା ହେବାକୁ ସେ ଦେଇନି ।

 

ସେ ଦିନ ମୁଁ ଯାଇଥାଏ ତା ଘରକୁ, ମୁଁ ତା କୋଠରୀକୁ ପଶିଗଲି । ସେ ଖଣ୍ଡେ ଖଦଡ଼ ପଞ୍ଜାବୀରେ ଇଲେକ୍‌ଟ୍ରି ଇସ୍ତ୍ରୀ ଚଳାଉଥାଏ । ମୋତେ ଦେଖି କହିଲା ଟିକିଏ ତୁ ବସ୍‌ ମୁଁ ଇସ୍ତ୍ରୀଟା ଦେଇସାରେ; ଗୋଟାଏ ନୂଆଜାଗାକୁ ତୋତେ ନେଇଯିବି । ମୁଁ ଚେୟାରରେ ବସୁ ବସୁ ଦେଖିଲି ତା ଟେବୁଲ୍‌ ଉପରେ ଗୋଟିଏ ନେଳିଆ ଲଫାପା ଥୁଆ ହୋଇଛି । କାହାରି ଚିଠି ପଢ଼ିବା ମୋ ଜାତକରେ ନାହିଁ, କିନ୍ତୁ ସେ ଦିନ ସେ ଲଫାପାଟି ସାଧାରଣ ନୁହେଁ, ନେଳିଆ ଲଫାପାଟିର ଗୋଟିଏ କଣରେ ଗୋଟିଏ ଗୋଲାପ ଫୁଲର ଚିତ୍ର ହୋଇଛି । ସେ ଫୁଲଟିକୁ ଟିକିଏ ଭଲକରି ଦେଖିଲେ ଜାଣି ହେବ ତାହା କେହି ଜଣେ ହାତରେ କରିଛି ।

 

ପଚାରିଲି ଏ ଚିଠିଟି ତୋର କେଉଁଠୁ ଆସିଛିରେ । ସେ ଟିକିଏ କୃତ୍ରିମତା ପ୍ରକାଶ କରି କହିଲା ଆରେ ତୁ ତାକୁ ଦେଖି ଦେଲୁଣି । ତାକୁ ଖୋଲନା, ସେ ଚିଠିଟି କେବଳ ମୋରି ପାଖକୁ ଆସିଛି । ଆଉ କେହି ପଢ଼ିବେ ନାହିଁ । ଚିଠିଟି ପୂରା ଘରୋଇ ।

 

ମୁଁ ଠିକ୍‌ ତା’ରି ଭଳି କହିଲି ଚିଠିଟି ଘରୋଇ ଆଉ ମୁଁ କ’ଣ ଦୂରେଇ ! ସେ ଇସ୍ତ୍ରୀ ଦେହରୁ ପ୍ଲଗଟି କାଢ଼ି ମୋ ଆଡ଼କୁ ଅନାଇ ଅନୁଚ୍ଚ ସ୍ୱରରେ କହିଲା କୀର୍ତ୍ତିମନ୍ତ ସାଙ୍ଗ ତୋର ଲଭ୍‌ କରୁଛନ୍ତି ବୁଝିଲୁ ।

 

ମୁଁ କହିଲି ସେ ହତଭାଗୀ କିଏ ?

 

ସେ ମୋ ଆଡ଼କୁ ଟେରେଇ କରି ଅନାଇ କହିଲା—‘କ’ଣ କହିଲୁ ସେ ହତଭାଗୀ ! ସେ ତ ନିଜେ ଚିଠିରେ ଲେଖିଛି ମୋ ସହିତ ସମ୍ପର୍କ ରଖି ପାରିଥିବାରୁ ନିଜକୁ ଭାଗ୍ୟବତୀ ବୋଲି ମନେ କରୁଛି ।’

 

ହସିଲି ମୁଁ, ହସିଲା ସେ ।

 

ସଦ୍ୟ ଇସ୍ତ୍ରୀକରା ପଞ୍ଜାବୀ ଲୁଗା ପିନ୍ଧି ସେ ଚାଲିଲା ଆଗେ ଆଗେ । ମୁଁ ଚାଲିଲି ତା’ ପଛରେ । ସେ ତା’ ବାପାଙ୍କ ଅମଳରେ ଅଷ୍ଟିନ୍‌ ଗାଡ଼ିଟିକୁ ଗ୍ୟାରେଜରୁ ବାହାର କଲା । ସାଙ୍ଗ ହୋଇ ଆମେ ଦୁହେଁ ଚାଲିଲୁଁ । କୁଆଡ଼େ ଯାଉଛୁଁ ପ୍ରଥମେ କିଛି ଜାଣିପାରି ନ ଥିଲି । ପଚାରିବା ବି କିଛି ଦରକାର ନ ଥିଲା । ଏହିପରି କେତେ ଥର ଆମେ ଦୁହେଁ ବୁଲିଯାଇଛୁ କେବେ କେହି କାହାରିକୁ ପଚାରିନୁ, ସେ ଦିନ ବା କାହିଁକି ପଚାରିବି । କିଛି ବାଟ ଗଲା ପରେ ଗାଡ଼ିଟିକୁ ଟିକିଏ ବ୍ରେକ୍‌ ଦେଲା । ମୁଁ ପଚାରିଲି କ’ଣ ହେଲା । ହାତଠାରି ସଙ୍କେତ ଦେଲା ନୀରବ ରହିବାକୁ । ମୁଁ ଅପେକ୍ଷା କଲି ଘଟଣାଟା ବୁଝିବାକୁ ।

 

ଟିକକ ପରେ ଗୋଟିଏ ଆଧୁନିକା ତରୁଣୀ ତା ପାଖରେ ଠିଆ ହେଲେ । ସେ ଖୋଲିଦେଲା ଗାଡ଼ିର କବାଟ । ଅଭ୍ୟସ୍ତ ଥିଲା ପରି ସେ ଭିତରକୁ ପଶି ପଛ ପଟର ଗୋଟିଏ ସିଟ୍‌ ଅଧିକାର କଲେ । ଗାଡ଼ିଟି ପୂର୍ବପରି ଚାଲିବାକୁ ଆରମ୍ଭ କଲା । ଜୀବନ ଡାକି କହିଲା ‘‘ଗାୟତ୍ରୀ ! ମୋର ଅତି ଆପଣାର, ଏପରିକି ତୁମଠାରୁ ଅଧିକ ଆତ୍ମୀୟ ସାଥି ସୁଶାନ୍ତକୁ କାହିଁ ନମସ୍କାର କଲ ନାହିଁ ତ ?

 

ସେ ହାତ ଉଠାଇ ନମସ୍କାର କଲେ । ମୁଁ ମଧ୍ୟ ପ୍ରତିନମସ୍କାର ଜଣାଇଲି । ଷ୍ଟିଅରିଂ ଉପରେ ହାତ ରଖି ଆଗକୁ ଅନାଇ ସେ କହିଲା ଭାଇ ଏଇ ତରୁଣୀଟି ତୋ ସାଥି ଜୀବନ—ଉପବନର ବାସନ୍ତିକା ‘କୋକିଳ’ ।

 

ମୁଁ କହିଲି ବୋଧେ ଉପମାଟା ହେଲା ନାହିଁ, କୋକିଳ ସ୍ଥାନରେ ହଳଦୀବସନ୍ତ କହିଲେ ପ୍ରାୟ ଠିକ୍‌ ହେବ । ମୋ କଥାରେ ଦୁଇଜଣଯାକ ହସି ଉଠିଲେ । ଜୀବନ ବାଁ ହାତରେ ଷ୍ଟିଅରିଂଟି ଧରି ଡାହାଣ ହାତଟିକୁ ବଢ଼ାଇ ଦେଲା ପଛକୁ । ବିନା ସଂକୋଚରେ ସେ ହାତ ମିଶାଇ ଦେଲା । ମୁଁ କହିଲି ଆଉ ଟିକିଏ ବାକି ରଖୁଛ କାହିଁକି ? କହିଦିଅ—‘‘ଯଦିଦଂ ହୃଦୟଂ ତବ ତଦିଦଂ ହୃଦୟଂ ମମ ।’’

 

ପୁଣି ଗୋଟାଏ ହସର ଜୁଆର ଉଠିଲା ଦୁଇଜଣଙ୍କ ମୁହଁରେ । ଜୀବନର ଯୌବନଯାତ୍ରା ପଥରେ ଗାୟତ୍ରୀ ହୋଇଛି ଏକମାତ୍ର ତରୁଣୀ । ଏ କ’ଣ ସେହି ଗାୟତ୍ରୀ ଯେ କି ସଂସାରର ଯାତ୍ରାପଥରେ ଯାତ୍ରୀର ମନକୁ ଆତ୍ମାକୁ ସରଳ କରିଦିଏ । ଏ କ’ଣ ସେହି ବେଦମାତା ଗାୟତ୍ରୀ !

 

ଜୀବନ ମୋତେ ହଲାଇ ଦେଇ କହିଲା କିରେ କ’ଣ ଏପରି ଚିନ୍ତା ତୋର ଆସିଗଲା । ମନଟାକୁ ଦର୍ଶନ ଶାସ୍ତ୍ରଠାରୁ ଟାଣି ଆଣି ମୁହଁରେ ଟିକିଏ ହସ ଫୁଟାଇବାକୁ ଚେଷ୍ଟା କଲି । ସେ କହିଲା ତୁ ଜାଣୁ ଜୀବନ, ଶକ୍ତି ଉପାସନାର ପରମ ଆଧାର ‘ଚଣ୍ଡୀ’ ଆଉ ଏଇ ‘ଚଣ୍ଡୀ’ର ପ୍ରଥମ ଚରିତ୍ର ଗାୟତ୍ରୀ ଛନ୍ଦରେ ଲିପିବଦ୍ଧ ହୋଇଛି । ପୃଥିବୀର ସର୍ବ ଧର୍ମଶାସ୍ତ୍ର ଯେପରି ଋକ୍‌ବେଦ ନାମରେ ଖ୍ୟାତ ସେହିପରି ପ୍ରଥମ ଛନ୍ଦ ଗାୟତ୍ରୀ ନାମରେ ବିଦିତ ।

 

ମୁଁ ହସି ହସି କହିଲି ଏହାରି ଉପରେ ଗୋଟାଏ ବିରାଟ ପ୍ରବନ୍ଧ ଲେଖାଗଲେ ଖୁବ୍‌ ଭଲ ହୁଅନ୍ତା; କିନ୍ତୁ ମୋର ଆଉ ଗୋଟାଏ ସନ୍ଦେହ ହେଉଛି ଚଣ୍ଡୀର ପ୍ରଥମ ଚରିତ୍ର ପରେ ଉଷ୍ଣିକ ଆଉ ଅନୁଷ୍ଟପକୁ ଆଶ୍ରା କରିବୁ ନାହିଁ ତ ?

 

ସେ ବି ମୋରି ଭଳି ହସି ହସି କହିଲା ଚିରଦିନ ଯଦି ଗାୟତ୍ରୀ ତା’ ଛନ୍ଦରେ ମୋତେ ଛନ୍ଦି ରଖି ପାରିବ ତେବେ ଅନ୍ୟର ଛନ୍ଦ ବା ମୋତେ ସ୍ପର୍ଶ କରିବ କିପରି ?

 

ପଛ ପଟରୁ ଗାୟତ୍ରୀ କହିଲେ ଛନ୍ଦଟା ପୁରୁଣା ହୋଇଗଲେ ଅନେକ ସମୟରେ ବିଷୟବସ୍ତୁ ନୂତନ ଛନ୍ଦର ଆଶ୍ରା ଖୋଜେ ଯେ ।

 

ଜୀବନ ଷ୍ଟଅରିଂ ଉପରେ ଯୋଡ଼ିକଯାକ ହାତକୁ ଯୋଡ଼ି କହିଲା ନା ନା, ତା ହେବ କିପରି ? ଛନ୍ଦ ପୁରୁଣା ହୋଇଗଲେ ବିଷୟ ମଧ୍ୟ ପୁରୁଣା ହୋଇଯାଇଥିବ, କିଛି ନ ହେଲେ ମୁଁ ସେହି ଆଦି ଋଷିଙ୍କ ଭଳି ଗାଇ ଉଠିବି—‘‘ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା—ନମସ୍ତସୈ ନମସ୍ତସୈ, ନମସ୍ତସୈ ନମୋ ନମଃ ।’’ ଆମେ ତିନିହେଁ ଏକ ସଙ୍ଗରେ ହସି ଉଠିଲୁ । ଅଫୁରନ୍ତ ହସର ଜୁଆର ଭିତରେ ଗାଡ଼ି କିନ୍ତୁ ଆଗେଇ ଚାଲିଥାଏ ଆଗକୁ । ହସ ବନ୍ଦ ହେଲା ପରେ ମୁଁ କହିଲି ବର୍ତ୍ତମାନ ଆମର ଗନ୍ତବ୍ୟ କୁଆଡ଼େ ? ଜୀବନ ତା’ ନିଜ ଭିତରକୁ ଫେରିଆସିଲା-। ସେ ଆଗରେ ଥିବା ଛକରେ ଗାଡ଼ିଟିକୁ ବୁଲାଇ ପୁଣି ଥୋଡ଼ାଏ ବାଟ ପଛକୁ ଫେରିଲା-। ତା’ ପରେ ଆଉ ଗୋଟିଏ ରାସ୍ତା ଧରି ଦୁଇ ତିନି ମାଇଲ୍‌ ବାଟ ଯିବା ପରେ ଜଣଙ୍କ ଘର ଆଗରେ ଗାଡ଼ିଟିକୁ ରଖିଲା । ଘର ଆଗରେ ଟଙ୍ଗା ହୋଇଥିବା ନେମ୍‌ ପ୍ଲେଟକୁ ଅନାଇ ମୁଁ ଜାଣିଲି ଏ ଘରଟି ଜଣେ ଭବିଷ୍ୟତ୍‌ ବକ୍ତାଙ୍କର ବୋଲି ।

 

ଜୀବନ ଚାଲିଲା ଆଗେ ଆଗେ ତା ପଛରେ ମୁଁ, ମୋ ପଛରେ ଗାୟତ୍ରୀ । ପ୍ରଥମ ଘରଟି ପରେ ଭବିଷ୍ୟତ୍‌ ବକ୍ତାଙ୍କୁ ଆମେ ଦେଖିବାକୁ ପାଇଲୁଁ । ଆମେ ତିନିହେଁ ଏକ ସଙ୍ଗରେ ତାଙ୍କୁ ନମସ୍କାର କଲୁଁ । ତାଙ୍କ ଆଗରେ ବିଛା ହୋଇଥିବା ଗୋଟିଏ ଗାଲିଚା ଉପରେ ଆମକୁ ବସିବାକୁ ନିର୍ଦ୍ଦେଶ ଦେଲେ । ଆମେ ବସିଲୁ । ତା’ପରେ କେତୋଟି ପ୍ରାଥମିକ କଥାବାର୍ତ୍ତା ପରେ ଆମ ଭାଗ୍ୟ ବିଷୟରେ ପଚାରିଲୁ । ସେ କ’ଣ ଟିକିଏ ଭାବି ତାଙ୍କ ପାଖରେ ଥିବା ଗୋଟିଏ ଘରକୁ ଯିବାକୁ ମୋତେ ଓ ଜୀବନକୁ କହିଲେ । ଗାୟତ୍ରୀକୁ ସେଠାରେ ଛାଡ଼ି ଆମେ ତାଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା କୋଠରୀରେ ଅପେକ୍ଷା କଲୁ ।

 

ଘଣ୍ଟାକ ପରେ ଗାୟତ୍ରୀ ଫେରିଆସିଲା । ତା ମୁହଁରେ ସରସତା ନ ଥାଏ । ତା’ପରେ ଚାଲିଲା ଜୀବନ । ସେ ମଧ୍ୟ ଗୋଟିଏ ଘଣ୍ଟା ସେଠାରେ ରହିଲା । ତା’ପରେ ପଡ଼ିଲା ମୋର ପାଳି । ତାଙ୍କ ଆଗରେ ଗୋଟିଏ ମୁଣ୍ଡଳି କଟା ହୋଇଥାଏ । ସେହି ମୁଣ୍ଡଳି ଭିତରେ ସେ ମୋତେ କହିଲେ ବସିବାପାଇଁ । ମୁଁ ବସିଲା ପରେ ସେ ଟିକିଏ ମୋତେ ଭଲଭାବେ ନିରୀକ୍ଷଣ କଲେ । ତା’ ପରେ ଦୁଇଟିଯାକ ହାତକୁ ତାଙ୍କ ଆଗରେ ପ୍ରସାରିବାକୁ କହିଲେ । ପ୍ରାୟ ପନ୍ଦର ମିନିଟ୍‌ ପର୍ଯ୍ୟନ୍ତ ହାତଟିକୁ ଦେଖିଲେ । ତା ପରେ କିଛିକ୍ଷଣ ଚିନ୍ତା କରି କହିଲେ ବର୍ତ୍ତମାନ ତୁମେ ତୁମ ପିତୃଗୃହ ଛଡ଼ା ହୋଇଛ-?

 

ମୁଁ ମୁଣ୍ଡ ଟୁଙ୍ଗାରି ତାଙ୍କ କଥାରେ ସମ୍ମତି ପ୍ରକାଶ କଲି । ମୁଁ ଖାଲି ଅନେଇ ଥାଏ ତାଙ୍କ ମୁହଁକୁ ଯାହା ।

 

ସେ ଗାଉଥାନ୍ତି ମୋ ହାତର ପ୍ରଶଂସା । ଏପରି ହାତ ସେ କେବେ ଦେଖିବାକୁ ଏ ପର୍ଯ୍ୟନ୍ତ ପାଇ ନ ଥିଲେ । ଗୁରୁ ତାଙ୍କର କେବଳ ଏପରି ହାତର କେତୋଟି କଥା ଯାହା କହିଯାଇଥିଲେ ଇତ୍ୟାଦି—

 

ଗୋଟିଏ ଘଣ୍ଟାକୁ ପଚାଶ ଟଙ୍କା ଫିସ୍‌ ତାଙ୍କର । ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ମୋ ବିଷୟରେ ଅନେକ କଥା କହିଲେ । ଆଜି ମୋର ଏହି ଦୁଃଖ ମୁହୂର୍ତ୍ତରେ ତାଙ୍କର ସବୁଗୁଡ଼ିକ କଥା ମନେ ପକାଇ ପାରୁନି । ମନେ ହୁଏ ସେ ଯାହା ଯାହା କହିଥିଲେ ତାହା ପ୍ରାୟ ମୋ ଜୀବନରେ ଘଟି ଯାଇଛି ।

 

ମୁଁ ଫେରି ଆସିଲି ଜୀବନ ଓ ଗାୟତ୍ରୀଙ୍କ ପାଖକୁ । ସେ ଦୁଇଜଣଯାକ କହୁଥାନ୍ତି ପଣ୍ଡିତ ଗୁଲି ବୋଧେ ଖାଆନ୍ତି । ମୁଁ ତାଙ୍କର କୌଣସି କଥା ନ ଶୁଣି କହିଲି ହଁ ମୋର କାହିଁକି ମନେ ହୁଏ ତାହା ହିଁ ସତ । ଗୁଲିଆଙ୍କ ଭଳି ଆଖି ବୁଜି କ’ଣ ଗୁଡ଼ାଏ କହିଯାନ୍ତି ଯାହା ।

 

ଜୀବନ ବଡ଼ ଉତ୍‌ଫୁଲ୍ଲ ହୋଇ କହିଲା ହେଇ ଦେଖିଲ ଗାୟତ୍ରୀ, ସୁଶାନ୍ତ ବି ଠିକ୍‌ ସେହି କଥା କହୁଛି । ଏଇଟା ଗୋଟାଏ ସୁଧୁ ଠକଟାଏ ।

 

ତିନିଜଣଯାକ ଫେରିଆସିଲୁଁ, ସେହି କାର୍‌ରେ ମୁଁ ଲକ୍ଷ୍ୟ କରୁଥାଏ ସେ ଦୁଇଜଣଙ୍କୁ ବାଟଯାକ । ବିଶେଷ କିଛି ଆଳାପ ନାହିଁ । ଆସିଲା ବେଳର ହସ ଅନେକ ପରିମାଣରେ ଲୁଚି ଯାଇଥାଏ ତାଙ୍କ ମୁହଁରୁ କହିଦେଲେ ସିନା ସେଟା ଠକଟାଏ ବୋଲି; କିନ୍ତୁ ତାଙ୍କ ମୁହଁର ଏ ଉକ୍ତିକୁ ମନ ପୂରାପୂରି ଗ୍ରହଣ କରୁ ନ ଥାଏ । ମନ ଭିତରେ ନିଶ୍ଚୟ କିଛି ଖିଟିକା ଲାଗିଥାଏ ।

 

ମୋ ଅବସ୍ଥା ମଧ୍ୟ ଠିକ୍‌ ସେହିପରି । ବିବାହ ଭଳି ସବୁ ହୋଇଯିବ; କିନ୍ତୁ ବିବାହ ହୋଇ ପାରିବ ନାହିଁ ? କାହା ସହିତ ଓ କାହିଁକି ? ମୁଁ କିଛି ବୁଝିପାରୁ ନ ଥାଏ । ବେଳେ ବେଳେ ସୂତା ନଟେଇ ଭିତରେ ଅଡ଼ୁଆ ହୋଇଯାଇଥିବା ସୂତା ଖିଅଟିମାନ ଦେଇ ଏହା ଦେହରେ ତା ଦେହରେ ଯୋଡ଼ି ଦେଲା ଭଳି ଯୋଡ଼ି ଯାଡ଼ି ଦେଉଥାଏ; କିନ୍ତୁ ମନ ମୋଟେ ମାନୁ ନ ଥାଏ । ଘରେ ଯାଇଁ ପହଞ୍ଚିଲି । ରାତି ହୋଇଯାଇଥାଏ । ମୁଁ ମୋ କୋଠରୀରେ ବସି କିଛି ସମୟ ଏଣୁ ତେଣୁ କେତେ କ’ଣ ଭାବିଗଲି । ମୁଣ୍ଡର ସୂତା ଖିଅ । ଅଡ଼ୁଆ ହୋଇଛି ତାହା କ’ଣ ଏତେ ସହଜରେ ଫିଟିଯିବ ? ଜ୍ୟୋତିଷଙ୍କର ଭବିଷ୍ୟତ୍‌ ବାଣୀ ମୁଣ୍ଡରେ ଗୁଡ଼େଇ ତୁଡ଼େଇ ହେଉଥାଏ ।

 

ସରସ୍ୱତୀବାବୁ ହଠାତ୍‌ ପଶି ଆସିଲେ ମୋ କୋଠରୀ ଭିତରକୁ । ବେଳେ ବେଳେ ଏହିପରି ସେ ହଠାତ୍‌ ପଶିଆସନ୍ତି ମଧ୍ୟ । ମୁଁ ତାଙ୍କୁ ଦେଖି ଚେୟାରରୁ ଲଣ୍ଡଭଣ୍ଡ ହୋଇ ଉଠିପଡ଼ିଲି-। ସେ ମୋତେ ବସିବାକୁ ନିର୍ଦ୍ଦେଶ ଦେଇନିଜେ ଖଣ୍ଡେ ଚେୟାରରେ ବସିପଡ଼ିଲେ । ସେ ଟିକିଏ ଚିନ୍ତିତ ଦେଖାଯାଉଥିଲେ । ମୁଁ ଚେୟାରରେ ବସି ଅପେକ୍ଷା କରିଥାଏ ତାଙ୍କୁ କ’ଣ କହିବେ ବୋଲି-

 

କିଛି ସମୟ ଅପେକ୍ଷା କଲାପରେ ସେ ମନକୁ ମନ କହିଲେ, ‘‘ବମ୍ବେ ମିଲ୍‌ର ଅବସ୍ଥା ସୁଧୁରିଲା ନାହିଁ । ନିଜେ ନ ରହିଲେ ଅନ୍ୟଦ୍ୱାରା ହୋଇ ପାରୁ ନାହିଁ । ବଡ଼ ଅସୁବିଧା ହୋଇଗଲା-।’’

 

ବେଳେ ବେଳେ ସରସ୍ୱତୀବାବୁ ମୋ ସହିତ ଅନେକ ଘରୋଇ କଥା ଆଲୋଚନା କରନ୍ତି । ମୋ ଯୁକ୍ତିକୁ ସେ ବଡ଼ ପସନ୍ଦ କରନ୍ତି ।

 

ମୁଁ କହିଲି, ‘‘ସେପରି କେହି ବିଶ୍ୱାସୀ ମ୍ୟାନେଜର କ’ଣ ମିଳୁ ନାହାନ୍ତି ?’’ ସେ ଟିକିଏ ହସି କହିଲେ, ‘‘ମିଳୁ ନାହାନ୍ତି କାହିଁକି ? ମିଳୁଛନ୍ତି ଯେ, ସେମାନେ କିନ୍ତୁ ପ୍ରଥମେ ଯେତେ ବିଶ୍ୱାସୀ ହୋଇ କାମ କରନ୍ତି ଟିକିଏ ପୁରୁଣା ହୋଇଗଲେ ସେପରି ଆଉ ରହୁ ନାହାନ୍ତି । କଲିକତାପରି ଯଦି ସେ ମିଲ୍‌ଟିକୁ ବରାବର ମୁଁ ଯାଇ ଦେଖନ୍ତି ତେବେ ଆଉ କିଛି ଅସୁବିଧା ପଡ଼ନ୍ତା ନାହିଁ ।’’

 

ମୁଁ କହିଲି, ମୋଦ୍ୱାରା ହୁଅନ୍ତା ନାହିଁ ?’’

 

ତାଙ୍କ ମୁହଁରେ ଗୋଟିଏ ଛୋଟ ହସ ଖେଳିଗଲା । ସେ ଚେୟାରରୁ ଉଠୁ ଉଠୁ କହିଲେ, ‘‘ଖାଲି ବମ୍ବେ ମିଲ୍‌ କାହିଁକି ଏ କଲିକତା ମିଲ୍‌କୁ ତୁମ ଛଡ଼ା ଆଉ କିଏ ଦେଖିବକି ? କିନ୍ତୁ ବର୍ତ୍ତମାନ ତୁମର ପାଠ ପଢ଼ିଲାବେଳ, ପାଠ ପଢ଼ା ସରୁ !

 

ସେ ଚାଲିଗଲେ ମୋ କୋଠରୀରୁ । ମୁଁ ବସି ରହିଲି ଏକା, ଆବଶ୍ୟକ ନ ଥିଲେ ମଧ୍ୟ ମୁଣ୍ଡ ଭିତରକୁ ଅସୁମାରି ଭାବନା ମୁହୂର୍ତ୍ତକ ଭିତରେ ମାଡ଼ି ଆସିଲା ।

 

ଧୂପ ତା’ର କେତେଖଣ୍ଡ ବହିଧରି ମୋ କୋଠରୀ ଭିତରେ ପ୍ରବେଶ କଲା । ମୋ ଚିନ୍ତା ସ୍ରୋତର ଗୋଟାଏ ଧାର ବହିଗଲା ତା’ରି ଆଡ଼କୁ । ଧୂପ ତା ବହିତକ ଟେବୁଲ ଉପରେ ଥୋଇ ଦେଇ ମୋ ଆଡ଼କୁ ଅନାଇ ଠିଆହେଲା । ମୁଁ ଲକ୍ଷ୍ୟ କଲି ତା ମୁହଁକୁ; ମୁହଁ ନାକ, ଓଠ, ଆଖି, ସବୁକୁ ତନ୍ନ ତନ୍ନ କରି ଦେଖିଲି । ଧୂପ ପ୍ରୀତି ଦେବୀଙ୍କର ଗୋଟିଏ ଅବିକଳ ପ୍ରତିମୂର୍ତ୍ତି । ସବୁ ଠିକ୍‌ ତାଙ୍କରି ଭଳି । ସତେ ଯେପରି ତାଙ୍କରି ନକ୍‌ସାରେ ବିଧାତା ଗଢ଼ିଛି ଧୂପକୁ । ଏତେ ଅବିକଳ ଚେହେରା ନେଇ ଆଉ କିଏ କେଉଁଠି ଜାତ ହୋଇଥିବେ ତାହା ମୋର ବିଶ୍ୱାସ ହେଲା ନାହିଁ ।

 

ଧୂପ କେତେବେଳେ ତଳକୁ ମୁହଁ କରି ସାରିଲାଣି ତା’ ମୋର ଖିଆଲ ନାହିଁ । ତା’ ପ୍ରତି ମୋର ବ୍ୟବହାର ନିଶ୍ଚୟ ଖାପଛଡ଼ା ହୋଇଛି । ତେଣୁ ସେ ଠିଆ ହୋଇଛି ଗୋଟିଏ ଅପରାଜିତା ଭଳି । ଲଜ୍ଜିତ ହେଲି ମୁଁ । ସତେ କି ଭାବନା ମୋ ମୁଣ୍ଡରେ ପଶିଛି । କ’ଣ ଗୋଟାଏ ସେ ପଣ୍ଡିତ ନିଦରେ ଶୋଇ ସ୍ୱପ୍ନ ଦେଖିଲା ଭଳି କହିଲା ଯଦ୍ଦ୍ୱାରା ମୁଁ ଏପରି ଅତିଷ୍ଠ ହୋଇ ଉଠୁଛି । ପ୍ରକୃତିସ୍ଥ ହେଲି ମୁଁ, ଚେୟାରଟିରେ ବସିବାକୁ ଧୂପକୁ ନିର୍ଦ୍ଦେଶ ଦେଲି । ମୋରି ଆଗରେ ଖଣ୍ଡେ ଚେୟାରରେ ବସିଲା ସେ । ତା’ ବସିବାରେ ଭରି ରହିଥାଏ ଅସମ୍ଭବ ଧରଣର ସଂକୋଚ ।

 

ଆଶ୍ରିତ ହେଲେ ମଧ୍ୟ ଭାଇ ହେବାର ଅଧିକାରରୁ ବଞ୍ଚିତ ହେବାର କୌଣସି କାରଣ ନାହିଁ । ପ୍ରତ୍ୟେକଙ୍କ ସହିତ ପ୍ରତ୍ୟେକଙ୍କର ସମ୍ପର୍କ ନିଶ୍ଚୟ ଅଛି । ନାରୀକୁ ସାଧାରଣତଃ ଭଗିନୀ କିମ୍ବା ବୟୋଜେଷ୍ଠାଙ୍କୁ ମା’ ବୋଲି କହିବାରେ ଆପତ୍ତି ବା କାହାର କାହିଁକି ହେବ ? ସେହି ସର୍ବଭାରତୀୟ ମନୋଭାବରେ ତ ମୁଁ ହେବି ତା’ର ଭାଇ ! ଶାସ୍ତ୍ରନୁଯାୟୀ ପ୍ରତ୍ୟେକ ପୁରୁଷ ଶିବଙ୍କର ଅଂଶ ଧରି ଜନ୍ମ ନେଇଥାନ୍ତି ଏବଂ ପ୍ରତ୍ୟେକ ନାରୀ ଦୁର୍ଗାଙ୍କ ଅଂଶ ଧରି ମଧ୍ୟ ଜାତ ହୁଅନ୍ତି; କିନ୍ତୁ ଟିକିଏ ଏପଟ ସେପଟ ହେଲେ ନାରୀ ଧୂମାବତୀ ସାଜିବାରେ ଡେରି ହୁଏ ନାହିଁ । ଯାହା ହେଉ ଧୂପକୁ ଭଉଣୀ ଆସନରୁ ଦୂରେଇ ନେବାକୁ ସେଦିନ ମନ ଭିତରେ ଗୋଟିଏ କ୍ଷୁଦ୍ର ଦ୍ୱିଧାର ବିନ୍ଦୁ ବି ଜାତ ହୋଇ ନ ଥିଲା । ଯାହା କି ଆଜି ମୋତେ ସନ୍ତପ୍ତ ସାଗରରେ ପକାଇ ଭସାଇ ନେଉଛି ଜନ ସମାଜଠାରୁ ବହୁଦୂରକୁ ।

 

ଇରା କେତେବେଳେ ମୋ କୋଠରୀ ଭିତରକୁ ପଶି ଆସିଲାଣି ତାହା ମୁଁ ମୋଟେ ଜାଣି ପାରିଲି ନାହିଁ । ସେ ମୋ ପଛ ପଟେ ଠିଆ ହୋଇ ମୋ ଆଖି ‘ଦୁଇଟିକୁ ବୁଜି ଦେଇ କହିଲା, ‘କହିଲ ଭାଇ କିଏ ତୁମ ଆଖି ବୁଜିଛି ?’

 

ମୁଁ ତା ହାତ ଦୁଇଟିକୁ ମୋ ଆଖି ଉପରୁ ଟାଣି ଆଣି କହିଲି ବୋକି । ନିଜେ ବୁଜି ନିଜେ ପୁଣି କହୁଛୁ କିଏ ବୁଜିଛି । ସେ ହସି ହସି ଲୋଟି ପଡ଼ିଲା ମୋ ଉପରେ ।

 

ମୁଁ ଧୂପ ଆଡ଼କୁ ଅନାଇ ‘କହିଲି କ’ଣ ତୁମ ପଢ଼ା ଅଛି ତାହା ଆରମ୍ଭ ହେଉ ।’

 

ସେ ତା’ ବହି ଫିଟାଇ ପଢ଼ିବାକୁ ଆରମ୍ଭ କଲା, ଧୀରେ ଧୀରେ ତା’ର ସଙ୍କୋଚ କମି କମି ଆସୁଥିବାର ମୁଁ ଲକ୍ଷ୍ୟ କରି ଦେଖୁଥାଏ । ସବୁଦିନେ ସେ ଯେପରି ସରଳ ହୋଇ ବସି ପଢ଼େ ଠିକ୍‌ ସେହିପରି ବସି ସେ ଆଜି ପଢ଼ିଲା ମଧ୍ୟ । ବେଳେ ବେଳେ ତା’ରି ସେହି ପଢ଼ାରୁ ଗୋଟିଏ ଗୋଟିଏ ପ୍ରଶ୍ନ ପଚାରି ତା’ ଠାରୁ ଉତ୍ତରଟି ଆଦାୟ କରୁଥାଏ । ଗୋଟାଏ ଗୋଟାଏ ବିଷୟରେ ସେ ନିଜେ ମଧ୍ୟ ପଚାରି ବୁଝି ନେଉଥାଏ । ମୁଁ ମୋ ପଢ଼ା ବହିଗୁଡ଼ିକ ଫିଟାଇ ପଢ଼ୁଥାଏ । ମନଟା ବେଳେ ବେଳେ ଅମାନିଆ ହୋଇ ଧାଇଁବାକୁ ଚାହୁଥାଏ ସେହି ଭାବନାରାଜ୍ୟ ଭିତରକୁ । ତାକୁ ଜୋର୍‌ କରି ମୁଁ ଅଟକାଇ ଦେଉଥାଏ, ଯାହା ଯେତେବେଳେ ଆସିବ ତା’ର ସମ୍ମୁଖରେ ଠିଆ ହେବାପାଇଁ ଭୟ ତ ମୋର ନ ଥାଏ; ତେଣୁ ଚିନ୍ତା କରି ଲାଭ କ’ଣ ?

 

ତହିଁଆରଦିନ ସନ୍ଧ୍ୟାବେଳେ ଜୀବନ ସହିତ ମୋର ଦେଖା ହେଲା କଲେଜ ଷ୍ଟ୍ରିଟ୍‌ରେ । ଦୁଇଜଣ ମିଶି ଚାଲିଲୁ ଗୋଟିଏ ପାର୍କକୁ । ସବୁ ପାର୍କରେ ତ ସନ୍ଧ୍ୟାବେଳେ ଲୋକଭିଡ଼ । ତଥାପି ଗୋଟିଏ ପାର୍କର ଗୋଟିଏ କୋଣକୁ ଆମେ ଦୁଇଜଣ ବସି ଗପ ଆରମ୍ଭ କରି ଦେଲୁ । ସେ ମୋତେ ପଚାରିଲା, ପଣ୍ଡିତ ତୋତେ କ’ଣ କ’ଣ କହିଲା । ମୋର ସବୁ ଘରୋଇ କଥା ଜୀବନକୁ କହିବାରେ କିଛି ତ ଆପତ୍ତି ନ ଥାଏ ବରଂ ସେ ମୋ ଭାବନାଟାକୁ ସରଳ କରି ଦେବାକୁ କେତେକ କଥା କହେ, ଯଦ୍ଦ୍ୱାରା ଅନେକ ପରିମାଣରେ ମୋ ମୁଣ୍ଡରୁ ଚିନ୍ତାର ବୋଝଟା ଓହ୍ଲାଇ ଯାଏ । ତେଣୁ ପଣ୍ଡିତ ଯାହା ଯାହା କହିଥିଲା ସେ ସବୁ ତା’ ପାଖରେ ଆବୃତ୍ତି କରିଗଲି ।

 

ସେ ସବୁ ଶୁଣି ସାରି କହିଲା, ‘ମୁଁ ବହୁତ୍‌ ଲୋକଙ୍କଠାରୁ ତା’ର ସୁଖ୍ୟାତି ଶୁଣିଛି । ମୋର ଧାରଣା ଥିଲା ପଣ୍ଡିତ ଯାହା କହନ୍ତି ତାହା ବୋଧେ ଅକ୍ଷରେ ଅକ୍ଷରେ ସତ ହୁଏ । ଏ ପଣ୍ଡିତଙ୍କ ବାପା ଥିଲେ ଯେ ସେ ଏକ ବିରାଟ ଲୋକ ବୋଲି ସମସ୍ତେ ଜାଣି ଥିଲେ । ତନ୍ତ୍ର ଶାସ୍ତ୍ରରେ ତାଙ୍କର ଅଗାଧ ପ୍ରବେଶ ଥିଲା । ଏପାରି ଗଛ ଆର ପାରିରେ କହୁ କହୁ ଉଡ଼ି ଯାଉଥିଲା । ଶୁଣାଯାଏ ଥରେ ଜଣେ ପାର୍ଶି କବି ନବାବଙ୍କଠାରୁ ପୁରସ୍କୃତ ହେବାପାଇଁ ଗଲାବେଳେ ବାଟରେ ତାଙ୍କୁ ପଚାରିଲେ ଆଜି ମୋ ଭାଗ୍ୟରେ କ’ଣ ଅଛି କୁହ, ସେ ଗଣନା କରି କହିଲେ, ‘ଆଜି ତୁମର ମୃତ୍ୟୁ ଅଛି ।’ ଏ କଥା ଶୁଣି କବି ଖୁବ୍‌ ରାଗିଗଲେ । ଆଖି ନାଲ୍‌ ନାଲ୍‌ କରି ପଣ୍ଡିତଙ୍କ ଗାଲରେ ଏକ ଉତ୍ତମ ପୁରସ୍କାର ଦେଲେ । ତାହା ସତ୍ତ୍ୱେ ପଣ୍ଡିତ କହିଲେ ମୋତେ ମାରନ୍ତୁ ଯାହା କରନ୍ତୁ; କିନ୍ତୁ ଆଉ ଆଗକୁ ଯାଆନ୍ତୁ ନାହିଁ । ଆଜି ନିଶ୍ଚୟ ଆପଣଙ୍କର ମୃତ୍ୟୁ ଯୋଗ ଅଛି । କବିଙ୍କୁ ପୁରସ୍କାର ପାଇବାର ମୋହ ଘାରିଥାଏ । ଏହାଙ୍କୁ ହିଁ କେବଳ ପୁରସ୍କାର ଦେବାପାଇଁ ଦରବାର ଡକା ହୋଇଥାଏ ତେଣୁ କବି ପଣ୍ଡିତଙ୍କ କଥା ମାନୁଛନ୍ତି କେଉଁଠୁ; ସବାରିରେ ବସି ଆଗକୁ ଚାଲିଗଲେ । ପ୍ରାୟ ଅର୍ଦ୍ଧ ତ୍ରୋଶ ଦୂର ଯିବା ପରେ ଏକ ବିରାଟ ସଙ୍କଟ ଉପସ୍ଥିତ ହେଲା । କବି ଦେଖିଲେ ସହରର ଲୋକମାନେ ଛିନ୍ନ ଛତ୍ର ହୋଇ ଚାରିଆଡ଼କୁ ପଳାୟନ କରୁଛନ୍ତି । ଘଟଣାଟି ବୁଝିବାପାଇଁ ସେ ଟିକିଏ ଅପେକ୍ଷେ କରିବାକୁ ବାହକଙ୍କୁ କହିଲେ । ବାହକମାନେ ଶବାରି ତଳେ ରଖୁ ରଖୁ ଗୋଟିଏ ହାତୀ ଖଣ୍ଡେ ଦୂରରେ ଆସୁଥିବାର ଦେଖିପାରି ସେମାନେ ଭୟରେ ପଳାଇ ଗଲେ । କବି ଯିବାପାଇଁ ଅବସର ପାଇଲେ ନାହିଁ । ହାତୀଦ୍ୱାରା ପଣ୍ଡିତଙ୍କ ମୃତ୍ୟୁ ହେଲା ।

 

ଏ ପଣ୍ଡିତ ମଧ୍ୟ ତାଙ୍କ ବାପାଙ୍କ ପରି ଭଲ ନାଁ କରିଛନ୍ତି । ଏହାଙ୍କ ବିଷୟରେ ଥରେ ଗୋଟିଏ କାଗଜରେ ବାହାରିଥିଲା । ଦିନେ ଶକ୍ତିପ୍ରକାଶ ନାମରେ ଜଣେ ଭଦ୍ରଲୋକ ତାଙ୍କ ପାଖକୁ ନିଜ ଭାଗ୍ୟ ସମ୍ବନ୍ଧରେ ବୁଝିବାକୁ ଯାଇଥିଲେ । ପଣ୍ଡିତ ତାଙ୍କ ହାତ ଏବଂ ଜାତକ ଦେଖି କହିଲେ ଏ କୋଷ୍ଠିର ଗୋଟିଏ ଦୋଷ ଅଛି । ତାହା ହେଉଛି ନିଃସନ୍ତାନ; କିନ୍ତୁ ଶକ୍ତିପ୍ରକାଶଙ୍କର ଗୋଟିଏ ଝିଅ ଥାଏ । ତେଣୁ ଶକ୍ତିପ୍ରକାଶ ପଣ୍ଡିତଙ୍କୁ କହିଲେ, ‘ଆଜ୍ଞା ମୋର ଗୋଟିଏ କନ୍ୟା ସନ୍ତାନ ଅଛି ।’ ପଣ୍ଡିତେ ପୁଣି ଥରେ ଗଣନା କରି ପ୍ରକାଶ କଲେ ଯେ ତାଙ୍କ ଗଣନା ଅଭ୍ରାନ୍ତ; କିନ୍ତୁ ଶକ୍ତିବାକୁ ତାଙ୍କ ଗଣନାକୁ ପସନ୍ଦ କଲେ ନାହିଁ । ସେ ନୀରବରେ ଫେରିଗଲେ ତାଙ୍କ ଘରକୁ । ଘରେ ମଧ୍ୟ ପଣ୍ଡିତଙ୍କ କଥା ସେ ଭାବିବାକୁ ଲାଗିଲେ । ସେ ଯେତିକି ଯେତିକି ଏ ବିଷୟରେ ଭାବିଲେ ସେତିକି ସେତିକି ତାଙ୍କ ସ୍ତ୍ରୀଙ୍କ ପ୍ରତି ତାଙ୍କର ଅବିଶ୍ୱାସ ଆସିଲା । ଏପରି ହେଲା ଯଦ୍ଦ୍ୱାରା ସ୍ତ୍ରୀ ଆଉ ତାଙ୍କ ସହିତ ଏକାଠି ରହିବାକୁ ପସନ୍ଦ ନ କରି ତାଙ୍କ ବାପାଙ୍କ ପାଖକୁ ଚାଲିଗଲେ । ସେଥିରେ ମଧ୍ୟ ଶକ୍ତିବାବୁ ଦ୍ୱିଧା କଲେନି । ମାସକ ପରେ ସ୍ତ୍ରୀର ଭରଣପୋଷଣ ପାଇଁ କିଛି ଟଙ୍କା ସେ ତାଙ୍କ ସ୍ତ୍ରୀ ନାମରେ ମନିଅର୍ଡ଼ର କରିଦେଲେ । କିଛି ଦିନ ପରେ ସେ ଟଙ୍କା ମଧ୍ୟ ସ୍ତ୍ରୀଙ୍କ ପାଖରୁ ଫେରିଆସିଲା ।

 

ଶକ୍ତିବାବୁଙ୍କ ସ୍ତ୍ରୀ ତାଙ୍କ ପାଖରୁ ଚାଲିଯିବା ପରେ ସେ ଜ୍ୟୋତିଷ୍କ ଶାସ୍ତ୍ର ବିଷୟରେ ଅଧିକାଂଶ ଗ୍ରନ୍ଥ ମଗାଇ ଚର୍ଚ୍ଚା କଲେ । ଏହା ଭିତରେ ସେ ମଧ୍ୟ ଜଣେ ଭବିଷ୍ୟତଜ୍ଞତା ହୋଇଗଲେ-। ହଠାତ୍‌ ଦିନେ ଜଣେ ଡାକ୍ତରଙ୍କଠାରୁ ସେ ଖଣ୍ଡେ ଚିଠି ପାଇଲେ । ଡାକ୍ତର ଲେଖିଛନ୍ତି ତୁମେ ତୁମ ରକ୍ତ କୌଣସି ଡାକ୍ତରଙ୍କଦ୍ୱାରା ପରୀକ୍ଷା କରାଇ ଲେଖ ତୁମ ଦେହରେ ହିମୋଫିଲିଆ ରୋଗ ଅଛି କି ନାହିଁ । କାହିଁକି ନା ତୁମ ଝିଅ ବର୍ତ୍ତମାନ ହିମୋଫିଲିଆ ରୋଗରେ ଆକ୍ରାନ୍ତ, ତାହା ବାପା କିମ୍ୱା ମା’ଙ୍କ ଦେହରୁ ଆସିଥିବାର ସନ୍ଦେହ କରାଯାଉଛି । ମା’ଙ୍କ ଦେହରେ ଏ ରୋଗ ନାହିଁ-। ତେଣୁ ତୁମେ ଶୀଘ୍ର ଜଣାଅ । ତାହା ହେଲେ ଆମେ ସେହି ଅନୁଯାୟୀ ଚିକିତ୍ସା କରିବୁ ।

 

ଚିଠିଖଣ୍ଡିକ ଶକ୍ତି ବାବୁ ପାଇ ଜଣେ ଡାକ୍ତରଙ୍କ ପାଖରେ ନିଜ ରକ୍ତ ପରୀକ୍ଷା କଲେ । ପ୍ରକୃତ ତାଙ୍କ ରକ୍ତରୁ ହିମୋଫିଲିଆ ରୋଗ ଥିବାର ଡାକ୍ତର ମତ ଦେଲେ । ତା’ପରେ ଶକ୍ତି ବାବୁଙ୍କର ଚେତା ପଶିଲା । ସେ ଝିଅଟି ଯେ ତାଙ୍କ ଔରଷ-ଜାତ ଏଥିରେ ଆଉ ତାଙ୍କର ସନ୍ଦେହ ରହିଲା ନାହିଁ । ସେ ଧାଇଁଲେ ଯେଉଁ ଡାକ୍ତରଖାନାରୁ ଚିଠିଟି ଆସିଲା ସେହିଠାକୁ । ଡାକ୍ତରଙ୍କ ସହିତ ଭେଟ ହେଲା । ଡାକ୍ତର ସବୁ ଶୁଣି ଗୋଟିଏ କୋଠରୀକୁ ନିର୍ଦ୍ଦେଶ କଲେ ଯିବାକୁ । ଶକ୍ତିପ୍ରକାଶ ସେ କୋଠରୀରେ ପ୍ରବେଶ କରି ଦେଖିଲେ ଝିଅଟି କିଛି ସମୟ ପୂର୍ବରୁ ମରିଯାଇଛି । ମା’ ତା’ର ମୁଣ୍ଡ ପିଟି କାନ୍ଦୁଛି ।

 

ପଣ୍ଡିତେ କହିଥିଲେ ନିଃସନ୍ତାନ ହାତ । ପିଲା ଆଉ ବଞ୍ଚନ୍ତା କୁଆଡ଼େ ?

 

ତାହାହେଲେ ପଣ୍ଡିତ ଯାହା କହିଲେ ସବୁ ସତ ହେବ ।

 

ମୁଁ କହିଲି । ସେ ତା’ ମୁହଁରେ ଟିକିଏ ହସ ଫୁଟାଇ କହିଲା, ନାଁ, ନ ହୋଇ ବି ପାରେ । ମୁଁ ନିଜେ ଜାଣେ ଜଣେ ବ୍ରାଞ୍ଚ ପୋଷ୍ଟ ଅଫିସ୍‌ର ପୋଷ୍ଟମାଷ୍ଟର ଯାଇଥିଲେ ପଣ୍ଡିତଙ୍କ ପାଖକୁ । ସେ ତାଙ୍କୁ ବହୁତ କଥା କହିଥିଲେ; ସେଥିଭିତରୁ ପ୍ରାୟ ସବୁଯାକ ମିଛ ହେଲା । ଶହକେ ଯଦି ପଚାଶଟା ସତ ହୁଏ ତାହାହେଲେ ମଧ୍ୟଯଥେଷ୍ଟ ହୁଅନ୍ତା; କିନ୍ତୁ ତା’ ହେଉଛି କେଉଁଠୁ ! ହେଇ ତୋରି କଥାରୁ ଦେଖ୍‌, ତୋତେ ପ୍ରଥମଟି ସତ କହିଦେଲେ । ତାହା କହିବାଟା ସ୍ୱାଭାବିକ୍‌ । ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ଯାହା ଯାହା ଘଟି ଯାଇଛି ସବୁ ଟିକନିଖି କରି କହିଯାନ୍ତି; କିନ୍ତୁ ଯାହା ଘଟିବ ସେ କଥା ମୋଟେ କହି ପାରନ୍ତି ନାହିଁ । ‘ମାରୁ ମାରୁ ମହାପାତ୍ର’ ଭଳି ଯେଉଁଠି କଥାଟା ସତ ହୋଇଗଲା ସେଇ କଥାଟିକୁ ସୁନ୍ଦରଭାବରେ ସଜାଇ ପଣ୍ଡିତଙ୍କର ପ୍ରଚାର ଆରମ୍ଭ ହେଲା । ଯେଉଁଠି ହେଲା ନାହିଁ ସେ କଥା କିଏ ବା ପ୍ରଚାର କରୁଛି ? ପଣ୍ଡିତ ତୋତେ ଯେଉଁ ଝିଅ ବିଷୟରେ କହିଲେ ମୋର ମନେ ହେଉଛି ତାହା ଏଇ ଇରା ଓ ଧୂପ ବିଷୟରେ । ହେଇ ଦେଖ୍‌ ମୋତେ କହିଲେ ଗାୟତ୍ରୀ ସହିତ ମୋର ବିବାହ ହୋଇ ପାରିବ ନାହିଁ । ଉଭୟେ ତ ଆମେ ରାଜି । ଆମେ କାଳୀଙ୍କ ପାଖରା ପ୍ରତିଜ୍ଞା କରିଛୁ ନିଶ୍ଚୟ ବିଭା ହେବୁ । ତୁ ତ ମୋତେ ଜାଣିଛୁ ଏବଂ ଗାୟତ୍ରୀକୁ ସେ ଦିନ ଦେଖିଲୁ । କହିଲୁ, ଆମେ କେହି କାହାରିକୁ ଠକିଲା ଭଳି ତୁ ଅନୁଭବ କରୁଛୁ ?

 

ତା’ ତ ଜଣା ପଡ଼ୁନାହିଁ । ତେବେ କିଏ ଜାଣେ କାହାର ମନୋବୃତ୍ତି କ’ଣ କେତେବେଳେ ହେବ ! ମୁଁ କହିଲି ।

 

ଜୀବନ ଯେ ଗାୟତ୍ରୀକୁ ଖୁବ୍‌ ଭଲ ପାଏ, ଏଥିରେ ସନ୍ଦେହ ନାହିଁ । ତେଣୁ ପଣ୍ଡିତ ଯଦି ପ୍ରକୃତ ସତ କଥା କହିଥାନ୍ତି ତା’ ହେଲେ ଜୀବନ ତାହା ମାନୁଛି କେଉଁଠି ? ସତ କଥାକୁହିଁ ସେ ମିଥ୍ୟା ବୋଲି ଜୋର ଦେଇ କହିପାରିବ, ଏଥିରେ ମୋର ଏତେ ଟିକିଏ ଅବିଶ୍ୱାସ ନାହିଁ । ତଥାପି ପଣ୍ଡିତ ଯେ ଅନେକ ଲୋକଙ୍କୁ ଅନେକ କଥା ଆଗରୁ କହିଛନ୍ତି ଯାହାକି ସତ ହୋଇ ନାହିଁ । ଜୀବନର ଏହି ଉକ୍ତି ମୋ ଭିତରେ ପଣ୍ଡିତଙ୍କ ଗଣନା ପ୍ରତି ସନ୍ଦେହର ସୂତ୍ରପାତ କଲା । ତଥାପି ପଣ୍ଡିତଙ୍କ ଗଣନାକୁ ମୁଁ ପୂରାପୂରି ଅବିଶ୍ୱାସ କରି ପାରୁ ନ ଥାଏ ।

 

ସେ ଦିନ ପାର୍କରେ ଜୀବନ ସହିତ ଅନେକ ବେଳ ପର୍ଯ୍ୟନ୍ତ ନାନାପ୍ରକାର କଥାବାର୍ତ୍ତା ହେଲି । ରାତି ଦଶଟା ବେଳକୁ ଉଭୟେ ଫେରିଲୁ । ପ୍ରଥମେ ପ୍ରଥମେ ପଣ୍ଡିତଙ୍କ କଥା ମନ ଭିତରେ ଯେପରି ନାନାପ୍ରକାର ଆଲୋଡ଼ନ ସୃଷ୍ଟି କରୁଥିଲା, ତାହା ଧୀରେ ଧୀରେ କମି କମି ଆସିଥାଏ ।

 

ଆଗକୁ ବି: ଏ: ପରୀକ୍ଷା । ତେଣୁ ପଢ଼ାପଢ଼ି ଛଡ଼ା ଆଉ କେଉଁଥିରେ ନିଜକୁ ନିୟୋଜିତ କରିବାକୁ ମୁଁ ରାଜି ନ ଥାଏ । ଆଡ଼ୁସାଡ଼ୁ ଭାବିବାକୁ ବେଳ ନାହିଁ ? ପୂର୍ବପରି ଧୂପ, ଇରା ଆସନ୍ତି । ଇରା ଆଗ ପରି ମୋ ଉପରେ ଲୋଟି ପଡ଼ିଲେ ଧୂପ ତାକୁ ଆକଟ କରି କହେ ଭାଇଙ୍କର ପରୀକ୍ଷା ଅଛି । ତୁ ତାଙ୍କୁ ଅନ୍ୟମନସ୍କ କରନା । ମୋ ପରୀକ୍ଷାପାଇଁ ମୁଁ ଯେତେ ପରିଶ୍ରମ ନ କରୁଥାଏ ତା’ଠାରୁ ଧୂପର ସେତେ ବେଶୀ ସତର୍କତା ଦେଖା ଦେଉଥାଏ । ଦିନେ ଦିନେ ପଢ଼ୁ ପଢ଼ୁ ସେଇଠି ଘୁମେଇ ପଡ଼େ, କେବେ କେବେ ଧୂପ ମୋତେ ଡାକି ନିଦ ଭଙ୍ଗେଇ ଦିଏ । ଆଉ ମଧ୍ୟ କେବେ କେବେ ଯଦି ନିଦ ନ ଭାଙ୍ଗେ ତେବେ ମୋତେ ଚେୟାରରୁ ଉଠାଇ ଖଟ ପର୍ଯ୍ୟନ୍ତ ନେଇଯାଏ । ମୁଁ ଶୋଇ ସାରିଲେ ଆଲୁଅ ଲିଭାଇ କବାଟ ବନ୍ଦ କରି ସେ ଚାଲିଯାଏ । ତା’ର ମୋ ପ୍ରତି ଏ ସ୍ନେହ ମୋତେ ବେଶୀ ଉତ୍ସାହିତ କରୁଥାଏ ପଢ଼ିବାକୁ । ପରୀକ୍ଷା ସମୟରେ ଜୀବନ ମଧ୍ୟ ବେଳେ ବେଳେ ଆସେ; କିନ୍ତୁ ବେଶୀ ସମୟ ଗପ କରେନା । ମୁଁ ତା’ କଥାକୁ ବୁଝେ ଗାୟତ୍ରୀର ଚିନ୍ତା ତାକୁ ପୂରା ଅଧିକାର କରିବସିଛି । ମୁଁ ତାକୁ ଥଟ୍ଟା କରି କହେ, କିରେ ତୁ କ’ଣ ଗାୟତ୍ରୀ ଜପି ଜପି ସ୍ୱର୍ଗକୁ ଯିବୁକି ? ସେ ମୋ କଥା ଶୁଣି ହସେ । କହେ ତୁ ଯାହା କହଭାଇ ସେ ମୋ ଜୀବନର ଧ୍ରୁବତାରା; ପଢ଼ିଲେ ପଢ଼ିପାରୁ ନି । ଥୋଡ଼ାଏ ପଢ଼ିଲା ପରେ ତା’ରି ଚିନ୍ତା ମୋତେ ଦୂରେଇ ନେଉଛି ବହିର ଅକ୍ଷରଠାରୁ । ତା’ କଥା ଶୁଣି ମୁଁ କହେ ତାହାହେଲେ ତୁ ବୋଧେ ପରୀକ୍ଷାରେ ଫେଲ୍‌ ହେବୁ । ସେ ମୁହଁ ଟାଣ କରି କହେ ଦୂର୍‍ ଫେଲ୍‌ ହେବି ! ଫାଷ୍ଟକ୍ଲାସ ଫାଷ୍ଟ ପିଲା କ’ଣ ପାସ୍‍ଟା କରି ପାରିବ ନାହିଁ ?

 

ମୋର ଧାରଣା ଥାଏ ଜୀବନ ଫେଲ୍‌ ହେବ ବୋଧେ । ପରୀକ୍ଷା ପରେ ମୁଁ ତା’ ସହିତ କଥାବାର୍ତ୍ତା କରି ଜାଣିଲି ସେ ମନ୍ଦ କରିନି; କିନ୍ତୁ କ୍ଲାସ୍‍ ପାଇବକି ନା ସନ୍ଦେହ । ଯାହାହେଉ କୌଣସି ମତେ ବି: ଏ: ଟା ତ ପାସ୍‍ କରିଯିବ । ପରୀକ୍ଷା ସରିଲା ପରେ ମୋ ଦେହ ଟିକିଏ ଭଲ ନ ଥାଏ । ସର୍ଦ୍ଦି ହୋଇ ଚାରି ଛ ଦିନ ବଡ଼ ହଇରାଣ ହୋଇଗଲି । ତେଣୁ ବାହାରକୁ ଯାଇ ପାରେନି । ସିନେମା, ଥିଏଟର ଯିବାକୁ ଇରା ବେଳେ ବେଳେ ଧୂମ୍‌ ଲଗାଏ; କିନ୍ତୁ ଧୂପ ତାକୁ ମୋ ଦେହ ଭଲ ନାହିଁ କହି ବିଦା କରିଦିଏ । ଅନୁଭବ ମୁଁ କରୁଥାଏ କିଛି ବାଧା ବନ୍ଧନ ନ ମାନି ଧୂପର ସ୍ନେହ ମମତା ଯେମିତି ମୋ ଉପରେ ଅଜାଡ଼ି ହୋଇପଡ଼ୁଛି । ବେଳେ ବେଳେ ସେ ପ୍ରୀତି ଦେବୀଙ୍କୁ କହେ ଭାଇଙ୍କ ଦେହ ଭଲ ନାହିଁ, ତାଙ୍କୁ ବରକ୍ତ କରିବା ଉଚିତ୍‌ ନୁହେଁ । ସମସ୍ତଙ୍କୁ ତଡ଼ି ସେ ମୋର ପୁରା ଦାୟିତ୍ୱ ନେଇଥାଏ । ସେ ଦିନ ରାତିରେ ମୋତେ ଟିକିଏ ଜର ହେଲା । ସେ ଆଉ ମୋ କୋଠରୀ ଛାଡ଼ି କୁଆଡ଼େ ଯାଇନି । ରାତି ପ୍ରାୟ ଚାରିଟା ବେଳକୁ ଜର ଛାଡ଼ିଗଲା । ସେତେବେଳେ ମୁଁ ଦେଖିଲି ମୋରି ଖଟ କଡ଼କୁ ଧୂପ ଖଣ୍ଡେ ଚେୟାର ପକାଇ ଢୁଳାଉଛି । ବୁଜିଲା ଆଖିରେ ଚିନ୍ତା ଓ ସପନର ଲୁଚିକାଳି । କେଶ ଆଲୁଳାୟିତ । ନିସ୍ତେଜ ଦେହରେ ତ୍ୟାଗପୂତ କ୍ଳାନ୍ତିର ନୀରବତା ପୁଣି ଥରେ ଚାହିଁଲି କୃତଜ୍ଞତାଭରା ହୃଦୟ ମୋର ସ୍ୱତଃ ଟାଣି ହୋଇ ଯାଉଥିଲା ତା ଆଡ଼କୁ—ମୋର ଝାଳୁଆ ହାତରେ ଧୂପର ମୁଣ୍ଡକୁ ଟିକିଏ ଆଉଁସି ଦେଲି । ଚଟ୍‌ କରି ତା ନିଦ ଭାଙ୍ଗିଗଲା । ମୋ ଦେହରୁ ଝାଳ ବୋହୁଛି ଦେଖି ଖଣ୍ଡେ ଟର୍କିସ ତଉଲିଆରେ ସେ ଝାଳ ପୋଛି ଦେଲା । ଟେବୁଲ୍‌ ଉପରୁ ଉତ୍ତାପ ମାପିବା ଯନ୍ତ୍ର ଆଣି ଜଣେ ଶିକ୍ଷିତା ସେବିକା ଭଳି କହିଲା, ‘ଜିଭ ତଳେ ଏଇଟାକୁ ଟିକିଏ ଦେଲ ।’

 

ଜର ଛାଡ଼ି ଯାଇଥାଏ । ଏଇ ଟିକିଏ ଦେହ ଖରାପରେ ତା’ର ବ୍ୟସ୍ତତା ଦେଖି ମୋତେ ବି ଟିକିଏ ହସ ମାଡ଼ିଲା । ବାହାରକୁ କୌଣସିଟା ପ୍ରକାଶ ନ କରି ତା’ କଥା ମୁତାବକ ଯନ୍ତ୍ରଟିକୁ ଜିଭ ତଳେ ଦେଲି । ଟିକକ ପରେ ଯନ୍ତ୍ରଟି ସେ ମୋ ପାଟିରୁ କାଢ଼ିନେଇ ଉତ୍ତାପର ପରିମାଣ ତର୍ଜମା କରବାକୁ ଲାଗିଲା । ତା’ ପରେ ଖୁସିଟାଏ ହେଇ କହିଲା ନା ଏଥର ଛାଡ଼ି ଯାଇଛି ।

 

ମୁଁ ଟିକିଏ ତା’ ମୁହଁକୁ ଅନାଇଲି । ଆଖିରେ ତା’ର ଲାଖି ରହିଛି ସାର୍ଥକତାର ଚିହ୍ନ । ଟିକିଏ ବିଛଣାରୁ ଉଠୁ ଉଠୁ ମୁଁ କହିଲି ରୋଗୀ ତ ଭଲ ହୋଇ ଗଲାଣି । ଏଥର ସିଷ୍ଟରଙ୍କର ଶୋଇବାକୁ ଯିବାରେ କିଛି ଆପତ୍ତି ଅଛି ? ସେ ମୋତେ ଟିକିଏ ଆକଟେଇଲା ଭଙ୍ଗିରେ କହିଲା, ଚାଦରଟିକୁ କାଢ଼ିଦେଲେ କିପରି ହେବ ? ଡାକ୍ତର କହିଛନ୍ତି ସବୁବେଳେ ଘୋଡ଼ି ହେବାକୁ ।’ ମୁଁ ତା’ କଥା ମୁତାବକ ଘୋଡ଼ି ହେଲି କେବଳ ତାକୁ ଖୁସି କରିବାକୁ । ଖଟ ଉପରେ ସଜାଡ଼ି ହୋଇ ବସିଛି କି ନାହିଁ ସେ ଗୋଟାଏ ବେଦନା ଭାଙ୍ଗି ପୁଳାଏ ଦାନା ମୋ ଆଡ଼କୁ ବଢ଼ାଇ ଦେଲା । ମୁଁ କହିଲି କ’ଣ ମୁହଁଟାକୁ ଧୋଇବି ନାହିଁ ? ସେ ଟେବୁଲ ଉପରୁ ଗୋଟାଏ ଗ୍ଲାସରୁ କିଛି ପାଣି ଆଣି ମୋ ଆଡ଼କୁ ବଢ଼ାଇଦେଲା । ମୋତେ ଗ୍ଲାସଟି ମଧ୍ୟ ଧରିବାକୁ ଦେଲା ନାହିଁ । ତଳୁ ମଧ୍ୟ ଗୋଟିଏ ଖାଲିପ୍ଲେଟ ଧରିଲା କୁଳିକରି ପକାଇବାକୁ ।

 

ମୁଁ ଅନୁଭବ କରୁଥିଲି ସେଦିନ ଯେମିତି ମୋ ପୁରୁଷକାରର ସମସ୍ତ ଦମ୍ଭ ସେଇ ତ୍ୟାଗ ଓ ସେବା ପାଖରେ ନଇଁ ପଡ଼ୁଥିଲା । ଆଉ ମୁହୂର୍ତ୍ତଟି ହିଁ ମୋ ଯାତ୍ରା ପଥରେ ସ୍ମଷ୍ଟିକଲା ଏକ ବିରାଟ ପରିବର୍ତ୍ତନ ।

 

ମୋର ମନେହୁଏ ସେହିଦିନଠାରୁ ମୋର ପୁରୁଷତ୍ୱ ତା’ ପାଖରେ ହାର ମାନିବାକୁ ଆରମ୍ଭ କଲା । ପୁରୁଷର ବିଜୟ ଚିରଦିନ ଲାଗି ରହିଛି, ରହିଥିବ ମଧ୍ୟ; ହୁଏତ ଏହା ମଧ୍ୟ ସତ ହୋଇପାରେ । ପୁରୁଷକୁ ଏହି ଅଧିକାର ନାରୀ ହିଁ ଦେଇଛି । ସେ ଜନନୀ, ସେ ଧାତ୍ରୀ, ସେ ଭଗିନୀ ସବୁକିଛି । ତଥାପି ତା’ର ଗର୍ବ ନାହିଁ କି ଅହଂକାର ନାହିଁ ! ଯେଉଁଠାରେ ପୁରୁଷର ଗର୍ବ, ଔଦ୍ଧତ୍ୟ ସୀମା ଟପିଯାଏ, ସେହିଠାରେ ନାରୀର ଆବିର୍ଭାବ ହୁଏ ସଂହାର କର୍ତ୍ତୀରୂପରେ । ସ୍ନେହ, ମମତା, ଦୟାର ଧାତ୍ରୀ ହାତରେ ବାଜି ଉଠେ ପ୍ରଳୟଙ୍କର ଡମ୍ୱରୁ, ବିଶ୍ୱତ୍ରାଣକାରିଣୀ ସେହି ଚାମୁଣ୍ଡା ରୂପକୁ ପଶୁପ୍ରବୃତ୍ତି କହ ବା ଆସୁରୀ ପ୍ରକୃତି କହ ସେ ସ୍ତବ୍‌ଧ ହୋଇ ଚାହିଁରହେ । ସାରା ବିଶ୍ୱର ତ୍ରାହି ମାଂ ତ୍ରାହି ମାଂ ଚିତ୍‌କାରର ଅବସାନ ଘଟେ । ସହସ୍ର ସହସ୍ର ବୁଦ୍ଧ କଣ୍ଠରୁ ନିଃସୃତ ହୁଏ ଔଦ୍ଧତ୍ୟର ବିନାଶ କରି ମାତୃତ୍ୱର ଯେ ବିକାଶ କରେ ତାକୁ ହିଁ ଆମ୍ଭେମାନେ ବିନୀତଭାବେ ନମସ୍କାର କରୁଁ ।

 

ଅନ୍ୟ ଉପରେ ନିର୍ଭର ଦ୍ୱାରା ହିଁ ନାରୀର ମହିମା ବଢ଼େ । ଯେ କୌଣସି ପୁଷ୍ପତା ଲତା ଯେତେ ସୁନ୍ଦର ହେଲେ ମଧ୍ୟ ଅନ୍ୟ ଏକ ଟାଣୁଆ ବୃକ୍ଷ ବା ଦଣ୍ଡ ଉପରେ ନିଜକୁ ଗୁଡ଼େଇ ରଖିବା ତା’ର ଧର୍ମ । ମୁଁ ଯେତେବେଳେ ନାରୀ ବା ପ୍ରକୃତି ପାଖରେ ନିଜକୁ ସମର୍ପଣ କରିଦେଇ ତାକୁ ମା’ ବୋଲି ଡାକିଲି, ସେତେବେଳେ ତା’ର ବିରାଟତ୍ୱ ମୋ ଆଗରେ ପ୍ରକଟିତ ହୋଇ ଉଠିଲା ବେଦ ଦ୍ରଷ୍ଟା ଋଷିମାନେ ପୃଥିବୀ ଉପରେ ବର୍ଷଣମୁଖୀ ବାରିଦ ଯେତେବେଳେ ନଇଁପଡ଼ି ଢାଳିଦେଇ ଯାଉଛି ଜଳଧାରା, ସେତେବେଳେ ପୃଥିବୀକୁ ପୂରୁରବା ଓ ବାରିଦକୁ ସ୍ୱର୍ଗର ଅନିନ୍ଦ୍ୟ ସୁନ୍ଦରୀ ଉର୍ବଶୀ ରୂପରେ କଳ୍ପନା କରି ଯାଇଛନ୍ତି । ଲତାପାଇଁ ବୃକ୍ଷର ଯେପରି ସୃଷ୍ଟି ସେହିପରି ବୃକ୍ଷପାଇଁ ଲତାର ମଧ୍ୟ ଜନ୍ମ ।

 

ଦିନ ଆଗେଇ ଚାଲିଛି ଠିକ୍‌ ଜଳସ୍ରୋତ ଭଳି । ପ୍ରବଳ ପ୍ରଖର ସ୍ରୋତ କାଟି ଗୋଟିଏ କୂଳରୁ ଆଉ ଗୋଟିଏ କୂଳରେ ପହଞ୍ଚିବା ଯେପରି ଦୁରୂହ ସେହିପରି ସମୟର ସ୍ରୋତ ଅତିକ୍ରମ କରିବା ମଧ୍ୟ ଦୁଃସାଧ୍ୟ । ଆଜି ବି ମୋର ମନେପଡ଼େ—କାଳସ୍ରୋତ ଉପରେ ସନ୍ତରଣ କରୁ କରୁ ସେଦିନ ଗୋଟାଏ ଘୂର୍ଣ୍ଣୀ ସ୍ରୋତରେ ପଡ଼ି ମୁଁ ମୋର ସମସ୍ତ ଶକ୍ତି ହରାଇ ବସିଲି । ଘୂରିଲି ସେହି ସ୍ରୋତ ମୁଖରେ ଅନେକ ସମୟଧରି । ଚକାଭଉଁରୀ ଖେଳିବାଟା ପିଲାଙ୍କର ଏକପ୍ରକାର ସଉକ; କିନ୍ତୁ ବୟସ ହେଲା ପରେ ଚକାଭଉଁରୀକୁ କେହି ପସନ୍ଦ କରନ୍ତି ନାହିଁ; ସେତେବେଳକୁ ଯଦି ନିଜର ଶକ୍ତିଠାରୁ ନିଜେ ଦୂରକୁ ଚାଲିଯାଇଥିବ ତେବେ ସେହି ଚକାଭଉଁରୀ ପସନ୍ଦ ନ ହେଲେ ମଧ୍ୟ ନିଜକୁ ଟାଣିନେବ, ତାହାରି ଘୂର୍ଣ୍ଣି ମଧ୍ୟକୁ ।

 

ଧୂପର ଚତୁରତା ଅନେକ ସମୟରେ ମୋତେ ବିସ୍ମୟାଭିଭୂତ କରେ । ମୁଁ ଭଲଭାବରେ ଜାଣେ ମୋର ପ୍ରକୃତ ପରିଚୟ ଧୂପକୁ ଅଜଣା ନାହିଁ; କିନ୍ତୁ ମୋ ବିଷୟରେ କୌଣସିଠାରେ ଗୋଟିଏ ଅକ୍ଷର ବି ବିରୁଦ୍ଧ ମତରୂପେ ସେ ଉଚ୍ଚାରଣ କରି ନାହିଁ । ବରଂ କେହି ଯେବେ କିଛି ମୋ ବିଷୟରେ କହେ ତେବେ ସେ ଏପରି ଜବାବ ଦିଏ ଯଦ୍ଦ୍ୱାରା ଦ୍ୱିତୀୟଥର ତା’ ଆଗରେ ମୋ ବିରୁଦ୍ଧରେ କିଛି କହିବା ତ ଦୂରର କଥା ଭୁଲ୍‌ରେ କେବେ କହିବାର ଚିନ୍ତା ବି କରିବ ନାହିଁ । ମୋର ବାସ୍ତବତା ଯାହାକି ଏପର୍ଯ୍ୟନ୍ତ ଅନ୍ଧକାରରେ ଅଛି ତାହା ଜୀବନ ସହିତ ମୋର କଥା ବାର୍ତ୍ତାରୁ ସବୁ ସେ ଶୁଣିଛି । ଏହା ଛଡ଼ା ଆଉ ଗୋଟାଏ ଘଟଣା ଘଟିଲା ଯାହା ଫଳରେ ସେ ପରିସ୍କାରଭାବେ ଜାଣିଲା ଯେ ମୁଁ ନୁହେଁ ପ୍ରକୃତ ସୁଶାନ୍ତ । ସୁଶାନ୍ତ ନାମରେ ଅଭିନୟ କରି ଯାଉଛି ଆଉ ଜଣେ କିଏ-। ସେ ହୋଇପାରେ ଦୁଷ୍ମନ୍ତ ନତୁବା ଆଉ କିଏ ।

 

ସେଦିନ ମୁଁ ବାହାରୁ ବୁଲି ଫେରି ଠିକ୍‌ ଘରର ପାହାଚ ଉପରେ ଗୋଡ଼ ଦେଇଚି, ଶୁଣିବାକୁ ପାଇଲି ଧୂପ କାହାକୁ ଜଣକୁ କହୁଛି ‘ଭାଇଙ୍କର ମଲାବେଳକୁ ତୁମେ କେଉଁଠି ଥିଲ’ ? ଗୋଟିଏ ପୁରୁଷ କଣ୍ଠରୁ ଶୁଭିଲା, ମୁଁ ଠିକ୍‌ ତା’ ପାଖ ଖଟିଆରେ ପଡ଼ିଥାଏ, ମୋର ଏ ହାତଟା କଟି ଯାଇଥାଏ । ଅଶେଷ ଯନ୍ତ୍ରଣା ପାଇ ସେଇଠି ପଡ଼ିଥାଏ । ହାତଟି କଟିଯିବା ସଙ୍ଗେ ସଙ୍ଗେ ଏଇପଟ ମୁହଁରେ ମାଡ଼ ବି ବାଜିଥାଏ । ତେଣୁ ମୁଁ ଉଠି ତା’ ପର୍ଯ୍ୟନ୍ତ ଯାଇ ପାରିବା ଅବସ୍ଥାରେ ମୋଟେ ନ ଥାଏ । ମୁଁ କେବଳ ଶୁଣୁଥାଏ ସେ ଶେଷବେଳେ କହୁଥାଏ ଘରକୁ ଯେପରି ମୋ ବିଷୟରେ ଜଣାଇ ଦେବ । ସେ ଏପରି ଦୁଇ ଚାରିଥର କହିବା ପରେ ଆଉ ମୁଁ ତା’ର ସ୍ୱର ଶୁଣିବାକୁ ପାଇଲି ନାହିଁ । କେଇଟି ମୁହୂର୍ତ୍ତ ପରେ ତା’ର ଖଟିଆଟିକୁ ଅନ୍ୟତ୍ର ନିଆଗଲା । ମୁଁ ଟିକିଏ ସୁସ୍ଥ ହେଲା ପରେ ବୁଝିଲି ସେ ଆଉ ନାହିଁ । ଆମକୁ ଛାଡ଼ି ଚାଲିଯାଇଛି । ମୁଁ ଭଲ ହୋଇ ଏଠାକୁ ଆସିଲାବେଳେ ତା’ର ବ୍ୟାଗ ଆଉ କେତେକ ବ୍ୟବହାର୍ଯ୍ୟ ଜିନିଷ ଯାହାକି ଦୁର୍ଘଟଣା ପରେ ସେଠାକାର କର୍ମକର୍ତ୍ତାଙ୍କଠାରୁ ଓ୍ୱାପସ୍‌ ପାଇଛି ନେଇ ଆସିଥିଲି । ସେ ସବୁ ମୋ ପାଖରେ ଅଛି । କାଲି ଆଡ଼କୁ ନେଇ ଆସିବି ।’’

 

ଧୂପ କଣ୍ଠରୁ ଶୁଣିଲି—‘‘ସେ କହୁଛି ଆଉ କିଛି ଆଣିବା ଆବଶ୍ୟକ ନାହିଁ । ତୁମେ ଏଠୁ ଶଘ୍ର ଫେରିଯାଅ । ମା’ କିମ୍ୱା ବାପୁ ତୁମକୁ କି ଶାସ୍ତି ଦେବେ ତା’ ମୁଁ ବର୍ତ୍ତମାନ ମୁହଁରେ କହି ପାରୁନି-। ଭାଇ ଯେ ଆଉ ଫେରିବ ନାହିଁ ଏ କଥା ସମସ୍ତେ ଭଲ ଭାବରେ ଜାଣିଛନ୍ତି । ପାଞ୍ଚବର୍ଷ ପରେ ତୁମେ ଫେରି ଆଉ ନୂଆ ସମ୍ବାଦ କିଛି ଦେଇ ପାରିବ ନାହିଁ । ବାପୁଜୀ ଖବର ନେଇ ଜାଣିଛନ୍ତି ତୁମେ ଓ ମିଟୁ ଦୁହେ ମିଶି ଭାଇକୁ ଶିଖାଇ ଦକ୍ଷିଣ-ଭାରତ ବୁଲି ଯାଇଥିଲ । ଏକା ଭାଇ ଯାଇ ନାହାନ୍ତି ମିଟୁ ମଧ୍ୟ ତାଙ୍କ ସଙ୍ଗରେ ଯାଇଛନ୍ତି । ଆଉ ବାକି ବଞ୍ଚିଛ ତୁମେ । ତୁମ ଭଳି ଲୋଫର ବଜାରିଙ୍କ ପାଇଁ ଏ ଦ୍ୱାର ସବୁଦିନପାଇଁ ବନ୍ଦ ରହିଛି । ତୁମେ ଶୀଘ୍ର ଏଠୁ ଫେରି ଯାଅ । ତୁମେ ଯେ ଏଠାକୁ ଆସିଛ ଏ କଥା ଯଦି କେହି ଜାଣି ପାରିବ ତେବେ ଆଉ ତୁମର ନିସ୍ତାର ନାହିଁ-। ହାଇଦ୍ରାବାଦ ଦୁର୍ଘଟଣାର ବଡ଼ବାପ ହାବୁଡ଼ରେ ପଡ଼ିଯିବ । ତୁମର ସବୁ କୀର୍ତ୍ତି ଆମକୁ ଜଣା ।’’

 

ପୁରୁଷ କଣ୍ଠରୁ ପୁଣି କ’ଣ ଅସ୍ପଷ୍ଟ କଥା ମୋତେ ଶୁଭିଲା । ତା’ପରେ ଧୂପ କହିଲା ଆଉ କିଛି କଥା ତୁମର ଶୁଣାଯିବ ନାହିଁ । ତୁମେ ଯାଉଛ ନା ମୁଁ ବାପୁଜୀଙ୍କୁ ଡାକିବି ? ଥରେ ପରା କହିଲି ତୁମ ଭଳି ବଜାର ଛତରାଙ୍କ ପାଇଁ ଏ ଦ୍ୱାର ସବୁଦିନପାଇଁ ବନ୍ଦ, ଆଉ କିଛି ବ୍ୟବସ୍ଥା ଚାହୁଛ ?

 

ମୁଁ ସବୁ ଶୁଣିଲି । ଘଟଣାଟା ମଧ୍ୟ ଅଛପା ରହିଲା ନାହିଁ ମୋତେ । ସେ ସମୟରେ ମୁଁ କ’ଣ କରିବି ଠିକ୍‌ କରି ପାରିଲି ନାହିଁ । ଭାବିଲି ଲୋକଟାକୁ ଲୁଚିଯିବା ଭଲ । ସେ ନ ଜାଣୁ ସୁଶାନ୍ତ ନାଁରେ ଆଉ ଜଣେ କିଏ ଏଠାରେ ଅଛି; କିନ୍ତୁ ତା’ ପର ମୁହୂର୍ତ୍ତରେ ମନରେ ଆସିଲା କାହିଁକି ସେ ଦେଖିଯାଉ, ଯେଉଁ ସୁଶାନ୍ତର ମୃତ୍ୟୁ ଖବର ଧରି ସେ ଆଜି ଧାଇଁ ଆସିଛି ସେହି ସୁଶାନ୍ତ ତା ସମ୍ମୁଖରେ । ସେ ତ ମଲାବେଳେ ଦେଖିନାହିଁ କିମ୍ବା ମଲା ପରେ ତା’ର ଶବ ସଂସ୍କାର କରି ନାହିଁ ଯେ ସେ ଜୋର୍‌ କରି କହିବ ଏ ସୁଶାନ୍ତ ନୁହେଁ । ମୁଁ ହଠାତ୍‌ ପଶିଗଲି ଭିତରକୁ । ତଳ ମହଲାର ସିଡ଼ି ପାଖରେ ସେ ଦୁହେଁ ଠିଆ ହୋଇଥାନ୍ତି । ଲୋକଟିର ଚେହେରାରୁ ବିଶେଷ କିଛି ଅଭଦ୍ରତାର ପରିଚୟ ମିଳୁ ନ ଥାଏ । ତା’ର ଡାହାଣ ହାତଟି କହୁଣିର ଟିକିଏ ଉପରୁ କଟିଯାଇଛି, ଆଉ ମଧ୍ୟ ଡାହାଣ ପଟ ମୁହଁଟା କିପରି ଗୋଟାଏ ଅପ୍ରାକୃତିକ ହୋଇ ଯାଇଥାଏ । ବେଶ୍‌ ଦାମିକା ପ୍ୟାଣ୍ଟ ସାର୍ଟ ପିନ୍ଧି ସେ ଠିଆ ହୋଇଛି ଧୂପ ଆଗରେ । ଧୂପର ମୁହଁ ରାଗରେ ଲାଲ ପଡ଼ି ଯାଇଥାଏ । ମୋତେ ଦେଖି ଧୂପ ଟିକିଏ ବିବ୍ରତ ହୋଇ ପଡ଼ିଲା; କିନ୍ତୁ ତା’ ପର ମୁହୂର୍ତ୍ତରେ ଦରଓ୍ୱାନ୍‌କୁ ଡାକି ହୁକୁମ ଦେଲା ଏ ଲୋକଟାକୁ ଆଉ ଦିନେ ଭିତରକୁ ଛାଡ଼ିବୁ ନାହିଁ

 

ଲୋକଟି ମୋତେ ଟିକିଏ ଆଶ୍ଚର୍ଯ୍ୟ ହୋଇ ଅନାଇଲା, ସେ କିଛି କହିବା ପୂର୍ବରୁ ଦରଓ୍ୱାନ ତା’ ଆଗରେ ଠିଆ ହୋଇ ସାରିଥାଏ । ସେ ଆଉ କାହାରିକୁ କିଛି ନ କହି ଫେରି ଚାଲିଲା ପଦାକୁ । ମୁଁ ମଧ୍ୟ କାହାରିକୁ କିଛି ନ କହି ଉପରକୁ ଉଠିଗଲି । ଧୂପ ମୋ ପଛେ ପଛେ ଗଲା; କିନ୍ତୁ ମୋତେ ପଦେ କିଛି ନ କହି ସେ ତା’ କୋଠରୀ ଭିତରକୁ ପଶିଗଲା । ମୁଁ ମୋ କୋଠରୀ ଭିତରକୁ ଯାଇ ପୋଷାକ ବଦଳାଇ ଚେୟାରଟି ଉପରେ ବସିରହି ଭାବିଲି—ଏହାପରେ ପୁଣି କେଉଁ ପର୍ବ ଆରମ୍ଭ ହେବ । ପୁଣି ମୋ ମନ ଭିତରକୁ ଅସରନ୍ତି ଭାବନା ମାଡ଼ି ଆସିଲା । ସେହି ଦୁଶ୍ଚିନ୍ତା ଭିତରେ କେତେବେଳେ ପର୍ଯ୍ୟନ୍ତ ମୁଁ ଯେ ଘୂରି ବୁଲୁଥିଲି ତାହା ମନେ ନାହିଁ । ମୋ ପଛରୁ କାହାର ଏକ ଦୀର୍ଘ ନିଃଶ୍ୱାସ ଶୁଣିବାକୁ ପାଇଲି । ପଛରେ କେତେବେଳେ ଆସି ଠିଆ ହୋଇଛି ଧୂପ । ହଠାତ୍‌ କାହିଁକି ମୁଁ ତା’କୁ ପଚାରି ଦେଲି ଘଟଣାଟା କ’ଣ ?

 

ସେ ଆଶ୍ଚର୍ଯ୍ୟ ମିଶା ଗୋଟାଏ ହସ ମୁହଁରେ ଖେଳାଇ କହିଲା ‘‘ଓ, ଏଇ ଫଣୀଭୂଷଣ କଥା ପଚାରୁଛନ୍ତି ?’’

 

ଫଣୀଭୂଷଣ କିଏ ତା’ ତ ମୁଁ ଜାଣିନି । କହିଲି ଏ ଯେଉଁ ହାତ ଖଣ୍ଡି ସୁଦର୍ଶନ ତରୁଣଟି ଆସିଥିଲେ ସେ କିଏ ?

 

ପୂର୍ବଭଳି ସେ କହିଲା ମୁଁ ତ ତା’ରି କଥା କହୁଥିଲି । ତା’ରି ଯୋଗୁ ତ ଭାଇ ମୋର ମଲା । ସେଇ ଟୋକା ଭାଇଙ୍କୁ ଶିଖେଇ ସାରା ଭାରତ ବୁଲିବାକୁ ନେଇଥିଲା ।

 

ଧୂପଠାରୁ ଏ ପ୍ରକାର କଥା ଶୁଣିବି ବୋଲି ମୁଁ ଆଶା କରି ନ ଥିଲି । ମୁଁ ଯେ ତା’ର ଭାଇ ନୁହେଁ ତାହା ସେ ନିଃସନ୍ଦେହଭାବେ ନ ଥିଲି । ମୁଁ ଯେ ତା’ର ଭାଇ ନୁହେଁ ତାହା ସେ ନିଃସନ୍ଦେହଭାବେ ଜାଣି ସାରିଛି । ଏହାପରେ ମୁଁ ଆଉ ତାକୁ କ’ଣ ଯେ କହିବି ତାହା ଭାବି ପାରୁ ନ ଥାଏ । ପ୍ରକୃତ ତାର ଭାଇ ମରିଛି ହାଇଦ୍ରାବାଦ ହସ୍‌ପିଟାଲ୍‌ରେ, କେଉଁ ନୈତିକତା ବଳରେ କହିବି-। ନାଁ ମୁଁ ତୁମର ଭାଇ ବଞ୍ଚିଛି । ମରିବାଟା ସୁଧୁ ମିଛ ।

 

ସେ ମୋ ମୁହଁର ଭାବ କେତେକ ପରିମାଣରେ ବୋଧେ ଅନୁମାନ କରିନେଲା । ତେଣୁ ସେ ଚଟ୍‌ କରି କହିଲା, ‘‘ବାପୁଜୀ ନିଃସନ୍ଦେହଭାବରେ ଜାଣିଛନ୍ତି ହାଇଦ୍ରାବାଦ ଦୁର୍ଘଟଣା ପରେ ହସ୍‌ପିଟାଲରୁ ଭାଇ କେଉଁଆଡ଼େ ହଠାତ୍‌ ଅଦୃଶ୍ୟହୋଇଗଲେ । ଅଦୃଶ୍ୟ ହେଲାବେଳେ ତାଙ୍କର ଅବସ୍ଥା ଭଲ ଥିଲା ଓ ସେ ଚାଲିବୁଲି ପାରୁଥିଲେ । କୁଆଡ଼େ ପଳାଇଲେ ତା’ର ସନ୍ଧାନ ଦୀର୍ଘ ଦିନ ଧରି ଅଛପା ରହିଲା । ଏହା ଯେ ମେଡ଼ିକାଲର ଚରମ ଅବହେଳା ଏଥିରେ ସନ୍ଦେହ ନାହିଁ । ତେଣୁ ବାଧ୍ୟ ହୋଇ ମରିଯାଇଛି ବୋଲି ଗୋଟାଏ ରିପୋର୍ଟ ଡାକ୍ତରଖାନା ଦେଇଛି ଓ ପୋଲିସ ମଧ୍ୟ ସେହି ରିପୋର୍ଟଟିକୁ ବାପୁଜୀଙ୍କ ପାଖକୁ ପଠାଇ ଦେଇଛି’’ ।

 

ସେ ଯେ କେବଳ ମୋତେ ଭୁଲାଇବାକୁ ମିଛ କଥା କହୁଛି ଏଥିରେ ମୋର ସନ୍ଦେହ ନ ଥାଏ । ତଥାପି କଥାଟାକୁ ଟିକିଏ ସରଳ କରିବାକୁ ମୁଁ କହିଲି ତାହାହେଲେ ତୁମେ ସବୁ କ’ଣ କହୁଛ ତୁମର ସେହି ପଳାତକ ଭାଇଟି ହେଉଛି ମୁଁ । ଯାହାକୁ କି ହାଇଦ୍ରାବାଦଠାରୁ ହଜାର ମାଇଲ୍‍ରୁ ଊର୍ଦ୍ଧ୍ୱ ଦୂର ଓଡ଼ିଶାରୁ ବାପୁଜୀ ପାଇଥିଲେ ?

 

ସେ ହସି ହସି କହିଲା, ‘ଦୁର୍ଘଟଣାରେ ତୁମର ସ୍ମରଣ ଶକ୍ତି ଲୋପ ପାଇ ଯାଇଛି ବୋଲି ଆମର କ’ଣ ଆଖି ଖରାପ୍‌ ହୋଇ ଯାଇଛି’ ?

 

ସେ ବିଷୟରେ ଅଧିକା ଘାଣ୍ଟିବା ବୁଦ୍ଧିମାନ୍‌ ପରିଚୟ ନୁହେଁ ଭାବି ମୁଁ ନୀରବ ରହିଲି । ସେ ସେହିପରି ମୋ ପଛପଟରେ କିଛି ସମୟ ଠିଆ ହୋଇ ତା’ ପରେ ଧୀରେ ଧୀରେ ବାହାରକୁ ବାହାରି ଚାଲିଗଲା ।

 

ମୁଁ ଆଉ ସେ ଦିନ ସେ ବିଷୟରେ କିଛି ଚିନ୍ତା କରିନି, ତହିଁଆର ଦିନ ଜୀବନ ପାଖକୁ ଗଲି ଏ ବିଷୟରେ କିଛି ପରାମର୍ଶ କରିବାକୁ । କିନ୍ତୁ ଜୀବନକୁ ପାଇଲି ନାହିଁ । ହୁଏତ ସେ ଗାୟତ୍ରୀ ଘରଆଡ଼େ ଯାଇଥିବ କିମ୍ବା ଅନ୍ୟ କୁଆଡ଼େ ଯାଇଥିବ । ତା’ର ଦେଖା ମିଳିବା ଏତେ ସହଜ ନୁହେଁ-। ତେଣୁ ବାଧ୍ୟ ହୋଇ ଫେରି ଆସିଲି; ମୁଁ ଜାଣେ ଧୂପ ଯେତେ ବୋକୀ ଭଳି ବାହାରକୁ ଦେଖାଯାଏ ପ୍ରକୃତରେ ସେ ସେତେ ବୋକୀ ନୁହେଁ । ଯାହା ଆଗରୁ ଥିଲା ତାହା ଏହି ଦୁଇବର୍ଷ ଭିତରେ ଅସମ୍ଭବଭାବରେ ପରିମାର୍ଜିତ ହୋଇ ପାରିଛି, ଲୋକଙ୍କ ସହିତ କିପରି ବ୍ୟବହାର କରାଯାଏ ତାହା ମୁଁ ତା’କୁ ପ୍ରତି କଥାରେ ଶିଖାଇଛି । ମୁଁ ଯେଉଁଠୁ ଯାହା ଦେଖି ଆସିଲି ଏବଂ ତାହା ଭଦ୍ରତା ବୋଲି ମୋର ମନରେ ଧାରଣା ଆସିଲା; ମୁଁ ତାହା ଧୂପ ଓ ଇରାକୁ ଶିଖାଇବାକୁ ଭୁଲିନି । ଇରାଟା ତ ଟିକି ପିଲାଟାଏ । ପୁଣି ମା’ ତା’କୁ ଅସମ୍ଭବ ଭାବରେ ଗେହ୍ଲା କରନ୍ତି; ତେଣୁ ସେ ମୋ କଥା ଶିଖୁଛି କେଉଁଠୁ ? ଅବଶ୍ୟ କେତେକଟା ଶିଖେ । ଧୂପ ପ୍ରାୟ ମୋ କଥା ମାନିବାକୁ ଚେଷ୍ଟା କରେ ।

 

ଗତ ଦିନର ଘଟଣାକୁ ଧୂପ କିପରି କାହା ପାଖରେ କ’ଣ ପରିବେଷଣ କଲା ତାହା ଜାଣିବା ମୋର ପ୍ରଥମ କର୍ତ୍ତବ୍ୟ ବୋଲି ଭାବିଲି । ସରସ୍ୱତୀ ବାବୁଙ୍କପାଇଁ ଚିନ୍ତା ନାହିଁ । ସେହି ତ ମୋତେ ଏ ରଙ୍ଗାଳୟରେ ତାଙ୍କ ପୁଅ ପରି ଅଭିନୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି; କିନ୍ତୁ ପ୍ରୀତି ଦେବୀଙ୍କ କଥା ଅଲଗା । ତାଙ୍କ ଭାଇ ଲାଲା ଗିରିଜାଶଙ୍କର ବରାବର ଚେଷ୍ଟିତ ଥାନ୍ତି କିପରି ମୋତେ ଦିଆଳି ମାଗୁଣିଆ କରେଇ ତାଙ୍କ ପୁଅରୁ ଗୋଟିକୁ ଥାପିବେ ସରସ୍ୱତୀ ବାବୁଙ୍କ ଘରେ । ତେଣୁ ପ୍ରୀତି ଦେବୀଙ୍କ ମନ କଥା ବୁଝିବାକୁ ଚାଲିଲା ଚାଲିଲା ହୋଇ ତାଙ୍କ କୋଠରୀ ଆଡ଼େ ଗଲି-। ଇରା ଯାଇଥାଏ ପଢ଼ିବାକୁ । ଧୂପ ଶୋଇଥାଏ ତାଙ୍କ ଖଟରେ । ମୁଁ କାହିଁ ପ୍ରୀତି ଦେବୀଙ୍କ ସେ ଘରେ ଦେଖିବାକୁ ପାଇଲି ନାହିଁ । ଅବଶ୍ୟ ମୁଁ ଭଲଭାବେ ସେ ଘରଭିତରକୁ ଲକ୍ଷ୍ୟ କରିନି-। ମୁଁ ତାଙ୍କ କୋଠରୀଟି ଅତିକ୍ରମ କରିବାକୁ ବସିଛି ପ୍ରୀତି ଦେବୀଙ୍କ କଣ୍ଠ ସେ ଘର ଭିତରୁ ଶୁଣିଲି-। ସେ ମୋତେ ଡାକି ବାକୁ ଧୂପକୁ କହୁଥିଲେ । ବୋଧେ ସେ ବାଟଦେଇ ଗଲାବେଳେ ଦେଖି ପାରିଛନ୍ତି ମୋତେ ।

 

ଧୂପ ଡାକରେ ମୁଁ ସେ କୋଠରୀ ଭିତରକୁ ଗଲି । ବଡ଼ ଧରଣର ଖଟିଟିଏ ସେ ଘରେ ପଡ଼ିଥାଏ । ତା’ର ଗୋଟିଏ କଡ଼କୁ ଖଣ୍ଡେ ଚେୟାର ଓ ଡ୍ରେସିଂ ଟେବ୍‌ଲୁଟି ଥାଏ । ମୁଁ ବସି ପଡ଼ିଲି ସେହି ଚେୟାର ଉପରେ । ପ୍ରୀତି ଦେବୀ ସେ ଘରର ପୂର୍ବ ପଟକୁ ଥିବା ଆଲମିରାରୁ କିଛି ଉଲ୍‌ ବାହାର କରୁଥିଲେ ଗୋଟାଏ କ’ଣ ବୁଣିବାକୁ । ମୁଁ ବସିଲା ପରେ ପୁଳାଏ ଉଲ୍‌ ଦୁଇଟା କ୍ରୁଶ୍‌ ସହିତ ଫେରି ଆସିଲେ ସେହି ଖଟଟି ଉପରକୁ । ମୁଁ ଭଲ ଭାବରେ ଲକ୍ଷ୍ୟ କଲି ତାଙ୍କୁ, ତାଙ୍କ ମୁହଁରେ ବିରକ୍ତିର କୌଣସି ଭାବ ନ ଥାଏ । ଟିକିଏ ଆସ୍ୱସ୍ତ ହେଲି ମୁଁ ।

 

ସେ ମୋତେ କହିଲେ, ‘ସେ ଦିନ ଯେଉଁ ବହିଟା ପଢ଼ୁଥିଲୁ ସେଇଟା ତ ସରିନି’ । ତାଙ୍କ କଥା ସରିବା ପୂର୍ବରୁ ଧୂପ ଧାଇଁଗଲା ମୋ କୋଠରୀକୁ । ମୋ ଆଲମିରା ଭିତରୁ ବଙ୍କିମ ବାବୁଙ୍କ ‘ଆନନ୍ଦ ମଠ’ ଉପନ୍ୟାସଟି ଧରି ଫେରି ଆସିଲା । ପ୍ରୀତି ଦେବୀ ଭଲଭାବେ ବଙ୍ଗଳା ବୁଝି ପାରନ୍ତି ନାହିଁ । ତେଣୁ ବଙ୍ଗଳା ଭାଷାକୁ ହିନ୍ଦୀରେ ତର୍ଜମା କରି ତାଙ୍କୁ ବୁଝାଇବାକୁ ପଡ଼େ । ଚାରି ଛ ଦିନେ ଥରେ ଥରେ ତାଙ୍କୁ ଗୋଟିଏ ଗୋଟିଏ ଉପନ୍ୟାସ ପ୍ରାୟ ପଢ଼ି ଶୁଣାଏ । ଶୁଣୁ ଶୁଣୁ ସେହି ଖଟ ଉପରେ କେତେବେଳେ ସେ ଶୋଇ ପଡ଼ନ୍ତି । ତାଙ୍କ ଶୋଇଲା ପରେ ମୁଁ ଫେରି ଯାଏ ମୋ କୋଠରୀକୁ ।

 

ସେ ତାଙ୍କ ଖଟଟି ଉପରେ କଡ଼େଇ ହୋଇ ଶୋଇ ଉଲ୍‌ ପୁଳାକ ବୁଣୁଥାନ୍ତି । ଧୂପ ଶୋଇଥାଏ ତାଙ୍କରି ପାଖରେ, ମୁଁ ପଢ଼ୁଥାଏ ଉପନ୍ୟାସଟି । ବଙ୍ଗଳା ଭାଷାକୁ ହିନ୍ଦୀରେ ତର୍ଜମା କରି ବୁଝାଉଥାଏ । ମୁଁ ଅବଶ୍ୟ ଆଗରୁ ସେ ବହିଟିକୁ ପଢ଼ି ସାରିଥାଏ । ତଥାପି ପ୍ରୀତି ଦେବୀଙ୍କୁ ଶୁଣାଇବାକୁ ମୋ ମନରେ ଦ୍ୱିଧା ନ ଥାଏ । ସେ ଦିନ ଖୁବ୍‌ ଗରମ ହେଉଥାଏ, ଇଲେକ୍‌ଟ୍ରିକ୍‌ ପଙ୍ଖାଟି ଚାଳିଥାଏ ଅବିରାମ ଗତିରେ । ପ୍ରାୟ ଘଣ୍ଟାଏ ଖଣ୍ଡେ ବହିଟି ପଢ଼ିଲା ପରେ ଦେଖିଲି ପ୍ରୀତି ଦେବୀ ଶୋଇ ଗଲେଣି । ତାଙ୍କ ହାତରୁ ଗୋଟିଏ କ୍ରୁଶ ଖଟ ଉପରେ ପଡ଼ିଗଲାଣି । ଅନ୍ୟଟି ହାତରୁ ଖସି ପଡ଼ିବାପାଇଁ ଥୋଡ଼ାଏ ପଦାକୁ ବାହାରି ଆସିଛି । ମୋରି ଚେୟାର ପାଖକୁ ଲାଗି ଧୂପ ବି ଖଟ ଉପରେ ଶୋଇ ପଡ଼ିଛି । ତା’ର ସେହି ଶୋଇବା ଅବସ୍ଥାରେ ତନ୍ଦ୍ରା ଜଡ଼ିତ ମୁଖଟି ଖୁବ୍‌ ଲୋଭନୀୟ ଦିଶୁଥାଏ ।

 

ତା’ର ଗୋରା ତକ୍‌ ତକ୍‌ ମୁହଁରେ ହୀରା ଖଣ୍ଡ ପରି ବିନ୍ଦୁ ବିନ୍ଦୁ ଝାଳ ଜକେଇ ଆସିଥାଏ-। ନିଖୁଣ ଶିଳ୍ପୀ ହସ୍ତର ତତ୍ପରତା ଉମାଙ୍କ ଚକ୍ଷୁ ପରି ତାର ଚକ୍ଷୁ ଦୁଇଟି ମୁଦ୍ରିତ ଇଲେକ୍‌ଟ୍ରିକ ପଙ୍ଖାର ପବନ ଜୋର କରି ତା ବକ୍ଷ ଦେଶରୁ ହଳଦିଆ ଶିଲ୍‌କ ଶାଢ଼ିଟିକୁ ଖସାଇ ନେଉଥାଏ । ଚିତ୍‌ ହୋଇ ଶୋଇଥିବା ହେତୁ ଛାତିର ସ୍ପନ୍ଦନ ବେଶ୍‌ ଜଣା ପଡ଼ୁଥାଏ । ମେଘୁଆ ରଙ୍ଗର ବ୍ଲାଉଜ୍‌ ଉପରେ ହୀରା ଲକେଟ ଦିଆ ସୁନା ହାରଟି ଅଯତ୍ନଭାବରେ ପଡ଼ିଥାଏ । ମୁଁ ଅନେକ ଥର ତା’ର ଚେତନ ଓ ଅଚେତନ ଅବସ୍ଥାରେ ତାକୁ ଦେଖିଛି । ମୁଁ କେବେ ଅନୁଭବ କରି ନାହିଁ, ତା’ ପ୍ରତି ଦୁର୍ବଳତା-। ହୋଇପାରେ ସେ ଯେତେବେଳେ ଜାଣି ସାରିଛି ମୁଁ ତା’ର ପ୍ରକୃତ ଭାଇ ନୁହେଁ । ସେତେବେଳେ ତା ପ୍ରତି ପୂର୍ବର ସେ ପବିତ୍ରଭାବ ଆସିବ କେଉଁଠୁ; ମୋ ଜୀବନରେ ସେତେବେଳେ ଥିଲା ଗୋଟାଏ ଘଡ଼ିସନ୍ଧି ବେଳ । ସେହି ଦୁର୍ବଳ ମୁହୂର୍ତ୍ତଟି ସବୁଦିନପାଇଁ ମୋତେ ଦୁର୍ବଳ କରିବାକୁ ବୋଧେ ପ୍ରସ୍ତୁତ ହୋଇ ଆସିଥିଲା ।

 

ପ୍ରକୃତରେ ସେ ଦିନ ତା’ର ସୌନ୍ଦର୍ଯ୍ୟ ମୋ ଜୀବନରେ ଗୋଟାଏ ନୂତନ ରେଖାପାତ କଲା । ସେହି ଅଦୃଶ୍ୟ ରେଖା କ୍ରୁରଫଣୀ ପରି ମନ-ଗର୍ଭର ପ୍ରବେଶ କରି ମୋର ସମସ୍ତ ସାଧନା, ସଂଯମ ବିଚାରକୁ ଦଂଶନ କରୁଥିଲା । ତା’ର ସେହି ସୁନ୍ଦର ମୁଖ ମଣ୍ଡଳରେ ଡାହାଣ ହାତର ପାପୁଲିଟିକୁ ବୁଲାଇ ଆଣିଲି । ହାତଯାକ ଝାଳ ହୋଇ ଗଲା, । ମୁଁ ମୋର ପିନ୍ଧିଥିବା ମର୍ଶରାଇଜ୍ଡ଼୍‌ ଲୁଗା କାନିରେ ତା’ର ଝାଳୁଆ ମୁହଁଟିକୁ ପୋଛି ଦେଲି ! ମୋତେ କାହିଁକି ଆହୁରି ଭଲ ଦିଶିଲା ସେ-। ତନ୍ଦ୍ରାବିଜଡ଼ିତ ତା’ର ସେ ନାଗନିନ୍ଦିତ ନିଥର ହାତ ଦୁଇଟିକୁ ମୁଁ ମୋ ଦୁଇ ହାତରେ ତୋଳି ଧରିଲି-। ସେହି ହାତରପରଶ ମୋର ଥରିଲା ହାତ ଭିତରେ ଢାଳି ଦେଲା ଉତ୍ତେଜନାର ଉଷ୍ଣତା-। ମୁଁ ଅନୁଭବ କରୁଥିଲି ଯେମିତି ମୁଁ ମୋର ସମସ୍ତ ଧୈର୍ଯ୍ୟ ହରାଇ ବସୁଛି କ୍ଷଣକ ଭିତରେ-। କେତେ କୁଆଡ଼ୁ କ’ଣ ଭାବନା ସାରା ମନଟାକୁ ବିଭ୍ରାନ୍ତ କରି ଦେଲା । ମୁଁ ଉନ୍ମାଦ ହୋଇ ଉଠୁଥିଲି ଆଉ ମୋର ଉଚ୍ଛଳ ଯୌବନ ଯେମିତି ମୋତେ ବାଧ୍ୟ କରୁଥିଲା ତା’ର ସେହି ସୁକୋମଳ ଦେହଟିକୁ ମୋର ଶକ୍ତ ବାହୁରେ ଭିଡ଼ି ଧରିବାକୁ । ମୁଁ ଖୋଜୁଥିଲି ହୃଦୟ ସହିତ ହୃଦୟର ମିଳନ । ଦିନକପାଇଁ ନୁହେଁ, ମାସକପାଇଁ ନୁହେଁ, ଯୁଗ ଯୁଗପାଇଁ ।

 

ଆମର ମିଳନକୁ ହୁଏତ ସମାଜ ସ୍ୱାଗତ କରିବ ନାହିଁ, କ୍ଷତି କ’ଣ ? ମଣିଷ ଗଢ଼ିଛି ଏଇ ସମାଜ, ସେହିପରି ଆମେ ଦୁଇଜଣ ମିଶି ଗଢ଼ିବୁ ଆଉ ଗୋଟିଏ ସମାଜ । ସହର ଜନପଦ ହୁଏତ ସ୍ଥାନ ଦେବ ନାହିଁ ଆମ ଦୁଇଜଣଙ୍କୁ ! ସେଥିପାଇଁ ଭୟ କାହିଁକି ସବୁ ଛାଡ଼ି ଶ୍ୱାପଦସଙ୍କୁଳ ସେହି ବିରାଟ ଅରଣ୍ୟରେ ଆମେ ରଚିବୁ ଆମର ନୀଡ଼ । ଇଭ୍‌ ଓ ଆଦମ୍‌ ପରି ଦୁଇଟି ପ୍ରାଣୀ ଘୂରି ବୁଲିବୁ ସେହି ନିର୍ଜନ ଜଙ୍ଗଲରେ । ଏହିପରି କେତେ କ’ଣ ବିକଳ୍ପ ଚିନ୍ତା ଭିତରେ ମୁଁ କେତେବେଳେ ତା’ ଖଟ କଡ଼କୁ ଚାଳି ଗଲିଣି ତାହା ଜଣା ନାହିଁ । ଅସରନ୍ତି କଳ୍ପନା ଭିତରେ ମୁଁ ତା’ର ଦୁଇ ବାହୁ ଉପରେ ହାତ ରଖି ଆସ୍ତେ ଭିଡ଼ିଆଣିଲି ମୋରି ଆଡ଼କୁ । ନିମୀଳିତ ଆଖିପତା ଉପରେ ତା’ର ଗୋଟିଏ ତୃପ୍ତିର ହସ ଖେଳିଗଲା । ସେ ହସଟି ମୋ ଭିତରର ଉତ୍ତେଜନାକୁ ଅସହ୍ୟ କରି ଦେଉଥିଲା । ତା’ର କ୍ଷଣକପାଇଁ ଆଖିପତା ଦୁଇଟି ଅଳ୍ପ ଟିକିଏ ମେଲା ହୋଇଗଲା । ସେହି ଅଧା ଖୋଲା ଆଖିର ସୌନ୍ଦର୍ଯ୍ୟ ମୋତେ ଦୁର୍ବଳତାର ଗଭୀର କୂପଭିତରୁ ଟାଣିନେବାକୁ ନିମନ୍ତ୍ରଣ କରୁଥିଲା । ଠିକ୍‌ ଏତିକିବେଳେ ସିଡ଼ି ତଳୁ ଇରାର ପାଟି ଶୁଭିଲା । ଚଟ୍‌ କରି ପୂର୍ବପରି ତାକୁ ତା’ ବିଛଣାରେ ଶୁଆଇ ଦେଇ ଫେରିଗଲି ମୁଁ ମୋ କୋଠରୀକୁ ।

 

ଚିତ୍‌ ହୋଇ ମୁଁ ମୋ ଖଟଟି ଉପରେ ଶୋଇ ପଡ଼ିଲି । ଛାତିରେ ଅସମ୍ଭବ ସ୍ପନ୍ଦନ । କମି ଆସୁଥାଏ କାମନା-ମଦର ନିଶା । ନିଶା ଯେତିକି କମୁଥାଏ ସେତିକି ଘୃଣା ଆସୁଥାଏ ନିଜ ପ୍ରତି । ମନ ହେଉଥାଏ ସେହି ମୁହୂର୍ତ୍ତରେ ଧାଇଁ ଯିବି ଗଙ୍ଗାକୂଳକୁ । କିଛି ନ ବିଚାରି ତା ଗର୍ଭକୁ ଡେଇଁ ପଡ଼ିବି । ଅବସାନ ହୋଇଯିବ ସବୁ ଦୁଃଖ ଗ୍ଲାନି । ମାନବର ଅବତାର ନେଇ ପଶୁପ୍ରବୃତ୍ତିକୁ ହୃଦୟରେ ପୋଷଣ କରିବାଠାରୁ ଆଉ ବଡ଼ ଅପରାଧ କ’ଣ ଥାଇ ପାରେ ? ହଠାତ୍‌ ମୋର ଦୃଷ୍ଟି ପଡ଼ିଲା କାନ୍ଥରେ ଟଙ୍ଗା ହୋଇଥିବା ପାର୍ଥ ସାରଥି ଫଟୋ ଉପରେ । ଅର୍ଜ୍ଜୁନ ରଥରୁ ଓହ୍ଲାଇ କୃଷ୍ଣଙ୍କ ପାଦ ପ୍ରାନ୍ତରେ ବସିଛି । ଭଗବାନ କୃଷ୍ଣ ଦକ୍ଷିଣ ହସ୍ତର ତର୍ଜନୀରେ ନିର୍ଦ୍ଦେଶ ଦେଉଛନ୍ତି ଉଠ !

 

ଭଗବାନ କୃଷ୍ଣ ! ସେ ଭଗବାନ ହୋଇ ଜନ୍ମ ନେଇ ନ ଥିଲେ । କର୍ମ ତାଙ୍କର ତୋଳିଛି ତାଙ୍କୁ ଭଗବାନ ରୂପରେ । ଦ୍ୱାରକାର ବାସ୍ତବ କ୍ଷତ୍ରୀୟ ଯଦୁ ବଂଶର ଅଂଶଜ କୃଷ୍ଣ କଂସ ଭୟରେ ଆଶ୍ରୟନେଲେ ଗୋପରେ । ଜାତି କୂଳ ଗୋତ୍ର ସବୁ ବିସ୍ମରଣ କରି ସେଠାରେ ରଚିଲେ ଲୀଳା । ତାଙ୍କର ଅପରୂପ ସୌନ୍ଦର୍ଯ୍ୟରେ ମୋହିତ ହେଲା ଗୋପିକା ରାଧା । କୃଷ୍ଣଙ୍କ ବେଣୁ ରାଧିକା । ଅନ୍ତରରେ ପ୍ରେମର ବହ୍ନି ଜାଳିଲା । ରାଧା ହେଲା ଦୋଚାରୁଣୀ । ଏ କ’ଣ ସେହି କୃଷ୍ଣ ?

 

ପାର୍ଥ ଓ ତାଙ୍କ ସାରଥିଙ୍କ ଚିତ୍ରକୁ ଶିଳ୍ପୀ ଖୁବ୍‌ ବଡ଼ କରି ଆଙ୍କିଛି, ଆଉ ତା’ ଫଟର ଚାରି ପାଖରେ ଗୀତାର ବିଭିନ୍ନ ଅଧ୍ୟାୟର ଉକ୍ତିଗୁଡ଼ିକୁ ଛୋଟ ଛୋଟ ଚିତ୍ରରେ ଦର୍ଶାଯାଇଛି । ବିଷାଦଗ୍ରସ୍ତ ଅର୍ଜ୍ଜୁନଙ୍କ ଧନୁଶର ତ୍ୟାଗଠାରୁ ଆରମ୍ଭ କରି କର୍ମଯୋଗ, ଜ୍ଞାନଯୋଗ, ସନ୍ନ୍ୟାସଯୋଗ ଆଦି ଅଠରଟି ଚିତ୍ରରେ ଅଠରଟି ବିଷୟକୁ ଦର୍ଶାଇବାକୁ ଶିଳ୍ପୀ ଚେଷ୍ଟା କରିଛି ।

 

ପରକୀୟାର ସମ୍ରାଟ କୃଷ୍ଣ, ଭଗବାନ ହେଲେ, ଆଉ ମୁଁ କାହିଁକି ଏତେ ବ୍ୟସ୍ତ ହେଉଛି-? ଅନେକାଂଶରେ ମୋ ନିଜ ଯୁକ୍ତିରେ ନିଜେ ବୁଝିଗଲି । ଠିକ୍‌ ଏତିକିବେଳେ ଶୁଣିବାକୁ ପାଇଲି ଧୂପ ତା’ କୋଠରୀଟିରେ ବୋଲିବାକୁ ଆରମ୍ଭ କରି ଦେଇଛି ଗୋଟିଏ ଗୀତ । ଧୂପକୁ ଯେ ଭଲ ଗୀତ ବୋଲି ଆସେ ତାହା ମୋର ଆଗରୁ ଧାରଣା ନ ଥିଲା । ସ୍ୱରଟି ବେଶ୍‌ ସୁନ୍ଦର ଶୁଭୁଥାଏ-! କାନ ଡେରି ଗୀତଟିକୁ ଶୁଣିବାକୁ ଚେଷ୍ଟା କଲି । ଗୀତଟି ଏକ ବିରହିଣୀର । ମୋର ମନେ ହେଲା କେଉଁ ଏକ ଅଗ୍ନାଅଗ୍ନି ବନସ୍ତରେ ପ୍ରିୟ ତା’ର ନିଖୋଜ ହୋଇଯାଇଛି । ଆଉ ପ୍ରିୟା ବିରହରେ ବାହୁ ତୋଳି ଆହ୍ୱାନ କରୁଛି—‘‘ତୁମେ ଫେରି ଆସ । ବୁଢ଼ୀ ମା ଭାଷାରେ କହିବାକୁ ଗଲେ ରୂପନଗରୀର ରାଜକନ୍ୟା ଏମିତି କାନ୍ଦୁଛି ଯେ ଗଛରୁ ପତର ଝଡ଼ ପଡ଼ିବ ।

 

ଧୂପର ବିରହ ଗୀତ କାହାପାଇଁ ! କ’ଣ ମୋ ପାଇଁ !

 

ମନେ ପଡ଼ିଲା ପଣ୍ଡିତଙ୍କ କଥା । ତାହାହେଲେ ମୋ ଜୀବନର ସେ ନାୟିକା କ’ଣ ଏଇ ଧୂପ ? ଯଦି ତାହା ହିଁ ହୁଏ....ଆଉ ଭାବିବାକୁ ସାହସ ହେଲା ନାହିଁ; କିନ୍ତୁ ଦିନେ କୋଟି କୋଟି ମୁଣ୍ଡ ମୋ ପାଦତଳେ ନଇଁ ପଡ଼ିବ ପଣ୍ଡିତଙ୍କର ଏ କଥାଟି ମୋତେ ଅଭିଭୂତ କରିଦେଲା । ପାଗଳଙ୍କ ପରି ହସି ଉଠିଲେ ଜୋର୍‌ରେ । ତାଚ୍ଛଲ୍ୟର ହସ ସେ । ହୁଏତ ଆଉ କେତେ ସମୟ ସେହିପରି ହସିଥାନ୍ତି । କିନ୍ତୁ ହଠାତ୍‌ ମୋ କୋଠରୀ ଭିତରକୁ ପ୍ରବେଶ କଲା ଜୀବନ । ମୁଁ ତା’କୁ କିଛି କହିବା ପୂର୍ବରୁ ସେ ଆଶ୍ଚର୍ଯ୍ୟ ହୋଇ କହିଲା କିରେ ଏକା ଏକା କ’ଣ ପାଗଳଙ୍କ ପରି ହସୁଛୁ ?

 

ଜୀବନ କାହିଁକି ଟିକିଏ ବିମର୍ଷ ଦେଖାଯାଉଥାଏ । ମୁଁ ତାକୁ କିଛି ଉତ୍ତର ଦେବା ପୂର୍ବରୁ ପଚାରିଲି କିରେ କ’ଣ ତୋର ହୋଇଛି । ଟିକିଏ ଭାଙ୍ଗିପଡ଼ିଲା ପରି କାହିଁକି ଦେଖାଯାଉଛୁ ? ସେ ଚେୟାରରେ ନ ବସି ମୋରି ପାଖରେ ଖଟଟି ଉପରେ ବସି ପଡ଼ିଲା । ତା’ର ବସିବାରେ ମଧ୍ୟ କିପରି ଗୋଟାଏ ହତୋତ୍ସାହ ଭାବ ଲାଗି ରହିଥାଏ ।

 

ସେ କହିଲା ସୁଶାନ୍ତ ତୁ ବୁଢ଼ାବୁଢ଼ୀଙ୍କର ଗପ ଶୁଣିଛୁ । ତା’ କହିବାର ଅର୍ଥ ବୁଝି ପାରିଲି ନାହିଁ । ଟିକିଏ ପ୍ରଶ୍ନବାଚକ ଆଖିରେ ତାକୁ ଅନାଇଲି । ସେ କହିଲା ଥରେ ଗୋଟିଏ ଅପ୍‌ସରା ସ୍ୱର୍ଗରୁ ମର୍ତ୍ତକୁ ଓହ୍ଲାଇ ଆସି ଏକ ପଠନରତ ଋଷିକୁମାର ପାଖରେ ପହଞ୍ଚିଲା । ତା’ର ସୁମିଷ୍ଟ କଥା, ସୁନ୍ଦର ବ୍ୟବହାର, ଧୀର ଚାଲି, ମନମତାଣିଆ ଚେହେରା ଆଦିରେ ଋଷିପୁତ୍ର ତା’ ସହିତ ମିଳାମିଶା କରିବାକୁ ଆଗେଇ ଗଲା । ଅନେକ ଦିନ ମିଳାମିଶାପରେ ଅପ୍‌ସରା କହିଲା ତୁମର ବ୍ୟବହାର, ଚାଲିଚଳନ ମୋର ଖୁବ୍‌ ପସନ୍ଦ ହୋଇଛି । ମୁଁ ଯଦି ଏଇଠି ତୁମ ପାଖରେ ରହିଯାନ୍ତି ତେବେ ତୁମର କ’ଣ କ୍ଷତି ହୁଅନ୍ତା ? ତା’ର ଏ କଥାରେ ଋଷିପୁତ୍ର ଖୁବ୍‌ ଖୁସି ହେଲେ । ତାଙ୍କ ମନହେଲା ଏହାଠାରୁ ତାଙ୍କ ଜୀବନରେ ଅଧିକ କିଛି ସୌଭାଗ୍ୟ ମିଳିବ ନାହିଁ । ଦିନପରେ ଦିନ ରାତିପରେ ରାତି ଏହିପରି ଅନେକ ଦିନ ଦୁହେଁ ଏକାଠି ରହିଲେ । ଋଷିପୁତ୍ରଙ୍କର ସମସ୍ତ ଆଶା, କଳ୍ପନା ଠୁଳ ହେଲା ସେହି ଅପ୍‌ସରାକୁ ଉଦ୍ଦେଶ୍ୟ କରି ଭୁଲିଗଲେ ତାଙ୍କର ଧର୍ମ, କର୍ମ ସବୁକିଛି । ଅନେକଦିନ ପରେ ସେ କାହିଁକି ଅନୁଭବ କଲେ ଅପ୍‌ସରାର ସେ ପୂର୍ବ ସ୍ନେହ ଆଉ ନାହିଁ । ଧୀରେ ଧୀରେ କମି କମି ଆସୁଛି । ତା’ ପରେ ସେ ଦେଖିବାକୁ ପାଇଲେ ଅପ୍‌ସରା ଅଭିସାରିକା ବେଶରେ ବେଳେ ବେଳେ କୁଆଡ଼େ ଚାଲିଯାଉଛି । ତା’ପରେ ସେ ଅନୁଭବ କଲେ ଅପ୍‌ସରାର ବାହୁ ମୂଳରେ ଏକ ପକ୍ଷ ଅଛି । ଯାହା କି ତାକୁ ଉଡ଼େଇ ନେଉଛି ତା’ରି ଭଳି କେତେ କୁମାରଙ୍କ ପାଖକୁ ।

 

ଜୀବନ କହୁ କହୁ ରହିଗଲା । ମୁଁ ପଚାରିଲି ତା’ପରେ କ’ଣ ହେଲା କହୁନୁ ? ଅପ୍‌ସରା କ’ଣ ସେ ଋଷିକୁମାରଙ୍କ ପାଖରୁ ଆଉ କାହାପାଖକୁ ଉଡ଼ିଗଲା ?

 

ସେ ପୁଣି ଅସମ୍ପୂର୍ଣ୍ଣ କଥାଟି ଆରମ୍ଭ କରି କହିଲା ନା ଉଡ଼ି ଯାଇ ନାହିଁ । ଉଡ଼ି ଯାଇଥିଲେ ହୁଏତ ଋଷିପୁତ୍ର କିଛି ସମୟ ତା’ର ଗୁଣଗୁଡ଼ିକୁ ମନେକରି ବ୍ୟସ୍ତ ହେଉଥାନ୍ତେ । ସେ ଉଡ଼ି ନ ଯାଇ ତାଙ୍କ ଉପସ୍ଥିତିରେ ତାଙ୍କୁ ଛାଡ଼ି ଅନ୍ୟ ସାଥିରେ ମିଳାମିଶା କରିବା ଦ୍ୱାରା ଋଷିପୁତ୍ରଙ୍କର କ୍ରୋଧ ଆସିଲା । ସେ ମନେକଲେ ଚିରଦିନପାଇଁ ଅପ୍‌ସରାକୁ ଅଥର୍ବ ବା ପଙ୍ଗୁ କରିଦେବେ କିମ୍ୱା ଏପରି ସେ କରିବେ ଯାହାଦ୍ୱାରା ପ୍ରଜାପତି ଭଳି ଅପ୍‌ସରା ଯାହା ପାଖକୁ ଉଡ଼ି ଯାଉନା କାହିଁକି କେହି ଆଉ ତାକୁ ଆଦର କରିବେ ନାହିଁ । ବରଂ ଏକ ବିଷାକ୍ତ ପ୍ରଜାପତି ଭଳି ପ୍ରତ୍ୟେକ ତାକୁ ଘୃଣା କରିବେ ଓ ପରାଭବ ଦେବେ ।

 

ମୁଁ କହିଲି ତା’ପରେ ?

 

ସେ କହିଲା ତା’ ପର ଘଟଣା ମୋତେ ଠିକ୍‌ ଜଣା ନାହିଁ । ଭାବୁଛି ଜାଣିବାକୁ ଚେଷ୍ଟା କରିବି । ମୋର ମନେହୁଏ ଋଷିପୁତ୍ର ଯଦି ତାହା ହିଁ କରନ୍ତି ତେବେ ଅପ୍‌ସରାର ରୂପର ଗର୍ବ ଚିରଦିନ ପାଇଁ ଭାଙ୍ଗିଯିବ । ସେ ତା’ର ଦୁଷ୍କର୍ମର ପ୍ରାୟଶ୍ଚିତ୍ତ ପାଇଁ ହୁଏତ ଚେଷ୍ଟା କରିବି । ଆଉ ମଧ୍ୟ ଅନ୍ୟ କୌଣସି ଅପ୍‌ସରା ସ୍ୱର୍ଗରୁ ଓହ୍ଲାଇ ଆସି ଆଉ କେବେ ପୃଥିବୀର କୌଣସି ଲୋକକୁ ରୂପର ମୋହ ଦେଖାଇ ପଥଭ୍ରଷ୍ଟ କରିବେ ନାହିଁ ।

 

ମୁଁ କହିଲି, ଜୀବନ ତୁ ଏ ଗପ ଯେଉଁଠୁ ଶୁଣ୍‌ ନା କାହିଁକି ଏହା କେବେ ବାସ୍ତବ ହୋଇ ପାରେନା କାହିଁକି ନା, ଯାହାର ଯାହା ପ୍ରକୃତି ତାହା କେବେ ବଦଳି ପାରିବ ନାହିଁ । ମୁଁ ବୁଦ୍ଧତ୍ୱପ୍ରାପ୍ତ ବ୍ୟକ୍ତି କଥା କହୁ ନାହିଁ । ସାଧାରଣ ଲୋକଙ୍କ ଚରିତ୍ରକୁ ଲକ୍ଷ୍ୟ କଲେ ବେଶ୍‌ ଭାବରେ ଆମେ ଦେଖିବାକୁ ପାଇବା ପ୍ରାୟ ଏହିପରି ଅଘଟଣ ଘଟିଥାଏ । ମୁଁ ସ୍ୱର୍ଗର ପରୀ କଥା କହୁ ନାହିଁ । କହୁଛି ଏହି ଭୂଲୋକ କଥା । ଲୋକ ଚରିତ୍ରରେ ପ୍ରାୟ ଏହା ହିଁ ଦେଖିବାକୁ ମିଳିଥାଏ । ଏହା ଯେ କେହି ବନ୍ଦ କରିଦେବ ତାହା ମଧ୍ୟ ନୁହେଁ । ପ୍ରକୃତରେ ଅଦମ୍ୟ ପିପାସାକୁ ରୋକିବା କାହାରିଦ୍ୱାରା କେବେ ସମ୍ଭବ ହୋଇନି । ରୁଷ୍ଟ ହେବାଦ୍ୱାରା ହୁଏତ ସେହି ପରୀଟି ସଂଯତ ହେବ କେତେକ ସମୟପାଇଁ । ଏହାଛଡ଼ା ପରୀର ଏପରି ଦଶା ହେଲା ବୋଲି ଆଉ ଯେ କେବେ କେହି ହେବେ ନାହିଁ ଏହା କେବେ ସମ୍ଭବ ହୋଇପାରେନା । ଭୁଲ୍‌ ହେଲା ଋଷିକୁମାରଙ୍କର । ମୋର ମନେହୁଏ ପରୀ ପାଖରେ ସେ ଦୁର୍ବଳ ହୋଇପଡ଼ିଛନ୍ତି । ପରୀ ତାଙ୍କୁ ଭଲପାଉଛି, ଏପରିକି ଚିରଦିନ ତାଙ୍କରି ପାଖରେ ରହିବାକୁ ନିଜେ ମଧ୍ୟ ପ୍ରସ୍ତାବ ବାଢ଼ିଛି । ପୁଣି କ’ଣ ହେଲା ଯଦ୍ଦ୍ୱାରା ସେ ଋଷିପୁତ୍ରଙ୍କୁ ଛାଡ଼ି ଅନ୍ୟ କାହାପାଖକୁ ଗଲା । ମୁଁ କହିବି ପରୀ ଜିତିଛି । ଯେଉଁ ଋଷିପୁତ୍ର ଇଚ୍ଛା କଲାମାତ୍ରେ ସାରା ବିଶ୍ୱକୁ ଧ୍ୱଂସ କରିପାରନ୍ତେ ତାଙ୍କ ପାଖରେ ଗୋଟାଏ ସାଧାରଣ ପରୀ ଏପରି କରିବା ସମ୍ଭବପର ନୁହେଁ । ସମ୍ଭବ ଯଦି ହେଲା କେବଳ ଋଷିପୁତ୍ରଙ୍କ ତ୍ରୁଟି ଯୋଗୁଁ । ପରୀ ତାଙ୍କ ପାଖରେ ଆଶ୍ରୟ ନେଇଥିଲା କେବଳ ତାଙ୍କର ଅସାଧାରଣ ଶକ୍ତିର ବଶବର୍ତ୍ତିନୀ ହୋଇ, ଯେଉଁଦିନଠାରୁ ସେ ଅନୁଭବ କଲା ସେ ଯାହାକୁ ଏଡ଼େ ବିରାଟ ବୋଲି ଭାବି ଚିରଦିନପାଇଁ ବସା ବାନ୍ଧିବାକୁ ମନସ୍ଥ କରିଛି, ସେ ପ୍ରକୃତ ବିରାଟ ନୁହେଁ ସେତେବେଳେ ସେ ଦୂରେଇ ଗଲା । କାଗଜ ବାଘ ଲୋକେ ଦେଖି ଭୟ କରନ୍ତି; କିନ୍ତୁ ଯେତେବେଳେ ଲୋକେ ଜାଣିପାରନ୍ତି ଏହା ବାସ୍ତବ ନୁହେଁ ଗୋଟାଏ ପିତୁଳା ସେତେବେଳେ କ’ଣ କେହି ତାକୁ ଡରେ ? ଯଦି ଋଷି କୁମାରଙ୍କର କିଛି ଶକ୍ତି ଥାଏ ତେବେ ସେ ତାହା ବାହାର ଜଗତ ଉପରେ ବିସ୍ତାର କରିବା ଉଚିତ୍‌ । ପରୀ ଉପରେ ନୁହେଁ । ଯେତେବେଳେ ଋଷିପୁତ୍ରଙ୍କର ଅସମ୍ଭବ ଶକ୍ତିର ମହିମା ଦେଶ ବିଦେଶ ବ୍ୟାପି ସ୍ୱର୍ଗଲୋକ ସ୍ପର୍ଶ କରିବ ସେତେବେଳେ ପରୀ ଆପେ ଆପେ ଲଜ୍ଜିତା ହେବ । ସେ ବୁଝିବ ଯାହାକୁ ସେ ହେୟ ଭାବି ପରିତ୍ୟକ୍ତ ବାସି ଗୋଲାପ ପରି ପାଦରେ ଆଡ଼େଇ ଦେଇ ଆସିଥିଲା ସେ ସାଧାରଣ ନୁହେଁ । ତା’ରି ଭଳି କୋଟି କୋଟି ପରୀ ଆଜି ତା’ର ସାନ୍ନିଧ୍ୟ ଟିକିଏ ଲାଭ କରିବାକୁ ଉଦ୍‌ଗ୍ରୀବ ସେତେବେଳେ ସେ ଆପେ ଆପେ ପ୍ରାୟଶ୍ଚିତ୍ତ କରିବ । ପରୀପାଇଁ ନିଜର ଉଚିତ୍‌ କର୍ମ ଛାଡ଼ିବା ଋଷିପୁତ୍ରଙ୍କର ମସ୍ତ ଭୁଲ୍‌ । କର୍ମଚ୍ୟୁତ ହେବାଦ୍ୱାରା ପରୀ ଯେ ତାଙ୍କୁ ରୂପର କିମିଆଁରେ ପଙ୍ଗୁ କରିଦେଲା ଏଥିରେ ସନ୍ଦେହ ନାହିଁ ।

 

ସେ ଆଉ ମୋ ସହିତ କିଛି ବାକ୍ୟ ବିନିମୟ ନ କରି ଉଠିଲା ଯିବାକୁ । ମୁଁ ତା’ର ଏପରି ବ୍ୟବହାରରେ ଆଶ୍ଚର୍ଯ୍ୟ ହୋଇ କହିଲି କିରେ ସାଙ୍ଗେ ସାଙ୍ଗେ ଆସି ପୁଣି ସାଙ୍ଗେ ସାଙ୍ଗେ ବାହାରିଲୁ ଯେ ? କ’ଣ ହୋଇଛି ତୋର ?

 

ସେ ତା’ ମୁହଁରେ ଗୋଟାଏ ନକଲି ହସ ଫୁଟାଇ କହିଲା କିଛି ହୋଇନି ।

 

ହୋଇନି ମାନେ ! ତୋର ମୁହଁ ତ କହୁଛି କ’ଣ ଗୋଟାଏ ବିରାଟ ଜିନିଷ ଘଟିଯାଇଛି । ଘଟଣାଟା ଲୁଚାଇଲେ କ’ଣ ସେ ଲୁଚିବ ?

 

ସେ ସେହି ଶୁଖିଲା ହସି ହସି କହିଲା କୌଣସିଟା କେବେ ଲୁଚି ନାହିଁ । ଠିକ୍‌ ସମୟରେ ତୁ ସବୁ ଜାଣି ପାରିବୁ ନାହିଁ ?

 

ସେ ଚାଲିଲା ଆଗକୁ ବଢ଼ି । ମୁଁ ଚଟାପଟ ପ୍ୟାଣ୍ଟ୍‍ ଖଣ୍ଡେ ଆଉ କାମିଜ ଖଣ୍ଡେ ପିନ୍ଧି ଦେଇ ତା’କୁ ଅନୁସରଣ କଲି ।

 

ସେ ରାସ୍ତା ଉପରକୁ ଯାଇ ଖଣ୍ଡେ ଟ୍ୟାକ୍‌ସି ଡାକି ତା’ ଭିତରେ ବସିପଡ଼ିଲା । ମୁଁ ତାକୁ ପଛରୁ ଡାକ ପକାଇଲି; କିନ୍ତୁ ସେ ବୋଧେ ଶୁଣିପାରିଲା ନାହିଁ । ବାଧ୍ୟ ହୋଇ ଫେରିଆସିଲି । ମନ ବଡ଼ କଷ୍ଟ ହେଲା ତାକୁ ଏକା ଛାଡ଼ି, କ’ଣ ଆଉ କରିବି । ବାଧ୍ୟ ହୋଇ ମୁଁ ମୋ କୋଠରୀକୁ ଫେରିଗଲି ।

 

କ’ଣ ତା’ର ହୋଇଛି ? ତା’ର ସେ ଗପଟିକୁ ଟିକିଏ ଅନୁଧ୍ୟାନ କଲି । ତେବେ କ’ଣ ଗାୟତ୍ରୀ ତାକୁ ଧୋକା ଦେଇଛି ? ହୁଏତ ତାହା ହିଁ ଠିକ୍‌ ତା’ ପରେ ପରୀ ଆଉ ତାକୁ ଭଲ ପାଉନି-। ତା’ରି ଉପସ୍ଥିତିରେ ସେ ଅଭିସାରିକା ବେଶ ସାଜି ଆଉ କାହା ପାଖକୁ ଉଡ଼ିଯାଉଛି, ଯେଉଁଥିପାଇଁକି ଜୀବନ ଗୋଟାଏ ବିରାଟ ଧକ୍‌କା ପାଇଛି । ସେହି ଧକ୍‌କାରେ ସେ ଭାଙ୍ଗି ପଡ଼ିଛି-। ତାହା ତ ହେବାର କଥା । ତା’ ହୃଦୟଭିତରେ ଗାୟତ୍ରୀପାଇଁ ବୋଧେ ଖୁବ୍‌ ନିକଟରେ ଗୋଟାଏ ଘା’ ହୋଇଛି । ସେହି ଘା’ପାଇଁ ହୁଏତ ବର୍ତ୍ତମାନ ବିନ୍ଧାଛିଟିକା ଆରମ୍ଭ ହୋଇଛି । ଏହାପରେ ପୂଜପାଣି ହେବ । ଶୁଖୁ ଶୁଖୁ ସମ୍ଭବତଃ ଅନେକ ଦିନ ଲାଗିବ । ତା’ପରେ ସେ ପୁଣି ଫେରିଆସିବ ତା’ର ବାସ୍ତବ ଗତିକୁ । ତା’ର ସେହି ପୂର୍ବାବସ୍ଥାକୁ ନ ଫେରିବା ପର୍ଯ୍ୟନ୍ତ ତା’ ପଛେ ପଛେ ରହିବା ମୋର ଉଚିତ୍‌ । କିଏ ଜାଣେ କେତେବେଳେ ସେ କ’ଣ କରିବ ?

 

ଜୀବନ ବିଷୟରେ ନାନା ଚିନ୍ତା କରୁ କରୁ ମୁଁ ଭୁଲିଗଲି ମୋ ନିଜ କଥା । ପୂର୍ବଭଳି ଇରା ମୋ ପାଖକୁ ବେଶୀ ଆସି ପାରେନି । ମୋର ଏଠାକୁ ଆସିବା ପରଠାରୁ ସେ ତା ଜୀବନ ପଥର ଦୁଇଟି ମାଇଲ୍‌ ଖୁଣ୍ଟ ଅତିକ୍ରମ କଲାଣି । ଏହି ଦୁଇମାଇଲ୍‌ ରାସ୍ତାରେ ପାଠର ଚାପଟା ତା’ ଉପରେ ମଧ୍ୟ ବେଶୀ ବୋଝ ହୋଇପଡ଼ୁଛି । ଧୂପ କଥା ତଫାତ୍‌ । ସେ ତ ବରାବର ଆସିବ । କାହିଁକି ନା ତା’ର ପଢ଼ାପଢ଼ି ମୋ ପାଖରେ । ଏହି ଦୁଇବର୍ଷ ଭିତରେ ସେ ଅନେକ ଆଗେଇ ଗଲାଣି । ମୋର ମନେ ହେଉଥିଲା ମାଟ୍ରିକ୍‌ ପର୍ଯ୍ୟନ୍ତ ତା’ର ପଢ଼ା ଆଗେଇ ଯାଇଛି । ମୋର ଅନେକ ସମୟରେ ଧାରଣା ହୁଏ ତାକୁ ମାଟ୍ରିକ୍‌ ପରୀକ୍ଷା ଦିଆଇ ଦେବି; କିନ୍ତୁ ବେଳେ ବେଳେ ପୁଣି ଭାବେ ପରୀକ୍ଷାଟା ତା’ର କ’ଣ ହେବ ? ପଢ଼ାଟା ଆବଶ୍ୟକ ମଣିଷର ଜ୍ଞାନପାଇଁ । ସେ ତ ଆଉ ସରକାରୀ ଚାକିରି କରିବ ନାହିଁ ଯେ ତା ପଢ଼ାର ସାର୍ଟିଫିକେଟ୍‌ ଆବଶ୍ୟକ ?

 

ସନ୍ଧ୍ୟାବତୀ ଲାଗିବାର କେତେକ ସମୟ ପରେ ଧୂପ ଆସିଲା ତା ବହିପତ୍ର ଧରି ପଢ଼ିବାକୁ । ମୁଁ ମୋ ଖଟଟି ଉପରେ ଶୋଇ ଜୀବନ ବିଷୟରେ ଭାବୁଥାଏ । ଧୂପ ଆସି ବସିଲାଣି । ବହି ବାହାର କରି ପଢ଼ିଲାଣି । ବେଳେବେଳେ ମୋ ଆଡ଼କୁ ଅନାଇ ତା ବହି ପଢ଼ାରେ ପୁଣି ମନଦେଉଛି । ମୁଁ ଏହା ଜାଣିଲେ ମଧ୍ୟ ମନ ପଡ଼ି ରହିଥାଏ ପୁଣି ମନ ଦେଉଛି । ମୁଁ ଏହା ଜାଣିଲେ ମଧ୍ୟ ମନ ପଡ଼ି ରହିଥାଏ ଗୋଟାଏ ଗଭୀର କୂପ ଭିତରେ । ତାହା ଭିତରୁ ବାହାରି ମୁଁ ମୋ ପ୍ରକୃତ ଅବସ୍ଥାକୁ ଫେରିବା ସମ୍ଭବ ହୋଇ ପାରୁ ନ ଥାଏ । ସେହି ଗଭୀର ଚିନ୍ତାକୂପ ଭିତରେ ନିମଗ୍ନ ଥାଇ କେତେବେଳେ ଧୂପ: ଆଡ଼କୁ ଅନାଇଲିଣି ତା’ ବି ମୋତେ ଠିକ୍‌ ଜଣା ନାହିଁ । ଆଖିଟା କେବଳ ତା’ରି ଉପରେ ପଡ଼ିଛି ମନ ରହିଛି କାହିଁ କେତେ ଦୂରରେ । ଅବଶ୍ୟ ଏଭଳି ତାକୁ ଏକ ଧ୍ୟାନରେ ଅନାଇବା ଭଦ୍ରତାର ବହୁତ ବାହାରେ; କିନ୍ତୁ ମୁଁ ତ ଆଉ ମୋ ଭିତରେ ନାହିଁ ଯାହାକି ଭଲ ମନ୍ଦ ବିଚାର କରିବି ?

 

ଏହା ଭିତରେ ସେ ଗୋଟାଏ କ’ଣ ମୋତେ ପଚାରିଲାଣି, ମୁଁ ମଧ୍ୟ ତା’ର ଗୋଟାଏ କ’ଣ ଉତ୍ତର ଦେଲିଣି । ମୁଁ ଯେ ମୋ ଠାରୁ ସମ୍ପୂର୍ଣ୍ଣ ବାହାରେ ଏହା ସେ ବା ଜାଣିବ କେଉଁଠୁ ? ହୁଏତ କ’ଣ କିପରି ଗୋଟାଏ ବାଜେ ଉତ୍ତର ଦେଇ ଦେଇଛି । ଯାହାକି ତାକୁ ବୋଧେ ଭୁଲ୍‌ ପରି ମନେ ହୋଇଛି । ତା’ପରେ ତା’ର ବୋଧେ ଧାରଣା ଆସିଛି ମୋ ଦେହ ଅସୁସ୍ଥ ବୋଲି । ସେ ତା’ ଚେୟାର ଛାଡ଼ି ମୋ ପାଖରେ ଠିଆ ହୋଇ ପରୀକ୍ଷା କଲା ମୋ ଦେହର ଉତ୍ତାପ ।

 

ଅନେକ ବର୍ଷ ପରେ ଆଜି ମୁଁ ସେ ସମୟର ବିଚାର କରିବାକୁ ଗଲାବେଳେ ଦୋଷଟାକୁ ମୋ ଉପରକୁ ପୁରା ଟାଣି ଆଣି ପାରେ ନାହିଁ । ତାହା ଯେ ମୋର ବୟସର ଦୋଷ ଏହା ଅସ୍ୱୀକାର କରିବାର ଉପାୟ ନାହିଁ ଅବଶ୍ୟ । ରକ୍ତ ମାଂସ ଶରୀର ଧରି ମୁଁ ଜନ୍ମ ପାଇଛି ଯେତେବେଳେ ମୁଁ ତ ଆଉ କେବେ ଦେବତା ହୋଇ ପାରିବ ନାହିଁ ? ତଥାପି ପୁରାଣମାନଙ୍କରୁ ଦେବତାମାନଙ୍କର ଯେଉଁ ଯୌନ କୀର୍ତ୍ତି ଦେଖିବାକୁ ମିଳେ ତାହା ମଣିଷଙ୍କ କାର୍ଯ୍ୟକୁ ବଳି ପଡ଼ିଛି । ଆଉ ମୁଁ ସାଧାରଣ ମଣିଷ । ମୋର ବା ଚାରା କ’ଣ ?

 

ଦେହ ତ ମୋର ଭଲ ଥାଏ । ତେଣୁ ଉତ୍ତାପ ପରୀକ୍ଷା କରି କ’ଣ ବା ବୁଝିବ ସେ । ମନର ଉତ୍ତାପ ପରୀକ୍ଷା କରିବାର ଶକ୍ତି ତ ତା’ର ଆଉ ନାହିଁ ?

 

ଧୂପ ମୋତେ ପରୀକ୍ଷା କରୁଥାଏ । ସୁଶାନ୍ତର ଉଭଣୀ ଦୁଷ୍ମନ୍ତକୁ ପରୀକ୍ଷା କରୁଛି । ଦୁଷ୍ମନ୍ତଠାରୁ ସୁଶାନ୍ତ ତା’ର ଆପଣାର ହୋଇ ପାରିନାହିଁ । ବୟସର ଖଣ୍ଡିଆ ଭୂତ ସୁଶାନ୍ତର ଖୋଳଭିତରୁ ଦୁଷ୍ମନ୍ତକୁ ବାହାର କରି ନେଇପାରିଛି । ମୋର ଠିକ୍‌ ମନେ ହୁଏ ତା’ର ସୁଶାନ୍ତ ଆବଶ୍ୟକ ନାହିଁ ଆବଶ୍ୟକ ତା ମନର ଦୁଷ୍ମନ୍ତ । ହୁଏତ ସେ ଯୁଗର ପୁରାଣ ବର୍ଣ୍ଣିତ କଣ୍ୱଙ୍କ ଆଶ୍ରମରେ ଦୁଷ୍ମନ୍ତ ଆସି ନେଇଛି ଆଶ୍ରୟ । ଋଷିକନ୍ୟା ଶକୁନ୍ତଳା ବିଭୋର ହୋଇ ପଡ଼ିଛି ଦୁଷ୍ମନ୍ତଙ୍କ ସଂସ୍ପର୍ଶରେ । ସେ ଠିକ୍‌ କରିଛି ସେ ହେବ ଦୁଷ୍ମନ୍ତର ଜୀବନ-ସାଥି । ଦୁଷ୍ମନ୍ତ ଫେରାଇ ଦେଲେ ସେ ନିର୍ଜନ ଜଙ୍ଗଲରେ ଆଶ୍ରୟ ନେବ ସିନା ଆଉ କଣ୍ୱଙ୍କ ଆଶ୍ରମରେ ନୁହେଁ ।

 

କିନ୍ତୁ ଦୁଷ୍ମନ୍ତ ? ସେ ଅନୁଭବ କରୁଛି ଦୁଷ୍ମନ୍ତର ଖୋଳ ଭିତରେ ସୁଶାନ୍ତ ଦୁଷ୍ମନ୍ତର ଆସ୍ଥାନ ମାଡ଼ି ବସିଛି । ପୂର୍ବର ଦୁଷ୍ମନ୍ତ ଚାହୁଁଛି ସୁଶାନ୍ତକୁ ସେଠାରୁ ଦୂର କରି ଦେଇନିଜକୁ ପୁଣି ଅଧିଷ୍ଠିତ କରାଇବାକୁ ସୁଶାନ୍ତ ହଟୁଛି । ଏକାଥରେ ପରାଜୟ ସ୍ୱୀକାର କରି ପଳାଉ ନାହିଁ । ସୁଶାନ୍ତକୁ ତଡ଼ି ଦୁଷ୍ମନ୍ତ ବିସ୍ତାର କରୁଛି ତା’ର ଆଧିପତ୍ୟ । ମାତ୍ର ସୁଶାନ୍ତ କେଉଁଠୁ ଆସି ପୁଣି ଅଚାନକଭାବରେ ଦୁଷ୍ମନ୍ତକୁ ରକ୍ତାକ୍ତ କରି ଦେଉଛି । ଦୁଷ୍ମନ୍ତ ପୁଣି ପଳାଉଛି ସୁଶାନ୍ତକୁ ତା’ ଅଧିକାର ଦେଇ; କିନ୍ତୁ ସୁଶାନ୍ତ ଅନୁଭବ କରୁଛି ସେ କିପରି କ୍ଳାନ୍ତ ଅବଶ ହୋଇପଡ଼ୁଛି । ତା’ର ପୂର୍ବର ଶକ୍ତି ବିସ୍ତାର କରି ପାରୁ ନାହିଁ । ଦୁଷ୍ମନ୍ତ ସହିତ ଯୁଦ୍ଧ କରି କରି ସେ ବେଳକୁ ବେଳ ନିଜର ଶକ୍ତି ହରାଇ ବସିଛି । ଆଉ ଦେଖୁଛି ତା’ ନିଜର ଭଉଣୀ ଦୁଷ୍ମନ୍ତ ହାତରେ ଅସ୍ତ୍ର ଧରେଇ ଦେଉଛି । ଗୋଟିଏ ପଟରେ ଦୁଇଜଣ–ଅନ୍ୟ ପଟରେ ସେ ଏକା । ଦୁଇଜଣଙ୍କ ଶକ୍ତିକୁ ସେ କିପରି ପ୍ରତିହିତ କରିବ । ବେଳେ ବେଳେ ସେ ହୁଁକାର ଛାଡ଼ୁଛି । ଦୁଷ୍ମନ୍ତକୁ କହୁଛି ତୁ ଗୋଟାଏ ମାଇଚିଆଟାଏ । ଯେ ନିଜ ଘରେ ନିଜର ଦାବିକୁ ହରାଇ ପଳାଇ ଆସିଲା ସେ ପୁଣି ଅନ୍ୟ ଘରକୁ ଦାବି କରି ବସିବାରେ ତାକୁ ଟିକିଏ ଲାଜ ମାଡ଼େ ନାହିଁ ?

 

ଦୁଷ୍ମନ୍ତ ଦବିଯାଏ । ତା’ର ନୈତିକତା କମି ଆସେ । ସେ ଭାବେ ଦୁଷ୍ମନ୍ତ ତା ନିଜ ଘର ଦ୍ୱାର ସବୁ ଛାଡ଼ି ଯେତେବେଳେ ଯାଯାବର ପରି ପଳାଇ ଆସିଛି ସେତେବେଳେ ସେହି ଯାଯାବର ହୋଇ ସେ ବୁଲିବା ଉଚିତ୍‌ । ସେଠି ଘର ଛାଡ଼ି ଆସିଥିଲା, ଏଠି ଦେହଟିକୁ ମଧ୍ୟ ଅନ୍ୟକୁ ଛାଡ଼ିଯିବ-। କେବଳ ଦୁଷ୍ମନ୍ତର ମନ ପ୍ରେତ ପରି ଘୂରି ବୁଲିବ । ଦୁଷ୍ମନ୍ତ ଧେଢ଼ଙ୍ଗା କୁକୁର ଭଳି ନାଙ୍ଗୁଡ଼ ଜାକି ପଳାଇବାକୁ ବସେ । ପଳାଉ ପଳାଉ ପଡ଼େ ସେ ଧୂପର ହାବୁଡ଼ରେ । ଧୂପ ଧରେ ତା’ର କାନ, କହେ ଏଡ଼େ ଦୁର୍ବଳ ତୁମେ ? ସୁଶାନ୍ତ ଆଉ କାହିଁ ? ସେ ପରା ମରିଛି । ହାଇଦ୍ରାବାଦ ହସ୍ପିଟାଲରେ ସେ ନିଶ୍ଚିହ୍ନ ହୋଇଯାଇଛି ।

 

ସୁଶାନ୍ତର ଆଉ କିଛି ଯୁକ୍ତି ନାହିଁ । ବିଜୟ ହୁଏ ଦୁଷ୍ମନ୍ତର । ବିଜୟ ହୁଏ କଣ୍ୱ ମୁନିଙ୍କ କନ୍ୟା ଶକୁନ୍ତଳାର ।

 

ପରୀକ୍ଷା କରୁଛି ଧୂପ ମୋ ଦେହ ଖରାପ କି ନା ? ତା’ ସବୁ ଶକ୍ତି ପରୀକ୍ଷା କରି ଦେଖିଲା କିଛି ହେଇନି । ତେବେ କ’ଣ ହୋଇଛି ? ମୁଁ ପଚାରିଲି କ’ଣ କିଛି ଜାଣିପାରିଲ ନାହିଁ । ସେ ମୁଣ୍ଡ ହଲାଇ, ନାହିଁ କଲା । ମନ ଫେରିଆସିଲା ଜୀବନ ପାଖରୁ । କହିଲି ତୁ ତୋ ଚେୟାରରେ ବସ୍‌ ଯା ମୁଁ କହୁଛି । ଏଠି ଠିଆ ହେଲେ କେହି ଯଦି ଦେଖେ ତେବେ ଖରାପ ଭାବିପାରେ ।

 

ଲାଜେଇ ଗଲା ସେ । ଫେରିଗଲା ତା ଚେୟାରପାଖକୁ ।

 

ଆରେ ଏ କ’ଣ ମୁଁ ତାକୁ କହିଲି । ମୋ ପାଖରେ ଠିଆ ହେଲେ କିଏ କାହିଁକି କ’ଣ ଭାବିବ ? ମୁଁ ତ ବାହାର ଲୋକ ନୁହେଁ କିଏ କ’ଣ ଭାବିପାରେ । ଦୁର୍ବଳ ମନର ବିକୃତ ଧାରଣା । ମନେ ମନେ ହସିଲା । ଧୂପ ବସିଛି ମୋରି ଆଗରେ ଟିକିଏ ଛାଡ଼ି । ସେ ଅପେକ୍ଷା କରିଛି କହିବି ତାକୁ ମୁଁ ମୋ ଅସୁସ୍ଥିର କାରଣ ! କି ଅସୁସ୍ଥି ମୋର ? ଜୀବନ କଥା ତାକୁ କ’ଣ କୁହାଯାଇପାରେ । ତଥାପି କହିବାକୁ ପଡ଼ିବ । ସେ ଅପେକ୍ଷା କରିଛି ଶୁଣିବାକୁ । କହିଲି ମଧ୍ୟ ଏଣୁ ତେଣୁ କରି କ’ଣ ଗୁଡ଼ାଏ ।

 

ସେହି ଜୀବନ ଭାଷାରେ ବୁଢ଼ୀମା, ଗପ ତାକୁ କହିଲି । ମୁଁ ବସି ବସି ଗୋଟାଏ ସ୍ୱପ୍ନ ଦେଖୁଥିଲି । ଯୋଡ଼ିଏ କପୋତ କପୋତୀ ଉଡ଼ିଯାଉଛନ୍ତି ଆକାଶ ଉପରେ ଡେଣା ବିସ୍ତାର କରି । ଉଡ଼ି ଉଡ଼ି ଗୋଟିଏ ନିବିଡ଼ ଜଙ୍ଗଲ ଭିତରେ ଦୁହେଁ ବସିପଡ଼ିଲେ ଗୋଟିଏ ଶାଳ ଶାଖାରେ । ତାଙ୍କର ଚିନ୍ତା ନାହିଁ, ଦକ ନାହିଁ । ବସା ବାନ୍ଧିବା ତାଙ୍କର ବି ଆବଶ୍ୟକ ନାହିଁ । ସେମାନେ ସ୍ୱାଧୀନ; ମୋହ-ମାୟା ଯାହା କିଛି ଅଛି ସେମାନଙ୍କର ଅଛି ତାହା ପରସ୍ପରଙ୍କର ପରସ୍ପର ପ୍ରତି । ଅନେକ ଦିନ ପରେ କପୋତ କପୋତୀ ବିଭିନ୍ନ ସ୍ଥାନ ଉଡ଼ି ଉଡ଼ି ଚାଲିଲେ । କ୍ଳାନ୍ତ ହେଲେ ଟିକିଏ ବସି ପଡ଼ି ବିଶ୍ରାମ ନିଅନ୍ତି । ଏହିପରି କେତେ ଦିନ ପରେ ଉଭୟେ ଗୋଟିଏ ଜଙ୍ଗଲରେ କିଛି ଦିନ ରହିବାକୁ ମନସ୍ଥ କଲେ । ତା’ ପରେ କପୋତ ଅନୁଭବ କଲା କପୋତୀର ସ୍ନେହରେ କିପରି ଜଡ଼ତା ମାଡ଼ି ମାଡ଼ି ଆସୁଛି । ଅଳ୍ପ କେତେ ଦିନ ପରେ ଦେଖାଗଲା କପୋତୀ କପୋତକୁ ଛାଡ଼ି କେଉଁଆଡ଼େ ପଳେଇଛି । ହୁଏତ ଆଉ ଗୋଟିଏ କପୋତ ସାଙ୍ଗରେ ।

 

କଥାଟିକୁ ସେ ବୁଝିପାରିଲା ନାହିଁ । ସେ କହିଲା ଚଢ଼େଇଗୁଡ଼ାକ କ’ଣ ଏହିପରି ଗୋଟାକୁ ଛାଡ଼ି ଆଉ ଗୋଟାକ ପାଖକୁ ଚାଲିଯାନ୍ତି ? ମୁଁ କହିଲି ଖାଲି ଚଢ଼େଇ କାହିଁକି ମଣିଷ ମଧ୍ୟ ଯାନ୍ତି । ସେ ମୁଣ୍ଡ ହଲାଇ ମୋ କଥାକୁ ଅସ୍ୱୀକାର କଲା ।

 

ମୁଁ ଲକ୍ଷ୍ୟ କଲି ଭଲ ପାଇବାର ମୋହ ତାକୁ ପୂରାପୂରି ଆଚ୍ଛନ୍ନ କରି ରଖିଛି । ମୁଁ ଯେତେ ସଙ୍କୁଚିତ ତା ପାଖରେ ହୋଇଥାଏ ସେ ସେତେ ନୁହେଁ ।

 

ମୁଁ ଫେରିଗଲି ଜୀବନ ପାଖକୁ । ତା’ର ସେହି ହତାଶଭରା ମୁହଁ ମୋ ଆଖି ଆଗରେ ନାଚିଗଲା । ଗାୟତ୍ରୀ ତାକୁ ଧୋକା ଦେଇଛି ନିଶ୍ଚୟ । ତା’ ନ ହେଲେ ଜୀବନଭଳି ସ୍ପଷ୍ଟବାଦୀ ନିର୍ଭୀକ ଯୁବକ ଏପରି ହତାଶ ହୁଅନ୍ତା ନାହିଁ । ସେ ସ୍ପଷ୍ଟଭାବରେ କହି ନାହିଁ ତା’ କଥା; କିନ୍ତୁ ଯେଉଁ ଇଙ୍ଗିତ ଦେଇଛି ସେ ଇଙ୍ଗିତରେ ଭରି ରହିଛି ତା’ ହୃଦୟରେ ସମସ୍ତ ବ୍ୟର୍ଥତା—ଅନୁଶୋଚନା । ଜୀବନ ଭାଙ୍ଗି ପଡ଼ିଛି; କିନ୍ତୁ ତା’ଭଳି ବିଚକ୍ଷଣ ଯୁବକ ନିଜକୁ ଆୟତ କରି ନେଇଛି ଅନେକ । ଯେତିକି ମୋ ପାଖରେ ପ୍ରକାଶ କରିଛି ସେତିକି ବୋଧେ ଆଉ କାହା ପାଖେ ସେ ପ୍ରକାଶ କରି ନ ଥିବ ବା କରିବ ନାହିଁ । ଥରେ ନୁହେଁ ବହୁତ ଥର ମୁଁ ତା’ର ପ୍ରତ୍ୟୁପନ୍ନ ମତିତା ପରୀକ୍ଷା କରିଛି; କିନ୍ତୁ ଆଜି ସେ ବିବ୍ରତ ହୋଇ ପଡ଼ିଛି । ସେଥିପାଇଁ ତା’ ମନରେ କଥା ମୋ ପାଖରେ ଇଙ୍ଗିତଦ୍ୱାରା ଜଣାଇ ଦେଇଗଲା ।

 

ଜୀବନ ଭଳି ସାଥି କେତେଜଣଙ୍କ ଭାଗ୍ୟରେ ମିଳେ ମୁଁ ତା’ କହି ପାରିବ ନାହିଁ । ମୋର ପ୍ରତ୍ୟେକ ଅସୁବିଧାରେ ସେ ଆସି ମୋ ପାଖରେ ଠିଆ ହୋଇଥାଏ । ଏପରି ଅନେକ ଘଟେ । ଯାହାକି ମୋ ଜାଣିବା ପୂର୍ବରୁ ସେ ଜାଣି ତା’ର ପ୍ରତିକାରର ବ୍ୟବସ୍ଥା କରି ଚାଲିଥାଏ । ଯେପରି ଅମାୟିକ, ସେପରି ନିର୍ଭୀକ ସେ ! ତା’ ଭଳି ମୁଁ କେବେ ହୋଇ ପାରିନି ।

 

ଅନେକ ରାତି ପର୍ଯ୍ୟନ୍ତ ଧୂପ ମୋ କୋଠରୀଟିରେ ବସି କେତେବେଳେ ତା’ ବହି ଓଲଟାଉ ଥାଏ ତ କେତେବେଳେ ମୋତେ ପଦେ ଦି’ପଦ କ’ଣ କହ ଦେଉଥାଏ । ମୁଁ କେତେବେଳେ ତାକୁ ଠିକ୍‌ ଉତ୍ତର ଦେଉଥାଏ ବା କେତେବେଳେ ମୋ ଚିନ୍ତାରେ ଆଚ୍ଛନ୍ନ ରହି କେବଳ ମୁଣ୍ଡଟି ଟୁଙ୍ଗାରି ସମ୍ମତି ପ୍ରକାଶ କରୁଥାଏ । ମୋର ମନେହୁଏ ପିପାସାର୍ତ୍ତ ଚାତକୀ କେଇ ବୁନ୍ଦା ଜଳ-ପାନପାଇଁ ଆକାଶରେ ଏଣେ ତେଣେ ହେଉଛି । ଦେଖୁଛି ମୋତେ ବେଳେ ବେଳେ ନିରୀକ୍ଷଣ କରି । ଆକାଶରେ ଗମ୍ଭୀରଭାବେ ‘ମେଘ ହୁଙ୍କାର ତୋଳିଛି’ । କୁଳ ପିପାସାର୍ତ୍ତା ଚାତକୀର ନିଦ୍ରା ଭାଙ୍ଗି ଯାଇଛି । ବର୍ଷା ସୁନିଶ୍ଚିତ ଜାଣି ସେ ପକ୍ଷ ବିସ୍ତାର କରିଛି ଆକାଶରେ; କିନ୍ତୁ ଏ କ’ଣ ? ଆକାଶରେ ଦେଖୁ ନାହିଁ ସେ ବର୍ଷିଲା ମେଘର ଲେଶ୍‌ ମାତ୍ର ଚିହ୍ନ, ମାତ୍ର ସେ ତା’ପରେ ଶୁଣିଛି ଘଡ଼ଘଡ଼ି । ସେ ଦେଖିଛି ବାଦଲ ଦେହରେ ଆଖିଝଲସା ବିଜୁଳି; କିନ୍ତୁ ବର୍ଷା କାହିଁ ? ଚାତକୀ ଉଡ଼ି ଉଡ଼ି ଅଥୟ ହୋଇ ପଡ଼ିଲା । ସାଦା ଧଳା ମେଘଖଣ୍ଡର ରଙ୍ଗ ଆଉ ବଦଳୁନି । ବୃଥା ଚିରାମାରି କେତେ ଆଉ ଆକାଶ ବକ୍ଷରେ ସେ ଉଡ଼ିବ ! ଫେରିଗଲା ତା’ର ବସାକୁ ।

 

ମନଭିତରେ ମୋର ଝଡ଼ ଉଠିଛି । ସେହି ଝଡ଼ରେ ଉଡ଼ି ଯାଇଛି ମୋର କାମନା, ବାସନା ସବୁ । ଜୀବନ ଭଳି ସାଥି ମୋର ବିବ୍ରତ ହୋଇ ପଡ଼ିଛି । ତା’ର ଏ ସମୟରେ ମୁଁ ତା’ ପାଖରେ ରହିବା ନିତାନ୍ତ ଉଚିତ । ସେଇ ଉଦ୍ଦେଶ୍ୟରେ ଚାଲିଲା ତହିଁ ଆରଦିନ ସକାଳୁ; ସେ ତା’ ଘରେ ନଥିଲା । ମୁଁ ଜାଣେ ସେ ଘରେ ନ ଥିବ । କେତେଟା କ୍ଳବ ବୁଲିଲା । ମୋର ଧାରଣା ସେ ପ୍ରାୟ ସେହି କ୍ଳବମାନଙ୍କ ଭିତରୁ କେଉଁଠି ଗୋଟାଏ ସ୍ଥାନରେ ଥିବ । ଶେଷରେ ତା’ର ସନ୍ଧାନ ପାଇଲି । ଜଣେ କିଏ କହିଲା ତାକୁ ବେଲୁଡ଼ରେ ଦେଖିଥିଲା ବୋଲି । ପ୍ରକୃତ ବେଲୁଡ଼ରେ ତା’କୁ ଦେଖିଲାବେଳେ ସେ ଜଣେ ସନ୍ନ୍ୟାସୀଙ୍କ ସଙ୍ଗରେ ଗପ କରୁଥିଲା । ମୋତେ ଦେଖି ତା’ ପାଖକୁ ଡାକିଲା । ମୁଁ ତା’ ପାଖରେ ବସିଲି, ମୁଁ କିଛି ପଚାରିବା ପୂର୍ବରୁ ସେ କହିଲା ଅନେକ ଦିନ ହେଲା ମୁଁ ଏ ଆଡ଼କୁ ଆସି ନ ଥିଲି । ତେଣୁ ଟିକିଏ ଚାଲି ଆସିଲି । ମୋର କିଛି କହିବା ଆବଶ୍ୟକ ନ ଥିଲା ।

 

ମୋତେ ମଠଭିତରେ କେତେକ ସ୍ଥାନ ବୁଲାଇ ଦେଖାଇଲା । ବୁଲି ବୁଲି ଗଙ୍ଗାକୂଳକୁ ଗଲୁ । ସେଇଠାରେ ମୁଁ ପଚାରିଲି ତୋ ମନରେ ଟିକିଏ ଆଘାତ ଲାଗିଛି । ସେ ଟିକିଏ ହସିଲା । ସେ ହସରେ ସେତେଟା ସରସତା ଥିବାଭଳି ମନେ ହେଲା ନାହିଁ । ତଥାପି ସେ ନିଜକୁ ପୁଣି ବାଗେଇ ନେବାକୁ ଚେଷ୍ଟା କରୁଥିବା ଭଳି ମନେ ହେଲା । କେତେକ ସମୟପରେ ସେ ତା’ ନିଜକୁ ଅଧେ ଖୋଲି ମୋ ଆଗରେ ଦେଖାଇଲା । ସେ ଯୌବନର କୁଞ୍ଜଲତା ତଳେ ତା’ର ପ୍ରେୟସୀ ପାଇଁ ଧୂପ, ଦୀପ ଆଦି ସଜାଡ଼ିଥିଲା; କିନ୍ତୁ ସବୁ ତା’ର ବୃଥା ହୋଇଛି । ଯେଉଁ ଦେବୀର ପୂଜାପାଇଁ ଷୋଡ଼ସ ଉପଚାର ଧରି ଆଗେଇ ଯାଇଥିଲା ଆଜି ସେ ଦେଖୁଛି ସେ ଗୋଟାଏ ଦେବୀ ନୁହେଁ । ପେତିନୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ଅଣନିଶ୍ୱାସୀ ହୋଇ ଧାଇଁ ପଳାଇ ଆସିଛି ସେହି ପୂଜା ବେଦୀରୁ ।

 

ଏହି ଅବସ୍ଥାରେ ପୂଜକ ପାଗଳ ହୋଇ ଯାଇଥାଏ । ପୂଜା ସରିନି; କାମନା-ବାସନାଜଡ଼ିତ ତା’ର ଆଶାୟୀ ମନ ତୃପ୍ତି ପାଇନି । ମନର ସକଳ କୁଟିଳ ଆବର୍ଜନାକୁ ଦୂରକୁ ଫିଙ୍ଗି ଦେଇ ଅତି ପବିତ୍ର ଭାବ ଧରି ସେ ତା’ର ଯଥାସର୍ବସ୍ୱ ଅର୍ପଣ କରିବାକୁ ଠିଆ ହୋଇଥିଲା ତା’ର ଆରାଧ୍ୟ ପାଖରେ । ପ୍ରଥମେ ହୁଏତ ସେ ଅନୁଭବ କରିଛି ତା’ର ପୂଜା ସଫଳ ହୋଇଛି; କିନ୍ତୁ ପରେ ବୁଝିଛି ତା’ର ଭ୍ରମ । ବିତୃଷ୍ଣା ଆସିଛି ତା’ ମନରେ । ଅପସରି ଯାଇଛି ତା’ ମନରୁ ପୂଜାର ବାସନା । ତେଣୁ ସେ ଲୋଡ଼ିଛି ସଂସାରବିରାଗୀଙ୍କ ଉପଦେଶ ।

 

ସନ୍ଧ୍ୟା ପୂର୍ବରୁ ଆମେ ଫେରି ଆସିଥିଲୁ ବେଲୁଡ଼ରୁ । ତା’ ମନ ଅନେକ ପରିମାଣରେ ବଦଳି ଯାଇଥାଏ । ଆସିଲାବେଳେ ସେ ମୋ ସହିତ ଅନେକ ଗପ କରି କରି ଆସିଲା । ଗାୟତ୍ରୀ ବିଷୟରେ କହିବାକୁ ଯାଇ କହିଲା ତା’ର ନାଁଟି ଯେତେ ପବିତ୍ର ଚରିତ୍ରରେ ସେ ପବିତ୍ରତାର କାଣିଚାଏ ବି ନାହିଁ । ତା’ର ଦୁଷ୍କର୍ମର ଫଳ ସେ ନିଶ୍ଚୟ ଭୋଗିବ । ବିବେକାନନ୍ଦଙ୍କର ଗୋଟିଏ ଉପଦେଶ ଆବୃତ୍ତ କରି କହିଲା, ‘‘କୃତକର୍ମ ଫଳ ଅବଶ୍ୟ ଭୋଗିବ । ଅନ୍ୟ କେହି ଅନ୍ୟଥା କରି ପାରିବେ ନାହିଁ । ଭଲରେ ଭଲଫଳ, ମନ୍ଦରେ ମନ୍ଦଫଳ । ଏ ନିୟମକୁ ରୋଧ କରିବାର ଶକ୍ତି କାହାରି ନାହିଁ । କେବଳ ଉଠ, ଆଗକୁ ବଢ଼ିଚାଲ । ଯେ ପର୍ଯ୍ୟନ୍ତ ତୁମେ ତୁମ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିନାହଁ ।’’

 

ସେହିଦିନ ପରଠାରୁ ଜୀବନକୁ ଗାୟତ୍ରୀ ପାଇଁ ଶୋଚନା କରିବାର ମୁଁ ଲକ୍ଷ୍ୟ କରିନି ? ସେ ଦୃଢ଼ ପଦକ୍ଷେପରେ ଆଗକୁ ଆଗେଇ ଯାଇଛି । ତା’ର କର୍ମଠ ଜୀବନରୁ ଗାୟତ୍ରୀ ଛନ୍ଦରେ ନିଜକୁ ଛନ୍ଦିବାକୁ ଆଉ ଚେଷ୍ଟା କରନି । ଦିନେ ସେ ମୋତେ ତା’ର ଗୋଟାଏ ଅନୁଭୂତି କହୁ କହୁ କହିଲା, ପ୍ରକୃତ ତୋର ବଳିଷ୍ଠ ଯୁକ୍ତିକୁ ମୁଁ ସମର୍ଥନ କରୁଛି । ଗାୟତ୍ରୀ ପାଖରେ ନିଜକୁ ଯଦି ମୁଁ ଏ ଏତେଟା ହାଲୁକା କରି ନ ଦେଇଥାନ୍ତି ତେବେ ସେ ମୋତେ ପରିତ୍ୟାଗ କରି ନ ଥାନ୍ତା । ଜଳସ୍ରୋତ ପରି ମଣିଷ ମନର ଗତି । ସ୍ରୋତ-ଧାର ଏକ ତଡ଼ାଗରେ ପ୍ରବେଶ କରି ତାକୁ ପୂର୍ଣ୍ଣ ନ କରିବା ପର୍ଯ୍ୟନ୍ତ ତା’ର ଗତି ଅନ୍ୟଆଡ଼େ ହୋଇ ପାରେନା । ତଡ଼ାଗ ଯେତେ ଗଭୀର ହେବ ଜଳସ୍ରୋତ ସେତେ ବ୍ୟାପୃତ ହେବ ନିଜକୁ ତାହା ଭିତରେ ଲୋପକରି ଦେବାକୁ । କେଉଁଠି ତଡ଼ାଗ ଜିତୁଛି, ଜଳସ୍ରୋତ ଶୁଖି ଯାଉଛି, ତଥାପି ତଡ଼ାଗ ଅପୂର୍ଣ୍ଣ ରହୁଛି । ଆଉ ବା କେଉଁଠି ଜଳସ୍ରୋତ ଜିତୁଛି, ତଡ଼ାଗ ପୂର୍ଣ୍ଣ ହେବାପରେ ସେ ଛୁଟି ଚାଲିଛି ଆଉ ଏକ ଗଭୀର ତଡ଼ାଗର ଅନ୍ୱେଷଣରେ ।

 

ଶ୍ରାବଣର ମେଘଶୂନ୍ୟ ଆକାଶ । ବଢ଼ିଲା ନଈର ସୁଅ ଓ ଯୌବନକୁ କ’ଣ କେହି ବିଶ୍ୱାସ କରିପାରେ ? ଆଜି ବୟସ ପହଞ୍ଚିଛି ବାର୍ଦ୍ଧକ୍ୟରେ । ସେ ଦିନର ବିଚାର, ଚିନ୍ତାଧାରା ଆଜି ନାହିଁ । ସେସବୁ ବୟସର ସ୍ରୋତମୁଖରେ ଭାସିଯାଇ କେଉଁ ସାଗର ଭିତରେ ଲୀନ ହୋଇଗଲାଣି । ଅତୀତର ଘଟଣା ବର୍ତ୍ତମାନ ସ୍ୱପ୍ନ ଭଳି ଲାଗୁଛି । ମୁଁ ଯେ ଦିନେ ଯୌବନର କଷାଘାତରେ ଜର୍ଜ୍ଜରିତ ହୋଇଥିଲି ଏ ଭାବନା ଆଜି ମୋତେ ମର୍ମାନ୍ତକ ଦୁଃଖ ଭିତରକୁ ଟାଣିନିଏ । ଆଜି ସେ ତା’ ନିଜ ଗୁଳିରେ ଘାଇଲା ହୋଇଛି; କିନ୍ତୁ ସେ ଦିନେ ସେ ବନ୍ଧୁକ ଧରି ଧାଇଁ ଚାଲିଥିଲା ମୋତେ ଘାଇଲା କରିବାକୁ । ତା’ର କ୍ଷୁଧିତ ଯୌବନର ଶିକାର ହେବାରେ ମୋର ଥିଲା ଯଥେଷ୍ଟ ଆପତ୍ତି । ବ୍ୟାଧ ମୃଗନ୍ୟାୟ ମୁଁ ଘୂରି ବୁଲିଛି ତା’ ବନ୍ଧୁକ ଗୁଳିକୁ ଏଡ଼ାଇ । ସେ ଅନେକଥର ବନ୍ଧୁକର ଘୋଡ଼ା ଟପିଛି; କିନ୍ତୁ ବ୍ୟର୍ଥ ହୋଇଛି ତା’ର ଲକ୍ଷ୍ୟ । ତଥାପି ପଛାଇନି ସେ ଧାଇଁଛି ଠିକ୍‌ ପଛେ ପଛେ । କେତେ ବା ଧାଇଁବ କୃଷ୍ଣସାର ! ଶେଷରେ ଦିନେ ସେ ଫେରି ଚାହିଁଲା ପଛକୁ । ସେ ଦେଖିଲା ଅପରୂପ ସୌନ୍ଦର୍ଯ୍ୟର ପସରାମେଲି ସ୍ୱର୍ଣ୍ଣବ୍ୟାଘ୍ରୀ ତା’ ପଛପଟରେ । ଭୟ କଲା ନି ସେ ମୋଟେ । ଠିଆ ହେଲା ସେ ବ୍ୟାଘ୍ରୀ ଆଗରେ ଅସମ୍ଭବ ଦମ୍ଭ ଧରି । ସେତେବେଳେ ସେ ଅନୁଭବ କଲା ନି କନକବରଣୀ ବ୍ୟାଘ୍ରୀ ଭିତରେ ହିଂସ୍ରତା । ବ୍ୟାଘ୍ରୀର ସସ୍ନେହ ସମ୍ବୋଧନ ତା’ ମନଭିତରେ ଅପୂର୍ବ ଭାବ ସୃଷ୍ଟି କଲା । ସେ ଭୁଲିଗଲା ତା’ ନିଜକୁ । ସେ ଗୋଟିଏ ଗୋଟିଏ କରି ପାଦ ବଢ଼ାଇ ଫେରି ଆସିଲା କନକବରଣୀ ପାଖକୁ । ସେ ଦେଖିଛି ତା’ ଆଖିରେ ତାକୁ । ନିଜେ କୃଷ୍ଣସାର ଭୁଲିଗଲା ତା’ ନିଦୁଆ ଆଖିର ମାଦକତାରେ । ଜିଭ ବଢ଼ାଇ ସେ ଚାଟିଲା ତାକୁ ଅତି ଆପଣାର ଭଳି । ଆଶ୍ୱାସନା ପାଇ ବାଧ୍ୟ ଶିଶୁଟି ପରି ସେ ଆଉଜି ଆସିଲା କୃଷ୍ଣାସାର କୋଳଭିତରକୁ । ସେହି ଦୁର୍ନିବାର ସ୍ନେହ ଭିତରେ କୃଷ୍ଣାସାର ଡାକିଲା ପ୍ରିୟା ! ସେ ତା’ର ମୁଦିଲା ଆଖି ଦୁଇଟିକୁ ମେଲି ଜବାବ ଦେଲା । ସେତେବେଳେ କିଏ କାହାକୁ ଶିକାର କଲା କିଏ କହିବ ! ସେ ଶିକାରରେ ନ ଥିଲା ଆବିଳତା, ନ ଥିଲା ଘୃଣା ।

 

ଧୀରେ ଧୀରେ ଧୂପ ଓ ମୋ ଭିତରେ ସଙ୍କୋଚ କମି ଆସିଛି । ଦୁହେଁ ଦୁହିଁଙ୍କୁ ଆମେ ଭଲ ପାଇଛୁ । ଭଲ ପାଇବାର ନିଶା ଯେତେବେଳେ ଦୁହିଁଙ୍କୁ ଗ୍ରାସ କରିଛି ସେତେବେଳେ କେହି କାହାକୁ ଦୋଷ ଦେବାଟା କେବେ ଉଚିତ ହେବନି । ଆମ ଭଲ ପାଇବା ଭିତରେ ଆବିଳତା ଥିଲା କି ନା ତା ମଧ୍ୟ ଆଜି କହି ହେବ ନାହିଁ । ପ୍ରକୃତରେ ମୋର ଥିଲା ସଂକୋଚ, ଯେଉଁ ସଂକୋଚ ମୋତେ ଧୂପଠାରୁ ଦୂରକୁ ଟାଣି ନେଉଥିଲା । ସୁଶାନ୍ତକୁ ଦୁଷ୍ମନ୍ତ କରି ତୋଳିବାରେ ମୋର ଥିଲା ଯଥେଷ୍ଟ ଆପତ୍ତି । ସର୍ବସ୍ୱାନ୍ତ ଦୁଷ୍ମନ୍ତ ଯେତେବେଳେ କୋଟିପତି ହେବାକୁ ଯାଇଛି ସୁଶାନ୍ତ ଆଖ୍ୟା ନେଇ ସେତେବେଳେ ନିଜକୁ ଯଥେଷ୍ଟ ସାବଧାନରେ ରଖିବା ଉଚିତ ବୋଲି ମୁଁ ଭାବୁଥିଲି; କିନ୍ତୁ କେତେଦିନ । ଦିନେ ଖସିଗଲା ମୋ ଟାଣ ଗୋଡ଼ ଦୁଇଟି । ତା’ ପରେ ଆଉ ଭୟ କାହାକୁ ?

 

ଧୂପ କିନ୍ତୁ ସୁଶାନ୍ତ-ଖୋଳ ଭିତରୁ ଦୁଷ୍ମନ୍ତକୁ ଚିହ୍ନି ପାରିଛି । ସୁଶାନ୍ତର ଯେ ହାଇଦ୍ରାବାଦ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଏଥିରେ ତିଳେ ବି ସନ୍ଦେହ ନ ଥିଲେ । ସବୁ କଥାର ପ୍ରମାଣ ସେ ପାଇ ସାରିଥିଲା ବହୁ ପୂର୍ବରୁ । ତେଣୁ ତା’ର ସଙ୍କୋଚର କାରଣ ନାହିଁ । ସେ ନିର୍ଭୁଲ ଭାବରେ ତା ମନରେ ମଣିଷକୁ ବାଛି ପାରିଛି । ଯେ ତାକୁ ଯାହା କହିଲେ ମଧ୍ୟ ସେ ପ୍ରସ୍ତୁତ ଅଛି ସବୁର ସମ୍ମୁଖୀନ ହେବାକୁ ।

 

ସେଦିନ ଆମେ ସିନେମା ଯାଉଥାଉ । ସିନେମା ହଲରେ ଶ୍ୱେତପଦ୍ମ ସହିତ ଦେଖା ହେଲା । ପ୍ରଥମେ ମୁଁ ତାକୁ ଦେଖି ନ ଦେଖିଲା ପରି ହୋଇ ଉଠି ଯାଉଥିଲି ସିଡ଼ି ଉପରଦେଇ । ମୋ ପଛରେ ଧୂପ ଇରା ଥା’ନ୍ତି । ସେ ପ୍ରଥମେ ମୋତେ ଦୋ ଦୋ ଚିହ୍ନା ହୋଇଛି, କିନ୍ତୁ ପରେ ଠିକ୍‌ ଚିହ୍ନି ନାଁ ଧରି ଡାକ ପକାଇଲା । ନ ଶୁଣିଲା ପରି ଉଠିଗଲି ଉପରକୁ । ଧୂପ ଓ ଇରାକୁ ବସାଇ ଦେଇ ଫେରି ଆସିଲି ତଳକୁ । ହୁଏତ ନ ଆସି ରହି ଯାଇଥାନ୍ତି; କିନ୍ତୁ ମନଟା କାହିଁକି କହିଲା ତା’ ସହିତ ପଦେ ଦୁଇପଦ କଥାବାର୍ତ୍ତା ହେବାକୁ । ସେ ମୋର ପିଲାଦିନର ସାଥି ଥିଲା । ତାକୁ ମୁହଁ ଛପାଇ ଦେଇ ରହିବାର କୌଣସି କାରଣ ନାହିଁ । ବିଶେଷତଃ ଟିକଏ ଗାଁର ଖବର ପାଇ ପାରିବି ।

 

ମୁଁ ତଳକୁ ଆସିଲା ବେଳକୁ ସେ ଟିକେଟ ନେଇ ଚାଲି ଯାଉଥିଲା ପ୍ରେକ୍ଷାଳୟ ଭିତରକୁ-। ମୋ ଡାକରେ ସେ ପଛକୁ ଫେରି ଚାହିଁଲା । ଖୁବ୍‌ ଅଳ୍ପ ସମୟ ଭିତରେ ବହୁତ କଥା ସେ କହିଗଲା । ଚଳଚ୍ଚିତ୍ର ଆରମ୍ଭ ହେବାରଘଣ୍ଟି ବାଜିବାରୁ ତର ତର ହୋଇ ଆମେ ଦୁହେଁ ଚାଲିଗଲୁ-। କଥା ହେଲା ଖେଳ ଶେଷରେ ଭେଟିବା । ମୁଁ ଉଠିଗଲି ଉପରକୁ । ବାଲକୋନି ଉପରେ ପହଞ୍ଚିଲା ବେଳକୁ ପ୍ରେକ୍ଷାଳୟଟି ଅନ୍ଧାର ହୋଇ ସାରିଥାଏ । ଦ୍ୱାରମୁହଁ ପାଖରେ ଧୂପକୁ ଭେଟିଲି-। ମୁଁ କିଛି କହିବା ପୂରବରୁ ତା’ର ଥାଏ ମୋ ବିରୁଦ୍ଧରେ ଆପତ୍ତି, କାହିଁକି ଦୁଇଟା ଝିଅଙ୍କୁ ବସାଇ ଦେଇ ଏତେ ସମୟ ବାହାରେ ରହିଲି ବୋଲି । ସେତେବେଳେ କୈଫିୟତଟା ଦେବାକୁ ବେଳ ନ ଥାଏ-। ତରତରରେ ତାକୁ ସଙ୍ଗରେ ନେଇ ବସି ପଡ଼ିଲି ମୋ ସ୍ଥାନରେ ।

 

ଗୋଟିଏ କଡ଼ରୁ ତିନୋଟି ଟିକେଟ ହୋଇଥିଲେ ମଧ୍ୟ ଧୂପ ଇରାଙ୍କ ଭିତରେ ଟିକିଏ ମନୋମାଳିନ୍ୟ ହେଲା ବସିବାପାଇଁ । ଧୂପ ମଝିରେ ବସିବାପାଇଁ କହିଲା ବେଳକୁ ଇରା ଆଗରୁ ବସି ସାରିଥାଏ । ମୋ ପାଖରେ ବସିବା ପାଇଁ ଦୁହିଁଙ୍କର ଇଚ୍ଛା । ଆଗରୁ ଇରାତ ବସି ଆସୁଥିଲା । ଏବେ କିନ୍ତୁ ଧୂପ ଚାହେ କାୟା ସଙ୍ଗେ ଛାୟା ହେବାକୁ । ଯାହା ହେଉ ବାଧ୍ୟ ହୋଇ ଧୂପ କଡ଼ କୁସନରେ ବସିଲା ।

 

ଖେଳଟି ଭଲ ହୋଇଥିଲା; କିନ୍ତୁ ଖେଳରେ ମୋର ବେଶୀ ମନ ନ ଥାଏ । ମନଭିତରେ ଶ୍ୱେତର କଥାଗୁଡ଼ିକ ପ୍ରତିଧ୍ୱନିତ ହେଉଥାନ୍ତି । ଅନ୍ନଦା ବାବୁଙ୍କ ସହିତ ଗାଁରେ କାହାର ପଡ଼ୁ ନାହିଁ । ତାଙ୍କର କପଟତା ଲୋକେ ଜାଣିପାରି ସମସ୍ତେ ଏକଜୁଟ ହୋଇଛନ୍ତି; ତାଙ୍କ ବିରୁଦ୍ଧରେ ସମସ୍ତଙ୍କର ଖୋଜା ଚାଲିଛି ତୁମକୁ । ତୁମେ ଗଲେ ତୁମ ଅଂଶଟା ଜୋର କରି ଆଣି ହେବ ବର୍ତ୍ତମାନ । ତୁମ ଠିକଣା ମଧ୍ୟ ଲୋକେ ପାଇଛନ୍ତି । କଟକର ଜଣେ ସେଠ୍‌ କିଏ ଠିକଣାଟି ବତାଇ ଦେଇ କହିଛି ସେ ଅବିକା କୌଣସି ଟିପ୍‌ପଣୀ ଦେବାକୁ ମୋତେ ବେଳ ନ ଥାଏ । ସବୁ ଶୁଣି ଯାଉଥାଏ । ଯାହା ଯେତିକି ଶୁଣିଥା, ସେତକ ମୋତେ ବଡ଼ ବ୍ୟସ୍ତ କରି ପକାଉ ଥାଏ । ଜନ୍ମ ଭୂମିର ଡାକରା କାହା ପ୍ରାଣରେ ଆଲୋଡ଼ନା ସୃଷ୍ଟି ନ କରିବ ? କିନ୍ତୁ ମୁଁ କ’ଣ ଫେରି ଯାଇ ସାନ ବାପାଙ୍କ ସହିତ ଠେଙ୍ଗାରେ କଥାବାର୍ତ୍ତା କରିବ ? କାହିଁକି କ’ଣ ହୋଇଛି ମୋର ? ଦୁଷ୍ମନ୍ତ ତା’ ଅଧିକାର ହରାଇ ଦାଣ୍ଡର ଭିକାରି ଆଜି ହୋଇନି । ବିରାଟ ମିଲ୍‌ ମାଲିକ ସରସ୍ୱତୀ ଲାଲଙ୍କ ପୁଅ ସୁଶାନ୍ତ ସେ ହୋଇ ଯାଇଛି କୁହୁକ ଭଳି । ଅଚଳାଚଳ ସମ୍ପତ୍ତିକୁ ଗୋଡ଼ରେ ଆଡ଼େଇ ପୁଣି ଦୁଷ୍ମନ୍ତ ହେବାର ପ୍ରୟାସ କାହିଁକି ବା ସୁଶାନ୍ତ କରିବ ? ଠିକ୍‌ କଲି ନା, ଶ୍ୱେତକୁ ଆଉ ଦେଖା ଦେବି ନାହିଁ । ସେ କଲିକତା ରୁ ଫେରି ଗାଁରେ ନିଶ୍ଚୟ କହିବ ମୋ କଥା । ହୁଏତ କହିବ ସେ ବାହାଶାହା ହୋଇ ଖୁବ୍‌ ଜାକ୍‌ଜମକରେ ଅଛି । ମୁଁ ଦେଖି ଆସିଛି ଆଖିରେ ତା’ ସହିତ ତା’ର ସ୍ତ୍ରୀ ସିନେମା ଦେଖିବାକୁ ଆସିଥିଲା, ଇତ୍ୟାଦି କେତେ ନାଇଁ କେତେ କ’ଣ ମନରୁ କାଢ଼ି ।

 

ସବୁ ଚିନ୍ତାର ଅବସାନ ଘଟାଇବାପାଇଁ ସିନେମା ସରିବାର ବହୁତ ପୂର୍ବରୁ ମୁଣ୍ଡ ବଥାଉଛି ବୋଲି ଗୋଟିଏ ବାହାନା କରି ଧୂପ ଇରାକୁ ଧରି ଫେରି ଆସିଲି ଘରକୁ । ମୁଁ ମୋ କୋଠରୀଟିରେ ଚୁପ୍‌ ହୋଇ ଶୋଇ କେତେ ନାହିଁ କେତେ କ’ଣ ଭାବୁଥାଏ । ଅସରନ୍ତି ଭାବନା-ସୂତାର ଖିଅ କେଉଁଠି ଛିଣ୍ଡି କେଉଁଠି କାହା ସହିତ ବେଳେ ବେଳେ ଯୋଡ଼ି ହୋଇ ଯାଉଥାଏ । ମଝିରେ ଥରେ ଧୂପ ଆସି ପଚାରି ଦେଇ ଯାଇଥାଏ, ଡାକ୍ତରଙ୍କୁ ଡକା ହେବ କି ନା ବୋଲି । ମୁଁ ନାହିଁ କଲି । ମୋ ମୁଣ୍ଡ ବ୍ୟଥା ଅନେକଟା କମି ଯାଇଥାଏ ବୋଲି ତାକୁ କହିଲି । ସେ ଟିକିଏ ଅପେକ୍ଷା କରୁଥାଏ ତା’ର ସାହାଚର୍ଯ୍ୟ ମୁଁ କାଳେ ଲୋଡ଼ିବି ବୋଲି । ତାହା ମଧ୍ୟ ମୋର ଆବଶ୍ୟକ ନ ଥାଏ । ମୁଁ ନାହିଁ କଲେ ମଧ୍ୟ ସେ ଜୋର କରି ମୋ ମୁଣ୍ଡ ଉପରେ ଟିକିଏ ହାତ ବୁଲାଇ ଆଣିଲା-। ଶେଷରେ ମୋର ଅନୁନୟ ତାକୁ ଫେରାଇ ନେଲା ମୋ କୋଠରୀଟିରୁ । ମୁଁ ଜାଣେ ଧୂପ ମୋ କୋଠରୀରେ ରହିବାଦ୍ୱାରା କେହି କିଛି ଭାବିବେ ନାହିଁ । ମୁଁ ଏକା କାହିଁକି ସେ ମଧ୍ୟ ଜାଣେ-। ତଥାପି ତାକୁ ମୋ’ ଠାରୁ ଅନ୍ୟତ୍ର ପଠାଇବାର ସେଇ ଗୋଟିଏ ମାତ୍ର ବାହାନା ଥାଏ–କିଏ ଦେଖିବ, କ’ଣ କାଳେ ଭାବିବ ।

 

ସରସ୍ୱତୀ ବାବୁ ବେଳେ ବେଳେ ମୋ କୋଠରୀକୁ ଆସନ୍ତି । ମୁଁ ଲକ୍ଷ୍ୟ କରି ଦେଖିଛି କିଛି ଗୋଟାଏ ଅସୁବିଧାରେ ପଡ଼ିଥିଲା ବେଳେ ସେ ପ୍ରାୟ ଆସନ୍ତି । ମୋ ସହିତ ସେହି ବିଷୟରେ କଥାବାର୍ତ୍ତା କରନ୍ତି । ଦୁହେଁ ବସି ଅଡ଼ୁଆ ମୀମାଂସା କରୁ । ଅନେକ ସମୟରେ ମୋ ଯୁକ୍ତିକୁ ସେ ମାନି ଯାଆନ୍ତି । ମୁହେଁ ମୁହେଁ ପ୍ରଶଂସା କରି ମୋ ଚିନ୍ତାଧାରାର ତାରିଫ କରନ୍ତି । ସେଦିନ ସେ ଆସି ପହଞ୍ଚିଲେ । ହାତରେ ଗୋଟିଏ ଟେଲିଗ୍ରାମ ଧରିଛନ୍ତି । ସେ ମୋ କୋଠରୀରେ ପହଞ୍ଚୁ ପହଞ୍ଚୁ ମୁଁ ଜାଣି ପାରିଥାଏ କେଉଁଠି କ’ଣ ଗୋଟାଏ ଗଣ୍ଡଗୋଳ ହୋଇଛି ବୋଲି । ସେ ଟେଲିଗ୍ରାମଟି ମୋତେ ଧରାଇ ଦେଲେ । ମୁଁ ପଢ଼ି ଜାଣିଲି ବମ୍ବେ କଟନ ମିଲ୍‍ର ଶ୍ରମିକମାନେ ଦରମା ବଢ଼ିବାପାଇଁ ଦାବି କରିଛନ୍ତି । ତାଙ୍କ ଦାବୀ ପୂରଣ ନ ହେଲେ ସେମାନେ ହରତାଳ କରିବେ । ମୁଁ ଟେଲିଗ୍ରାମଟି ପଢ଼ି ସରସ୍ୱତୀ ବାବୁଙ୍କ ମୁହଁକୁ ଅନାଇଲି । ସେ କହିଲେ ଏହି ବମ୍ବେ ମିଲ୍‌ଟି ମୋତେ ବଡ଼ ଅସୁବିଧାରେ ପକାଉଛି । ଭାବୁଛି ସେ ମିଲ୍‌ଟିକୁ ବିକିଦେବା । କଲିକତା ଛାଡ଼ି, ବମ୍ବେରେ ରହିବା ମୋ ପକ୍ଷରେ ସମ୍ଭବ ହୋଇ ପାରୁ ନାହିଁ; ତା’ ଛଡ଼ା ବମ୍ବେରେ ରହିଲେ କଲିକତା ମିଲରେ ଅବସ୍ଥା ଯେ ସେହିପରି ନ ହେବ ତାହା କିଏ କହିବ ? ତେଣୁ ଏହାର ଗୋଟାଏ କିଛି ଶୀଘ୍ର ମୀମାଂସା କରିବା ଦରକାର ।

 

ମୁଁ ତାଙ୍କ କଥାରେ ସମ୍ମତି ଜଣାଇ କହିଲି ବମ୍ବେ ମିଲ୍‌ର ଭାରଟି ମୋତେ ଦେଲେ ଚଳନ୍ତା ନାହିଁ ? ସେ ଟିକିଏ ଗମ୍ଭୀର ହୋଇ କହିଲେ ନା, ଏମ. ଏ . ପାସ୍‌ ନ କରିବା ପର୍ଯ୍ୟନ୍ତ ତୁମ ଉପରେ କୌଣସି ଭାର ଦିଆଯାଇ ପାରିବ ନାହିଁ । ତୁମେ ଏମ. ଏ. ପାସ୍‍ କରି ସାର; ତା’ ପରେ ସବୁ ଭାର ତ ତୁମ ଉପରେ ପଡ଼ିବ, କେବଳ ବମ୍ବେ ମିଲ୍‌ କାହିଁକି ?

 

ମୋର ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି କହିବାର ନ ଥିଲା । କେବଳ ଅବସ୍ଥାଟି କିପରି ସୁଧୁରିବ ତାହାହିଁ ଥିଲା ମୁଖ୍ୟ କଥା । ତେଣୁ ସେ ବିଷୟରେ ଅନେକ କଥା ପଡ଼ିଲା । ଶେଷରେ କୌଣସିଟା ଠିକ୍‌ ହୋଇ ପାରିଲା ନାହିଁ । ମୁଁ କହୁଥାଏ ବର୍ତ୍ତମାନ ଛୁଟି ଅଛି । ଏହି ସମୟରେ ମୁଁ ବମ୍ବେ ଯାଇ ଏହାର ଗୋଟାଏ କିଛି ବ୍ୟବସ୍ଥା କରି ଆସିବି; କିନ୍ତୁ ସରସ୍ୱତୀ ବାବୁ ମୋ କଥାରେ ଏକମତ ହୋଇ ପାରୁ ନ ଥାନ୍ତି । ତାଙ୍କର ଯୁକ୍ତି ଥାଏ ପଢ଼ା ନ ସରିବା ଯାଏ ଏ ବ୍ୟବସାୟ ଭିତରେ ପଶିବା ଉଚିତ ନୁହେଁ । ପାଠ ବ୍ୟବସାୟ ଦୁହେଁ ଦୁହିଙ୍କର ଶତ୍ରୁ । ଲକ୍ଷ୍ମୀ ସରସ୍ୱତୀ ଦୁହେଁ ଆରାଧ୍ୟା ହେଲେ ମଧ୍ୟ ଉଭୟେ ଉଭୟଙ୍କର ସଉତୁଣୀ । ଜଣେ ସ୍ୱଚ୍ଛ ପବିତ୍ର ହଂସ ବାହନାରେ ସାରା ବିଶ୍ୱ ବୁଲି ବୁଲି ବୀଣାର ଅପୂର୍ବ ଝଙ୍କାରରେ ନିର୍ଜୀବଠାରେ ମଧ୍ୟ ପ୍ରାଣର ସଞ୍ଚାର କରନ୍ତି । ସୃଷ୍ଟିର ଆରମ୍ଭ କାଳରେ ମଧୁକୈଟଭଦ୍ୱାରା ବ୍ରହ୍ମା ଧ୍ୱଂସ ପ୍ରାପ୍ତି ହେବାକୁ ଯାଉଥିଲାବେଳେ ତାଙ୍କରି ବୀଣାର ଝଙ୍କାର ସଦାଶିବ ଭଗବାନଙ୍କ ନିଦ୍ରା ଭଙ୍ଗ କରିଥିଲା ଏବଂ ଆଦି ଦାନବ ମଧୁକୈଟଭଙ୍କୁ ବିନାଶ କରିବାରେ ସାହାଯ୍ୟ କରିଥିଲା । ଅପରଟି ପ୍ରାଚୁର୍ଯ୍ୟ ଐଶ୍ୱର୍ଯ୍ୟର ଇଷ୍ଟଦେବୀ । ରତ୍ନଭଳି ବର୍ଣ୍ଣ ତାଙ୍କର ସ୍ୱର୍ଣ୍ଣ । ବାହନ ପେଚକ କୃପଣ ସଦୃଶ ଦିବାଲୋକରେ ଯାତାୟାତ କରି ପାରେ ନାହିଁ । ତଥାପି ତାଙ୍କ ପୂଜା ଅପରିହାର୍ଯ୍ୟ ।

 

ସରସ୍ୱତୀବାବୁଙ୍କ ଇଚ୍ଛା ବିରୁଦ୍ଧରେ ମୁଁ କାହିଁକି ବା ଜିଦ୍‌ ଧରିବି । ଯେତେବେଳେ ସେ ଅନୁରୋଧ କରିବେ ମୋ ଯୁକ୍ତିଟି ଯଥାର୍ଥ ସେତେବେଳେ ସେ ଆପେ ଆପେ ମୋ ବାଟରେ ଯିବାକୁ କହିବେ । ମୁଁ ଲକ୍ଷ୍ୟ କରି ଦେଖିଛି ଧୀରେ ଧୀରେ ସରସ୍ୱତୀ ବାବୁ ଦୁର୍ବଳ ହୋଇପଡ଼ୁଛନ୍ତି । ନିଜର ଗୁରୁଦାୟିତ୍ୱକୁ ଟିକିଏ ଲାଘବ କରିବାପାଇଁ ମୋ ସହିତ ପରାମର୍ଶ ଲୋଡ଼ୁଛନ୍ତି । ଅଧିକାଂଶ ଥର ମୋ ସବଳ ଯୁକ୍ତିକୁ ମାନି ସେ ସେହି ଅନୁସାରେ କାର୍ଯ୍ୟ କରିବାକୁ ଆଦେଶ ଦିଅନ୍ତି । ପ୍ରୀତିଦେବୀ ବ୍ୟବସାୟ ଭିତରେ ପଶି ପାରନ୍ତି ନାହିଁ । ତାଙ୍କ ମୁଣ୍ଡରେ ଏ ସବୁ ଧରେ ନାହିଁ । ତେଣୁ ମୋ ଛଡ଼ା କିଏ ଅଛି ତାଙ୍କର ନିଜଲୋକ ଯେ, କି ଠିକ୍‌ କେଉଁ ଗୋଟାକ ତାହା ବତାଇ ଦେଇପାରିବ । ତେଣୁ ମୋ ସହିତ ଆଲୋଚନା ତାଙ୍କର ଏକାନ୍ତ ଆବଶ୍ୟକ ।

 

କଲିକତା କିମ୍ବା ତା’ର ଆଖପାଖ କେତୋଟି ଅଞ୍ଚଳଛଡ଼ା ମୁଁ ଅନ୍ୟଆଡ଼େ ବୁଲି ଯାଇନି । ଅନେକଥର ମନେକରିଛି ବାହାରକୁ ଟିକିଏ ବୁଲିଯିବାକୁ; କିନ୍ତୁ ସରସ୍ୱତୀ ବାବୁଙ୍କଠାରୁ ଅନୁମତି ମିଳିବା କେବେ ସମ୍ଭବ ହୋଇନି । ମୋତେ ନ ମିଳିବାଟା ସ୍ୱାଭାବିକ । ହାଇଦ୍ରାବାଦ ବୁଲିବାକୁ ଯାଇ ସୁଶାନ୍ତ ଆଉ ଫେରିନି । ଯେଉଁ ସୁଶାନ୍ତ ଫେରିଲା ସେ କିଏ ସେ କଥା ସରସ୍ୱତୀବାବୁ ଭଲରୂପେ ଜାଣନ୍ତି । ନକଲି ସୁଶାନ୍ତ ହେଉନା କାହିଁକି ପ୍ରୀତିଦେବୀ ଅସଲ ସୁଶାନ୍ତଭଳି ଗ୍ରହଣ କରିଛନ୍ତି । ଆଗରୁ ତାଙ୍କର ତିନିଶହ ପଁଷଠି ଦିନରେ ତିନିଶହ ଛଅଷଠି ରୋଗ ଆଉ ଦେଖା ଦେଉନି । ତାଙ୍କର ସ୍ୱାସ୍ଥ୍ୟ ଏକଦମ ନଷ୍ଟ ହୋଇ ଯାଇଥିଲା କହିଲେ ଚଳେ; କିନ୍ତୁ ସେ ସୁଶାନ୍ତକୁ ଫେରିଯାଇ ପୁଣି ଫେରି ଆସିଲେଣି ପୂର୍ବ ସ୍ୱାସ୍ଥ୍ୟକୁ । ତେଣୁ ବାହାରକୁ ବୁଲି ଯିବାରେ ତାଙ୍କର ଅନୁମତି ମିଳିବା କିପରି ସମ୍ଭବ ହେବ ? ସବୁ ସତ୍ତ୍ୱେ ସେଇ ପ୍ରଥମଥର ପାଇଁ ମୋତେ ଅନୁମତି ମିଳିଲା ପାଟନା ଯିବାପାଇଁ । ସିଧାସଳଖ ଅନୁମତି ପତ୍ରପାଇଁ ମୁଁ ଆବେଦନ କରିନି । କଲେ ତାଙ୍କର ମାମୁଁ ପୁଅ ଭାଇ ବିଷ୍ଣୁପ୍ରସାଦ ।

 

ଗତ କେତେ ବର୍ଷ ଧରି ବିଷ୍ଣୁବାବୁ କେବେ ସରସ୍ୱତୀ ବାବୁଙ୍କ ଘରକୁ ଆସି ନାହାନ୍ତି । ସେଥର ସେ ଓ ତାଙ୍କର ଝିଅ ମିନତୀ ଆସିଥିଲେ । ମିନତୀ ଶିକ୍ଷିତା, ବେଶ ମେଳାପୀ । ଦେଖିଲା ଭଳି ଚେହେରାଟା ମଧ୍ୟ । କଲିକତାରେ ପାଞ୍ଚଟି ଦିନ ରହିଲା ଭିତରେ ମୁଁ ତାଙ୍କ ସଂସ୍ପର୍ଶରେ ଅନେକ ଆସିଛି । ଧୂପ, ଇରା ଓ ମିନତୀକୁ ଧରି କଲିକତାର ବିଭିନ୍ନ ଆଡ଼େ ବୁଲିବା ଥାଏ ମୋର ବଡ଼ କାମ । ଏହାଛଡ଼ା ମୋ କୋଠରୀଟିରେ ବରାବର ଧୂପ ଓ ମିନତୀ ବସି କେତେ ନାଇଁ କେତେ ଗପ କରନ୍ତି । ଅଧିକାଂଶ ମୋ ଉପସ୍ଥିତିରେ ହୁଏ । ଦୁଇ ତିନିଥର ପ୍ରୀତି ଦେବୀଙ୍କ ସହିତ ତାସ୍‌ ଉପସ୍ଥିତିରେ ହୁଏ । ଦୁଇ ତିନିଥର ପ୍ରୀତି ଦେବୀଙ୍କ ସହିତ ତାସ୍‌ ଖେଳ ବି ହୋଇଛି । ସବୁଥିରେ ମୋର ଉପସ୍ଥିତି ଆବଶ୍ୟକ । ମୁଁ ଅନୁଭବ କରିଛି ମିନତୀ ମୋ ନିକଟରେ ଟିକିଏ ଟିକିଏ ଯେଉଁ ସଂକୋଚ କରେ ତାହା ମୋ ସମ୍ପର୍କକୁ ସେ କିପରି ଟିକିଏ ଟିକିଏ ସନ୍ଦେହ ଚକ୍ଷୁରେ ଦେଖେ । ତାହା କେବଳ ଧୂପର ଅସାବଧାନତାରୁ । ଅବଶ୍ୟ ପରେ ସେ ଧାରଣା ବଦଳି ଗଲା । ସେଥିପାଇଁ ମୋତେ ବି ଟିକିଏ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ।

 

ଶେଷ ଦିନଟି ଧୂପ କିନ୍ତୁ ଖାପ୍‌ ଛଡ଼ା ଧରିଲା । ତା’ର ମନେ ହେଲା ମୁଁ ବୋଧେ ମିନତୀକୁ ବେଶୀ ପସନ୍ଦ କରୁଛି । ଏପରିକି ତା’କୁ ଭଲ ପାଉଛି । ହେବଟା ତା’ର ସ୍ୱାଭାବିକ୍‌ । ସମାଜ, ଲୋକ ସମ୍ପର୍କରେ ସେ କମ୍‌ ଆସିଛି । ସମସ୍ତଙ୍କର ବେଶୀ ସେ କ୍ଷୁଣ୍ଣ ହେଲା ମୋ ପାଟନା ଯିବା ପ୍ରସ୍ତାବରେ । ମୁଁ ତା’କୁ ବୁଝାଇବା ପାଇଁ ଯଥେଷ୍ଟ ସମୟ ପାଇଲି ନାହିଁ । ଯେତିକି ପାଇଲି ସେତିକିରେ ସେ ତା’ ମନଭାବକୁ ମୋ ପାଖରେ ପ୍ରକାଶ କରିବାକୁ ନାରାଜ ହେଲାପରି ଲାଗିଲା । ଯାହା ହେଉ ସେ ହାଓଡ଼ା ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲା ବଳେଇ ଦେଇ ଯିବାକୁ । ମୁଁ ଗାଡ଼ିରେ ଚଢ଼ିଲା ବେଳେ ଦେଖିଛି ତା ମୁହଁ ଟିକିଏ ଅସ୍ୱାଭାବିକ୍‌ ଦେଖାଯାଉଛି । ଗାଡ଼ି ଛାଡ଼ିବାପାଇଁ ଟିକିଏ ଡେରିଥାଏ । ସେହି ଟିକିଏ ସମୟରେ ମୁଁ ତଳକୁ ଓହ୍ଲାଇ ତାକୁ ପଚାରିଲି ମୁଁ ଯିବାରେ ତୋର କିଛି ଆପତ୍ତି ଅଛି କି ? ସେ ଯାହା କହିଲା ସେଥିରୁ ବେଶି କିଛି ଜାଣି ହେଲା ନାହିଁ । ତଥାପି ତା’ର ଆପତ୍ତି ଅଛି ତାହା ତା’ର ହାବଭାବରୁ ଯାହା ଜାଣି ହେଉଥାଏ । ଗାଡ଼ି ଛାଡ଼ିବାର ପୂର୍ବ ମୁହୂର୍ତ୍ତରେ କେବଳ ଏତିକି ତାକୁ କହିଦେଲି ମୁଁ ଶୀଘ୍ର ଫେରିବି । ପ୍ଲାଟ୍‌ଫର୍ମ ଉପରେ ବେଶି କିଛି କହିବା ସମ୍ଭବ ନୁହେଁ । ତା’ ପାଖରେ ଇରା ଠିଆ ହୋଇଥାଏ । ସରସ୍ୱତୀ ବାବୁ ବିଷ୍ଣୁ ବାବୁଙ୍କ ସହିତ କଥାବାର୍ତ୍ତା କରୁଥାନ୍ତି । ମିନତୀ ଅନାଇ ଥାଏ ଆମ ଆଡ଼କୁ । ଏ ଅବସ୍ଥାରେ ଆଉ ବା କ’ଣ କହିହେବ ତାକୁ ।

 

ଗାଡ଼ି ଛାଡ଼ିବାକୁ ଆରମ୍ଭ କଲାବେଳେ ମୁଁ ଗାଡ଼ି ଉପରକୁ ଉଠିଗଲି । ମିନତୀ ହାତ ହଲାଇ ବିଦାୟ ମାଗୁଥାଏ । ଇରା ହାତ ହଲାଇ ବିଦାୟ ଦେଉଥାଏ । ଧୂପ ହାତ ହଲାଉଥାଏ ସତ, କିନ୍ତୁ ସେ ହଲାଇବାରେ ସେତିକିଟା ବାସ୍ତବତା ନ ଥାଏ । ତାହା ମିନତୀ ଆଖିରେ ପଡ଼ିଛି କି ନା ଜାଣେନି; କିନ୍ତୁ ମୁଁ ବେଶ୍‌ ଲକ୍ଷ୍ୟ କରି ପାରିଛି ।

Unknown

 

ବିଷ୍ଣୁ ବାବୁଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ । ଝିଅ ମିନତୀ ବଡ଼ । ମିନତୀକି ପ୍ରାୟ ସତର ଅଠର ହେବ । ସେ ଆଇ: ଏ: ପାସ୍‍ କରିଥାଏ । ଘରେଇ ଭାବରେ ବି: ଏ: ପରୀକ୍ଷା ଦେବାକୁ ପଢ଼ାପଢ଼ି କରୁଥାଏ । ପୁଅ ଶିବଶଙ୍କରକୁ ବୋଧେ ଚଉଦ ବର୍ଷ ହେବ । ମାଟ୍ରିକ୍‌ କ୍ଲାସ୍‍ ରେ ପଢ଼ୁଥାଏ । ସମସ୍ତଙ୍କଠାରୁ ବିଷ୍ଣୁ ବାବୁଙ୍କ ସ୍ତ୍ରୀଙ୍କ ବ୍ୟବହାର ଖୁବ୍‌ ଭଲ । ବ୍ୟବହାରରେ କୃତ୍ରିମତା ଅନୁଭବ କରିନି । ସରସ୍ୱତୀ ବାବୁଙ୍କ ପରି ତାଙ୍କର ବଡ଼ ବଡ଼ କାରଖାନା ନ ଥିଲେ ମଧ୍ୟ ଛୋଟ ଫ୍ୟାକ୍ଟରୀ ଗୋଟିଏ ଅଛି ଏବଂ ଗୋଟିଏ ବଡ଼ ଗୋଦାମ ଅଛି । ମୁଁ ଗୋଟିଏ ସପ୍ତାହ ସେଠାରେ ଅତିବାହିତ କରିଥିଲେ । ସେହି ସାତଟି ଦିନରେ ତାଙ୍କଠାରେ ଅହମିକାର ଲେଶମାତ୍ର ଚିହ୍ନ ଦେଖିବାକୁ ଯାଇନି । ମୋର ମନେହୁଏ ଶିଷ୍ଟାଚାରର ଚରମରେ ସେମାନେ ଥାନ୍ତି ।

 

ମିନତୀ ସହିତ ମୁଁ ଅନେକ ବୁଲୁଛି । ବିଭିନ୍ନ ସ୍ଥାନ ବୁଲି ଦେଖାଇବା ଓ ସେ ବିଷୟରେ ବା ପ୍ରତ୍ୟେକର ଇତିହାସ କହିବାରେ ସେ ବଡ଼ ପଟୁ । ପ୍ରଥମେ ଆମେ ଯେଉଁଠି ପହଞ୍ଚିଲୁ ସେ ଦିନ ବିଶେଷ କିଛି ଘଟି ନାହିଁ । ତହିଁଆର ଦିନ ସନ୍ଧ୍ୟାବେଳେ ତାଙ୍କ ଘରେ ସଂଗୀତ-ଆସରର ବନ୍ଦୋବସ୍ତ ହୋଇଥାଏ । ଭଲ ଭଲ ଗାଇଲାବାଲା ଆସିଥାନ୍ତି । ମିନତୀ ଯେ ଜଣେ ଭଲ ଗାୟିକା ଏ ଧାରଣା ମୋର ଆଗରୁ ନ ଥିଲା । ତା’ର କଣ୍ଠଟି ଯେପରି ମିଠା ସେହିପରି ଠିକ୍‌ ତାଳ, ମାନ, ଲୟରେ ଗାଇପାରେ ସେ । ବିଶେଷତ୍ୱ ଶାସ୍ତ୍ରୀୟ ସଙ୍ଗୀତ ଭଲ ଗାଇପାରେ । ଅନ୍ୟ ଯେ ଯେତେ ଗାଇଲେ ମଧ୍ୟ ମିନତୀ କଣ୍ଠ ଭଳି କାହାରି କଣ୍ଠ ମୋତେ ସେତେ ଭଲ ଲାଗିଲା ନାହିଁ । କାଫି ରାଗରେ ତା କଣ୍ଠରୁ ନିଃସୃତ ‘ମିରାକେ ପ୍ରଭୁ ଗିରିଧର ନଗର’......ଅନେକ ଦିନ ପର୍ଯ୍ୟନ୍ତ ମୋ ଭିତରେ ପ୍ରତିଧ୍ୱନିତ ହୋଇଥିଲା । ତା’ର ଚାଲି, ଚଳନ, ହାବଭାବ ମୋତେ ଏତେ ଭଲ ଲାଗିଥିଲା ଯେ ଦିନେ ମୁଁ ଉଦ୍‌ବୁଦ୍ଧ ହୋଇ ପଡ଼ି କହିଲି ମିନତୀ ତୁମ କଣ୍ଠର ଲାଳିତ୍ୟ ମୋତେ ମୁଗ୍‌ଧ କରିପାରିଛି । ସେ ହସିଲା ଟିକିଏ । ସେ ହସରେ ଉପହାସ ମିଶିଥିଲା କି ପ୍ରକୃତ ବାସ୍ତବତା ଥିଲା ତା ମୁଁ କହି ପାରିବି ନାହିଁ । ସେ ହସି କହିଲା କୋଇଲି ଭଳି କଣ୍ଠ ତ ମୋର ନୁହେଁ । ମୋ କଣ୍ଠ ଲାଳିତ୍ୟଠାରୁ କୋଇଲି କଣ୍ଠର ଲାଳିତ୍ୟ ତ ନିଶ୍ଚୟ ଆପଣଙ୍କୁ ବେଶୀ ମୁଗ୍‌ଧ କରିଥିବ ?

 

କୋଇଲିର କଣ୍ଠ ମନୋମୁଗ୍‌ଧକର; କିନ୍ତୁ ତା ଭାଷା ଅବୋଧ୍ୟ । ତା’ର ରୂପ ମଧ୍ୟ ଆଦୃତ ନୁହେଁ । ସେଥିପାଇଁ ସେ କେବେ ସର୍ବସମକ୍ଷରେ ତା’ର କଣ୍ଠସ୍ୱର ଶୁଣାଇବାକୁ ଆସେନି । ଗହଳ ଚ୍ୟୁତ ପତ୍ର ଉହାଡ଼ରେ ସେ ତା’ କଣ୍ଠର ସ୍ୱର ଶୁଣାଏ ।

 

ମୋ ମୁହଁରେ ତା’ର ପ୍ରଶଂସା ତାକୁ ଭଲ ଲାଗିଲେ ମଧ୍ୟ ସେ ଟିକିଏ ଲାଜେଇ ଗଲା । ବସନ୍ତର ଅଗ୍ରଦୂତ କୋଇଲି ତା’ ପାଖରେ କିଛି ନୁହେଁ ଏ କଥା ଯେ କେହି ଯୁବତୀକୁ ଗର୍ବିତ କରିବ; କିନ୍ତୁ ମୁଁ ତା’ଠାରେ ସେତିକିଟା ଅନୁଭବ କରି ପାରିଲି ନାହିଁ । ବରଂ ମୋର ପ୍ରଶଂସାରେ ସେ ଆଉରି ନମ୍ର ହୋଇଗଲା ।

 

ମୁଁ ଧୂପ ସହିତ ତା’ର ତୁଳନା କଲି । ଧୂପଠାରୁ ମୋ ଆଖିରେ ସେ କାହିଁକି ବଡ଼ ବୋଲି ଦେଖାଗଲା ନାହିଁ । ତା’ର ପ୍ରତ୍ୟେକଟି ବିଷୟରେ ଯଥେଷ୍ଟ ତାରିଫ୍‌ କରିବାର ଥିଲେ ମଧ୍ୟ ଧୂପ ପାଖରେ ଏକା ଆସନରେ ତାକୁ ବସାଇବାରେ ମନରେ କାହିଁକି ଦ୍ୱିଧା ଆସୁଥିଲା ।

 

କଲିକତା ଫେରିବାପାଇଁ ମୁଁ ଯେଉଁଦିନ ଇଚ୍ଛା କଲି ସେ ଦିନ ମିନତୀ ଆଡ଼ୁ ଆପତ୍ତି ଉଠେ । କାଲି ଯିବି, କାଲି ଯିବି ବୋଲି ରହିଗଲି ଗୋଟିଏ ସପ୍ତାହ । ଏ ସପ୍ତାହଟି ବେଶ୍‌ ଉପଭୋଗ୍ୟ ହୋଇଥିଲା । ସେହି ଗତ ଦିନର ପୃଷ୍ଠାଗୁଡ଼ିକୁ ଅନାଇଲେ ଅକ୍ଷରଗୁଡ଼ିକ ଆଜି ପରିଷ୍କାର ଦେଖାଯାଏ ନାହିଁ । ଦୃଷ୍ଟି ଶକ୍ତିର ଦୂରରେ ଖଣ୍ଡେ ବହିର ପୃଷ୍ଠା ପରେ ପୃଷ୍ଠା ଓଲଟିଲେ ଯେପରି ବିଷୟ ଅଗୋଚରରେ ରହେ ସେହିପରି ଆଜି ସେ ଦିନର କଥା ଠିକ୍‌ ମନେ ନାହିଁ; କିନ୍ତୁ ଯେଉଁଦିନ ଫେରି ଆସିଲି ସେ ଦିନର ପୃଷ୍ଠାଟି ଅତି ପୁରୁଣା ହୋଇଗଲେ ମଧ୍ୟ ବେଶ ଆଜି ପଢ଼ି ହୁଏ । ସେଇ ଦିନ ପରେ ଆଉ କେବେ ମିନତୀ ସହିତ ଦେଖା ହୋଇନି । ତଥାପି ମିନତୀର ବ୍ୟବହାର ମୋ ମନକୁ ଜୋର୍‍ କରି ଟାଣି ନେଇଛି ତା’ ଆଡ଼କୁ ।

 

ମୁଁ ଯେତେବେଳେ ଆସିଲି ସେତେବେଳେ ମିନତୀକୁ ଦେଖିଛି ତା’ ଆଖି କୋଣରୁ ଲୁହ ଜକେଇ ଆସୁଛି । ସେ ମୁହଁ ବୁଲାଇ ଆଖି ପୋଛି ନେଇଥିଲା ସତ; କିନ୍ତୁ ମନର କୋହକୁ ଚାପି ପାରି ନ ଥିଲା । ମୁଁ ଗାଡ଼ି ଉପରେ ଉଠିଲା ବେଳେ କହିଲି ମିନତୀ ତୁମ ସାହଚର୍ଯ୍ୟରେ ଆସି ମୁଁ ନିଜକୁ ବଡ଼ ଧନ୍ୟ ମନେ କରିଛି । ସେ ରୋକି ପାରିଲା ନାହିଁ । ତା’ର କୋହକୁ ତା’ର ସେହି ଦୁର୍ବଳତା କାହା ଆଖିରେ ପଡ଼ିଥିବ ବୋଲି ମୋର ଧାରଣା ହୁଏ ନାହିଁ; କିନ୍ତୁ ତା’ ମୋ ଆଖିକୁ ଏଡ଼ାଇ ଦେଇ ପାରି ନାହିଁ । ସେ ପ୍ରକୃତିସ୍ଥ ହେବାପାଇଁ ଟିକିଏ ସମୟ ଲାଗିଲା । ଲୁଗା କାନି ମୁହଁରେ ଚାପି ରଖି ନିଜକୁ ଟିକିଏ ସଂଯତ କରି କହିଲା ଆଉ କେବେ ଆସିବେ କି ?

 

ମୁଁ ବିସ୍ମିତ ହେଲି ତା ବ୍ୟବହାରରେ । ମୋ ସହିତ ତା’ର ଏତେଟା ନିବିଡ଼ତା ମୁଁ ତ ମୋଟେ ଅନୁଭବ କରିନି । ସେ ତ ମୋଟେ ମୋତେ ଜଣାଇ ଦେଇନି ତା’ର ମନୋଭାବ କେବେ; ଏହି ବିଦାୟ ମୁହୂର୍ତ୍ତରେ ଏତେ ସେ ଭାଙ୍ଗି ପଡ଼ିଲା କାହିଁକି ? ତା’ର ମୋ ପ୍ରତି ବ୍ୟବହାର ବିଷୟରେ ଅନେକ ଥର ମୁଁ ଚିନ୍ତା କରିଛି । ମୋ ସହିତ ଯେତିକି ସମ୍ପର୍କ ଅନ୍ୟ ଲୋକଙ୍କ ପ୍ରତି ପ୍ରାୟ ସେତିକି ସମ୍ପର୍କ ତା’ର ଥାଏ ବୋଲି ମୋର ମନେ ହେଉଥିଲା; କିନ୍ତୁ ମୁଁ ଯେ ଅନ୍ୟମାନଙ୍କଠାରୁ ପୃଥକ୍‌ ଏ କଥା ବୁଝିଲି ସେଇ ବିଦାୟ ବେଳାରେ ।

 

ଗାଡ଼ି ଛାଡ଼ିଲାବେଳେ କହିଲି ଆଉ କେବେ ଆସିବାକୁ ଚେଷ୍ଟା କରିବି । ଆଉ କିଛି କହିବା ତା’ ପକ୍ଷରେ ସମ୍ଭବ ହୋଇ ନ ଥିଲା । ବିଷ୍ଣୁ ବାବୁ ଓ ତାଙ୍କ ସ୍ତ୍ରୀ ଟିକିଏ ଦୂରକୁ ଠିଆ ହୋଇ ଗାଡ଼ିର ଶେଷ ଭାଗରେ ଥିବା ଗାର୍ଡ଼ଙ୍କୁ ନୀଳ ପତାକାକୁ ଅନାଇଥାନ୍ତି । ସମ୍ଭବତଃ ସେମାନେ ଜାଣିଶୁଣି ଆମଠାରୁ ଅଲଗା ରହିଥିଲେ । ଗାଡ଼ି ଚାଲିବାଅବସ୍ଥାରେ ସେ ବି ମୋ ସହିତ ଶେଷ ଦେଖାପାଇଁ ଆଗକୁ ଗାଡ଼ି ସହିତ ଟିକିଏ ଚାଲି ଚାଲି ଯାଇ କହିଲା ଯଦି କେତେବେଳେ ମୋର କିଛି ତ୍ରୁଟି ହୋଇଥିବ ତେବେ ଆପଣ କ୍ଷମା ଦେବେ ନାହିଁ ? ମୁଁ ଟିକିଏ ଦରଦମିଶା କଣ୍ଠରେ କହିଲି ଭୁଲ୍‌ ହୋଇଛି ମୋର । ମୁଁ ନିଜେ ସୁଖୀ ଅଥଚ ତୁମକୁ ଦୁଃଖ ଦେଇଗଲି ।

 

ଗାଡ଼ିଟି ଜୋର୍‌ରେ ଛାଡ଼ୁ ଥିଲା । ସେ ଆଉ ଗାଡ଼ି ସହିତ ଧାଇଁ ପାରିଲା ନାହିଁ । ହାତ ହଲାଇ ବିଦାୟ ଜଣାଇ ଦେଉଥାଏ । ମୁଁ ମଧ୍ୟ ବିଦାୟ ନେଉଥାଏ । ତା’ ସହିତ ମୁଁ ଏତେ ବ୍ୟସ୍ତ ଥିଲି ଯେ ଭୁଲିଗଲି ବିଷ୍ଣୁ ବାବୁ କିମ୍ବା ତାଙ୍କ ସ୍ତ୍ରୀଙ୍କୁ ନମସ୍କାରଟିଏ ଲେଖେଁ କରିବାକୁ ।

 

ଠିକ୍‌ ସମୟରେ କଲିକତାରେ ଆସି ପହଞ୍ଚିଲି । ସରସ୍ୱତୀ ବାବୁ ଘରେ ନ ଥିଲେ । ପ୍ରୀତି ଦେବୀ ଆସି ପାଟନା କଥା, ବିଷ୍ଣୁ ବାବୁ ଓ ତାଙ୍କ ସ୍ତ୍ରୀ ଇତ୍ୟାଦିଙ୍କ କଥା ପଚାରିଲେ । ଇରା ବି ଆସିଲା; କିନ୍ତୁ ଧୂପର ଦେଖା ନାହିଁ । ଘଣ୍ଟାଏ ଖଣ୍ଡେ ପ୍ରୀତି ଦେବୀ ବିଷ୍ଣୁ ବାବୁଙ୍କ ଘର ବିଷୟରେ ଏଣୁ ତେଣୁ ନାନା କଥା ପଚାରି ଚାଲିଗଲେ । ଇରା ବି ପଢ଼ିବା ପାଇଁ ଚାଲି ଯାଉଥିଲା । ତାକୁ ଡାକି ଧୂପ ବିଷୟ ପଚାରିଲି । ସେ କହିଲା ଧୂପ ଦିଦି ପରା ସମୀରଦା ସହିତ କ’ଣ କଥାବାର୍ତ୍ତା କରୁଛି ! ସମୀରଦା ? ମୁଁ ଆଶ୍ଚାର୍ଯ୍ୟ ହୋଇ ପଚାରିଲି ତା’ ମୁହଁରେ ଟିକିଏ ହେଲେ ଭାବାନ୍ତର ଆସିଲା ନାହିଁ-। ସତେ ଯେପରି ସମୀରଦା ସେ ଘରର ଜଣେ ଲୋକ । ସେ ହସି ହସି କହିଲା ନିହାର ଦିଦିର ଭାଇ ସମୀରଦାକୁ ତୁମେ ଚିହ୍ନିନା ?

 

ସତେ ମୁଁ ତ ମୋଟେ ଚିହ୍ନିନି । ନିହାର ଦିଦି କିଏ, ସମୀରଦା କିଏ ?

 

ସେ କୁନ୍ଥା ହସଟାଏ ହସି କହିଲା ଦିଦିର ସାଙ୍ଗ ନିହାର ଦିଦି; ଆଉ ତାଙ୍କ ଭାଇ ସମୀରଦା । ଭଲ ଥିଏଟର ସେ କରନ୍ତି ନାହିଁ ?

 

ନିହାର ନାମରେ ଗୋଟିଏ ଝିଅ ଯେ କି ଧୂପର ସାଙ୍ଗ ଏ କଥା ତ ଆଗରୁ ମୋତେ ଜଣା ନ ଥିଲା, ସମୀର ବିଷୟରେ ବା ଜାଣିବି କେଉଁଠୁ ? ମନରେ ସନ୍ଦେହ ଉଙ୍କି ମାରିଲା । ତା’ ସହିତ ତଳକୁ ଯାଇ ଟିକିଏ ସେ ବିଷୟରେ ଗପ କଲି । ତା’ଠାରୁ ଜାଣିଲି ବହୁ ଆଗରୁ ଧୂପ ସହିତ ନିହାରର ଚିହ୍ନା ପରିଚୟ ଥିଲା । ଆଗେ ବରାବର ଆସୁଥିଲାତା’ ଭାଇ ସମୀର କେତେବେଳେ କିମିତି ଆସେ । ପ୍ରୀତି ଦେବୀଙ୍କ ସହିତ କ’ଣ ପଦେ ଦୁଇପଦ କଥାବାର୍ତ୍ତା କରି ଚାଲିଯାଏ । ଏହିଥର ମୋ ପାଟନା ଯିବା ପରେ ସେ ପ୍ରାୟ ନିତି ଆସୁଛି । ଧୂପକୁ ସଙ୍ଗୀତ ଶିଖେଇବାପାଇଁ ପ୍ରୀତି ଦେବୀଙ୍କ ସହିତ ବରାବର କଥାବାର୍ତ୍ତା କରୁଛି । ଧୂପର ବି ସଙ୍ଗୀତ ଶିଖିବାକୁ ଇଚ୍ଛା । ତିନିଚାରି ଦିନ ତଳେ ସେ ହାରିମୋନିୟମଟିଏ ଆଣି ଗୋଟାଏ ଦିଇଟା ଗୀତ ବୋଲି ଧୂପକୁ ତାହା ବୋଲିବାକୁ ବତାଇ ଦେଇଯାଇଛି ।

 

ମୁଁ ସେହିତଳେ ଠିଆ ହୋଇ କେତେ ନାହିଁ କେତେ ଭାବିଗଲି । ମୁହୂର୍ତ୍ତକ ମଧ୍ୟରେ ମନର ସମସ୍ତ ସରସତା କେଉଁଆଡ଼େ ଉଭେଇ ଗଲା । ପୂର୍ବରୁ ଧୂପର ପବିତ୍ର ସ୍ନେହ ମନର ପ୍ରତି କୋଣରେ ଅସରନ୍ତି ଭଲ ପାଇବାର ମୋହ ଦେଇଥିଲା ଅଜାଡ଼ି । ଯାହାପାଇଁ ମୋ ମନ ତା’ ଛଡ଼ା ଅନ୍ୟ କୌଣସି ଝିଅକୁ ମୁହୂର୍ତ୍ତକପାଇଁ ମଧ୍ୟ ଭଲ ପାଇବାକୁ ପଛେଇ ଯାଉଥିଲା । ମନ ଭିତରେ ବିରାଟ ଆଶାବସା ବାନ୍ଧିଛି । ସେଥିପାଇଁ ଦିନେ କହୁ କହୁ ମୁଁ ଧୂପକୁ କହିଲି ଧୂପ ଆମର ଏ ଖେଳ ଘର କେଇଟି ଦିନପାଇଁ । ସେ ତା’ ମୁହଁରେ ହସି ଫୁଟାଇ କହିଲା ଅନନ୍ତ କାଳପାଇଁ ।

 

ତୁମେ ତ ପୁଣି ବିବାହ କରିବ ?

 

ସେ ସେହିପରି ନିର୍ବିକାର ଚିତ୍ତରେ କହିଲା, ବିବାହ ମୋର ହୋଇ ସାରିଛି । ମୁଁ ବିସ୍ମୟଭରା ମୁରୁକି ହସା ଦେଇ କହିଲି, ହୋଇ ସାରିଛି ମାନେ ? ସେ ମୋ ଉପରେ ଢଳିପଡ଼ି ମୋ କାନରେ କହିଲା ସବୁଜ ଲତା ବିରାଟ ବୃକ୍ଷର ଆଶ୍ରା ନେଇ ସାରିଛି । ଏହା ପରେ ହୁଏତ ମୋର ମୃତ୍ୟୁ ହୋଇଯିବ ସିନା; କିନ୍ତୁ ଏ ବୃକ୍ଷଠାରୁ ମୋତେ ଅନ୍ୟତ୍ର କେହି ନେଇ ଯାଇ ପାରିବ ନାହିଁ । ମାତ୍ର ଆଜି ସେ ମୋଠାରୁ ଦୂରେଇ ଗଲା କାହିଁକି ? କେତୋଟି ଦିନ ହେଲେ ମଧ୍ୟ ଏହା ଏକ ଦୀର୍ଘକାଳ ବ୍ୟବଧାନ ଆମ ଦୁହିଁଙ୍କ ଭିତରେ । ମୁଁ ଆସି ପହଞ୍ଚିଲା ପରେ ସେ ମୋ ପାଖକୁ ଧାଇଁ ନ ଆସି ସମୀର୍‌ ସହିତ ହାରମୋନିୟମ୍‌ରେ ମିଳିତ ସ୍ୱର ମେଳି ଚାଳିଛି; ଏହା ମୋତେ ବିଚଳିତ କରି ପକାଇଲା । ମୋ ସମ୍ପର୍କଠାରୁ କ’ଣ ସମୀରର ବା ହାରମୋନିୟମ୍‌ର ସମ୍ପର୍କ ତା’ ପାଖରେ ବେଶୀ ଆପଣାର ହେଲା । ସେ ବିଶେଷ କିଛି ଅପରାଧ ନ କଲେ ମଧ୍ୟ ସେତେବେଳେ ମୁଁ ତାକୁ ବିରାଟ ବୋଲି ଭାବି ନେଲି । ମୋର ଧାରଣା ହେଲା ହୁଏତ ସମୀରକୁ ସେ ଏହା ଭିତରେ ଭଲ ପାଇ ସାରିଛି, ତେଣୁ ମୋଠାରୁ ସମୀରର ସାନ୍ନିଧ୍ୟତା ନିକଟରେ ମୂଲ୍ୟବାନ୍‌ ହୋଇଛି । ସାରା ମନଟା ମୋର ବିଷାକ୍ତ ହୋଇଗଲା । ବରଣ୍ଡାରୁ ତଳକୁ ଓହ୍ଲାଇ ଗଲି । ରାସ୍ତା ଉପରେ ଗୋଟିଏ ଗୋଟିଏ ହୋଇ ଚାଲିଲି ଆଗକୁ । ଗାଡ଼ି, ମଟର ଚାଲିଛି, ଲୋକେ ଚାଲିଛନ୍ତି ତା’ର ଭିତରେ ମୁଁ ବି ଚାଲିଛି ବଜାର ପରେ ବଜାର ଅତିକ୍ରମ କରି । ମନ ଚାହୁଥାଏ ବହୁଦୂରକୁ ଚାଳି ଯିବାକୁ । ଯେଉଁଠି ଧୂପର କୌଣସି ଖବର ପାଇ ପାରିବି ନାହିଁ ସେହିଠାକୁ । ସେ ସ୍ଥାନ କେତେ ଦୂରରେ ତା’ ମୋତେ ଜଣା ନ ଥାଏ ଚାଲିଥାଏ ଖାଲି ଆଗକୁ ।

 

କେତେବାଟ ଚାଲି ଆସିଥାଏ ମୋର ତାହା ଜାଣିବାର ଇଚ୍ଛା ନ ଥାଏ । ଧୂପର ଭଲ ପାଇବାର ପୁଟ ଯେଉଁ ମନକୁ ସରସତାରେ ଛାଇ ଦେଇଥିଲା ଆଜି ସେହି ପୁଟ ସାରା ମନଟାରେ ବିଷମ ବ୍ୟାଧି ସୃଷ୍ଟି କରିଛି । ଆରମ୍ଭ ହୋଇଛି ତା’ର ଜ୍ୱଳନ କ୍ରିୟା । ଜଳାନ୍ତକ ରୋଗୀପରି ମୁଁ ଧାଇଁ ବୁଲୁଛି ତା’ର ଜ୍ୱଳନରେ । ମନ ହେଉଥାଏ ଧାଇଁଯିବି ଧୂପ ପାଖକୁ । ହୁଏତ ତା’ରି ପାଖରେ ସମୀର ବସି ସଙ୍ଗୀତ ଶିଖାଉଥିବ । କିଛି ନ ବିଚାରି ଗୋଟିଏ କୁଦାରେ ଡେଇଁ ପଡ଼ିବି ତା’ରି ଉପରକୁ । ତା’ର ତୋଟିଟାକୁ ଧରି ଚିପି ମାରିଦେବି; ତା’ପରେ ଧୂପ ଉପରକୁ ତା’ର ସେହି ଶବଟା ଫୋପାଡ଼ି ଦେଇ ଧାଇଁ ପଳାଇ ଯିବି ବହୁ ଦୂରକୁ । ପୁଣି ମନରେ ଆସିଲା ସମୀରର ଦୋଷ ମୁଁ କାହିଁକି ଦେଉଛି । ଏହା ପୂର୍ବରୁ ତ ସମୀର ଆସୁଥିଲା; କିନ୍ତୁ ଧୂପ ସହିତ ତା’ର କିଛି ସମ୍ପର୍କ ନ ଥିଲା-। ଧୂପ ଆପେ ଆପେ ଯାଇ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବ ବୋଲି ସମୀର ସୁଯୋଗ ପାଇଥିବ ତା’ ସମ୍ପର୍କରେ ଆସିବାକୁ । ମୂଳ ତ ଧୂପ ! ତାହାହେଲେ ଧୂପକୁ କ’ଣ ମୁଁ ଖୁନ୍‌ କରିବି ? ଯାହାକୁ ଏତେ ଭଲ ପାଉଥିଲି, ତାକୁଇ କ’ଣ ଶେଷରେ ମୁଁ ଖୁନ୍‌ କରିବି ? ହୁଏତ ତାହା ହିଁ ମୋତେ କରିବାକୁ ହେବ । ଏ ଯନ୍ତ୍ରଣାରୁ ରକ୍ଷା ପାଇବାକୁ ହେଲେ ମୋତେ ସେହିବାଟ ଧରିବାକୁ ହେବ-। ମୁଁ ହେବି ହନ୍ତା । ଯାହାପାଇଁ ଜୀବନର ପ୍ରତିଟି ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲି ଆଜି ମୁଁ ତାହାରିପାଇଁ ନିଜେ ତାକୁ ମୁଁ ନିଜେ ହାତରେ ଖୁନ୍‌ କରିବି । ତା’ର ସେ ରାକ୍ଷସୀ ଭଲ ପାଇବାର ନିଶାଠାରୁ ତାକୁ ଦୂରେଇ ଦେବି ।

 

ଶଗଡ଼ଚକ ପରି ମନ ଗଡ଼ି ଆସିଛି ବହୁତ ଦୂରକୁ । ଆଜି ସେ ଦିନର ଅବସ୍ଥା କୃମି ପୋକ ଭଳି ଜନ୍ମ ଗ୍ରହଣ କରି ଟିକିଏ କ’ଣ କଟୂର ସଂସ୍ପର୍ଶରେ ବିଲୋପ ପାଇ ଯାଉଥିଲା । ଗୁଡ଼ାଏ ଏଣୁ ତେଣୁ ଭାବି ଭାବି ମୁଁ ଚାଲିଥାଏ ଆଗକୁ । କୁଆଡ଼େ ଯାଉଛି, କାହିଁକି ଯାଉଛି ଏସବୁ ପ୍ରତି ମୋଟେ ଧ୍ୟାନ ନ ଥାଏ । ହଠାତ୍‌ ମୋ ଧାରଣାରେ ବାଧା ଆସିଲା ହସ ହସ ମୁହଁରେ ମଗରେ ପୂରବୀ ଘୋଷଙ୍କୁ ଦେଖି ମୁଁ ଅନ୍ୟମନସ୍କଭାବେ ଚାଲିଥାଏ ମୋ ଡାହାଣ କଡ଼ରେ । ସେ ମୋତେ ନମସ୍କାର କରି ଚେତେଇ ଦେଲେ ମୋର ଭୁଲ୍‌ଟି ।

 

ମୁଁ ମୋ ବାଁ କଡ଼କୁ ଯିବାକୁ ବାହାରିଲା ବେଳେ ସେ ପଚାରିଲେ ଯାଉଛନ୍ତି କେଉଁଠାକୁ-? କ’ଣ ଗୋଟାଏ ଆଡ଼ୁ ସାଡ଼ୁ କହି ଦେଇଥାନ୍ତି; କିନ୍ତୁ ପାଟିରୁ ବାହାରି ପଡ଼ିଲା । ଏମିତି ଟିକିଏ ବୁଲି ଚାଲିଛି, କୌଣସି ଉଦ୍ଦେଶ୍ୟରେ ନୁହେଁ ।

 

ପୂରବୀ ଘୋଷ ମୋ ସହିତ କଲେଜ୍‌ରେ ପଢ଼ନ୍ତି । କଲେଜ୍‌ରେ ମୋ ସହିତ ସେପରି କେବେ କଥାବାର୍ତ୍ତା କରି ନାହାନ୍ତି । ତଥାପି ଦୁଇ ଚାରିଥର କ’ଣ ପଦେ ଦୁଇ ପଦ ଲେଖାଁ ସେହି ପାଠ ସମ୍ବନ୍ଧରେ କଥାବାର୍ତ୍ତା ହୋଇଥିଲା ପରି ମନେ ହୁଏ । ମୁଁ ତ ଆଗେ କେବେ ଝିଅ ପିଲାଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଏନି । କେହି ଯେବେ କେବେ କ’ଣ ପଚାରେ ତା’ର ସରଳ ଉତ୍ତରଟି ଦେଇ ଦିଏ ଯାହା । ପୂରବୀ ଘୋଷ ଦେଖିବାକୁ ଆମ ସହପାଠିନୀମାନଙ୍କ ଭିତରେ ସମସ୍ତଙ୍କଠାରୁ ସୁନ୍ଦରୀ । ମୁଁ ଜୀବନଠାରୁ ଶୁଣିଛି ଜଣେ ଅବସ୍ଥାପନ୍ନ ଲୋକର ଝିଅ ସେ । କଲିକତାରେ ତାଙ୍କର ବ୍ୟବସାୟ ଆଦି କିଛି ନ ଥିଲେ ମଧ୍ୟ ବହୁତ ଖାତିର୍‌ ଅଛି ତାଙ୍କର । ବଙ୍ଗଳାର କେଉଁ ମଫସଲ ଅଞ୍ଚଳରେ ତାଙ୍କର ବିରାଟ ଜମିଦାରୀ ଅଛି । ଯାହା ପାଇଁ କି ସେ ରଜାପରି ଚଳନ୍ତି । ପୂରବୀ ଦେବୀଙ୍କ ବାପାଙ୍କୁ ଜମିଦାରସାହେବ ନ ଡାକି ତାଙ୍କ ନାଁ ଧରି ଡାକିଲେ କୁଆଡ଼େ ସେ ଖୁବ୍‌ ବିରକ୍ତି ହୁଅନ୍ତି

 

ହଠାତ୍‌ ପୂରବୀ ଦେବୀ ମୋ ସହିତ ଏପରି ରାସ୍ତା ଉପରେ କଥାବାର୍ତ୍ତା କରିବାରେ ମୁଁ ବି ଟିକିଏ ଆଶ୍ଚର୍ଯ୍ୟ ହେଲି । କାହିଁକି ନା ଜମିଦାରସାହେବଙ୍କ ଝିଅ ହିସାବରେ ତାଙ୍କର କମ୍‌ ଗର୍ବ ନାହିଁ । ସେଥିପାଇଁ କଲେଜରେ ଜୀବନ କେତେ ଥର ତାଙ୍କୁ ଥଟ୍ଟା କରିବା ପାଇଁ ମୋତେ ବଡ଼ ପାଟିରେ ଡାକି କହିଛି ସୁଶାନ୍ତ ତୁମର ଏ କଳବାଡ଼ି ମାମଲା ଛାଡ଼ି କେଇ ଖଣ୍ଡ ଜମିଦାରୀ କି’ଣ । କିଛି ନ ହେଲେ ଜମିଦାରସାହେବ କିମ୍ବା କୁମାରସାହେବ ଡାକ ତ ଶୁଣି ପାରିବ । ମୁଁ ତା’ କଥାରେ ଟିକିଏ ହସ ମୁହଁରେ ଫୁଟାଇ କହେ ‘ଦେଖିବା’ । ମୋ ପାଟିରୁ ସେହି ଦେଖିବା ଶବ୍ଦଟି ଶୁଣିଲା ପରେ ଦଳେ ଆରମ୍ଭ କରି ଦିଅନ୍ତି କୁମାର ସାହେବ ଡାକ । କେହି ବା ଏକା ଥରକେ ଡାକି ଦିଏ ଜମିଦାରସାହେବ । ମୋର କିନ୍ତୁ କୌଣସି ଥିରେ ବିଶେଷ ଆଗ୍ରହ ନ ଥାଏ । ସେତେବେଳେ ମୁଁ ପୂରବୀ ଦେବୀଙ୍କୁ ଲକ୍ଷ୍ୟ କରି ଦେଖେ ତାଙ୍କ ମୁହଁଟା ଗୋଟାଏ ଧାନଉଷୁଆଁହାଣ୍ଡି ଭଳି ହୋଇଥାଏ-

 

ଯଦି କୌଣସି ଉଦ୍ଦେଶ୍ୟରେ ନୁହେଁ, ତେବେ ମୋ ସହିତ ଆମ ଘରକୁ ଆସିବାରେ ଆପଣଙ୍କର କୌଣସି ଆପତ୍ତି ଅଛି କି ?

 

ତାଙ୍କ କଥାରେ ଥା ଥା ମା ମା ହୋଇ କହିଲି ସେପରି କିଛି ବିଶେଷ ଆପତ୍ତି ନାହିଁ । ତାଙ୍କ ଘରଟି ସେହି ନିକଟରେ । ତାଙ୍କ ସହିତ ମୁଁ ଚାଲିଲି ତାଙ୍କ ଘରକୁ । ଜମିଦାରସାହେବଙ୍କ ଘର ଠିକ୍‌ ଜମିଦାରସାହେବଙ୍କ ଘର ଭଳି ସଜା ହୋଇଛି । ମୁଁ ପ୍ରଥମେ ଟିକିଏ ଚାରିଆଡ଼କୁ ଲକ୍ଷ୍ୟ କରିବାକୁ ଚେଷ୍ଟା କଲି । ତା’ ପର ମୁହୂର୍ତ୍ତରେ ମନରେ ଆସିଲା । ମୁଁ ଭୁଲ୍‌ କରିଛି ବୋଲି । ସିଧା ଚାଲିଲି ପୂରବୀ ଦେବୀଙ୍କ ସହିତ ତାଙ୍କ ପଢ଼ା ଘରକୁ । ସେ ଘରଟି ସେ କମି ସଜାଇ ନାହାନ୍ତି । ମୋତେ ସେ ବସିବାପାଇଁ କହି ଟିକିଏ ଘରଭିତରକୁ ଚାଲିଗଲେ । ଟିକକ ପରେ ସେ ଫେରି ଆସିଲେ ସତ କିନ୍ତୁ ସେ ଏକା ଆସି ନ ଥିଲେ । ତାଙ୍କ ସହିତ ତାଙ୍କ ମା’ ଭାଉଜ ଥିଲେ । ସେ ମୋତେ ତାଙ୍କ ସହିତ ଚିହ୍ନା ପରିଚୟ କରାଇ ଦେଲେ । ମୁଁ ମଧ୍ୟ ନମସ୍କାରଟିଏଲେଖାଁ କରି ମୋର କର୍ତ୍ତବ୍ୟ ଶେଷ କଲି ।

 

କାହିଁରେ କେତେ କ’ଣ ଗପ ସେ ଦିନ ସେମାନେ କଲେ । ସେହି ଗପ ଭିତରେ ମୁଁ ଭୁଲିଯାଇଥାଏ ମୋର ମନର ଗ୍ଲାନି । ମୁଁ ମଧ୍ୟ ତାଙ୍କ ସହିତ ବେଶ୍‌ ଗପ କରିଥିଲି । ସେହି ଗପ ଭିତରେ ମୁଁ ଥରକପାଇଁ ବି ମୋ ମନର ଅସୁସ୍ଥତାକୁ ଅନୁଭବ କରି ପାରି ନାହିଁ । ଆମେ ଗପ କରୁଥିବାବେଳେ ପୂରବୀ ଦେବୀ ଆମ ପାଖରୁ ଉଠିଯାଇ ପ୍ରାୟ ପନ୍ଦର ମିନିଟ୍‌ପରେ ଫେରି ଆସିଲେ । ତାଙ୍କ ଫେରି ଆସିବାରେ ବିଶେଷତ୍ୱ ଥିଲା । ଆମ ପାଖରୁ ଉଠିଯାଇଥିଲେ ଯେଉଁ ବେଶରେ ସେହି ବେଶରେ ସେ ଆଉ ଫେରି ନ ଥିଲେ । ଫେରିଥିଲେ ଏକ ରାଜକନ୍ୟା ବେଶରେ-। ସେତେବେଳେ ତାଙ୍କର ସେ ଲୋଭନୀୟ ସୌନ୍ଦର୍ଯ୍ୟକୁ ମୁଁ ମୋ ଦୃଷ୍ଟିଠାରୁ ଏଡ଼ାଇ ଦେଇ ପାରି ନ ଥିଲି । ସେ ଆସି ବସିବାର ଟିକକ ପରେ ତାଙ୍କ ମା’ ଓ ଭାଉଜ ଆମ ପାଖରୁ ଉଠି ଯାଇଥିଲେ କ’ଣ କାମର ବାହନାରେ । ସେ ଉଠି ଗଲାବେଳେ ମୁଁ ଭାବିଥିଲି ତାଙ୍କ ଜମିଦାରୀ କଥା । ଆଗରୁ ଜାଣିଥିଲି ତାଙ୍କ ଜମିଦାରୀ ମେଦିନୀପୁର ଅଞ୍ଚଳରେ ଥିଲା । କିନ୍ତୁ ତାଙ୍କ ଭାଉଜ କହିଲେ ଓଡ଼ିଶାର କଟକ ଜିଲ୍ଲାରେ ଆଳି ଓ କଟକ ଥାନାରେ ବୋଲି ।

 

ବୋଧେ ସୂର୍ଯ୍ୟାସ୍ତ ନିଲାମରେ ସୁଯୋଗ ନେଇ ଓଡ଼ିଶାରୁ ଖଣ୍ଡେ ଖଣ୍ଡେ ନିଜ ନାମରେ କରାଇ ନେବାର ସୁଯୋଗ ପାଇଛନ୍ତି ଏମାନେ ।

 

ଆଗରେ କଲେଜ ସହପାଠିନୀ ପୂରବୀ ହସ ହସ ମୁହଁରେ ମୋ ଆଡ଼କୁ ଚାହିଁ ବସିଥାଏ, ଅସମ୍ଭବ ସୌନ୍ଦର୍ଯ୍ୟ ଧରି । ମୁଁ ତା’ ଆଡ଼କୁ ଟିକିଏ ଚାହିଁ ଦେଖିଲି ତା’ର ସେହି ଘୁମନ୍ତ ଆଖିପତା ଆହୁରି ଘୁମନ୍ତ ହୋଇଉଠୁଛି । ସତେ ଯେପରି ଯୁଗ ଯୁଗର ତନ୍ଦ୍ରା ତା’ ଆଖି ଉପରେ ପ୍ରଭାବ ବିସ୍ତାରି କରୁଛି । ପୁରାଣ ଯୁଗର ଶକୁନ୍ତଳା ଦୁଷ୍ମନ୍ତଙ୍କୁ ସମ୍ଭବତଃ ଏହିପରି ଦିନେ ଚାହିଁଥିଲା । ମହାରାଜ ସଂଯମୀ ଦୁଷ୍ମନ୍ତ ଭୁଲିଥିଲେ ନିଜର କର୍ତ୍ତବ୍ୟ ଶକୁନ୍ତଳାର ନିଟୋଳ ସୌନ୍ଦର୍ଯ୍ୟରେ ।

 

ମୋର ଅନ୍ୟମନସ୍କତା ଦେଖି ପୂରବୀ ପଚାରିଲା କୁମାର ସାହେବଙ୍କର ଆଉ କେଉଁଠି ସେପରି ଜରୁରୀ କିଛି ଅଛି ?

 

ପୂରବୀ ମୁହଁରେ କୁମାରସାହେବ ସମ୍ବୋଧନ ଶୁଣି ମୁଁ ଭାବିଲି ସେ ମୋତେ ବୋଧେ ଥଟ୍ଟା କରୁଛି । କହିଲି ରାଜକୁମାରୀଙ୍କ ସମ୍ପର୍କରେ ଆସିବା ଭଳି ଏଡ଼େ ବଡ଼ ସୌଭାଗ୍ୟକୁ ଏଡ଼ି ଦେଇ କେହି କ’ଣ ଚାଲିଯାଇପାରେ ?

 

କ୍ଷଣକପାଇଁ ତା’ ଗୋରା ମୁହଁଟି ଲାଲ ପଡ଼ିଗଲା । ମୁଁ ମୋର ଭ୍ରମ ବୁଝିପାରିଲି । ସଙ୍ଗେ ସଙ୍ଗେ ମୋ ଭିତରେ ଗୋଟାଏ ଦ୍ୱନ୍ଦ୍ୱ ସୃଷ୍ଟି ହେଲା । ଅନୁଭବ କଲି ଗୋଟାଏ ଅହେତୁକ କମ୍ପନ । ହୁଏତ ପୂରବୀ ପାଖରେ ଘଟିବ ମୋର ପରାଜୟ । ଭାବିଲି ପଳାଇ ଯିବା ଉଚିତ । ଯେତେ ବେଶୀ ସମୟ ଏଠି ବସିବି ସେତେ ଦୁର୍ବଳ ହୋଇପଡ଼ିବ ମୋର ମନ; କିନ୍ତୁ ଏପରି ଅଭଦ୍ରଙ୍କ ପରି ଉଠିଯିବି କିପରି ? ସେ ମୋତେ ଥଟ୍ଟା କରି ନ ଥିଲା । ମୁଁ କରିଛି ତାକୁ ଥଟ୍ଟା । ଥଟ୍ଟା କରି ଯେଉଁ ତୀକ୍ଷ୍‌ଣ ବାକ୍ୟ—ବାଣ ମୁଁ ପ୍ରୟୋଗ କଲି ସେ ବାଣରେ ସେ ଘାଇଲା ହୋଇ ମୋତେ ଘାଇଲା କରିବାକୁ ଚେଷ୍ଟା କରୁଛି । ମୋରି ବାଣର ଆଘାତରେ ମୁଁ ଛଟପଟ ହେବାକୁ ଯାଉଛି । ଶୋଚନା କଲି କାହିଁକି ଏପରି କହିଲି ବୋଲି ।

 

ପୂରବୀ ମୁହଁରୁ କୁମାରସାହେବ ସମ୍ବୋଧନ ଶୁଣି କିପରି ବୁଝିବି ମୁଁ ସେ ମୋତେ ଥଟ୍ଟା କରୁ ନାହିଁ ବୋଲି । କଲେଜର ସେହି କୁମାରସାହେବ ଆଉ ପୂରବୀ ମୁହଁର କୁମାରସାହେବ କେବେ ଏକା ନୁହେଁ ଏହା ତା ମୁହଁରୁ ଶୁଣିଲାବେଳେ ଜାଣିବାର ଉପାୟ ନ ଥିଲା । ପୂରବୀ ଭଳି ଶ୍ରେଷ୍ଠ ସୁନ୍ଦରୀ ତରୁଣୀ ମୋତେ ଭଲପାଏ ଏହା ଘୁଣାକ୍ଷରରେ ଜାଣି ନ ଥିଲି ମୁଁ । ଯେଉଁ ମୁହୂର୍ତ୍ତ ମୋତେ ଜଣାଇ ଦେଲା ସେ ମୁହୂର୍ତ୍ତରେ ନିଜକୁ ସଙ୍କୁଚିତ କରି ନେବାକୁ ମୁଁ କେତେ ନାଇଁ ଚିନ୍ତା କରିଗଲି ।

 

ଅଭିନେତା ଦୁଷ୍ମନ୍ତ ସୁଶାନ୍ତର ବେଶ ପିନ୍ଧି ଠିଆ ହୋଇଛି । କେବଳ ତିନୋଟି ଲୋକଙ୍କ ଛଡ଼ା ଚତୁର୍ଥ ଲୋକ କେହି ନାହିଁ ଯେ କି କହିବ ଏ ପ୍ରକୃତ ସୁଶାନ୍ତ ନୁହେଁ; ତା’ର ବେଶ ପିନ୍ଧି ଆଉ ଜଣେ କିଏ ଠିଆ ହୋଇଛି ବୋଲି । ବେଳେ ବେଳେ ଦୁଷ୍ମନ୍ତ ବି ଭୁଲିଯାଉଛି ତା ନିଜକୁ । ସୁଶାନ୍ତର ଖୋଳ ଭିତରେ ସେ ବି ନିଜକୁ ସୁଶାନ୍ତ ବୋଲି ଧରି ନେଉଛି । କ୍ଷଣିକ ଉତ୍ତେଜନାରେ ସେ ଚମକି ଉଠୁଛି । ଅନ୍ଧଙ୍କ ଭଳି ଉଣ୍ଡାଳି ହେଉଛି ତା ନିଜ ବାଟ ।

 

ପୂରବୀ ପଢ଼ା ଘରର ଶିଶୁ କାଠର ଟେବୁଲ୍‌ ଉପରେ କହୁଣିଟି ରଖି ହାତ ପାପୁଲିରେ ଚିବୁକଟି ଥୋଇ ଏକ ଧ୍ୟାନରେ ନକଲି ସୁଶାନ୍ତ ଚାହିଁ ରହିଛି ପୂରବୀ ମୁହଁକୁ । ସେହି ମୁହଁରୁ ପୂରବୀ ଓଲଟା ସିଧା କରି ପଢ଼ୁଛି ସୁଶାନ୍ତ ମନର ଭାଷାକୁ । ଯେତିକି ସେ ପଢ଼ୁଛି ସେତିକି ସେ ଲାଜେଇ ଯାଉଛି । ତଥାପି ସେ ଓହରି ଯାଉନି ପଢ଼ାରୁ । ହଠାତ୍‌ ସେ କହିଉଠିଲା ଯାଃ, ତମେ ବଡ଼ ଦୁଷ୍ଟ ! (ଆପଣ–x x x)

 

କହି ଆସୁଥିଲି ଏ ଦୁଷ୍ଟାମୀ କରିବାପାଇଁ ତୁମେ ନିମନ୍ତ୍ରଣ କରି ଏଇଲେ ଏପରି ବଦନାମ ଦେଲେ ଚଳିବ କିପରି ? କିନ୍ତୁ ଜଳଖିଆ ପ୍ଲେଟ ଧରି ପଶି ଆସିଲେ ତାଙ୍କ ଭାଉଜ । ଯାହାହେଉ ରକ୍ଷା ପାଇଗଲି ମୁଁ । ଚଟ୍‌ କରିନିଜକୁ ସଂକୁଚିତ କରି ନେଇ ବସିଲି । ସଙ୍ଗେ ସଙ୍ଗେ ପୂରବୀ ମଧ୍ୟ କହି ଉଠିଲା ‘ଅନ୍ତତଃ ପ୍ରଫେସର ରାଏଙ୍କର ଅବସ୍ଥାଟା ବୁଝିବା ଉଚିତ୍‌ ଥିଲା; ତାଙ୍କ ସମ୍ମାନଟାକୁ ସେ ନିଜେ ନ ଜଗିଲେ, ସେ ପଡ଼ିବେ ଅସୁବିଧାରେ । ଆମେ କ’ଣ କରିବୁ ?’

 

ଜଳଖିଆ ଖାଇବାକୁ ଟିକିଏ ସଂକୋଚ ପ୍ରକାଶ କଲି; କିନ୍ତୁ ପୂରବୀର ବୌଦୀ ଛାଡ଼ିବାର ଲୋକ ନୁହନ୍ତି, ଗୋଟାଏ ସନ୍ଦେଶ ମୋ ପାଟିରେ ପୂରାଇ ଦେଲେ । ତା’ପରେ ବାଧ୍ୟ ହେଲି ଖାଇବାକୁ । ରାଜାଘର ଖାନା, ଖାଇବାକୁ କିଏ ବା ମନା କରିବ ? କିନ୍ତୁ ସେ ରାଜଭୋଗ ମୋର କାମ୍ୟ ନୁହେଁ । ହୋଇପାରେ ସୁଶାନ୍ତର କିନ୍ତୁ ଦୁଷ୍ମନ୍ତର ଆବଶ୍ୟକ ନାହିଁ ।

 

ବେଶୀ ସମୟ ସେଠାରେ ଆଉ ସଂଯମର ପରୀକ୍ଷା ଦେବାକୁ ଇଚ୍ଛା କଲିନି । ସମସ୍ତଙ୍କଠାରୁ ବିଦାୟ ନେଇ ଓହ୍ଲାଇ ଆସିଲି ମୋ ବାଟକୁ ।

 

ଘରେ ପହଞ୍ଚିଲା ବେଳକୁ ରାତି ଟିକିଏ ହୋଇଯାଇଥାଏ । ବରଣ୍ଡା ଉପରକୁ ଉଠୁଛି, କାହାର ଉଛୁଳା ହସ ମୋ ଗୋଡ଼ ଦୁଇଟାକୁ ନିଥର କରି ପକାଇଲା । କିଏ ସେ ? ସମୀର ! ସେ କ’ଣ ଏତେବେଳଯାଏ ହାରମୋନିଅମ ଶିଖାଉଥିଲା ? ହାତବନ୍ଧା ଘଡ଼ିକୁ ଚାହିଁଲି ରାତି ଦଶଟା ବାଜିବାକୁ ଯାଉଛି । ପୁଣି ଶୁଭିଲା ଆଚ୍ଛା ଥାଆନ୍ତୁ ମୁଁ ଆସୁଛି....ବୋଧେ ସମୀର କଣ୍ଠ । ସଙ୍ଗେ ସଙ୍ଗେ ଧୂପ କହିଲା କାଲି ଆସିଲାବେଳେ ନିହାରକୁ ସାଙ୍ଗରେ ଆଣିବେ..... । ତଳକୁ ଓହ୍ଲାଇ ଆସିବାର ଯୋତା ଶବ୍ଦ ଶୁଭିଲା । ସମୀର ଓହ୍ଲାଉଛି । ଅନାଉ ଅନାଉ ଜୋତା ମଚ୍‌ ମଚ୍‌ କରି ମୋରି କଡ଼ ଦେଇ ସେ ଓହ୍ଲାଇଗଲେ ତଳକୁ । ମୁହଁରେ ସିଟି ମାରି ଆମ ଗେଟ୍‌ ଟପି ରାଜପଥ ଉପରେ ପାଦ ଦେଲେ । ତା’ପରେ ପଛକୁ ବୁଲିପଡ଼ି ଡାହାଣ ହାତଟିକୁ ହଲାଇଲେ । ବୋଧେ ଧୂପ କୋଠା ଉପରୁ ବିଦାୟ ସଙ୍କେତ ଦେଉଛି । ତା’ରି ପ୍ରତିବଦଳରେ ସମୀର ହାତ ହଲାଉଛି ।

 

ମୁଁ ସେହିଠାରେ ସ୍ଥାଣୁଟି ପରି ଠିଆ ହୋଇଥାଏ । ସମୀର ଲୁଚିଗଲାଣି ରାଜପଥରେ; ତଥାପି ମୁଁ ଠିଆହୋଇଛି ନିର୍ବାକ୍‌ ନିଷ୍ପନ୍ଦ ଭାବେ । ଅଳ୍ପଟିକିଏ ପରେ ଧୀରେ ଧୀରେ ଉପରକୁ ଉଠିଲି । ସଙ୍କୋଚ ଆସୁଥାଏ ଧୂପ କାଳେ ମୋତେ ଦେଖିଦେବ । ମୁଁ ଚାହୁଁ ନ ଥାଏ ଆଉ ଧୂପ ସହିତ ସାମନାସାମନି ହେବାକୁ । ଯାହାହେଉ ଧୂପ ସହିତ ଭେଟ ହେଲା ନାହିଁ । ଚୋରଙ୍କ ପରି ମୁଁ ମୋ କୋଠରୀ ଭିତରକୁ ପଶିଗଲି । ଦେଖିଲି କୋଠରୀଟିର ବତି ଜାଳି ଇରା ବସିଛି ଖଣ୍ଡେ ସିନେମା ମାସିକ ପତ୍ର ଫିଟାଇ । ସେ ମୋତେ ଦେଖି ଉଠିପଡ଼ିଲା ଚେୟାରରୁ । ମୁଁ କ୍ଳାନ୍ତ ଅବସନ୍ନ ହେଲାଭଳି ପଡ଼ିଗଲି ଆରାମଚେୟାରଟି ଉପରେ । ସେ ଗେହ୍ଲେଇ ହୋଇ ମୋ ପାଖରେ ଠିଆ ହୋଇ ଆରମ୍ଭ କଲା, ଆମେ ଆଜି ସିନେମା ଯାଇଥିଲୁ । ନ ଶୁଣିଲାପରି ହୋଇ ମୁଁ ହୁଁ ମାଇଲି । ସେ ପୁଣି କହିଲା ନିହାର ଦିଦିଟା ବୋକୀଟାଏ । ସିନେମା ଦେଖିବୁ ନା ତାକୁ ବୁଝାଇବୁ । ଦିଦି ବୁଝାଇ ବୁଝାଇ ଥକିଛି । ମୋର ତ ଇଚ୍ଛା ହେଉଥାଏ ଏମିତି ବୋକୀ ପିଲାଟାକୁ ଚାପୁଡ଼ାଏ ମାରନ୍ତି-

 

ତାହାହେଲେ ଏମାନେ ସିନେମା ଯାଇଥିଲେ । ସମ୍ଭବତଃ ନିହାର ପ୍ରୀତିଦେବୀଙ୍କୁ କହିଥିବ; ତା’ ନ ହେଲେ ସମୀର ସହିତ ଯିବାକୁ ସେ ତ କେବେ ଅନୁମତି ଦିଅନ୍ତେ ନାହିଁ । ଧୂପ ସହିତ ‘କା’ ହେବାକୁ ଇରା ବି ଯାଇଥିଲା । ବୋଧେ ସିନେମାଟି ସମୀର ଓ ଧୂପଙ୍କର ବେଶ୍‌ ଉପଭୋଗ୍ୟ ହୋଇଥିବ ।

 

ମୁଁ ବିଶେଷ କିଛି କହିବାକୁ ଚାହୁ ନ ଥାଏ । କେବଳ ହୁଁ ଟି ମାନ ମାରି ତା’ କଥା ସବୁ ଶୁଣୁଛି ଏତିକି ସଙ୍କେତ ଦେଉଥାଏ । ହଠାତ୍‌ ମୋ ନଜର ପଡ଼ିଲା ଟେବୁଲ୍‌ ଉପରର ଖଣ୍ଡେ ନୂଆ ବହି ଉପରେ । ମୁଁ ଆଶ୍ଚର୍ଯ୍ୟ ହେଲି ବହିଟିକୁ ଦେଖି । କାହିଁକି ନା ସେପରି ନୂଆ ବହି କିଛି ମୁଁ ଆଣି ନ ଥିଲି । ଇରାକୁ କହିଲି ବହିଟି ଦେବାକୁ । ଇରା ବହିଟି ଟେବୁଲ୍‌ ଉପରୁ ଆଣି ମୋ ଆଡ଼କୁ ବଢ଼ାଇ ଦେଲା ।

 

ବହିର ମଲାଟ ଉପରେ ବଙ୍ଗଳା ଅକ୍ଷରରେ ଲେଖା ହୋଇଛି ‘ପ୍ରେମିକା’ । ଲେଖକ ‘ଜୀବନ’ । ବହିର ପୃଷ୍ଠା ଓଲଟାଇ ପଢ଼ିଲି ଜୀବନ ଲେଖିଛି ଗୁଡ଼ିଏ ବିରହ ବିଚ୍ଛେଦ କବିତା । ହୁଏତ ଗାୟତ୍ରୀ ବିଚ୍ଛେଦରେ ତା’ କଲମ ଗାରେଇଯାଇଛି କେତେକ କ୍ଷୁଦ୍ର କବିତା । ପ୍ରତ୍ୟେକ କବିତାକୁ ସେ ତା’ କଲମରେ ଜୀବନ୍ତ କରି ତୋଳିଛି । ଗୋଟାଏ ଗୋଟାଏ କବିତାରେ ଗାଇଛି ଯୁବତୀ ଜୀବନକୁ ଅଭିଶାପ ଦେଇ । କେଉଁଠି ସତର୍କ କରିଛି ପୁରୁଷସମାଜକୁ ନାରୀର ମଧୁର ବଚନ ମନଭୁଲାଣିଆ ଚାହାଣିଠାରୁ ଦୂରେଇ ରହିବାକୁ । କେଉଁଠି ଲେଖିଛି ତୁମେ ପଛେ ଆଡ଼େଇ ହୋଇ ଦୂରକୁ ଘୁଞ୍ଚିଯାଅ; କିନ୍ତୁ ମୁଁ ତୁମରି ପଥକୁ ଚାହିଁ ଯୁଗ-ଯୁଗଧରି ନୀରବରେ ଦଣ୍ଡାୟମାନ ହେବି ।

 

ବହିର ଯେତିକି ପୃଷ୍ଠା ମୁଁ ଓଲଟାଉଥାଏ ସେତିକି ମୋତେ ବହିଟି ଭଲ ଲାଗୁଥାଏ । ବହିଟି ପଢ଼ୁ ପଢ଼ୁ ଇରା କେତେବେଳେ ଛୁ କରି ଦେଲାଣି ମୁଁ ସେ କଥା ଜାଣି ପାରି ନାହିଁ । ହଠାତ୍‌ ମୋର ଚେତନା ଆସିଲା ଧୂପ ଘରୁ ଗ୍ରାମ୍‌ଫୋନ ଗୀତ ଶୁଣି । ବଙ୍ଗଳାର ନୂଆ ରେକର୍ଡ଼ଟିଏ ବୋଧେ ନିକଟରେ କିଣା ହୋଇ ଆସିଛି । ଏକ ନାରୀକଣ୍ଠରୁ ଝଂକୃତ ହେଉଛି ପ୍ରେମିକ ପ୍ରତି ପ୍ରେମିକାର ଆତ୍ମନିବେଦନ । ଆଜି ଗୀତର ସବୁ ବିଷୟବସ୍ତୁ ମନେ ନାହିଁ । କେତେକ ପଂକ୍ତି ମନେ ଅଛି । ହେ ମୋର ହୃଦୟର ଆରାଧ୍ୟ ଦେବତା ! ତୁମ ପ୍ରେମ ଛଡ଼ା ମୁଁ ଆନ ପ୍ରେମ ଜାଣେନି । ତୁମରି ରୂପକୁ ମୁଁ ମୋ ହୃଦୟ ନିଭୃତ କନ୍ଦରରେ ଥାପି ପୂଜା କରୁଛି । ମୁଁ ତୁମରି ପ୍ରେମରେ ପାଗଳ ହୋଇ ସ୍ୱପ୍ନ ଦେଖୁଛି, ତୁମେ ମୋତେ ଭୁଲି ଯାଅନା । ମୋତେ ଭିଡ଼ି ରଖିଛି ତୁମ ହୃଦୟର ଅତି ନିକଟରେ ବାହୁର କୋମଳ ଚାପଦେଇ । ସେହି ସ୍ୱପ୍ନ ଭାଙ୍ଗିଲା ପରେ ମୋର ଏ ତୃଷିତ ନୟନ ଦୁଇଟି ଚାରିଆଡ଼େ ଚାହୁଁଛି ଆଉଥରେ ତୁମକୁ ଦେଖିବାକୁ । ପୁଷ୍ପିତା ମାଧବୀ ପରି ଚାହୁଁଛି ତୁମରି ଅଙ୍ଗରେ ଭୂଷଣ ହେବାକୁ । ବସନ୍ତର ମଳୟ ପବନରେ ମୋର ସୁଗନ୍ଧ ତୁମ ନାସିକା ସ୍ପର୍ଶ କରୁ । ବେଦର ଓଁକାର ମୋ ହୃଦୟକୁ ତୁମ ହୃଦୟ ତଳେ ସ୍ଥାନ ଦେଉ । ଦୁଃଖ, ବିଷାଦ ସବୁ ତୁମରି ଆଲୋକରେ ଅପସରି ଯାଉ । ଏ ଆତ୍ମାର ତୁମ ଭଳି ପରମାତ୍ମାଙ୍କ ଛଡ଼ା ଅନ୍ୟ ଗତି କାହିଁ ? ହେ ମୋର ଅନନ୍ତ କାଳର ପ୍ରେମିକା ତୁମେ ନିଷ୍ଠୁର ହୋଇ ମୋତେ ଭୁଲି ଯାଅ ନା । ମୁଁ ତୁମର ସେହି ଅତି ପ୍ରିୟ ପ୍ରିୟତମା ।

 

ରେକର୍ଡ଼ଟି ତା’ର ସରିଗଲା ପରେ ମଧ୍ୟ ମୁଁ ନିଃଶବ୍ଦରେ ପଡ଼ି ରହିଥାଏ ସେହି ଆରାମ ଚେୟାରଟିରେ । ଛାତି ତଳେ ସେହି ରେକର୍ଡ଼ର କରୁଣ ରାଗିଣୀ ଥରକୁ ଥର ପ୍ରତିଧ୍ୱନିତ ହେଉଥାଏ-। କିଏ ଏହି ପ୍ରେମିକ ଦାର୍ଶନିକ ଯେ କିଏ ଗୀତଟିକୁ ରଚନା କରିଛି ଦ୍ୱିବିଧ ଅର୍ଥରେ-। ସମ୍ଭବତଃ ଧୂପ ବୁଝି ନାହିଁ ଏହାର ଦାର୍ଶନିକ ଅର୍ଥ । ସେ ତା’ର ପ୍ରେମିକକୁ ଆହ୍ୱାନ କରୁଛି, ତା’ର ପ୍ରେମିକ, କିଏ ? ସମୀର ! ସେ ତ କେତେବେଳୁ ଚାଲି ଗଲାଣି ବିଦାୟକାଳୀନ ସଂକେତ ଦେଇ, ତେବେ ସେ ଆଉ କାହାକୁ ଡାକୁଛି ? ମୋତେ ? ନା, ନା, ତାହା ହୋଇପାରେ ନା, ମୋତେ କେବେ ସେ ଭଲ ପାଇନି, ପାଇ ପାରେନା ମଧ୍ୟ ।

 

ମନ ଭିତରେ ଅସରନ୍ତି ପ୍ରଶ୍ନ ଗୋଟାକୁ ଗୋଟା ଉଠୁଥାଏ; ଆଉ ପୁଣି ସେହି ମନ ଭିତରେ ବିଲୀନ ହେଉଥାଏ । ସେତେବେଳେ କୌଣସିଟାର ମୀମାଂସାରେ ପହଞ୍ଚିବା ମୋ ପକ୍ଷରେ ସମ୍ଭବ ହୋଇ ପାରୁ ନଥାଏ । ମୁଁ ତାକୁ ଭଲ ପାଏ । ସେ ଭଲ ପାଇବାରେ ସମ୍ଭୋଗର ବାସନା କେବେ ଦେଖା ଦେଇନି, କ୍ଷୁଦ୍ର ଶିଶୁଭଳି ସେ ଲୋଟି ପଡ଼ିଛି ମୋ ଉପରେ ଅନେକ ଥର । ପିଲାଙ୍କ ଭଳି ସେ ଚାହିଛି ତା’ର ଦାବୀ କେତୋଟି ଚୁମ୍ବନ । ସଙ୍କୋଚ କରିନି କେବେ ତା’ ପାଖରେ ତା’ ଅଳିକୁ ପ୍ରତ୍ୟାଖ୍ୟାନ କରି । ମିନତୀର ଆଚାର ବ୍ୟବହାର ମୋତେ ମୁଗ୍‌ଧ କରିଛି । ପୂରବୀର ସୌନ୍ଦର୍ଯ୍ୟ ମୋତେ ବିଚଳିତ କରିଛି; କିନ୍ତୁ ଭଲ ପାଇ ପାରିନି କାହାରିକୁ । ଭଲ ପାଇବାର ବାସନା ଧରି କେହି ଦାବୀ କରିନି ମୋ ଉପରେ ତା’ର ଉଚିତ୍‌ ପ୍ରାପ୍ୟ ପାଇଁ କିମ୍ବା ସେ ସୁଯୋଗ ଦେଇନି କାହାରିକୁ, ଯେ କି ମୋ ଭିତରେ ଧୂପ ଭଳି ଆସ୍ଥାନ ଜମାଇ ବସିବ ।

 

ମୁଁ ତାକୁ ଭଲ ପାଏ । ସେ ଭଲ ପାଇବାର ତୁଳନା ଦେବା ମୋ ପକ୍ଷରେ କଷ୍ଟକର । ସେ ନାରୀ, ମୁଁ ପୁରୁଷ; କିନ୍ତୁ ନାରୀ ପୁରୁଷର ଦୈହିକ ସଂପର୍କ ଆମ ଭିତରେ ନ ଥିଲା ।

 

ମୋର ଆଜି ମନେ ପଡ଼େ ଦିନେ ସେ ଗୋଟିଏ ଫୁଟନ୍ତା ପଦ୍ମ ଧରି ମୋତେ କହିଲା ପଦ୍ମକୁ ସୂର୍ଯ୍ୟକାନ୍ତା କହିଲେ କ’ଣ ଭୁଲ୍‌ ହେବ ? ମୁଁ ଉତ୍ତରରେ କହିଲି ହଁ ନିଶ୍ଚୟ ଭୁଲ୍‌ ହେବ । ପଦ୍ମ ସୂର୍ଯ୍ୟ ସଂପର୍କ ଛାଡ଼ି ମୋ ତୁମ ସଂପର୍କଟାକୁ ବିଚାର କରିଥିଲେ ବୋଧେ ଭଲଭାବେ କଥାଟାକୁ ବୁଝି ପାରିଥାନ୍ତ । ଦିନେ ହୁଏତ ସମୟ ଭଲଭାବେ କଥାଟାକୁ ବୁଝି ପାରିଥାନ୍ତ । ଦିନେ ହୁଏତ ସମୟ ଆସିବ ଆମେ ପରସ୍ପରକୁ ବିବାହ ବନ୍ଧନରେ ବାନ୍ଧି ରଖିବା, ରବିକର ସ୍ପର୍ଶରେ ପଦ୍ମ ଯେପରି ପ୍ରସ୍ଫୁଟିତ ହେଉଛି ସେହିପରି ତୁମେ ବୋଧହୁଏ ମୋ ସଂପର୍କରେ ଆସିବାମାତ୍ରେ ପୁଲକିତ ହେଉଥିବ । ମୁଁ ସେହିପରି ତୁମ ସଂପର୍କରେ ଆସିଲାମାତ୍ରେ ଆଉ ସବୁ ଭୁଲି ଯାଉଛି । ଅବଶ୍ୟ ସୂର୍ଯ୍ୟଙ୍କ ପରି ତୁମକୁ ଛାଡ଼ି ଛାୟାକୁ କେବେ ଗ୍ରହଣ କରି ପାରିବ ନାହିଁ; ସେହିପରି ବୋଧେ ତୁମେ ପଦ୍ମଭଳି ମୋତେ ଛାଡ଼ି ମଧୁମକ୍ଷିକାକୁ କେବେ ପ୍ରଶୟ ଦେବନି ତୁମର ସର୍ବସ୍ୱ ଲୁଣ୍ଠନ କରିବାକୁ । ମୋର ଏଇ କେଇ ପଦ କଥାରେ ସେ ଲୋଟି ପଡ଼ିଥିଲା ମୋ ପାଦ ଉପରେ; ଢାଳିଥିଲା ଦି’ ବୁନ୍ଦା ଉଷ୍ମ ଲୁହ ସେହି ମୋ ପାଦ ଉପରେ । ମୁଁ ତାକୁ ଉଠାଇ ନେଇଥିଲି ନାଟକୀୟ ଛଟାରେ, କହିଥିଲି ତୁମର ସ୍ଥାନ ଏ ହୃଦୟରେ, ତଳେ ନୁହେଁ ।

 

ସେହି ଗତ ଦିନର କାହାଣୀଗୁଡ଼ିକ ମନ ଭିତରେ ସଜୀବ ହୋଇ ଉଠିବାମାତ୍ରେ ଧୂପ ପ୍ରତି ବିତୃଷ୍ଣା ଆହୁରି ବଢ଼ିଗଲା । ସେ ଯେ ମୋତେ ଭଲ ପାଏ କିମ୍ବା ମୋ ଉପରେ ଅଭିମାନ କରିଛି ଏ ଧାରଣା ଥରକପାଇଁ ବି ମୋ ଭିତରେ ପ୍ରବେଶ କରି ପାରିଲା ନାହିଁ । ମୁଁ ନିଜେ ଦେଖିଛି ସମୀର ଗଲାବେଳେ ଅତି ଆତ୍ମୀୟଙ୍କଠାରୁ ବିଦାୟ ନେଲା ଭଳି ହାତ ହଲାଇ ବିଦାୟ ନେଇଛି । ସମ୍ଭବତଃ କାହିଁକି, ନିଶ୍ଚୟ ଧୂପ ତାକୁ ସେହିପରି ବିଦାୟ ମଧ୍ୟ ଯାଇଛି । ସଙ୍କୋଚ ତ ଦୂରର କଥା; ବୋଧେ ଠିକ୍‌ ମୋ ପାଖରେ ଅଳି କଲାଭଳି ସେ ମଧ୍ୟ ତା’ ପାଖରେ ଅଳି କରିଥିବ ସିନେମା ଯିବାପାଇଁ । ସିନେମାରେ ଯୋଡ଼ି ହୋଇ ବସିଥିବ ସମୀର ପାଖରେ । ତା’ ଦେହର ସୁଗନ୍ଧ ସମୀର ଦେହରେ ମଳୟ ଖେଳାଇଥିବ, ଇସ୍‌ କି କଦର୍ଯ୍ୟ । ମୋ ମୁଣ୍ଡ କ୍ଷଣକପାଇଁ ବୁଲାଇ ଗଲା । ଇଚ୍ଛା ହେଲା ପାଗଳଙ୍କ ପରି ଦୌଡ଼ି ପଳାଇ ଯା’ନ୍ତି । କୁଆଡ଼େ ? ପୂରବୀ ଘରକୁ ନା ମିନତୀ ଘରକୁ ? ନା, ମିନତୀ ଘରକୁ ଏତେ ଶୀଘ୍ର ଯାଇ ହେବନି । ପୂରବୀ ଘରକୁ ଧାଇଁଯିବି, ସେ ଯେତିକି ଆଶ୍ଚର୍ଯ୍ୟ ହେବ ସେତିକି ଭାଗ୍ୟବତୀ ନିଜକୁ ମନେ କରିବ ମୋତେ ଦେଖି । ତା’ର ରାଜକୁମାର ଫେରିଛି ଏହା କମ୍‌ ସୌଭାଗ୍ୟ ନୁହେଁ ତା’ ପାଖରେ, କିନ୍ତୁ ମୁଁ ହେବି ତ ? ମୁଁ ତାକୁ ଭଲ ପାଇ ପାରିବି ତ ? ଯେଉଁ ହୃଦୟରେ ଧୂପ ଆସ୍ଥାନ ଜମାଇ ବସିଥିଲା ସେଇ ହୃଦୟରେ କ’ଣ ପୂରବୀର ଆସନ ନିଜ ହାତରେ ମୁଁ ଥାପି ଦେବି ? କ୍ଷତି କ’ଣ ! ଭଲ ପାଇବାର ନିଶାରେ ଘାରି ହୋଇ ମୋର ପବିତ୍ର ହୃଦୟରେ ଯାହାକୁ ବସାଇଥିଲି ସେ ଆଜି ସେ ହୃଦୟକୁ ପୋଡ଼ି ଜାଳି ଅଙ୍ଗାର କରି ଚାଲି ଯାଇଛି, ସେହି ଅଙ୍ଗାରଖଣ୍ଡକ ଟେକି ଦେବି ପୂରବୀ ହାତରେ । ସେ ବି ଦିନେ ସେଥିରେ ଅଗ୍ନି ସଂଯୋଗ କରିବ; ତା’ ପରେ ରହିବ ପାଉଁଶ ଟିକିଏ । ତା’ ପରେ.... ?

 

ହଠାତ୍‌ ସରସ୍ୱତୀ ବାବୁ ମୋ କୋଠରୀ ଭିତରକୁ ପଶି ଆସିଲେ । ତାଙ୍କୁ ଦେଖି ନମସ୍କାରଟିଏ କଲି । ସେ ଧରିଥାନ୍ତି ଖଣ୍ଡେ ଟେଲିଗ୍ରାମ । ତାଙ୍କ ହାବ ଭାବରୁ ଜାଣିଲି ସେ କୌଣସି କାରଣରୁ ବିବ୍ରତ ଅଛନ୍ତି । ମୋର ସମସ୍ତ ମନର ଗ୍ଲାନିକୁ ପାସୋରି ଦେଇ ଘଟଣାଟା ବୁଝିବାକୁ ତତ୍ପର ହୋଇଉଠିଲା । ସେ ଖଣ୍ଡେ ଚେୟାରରେ ବସୁ ବସୁ କହିଲେ ସୁଶାନ୍ତ ବମ୍ବେ ମିଲ୍‌ଟାକୁ କ’ଣ ବିକି ଦେବା ?

 

ଘଟଣାଟା କ’ଣ ଜାଣିବାକୁ ମୁଁ ଉଦ୍‌ବିଗ୍ନଭାବେ ତାଙ୍କୁ ଅନାଇଲି ।

 

ସେ ଟେଲିଗ୍ରାମଟି ମୋ ଆଡ଼କୁ ବଢ଼ାଇ ଦେଲେ ।

 

ଟେଲିଗ୍ରାମଟି ବମ୍ବେରୁ ଆସିଛି । ଗତ କାଲିଠାରୁ ମିଲ୍‌ର ଶ୍ରମିକମାନେ ଧର୍ମଘଟ ଆରମ୍ଭ କରି ଦେଇଛନ୍ତି । ମିଲ୍‌ର ମ୍ୟାନେଜର ଉପଦେଶ ଲୋଡ଼ିଛନ୍ତି । ଏହି ଥିଲା ଟେଲିଗ୍ରାମ୍‌ଟିର ବିଷୟ ବସ୍ତୁ । ଟେଲିଗ୍ରାମ୍‌ଟି ପଢ଼ି ସାରି ମୁଁ ସରସ୍ୱତୀ ବାବୁଙ୍କ ମୁହଁକୁ ଟିକିଏ ଚାହିଁ କହିଲି କାଲି ମୁଁ ବମ୍ବେ ଗଲେ ଅସୁବିଧା କ’ଣ ହେବ ?’’

 

ସେ କହିଲେ ଏ ଧର୍ମଘଟ ମାମଲା ବିଷୟରେ ମୋର ବିଶେଷ କିଛି ଅଭିଜ୍ଞତା ନାହିଁ । ମୁଁ ମଧ୍ୟ ସେୟା ଭାବୁଥିଲି, ତୁମେ ଟିକିଏ ଯାଇ ଅବସ୍ଥାଟା ଦେଖିଆସ । ଯଦି ସେପରି କିଛି କରିବାକୁ ପଡ଼େ ତେବେ ମିଲ୍‌ର ହିତ ଦୃଷ୍ଟିରୁ କରିଦେଇ ପାରିବ; କିନ୍ତୁ ତୁମେ ସେଠାରେ ବେଶୀ ଦିନ ରହିବ ନାହିଁ । ଶୀଘ୍ର କାମ ସାରି ଫେରି ଆସିବ । ତା’ ନ ହେଲେ ଘରେ ପୁଣି ସେହି ପୂର୍ବପରି କାନ୍ଦକଟା ଆରମ୍ଭ ହୋଇଯିବ ।

 

ସେଦିନ ତାଙ୍କ ସହିତ ବମ୍ବେ କଟନ ମିଲ୍‌ସ ବିଷୟରେ ନାନା ପ୍ରକାର କଥାବାର୍ତ୍ତା କରୁ କରୁ ରାତି ବହୁତ ହୋଇଗଲା । ମିଲ୍‌ର ପୁରା ବିବରଣୀ ସେ ମୋତେ କହିଲେ । ଯଦ୍ଦ୍ୱାରା ମୁଁ ବୁଝିଲି ମ୍ୟାନେଜର ସବୁ ଗଣ୍ଡଗୋଳର ମୂଳ ହେଲେ ମଧ୍ୟ ତାଙ୍କୁ ବାହାର କରିଦେବା ସହଜ ନୁହେଁ-। ମିଲ୍‌ର ଆରମ୍ଭରୁ ସେହି ମ୍ୟାନେଜର ଅଛନ୍ତି । ସେ ବେତନଭୋଗୀ ଚାକର ନୁହନ୍ତି-। ଆମଦାନୀର ଲାଭରୁ ତାଙ୍କର ଚାରଣା ପାଇବାର କଥା । ପ୍ରଥମେ ଦୁଇବର୍ଷଖଣ୍ଡେ ଭଲ ଲାଭ ହୋଇଥିଲା । ତା’ପରେ ଧୀରେ ଧୀରେ କ୍ଷତି ହେବାରେ ଲାଗିଛି । ନିଜେ ସରସ୍ୱତୀ ବାବୁ କେତେ ଥର ଯାଇ ମଧ୍ୟ କୌଣସି ନିଷ୍ପତ୍ତି କରି ପାରି ନାହାନ୍ତି । ମ୍ୟାନେଜର ଆଡ଼ୁ ସାଡ଼ୁ କହି ଭୁଲାଇ ଦିଏ-। ସେଇଥିପାଇଁ ସେ ନିଜେ ଇଚ୍ଛା କରୁନାହାନ୍ତି ସେଠାକୁ ଯିବାକୁ । ତା’ ଛଡ଼ା ମ୍ୟାନେଜର ତାଙ୍କର ବାଲ୍ୟ ସାଥି । ତେଣୁ ତାକୁ ବିଶେଷ କିଛି କହିବାକୁ ସେ ସଂକୋଚ କରୁଛନ୍ତି-ଏଣେ କଲିକତା ମିଲ୍‌ସର ସମସ୍ତ ଦାୟିତ୍ୱ ଏକ ପ୍ରକାର ତାଙ୍କ ଉପରେ । ମ୍ୟାନେଜର ଯେ ଅଛନ୍ତି ସେ ନାମକୁ ମାତ୍ର । ତେଣୁ ଦୁଇଟି ମିଲ୍‌କୁ ଚଳାଇବା ପାଇଁ ପକ୍ଷରେ ଯଥାସମ୍ଭବ ହେଉ ନାହିଁ-

 

ଯାହା ହେଉ ତହିଁ ଆରଦିନ ମୁଁ ବମ୍ବେ ଚାଲିଲି । ସକାଳୁ ଯେତେବେଳେ ମୁଁ ମୋ ନିତ୍ୟକର୍ମ ସାରି ବେଡ଼ିଂ ଟ୍ରଙ୍କ ଧରି ବାହାରିଲି ସେତେବେଳେ ଇରା ଓ ଧୂପ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଧୂପ ତ ପଚାରି ପାରିଲା ନାହିଁ, ଇରା କେବଳ ଆସି ପଚାରିଲା ଭାଇ କେବେ ଫେରିବ ? ଟିକିଏ ବଡ଼ ପାଟିରେ କହିଲେ କେବେ ଫେରିବି କିପରି ଜାଣିବି । ଯଦି ଦରକାର ପଡ଼େ ତେବେ ସେହି ବମ୍ବେରେ ରହିଯାଇପାରେ । ସେ ବିସ୍ଫାରିତ ଆଖିରେ କହିଲା ଆଉ ରହି ଯିବନା ? ନାଇଁ କାଲି ଫେରିଆସିବ । ଇଚ୍ଛା ହେଉଥାଏ ଦି’ପଦ ଧୂପ ଉଦ୍ଦେଶ୍ୟରେ କହିଦେବାକୁ; କିନ୍ତୁ କହି ପାରିଲିନି । କିଛି କହିବି ଅପେକ୍ଷା ନୀରବ ରହିବା ଭଲ ଭାବି ତୁନି ପଡ଼ି ରହିଲି । ଗାଡ଼ି ବେଳ ହୋଇଯାଉଥାଏ । ତର ତର କରି ଚାଲିଗଲି । ଇରା ମୋ ସହିତ ଷ୍ଟେସନ ପର୍ଯ୍ୟନ୍ତ ଗଲା । ଧୂପ ବିଷୟରେ ପ୍ରଶ୍ନ କାହିଁ ଉଠୁଛି । ସେତେବେଳେ ମନେ ହେଉଥାଏ ତା’ଠାରୁ ଯେତିକି ଦୂରକୁ ଚାଲିଯିବି ସେତିକି ନିଜକୁ ଶାନ୍ତିରେ ରଖି ପାରିବି ।

 

ଇରା ପ୍ରତି ମୋର ସ୍ନେହ ବଢ଼ି ଯାଇଥାଏ । ତା’ତ ହେବାର କଥା । ଧୂପଠାରେ ଯେତେବେଳେ କାଣିଚାଏ ହେଲେ ସ୍ନେହ ରହିଲା ନାହିଁ ସେତେବେଳେ ସବୁଯାକ ତ ଇରାପ୍ରତି ଓଜାଡ଼ି ହୋଇ ପଡ଼ିବାର କଥା । ସରସ୍ୱତୀ ବାବୁ ଓ ଇରା ଗାଡ଼ି ଛାଡ଼ିବା ପରେ ମଧ୍ୟ ଗାଡ଼ିକୁ ଅନାଇଁ ପ୍ଲାଟଫର୍ମ ଉପରେ ଠିଆ ହୋଇଥିବାର ଲକ୍ଷ୍ୟ କରିଛି । ଗାଡ଼ି ଛାଡ଼ିବା ପର୍ଯ୍ୟନ୍ତ ସେ ମୋତେ ସତର୍କ ହୋଇଯିବା ଆସିବା କରିବାକୁ ପରାମର୍ଶ ଦେଉଥାନ୍ତି । ସେଠାରେ କିପରି କ’ଣ କରାଯିବ ସେ ବିଷୟରେ ମଧ୍ୟ ଅନେକ କହିଥାନ୍ତି । ମୋର ମନେ ହେଉଥାଏ ସେ ଟିକିଏ ବେଶୀ ବ୍ୟସ୍ତ ହେଉଥାନ୍ତି ମୋ ନିରାପତ୍ତା ପାଇଁ । ଯାହା ପୁଅକୁ ସାପ କାମୁଡ଼େ ତା’ ମା’ ପାଳଦଉଡ଼ି ଦେଖିଲେ ତ ନିଶ୍ଚୟ ଡରିବ । ଅସଲ ସୁଶାନ୍ତ ଦକ୍ଷିଣ ଭାରତ ବୁଲିବାକୁ ଯାଇ ସେତେବେଳେ ଫେରିନି ସେତେବେଳେ ନକଲି ସୁଶାନ୍ତକୁ ଯଥେଷ୍ଟ ସାବଧାନରେ ଚଳିବାକୁ ପରାମର୍ଶ ଦେବା ତାଙ୍କର ତ କର୍ତ୍ତବ୍ୟ ।

 

ବମ୍ବେ ଷ୍ଟେସନରେ ମୋର ପହଞ୍ଚିବା ପୂର୍ବରୁ ମ୍ୟାନେଜର ସତ୍ୟପ୍ରକାଶ ବାବୁ ମୋତେ ଅପେକ୍ଷା କରିଥିଲେ । ସରସ୍ୱତୀ ବାବୁ ମୋର କଲିକତା ଛାଡ଼ିବା ପରେ ପରେ ତାଙ୍କୁ ଟେଲିଗ୍ରାମ କରି ମୋ ଯିବା କଥା ଜଣାଇ ଦେଇଥିଲେ । ବମ୍ବେ ବିଷୟରେ ମୋର କିଛି ଧାରଣା ନ ଥିଲେ ମଧ୍ୟ ମୁଁ କିଛି ଅସୁବିଧା ଅନୁଭବ କରିନି । ଯେଉଁଦିନ ମୁଁ ପହଞ୍ଚିଲି ତା ଆରଦିନ ଶ୍ରମିକ ନେତାମାନଙ୍କ ସହିତ ଆଲୋଚନା କଲି ତାଙ୍କ ହରତାଳ ବିଷୟରେ । ଅନେକ ଆଲୋଚନା ପରେ ଶ୍ରମିକମାନେ ରାଜିହେଲେ ମିଲ୍‌ ଚଳାଇବାକୁ । ତାଙ୍କର ସମସ୍ତ ଦାବୀ ପୂରଣ ବିଷୟରେ ଉଚିତ୍‌ ବ୍ୟବସ୍ଥା କରାଯିବାର ପ୍ରତିଶ୍ରୁତି ମୁଁ ମଧ୍ୟ ତାଙ୍କୁ ଦେଲି ।

 

ମୋର ବମ୍ବେ ଆସିବାର ତିନି ଦିନେ ମିଲ୍‌ ଚାଲିଲା । ପୂର୍ବପରି ସମସ୍ତ ଶ୍ରମିକ ନିଜ ନିଜ କାମରେ ଯୋଗ ଦେଲେ । ମ୍ୟାନେଜରଙ୍କ ପ୍ରତି କାହାର ଟିକିଏ ହେଲେ ଅନୁରାଗ ନ ଥାଏ । ତାଙ୍କର ଦାବୀ ଭିତରେ ମ୍ୟାନେଜରଙ୍କ ବ୍ୟବହାର ବିଷୟରେ ଯଥେଷ୍ଟ ଆପତ୍ତି ଥାଏ । ମିଲ୍‌ ଚାଲିବା ପରେ ମୁଁ କେତେକ ଖାତାପତ୍ର ଯାଞ୍ଚ କରି ଦେଖିଲା ପରେ ମୋର ସନ୍ଦେହ ହେଲା ତାଙ୍କ ହିସାବପତ୍ରରେ । ଆଗରୁ ସରସ୍ୱତୀ ବାବୁ ମଧ୍ୟ ସେ ବିଷୟରେ କହିଥିଲେ ଅନେକ । ତେଣୁ ସ୍ୱତନ୍ତ୍ର ଅଡ଼ିଟର ନିଯୁକ୍ତ କରି ସବୁଗୁଡ଼ିକ ଯାଞ୍ଚ କରାଇଲି । ସବୁ ଯାଞ୍ଚ ପରେ କେତେକ ସାଧାରଣ ଜିନିଷକୁ ଛାଡ଼ିଦେଲେ ଅବଶିଷ୍ଟ ତାଙ୍କ ଉପରେ ଆଠ ଲକ୍ଷ ଟଙ୍କାରୁ ଅଧିକ ପାଉଣା ଥିବାର ଦେଖାଗଲା । ଫୋନ୍‌ରେ ଏ ବିଷୟରେ ସରସ୍ୱତୀ ବାବୁଙ୍କ ସହିତ କଥାବାର୍ତ୍ତା କଲି; କିନ୍ତୁ ସେ ସବୁ ଛାଡ଼ିଦେଲେ ମୋ ବିଚାର ଉପରେ । ଶ୍ରମିକମାନଙ୍କ ଦାବୀ ଏବଂ ମିଲ୍‌ର ହିତଦୃଷ୍ଟିରୁ ସତ୍ୟ ପ୍ରକାଶ ବାବୁଙ୍କ ମିଲ୍‌ରୁ ଅନ୍ତର କଲି । ବାକି ଟଙ୍କା ବିଷୟରେ ସେ ସରସ୍ୱତୀ ବାବୁଙ୍କ ସହିତ ପରାମର୍ଶ କରିବାକୁ କଲିକତା ଯାଇ ପାଞ୍ଚ ଲକ୍ଷ ଟଙ୍କାର ଗୋଟିଏ ଚୁକ୍ତି କରି ଦେଇଆସିଲେ ।

 

ବମ୍ବେରେ ମୁଁ ଏକ ମାସରୁ ଅଧିକ ରହିଲି । ଏହି ସମୟ ଭିତରେ ମିଲ୍‌ରେ ଯେପରି ଆଉ ଗଣ୍ଡଗୋଳ ନ ହୁଏ ସେଥିପ୍ରତି ବହୁତ ବ୍ୟବସ୍ଥା ମୋତେ କରିବାକୁ ପଡ଼ିଲା । ମିଲ୍‌ର ହିତପାଇଁ ଗୋଟିଏ ପରାମର୍ଶଦାତା କମିଟି ଗଢ଼ିଲି । କେତେକ ଶ୍ରମିକ ନେତା, ଅଫିସ୍‌ କର୍ମଚାରୀ ରହିଲେ ତା’ର ସଭ୍ୟ । ମ୍ୟାନେଜର ହେଲେ ତା’ର ଚେୟାରମ୍ୟାନ୍‌ । ପ୍ରତି ଦୁଇ ମାସରେ ଥରେ ମିଟିଂ ହୋଇ ମିଲ୍‌ ବିଷୟରେ ଆଲୋଚନା କରାଯିବ ବୋଲି ନିୟମ ରହିଲା । ଏହା ପୂର୍ବରୁ ଏପରି ଶ୍ରମିକମାନଙ୍କୁ ନେଇ କୌଣସି କମିଟି କୌଣସି ମିଲ୍‌ରେ ହୋଇ ନ ଥିଲା । ତେଣୁ ମୋ ପ୍ରତି ଶ୍ରମିକମାନଙ୍କର ଶ୍ରଦ୍ଧା ଆସିବାଟା ସ୍ୱାଭାବିକ ।

 

ଏହି ମାସକ ଭିତରେ ମୋର କେତେଗୁଡ଼ିଏ ସାଙ୍ଗ ମିଳିଯାଇଥାନ୍ତି । ସେମାନଙ୍କ ଭିତରୁ ଚିତ୍ରକର ଆଭାଦାସ, ଶୁଭ୍ରକାନ୍ତ, ଋତୁରାଜ ପ୍ରଧାନ । ଚିତ୍ରକର ଆଭାଦାସଙ୍କର ଚିତ୍ରକର ହିସାବରେ ଯେତିକି ସୁନାମ ଥାଏ, ସାମ୍ବାଦିକ ଶୁଭ୍ରକାନ୍ତଙ୍କର ମଧ୍ୟ ସେହିପରି ଥାଏ । ବମ୍ବେର ବିଶିଷ୍ଟ ବ୍ୟବସାୟୀ ମଦନ ଲାଲଙ୍କ ପୁଅ ଋତୁରାଜ କୌଣସି ବିଷୟରେ ପ୍ରସିଦ୍ଧ ନ ହେଲେ ପ୍ରତ୍ୟେକ ବିଷୟରେ ତାଙ୍କର ଯଥେଷ୍ଟ ଧାରଣା ଥାଏ । ଅନେକ ସମୟରେ ମୋତେ ମଧ୍ୟ ସେ ମିଲ୍‌ ବିଷୟରେ ପରାମର୍ଶ ଦିଅନ୍ତି । ସମସ୍ତଙ୍କ ସହଯୋଗରେ ଗୋଟିଏ ମାସ ଭିତରେ ମୁଁ ବମ୍ବେରେ ଅନେକ ଲୋକଙ୍କ ସହିତ ଜଣାଶୁଣା ହୋଇଯାଇଥାଏ ।

 

ବମ୍ବେରେ ଥିଲାବେଳେ କଲିକତା ବିଷୟରେ ଭାବିବାକୁ ସମୟ ପାଏନି । ମ୍ୟାନେଜର ଶକ୍ତିପ୍ରସାଦଙ୍କ ସହିତ ମିଲ୍‌ ବିଷୟରେ ଆଲୋଚନା କରିବା, କ’ଣ କେଉଁଠି ମିଲ୍‌ରେ ହେଲା ତାହା ଦେଖି ସଙ୍ଗେ ସଙ୍ଗେ ବ୍ୟବସ୍ଥା କରିବା ଆଦିରେ ନିଜକୁ ବରାବର ନିୟୋଜିତ କରିଥାଏ । ମିଲ୍‌ରୁ ଫେରୁ ନ ଫେରୁଣୁ କେହି ଜଣେ ସାଥି ଆସିଯାଇଥାଏ । ବୁଲାବୁଲି କରିଯିବାପାଇଁ ମୁଁ ଚାଲେ ତାଙ୍କ ସହିତ । ଫେରେ ରାତିରେ । କ୍ଳାନ୍ତ ହୋଇପଡ଼ିଥାଏ ସେତେବେଳକୁ । କଲିକତା ବିଷୟରେ ଚିନ୍ତା କରିବାକୁ ଫୁର୍‍ ସତ୍ ପାଏନି । ସେ ସାଥିମାନଙ୍କ ଭିତରେ ଚିତ୍ରକର ଆଭାଦାସ ପ୍ରାୟ ନିତି ଆସନ୍ତି । ତାଙ୍କ ଘରକୁ ମଧ୍ୟ ସପ୍ତାହରେ ତିନି ଚାରିଥର ମୁଁ ଯାଏ । ଘରେ ତାଙ୍କ ସ୍ତ୍ରୀ, ଭଉଣୀଙ୍କ ଛଡ଼ା ଆଉ କେହି ନାହାନ୍ତି । ଆଭାଦାସଙ୍କ ତୁଳିର ଚିତ୍ରଗୁଡ଼ିକୁ ଦେଖୁ ଦେଖୁ ଅଭିଭୂତ ହୋଇ ପଡ଼େ । ଗୋଟିଏ ଗୋଟିଏ ଚିତ୍ରପଟ ଉପରେ ଆଲୋଚନା ଆରମ୍ଭ ହୁଏ । ଆଭାଦାସଙ୍କ ଭଉଣୀ କାବେରୀ ଖୁବ୍‌ ଭଲ ଯୁକ୍ତି କରିପାରନ୍ତି । ମୁଁ ତ ଚିତ୍ରଗୁଡ଼ିକ ଦେଖୁ ଦେଖୁ ମୁଗ୍‌ଧ ହୋଇଥାଏ । ତେଣୁ ଶିଳ୍ପୀର ଭୁଲ୍‌ କେଉଁଠି ରହିଲା ତାହା ବାଛି ପାରେ ନାହିଁ । କାବେରୀ ସୁନ୍ଦରଭାବରେ ଭୁଲ୍‌ଗୁଡ଼ିକ ଦେଖାଇ ଦିଏ । ଆଭାଦାସ ପ୍ରଥମେ ତାକୁ ସମର୍ଥନ କରନ୍ତି ନାହିଁ । ଭାଇ ଭଉଣୀଙ୍କର ଅନେକ ଯୁକ୍ତିତର୍କ ପରେ ବାଧ୍ୟ ହୁଅନ୍ତି କାବେରୀ ଯୁକ୍ତିକୁ ମାନିବାକୁ । ମୋତେ ଖୁବ୍‌ ଭଲ ଲାଗେ କାବେରୀର ଯୁକ୍ତି । ମୋ ସହିତ କେତେ ଥର ସେ ଯୁକ୍ତି କରିଛି । ମୁଁ ଲକ୍ଷ୍ୟ କରି ଦେଖିଛି ଅନେକ ସ୍ଥଳରେ ତା’ର ସବଳ ଯୁକ୍ତି ହେଲେ ମଧ୍ୟ ଶେଷରେ ଆପେ ଆପେ ହାର ମାନିଯାଏ । ସେ ହାର ମାନି ଯେତେ ଆନନ୍ଦ ପାଏ ମୁଁ ଜିତି ମଧ୍ୟ ସେତେ ପାଇ ପାରେନି । ବେଳେ ବେଳେ ମୁଁ ବି ଚେଷ୍ଟା କରେ ଗୋଟାଏ ବାହନା କରି ଆମ ପାଖରୁ ଉଠିଯାଏ । ମୋ ହାର ମାନିବା ଆଉ ହୁଏନି ।

 

ଏବେ କେତେ ଥର କାବେରୀ ସହିତ ଦେଖା ହେଲାଣି । ଚିହ୍ନି ପାରିବା ତ ଦୂରର କଥା; ଭୁଲ୍‌ରେ କେବେ ସେ ଚିନ୍ତା କରେନି, ଏ ହେଉଛନ୍ତି ସେହି ସୁଶାନ୍ତ ବାବୁ ବୋଲି । ଅନେକ ବର୍ଷ ହେବ ସେ ବିବାହ କରିସାରିଛି ଜଣେ ବଡ଼ କଣ୍ଟ୍ରାକ୍ଟରଙ୍କୁ । ତା’ର ପିଲାଗୁଡ଼ିକ ମଧ୍ୟ ବଡ଼ ବଡ଼ ହୋଇଗଲାଣି । ଅନେକ ଥର ସେ ତା’ର ପିଲାମାନଙ୍କୁ ଧରି ଆସିଛି ମୋ ପାଖକୁ ଖାଲି ଟିକିଏ ଆଶିଷପାଇଁ ।

 

କାରଖାନାର ଆଉ କୌଣସି ଅସୁବିଧା ନ ଥାଏ । ଶ୍ରମିକମାନେ ରୀତିମୁତାବକ କାମ କରିଯାଉଥାନ୍ତି । ଶକ୍ତିପ୍ରକାଶ ବାବୁ ଖୁବ୍‌ ଭଲ ଲୋକ । ମାସକ ଭିତରେ ତାଙ୍କର କୌଣସି ତ୍ରୁଟି ମୋ ଆଖିରେ ପଡ଼ିନି । ତାଙ୍କ କର୍ତ୍ତବ୍ୟ ସେ ନିଜେ ବେଶ୍‌ ସୁରୁଖୁରୁରେ କରିଯାନ୍ତି । ଶ୍ରମିକମାନେ ମଧ୍ୟ ଶକ୍ତିପ୍ରକାଶଙ୍କୁ ସମ୍ମାନ ଦିଅନ୍ତି । ମିଲ୍‌ର କାଗଜ-ପତ୍ରରୁ ମଧ୍ୟ ବୁଝାପଡ଼ୁଥାଏ ଆମଦାନୀ ସଙ୍ଗେ ସଙ୍ଗେ ବଜାରରେ ଭଲ ଚାହିଦା ହେଉଥାଏ । ଅନ୍ୟାନ୍ୟ ମିଲ୍‌ ଅପେକ୍ଷା ମଧ୍ୟ ଦାମ୍‌ ଟିକିଏ ସୁବିଧା ରଖା ହୋଇଥାଏ । ଯାହା ହେଉ ମୋଟାମୋଟି କହିବାକୁ ଗଲେ ମିଲ୍‌ଟି ଭଲ ଚାଲିଥାଏ । ଏଣିକି ମୋ ଅନୁପସ୍ଥିତିରେ କିଛି ଅସୁବିଧା ହେବ ନାହିଁ ଏହା ମୁଁ ଅନୁଭବ କଲି । କଲିକତାରୁ ପ୍ରାୟ ପ୍ରତ୍ୟେକ ଦିନ ଚିଠି ଆସୁଥାଏ ଶୀଘ୍ର ଫେରିଯିବାକୁ । ସବୁଦିନେ ଯଦିଓ ନୁହେଁ ତଥାପି ସରସ୍ୱତୀ ବାବୁ ପ୍ରାୟ ଫୋନ୍‌ରେ ମୋ ସହିତ କଥାବାର୍ତ୍ତା କରୁଥାନ୍ତି ମିଲ୍‌ ବିଷୟ ଏବଂ କଲିକତା ଆସିବାକୁ କହୁଥାନ୍ତି । ଇରା ଚିଠି ଦିଏ ମାତାଜୀ ବ୍ୟସ୍ତ ଦେଖିବାକୁ; ତୁମେ ଶୀଘ୍ର ଆସ । ଜୀବନଠାରୁ ମଧ୍ୟ ଦୁଇ ଚାରିଖଣ୍ଡ ଚିଠି ପାଇଲି । ମୁଁ ତାକୁ କିଛି ନ କହି ବମ୍ବେ ଆସିବାଟା ସେ ଟିକିଏ ଅଭିମାନ କଲାଭଳି ଲେଖିଛି । କେବେ କଲିକତା ଫେରୁଛି ସବୁ ଚିଠିରେ ଏହା ଥିଲା ତା’ର ପ୍ରଶ୍ନ ।

 

ମାସକ ପରେ କଲିକତା ଫେରିଗଲି । ପ୍ରୀତି ଦେବୀ ମୋତେ ଦେଖି ଅପାର ଖୁସ୍‍ । ଇରାର ସଂପର୍କ ଅପେକ୍ଷା ଟିକିଏ ବେଶୀ ବଢ଼ିଯାଇଛି ଯେପରି ସେହିପରି ଅନୁଭବ କଲି । ଧୂପ କିନ୍ତୁ ଆଗଭଳି ଥାଏ । ମୁଁ କିଛି କହେନି କିମ୍ବା ସେ ଆପେ ଆପେ ମୋ ପାଖକୁ ଆସି ମୋତେ କିଛି ପଚାରେ ନାହିଁ । ପ୍ରଥମ ଦିନଟି ଆଉ ମଧ୍ୟ ବାହାରକୁ ଯାଇ ପାରିଲି ନାହିଁ । ପ୍ରୀତିଦେବୀ ଛାଡ଼ିଲେନି, ସରସ୍ୱତୀ ବାବୁଙ୍କ ପାଖରେ ଯିବାଦିନଠାରୁ ଆସିବା ପର୍ଯ୍ୟନ୍ତ କ’ଣ କ’ଣ ସେଠାରେ କଲି, ସବୁର ଟିକିନିଖି ହିସାବ ଦେଲି । ସେ ସବୁ ଶୁଣି ସାରି ଆନନ୍ଦରେ ପ୍ରୀତିଦେବୀଙ୍କୁ ଡାକି କହିଲେ କହୁଥିଲ ପରା ତୀର୍ଥଯାତ୍ରା କରିବାକୁ । ଏଥର ଆଉ କିଛିଅସୁବିଧା ହେବନି, ତା’ ଘର ଏଣିକି ସେ ତୁଲାଇ ପାରିବ । ଏଣିକି ଆମେ ଟିକିଏ ଫୁର୍‌ସତ ପାଇବା । ଚାଲ ଯିବା ଚାରିଆଡ଼େ ଥରେ ବୁଲି ଆସିବାକୁ । ତୁମ ପୁଅ ଏଣିକି ସବୁ ଭାର ନେଇ ଆଣି ଥୋଇ ପାରିବ ଯେ ।

 

ତହିଁଆର ଦିନ ଜୀବନ ପାଖକୁ ଗଲି । ତା’ ଘରେ ତାକୁ ପାଇଲିନି, ଶୁଣିଲି ସେ କେଉଁଠି ଗୋଟାଏ ଡ୍ରାମା କରୁଛି ଯେ ସବୁବେଳେ ସେଇଥିରେ ବ୍ୟସ୍ତ । ବୁଝିଲି ସେ କେଉଁଠି ଡ୍ରାମା କରୁଛି, ଠିକ୍‌ ସମୟରେ ତା’ ପାଖରେ ପହଞ୍ଚିଗଲି । ସେ ପ୍ରଥମେ ମୋତେ ଦେଖି କହିଲା ଏମିତି ହଠାତ୍‌ ଆସିଗଲ କେମିତି, ବମ୍ବେରୁ ନାଁ କରି ଯେତେବେଳେ ଫେରିଛୁ ଆମେ ତୋତେ ସମ୍ବର୍ଦ୍ଧନା ଦେବାପାଇଁ ଅଧ ବାଟକୁ ଯାଇଥାନ୍ତୁ । ଆନୁଷ୍ଠାନିକ ଭାବରେ ତୁ ଆସିଥାନ୍ତୁ । ଏପରି ହଠାତ୍‌ ଆସିବାଟା ଠିକ୍‌ ହେଲା ନାହିଁ । ହଉ ଯେତେବେଳେ ଆସି ଯାଇଛୁ ସେତେବେଳେ ଆଉ କ’ଣ କରାଯିବ ଧରିବୁଟି ବହିଟାକୁ । ରାଜସିଂହଙ୍କ ପାର୍ଟଠାରୁ ଆରମ୍ଭ କର । ସଙ୍ଗେ ସଙ୍ଗେ ସେ ମୋତେ ବହିଟି ଦେଇ ଡାକ ଦେଲା ଆସ ରାଜସିଂହ ।

 

ଡ୍ରାମାର ରିହଲସାଲ୍‌ ଚାଲିଥାଏ । ବହିଟି ‘ଆଲମଗିର୍‌’ । ଆଲମଗିର୍‌ ଭଳି ଏତେ ବଡ଼ ବହିଟାକୁ କରିବା ସହଜ କଥା ନୁହେଁ ଯାହାହେଉ ସେ ଯେତେବେଳେ କରିବାକୁ ଧରିଛି ଏବଂ ଦୁଇଦିନ ପରେ ଷ୍ଟେଜ୍‌ରେ ଲୋକେ ଦେଖିବାକୁ ଆସିବେ ସେତେବେଳେ ମୋର ବହି ବିଷୟରେ କିଛି କହିବା କ’ଣ ଆବଶ୍ୟକ । ରିହଲସାଲ ଚାଲିଲା । ମୁଁ ହେଲି ପ୍ରମ୍ପଟର, ମୁଁ ଗଡ଼୍‌ ଗଡ଼୍‌ କରି କହି ଚାଲିଥାଏ ଅଭିନୟ କରୁଥାନ୍ତି ଅନ୍ୟମାନେ । ଜୀବନ ଥାଏ ଡ୍ରାମାର ନିର୍ଦ୍ଦେଶକ ।

 

କେଇଟି ମୁହୂର୍ତ୍ତ ପରେ ମୁଁ ମଧ୍ୟ ସେ ଗୋଷ୍ଠୀ ଭିତରେ ଜଣେ ହୋଇ ମିଶିଗଲି । ସଂଧ୍ୟାକୁ ହେଲା ଷ୍ଟେଜ୍‌ ରିହଲ୍‌ସାଲ୍‌ । ଜୀବନ ଭଳି ମୁଁ ବି ସବୁବେଳେ ଲାଗି ପଡ଼ିଲି ଡ୍ରାମାଟିକୁ ପୂର୍ଣ୍ଣାଙ୍ଗ କରିବାକୁ, ମନେ ପଡ଼ିଲା ଧୂପର ବନ୍ଧୁ ସମୀର ଜଣେ କଳାକାର । ହୁଏତ ସମୀର ଆସିପାରେ ଦେଖିବାକୁ, ଧୂପ ବି ଆସିପାରେ । ଟିକିଏ ଦବିଗଲା ମୋର ମନ; ମୁଁ ତ ଥିଏଟରରେ ସେପରି ବାହାର ରଙ୍ଗମଞ୍ଚରେ କିଛି ଅଂଶ ଗ୍ରହଣ କରୁନି । କ’ଣ ଦେଖାଇବି କାହାକୁ । ତା’ ଛଡ଼ା ମୁଁ ପାରିବି ତ କାହାକୁ କିଛି ଦେଖାଇ ।

 

ପ୍ରଥମ ଦିନ ଷ୍ଟେଜ୍‌ ରିହଲ୍‍ସାଲ୍‌ ସରିଗଲା । ସମସ୍ତଙ୍କ ଅଭିନୟ ଏକ ପ୍ରକାର ଭଲ ହଉଥାଏ ମାତ୍ର କାମବକ୍ସ ଅଭିନୟଟି ସେତେ ଭଲ ହେଉ ନ ଥାଏ । ମୋତେ ଜୀବନ ଡାକି କହିଲା ସୁଶାନ୍ତ ଏଇ ପାର୍ଟଟା ମୋ ମନକୁ ମୋଟେ ଆସୁନି । ଏଇ ଛୋଟିଆ ପାର୍ଟଟି ଯୋଗୁ ଆମେ ବଦନାମ ହୋଇଯିବା । ମୁଁ ତା’ କଥାକୁ ସମର୍ଥନ କଲି; କିନ୍ତୁ ଆଉ ଉପାୟ କାହିଁ ? ରାତି ପାହିଲେ ଆଉ ରିହଲ୍‍ସାଲ ପ୍ରଶ୍ନ ଉଠିବ ନାହିଁ । ହେବ କ’ଣ ? ଯେତେ ବତାଇଲେ ମଧ୍ୟ ହେଉନି ତାଙ୍କର କ’ଣ କରାଯାଇ ପାରିବ ? ଏହିପରି ନାନା ଦୋଦୋ ପାଞ୍ଚ ହୋଇ ସେ ରାତିଟି ସରିଲା ।

 

ସେ ଦିନ ଡ୍ରାମା । ଦିନ ବାରଟା ହେବ ମୁଁ ବ୍ୟସ୍ତ ସିନ୍‌, ଉଇଙ୍ଗସ୍‌ଗୁଡ଼ିକ ଯଥା ସ୍ଥାନରେ ଟଙ୍ଗା ହେଲାକି ନାହିଁ ଦେଖିବାକୁ । ହଠାତ୍‌ ଜୀବନ ଆସି କହିଲା ସୁଶାନ୍ତ କାମବାକ୍‌ସ ପାର୍ଟଟି ତୋତେ ନେବାକୁ ପଡ଼ିବ । ତା’ କଥାରେ ଆଶ୍ଚାର୍ଯ୍ୟ ହେଲି । ଆଉ କେଇ ଘଣ୍ଟା ଡ୍ରପ ଉଠିବ । ଏଇ ଟିକକ ଭିତରେ ମୁଁ କିପରି କ’ଣ କରି ପାରିବି ? ଖାଲି ତୁଚ୍ଛଟାକୁ ବଦନାମ ହେବା ଯାହା ସାର ହେବ । ଜୀବନର କିନ୍ତୁ ଏକ ଯିଦି ନା ତୁ ସେ ପାର୍ଟଟି କର । ଠିକ୍‌ ଏତିକିବେଳେ ଖବର ଆସିଲା ଦିଗନ୍ତର ମାଙ୍କୁ ବ୍ଲଡ଼ ପ୍ରେସର । ଦିଗନ୍ତ କହିଲେ, ଯେ କି କାମବକ୍ସ ଅଭିନୟ କରୁଥିଲେ । ନାହିଁ ନାହିଁ ହୋଇ କିଛି ସମୟ ଟାଳି ଦେଲି । ଶେଷରେ ବାଧ୍ୟ ହେଲି ସେହି କାମବକ୍‌ସ ହେବାକୁ ।

 

ମୋଗଲର ବିଖ୍ୟାତ ସମ୍ରାଟ ଆଉରେଙ୍ଗ୍‌ଜେବଙ୍କ ପୁଅ କାମବକ୍‌ସ । ଠିକ୍‌ କାମଦେବ ଭଳି ଚେହେରା ତା’ର । ଭାରତର ଅଦ୍ୱିତୀୟ ସୁନ୍ଦରୀ ଉଦିପୁରୀ ଗର୍ଭଜ ଭଳି ହେବାଟା ମୋ ପକ୍ଷେ ଏତେ ସହଜ ନୁହେଁ । ବେଶ୍‍ ହୋଇ ସାରିଲା ପରେ ନିଜେ ନିଜକୁ ଦେଖି ଚିହ୍ନି ପାରିଲି ନାହିଁ । ଜୀବନ ତ ଆତ୍ମହରା ହୋଇ ପଡ଼ିଲା । ସେ କହିଲା ଖାଲି ଚେହେରା ଦେଖାଇଲେ ହେବନାହିଁ ସେହିଭଳି କରିବାକୁ ହିଁ ହେବ ତୋତେ ।

 

ଡ୍ରପ ଉଠିଲା ଆରମ୍ଭ ହେଲା ଅଭିନୟ । ଗୋଟିକ ପରେ ଗୋଟିକ ସିନ୍‌ ଉଠୁଥାଏ ପୁଣି ପଡ଼ୁଥାଏ । ମୁଁ ସିନ୍‌ ଫାଙ୍କରେ ଦେଖିଲି ଆଗରେ ବସିଛନ୍ତି ସରସ୍ୱତୀ ବାବୁ, ପ୍ରୀତିଦେବୀ, ଧୂପ, ଇରା । ମନଟା ମୋର ଦବିଗଲା । ସରସ୍ୱତୀବାବୁଙ୍କ ଆଗରେ ଡ୍ରାମା କରିବାକୁ ମନରେ ଟିକିଏ ଦ୍ୱିଧା ଆସିଲା; କିନ୍ତୁ ଆଉ କରାଯିବ କ’ଣ । କରିବାକୁହିଁ ହେବ । କିପରି କ’ଣ କରିବି ଭାବୁ ଭାବୁ ମୋ ପାଳି ପଡ଼ିଗଲା । ପ୍ରଥମେ ଟିକିଏ ଅଡ଼ୁଆ ଅଡ଼ୁଆ ଲାଗିଲା ତା’ପରେ କୌଣସିକୁ ଭୃକ୍ଷେପ ନ କରି, କରି ଚାଲିଲି ମୁଁ ମୋର ଅଭିନୟ । ପ୍ରଥମେ ମୋତେ କେହି ଚିହ୍ନି ପାରିଲେ ନାହିଁ; କିନ୍ତୁ ମୋ କଣ୍ଠସ୍ୱର କାହାରି ପାଖରେ ଅଜଣା ରହିଲା ନାହିଁ । ଇରା ଧୂପକୁ ଆଙ୍ଗୁଠି ଦେଖାଇ କହିଲା ଭାୟା କେତେ ସୁନ୍ଦର ଦିଶୁଛନ୍ତି ଦେଖିଲୁ । ସେ ଟିକିଏ ମୋ ଆଡ଼କୁ ଚାହିଁ ଲାଜେଇ ଗଲା ।

 

ସେହି ଦୃଶ୍ୟ । ଯେଉଁ ଦୃଶ୍ୟରେ ରୂପନଗରୀର ରାଜକୁମାରୀକୁ ବିବାହ କରିବାକୁ ‘ମା’ଙ୍କ ଆଦେଶରେ କାମବକ୍‌ସକୁ ଯିବାକୁ ପଡ଼ିଥିଲା । ଦିଲ୍ଲୀରଖାଁ ଧାଇଁ ଆସିଥିଲା ଖବର ଦେବାକୁ ତୁମକୁ ବନ୍ଦୀ କରିବାକୁ ସମ୍ରାଟ ସୈନ୍ୟ ପଠାଇଛନ୍ତି । ଶୀଘ୍ର ଏ ସ୍ଥାନ ପରିତ୍ୟାଗ କର । କାମବକ୍‌ସ କିନ୍ତୁ ଅଟଳ, ନା ! ରୂପକୁମାରୀକୁ ନ ଦେଖି ମୁଁ ଯିବି ନାହିଁ । ଦିଲ୍ଲିୀରଖାଁ ଭଳି ମୋଗଲ ସେନାପତି ବଳ କଷିଛି ଫେରାଇ ନେବାକୁ; କିନ୍ତୁ କୁମାର କାମବକ୍‌ସ ଅଟଳ ଅଚଳ । ତା’ପରେ ରୂପକୁମାରୀ ଆସିଛି ନତମୁଖ ହୋଇ । କାମବକ୍‌ସ କହିଛି, ତୁମେ କ’ଣ ତୁମ ଭାଇ ସମ୍ମୁଖରେ ଏହିଭଳି ଠିଆ ହୁଅ ? ତା’ପରେ ରୂପକୁମାରୀ ଆଶ୍ଚର୍ଯ୍ୟ ହୋଇଗଲା କାମବକ୍‌ସର ମହତ ବାଣୀ ଶୁଣି । ସେ ବିନା ସଂକୋଚରେ ଚାହିଁଲା କାମବକ୍‌ସକୁ । ସେହି ଦୃଶ୍ୟରେ ତାଳି ପରେ ତାଳି ଉଛୁଳି ଉଠିଲା । ସିନ୍‌ ପଡ଼ିଲା ପରେ ଯେତେବେଳେ ମୁଁ ଭିତରକୁ ଗଲି ମୋତେ ଜୀବନ କୁଣ୍ଢାଇ ପକାଇଲା । ଆଉ ଗୋଟିଏ ସିନ୍‌ ଯେଉଁ ସିନ୍‌ରେ ସମ୍ରାଟ ଆଓରଙ୍ଗଜେବଙ୍କ ଆଦେଶରେ ଆଓରଙ୍ଗଜେବଙ୍କ ଅନ୍ୟ ଏକ ବେଗମ୍‌ଙ୍କ ପୁତ୍ର ଆକ୍‌ବର ଉଦିପୁରୀକୁ ବନ୍ଦୀ କରିବାକୁ ଆଗେଇ ଆସିଲାବେଳେ କାମବକ୍‌ସ ବାହାରି ଆସି କହିଥିଲା ‘ମା’ ତୋ ଦେହରେ ଏ ହତଭାଗା ହାତ ଦେଇଛି ? ଦର୍ଶକ ମହଲରୁ ଶୁଣା ଯାଇଥିଲା ସେତେବେଳେ ‘ଚମତ୍‌କାର’ ଶବ୍ଦ ।

 

ଥିଏଟର ଖୁବ୍‌ ଭଲ ହୋଇଥିଲା । ଥିଏଟର ସରିବାର ଦୁଇଦିନ ପରେ ଜୀବନ କହିଲା ସୁଶାନ୍ତ କାମବକ୍‌ସ ବୋଧେ ତୋ’ଠାରୁ ଏତେ ସୁନ୍ଦର ହେବ ନାହିଁ ବୋଲି ମୋର ଧାରଣା । ତୋ’ ବେଶ ସରିଲାପରେ ମୁଁ ବି ଟିକିଏ ବିସ୍ମିତ ହେଲି ତୋ ଚେହେରାକୁ ଦେଖି । ମୋର ମନେହେଲା ତୋ’ ଚେହେରା ପାଖରେ ରୂପକୁମାରୀ ତ କିଛି ନୁହେଁ ।

 

ଥିଏଟର ସରିବାର ତିନି ଚାରିଦିନ ପରେ ଆମପରୀକ୍ଷାଫଳ ବାହାରିଥାଏ । ମୁଁ ଫାଷ୍ଟକ୍ଲାସରେ ପାସ୍‍ କରିଥାଏ, ଜୀବନର କେବଳ ପାସ୍‍ ହୋଇଗଲା । ସେଥିରେ ମଧ୍ୟ ଆନନ୍ଦ । ଯାହା ହେଉ ପାସ୍‍ ତ କଲି, ପାସ୍‍ ଅପେକ୍ଷା ଫେଲ୍‌ ହେବାର ବେଶୀ ସମ୍ଭାବନା ଥିଲା ତା’ର । ଯାହା ହେଉ ସେ ମୋଟାମୋଟି ଖୁସିଥାଏ । ମୋ ପାସ୍‍ ଖବରରେ ଆମ ଘରେ ସରସ୍ୱତୀବାବୁ, ପ୍ରୀତିଦେବୀ, ଇରାଙ୍କ ଆନନ୍ଦ କହିଲେ ନସରେ । ଧୂପକୁ ବାହାରେ ଦେଖୁ ନ ଥାଏ କିପରି ବୁଝିବି ତା ମନ ବୃତ୍ତି ।

 

ଠିକ୍‌ ସେଇଦିନ ରାତିରେ ପ୍ରାୟ ବାରଟା ହେବ ସରସ୍ୱତୀବାବୁ ମୋ କବାଟରେ ଠକ୍‌ ଠକ୍‌ କଲେ । ମୁଁ ଦିନରୁ ଉଠି କବାଟ ଫିଟାଇ ଦେଲି । ସେ ବ୍ୟସ୍ତ ହୋଇ କହିଲେ ସୁଶାନ୍ତ, ଧୂପର ଅବସ୍ଥା ବଡ଼ ସାଘାଂତିକ । ତିନି ଚାରିଦିନ ହେବ ତାକୁ ଜ୍ୱର ହୋଇଥିଲା । ବର୍ତ୍ତମାନ ଦେଖାଯାଉଛି ସେ ବାଉଳି ଚାଉଳି ହେଉଛି । ତା’ ଗୋଡ଼ ଆଡ଼ୁ ମଧ୍ୟ ଥଣ୍ଡା ହୋଇ ଆସିଲାଣି । ସରସ୍ୱତୀବାବୁଙ୍କ କଥା ଶୁଣି ମୁଁ ଅପେକ୍ଷା କରି ପାରିଲି ନାହିଁ । ଧାଇଁଗଲି ତା’ ଶୋଇଲା ବଖରାଟିକୁ । ସେ ପର୍ଯ୍ୟନ୍ତ ଡାକ୍ତର ଆସି ନ ଥାନ୍ତି । ପ୍ରୀତିଦେବୀ କାନ୍ଦୁଥାନ୍ତି । ମୁଁ କିଛି ନ ଶୁଣି ନଦେଖି ତା’ ଦେହରେ ହାତ ମାରି ଦେଖିଲି ଦେହରେ ତାହାର ପ୍ରବଳ ଉତ୍ତାପ । ଉତ୍ତାପ ମାପିବା, ଯନ୍ତ୍ରରେ ପରୀକ୍ଷା କରି ଦେଖିଲି ଶହେ ଚାରିରୁ ଟିକିଏ ବେଶୀ ଜଣା ପଡ଼ୁଛି । ସଙ୍ଗେ ସଙ୍ଗେ ତା’ ମୁଣ୍ଡଟିକୁ ଧୋଇବା ବ୍ୟବସ୍ଥା କରିଦେଲି । ତା’ପରେ ଉତ୍ତାପ ଟିକିଏ କମିଗଲା । ଅଳ୍ପ ସମୟ ପରେ ଡାକ୍ତର ଆସି ପହଞ୍ଚିଲେ । ସେ ଦେଖିଲେ ପରୀକ୍ଷା କରି । ସରସ୍ୱତୀ ବାବୁଙ୍କୁ ଧୂପ ଦେହ ସମ୍ବନ୍ଧରେ କେତେଗୁଡ଼ିଏ ଦରକାରୀ କଥା ପଚାରି ବୁଝିଲେ । ତାଙ୍କଠାରୁ ଅନେକ ସମୟ ଚିନ୍ତା କଲାପରେ ଡାକ୍ତର ଖଣ୍ଡେ କାଗଜରେ କି କି ଔଷଧ ଖାଇବ ଲେଖିଦେଇ ଗଲେ । ମୁଁ ତାଙ୍କୁ ବାହାରକୁ ନେଇ କି ଜ୍ୱର ବୋଲି ପଚାରିଲି । ଡାକ୍ତର କହିଲେ ମୋର ଧାରଣା ବୋଧେ ଟାଏଫଏଡ଼ ହେବ । ପରିଷ୍କାର ଭାବରେ କହି ହେଉ ନାହିଁ । ଦିନେ ଖଣ୍ଡେ ଗଲେ ଜଣା ପଡ଼ିଯିବ । ଏଣେ ପୁଣି ରକ୍ତ ହୀନତା ଅଛି । ତେଣୁ ଟିକିଏ ଅସାବଧାନ ହେଲେ ଅବସ୍ଥା ଏକଦମ୍‌ ସାଂଘାତିକ ହୋଇଯିବ ।

 

ସେହି ରାତିରେ ଔଷଧ ଅଣା ହୋଇ ଦିଆଗଲା । ସବୁ ବିଦ୍ୱେଷ ଭୁଲି ମୁଁ ନେଲି ତା’ର ପୁରା ଦାୟୀତ୍ୱ । ସକାଳକୁ କେବଳ ଟିକିଏ ଉତ୍ତାପ କମିଯାଏ, ତା’ ନ ହେଲେ ଶହେ ଚାରି ପ୍ରାୟ ଲାଗି ରହିଥାଏ । ରକ୍ତହୀନତା, ଏଣେ ଉତ୍ତାପ ଶହେ ପାଞ୍ଚ । ସେ ବାଉଳି ଚାଉଳି ହୋଇ ଆଡ଼ୁ ସାଡ଼ୁ ଗୁଡ଼ାଏ ବକେ । ବେଳେ ବେଳେ ମୋତେ ଚିହ୍ନିପାରେ ବେଳେ ବେଳେ ମଧ୍ୟ ନାହିଁ । ସେ ଆଡ଼ୁ ସାଡ଼ୁ ଗପିଲାବେଳେ ପ୍ରୀତିଦେବୀ ଖୁବ୍‌ ଭୟ କରିଯାନ୍ତି । ବାହୁନି କରି କାନ୍ଦନ୍ତି । ସେଥିପାଇଁ ମୁଁ ତାଙ୍କୁ ଧୂପ ପାଖକୁ ବରାବର ଆସିବାକୁ ମନା କରେ । ସରସ୍ୱତୀବାବୁ ମଧ୍ୟ ମୋ କଥାରେ ଏକମତ ହୁଅନ୍ତି । ରୋଗିଣୀ ପାଖରେ କାନ୍ଦକଟା କଲେ ଫଳ ଭଲ ହେବ ନାହିଁ ବୋଲି ଡାକ୍ତର ବି ମତ ଦିଅନ୍ତି । ବେଳେ ବେଳେ ଧୂପ ବି ବେହୋସ ହୋଇ ପଡ଼େ । ପାଣି ସିଞ୍ଚା ପରେ ଚେତା ଆସେ ।

 

ସେଦିନ ଦିନ ବାରଟା ହେବ, ଉତ୍ତାପ ଟିକିଏ ବଢ଼ିଯାଇ ଥାଏ । ସେ ଏଣୁ ତେଣୁ ଗପିବା ଆରମ୍ଭ କଲା । ଗପୁ ଗପୁ କହିଲା ସମୀର...ସେ ଟିକିଏ ହସିଲା । ପାଗଳଙ୍କ ଭଳି କହିଲା ସମୀର ଆଉ ଦିନେ ଏ ଘରେ ତୁ ପାଦ ଦେବୁନାହିଁ । ମୁଁ ତୋ ପାଖରୁ ସଙ୍ଗୀତ ଶିଖିବି ବୋଲି କ’ଣ ମୁଁ ତୋତେ ବିବାହ କରିବି ? ଏଇ ମୁହୂର୍ତ୍ତରେ ଏ ଘରୁ ତୁ ଫେରି ଯାଆ । ନହେଲେ ଚାକର ହାତରେ ଧକ୍‌କା ଦେଇ ବାହର କରିଦେବି । ତୁ ମୋର ଚାକର ହେବାର ଉପଯୁକ୍ତ ଲୋକ ନୋହୁଁ, ତୁ ପୁଣି ମୋ ଉପରେ ପାପ ନଜର ପକାଇବୁ । ଯାଉଛୁ ନା ଚାକର ହାତରେ ଧକ୍‌କା ଦେଇ ବାହାର କରି ଦେବି । .....ଦେଖରେ ବାମନ ହୋଇ ଚାନ୍ଦକୁ ହାତ ବଢ଼ାଉଛି ।

 

ଟିକିଏ ପୁଣି ତା’ର ଗପ ରହିଗଲା । ତା’ପରେ ପୁଣି କହିଲା ।

 

ଏଡ଼େ ନିଷ୍ଠୁର ତୁମେ । ଭୁଲରେ ଥରୁଟାଏ ମୋ ଆଡ଼କୁ ଅନାଉ ନାହଁ ?

 

ମୁଁ ଦେଖିଲି ଏମିତି କେତେ ନାହିଁ କେତେ କ’ଣ ଗୁଡ଼ାଏ ଗପିବ । ପ୍ରୀତିଦେବୀ କିମ୍ବା ସରସ୍ୱତୀବାବୁ କେହି ଯଦି ଆସିଯାନ୍ତି ତେବେ କଥା ସରିଲା । ଉତ୍ତାପ ଟିକିଏ କମିବାକୁ ବରଫ ଖଣ୍ଡେ ଆଣି ତା ମୁଣ୍ଡରେ ନଦିଲି । ପ୍ରତ୍ୟେକ ଜିନିଷ ଯାହାକି ତା ପାଇଁ ଦରକାର ସବୁ ମୁଁ ତା’ କୋଠରୀଟିରେ ରଖିଥାଏ । ଡାକ୍ତର କହିଥାନ୍ତି ଯଦି ବେଶୀ ଉତ୍ତାପ ଦେଖିବ କିମ୍ବା ଉତ୍ତାପ ବଢ଼ିବା ପରେ ବରଫ ପ୍ରାୟ ମୁଁ ତା କୋଠରୀରେ ରଖିଥାଏ ।

 

ମୋର ଶୁଶ୍ରୂଷା ଫଳରେ କିଛିଦିନ ପରେ ଧୂସର ଜ୍ୱର କମି ଆସିଲା । ସେ ଚିହ୍ନି ପାରିଲା ସମସ୍ତଙ୍କୁ । ଦିନ ରାତି ତା’ ପାଖରେ ମୋତେ ଦେଖି ପ୍ରଥମେ କିଛି କହି ପାରିଲା ନାହିଁ । ପରେ କହିଲା ମୁଁ ମରିଯିବାକୁ ଚାହୁଥିଲି । ଯଦି ତୁମେ ବଞ୍ଚାଇଲ ତେବେ ପ୍ରତିଜ୍ଞା କର, ଆଉ କେବେ ମୋତେ ଛାଡ଼ି କୁଆଡ଼େ ଯିବ ନାହିଁ । ତୁମ ବିହୁନରେ ଗୋଟିଏ ମୁହୂର୍ତ୍ତବି ମୁଁ ବଞ୍ଚି ପାରିବି ନାହିଁ ।

 

ତା ନରେ କୌଣସି ପ୍ରକାର ଦୁର୍ଭାବନା ଆଣିବା ଉଚିତ ନୁହେଁ । ତେଣୁ ପୂର୍ବ କଥାକୁ ନ ମାଜି ମୁଁ ତା’ କଥାରେ ସମ୍ମତି ଜଣାଇ ଆଶ୍ୱାସନା ଦେଲି ।

 

ଧୀରେ ଧୀରେ ସେ ଆରୋଗ୍ୟଲାଭ କଲା । ସେ ଯେତିକି ଭଲ ହେଉଥାଏ ସେତିକି ମୋ ଆଡ଼କୁ ଢଳି ଆସୁଥାଏ । ଘଣ୍ଟା ଘଣ୍ଟା ଧରି ମୋ ସହିତ ଏଣୁ ତେଣୁ ଗପ କରିବାକୁ ଖୁବ୍‌ ଭଲ ଲାଗେ । ଔଷଧ ଖାଇବା କିମ୍ବା ଦୁଧ ଟିକିଏ ଖାଇବାକୁ ଯେଉଁଠି ପ୍ରୀତି ଦେବୀ ଓ ସରସ୍ୱତୀ ବାବୁ କହି କହି ବିରକ୍ତ ହୋଇ ଯାଉଥିଲେ ସେଇଠି ମୁଁ ଖାଲି ଔଷଧ ତା ପାଟି ପାଖରେ ଧରିଲା କ୍ଷଣି ଆଖି ବୁଜି ଆଁକରି ଗିଳି ଦେଉଥିଲା । ଦୁଧ ବାଟିଟି ତା ମୁହଁ ପାଖରେ ଧରିବା ମାତ୍ରେ ସେ ଆଉ ଦ୍ୱିଧା କରେ ନାହିଁ । ଏଥିପାଇଁ ତାର ସମସ୍ତ ଦାୟିତ୍ୱ ମୋ ଉପରେ ନ୍ୟସ୍ତ । ମୁଁ ମୋର ସବୁ ଛାଡ଼ି ବାଧ୍ୟ ହେଉଥିଲି ତାରି ପାଖରେ ବସି ରହିବାକୁ ।

 

ତା ଦେହ ପୁରା ଭଲ ହେବାକୁ ଅନେକ ଦିନ ଲାଗିଲା । ସେ ଭଲ ନ ହେବା ପର୍ଯ୍ୟନ୍ତ ମୋତେ ତା ପାଖରେ ରହିବାକୁ ପଡ଼ୁଥାଏ । ତା ପାଖରେ ଆଉ କେହି ବସିଲେ ସେ ଖୋଲାଖୋଲିଭାବେ କହୁଥାଏ ମୋତେ ଡାକି ବାକୁ । ଥରେ ତା ମାମୁଁ ଘରୁ ତା’ର ମାଇଁ, ଆଇ ପ୍ରଭୃତି କେତେକ ଆସିଲେ ତାକୁ ଦେଖିବାକୁ । ମୁଁ ସେତେବେଳେ ଘରେ ନ ଥାଏ । ଟିକିଏ ବାହାରକୁ ବୁଲି ଯାଇଥିଲି । ତା’ର ଔଷଧ ଖାଇଲା ବେଳ ହୋଇ ଯାଇଥିବାରୁ ଶୀଘ୍ର ଫେରି ଆସିଲି-। ଫେରି ଶୁଣିଲି ତାର ସେ ଆଇ ଯେ ହେବ ସେ ତାକୁ କହୁଛି ତୁ ସୁଶାନ୍ତକୁ ସବୁବେଳେ ତୋ ପାଖରେ ବସି ବାକୁ କହୁଛୁ ତୁ କ’ଣ ଆଉ ତାକୁ ବାହା ହେବୁକି ? ମୁଁ ଠିକ୍‌ ତା ଆରପାଖ କୋଠରୀରେ ଥାଏ । ଆଇବୁଢ଼ୀର ଏ ପ୍ରଶ୍ନର ଉତ୍ତର ଧୂପ କ’ଣ ଦେଉଛି ଶୁଣିବାକୁ ଅପେକ୍ଷା କରିଥାଏ । ସେ ସଙ୍ଗେ ସଙ୍ଗେ କଥାଟାକୁ ଏଡ଼େଇବାକୁ କହିଲା, ବୁଢ଼ା ଅଜା ଯେତେବେଳେ ନାତୁଣି ଟୋକିଗୁଡ଼ାଙ୍କୁ ବାହା ହେବା ପାଇଁ ଦାବୀ କରୁଛନ୍ତି, ସେତେବେଳେ ତୋରତ ତାଙ୍କୁ ବାହା ହେବା ପାଇଁ ଦାବି କରିବାର କଥା । ମୋ ପ୍ରଶ୍ନ ଉଠୁଛି କେଉଁଠୁ । ଘରେ ଯେତେକ ଥିଲେ ସମସ୍ତେ ହସି ଉଠିଲେ । ମତେ କିନ୍ତୁ ବଡ଼ ସଙ୍କୋଚ ଆସିଲା ସେ ଘରକୁ ଯିବାକୁ । ଏପରି କି ସେ ଦଳଙ୍କୁ ମୁହଁ ଦେଖାଇବାକୁ ବି ଲାଜ ଲାଗିଲା ।

 

ସେମାନେ ଚାଲିଗଲା ପରେ ଗଲି ତାକୁ ଔଷଧ ଦେବାକୁ । ଔଷଧ ଦେଇ ଚାଲି ଆସିବାକୁ ପଦାକୁ ଗୋଡ଼ କାଢ଼ିଲା ବେଳେ ସେ ପଛରୁ ଡାକ ଦେଲା । ତା’ ପାଖକୁ ନ ଯାଇ ସେଇଠି ଠିଆ ହୋଇ କ’ଣ ସେ କହୁଛି ଶୁଣିବାକୁ ଅପେକ୍ଷା କଲି । ସେ କିନ୍ତୁ ଛାଡ଼ିବାର ପାତ୍ରୀ ନୁହେଁ । ବେଶୀ ଓଜର ଆପତ ନ କରି ତା ପାଖକୁ ଗଲି । ସେ ନିର୍ଦ୍ଦେଶ ଦେଲା ବସିବାକୁ । ତାରି ଖଟ ପାଖରେ ଖଣ୍ଡେ ଚେୟାର ଟାଣି ବସିଲି । ସେ ମୋ ଉପରେ ତା’ର ରୋଗାକ୍ଳାନ୍ତ ହାତଟିକୁ ଲଦି ଦେଲା । ଏ ଦୁଷ୍ଟାମି ତା’ର ପ୍ରାୟ ବେମାର ପରେ ବଢ଼ି ଯାଇଥାଏ । ସେହି ଅବସ୍ଥାରେ କେହି ଦେଖିଲେ ମଧ୍ୟ କିଛି ଭାବନ୍ତି ନାହିଁ । କାରଣ ଏହା ପ୍ରାୟ ସମସ୍ତେ ନିତି ଦେଖି ଆସୁଛନ୍ତି । ପ୍ରଥମ ଦିନ ମୁଁ ତା ହାତକୁ ସଜାଡ଼ି ତା ବିଛଣାରେ ଥୋଇ ଥିଲି, କିନ୍ତୁ ଡାକ୍ତରମତ ଦେଲେ ତାକୁ ଯେପରି ଭଲ ଲାଗୁଛି ସେପରି କରୁ । ସେଥିପାଇଁ ବ୍ୟସ୍ତ ହେବାର କିଛି ନାହିଁ ।

 

ସେ କହିଲା ରାଜକୁମାର କଣ ରୂପ ନଗରୀର ରାଜକୁମାରୀ ପାଖକୁ ଯାଉଛନ୍ତି ?

 

ମୁଁ ବୁଝି ପାରିଲି ନାହିଁ ତାର ଭାଷା । ତା ଆଡ଼କୁ ଅନାଇ ଚେଷ୍ଟା କଲି ବୁଝିବାକୁ ତାକୁ । ସେ ହସୁଥାଏ ମୋ ଆଡ଼କୁ ଅନାଇ । ଏଇ କେଇଟା ଦିନ ଭିତରେ ତା’ର ସୌନ୍ଦର୍ଯ୍ୟ ଏକଦମ୍‌ ନଷ୍ଟ ହୋଇ ଯାଇଥାଏ । ରକ୍ତରେ ଫାଟି ପଡ଼ୁଥିବା ମୁହଁଟି ତାର ପଡ଼ି ଯାଇଥାଏ ଶେତା । ଉଜ୍ଜ୍ୱଳ ଚକ୍ଷୁ ତାରକା ତାର ପାଉଁସିଆ ହୋଇ ଗହୀକୁ ପଶି ଯାଇ ଥାଏ । ମୁଣ୍ଡର ବାଳଗୁଡ଼ିକ ଖୁବ୍‌ ଲମ୍ବା ଥିଲେ ମଧ୍ୟ ନୁଖୁରା ଯୋଗୁ ଫର୍‌ ଫର୍‌ ହୋଇ ଉଡ଼ୁଥିଲା । ତାର ଏ କଦାକାର ରୂପ ଦେଖି ମୋ ଭିତରଟା ଟିକିଏ ନରମି ଗଲା । ଦୁଷ୍ମନ୍ତର ପ୍ରୀୟା ଧୂପକୁ ତାର ସମସ୍ତ ଅପରାଧ ପାଇଁ ସେ ଟିକିଏ କ୍ଷମା ଦେବା ଉଚିତ । ଦୁଷ୍ମନ୍ତ ଅନ୍ୟମାନଙ୍କ ପାଖରେ ସୁଶାନ୍ତ ଅଭିନୟ କଲେ ମଧ୍ୟ ଏହି ଗୋଟିଏ ଲୋକ ଧୂପ ପାଖରେ ତାହା କରି ହୁଏନି । ତା ପାଖରେ ତା ଭାଇ ସୁଶାନ୍ତ ଅପେକ୍ଷା ତା’ ମନର ମଣିଷ ଦୁଷ୍ମନ୍ତ ବଡ଼ । ସେ ଚାହେଁ ସୁଶାନ୍ତର ମୁଖା ପିନ୍ଧି ଦୁଷ୍ମନ୍ତ ତା ପଛେ ପଛେ ଲାଗି ରହିଥାଉ । କିନ୍ତୁ ଦୁଷ୍ମନ୍ତ ଦ୍ୱିଧା ବୋଧ କରେ । ଧୂପର ଚରିତ୍ର ତଥା ମନବୃତ୍ତି ତାକୁ ଅବୋଧ୍ୟ ଜଣାପଡ଼େ । ସେ ଯେତିକି ଦୁଷ୍ମନ୍ତ ଠାରୁ ଦୂରେଇ ଯାଉଛି ସେତିକି ସୁଶାନ୍ତ ତାକୁ କବଳିତ କରୁଛି । ସୁଶାନ୍ତର ମୃତ୍ୟୁ ହୋଇଛି ଏ କଥା ଆଉ କେହି କହିବାକୁ ଚାହାନ୍ତି ନାହିଁ । କିନ୍ତୁ ଧୂପ ତାହା ସ୍ୱୀକାର କରେ ନାହିଁ; ସେ କହେ ମୁଁ ବାସ୍ତବବାଦୀ । କାଳ୍ପନିକ ସୁଶାନ୍ତକୁ ସେ କେବେ ସୁଶାନ୍ତ ବୋଲି ଗ୍ରହଣ କରିବ ନାହିଁ-। ଭଲରେ ହେଉ ବା ମନ୍ଦରେ ହେଉ ମୁଁ ଦୁଷ୍ମନ୍ତକୁ ଦୁଷ୍ମନ୍ତ ବୋଲି ସ୍ୱୀକାର କରିବି । ସମୟ ଆସି ପହଞ୍ଚିବ ଯେଉଁ ସମୟରେ କି ସୁଶାନ୍ତର ମୁଖା ଖୋଲି ସେ ପ୍ରମାଣିତ କରିଦେବ ଏ ସୁଶାନ୍ତ ନୁହେଁ ଦୁଷ୍ମନ୍ତ ।

 

କିନ୍ତୁ ଦୁଷ୍ମନ୍ତ ପଛେଇ ଯାଏ ଦୁଷ୍ମନ୍ତ ପାଖରୁ । ତା’ର ଯୁକ୍ତି ଦୁଷ୍ମନ୍ତ ମରିଛି ସାଇକେଲ ଦୁର୍ଘଟଣାରେ । ଦୁଷ୍ମନ୍ତର ପିଞ୍ଜରା ଭିତରେ ସୁଶାନ୍ତର ଜନକ ସୁଶାନ୍ତର ଆତ୍ମାକୁ ଜୋର୍‌ କରି ଖଞ୍ଜି ଦେଇଛନ୍ତି । ଦୃଢ଼ ପଦକ୍ଷେପରେ ସେ ଚାଲିଛି ସୁଶାନ୍ତ ନାମରେ ନିଜକୁ ପରିଚିତ କରି । ପୁଣି ଗୋଟାଏ ଦିନ ଆସିବ ଯେଉଁ ଦିନ କି ସେ ଫେରିଯିବାକୁ ବାଧ୍ୟ ହେବ ଦୁଷ୍ମନ୍ତ ଭିତରକୁ ଏ କଳ୍ପନା ବି ସେ କରିପାରେନାହିଁ ।

 

ସେ ପୁଣି କହିଲା ସତରେ ସେ ଦିନ ଥିଏଟରରେ ତୁମକୁ କାମବକ୍‌ସ ରୂପଟା ଏପରି ଖାପ୍‌ ଖାଇଯାଇଥିଲା ଯାହାକି ମା ମଧ୍ୟ ଭୁଲିଗଲା ତୁମକୁ ଚିହ୍ନିବାକୁ । ବାବା ଯେତେବେଳେ ଚିହ୍ନାଇ ଦେଇ କହିଲେ ସୁଶାନ୍ତକୁ ଚିହ୍ନିପାରୁନା ? ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇ କହିଲା, ସୁଶୁ ! ମୁଁ ତ ବିଭୋର ହୋଇ ପଡ଼ିଲି । ଭାବିଲି ଯଦି ରୂପ କୁମାରୀ ଅଭିନୟ କରିବାକୁ ମୋତେ ଦିଆହୋଇଥାନ୍ତା ତେବେ ମୁଁ ଖୁବ୍‌ ଭଲ କରିପାରିଥାନ୍ତି । ସତ କହିଲ ମୁଁ କ’ଣ ରୂପକୁମାରୀ ଅଭିନୟ ପାଇଁ ଅନୁପଯୁକ୍ତା ?

 

ତା’ର ଯୁକ୍ତିକୁ ହସରେ ଉଡ଼େଇ ଦେବାକୁ କହିଲି ଓ ତୁମେ ରୂପକୁମାରୀ ହେବାକୁ ଚାହଁ ତେବେ ତ ରାଜସିଂହ ଭିଣୋଇକୁ ତୁମକୁ ପ୍ରଦାନ କରିବାକୁ ହେବ ! କାମବକ୍‌ସ ତ ରୂପକୁମାରୀକୁ ବିବାହ କରିନାହିଁ । ସେ ତାକୁ ଭଗ୍ନୀ ପଦରେ ଅଭିଷିକ୍ତ କରି ରାଜସିଂହଙ୍କୁ ଭିଣୋଇ ହେବାକୁ ଅନୁରୋଧ କରିଛି । ତାହାହେଲେ ତ ମୋତେ ବର୍ତ୍ତମାନ ରାଜହଂସକୁ ଖୋଜିବାକୁ ପଡ଼ିବ !

 

ସେ ମୋ ଆଡ଼କୁ ପୂରା ଢଳି ଆସି ମୁହଁ ଶୁଖାଇ କହିଲା, ତୁମେ ଏଡ଼େ ନିଷ୍ଠୁର । ସତେ ତୁମେ କ’ଣ ତୁମ ପ୍ରୀୟା ବୋଲି ମୋତେ ଗ୍ରହଣ କରିବ ନାହିଁ ? ମୋ ଅପେକ୍ଷା ମିନତୀ କ’ଣ ତୁମକୁ ବେଶୀ ଭଲ ପାଏ ?

 

ଧୂପ ମୁହଁରେ ଏ କଥା ମୋ ଭିତରେ ବିଦ୍ରୋହ ସୃଷ୍ଟି କଲା । ମିନତୀକୁ ମୁଁ ଭଲ ପାଏ; ମୁଁ ମଧ୍ୟ ଜାଣେନି । ସେ କିନ୍ତୁ ଜାଣିଲା କିପରି ? ସମସ୍ତ ଉତ୍ତେଜନାକୁ ଚାପି ରଖି ପଚାରିଲି ମିନତୀ ମୋତେ ଭଲ ପାଏ ଏ କଥା ତୁମକୁ କିଏ କହୁଥିଲା ?

 

ସେ ଖୁବ୍‌ ସରଳ ଭାବେ କହିଲା ତା’ ନହେଲେ ତୁମକୁ ସେ ପାଟଣା ନେଇଥାନ୍ତା କାହିଁକି ?

 

ତାହାହେଲେ ତୁମେ ସେଥିପାଇଁ ସମୀରକୁ ଭଲ ପାଇବା ପାଇଁ ଚେଷ୍ଟା କଲ ?

 

ମୋର ଏ ପ୍ରଶ୍ନରେ ସେ ନିଜକୁ ସମ୍ଭାଳି ପାରିଲା ନାହିଁ । ତା’ ଆଖି ଛଳ ଛଳ ହୋଇଗଲା । ସେ କହିଲା ତୁମେ ବି ମୋତେ ଏଥିପାଇଁ ଦୋଷ ଦେବ ? ମୁଁ କ’ଣ ତୁମ ଆସନରେ ତାକୁ ବସାଇବାକୁ କେବେ କଳ୍ପନା କରିଛି ନା କରିଥିଲି । ସମସ୍ତେ ଆଜିକାଲି ଗୀତ ଟିକିଏ ଟିକିଏ ଶିଖୁଛନ୍ତି ବୋଲି ମୁଁ ଟିକିଏ ଶିଖିବାକୁ ମନ କଲି । ଗୀତ ଶିଖିବା କ’ଣ ଦୋଷ ? ଆଉ ମଧ୍ୟ ମିନତୀ ଭଲ ଗୀତ ବୋଲିପାରେ ବୋଲି ତୁମେ ତାକୁ ଭଲ ପାଉଛ ।

 

ଏହାବୋଲି କ’ଣ ତୁମେ ତା’ ସହିତ ସିନେମା ଥିଏଟର ଯିବ ?

 

ସେ କାନ୍ଦି ପକାଇଲା । ମୁଁ ବ୍ୟସ୍ତ ହୋଇ ତା’ ଆଖିରୁ ଲୁହ ପୋଛିବାକୁ ଚେଷ୍ଟା କଲାବେଳେ ସେ କହିଲା, ନା ଥାଉ; ତୁମ ଉପରେ ଅଭିମାନ କରି ଏତେଟା ନିଜ ଉପରକୁ ଦୋଷ ଟାଣି ଆଣିବା ମୋର ଉଚିତ ହୋଇନାହିଁ । ସେଥିପାଇଁ ଯଥେଷ୍ଟ ଅନୁତାପ କରିବା କଥା । ଏଇ କେଇବୁନ୍ଦା ଲୁହରେ ମୁଁ ଟିକିଏ ହେଲେ ଶାନ୍ତି ପାଇବି । ମୋତେ କାନ୍ଦିବାକୁ ତୁମେ ଛାଡ଼ିଦିଅ ।

 

ଦ୍ୱାର ମୁହଁରେ ପରଦାଟା ଝୁଲୁଥାଏ, ହଠାତ୍‌ ଯଦି କେହି ପରଦା ଟେକି ପଶି ଆସେ ତେବେ କଥାଟା ଭୁଲରୂପେ ରୂପ ନେଇ ପାରିବା ଭୟରେ କବାଟଟି ଆଉଜେଇ ଦେଇ ଆସିଲି । ତା’ ଆଖିରୁ ଧାର ଧାର ହୋଇ ଲୁହ ବହି ଯାଉଥାଏ । ତା’ର ବାରଣ ସତ୍ୱେ ଲୁହ ପୋଛି ଦେଲି । ମୁଁ ତାକୁ ବୁଝାଇବା ପାଇଁ ଚେଷ୍ଟା କଲି, ଏଥିପାଇଁ ତୋତେ ଦୋଷ ଦେଉ ନାହିଁ ବୋଲି । ଭୁଲ୍‌ଟା ଏକା ତା’ର ନୁହେଁ । ମୁଁ ଛାଡ଼ି ନ ଯାଇଥିଲେ ଏହା କାହିଁକି ହୋଇଥାନ୍ତା । ଏଥିପାଇଁ ମୁଁ ନିଜକୁ ମଧ୍ୟ ଦୋଷ ଦେଇ ତାକୁ ସାନ୍ତ୍ୱନା ଦେଲି । ପାଟନା ଯିବାରେ ପ୍ରକୃତ ମିନତୀର କିଛି ହାତ ନାହିଁ । ଆଉ ଗୋଟିଏ ନୂଆ ସହର ବୁଲିଯିବା ଉଦ୍ଦେଶ୍ୟ ଧରି ପାଟଣା ଯାଇଥିବା କଥା ଅତି ସରଳଭାବରେ କହି ତାକୁ ବୁଝାଇବାକୁ ଚେଷ୍ଟା କଲି । କେତେକ ସମୟ ପରେ ସେ ଶାନ୍ତ ହେଲା; କିନ୍ତୁ ମୋତେ କୁଆଡ଼େ ଛାଡ଼ିଦେବାକୁ ରାଜି ହେଲା ନାହିଁ । ଏପରି କି ସେ ତା’ ବିଛଣାରେ ବଙ୍କେଇ ହୋଇ ମୋ ଉପରେ ମୁଣ୍ଡ ଦେଇ ଶୋଇଲା । ଯେତେ କହିଲେ ମଧ୍ୟ ମୋଟେ ଶୁଣିଲା ନାହିଁ ।

 

ସୁଶାନ୍ତର ଭଉଣୀ ଦାବୀ କରୁଛି ଦୁଷ୍ମନ୍ତ ପାଖରୁ ଟିକିଏ ସହାନୁଭୂତି, ଟିକିଏ ସ୍ନେହ, ଟିକିଏ ଭଲ ପାଇବା । ସେହି ଭଲ ପାଇବା ସେହି ସ୍ନେହ ଆଉ ସେହି ନିଜର ବୋଲି ଦାବୀରେ ଦୁଷ୍ମନ୍ତ ଭୁଲିଯାଇଛି ଆପଣାକୁ । ତା’ ଉପରେ ଲାଗିଥିବା ସୁଶାନ୍ତର ପୁଟ ଚାଞ୍ଛି ଛଡ଼ାଇ ଦେବାକୁ ଅନେକ ଥର ଦୁଷ୍ମନ୍ତ ଇଚ୍ଛା କରିଛି; କିନ୍ତୁ ଅବସ୍ଥା ତାକୁ କରେଇ ଦେଇନି । ଭଲ ପାଇବା ଭିତରେ ପାଶବିକ ଦୈହିକ ମିଳନକୁ ସେ ପସନ୍ଦ କରିନି । ପ୍ରସ୍ଫୁଟିତ କୁସୁମର ସୌନ୍ଦର୍ଯ୍ୟକୁ ତା’ର ସେହି ବୃନ୍ତରେ ରଖି ଉପଭୋଗ କରିବାକୁ ସେ ପସନ୍ଦ କରି ଆସିଛି । ଥରକପାଇଁ କୁସୁମର ପାଖୁଡ଼ା ସ୍ପର୍ଶ କରିବାର ସୁଯୋଗକୁ ଦୁର୍ଯୋଗକୁ ଦୁର୍ଯୋଗ ବୋଲି ଭାବି ନେଇଛି । ପ୍ରସ୍ଫୁଟିତ କୁସୁମର ନାକଫଟା ସୁବାସ ଆଘ୍ରାଣ କରିଛି ସେ ତା’ର ସମସ୍ତ ମମତା ଦେଇ । ବସନ୍ତର ଆଲୋଡ଼ନରେ କୁସୁମ ଲୋଟି ପଡ଼ିଛି ତା ଉପରେ ଅସହାୟଭାବରେ; କିନ୍ତୁ ଦୁଷ୍ମନ୍ତ ପାରିନି କୁସୁମକୁ ତା ଅଙ୍ଗରେ ଜଡ଼ାଇ ନିଜକୁ ଦେବତାର ଆଖ୍ୟା ନେବାକୁ ।

 

ଧୂପର ନୁଖୁରା ଫୁର୍‌ ଫୁର୍‌ ବାଳ କେରାକୁ ଟିକିଏ ସାଉଁଳେଇ ଦେଲି । ତା’ର ରୋଗକ୍ଳାନ୍ତ ପାଉଁଶିଆ ଦେହ ଉପରେ ଛୋଟ ପିଲାଙ୍କ ଭଳି ମୁହଁ ନଦି ତା ଦେହର ଉଷୁମ ଟିକିଏ ଗ୍ରହଣ କରି ନେଲି । ଛୋଟ ରବରକଣ୍ଢେଇ ଭଳି ଟିକିଏ ଗେଲ କରିଦେଲି । ବାସ୍‍ ସେତିକି ତ ତା’ର ପ୍ରାପ୍ୟ ମୋଠାରୁ । ମୁଁ ଅନେଇଲି ତା’ରି ମୁହଁଆଡ଼େ । ଅଭିମାନିଆ ଗମ୍ଭୀର ମୁହଁଟି ତା’ର ହସି ଉଠୁଛି । ଓଠକଣରେ ଲାଖି ରହିଛି ତୃପ୍ତିର ଚିହ୍ନ ଟିକିକ । ଡାକିଲି ରାଣୀ ! କେଉଁ ଯୁଗ ଯୁଗର ମାଦକଭରା ତନ୍ଦ୍ରାକୁ ବହୁ କଷ୍ଟରେ ସେ ଆଡ଼େଇ ଚକ୍ଷୁ ଦୁଇଟି ଉନ୍ମୀଳିତ କରି ଅନେଇଲା ମୋରି ଆଡ଼େ । ତା’ର ଅଧା ଖୋଲା ଆଖି ଦୁଇଟିରେ ସରାଗବୋଳା ନିମନ୍ତ୍ରଣ । ନିମନ୍ତ୍ରଣ ଆହୁରି ଲାଗି ଆସ ପ୍ରିୟ ! ମୋର ସୁଧାପାତ୍ରରେ ଆହୁରି ଢାଳିଦିଅ ତୁମ ସାନ୍ନିଧ୍ୟର ମଧୁ । ତୁମର ଉତ୍ତାଳ କଠିନ ସ୍ପର୍ଶରେ ମୁଁ ଚାହେ ଉନ୍ମାଦ ହୋଇ ଉଠିବି, ରସାଣିତ ହୋଇ ଉଠିବ । ତୁମେ ଡାକିବ । ପ୍ରିୟେ । ଆଉ ବାସନାଜଡ଼ିତ, ତନ୍ଦ୍ରା ଜଡ଼ିତ କଣ୍ଠରେ ମୁଁ ଉତ୍ତର ଦେବି ପ୍ରିୟ ମୋର । ଆଉ ଥରେ ମୁହଁଟି ମୋର ନଇଁ ଆସିଲା ତା’ରି ମୁହଁ ଆଡ଼େ । ସେ ତା’ର ଅବଶ ହାତ ଦୁଇଟିରେ ମୋର କଣ୍ଠ ବେଷ୍ଟନ କଲା । କ୍ଷଣକପାଇଁ ଥରି ଉଠିଲା ତା’ର ଓଠ ଦୁଇଟି; କିନ୍ତୁ ହଠାତ୍‌ ମୋ ଭିତରେ ଗୋଟିଏ ବେସୁରା ରାଗିଣୀ ବାଜି ଉଠିଲା । ସେ ବୀଣାର ସୂକ୍ଷ୍ମ ତାରଟି ଉପରୁ ଅଙ୍ଗୁଳି ଫେରାଇ ନେଲି ମୁଁ ମୁହୂର୍ତ୍ତକ ଭିତରେ । ପ୍ରେମ-ବୀଣାର ଝଙ୍କାର ଥମିଗଲା; କିନ୍ତୁ ଟିକିକ ଆଗରୁ ଯେଉଁ ପ୍ରାଣଭରା ଝଙ୍କାର ତୋଳି ଉଠିଥିଲା ତା’ର ମଧୁର ଶବ୍ଦଟି ତରଙ୍ଗ କାଟି ଖେଳି ବୁଲୁଥିଲା, ରହିଥିଲା ବାୟୁମଣ୍ଡଳ ଭିତରେ ।

 

ଦିନ ବହିଯାଇଛି । ସେ ଦିନର ସେହି ଖସଡ଼ା ଯୌବନର ପାହାଚ ଅତିକ୍ରମ ମୁଁ ଆଜି ଆସିଛି ବହୁତ ଦୂର । ଆଜି ସେ ଦିନର କଥାଗୁଡ଼ିକୁ ମନେ ପକାଇ ପ୍ରକୃତ କାରଣ ଖୋଜେ । ସବୁ ପ୍ରକାର ସମ୍ପର୍କ ଧୂପ ସହିତ ଥିଲେ ମଧ୍ୟ ସମ୍ଭୋଗଠାରୁ କାହିଁକି ଦୂରେଇ ରହୁଥିଲି । ଏପରି କି ଆପେ ଆପେ ମୁଁ ନିବୃତ୍ତି ହୋଇଯାଉଥିଲି କାହିଁକି ? ଯେତେଗୁଡ଼ିଏ କାରଣ ମୁଁ ଖୋଜି ପାଇଛି ତାହା ଏପରି କିଛି ନୁହେଁ, ଯାହାକି ମୁଁ ସତ୍ୟ ବୋଲି ସ୍ୱୀକାର କରିବି ।

 

ଧୂପ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା; କିନ୍ତୁ ଦୁର୍ବଳତା ଲାଗି ରହିଥାଏ । ଯାହା ହେଉ ସେ ଭଲ ହୋଇଯିବା ପରେ ମୁଁ ଟିକିଏ ବାହାରକୁ ଯାଇପାରିଲି । ବି.ଏ. ଟା ସରିଥାଏ । ଏମ୍‍. ଏ. ପଢ଼ିବାର କଥା । ସରସ୍ୱତୀ ବାବୁ ମଧ୍ୟ ଜୋର ଦେଉଥାନ୍ତି । ମୋ ପଢ଼ା ପାଇଁ । ବମ୍ବେ ମିଲ୍‌ଟି ବେଶ୍‌ ଭଲ ଚାଲିଥାଏ । ତା’ ପାଇଁ ଆଉ ବିଶେଷ କାହାରି ମୁଣ୍ଡ ବଥାଉ ନଥାଏ । କଲିକତା ମିଲ୍‌ ଖବର ତ ସରସ୍ୱତୀ ବାବୁ ନିଜେ ବୁଝୁଥାନ୍ତି, ତେଣୁ ମୋର ପଢ଼ା ଘରେ ଚାବି ପଡ଼ିବାର କୌଣସି କାରଣ ନାହିଁ ।

 

ଏମ୍‍. ଏ. କ୍ଲାସରେ ନାମ ଲେଖାଇଲି; କିନ୍ତୁ ଜୀବନ ଆଗକୁ ଆଉ ଗଲା ନାହିଁ । ବି. ଏ. ପରେ ଆଗକୁ ଯିବାରେ ତା’ରି ନିଜ ଆଡ଼ୁ ଆପତ୍ତି ଉଠିଲା । ରାଜନୀତିକ କର୍ମୀଠାରୁ ଆରମ୍ଭ କରି ମାସିକ ପତ୍ରିକାର ସମ୍ପାଦକ ହେବାପର୍ଯ୍ୟନ୍ତ ଯେ ହେବାକୁ ଆଗେଇ ଯାଇଛି ସେ ପୁଣି ଆଉ ଏ କଲେଜ ପାଠ ପଢ଼ିବ କେତେବେଳେ ? ପୂରବୀ ଦେବୀ; କିନ୍ତୁ ଆଗେଇ ଆସିଲେ ପଢ଼ିବାକୁ । ଆଉ ଅନ୍ୟାନ୍ୟ ସହପାଠୀଙ୍କ ଭିତରୁ ଅଧିକାଂଶ ରହିଗଲେ, ଆଉ ଆଗକୁ ନ ଆସି । ଯାହାହେଉ ମୋତେ ଦୁଇଟି ବରଷ ଆଖିବୁଜି ଆଗେଇବାକୁ ପଡ଼ିବ ଏହି ଉଦ୍ଦେଶ୍ୟ ନେଇ ପଢ଼ାରେ ବ୍ୟସ୍ତ ରହିଲି । ବେଳେବେଳେ ଜୀବନ ବାଧ୍ୟ କଲେ ତା’ ମାସିକ ପତ୍ରିକାରେ ଜଣେ ଲେଖକ ହିସାବରେ ଯୋଗ ଦେବାକୁ । ପ୍ରତି ମାସରେ ତ ଦେଇ ହୁଏନି । ତଥାପି ଦୁଇ ତିନି ମାସରେ ଥରେ ଲେଖାଁ ଗୋଟିଏ ଗୋଟିଏ ପ୍ରବନ୍ଧ ମୋର ପ୍ରକାଶ ପାଏ । ସେତେବେଳେ ମୋ ଲେଖା ମଧ୍ୟ ଲୋକଙ୍କ ଉପରେ ବେଶ୍‌ ପ୍ରଭାବ ପକାଉଥାଏ । ମୋର କେତେଗୁଡ଼ିଏ ପ୍ରବନ୍ଧ ଗୌତମ ବୁଦ୍ଧଙ୍କ ବିଷୟରେ ପ୍ରକାଶ ପାଇଥାଏ । ଯାହା କି ଶିକ୍ଷିତ ମହଲରେ ଗୋଟାଏ ଆଲୋଡ଼ନ ସୃଷ୍ଟି କରୁଥିଲା । ମୋର ଯୁକ୍ତି ଥାଏ ଗୌତମବୁଦ୍ଧ କପିଳବାସ୍ତୁ ରାଜାଙ୍କ ପୁଅ ନ ଥିଲେ । ଲୁମ୍ବିନୀନାମକ ଏକ ଗ୍ରାମର ଜଣେ ଜମିଦାରୀଙ୍କ ପୁଅ ସେ, ତାଙ୍କ ବଂଶର ପ୍ରଧାନ ବ୍ୟବସାୟ ଥିଲା ଚାଷ । ସେ ବିଷୟରେ ଅଶୋକଙ୍କ ଶିଳାଲେଖ ଓ ତ୍ରିପିଟକ ସାହିତ୍ୟ ପ୍ରମାଣ । ସେ ଯେ ପଦାକୁ ବାହାରୁ ନ ଥିଲେ ଏବଂ ଯେଉଁ କେତେଥର ବାହାରକୁ ଆସିଛନ୍ତି ସେ ଦେଖିବାକୁ ପାଇଛନ୍ତି ରୋଗୀ, ବୃଦ୍ଧ, ଶବ, ତ୍ୟାଗୀ ଏ କଥା ମଧ୍ୟ ପୂରା ସତ୍ୟ ନୁହେଁ । ସତ୍ୟ ହେଉଛି ଗୌତମବୁଦ୍ଧଙ୍କ ମନରେ ରୋଗୀଠାରୁ ତ୍ୟାଗୀ ପର୍ଯ୍ୟନ୍ତ ପ୍ରତ୍ୟେକ ସଂସାରପ୍ରତି ବିରାଗ ଧାରଣା ଆଣିଥିଲେ ଏହିପରି ଅନେକ ସତ୍ୟତା ବିଭିନ୍ନ ଯୁକ୍ତିଦେଇ ପ୍ରକାଶ ପାଇଲା ପରେ ମୋ ପ୍ରବନ୍ଧରେ ମଧ୍ୟ ମୂଲ୍ୟ ବଢ଼ିଯାଇଥାଏ । ପତ୍ର ପତ୍ରିକାରେ ଏଥିପାଇଁ ବେଶ୍‌ ସମାଲୋଚନା ମଧ୍ୟ ହେଉଥାଏ । ଯଦ୍ଦ୍ୱାରା ମୋ ଲେଖାର ମୂଲ୍ୟ ବହୁତ ବଢ଼ି ଯାଇଥାଏ ।

 

ଥରେ ବୁଦ୍ଧ ପୂର୍ଣ୍ଣିମା ଦିନ ଗୌତମବୁଦ୍ଧଙ୍କ ବିଷୟରେ ଗୋଟିଏ ଆଲୋଚନା ସଭା ହୋଇଥାଏ । ଏହି ସଭାକୁ ଅସିତ ଘୋଷ ନାମରେ ଜଣେ ବିଶିଷ୍ଟ ବ୍ୟକ୍ତି କରାଉଥାନ୍ତି । ବଡ଼ ବଡ଼ ସାହିତ୍ୟିକ ଧର୍ମଯାଜକ, ସାମ୍ବାଦିକ ଆଦି ଯାଇଥାନ୍ତି । ଜୀବନ ମଧ୍ୟ ଯାଇଥାଏ । ମୋ ପାଖକୁ ଖଣ୍ଡେ ସାଦା ନିମନ୍ତ୍ରଣ ପତ୍ର ଆସିଥାଏ । ମୁଁ ବସିଥାଏ ଜୀବନ ପାଖରେ । ବଡ଼ ବଡ଼ ପଣ୍ଡିତମାନେ ବୁଦ୍ଧଙ୍କ ବିଷୟରେ ଖୁବ୍‌ ବିସ୍ତୃତିଭାବରେ ନାନା ସତ୍ୟ ଅସତ୍ୟ କଥାକୁ ସୁନ୍ଦରଭାବରେ ପରିବେଷଣ କରିଯାଇଥାନ୍ତି । ହଠାତ୍‌ ଜୀବନ ମୋତେ ବାଧ୍ୟ କଲା ତାଙ୍କ ବିଷୟରେ କିଛି କହିବାକୁ । ଇଚ୍ଛା ଥିଲେ ମଧ୍ୟ ଏଡ଼େ ବଡ଼ ସଭାରେ ମୁଁ କାଳେ ଠିକ୍‌ଭାବେ କହି ନ ପାରିବି ଏଥି ସକାଶେ ଟିକିଏ ଥତମତ ହେଉଥାଏ । ଯାହାହେଉ ଶେଷରେ ଉଠିଲି କହିବାକୁ ।

 

ମୁଁ କହିଲି ମୋ ପୂର୍ବରୁ ବଡ଼ ବଡ଼ ପଣ୍ଡିତମାନେ ବୁଦ୍ଧଙ୍କ ବିଷୟରେ ବହୁତ କଥା କହିଗଲେଣି, ମାତ୍ର ମୋର ମନେହୁଏ ବୁଦ୍ଧଙ୍କ ବିଷୟରେ ପ୍ରକୃତ ବିଷୟକୁ କେହି ପରିବେଷଣ କରିବାକୁ ଉଚିତ୍‌ ମନେକରୁ ନାହାନ୍ତି । ଏହି ଦେଖନ୍ତୁ ଜାତକ ‘ଦନ୍ତକଥା’ରେ ଲେଖା ଅଛି ରାଜା ଶୁଦ୍ଧୋଦନଙ୍କ କୃଷି ମହୋତ୍ସବ ସମୟରେ ଶିଶୁ ଗୌତମଙ୍କୁ ସେ ସ୍ଥାନକୁ ନିଆଯାଇଥିଲା । ତାଙ୍କର ଗୋଟିଏ ଧାଈମା, ତାଙ୍କ ଗୋଟିଏ ଜାମୁକୋଳି-ଗଛମୂଳେ ଶୁଆଇ ଦେଇ ହଳମଙ୍ଗଳ ବା ସେତେବେଳର ଭାଷାରେ ବପ୍‌ଗ ମଙ୍ଗଳ ଉତ୍ସବ ଦେଖିବାକୁ ଚାଲିଗଲେ । ଏହି ସମୟରେ ଗୌତମ ନିଦରୁ ଉଠି ସ୍ୱସ୍ତିକାସନରେ ଧ୍ୟାନମଗ୍ନ ହୋଇ ବସିଥିଲେ । କିଛିସମୟ ପରେ ଧାଈମା’ଙ୍କ ସହିତ ସମସ୍ତ ଧାଈ ଆସି ଦେଖିଲେ ପ୍ରତ୍ୟେକ ଗଛର ଛାଇ ଦୂରକୁ ଚାଲି ଯାଇଥିଲେ ମଧ୍ୟ ସେ ଜାମୁଗଛର ଛାଇ ଠିକ୍‌ ସେହିଭଳି ଗୌତମଙ୍କୁ ଛାଇ କରି ରହିଛି । ଏହି ଅଦ୍ଭୁତ ଘଟଣା ଦେଖି ନିଜେ ପିତା ଶୁଦ୍ଧୋଦନ ଗୌତମଙ୍କୁ ନମସ୍କାର କଲେ ।

 

ମଜ୍‌ଝି ମନିକାୟର ମହାସଚ୍ଚକସୁତ୍ତରେ ଭଗବାନ ବୁଦ୍ଧ ସଚ୍ଚକଙ୍କୁ କହିଛନ୍ତି—ମୋର ମନେପଡ଼ୁଛି, ମୋ ପିତାଙ୍କ ଶସ୍ୟକ୍ଷେତ୍ରମାନଙ୍କୁ ମୁଁ ଯେତେବେଳେ ଯାଉଥିଲି, ସେତେବେଳେ ମୁଁ ବୃକ୍ଷର ଶୀତଳ ଛାୟାର ବସି ଅବୈଧ ବିଚାରମାନଙ୍କରୁ ମୁକ୍ତ ହୋଇ, ଉତ୍ତମ ବିଚାର ପ୍ରତିଷ୍ଠିତ ସୁଖ ଓ ପ୍ରୀତି ସମ୍ପାଦନ ସମ୍ପର୍କରେ ଧ୍ୟାନମଗ୍ନ ହେଉଥିଲି । କେବଳ ଏତିକି କାହିଁକି ଜାତକ ଅଟ୍‌ଠ କଥା, ଲଳିତ ବିସ୍ତର ଓ ବୁଦ୍ଧ ଚରିତର ପ୍ରଣେତାମାନେ ମଧ୍ୟ ଏ ବିଷୟରେ ପ୍ରମାଣ କରିଯାଇଛନ୍ତି । ତେଣୁ ମହାଜ୍ଞାନୀ ଗୌତମ ବୁଦ୍ଧ ଜଣେ ଚାଷୀର ପୁଅ ଥିଲେ ଏବଂ ସେ ପ୍ରାୟ ତାଙ୍କ ପିତାଙ୍କ ଚାଷ ଜମିମାନଙ୍କୁ ଯାଉଥିଲେ । ମୋ ପୂର୍ବବର୍ତ୍ତୀ ବକ୍ତାମାନେ କହିଛନ୍ତି ଯେ ବୁଦ୍ଧଦେବ କାଳେ ସନ୍ନ୍ୟାସୀ ହୋଇଯିବେ ବୋଲି ତାଙ୍କୁ ବାହାରକୁ ଛଡ଼ାଯାଉ ନ ଥିଲା । ଯେଉଁ କେତୋଟି ଥର ସେ ବାହାରକୁ ଯାଇଛନ୍ତି ସେଇଥରମାନଙ୍କରେ ରୋଗୀ, ଶବ, ବୃଦ୍ଧ, ସନ୍ନ୍ୟାସୀମାନଙ୍କୁ ଦେଖି ତାଙ୍କ ରଥର ସାରଥି ଛନ୍ଦକକୁ ପଚାରି ବୁଝିଛନ୍ତି, ପ୍ରତ୍ୟେକେ ମଧ୍ୟ ଦିନେ ଏହିପରି ହେବେ । ତେଣୁ ସଂସାର ପ୍ରତି ତାଙ୍କର ବୈରାଗ୍ୟ ଆସିଥିଲା । ଏହା ସତ୍ୟ ନୁହେଁ । ଯଦି ଏହା ଉପରେ ଅଧିକ ସତ୍ୟ କେହି ଉପସ୍ଥାପିତ କରିବାକୁ ଚାହୁଥାନ୍ତି ତେବେ ମୁଁ ତାଙ୍କୁ ସାଦର ଅଭ୍ୟର୍ଥନା ଜଣାଉଛି । ମୋର ଭ୍ରମକୁ ସେମାନେ ଖଣ୍ଡନ କରି ମୋତେ ଉଚିତ୍‌ ପଥ ଦେଖାଇ ପାରନ୍ତି ।

 

ମୋର ଏହିପରି ଅନେକ ସତ୍ୟପୂର୍ଣ୍ଣ ଭାଷଣ ସୁଧୀ ଲୋକଙ୍କୁ ଚମତ୍କୃତ କରିଥିଲା । ମୁଁ ଉଦାହରଣମାନ ଦେଇ ଏହାର ଅଧିକ ସତ୍ୟତା ପ୍ରମାଣ ପାଇଁ ଆହ୍ୱାନ କରୁଥିବାବେଳେ କରତାଳି ଶବ୍ଦରେ ସ୍ଥାନଟି ଫାଟି ପଡ଼ୁଥିଲା । ଶେଷରେ ଯେତେବେଳେ ସଭାପତି ଶ୍ରମଣ ମହାପ୍ରାଜ୍ଞ ମୋତେ ତାଙ୍କ ନିକଟକୁ ନିମନ୍ତ୍ରଣ କରି ମୋ ଯୁକ୍ତିକୁ ସମର୍ଥନ କଲେ ସେତେବେଳେ ବହୁ ଆନନ୍ଦ ଧ୍ୱନିରେ ସଭାଟି ମୁଖରୀତ ହୋଇ ଉଠିଲା । ଅବଶେଷରେ ସନ୍ନ୍ୟାସୀଙ୍କ ନିର୍ଦ୍ଦେଶମତେ ମୋତେ ସମ୍ମାନାର୍ହ କରିବାକୁ ଉଦ୍ୟୋକ୍ତା ଅସିତ ଘୋଷଙ୍କ ଭଉଣୀ, ମୋର ସହପାଠିନୀ ପୂରବୀ ଘୋଷ ମୋତେ ଅର୍ପଣ କରିଥିଲେ ଗୋଟିଏ ସୁଗନ୍ଧ ପୁଷ୍ପହାର । ତାହା ଏପରି ନାଟକୀୟ ଛଟାରେ ହୋଇଥିଲା ଯେ ସେଥିପାଇଁ ମୋତେ ବି ବଦନାମ ହେବାକୁ ପଡ଼ିଲା । କେହି କେହି କହିଲେ ତାହା ତ ବୁଦ୍ଧଙ୍କ ଆଲୋଚନା ସଭା ହୋଇ ନ ଥିଲା, ହୋଇଥିଲା ପୂରବୀ ଘୋଷଙ୍କ ସ୍ୱୟମ୍ବର ସଭା । ବଙ୍ଗଳା ଖବରକାଗଜରେ ମଧ୍ୟ ଠିକ୍‌ ଯେତେବେଳେ ପୂରବୀ ଘୋଷ ମୋତେ ମାଲ୍ୟର୍ପଣ କରୁଛନ୍ତି, ସେତିକି ବେଳର ଫଟୋ ବାହାରିଲା, ଯେଉଁ ଫଟୋକୁ ଦେଖି ଲୋକେ କହୁଥିଲେ ସନ୍ନ୍ୟାସୀ ମହାପ୍ରାଜ୍ଞ ପୁରୋହିତ ହୋଇ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ଏବଂ ପୂରବୀ ଦେବୀ ବରଣମାଳା ଦେଉଛନ୍ତି । ଏହି କଥା କଲେଜରେ କେତେଦିନ ଏପରି ଆଲୋଚିତ ହେଲା ଯେ ମୋତେ ଲାଜ ଲାଗିଲା କଲେଜ ଯିବାକୁ ।

 

ପୂରବୀ ଘୋଷ, କିନ୍ତୁ ବଡ଼ ଟାଣୁଆ ଝିଅ । ଯେତିକି ତାଙ୍କ ନାମରେ ଅପପ୍ରଚାର ହେବାପାଇଁ ଗଲା ସେ ସେତିକି ମୋ ସହିତ ସମ୍ପର୍କ ରଖୁଛନ୍ତି ବୋଲି ବାହାରକୁ ଦେଖାଇଲେ । କଲେଜରେ ପ୍ରଥମେ ଦେଖାହେଲା ମାତ୍ରେ ହସି ହସି ନମସ୍କାର କରିବା, କିଛି କାମ ନ ଥିଲେ ମଧ୍ୟ ଆଡ଼ୁ ସାଡ଼ୁ ଦି’ପଦ କଥାବାର୍ତ୍ତା କରିବା ଆଦି କରି ବେପରବାୟ ଭାବରେ ଚାଲିବା; ଅନ୍ୟମାନଙ୍କ କଥା ଛାଡ଼ ମୁଁ ନିଜେ ବି ତାଙ୍କ ବ୍ୟବହାରରେ ବିସ୍ମିତ ହେଲି । ଦିନେ କଲେଜ ବାହାରେ ମୁଁ ତାଙ୍କୁ ଏକୁଟିଆ ଦେଖି ପାଖକୁ ଡାକି ପଚାରିଲି ମୋ ନାମରେ ଏ ସବୁ ଯେଉଁ ବଦନାମ ଶୁଣାଯାଉଛି ତାହା ତୁମେ କ’ଣ ଶୁଣିନାହିଁ ? ତା’ ଉତ୍ତରରେ ସେ କହିଲେ, ଆପଣ କ’ଣ ଭାବୁଛନ୍ତି ? ମୁଁ ନିରୁତ୍ତର ହେବା ଦେଖି ସେ କହିଲେ ସେଥିପାଇଁ ତ ସମସ୍ତଙ୍କ ଉପସ୍ଥିତିରେ ମୁଁ ଆପଣଙ୍କ ସହିତ ଏତେ ମିଳାମିଶା କରୁଛି । ଏହିପରି ଦିନାକେତେ ହେଲେ ନିନ୍ଦୁକମାନେ ଆପେ ଆପେ ତୁନି ପଡ଼ିଯିବେ ନାହିଁ ? କାହାରି ନିନ୍ଦା ପ୍ରଶଂସାକୁ ଲକ୍ଷ୍ୟ କଲେ କ’ଣ ମଣିଷ ଆଗକୁ ଆଗେଇପାରେ ? ସେଥିପାଇଁ ଆମକୁ ଦୃଢ଼ ହେବାକୁ ପଡ଼ିବ ।

 

ଧୂପ ମଧ୍ୟ ଦିନେ ସେହି ଖବରକାଗଜଟିକୁ ମୋ ଆଗରେ ଦେଖାଇ ପ୍ରଶ୍ନ କରିଥିଲା । ମୁଁ ତାକୁ ଅତି ସରଳଭାବେ କହିଥିଲି ବୁଦ୍ଧଙ୍କ ବିଷୟରେ ନୂତନ ତଥ୍ୟ ପରିବେଷଣ କରିଥିବାରୁ ବୌଦ୍ଧ ସଂସ୍ଥା ପକ୍ଷରୁ ଅସିତ୍‌ ଘୋଷଙ୍କ ଭଉଣୀ ପୂରବୀ ଘୋଷ ସନ୍ନ୍ୟାସୀ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ମୋତେ ସମ୍ମାନିତ କରୁଛନ୍ତି । ଏଥିରେ ଭାବିବାର କିଛି ନାହିଁ, କି ସନ୍ଦେହ କରିବାର କିଛି ନାହିଁ । ଧୂପ ମୋ ଆଗରେ ତା’ର ସନ୍ଦେହ ଦୂର ହେଲା ବୋଲି ମାନିଗଲେ ମଧ୍ୟ ତା’ ଭିତରେ ଟିକିଏ ଦ୍ୱିଧା ରହିଲା ବୋଲି ଅନୁମାନ କଲି ।

 

ଧୂପକୁ ମୁଁ ଭଲ ପାଏ । ଏତେ ଭଲ ପାଏ ଯେ ତା’ର ତୁଳନା ଦେବା କଷ୍ଟକର । ସେଥିପାଇଁ ତା’ ମନରେ କୌଣସି ଦ୍ୱିଧା ଆସିଲେ ମୋ ମନରେ କଷ୍ଟ ହେଉଥିଲା । ସେ ଅନେକ ଥର ମୋ ଆଗରେ ପ୍ରସ୍ତାବ ବାଢ଼ିଛି ଚାଲ ବାହାରକୁ କେଉଁଆଡ଼େ ଚାଲିଯିବା । ଯେଉଁଠିକ ଆମକୁ କେହି ସନ୍ଦେହ କରିବାର ଅବକାଶ ନ ଥିବ । ହେଉ ପଛେ ଅରଣ୍ୟବାସ, ଇଭ୍‌ ଆଦାମ୍‌ ଭଳି ଆମେ ରହିବା ଘର କରି । ଭଲ ପାଇବାର ଉତ୍ତେଜନାରେ ମୁ ହଁ କରିଦିଏ, କିନ୍ତୁ ଯାଇ ପାରେ ନାହିଁ । ସେ ପଚାରେ କେବେ ଯିବା ? ମୁଁ କହେ ସୁବିଧା ହେଲେ ମୁଁ କହିବି । ଏହି ମିଥ୍ୟାର ଅବତାରଣାରେ ତାକୁ କିଛିଦିନ ଭୁଲାଇ ରଖେ । ସବୁ ଦିନ ପରି ଧୂପ ପ୍ରଶ୍ନ କରେ ତା’ ସାରା ଦେହକୁ ମୋ ଦେହରେ ଜଡ଼ାଇ ଦେଇ । ପ୍ରଥମେ ପ୍ରଥମେ ଯେପରି ମୁଁ ଗୋଟାଏ ଅସହ୍ୟ ଯନ୍ତ୍ରଣା ହୃଦୟ ଭିତରେ ଅନୁଭବ କରୁଥିଲି । ପରେ ଦେହସୁହା ହୋଇଗଲା । ଆଉ ମୋତେ ବିଚଳିତ ନ କଲେ ମଧ୍ୟ ଆନନ୍ଦ ଦିଏ; କିନ୍ତୁ ମନରେ ଭୟ ଥାଏ । ସୁଶାନ୍ତକୁ; ସୁଶାନ୍ତଭଳି ତୋଳିବାରେ ଏହା ଗୋଟାଏ ବିରାଟ ବାଧା । ଲୋକ ଲୋଚନ ଅନ୍ତରାଳରେ ଯାହା କିଛି ହେଉନା କାହିଁକି ବାହାର ଜଗତରେ ମୁଁ ଯେପରି କାହାରି ସନ୍ଦେହ ଭିତରକୁ ନ ଆସେ ।

 

ଦରିଦ୍ର ଦୁଷ୍ମନ୍ତ ବିରାଟ ଧନିକ ଯେତେବେଳେ ହେବାକୁ ଯାଉଛି ସେତେବେଳେ ଧନର ମାୟା ପରିତ୍ୟାଗ କରୁଛି କିପରି ? ଗୋଟିଏ ପକ୍ଷରେ କାମିନୀ ଅନ୍ୟ ପକ୍ଷରେ କାଞ୍ଚନ ବାସ୍ତବିକ୍‌ ମୋତେ ମହାଚିନ୍ତାରେ ପକାଇଲେ । ଏତେ ପ୍ରାଚୁର୍ଯ୍ୟ ଛାଡ଼ି ଚାଲିଯିବା ମୋ ପକ୍ଷରେ ସମ୍ଭବ ହେଲା ନାହିଁ । ଠିକ୍‌ ସେହିଭଳି ଧୂପକୁ ଅନ୍ୟ ହାତରେ ସମର୍ପି ଦେବାଭଳି ମନୋବୃତ୍ତି ମୋର ଆସିଲା ନାହିଁ-। ଏହି ଦ୍ୱିଧାରେ ପଡ଼ି ମୁଁ କିଛି ଠିକ୍‌ କରି ପାରିଲି ନାହିଁ । ଧୂପକୁ ମୁଁ ଧୋକା ଦେଉଛି ଏହି ଅପରାଧପାଇଁ ନିଜେ ନିଜକୁ ସର୍ବଦା ଦୋଷୀ ବୋଲି ଭାବୁଥାଏ ଯାହା ।

 

ସେ ଦିନ ଜୀବନ ସହିତ ଏଣୁ ତେଣୁ ଅନେକ କଥାବାର୍ତ୍ତା ପରେ ହଠାତ୍‌ ସେ କହିଲା, ଆରେ ଧୂପଟା ଏଡ଼େ ଉଚ୍ଛୃଙ୍ଖଳ କେବେ ହେଲା ? ମୁଁ ପ୍ରଥମେ ବୁଝି ପାରିଲି ନାହିଁ ତା’ କଥା । ସେ ଆଉ ଟିକିଏ ସରଳ କରି କହିଲା—ସେ ୟା ସାଙ୍ଗରେ ତା’ ସଙ୍ଗରେ ବୁଲିବାଟାକୁ ତୁମେ କଣ ସବୁ ପସନ୍ଦ କର ? ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି, ୟା ସାଙ୍ଗରେ ତା ସାଙ୍ଗରେ ମାନେ ? ତାହାହେଲେ କିଛି ଜାଣ ନାହିଁ ? ମୁଁ ମୁଣ୍ଡ ହଲାଇ ନାହିଁ କଲି । ସେ ଆରମ୍ଭ କଲା ତା’ର ଗପ । କହିଲା ତୁ ଯାହା କହ ସୁଶାନ୍ତ ମୋର ସନ୍ଦେହ ଥିଲା ତା ପ୍ରତି । ଧୂପ ସହିତ ତୋର ମିଳାମିଶାକୁ ମୁଁ ସନ୍ଦେହ ଚକ୍ଷୁରେ ଦେଖୁଥିଲି; କିନ୍ତୁ ଏବେ ଏପରି ଅକାଟ୍ୟ ପ୍ରମାଣ ମୁଁ ପାଇ ସାରିଛି ଯଦ୍ଦ୍ୱାରା ମୁଁ ପରିଷ୍କାରଭାବେ କହିବି ଧୂପଟା ନଷ୍ଟ ହୋଇଗଲା । କେଉଁ ପ୍ରାଚୁର୍ଯ୍ୟ ସରସ୍ୱତୀ ବାବୁଙ୍କର ନାହିଁ ଯେ ସେ ଯାହା ସାଙ୍ଗରେ ମାନେ ତା’ ସାଙ୍ଗରେ ବୁଲାବୁଲିଠାରୁ ଆରମ୍ଭ କରି ନିଜକୁ ତାଙ୍କ ପାଖରେ ଅତି ସପ୍ତାଭାବେ ଅଜାଡ଼ି ଦେବା ପର୍ଯ୍ୟନ୍ତ.....ଛି ଛି ମୁଁ ଆଉ କହି ପାରିବି ନାହିଁ । ତୋ ଭଉଣୀ ମୋ ଭଉଣୀ ଭିତରେ ତଫାତ୍‌ କ’ଣ ? ତୁ ଯାହା କହ ପଛକେ ସୁଶାନ୍ତ ମୋତେ ବଡ଼ କଷ୍ଟ ହେଉଛି ଏ ସବୁଗୁଡ଼ାକ ଶୁଣି ଦେଖି । ସମସ୍ତଙ୍କଠାରୁ ଭଲ ତା’ର ବିବାହ କରିଦେବା ।

 

କାହା ସହିତ ସେ ସମ୍ପର୍କ ରଖିଛି ବୋଲି ତୁ ସନ୍ଦେହ କରୁଛୁ ?

 

ମୁଁ କହିଲି ।

 

ସନ୍ଦେହ ନୁହେଁ ନିଜ ଆଗରେ ଦେଖିଛି ସୁଶୀଲ ଅଗରଓ୍ୟାଲା ସହିତ ହସି ହସି ତା’ ଉପରେ ଲୋଟି ପଡ଼ୁଥାଏ । ସତ୍ୟବ୍ରତ ବାନାର୍ଜୀଙ୍କ ସହିତ ଅନେକ ଥର ଯିବାର ଦେଖିଛି ।

 

ଜୀବନ ତା’ ନିଜ ଆଖିରେ ଦେଖିଛି ବୋଲି ଯେତେବେଳେ କହୁଛି ସେତେବେଳେ ମୋର ଅବିଶ୍ୱାସ କରିବାର କିଛି ନାହିଁ । ସେହି ମୁହୂର୍ତ୍ତରେ ମୁଁ ଫେରି ଆସିଲି ଘରକୁ । ଜୀବନର କଥା କେଇପଦ ମୋ ଭିତରେ ଗୋଟାଏ ବିରାଟ ଆଲୋଡ଼ନ ସୃଷ୍ଟି କଲା । କ’ଣ କରାଯାଇ ପାରେ ବା କ’ଣ କରାଯିବା ଉଚିତ ନୁହେଁ ତାହା କ’ଣ କରାଯାଇ ପାରେ ବା କ’ଣ କରାଯିବା ଉଚିତ ନୁହେଁ ତାହା ମୁଁ ଠିକ୍‌ କରିବାର ବହୁତ୍‌ ଦୂରରେ ଥାଏ ।

 

ନାରୀ ପୁରୁଷ ମନରେ ପ୍ରେରଣା ଭରି ଦିଏ । ନାରୀ ବିନା ପୁରୁଷ କେବେ ଅଗ୍ରଗତି କରି ପାରେନା । ନାରୀର ବିନା ସାହାଯ୍ୟରେ ପୁରୁଷଜୀବନ ବ୍ୟର୍ଥ ହୋଇଯାଏ । ସେଥିପାଇଁ କେଉଁ ଆଦିମ ଅମଳରୁ ଯେତେ ଅସଭ୍ୟ ହେଲେ ମଧ୍ୟ ଶିବଲିଙ୍ଗ ପୂଜା ହୋଇ ଆସୁଅଛି । ଜୀବନର ଏଇ ଯୁକ୍ତି ସେ ଦିନ ମୋର ମନେ ପଡ଼ିଲା । ସେ ନାରୀ କିଏ ? ଯାହା ସଂସ୍ପର୍ଶରେ ପୁରୁଷ ପୁରୁଷ ହୋଇ ଉଠିବ ? ସେ ନାରୀ କ’ଣ ଧୂପ ? ଟିକକପାଇଁ ମୁଣ୍ଡଟା ମୋର ବୁଲାଇ ଦେଲା, ଚିତ୍‌ ହୋଇ ଶୋଇ ପଡ଼ିଲି ମୋ ଖଟଟି ଉପରେ ।

 

କ୍ଷଣକ ପରେ ଉଠି ବସିଲି, ର‍୍ୟାକ୍‍ରୁ ଗୀତାଟି ବାହାର କରି କେତୋଟି ଶ୍ଳୋକ ଉପରେ ଆଖି ବୁଲାଇ ଆଣିଲି । ମହାଭାରତର ଶ୍ରେଷ୍ଠବୀର ଅର୍ଜ୍ଜୁନ ଜ୍ଞାନ୍ତି ଗୁରୁଜନଙ୍କୁ ଯୁଦ୍ଧ ସ୍ଥଳରେ ଦେଖି ଅସ୍ତ୍ରତ୍ୟାଗ କରି ବସିଛି । ଭଗବାନ୍ କୃଷ୍ଣ କହୁଛନ୍ତି ହେ ଅର୍ଜ୍ଜୁନ ! ତୁମେ କାତର ହୁଅ ନାହିଁ, ତୁମଭଳି ବିଶିଷ୍ଟ ବ୍ୟକ୍ତି ପକ୍ଷରେ ଏହା ଉଚିତ ହେଉ ନାହିଁ । ତୁଚ୍ଛ ହୃଦୟର ଦୁର୍ବଳତାକୁ ପରିତ୍ୟାଗ କରି ଶତ୍ରୁ ଦମନ କରିବା ବାସନାରେ ଜାଗିଉଠ । କୃଷ୍ଣଙ୍କ ଉକ୍ତିର ଜବାବ ଦେଇ ଅର୍ଜ୍ଜୁନ କହିଛି, ମଁ କାତର ହୋଇ ଯୁଦ୍ଧ କରିବାକୁ ଇଚ୍ଛା କରୁ ନାହିଁ । ଭୀଷ୍ମ ମୋର ପିତାମହ, ଦ୍ରୋଣ ମୋର ଗୁରୁ । ଏହିପରି ମହାନ୍‌ ବ୍ୟକ୍ତିଙ୍କୁ ଦେଖିବାମାତ୍ରେ ପୂଜା କରିବା ଉଚିତ୍‌ । ମୁଁ ଯଦି ନିଜକୁ ଆର୍ଯ୍ୟ ବୋଲି ପ୍ରତିପାଦିତ କରିବାକୁ ଯାଉଛି ତେବେ ଏପରି ମହାନ୍‌ ବ୍ୟକ୍ତିଙ୍କ ସହିତ ଏହି ଟିକିଏ ସାମାନ୍ୟ କାରଣପାଇଁ ଯୁଦ୍ଧ କରିବା କ’ଣ ଉଚିତ ହେବ ? ଏହା କରିବାଦ୍ୱାରା ମୋର ଅଧଃପତନ ହେବ । ପୂର୍ବ ବଂଶଧରମାନେ ଏ ଅଧଃପତନରେ ଲୋତକ ବର୍ଷଣ କରିବେ । ପର ବଂଶଧରମାନେ ମଧ୍ୟ ମୋତେ ଅନୁକରଣ କରି ସତ୍‌ମାର୍ଗ ଭୁଲି ଅସତ୍‌ ମାର୍ଗରେ ଗତି କରିବେ । ହେ ଶତ୍ରୁଧ୍ୱଂସକାରି ମଧୁସୂଦନ ! ଉଦାରଚିତ୍ତ ଗୁରୁଜନମାନଙ୍କୁ ବଧ କରିବା ଅପେକ୍ଷା ସଂସାରରେ ଭିକ୍ଷାର୍ଥୀ ହୋଇ ଚଳିବା ସହସ୍ର ଗୁଣେ ଭଲ ।

 

ଗୀତାର ପବିତ୍ର ଉକ୍ତିକୁ ହୃଦୟଙ୍ଗମ କରିବାରେ ମନର ବିଷାଦ ଧୀରେ ଧୀରେ ଦୂରେଇଗଲା । ମନଭିତରେ ଗୋଟାଏ ମହୀନୀୟତା ଉପଲବ୍‌ଧି କଲି । ଭୁଲିଗଲି ଧୂପକୁ, ଭୁଲିଗଲି ତା’ର ଭଲ ପାଇବାକୁ । ମୋର ମନେ ହେଲା ମୁଁ ସ୍ୱତନ୍ତ୍ର ଲୋକ, କାହାରି ସହିତ ମୋର କୌଣସି ସମ୍ପର୍କ ନାହିଁ କିମ୍ବା ନ ଥିଲା ।

 

ହଠାତ୍‌ ପଛ ପଟରୁ କାହାର ପରଶ ଅନୁଭବ କଲି, ଫେରି ଚାହିଁଲି ପଛକୁ । ଦେଖିଲି ଧୂପ ମୋ ପଛ ପଟରେ ଠିଆ ହୋଇ ମୁରୁକି ହସା ଦେଉଛି । ତା’ର ସେହି ମନ ଚହଲା ହସ ମୋତେ ପୁଣି ଟାଣି ନେଲା ତା’ରି ଆଡ଼କୁ । ଜୀବନର କଥାକୁ ବିଶ୍ୱାସ କରି ପାରିଲି ନାହିଁ । ମନେହେଲା ଜୀବନ ଭୁଲ୍‍ ଦେଖିଛି । ମୁଁ ଯେତେଥର ଧୂପକୁ ଲକ୍ଷ୍ୟ କରିଛି ସେତେ ତା’ର ସରଳତା ମୋତେ ମନ୍ତ୍ର ମୁଗ୍‌ଧ କରିଛି । ଦିନେ ବି ତା’ର କୁଟିଳତା କେବେ ଦେଖିବାକୁ ପାଇନି। ସମୟେ ସମୟେ ସେ ଅଭିମାନ କରେ ମୋ ଉପରେ । ସେ ଅଭିମାନରେ କୃତ୍ରିମତା ନ ଥାଏ । ମୁଁ କିନ୍ତୁ ଅଯଥା ଯାହା ସନ୍ଦେହ କରେ ।

 

ଏ ଦୁନିଆରେ ଯୋଡ଼ିଏ ରାସ୍ତା ଅଛି । ଗୋଟିଏ ବଙ୍କା ଆରଟି ସିଧା । ଉଭୟ ରାସ୍ତାରେ ସମସ୍ତଙ୍କୁ କିଛି କିଛି ଦିନ ଚାଲିବାକୁ ପଡ଼େ । କେଉଁଟା ଠିକ୍‌ କେଉଁଟା ଭୁଲ୍‌ ତାହା କହିବା ବଡ଼ ଦୁଷ୍କର । ବଙ୍କା ରାସ୍ତାରେ ଅଳ୍ପ କେତୋଟି ମାଇଲି ଚାଲିଲା ପରେ ପଡ଼େ । କେଉଁଟା ଠିକ୍‌ କେଉଁଟା ଭୁଲ୍‌ ତାହା କହିବା ବଡ଼ ଦୁଷ୍କର । ବଙ୍କା ରାସ୍ତାରେ ଅଳ୍ପ କେତୋଟି ମାଇଲିଚାଲିଲା ପରେ ମଣିଷ ଅତିଷ୍ଠ ହୋଇ ପଡ଼େ । କାହାର ବା ଅଭ୍ୟାସରେ ପଡ଼ିଥାଏ ଯାହାକି ଜୀବନସାରା ବଙ୍କା ରାସ୍ତାରେ ଧାଇଁ ଧାଇଁ ଅଣନିଶ୍ୱାସୀ ହୋଇପଡ଼େ । ସମ୍ରାଟ ଆଉରେଙ୍ଗଜେବ୍‌ଙ୍କ ଭଳି ଶେଷ ମୁହୂର୍ତ୍ତରେ କହିଯାଏ ଧର୍ମର ଦ୍ୱାହିଦେଇ ମୁଁ ଯେଉଁ ଦୁଷ୍କର୍ମ ଏ ଜୀବନରେ କରି ଯାଇଛି ତା’ର ପ୍ରାୟଶ୍ଚିତ୍ତପାଇଁ ଇହଧାମ ପରିତ୍ୟାଗ କରୁଛି । ଜୀବନସାରା ବଙ୍କାରେ ଧାଇଁ ଧାଇଁ ଶେଷରେ ସେ ଜାଣିପାରେ ଯାହା କରିଗଲି ତାହା ଭୁଲ୍‌ । ବଙ୍କା କେବେ ସିଧା ହୋଇ ପାରେନା । ଯେ ବଙ୍କାରେ ଚାଲେ ସେ ଯଦି ବୁଝି ପାନ୍ତା ମୁଁ ବଙ୍କାରେ ଚାଲିଛି ବୋଲି ତେବେ ଅବା ସେ ସିଧା ରାସ୍ତା ଧରନ୍ତା । ଏହି କୁଟିଳ ବକ୍ରଗତିରୁ ମୁକ୍ତି ପାଇବା ପାଇଁ ଅସଂଖ୍ୟ ବ୍ୟକ୍ତି ହିମାଳୟ ପ୍ରଭୃତି ପର୍ବତକୋଟରେ ଏ ପର୍ଯ୍ୟନ୍ତ ମଧ୍ୟ ଧ୍ୟାନ ମଗ୍ନ । କେହି ଏହି କଥାକୁ ବିଶ୍ୱାସ କରିପାରେ, କେହି ବା ନାହିଁ; କିନ୍ତୁ ମୁଁ କହିବି ନିଶ୍ଚୟ । କେହି ଯଦି ଚାହେ ଦେଖିବାକୁ ତେବେ ସେମାନେ ସତ୍‌ ପୁରୁଷ ନ ହେଲେ ଦେଖି ପାରିବେ ନାହିଁ । ମୁଁ ଦେଖିଛି ସେମାନଙ୍କୁ, ଦେଖିଛି ତାଙ୍କର ଅଦ୍ଭୁତ ଶକ୍ତିକୁ । ଔଦ୍ଧତ୍ୟ ମଉଳି ନଇଁ ପଡ଼ିଛି ତାଙ୍କର ପଦତଳେ; କିନ୍ତୁ ତାଙ୍କ ସହିତ ରହିବାକୁ ସେ ଅନୁମତି ଦେଇ ନାହାନ୍ତି ।

 

ଆଜି ମୁଁ ଘୋଷଣା କରୁଛି ଭଲ ପାଇବା ଏକ ସ୍ୱର୍ଗୀୟ ସଂପଦ । ମୁଁ ଧୂପକୁ ଭଲ ପାଇଥିଲି । ଏତେ ଭଲ ପାଇଥିଲି ଯେ ତା’ ଭିତରେ ମୋ ଭିତରେ କିଛି ତଫାତ୍‌ ଥିଲାପରି କେବେ ଅନୁଭବ କରି ନାହିଁ । ମଣିଷକୁ ମଣିଷ ଭଲ ପାଇବା କେବେ ଦୁଷଣୀୟ ହୋଇପାରେ ନା; କିନ୍ତୁ ସେହି ଭଲ ପାଇବାରେ ଯଦି ଆବିଳତା ଆସିଲା କିମ୍ବା ବାସନା ଆସିଲା ତେବେ ଭଲ ପାଇବାର ପ୍ରକୃତ ବାସ୍ତବତା ରହିଲା କେଉଁଠି ? ମୋର ଯେତେ ଗର୍ବ ଯେତେ ଅହଂଭାବ ଥିଲେ ମଧ୍ୟ ମୁଁ ଯେତେବେଳେ ପ୍ରକୃତ ଭଲ ପାଉଥିଲି ଧୂପକୁ ସେତେବେଳେ ମୋର ସମସ୍ତ ଗର୍ବ ଅହଂଭାବ, ତା’ ପାଖରେ କେଉଁଆଡ଼େ ଲୀନ ହୋଇ ଯାଉଥିଲା । ମନେ ହେଉଥିଲା ଧୂପହିଁ ମୋର ସର୍ବସ୍ୱ । ତା’ରି ପାଖରେ ନିଜକୁ ସମର୍ପଣ କରି ଦେଉଥିଲି । ତା’ ଛଡ଼ା ମୋର ଅନ୍ୟ ପନ୍ଥା ନାହିଁ ଏ ଉକ୍ତିଟି ନିରାଟ ସତ୍ୟ ବୋଲି ଭଲଭାବେ ହୃଦୟଙ୍ଗମ କରିଥିଲେ । ଧୂପ ଓ ମୋ ଭିତରେ ଆବଦ୍ଧ ଥିବା ପ୍ରେମଠାରୁ ଐଶ୍ୱରୀୟ ପ୍ରେମକୌଣସି ଗୁଣେ ଶ୍ରେଷ୍ଠ କି ନୁହେଁ ତା’ ମୁଁ ଆଜି କହି ପାରୁ ନାହିଁ । ହୁଏତ ଉଭୟେ ସମାନ । ଅବଶ୍ୟ ଧୂପ ଓ ମୋ ଭିତରେ ଯେଉଁ ସମ୍ପର୍କ ଥିଲା ସେଥିରେ ଯୌନକ୍ରିୟା କିଛି ନ ଥିଲା; କିନ୍ତୁ ସ୍ତ୍ରୀ ପୁରୁଷ ସମ୍ପର୍କରେ ଯୌନକ୍ରିୟା ଜଡ଼ିତ ନାହିଁ ଏକଥା ସହଜରେ କେହି ବିଶ୍ୱାସ କରିବେ ନାହିଁ । ସେଥିପାଇଁ ରାଧାକୃଷ୍ଣଙ୍କ ଐଶ୍ୱରୀୟ ପ୍ରେମକୁ କେହି ବିଶ୍ୱାସ କରି ପାରନ୍ତି ନାହିଁ । ଯେ ବିଶ୍ୱାସ କରିଛି ସେ ଠିକ୍‌ ବାଟ ପାଇଛି । ଯେ ଅବିଶ୍ୱାସ କରିଛି ସେ ଘୂରି ବୁଲିଛି ଠିକ୍‌ ବିଶ୍ୱାସ କରିବା ପର୍ଯ୍ୟନ୍ତ । ଶକ୍ତି ଶିବ ଏକ । ଉଭୟେ ଉଭୟଙ୍କୁ ତ୍ୟାଗ କଲେ କାହାରି ସତ ରହେ ନାହିଁ । ସେହିପରି ପୁରୁଷ ସ୍ତ୍ରୀ । ଏ ଦୁହିଁଙ୍କ ଅନାବିଳ ସମ୍ପର୍କ ଅତି ଉଚ୍ଚରେ । ଏହାର ପ୍ରମାଣ ଆଗମ ଶାସ୍ତ୍ର-

 

ଧୂପର ଏକାନ୍ତ ପ୍ରେମକୁ ଠିକ୍‌ରୂପେ ବିଶ୍ୱାସ କରି ପାରିଲି ନାହିଁ । ପ୍ରେମରେ ଆବିଳତା ଦେଖାଦେଲେ ତା’ର ପରିଣତି ବଡ଼ ଭୟାବହ ହୁଏ । ମୋର ଏକାନ୍ତ ପ୍ରେମ ପାଖରେ ତା’ର ସମସ୍ତ ଭଲପାଇବା ଅତି ନ୍ୟୂନ ହୋଇ ପଡ଼ିଲା । ମୁଁ ଅନୁଭବ କଲି ସତେ ଯେପରି ସେ ଭଲ ପାଇବାରେ ଜୀବନ ନାହିଁ । କେବଳ ଅଭ୍ୟାସ ଯୋଗୁଁ ଏ କୃତ୍ରିମତା । ଧୂପ ପ୍ରତି, ଅବିଶ୍ୱାସ ମୋ ଭିତରେ ଧୀରେ ଧୀରେ ଏପରି ରୂପ ଧରିବାକୁ ଗଲା । ଯାହାକି ସରସ୍ୱତୀ ବାବୁଙ୍କ ଘରେ ରହିବା ବଡ଼ ଦୁର୍ବିସହ ହୋଇ ପଡ଼ିଲା, କିନ୍ତୁ ସେପରି କିଛି ନିର୍ଦ୍ଦିଷ୍ଟ ପ୍ରମାଣ ମୋ ଆଖି ଆଗରେ ଆସି ନାହିଁ, ଯାହା ଫଳରେ ତାକୁ ସିଧା ସଳଖ ଦେଇ ପାରିବି । ତା’ ଭଲ ପାଇବାରେ ଜୀବନ ନାହିଁ କିମ୍ବା ଆନ୍ତରିକତା ନାହିଁ ଏ କଥା ତାକୁ କହିଲା ମାତ୍ରେ ସେ ଉତ୍ତର ଦିଏ ମୁଁ ତ ଠିକ୍‌ ସେହିପରି ଅନୁଭବ କରୁଛି ତୁମେ ମୋତେ ଆଗଭଳି ଭଲ ପାଉ ନାହଁ । ମୋର ମନେ ହୁଏ ପୂରବୀର ପ୍ରେମ ତୁମକୁ ପାଗଳ କରି ଦେଇଛି ।

 

ତା’ର ଉତ୍ତରରେ ଚମକି ପଡ଼େ ମୁଁ । ପୂରବୀର ପ୍ରେମକୁ ଚେଷ୍ଟା କରେ ନିଜ ଭିତରେ ଆବିଷ୍କାର କରିବାକୁ ମାତ୍ର କୌଣସି ସନ୍ଧାନ ପାଏନି ତା’ ପ୍ରତି ମନ ମୋର ନଇଁ ପଡ଼ିବାର । ଆହୁରି ବିତୃଷ୍ଣା ଭରିଯାଏ ଧୂପ ପ୍ରତି । ବିସ୍ମୟରେ ଥରେ ଥରେ ଅନାଏଁ ତା’ ଆଡ଼କୁ । ଏହି ସେହି ଧୂପ ଥିଲା । କେଡ଼େ ସରଳ କେଡ଼େ ସୁଧାର; କିନ୍ତୁ ଏବେ କ’ଣ ହେଲା ତା’ର ? ନିଜର ଭୁଲ୍‌କୁ ସିଧା ମୋ ଉପରେ ଲଦି ଦେବାରେ ଟିକିଏ ହେଲେ ଦ୍ୱିଧାବୋଧ କରୁନି । ବେଳେ ବେଳେ ମନ ମୋର ଛଟପଟ ହୋଇ ଉଠେ । ସତେ ଯେପରି ମୋର ନିଶ୍ୱାସ ବନ୍ଦ ହୋଇ ଯାଉଛି । ସମୟ ଅବସ୍ଥା ପ୍ରତି ଧ୍ୟାନ ନ ଦେଇ ଧାଇଁଯାଏ ତା’ କୋଠରୀଭିତରକୁ । ନିଃସଂକୋଚେ ଟାଣିଆଣେ ତାକୁ ମୋ କୋଠରୀକୁ; ଭିଡ଼ି ଧରେ ଧୂପକୁ ମୁଁ ମୋର ସବଳ ବାହୁଭିତରେ । ଛୋଟ ପିଲାଙ୍କ ଭଳି ଅଳିକରେ ଧୂପ ତୁମେ ଫେରିଆସ ମୋ ଭିତରକୁ । ତୁମ ବ୍ୟତୀତ ମୁଁ ବଞ୍ଚିପାରିବି ନାହିଁ । ତୁମେ ହିଁ ମୋର ସର୍ବସ୍ୱ, ମାତ୍ର ସେ ଯେ ମୋଠାରୁ ଦୂରକୁ ଚାଲି ଯାଉଛି । ଏ କଥା ଭୁଲ୍‌ ରେ କେବେହେଲେ ସେ ପ୍ରକାଶ କରେନି ବରଂ ଦୋଷଟା ମୋ ଉପରେ ନଦି ଦିଏ ।

 

ଅବଶେଷରେ ଏ ଲୀଳାର ଅବସାନ ଦିନେ ଆସିଲା । ଆଉ ସେ ମାନସ ସରୋବରରେ ଜୀବ ପରମ କେଳି କରିବାକୁ ଚାହିଲେ ନାହିଁ । ଜୀବ ପରମର ଆତ୍ମୀୟତା ହଠାତ୍‌ ଛିଡ଼ିଗଲା । ବାଧ୍ୟହେଲା ଶୁଆ, ସାରିକୁ ଛାଡ଼ି ଉଡ଼ିଯିବାକୁ ଗହନ କାନନ ଭିତରକୁ ।

 

ସେ ଦିନ ମୁଁ ଏକୁଟିଆ କଲେଜଷ୍ଟ୍ରିଟରେ ଚାଲିଛି ହଠାତ୍‌ ଆଖି ପଡ଼ିଲା ଗୋଟିଏ ଘରୁ ଆଗେ ଆଗେ ଧୂପ ବାହାରି ଆସୁଛି ଓ ତା’ ପଛେ ପଛେ ଆଉ ଜଣେ ସୁଦର୍ଶନ ଯୁବକ । ବେଶ୍‌ ସୁନ୍ଦର ନୀଳ ରଙ୍ଗର ଶାଢ଼ିଖଣ୍ଡେ ଧୂପ ପିନ୍ଧିଥାଏ । ମୋର ମନେ ହୁଏ ସେହିଭଳି ଶାଢ଼ିଖଣ୍ଡେ ତା’ ଜନ୍ମଦିନ ମୁଁ ତାକୁ କିଣି ଦେଇଥିଲି । ପ୍ରଥମେ ମୁଁ ମୋ ଆଖିକୁ ଅବିଶ୍ୱାସ କଲି । ଚେଷ୍ଟା କଲି ଠିକ୍‍ ତା’ ପାଖକୁ ଚାଲିଯାଇ ତା’ ଆଡ଼କୁ ଦୃଷ୍ଟିପାତ୍‌ କରିବି । ମାତ୍ର ମୁହୂର୍ତ୍ତକ ଭିତରେ ସେମାନେ ଖଣ୍ଡେ କାର୍‌ରେ ବସି ଅଦୃଶ୍ୟ ହୋଇଗଲେ ମୋ ଆଖି ଆଗରୁ । ମୁଁ ଅବଶ୍ୟ ଖଣ୍ଡେ ଭଡ଼ା ଟାକ୍‌ସି ଧରି ଧାଇଁଲି ସେ ଗାଡ଼ିର ପଛେ ପଛେ ମାତ୍ର ଭେଟ ପାଇଲି ନାହିଁ ସେ ଗାଡ଼ିର । ବାଧ୍ୟହୋଇ ଫେରି ଆସିଲି । ଦେଖିଲି ଧୂପ ବସିଛି ମୋ କୋଠରୀରେ । ମୋର ବଡ଼ ଘୃଣା ହେଲା ତା’ ପ୍ରତି ସେତେବେଳେ ମୁଁ ତାକୁ କ’ଣ କହିଲି ସେ କ’ଣ ଉତ୍ତର ଦେଲା ତା’ ମୋର ଠିକ୍‌ ମନେ ନାହିଁ । କେବଳ ମନେ ଅଛି ସେ କହିଥିଲା ତୁମେ ଏଘରର କେହି ନୁହଁ । ଭାଇ ମୋର ମରିଛି । ତା’ର ପ୍ରମାଣ ମୁଁ ରଖି ସାରିଛି । ତା’ ଭଳି ତୁମେ ଦେଖା ଗଲେ ଯେ ଠିକ୍‌ ଭାଇ ହୋଇଯିବ ଏ କଥା ଭୁଲି ଯାଅ । ତୁମେ ଜଣେ ବାଟର ବାଟୋଇ ଆଶ୍ରା ନେଇଥିଲ କେଇଟାଦିନ । ଆଜି ତୁମେ ତୁମ ବାଟ ଧର । ମୋର ଉପଯୁକ୍ତ ତୁମେ ନୁହଁ । ଗୋଟାଏ କାଙ୍ଗାଳକୁ କୋଟିପତିର ଝିଅ କେବେ ଭଲ ପାଇ ପାରେନା । ବାବା, ମା’ ନାହାନ୍ତି । ଯାଇଛନ୍ତି ବାହାରକୁ । ଆସିଲେ ସିଧା ମୁଁ କହିଦେବି; ଗୋଟାଏ ବୁଲା କୁକୁର ତୁମ ଝିଅର ମାନ ଇଜତ୍‌ ସବୁ ନେବାକୁ ଝାମ୍ପ ଦେଇଛି, ଏହା କ’ଣ ତୁମର ଇଚ୍ଛା ?

 

ତା’ ପରେ ଗୋଟିଏ ମୁହୂର୍ତ୍ତ ବି ସେଠାରେ ରହିନି । ରହିବାର ଆବଶ୍ୟକତା ବି ଉଚିତ୍‌ ଥିଲାବୋଲି ଭାବି ନାହିଁ । ରାଗ, ଘୃଣା, ଅବିଶ୍ୱାସ ସବୁ ମୋ ଭିତରେ ପଶି ମୋତେ ଫେରାଇ ଆଣିଲା ସେ ଧବଳ ଅଟ୍ଟାଳିକାର ବହୁଦୂରକୁ । ଗୋଟିଏ ନିଃଶ୍ୱାସରେ ଧାଇଁ ଆସିଲି ପଦାକୁ । ଆଗରେ ଲୋକାରଣ୍ୟ ପ୍ରଶସ୍ତ ରାଜପଥ । ସବୁକୁ ପଛକୁ ପକାଇ ଧାଇଁ ଚାଲିଲି ଆଗକୁ । ମୁଁ କିଏ, କୁଆଡ଼େ ଆସିଥିଲି, କୁଆଡ଼େ ଯାଉଛି ଏ ଚିନ୍ତା ଥରକପାଇଁ ବି ମନ ଭିତରକୁ ଆସିନି । ବାଟୋଇ ଧାଇଁ ଚାଲିଲା ବାଟରେ । କାଳସ୍ରୋତର ବୁଦ୍‌ବୁଦ୍‌ ଭଳି ସେ ରହିଥିଲା ଗୋଟାଏ ବେଷ୍ଟନୀ ଭିତରେ କିଛି ଦିନ । ତା’ପରେ ସ୍ରୋତମୁଖରେ ସେ ଧାଇଁ ଚାଲିଲା । ହୁଏତ ସେ ଧାଇଁଛି ସୀମାହୀନ ଚିନ୍ତାହୀନ ପଥରେ ।

 

ଲକ୍ଷ୍ୟହୀନ ଜଳଧାର ସଙ୍ଗେ ଧାଇଁ ଚାଲିଲି । ମୋର କେହି ନାହିଁ, ମୁଁ ନିରାଶ୍ରୟ, ଆଶ୍ରୟ ମଧ୍ୟ ଆବଶ୍ୟକ ନାହିଁ । କେବଳ ଆବଶ୍ୟକତା ଆଗକୁ ଆଗେଇ ଯିବା । ସେ ଆଗ ଯେ କେତେଦୂର ତାହା ଭାବିବାର ଅବସର ପାଇନି । ଜୀବନ ପୋଥିରେ ଗୋଟିଏ ପୁଣି ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । କ’ଣ ଘଟଣା ଘଟିବ ତାହା କିଏ କହିବ ?

 

ଗୋଟିଏ ନିଶାରେ ଏପରି ଚାଲିଥାଏ ଯେ ସହର କେତେବେଳୁ ପାରି ହୋଇ ଗଲେଣି ତାହା ମୋତେ ମୋଟେ ଜଣା ନାହିଁ । କେବଳ ମୋ ଭିତରେ ଧୂପର କେଇଟି ପଦ କଥା ପ୍ରତିଧ୍ୱନିତ ହେଉଥାଏ । ଠିକ୍‌ ଦିନେ ଏହିଭଳି ମୁଁ ମୋର ଜନ୍ମିତ ଭିଟାମାଟି ଛାଡ଼ି ପଳାଇ ଆସିଥିଲି-। ଦୁର୍ଘଟଣା ତଳେ ଦୁଷ୍ମନ୍ତରୁ ସୁଶାନ୍ତ ହେଲି । ଆଜି ପୁଣି ସେ ସୁଶାନ୍ତର କୃତ୍ରିମ ରୂପକୁ ବିସର୍ଜନ ଦେବାକୁ ଧାଇଁ ଚାଲିଛି ଆଗକୁ । ଅନେକବାଟ ଯିବାପରେ ନିର୍ଜନ ରାସ୍ତା କଡ଼ରେ ଦଳେ ଲୋକଙ୍କୁ ଦେଖିଲି । ପଚାରି ବୁଝିଲି ସେମାନେ ଯାଉଛନ୍ତି ବ୍ରହ୍ମପୁତ୍ରର ପ୍ରବଳ ବନ୍ୟାରେ ବିପର୍ଯ୍ୟସ୍ତ ଆସାମ ଅଧିବାସୀଙ୍କୁ ସାହାଯ୍ୟ କରିବାକୁ । ମୁଁ ତାଙ୍କ ଭିତରେ ଜଣେ ହେବାକୁ ଚାହିଲି । ସେମାନେ ବା ଦ୍ୱିଧା କରନ୍ତେ କାହିଁକି ? ଯଥେଷ୍ଟ ସ୍ୱେଚ୍ଛାସେବକ ତାଙ୍କର ତ ଆବଶ୍ୟକ । ତେଣୁ ସେମାନଙ୍କ ସହିତ ମୁଁ ବି ଜଣେ ମିଶିଗଲି । ସମୟ ସ୍ରୋତରେ ମୁଁ ଜଣେ ନିରାଶ୍ରୟ ବିପନ୍ନ ଲୋକ ଟିକିକ ପୂର୍ବରୁ ଥିଲି । ଏଇ ଟିକିକ ଭିତରେ ସ୍ୱେଚ୍ଛାସେବକ ଭାବେ ଚାଲିଲି ଆଉ କେତେଜଣ ନିରାଶ୍ରୟ ବିପନ୍ନ ଲୋକଙ୍କୁ ବନ୍ୟା ସ୍ରୋତରୁ ଉଦ୍ଧାର କରିବାକୁ ।

 

ମୁଁ ତ କାହାରିକୁ ଚିହ୍ନି ପାରିଲି ନାହିଁ । ମୋତେ ମଧ୍ୟ କେହି ଜାଣନ୍ତି ନାହିଁ । ପଚାରି ବୁଝିଲି ପ୍ରତ୍ୟେକ ବିଭିନ୍ନ ସ୍ଥାନର । ଆସାମର ପ୍ରବଳ ବନ୍ୟାରେ ବିପର୍ଯ୍ୟସ୍ତ ଲୋକଙ୍କୁ ସାହାଯ୍ୟ ଦେବାକୁ ବେଙ୍ଗଲ ରିଲିଫ୍‌ ସୋସାଇଟ୍‌ ନାମରେ ଗୋଟିଏ ସଂଘ ନିବେଦନ କରିଥିଲା କେତେକ ସ୍ୱେଚ୍ଛାସେବକଙ୍କୁ । ଯେଉଁମାନେ ସ୍ୱଚ୍ଛା ସେବକରେ ଯିବାକୁ ରାଜି ହେଲେ ସେଇମାନଙ୍କୁ ଧରି କେତୋଟି ଟ୍ରକ ଚାଲିଲା ଆସାମକୁ । ମୁଁ ସେହିପରି ଏକ ଟ୍ରକରେ ବସି ଚାଲିଲି । ବନ୍ୟାଞ୍ଚଳରେ ପହଞ୍ଚିଲା ବେଳକୁ ଦିନ ପ୍ରାୟ ଆଠଟା ପାଖାପାଖି । ଆଗରୁ ଠିକ୍‌ ହୋଇଥିଲା କେଉଁଠି କ୍ୟାମ୍ପ ପଡ଼ିବ । ସେହି ଅନୁସାରେ ଟ୍ରକ୍‌ଗୁଡ଼ିକୁ ରଖି ଆମେ ବାହାରି ପଡ଼ିଲୁ ଆଗକୁ ।

 

ପ୍ରଥମେ ବନ୍ୟାସ୍ରୋତ ଦେଖି ବିସ୍ମିତ ହେଲି । ପ୍ରଳୟର ବାର୍ତ୍ତା ଧରି ବନ୍ୟାସ୍ରୋତ ଛୁଟି ଚାଲିଛି । ତା’ର ଉତ୍ତାଳ ତରଙ୍ଗ ତଳେ କ’ଣ ଥିଲା ତାହା ଜାଣିବା ମୋ ପକ୍ଷରେ ସମ୍ଭବ ବା ହେବ କିପରି । କେବଳ ମଝିରେ ମଝିରେ ଗୋଟାଏ ଗୋଟାଏ ବୃକ୍ଷର ଅଗ୍ରଭାଗ ସୂଚାଉଥାଏ ଜଳର ଗଭୀରତା ଆମ ସଂଘର ଦୁଇଟି ଦୂରବୀକ୍ଷଣ ଯନ୍ତ୍ର ଯାଇଥାଏ । ମୁଁ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ରରେ ବନ୍ୟାଞ୍ଚଳକୁ ଲକ୍ଷ୍ୟ କଲି । ବହୁ ଦୂରରେ ଗୋଟାଏ ଗୋଟାଏ ସ୍ଥାନରେ ଥୋଡ଼ାଏ ଥୋଡ଼ାଏ ଲୋକଙ୍କ ଭଳି ଦେଖା ଯାଉଥାନ୍ତି । ଯେଉଁ ଗଛଗୁଡ଼ିକର ଅଗ୍ରଭାଗ ଦେଖାଯାଉଥିଲା ସେଥିରେ ମଧ୍ୟ ଅନେକ ଲୋକ ଆଶ୍ରୟ ନେଇଥିବାର ଦେଖିଲି । ଅନ୍ୟମାନଙ୍କୁ ବି ତାହା ଦେଖାଇ ଦେଲି; କିନ୍ତୁ ସେମାନଙ୍କୁ ଉଦ୍ଧାର କରିବାର ଉପାୟ ନ ଥାଏ ଆମର । ଦୁଇଟି ଡଙ୍ଗା ଭଡ଼ାରେ ଠିକ୍‌ ହୋଇଥାଏ । ସ୍ରୋତ ମୁହଁରେ ଡଙ୍ଗାକୁ ଦୂରକୁ ନେବା ସମ୍ଭବପର ନୁହେଁ । ତଥାପି ସାହସ କରି ଗୋଟିଏ ଡଙ୍ଗା ଧରି ମୁଁ ଚାଲିଲି କେତେଙ୍କୁ ଉଦ୍ଧାର କରିବାକୁ । ମୋ ଆହ୍ୱାନରେ ଆମ ଦଳର କେତେକ ସ୍ୱେଚ୍ଛାସେବକ ମଧ୍ୟ ମୋ ଡଙ୍ଗା ଭିତରକୁ ଆସିଗଲେ ଲୋକଙ୍କୁ ଉଦ୍ଧାର କରିବାକୁ ଜୀବନର ମମତା ଭୁଲି ।

 

ମୋ ଡଙ୍ଗାଟିରେ ଯେଉଁ କେତୋଟି ନାଉରୀ ଥିଲେ ସେମାନେ ସ୍ରୋତମୁଖରେ ନୌକା ଚଳାଇବାରେ ବଡ଼ ପଟୁ । ସୁଅ କାଟି ନାଆଟି ଆମର ଚାଲିଲା ବିପୁଳ ଜଳରାଶି ମଧ୍ୟଦେଇ । ସବୁ ଦ୍ୱେଷ ସବୁ ଗ୍ଳାନି ଭୁଲି ମୁଁ ଚାଲିଛି ବିପନ୍ନ ନିରାଶ୍ରୟ ବନ୍ୟା ପ୍ରପୀଡ଼ିତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ । ମନରେ ଥାଏ ପ୍ରବଳ ଉତ୍ସାହ, ବିପୁଳ ଉଦ୍ଦୀପନା । କ’ଣ ଘଟିବ ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ମନରେ ସେଥିପ୍ରତି ଲେଶମାତ୍ର ଚିନ୍ତା ନାହିଁ । ମାନବର ପ୍ରକୃତ କଲ୍ୟାଣ ସାଧନରେ ବ୍ୟାପୃତ ରହିଲେ କାହିଁକି କିଏ କିଛି ଚିନ୍ତା କରିବ ?

 

ନାଉରୀମାନଙ୍କ ସହିତ ଆମେ ମଧ୍ୟ କେଲୁଆର ଧରି ଡଙ୍ଗାକୁ ବାହିନେଲୁ । ଗୋଟିଏ ଚୂଙ୍ଗା ଥାଏ ଆମ ସାଙ୍ଗରେ । ତା’ରି ସାହାଯ୍ୟରେ ବଡ଼ ପାଟିରେ ଆସାମୀ ଭାଷାରେ ଡାକ ଦେଲୁ ‘କିଏ କେଉଁଠି ରହିଛ ଜବାବ୍‌ ଦିଅ’ । ଆମ ବାର୍ତ୍ତା ଠିକ ବିପନ୍ନ ଲୋକଙ୍କ ପାଖରେ ପହଞ୍ଚି ପାରିଲା । ପ୍ରତ୍ୟେକ ସାଧ୍ୟମତେ ଜବାବ ଦେଲେ । ଯେଉଁ ଗଛ ଉପରେ ଲୋକ ଥିଲେ ଆମେ ସେଇଠାକୁ ଯାଇ ସେମାନଙ୍କୁ ଉଦ୍ଧାର କରି ଫେରିଲୁ କୂଳକୁ । କାହିଁକି ନା ପ୍ରଥମ ଥର ଖଣ୍ଡିଏ ଡଙ୍ଗା ଧରି ଯାଇଥିଲୁ । ସେଥିରେ ଯେତିକି ଲୋକ ଆଣିବାର କଥା ଆଣି ଫେରିଆସିଲୁ କୂଳକୁ । ତା’ପରେ ଦୁଇଟି ଯାକ ଡଙ୍ଗାକୁ ଧରି ପଶିଲୁ ପୁଣି ବଢ଼ି ଅଞ୍ଚଳ ଭିତରକୁ । ଆମ ଦଳର ମୁଖ୍ୟକର୍ତ୍ତା ଯେ କି ଆମକୁ ଧରି ଆସିଥିଲେ, ସେ ମୋର ଉଦ୍‌ଯୋଗ, ଉତ୍ସାହ ଦେଖି ମୋତେ ଖୁବ୍‌ ପସନ୍ଦ କରୁଥାନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ଯେତେ ପାରିଲି ସେତେ ଲୋକଙ୍କୁ ବନ୍ୟାଭିତରୁ ଟାଣି ଆଣିଲି ସ୍ଥଳଭାଗକୁ ।

 

ଆମ ଡଙ୍ଗା ପାଣି ଭିତରେ ଚାଳିଥିବାବେଳେ ଦେଖୁ ଥାଉ ଜଳସ୍ରୋତରେ ଭାସି ଯାଉଥାନ୍ତି ଅନେକ ସାପ । ଥରେ ଥରେ ଗୋଟାଏ ଗୋଟାଏ ସାପ ଫଣା ତୋଳି ଆମ ଡଙ୍ଗା ଆଡ଼କୁ ମାଡ଼ି ଆସୁଥାନ୍ତି । ଆମ ଲୋକେ କାତ ସାହାଯ୍ୟରେ ବାଡ଼େଇ ମାରି ପକାନ୍ତି ସେମାନଙ୍କୁ । କାହିଁରେ କେତେ ଗଛ ତ ଭାସି ଯାଉଥାଏ । ବେଳେ ବେଳେ ମଣିଷଙ୍କ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ସୁଅରେ ଭାଷି ଯାଉ ଥିବାର ଦେଖୁଥାଉ । ଗାଈ, ମଇଁଷିଙ୍କ ଶବ ମଧ୍ୟ ସୁଅରେ ଭାସୁଥାଏ । କରାଳ କନ୍ୟା ଜନସମାଜର କେତେ ଯେ କ୍ଷତି କରୁଛି ତାହା କହିବା ଦୁଃସାଧ୍ୟ । ଯାହା ହେଉ ସେଦିନ ଆମେ ବହୁତ ବିପନ୍ନ ଲୋକଙ୍କୁ ଉଦ୍ଧାର କଲୁ । ସନ୍ଧ୍ୟା ପରେ ଆଉ କିଛି କରିବା ସମ୍ଭବ ହୋଇ ପାରିଲା ନାହିଁ । ତେଣୁ ବିଶ୍ରାମ ନେଲୁ ସକାଳୁ ପର୍ଯ୍ୟନ୍ତ । ମୋର କିନ୍ତୁ ମନେ ହେଉଥାଏ, ଯେଉଁମାନେ ଖୁବ୍‌ ଦୂରରେ ଗୋଟାଏ ଗୋଟାଏ ଉଚ୍ଚା ଜାଗାରେ ଆଶ୍ରୟ ନେଇଛନ୍ତି ସେମାନେ କ’ଣ ଖାଉଥିବେ ? ସେମାନଙ୍କପାଇଁ ତ କିଛି କରି ହେଲା ନାହିଁ !

 

ଖୁବ୍‌ ଭୋର ଭୋର୍‌ରୁ ମୁଁ ପ୍ରତ୍ୟେକଙ୍କୁ ଡାକି ପ୍ରସ୍ତୁତ ହେବାକୁ କହିଲି । ଆମ ଦଳର ଲୋକମାନେ କେହି ହେଲେ ଦ୍ୱିଧା କରୁ ନ ଥାନ୍ତି ନିଜ କର୍ତ୍ତବ୍ୟରେ । ଦ୍ୱିତୀୟ ଦିନ କିଛି ଅଟା, ଚୂଡ଼ା, ଚାଉଳ ଓ ଡିଆସିଲି ଧରି ଚାଲିଲୁ ଯେଉଁମାନେ ଉଚ୍ଚ ଜାଗାରେ ଅଛନ୍ତ ସେମାନଙ୍କ ପାଖକୁ । ପ୍ରତ୍ୟେକ ହାଲିସା ଧରି ଡଙ୍ଗା ବୋହିବା ଆରମ୍ଭ କରି ଦେଇଥାଉଁ । ଫଳରେ ଡଙ୍ଗା ଦୁଇଟି ଇଞ୍ଜିନ୍‌ ଚାଳିତ ଡଙ୍ଗାପରି ସାଏଁ ସାଏଁ ହୋଇ ଆଗେଇ ଯାଉଥାଏ । ପ୍ରାୟ ଦଶଟା ବେଳକୁ ଆମେ ଗୋଟିଏ ସ୍ଥାନରେ ପହଞ୍ଚିଲୁ ଯେଉଁଠିକି ପାଞ୍ଚଶହରୁ ଊର୍ଦ୍ଧ୍ୱ ଲୋକ ଜମା ହୋଇ ଆଶ୍ରୟ ନେଇଥାନ୍ତି । ଯେତେବେଳେ ଆମ ଡଙ୍ଗା ତାଙ୍କ ପାଖରେ ପହଞ୍ଚିଲା ସେତେବେଳେ ସେମାନଙ୍କ ମଧ୍ୟରୁ ଥୋକେ ଆମକୁ ଦେଖି ଧାଇଁ ଆସିଲେ ପାଣି ଭିତରକୁ, ଅନ୍ୟମାନେ ହାତ ଉପରକୁ ଟେକି ହରିଧ୍ୱନି କରିବାକୁ ଲାଗିଲେ । ମୋର ମନେହେଲା ସେମାନଙ୍କମନରେ ବୋଧେ ଆଶାର ସଞ୍ଚାର ହେଲା ‘ଆମେ ବଞ୍ଚିବୁ ।’

 

ଲୋକମାନଙ୍କର ବ୍ୟସ୍ତତା ଦେଖି ଆମ ଡଙ୍ଗା ଦୁଇଟିକୁ କୂଳରେ ନ ଲଗାଇବାକୁ ପରାମର୍ଶ ଦେଲି । ତାହା ନ ହେଲେ ଆମେ ଯେଉଁତକ ଖାଦ୍ୟ ସାମଗ୍ରୀ ଆଣିଛୁ ତାହା ଠିକ୍‌ରୂପେ ବିନିଯୋଗ ହୋଇ ପାରିବ ନାହିଁ । ଚୂଙ୍ଗା ସାହାଯ୍ୟରେ ବଡ଼ ପାଟିରେ ଡାକି କହିଲି ଯେଉଁମାନେ ପାଣିରେ ପଶି ଆସୁଛନ୍ତି ସେମାନେ ଫେରି ଯାଇ ଧୀର ସ୍ଥିର ଭାବରେ ଅପେକ୍ଷା କରନ୍ତୁ । ଆମ ପାଖକୁ ଆସିଲେ ଆମେ ଡଙ୍ଗା ଫେରାଇ ନେବୁ ସିନା କୂଳରେ ଲଗାଇବୁ ନାହିଁ, ତାହା ହିଁ ହେଲା । ଠିକ୍‌ରୂପେ ବଣ୍ଟନ ପାଇଁ ସେମାନଙ୍କ ଭିତରୁ କେତେଜଣ ମୂଖିଆ ବ୍ୟକ୍ତିଙ୍କୁ ମୁଁ ଡାକିଲି, ଭୋକିଲା ବିପନ୍ନ ଲୋକଙ୍କୁ ସେମାନେ ଠିକ୍‌ରୂପେ ନିୟନ୍ତ୍ରଣ କରି ଆମ ଡଙ୍ଗାକୁ ନିରାପଦରେ କୂଳରେ ଲଗାଇବାକୁ ଦେଲେ । ସେହିମାନଙ୍କ ବିଚାର ଉପରେ ଛାଡ଼ିଦେଲୁ ଗୋଟିଏ ଡଙ୍ଗାର ଜିନିଷ । ସେମାନେ ଜୋର୍‍ କରୁଥିଲେ ଦୁଇଟିଯାକ ଡଙ୍ଗା ରଖିବାକୁ, ମାତ୍ର ମୁଁ ସେମାନଙ୍କୁ ଭରଷା ଦେଇ କହିଲି ‘ଠିକ୍‌ କାଲିକୁ ଆପଣମାନଙ୍କୁ ଗୋଟିଏ ସପ୍ତାହ ପାଇଁ ଦେଇ ଯିବୁ । ଅଳ୍ପ କେତେଜଣଙ୍କୁ ମଧ୍ୟ ଆମେ ସାଙ୍ଗରେ ନେଇ ଯିବାକୁ ରାଜିଅଛୁ । ସେମାନେ ମଧ୍ୟ କାଲି ଜିନିଷପତ୍ର ଧରି ଫେରି ଆସି ପାରିବେ ।’

 

ଗୋଟିଏ ଡଙ୍ଗା ସେଠାରେ ରଖି ଆଉ ଗୋଟିଏ ଡଙ୍ଗାଧରି ଆଉ ଦୁଇମାଇଲ୍‌ ଖଣ୍ଡେ ଗଲି । ସେଠାରେ ମଧ୍ୟ ଅନେକ ଲୋକ ଆଶ୍ରୟ ନେଇଥାନ୍ତି, ସମସ୍ତେ ଆତୁର । ଡଙ୍ଗା ପହଞ୍ଚୁ ନ ପହଞ୍ଚୁଣୁ ଧାଇଁ ଆସୁଥାନ୍ତି ଡଙ୍ଗା ପାଖକୁ । ସମସ୍ତଙ୍କୁ ସତର୍କ କରାଇ ଡଙ୍ଗାଟିକୁ କୂଳରେ ଲଗାଇବାକୁ ପଡ଼ିଲା । ଯାହା କିଛି ବାକି ଥିଲା ସେତକ ଓଜାଡ଼ି ଦେଲି କେତେଜଣ ବିଶିଷ୍ଟ ଲୋକଙ୍କ ମାରଫତରେ, ଶୁଖିଲା ସମୁଦ୍ରକୁ ଶଙ୍ଖେ ଜଳଭଳି ଆମର ସେତିକି ଜିନିଷ । ଯାହାହେଉ ନାନା ସତ ମିଛ କହି ଗତ କାଲିକୁ ପୁଣି ଆସିବୁ ବୋଲି କଥା ଦେଇ ଡଙ୍ଗା ଚଳାଇବାକୁ ଆମ ଗନ୍ତବ୍ୟ ସ୍ଥାନକୁ-। ବିପୁଳ ଜଳରାଶି ଉପରେ ଶୂନ୍ୟ ଡଙ୍ଗା ଧାଇଁ ଚାଲିଥାଏ କୂଳକୁ । ମନ ପଡ଼ିଥାଏ ଲୋକଙ୍କ ପାଖରେ । ଲୋକମାନଙ୍କଠାରୁ ଯେଉଁ ହୃଦୟ ଫଟା କାହାଣୀ ସବୁ ଶୁଣିଲି ତା’ର ନଗ୍ନରୂପ ମୋ ମନ ଭିତରେ ନାଚିବାକୁ ଲାଗିଲା ।

 

କେତେଲୋକ କେତେ କରୁଣ କାହାଣୀ କହିଛନ୍ତି । ତନ୍ମଧ୍ୟରୁ ଯେଉଁ କେତୋଟି ହୃଦୟସ୍ପର୍ଶୀ ତାହା ମୁଁ ଆଜି ପର୍ଯ୍ୟନ୍ତ ବି ଭୁଲି ନାହିଁ ।

 

ବେଙ୍ଗଲ ରିଫିଲ୍‌ ସୋସାଇଟି ତା’ ପାରୁପର୍ଯ୍ୟନ୍ତ ଲୋକଙ୍କୁ ସାହାଯ୍ୟ କଲା; କିନ୍ତୁ ଯଥେଷ୍ଟ ଖାଦ୍ୟ ଦ୍ରବ୍ୟର ଅଭାବ ପଡ଼ିଗଲା । ତେଣୁ ଦୂରରେ ଥିବା ଲୋକଙ୍କୁ କିଛି ସାହାଯ୍ୟ କରିବାକୁ ସଂଘ ପଛେଇଗଲା । ସଘଂ ସହିତ ମୁଁ ପଛେଇ ପାରିଲି ନାହିଁ; ମୁଁ ଆଖି ଆଗରେ ଦେଖି ଆସିଛି ଲୋକଙ୍କ ଦୂରବସ୍ଥା । ରାତିରେ ମଧ୍ୟ ଭଲ ନିଦ ହେଲା ନାହିଁ ମୋତେ । ନିଦରେ ଶୋଇଲେ ସେହି ମର୍ମନ୍ତୁଦ ବନ୍ୟାବିପନ୍ନ ଲୋକଙ୍କ କରୁଣ ଚିତ୍ର ସ୍ୱପ୍ନରେ ଦେଖିବାକୁ ପାଇଲି । ମୋ ମନରେ ଥରକୁ ଥର ଏହି ଚିନ୍ତା ରହିଲା ମୋତେ ଲୋକଙ୍କ ପାଇଁ କିଛି କରିବାକୁ ପଡ଼ିବ । ତାହା ଯେତେ ଦୁଃସାଧ୍ୟ ହେଲେ ମଧ୍ୟ ମୁଁ ଚେଷ୍ଟା କରିବି କରିବାକୁ ।

 

ସକାଳ ହେଲା ମାତ୍ରେ ମୁଁ ଚାଲିଲି ଜିଲାର କଲେକ୍‌ଟରଙ୍କ ପାଖକୁ । ଆମ କ୍ୟାମ୍ପଠାରୁ ଟିକିଏ ଦୂରରେ ତାଙ୍କ କ୍ୟାମ୍ପ ପଡ଼ିଥିଲା । ମୋତେ ବେଶୀ କିଛି ଅସୁବିଧା ହୋଇ ନାହିଁ ତାଙ୍କୁ ଭେଟିବାକୁ । ବନ୍ୟାଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ଯାହା ମୁଁ ଜାଣିଥିଲି ସେ ସବୁ ତାଙ୍କ ଆଗରେ ଅତି କରୁଣଭାବେ ପ୍ରକାଶ କଲି । ଜଣେ ସ୍ୱେଚ୍ଛାସେବକ ଯେ କି କଲିକତାରୁ ଆସିଛି ତା’ଠାରୁ ବନ୍ୟାଗ୍ରସ୍ତ ଲୋକଙ୍କ କାହାଣୀ ଶୁଣିବା ଏବଂ ସେ ପ୍ରାର୍ଥନା କରୁଛି ସାହାଯ୍ୟ କରିବାକୁ ଏହା ତାଙ୍କ ମନରେ ବେଶ୍‌ ଛାପ ପକାଇ ପାରିଲା । ଶେଷରେ ସେ ମୋତେ ଖଣ୍ଡେ ଚିଠି ପଠାଇଲେ ଖ୍ରୀଷ୍ଟିୟାନ ମିଶନକୁ । ସେହି ନିକଟରେ ଖ୍ରୀଷ୍ଟିୟାନ ମିଶନର ବି କ୍ୟାମ୍ପ ପଡ଼ିଥାଏ । କଲେକ୍ଟରଙ୍କ ଚିଠି ନେଇ ତାଙ୍କୁ ଭେଟିଲି ମୋର ଉତ୍ସାହ ଦେଖି ଏବଂ କଲେକ୍ଟରଙ୍କ ଚିଠି ପାଇ ସେ ରାଜି ହେଲେ ସାହାଯ୍ୟ କରିବାକୁ । ଗୋଟିଏ ଲଞ୍ଚ ମୋତେ ଛାଡ଼ିଦେଲେ । ଯଥେଷ୍ଟ ଖାଦ୍ୟ ସାମଗ୍ରୀ ଧରି କେତେକ ସ୍ୱେଚ୍ଛାସେବକଙ୍କ ସହିତ ମୁଁ ଚାଲିଲି ବହୁ ଦୂରରେ ଥିବା ବିପନ୍ନ ଲୋକଙ୍କ ପାଖକୁ । ମୁଁ ମୋର ସାଧ୍ୟାନୁସାରେ ଲୋକଙ୍କୁ ବିପଦ ମୁଖରୁ ବଞ୍ଚାଇବାକୁ ଚେଷ୍ଟା କଲି । ବିପନ୍ନ ଲୋକଙ୍କୁ ବଞ୍ଚାଇବା ପାଇଁ ଯୀଶୁଖ୍ରୀଷ୍ଟଙ୍କର ଜୈନଗାନ ମୋ ମୁହଁରୁ ଆପେ ଆପେ ଅଜାଡ଼ି ହୋଇ ପଡ଼ୁଥାଏ । ଏହାଦ୍ୱାରା ଖ୍ରୀଷ୍ଟିୟାନ୍‌ ମିଶନ ଖୁବ୍‌ ଖୁସି ହେଉଥାନ୍ତି ମୋ ଉପରେ ।

 

ମିଶନର ଲୋକେ ମଧ୍ୟ ଖୁବ୍‌ ଖୁସି ହେଉଥାନ୍ତି ମୋ ଉପରେ । ମୋ ପ୍ରଶଂସା ତାଙ୍କ ସମସ୍ତଙ୍କ ମୁହଁରେ ବସା ବାନ୍ଧିଲାଭଳି ଲାଗି ରହିଥାଏ । ମିଶନ୍‌ର ବିଷପ୍‌ ମୋତେ ଠିକ୍‌ ତାଙ୍କ ପୁଅ ଭଳି ଦେଖୁଥା’ନ୍ତି । ମୋର ଅକ୍ଳାନ୍ତ ପରିଶ୍ରମରେ ବନ୍ୟାବିପନ୍ନ ଲୋକଙ୍କ ମଧ୍ୟରୁ ଅନେକ ଲୋକ ଯଥେଷ୍ଟ ଉପକୃତ ହେଉଥାନ୍ତି । ସେମାନଙ୍କ ମନର ସନ୍ତୋଷ ମୋ ମନରେ ପ୍ରେରଣା ଭରି ଦେଉଥିଲା । ମୁଁ ଧାଇଁ ଯାଉଥିଲି ନିଜର ସବୁ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଭୁଲି । ମୁଁ କିଏ, କୁଆଡ଼େ ଆସିଥିଲି, କୁଆଡ଼େ ଯିବି ଏ ପ୍ରଶ୍ନ ଥରକପାଇଁ ବି ମୋ ମନରେ ଉଠି ନାହିଁ । ପ୍ରତିମୁହୂର୍ତ୍ତରେ ମୋ ଆଗରେ ଥାଏ ବର୍ତ୍ତମାନର କର୍ତ୍ତବ୍ୟ । ପରେ କ’ଣ ହେବ ବା ପୂର୍ବେ କ’ଣ ଥିଲି ଏ ପ୍ରଶ୍ନ ଥାଏ ମୋ ପାଖରୁ ବହୁତ ଦୂରରେ । ଜାତିକୁ ବିପଦମୁହଁରୁ ବଞ୍ଚାଇବାକୁ ମୋତେ ଜୀବନ ପଣ କରି ଆଗେଇ ଯିବାକୁ ପଡ଼ିବ । ଏହା ଥାଏ ମୋର ଲକ୍ଷ୍ୟ । ତେଣୁ ଅବସର କାହିଁ ପଛକଥା ବା ଆଗକଥା ଭାବିବାକୁ । ସେ ହିନ୍ଦୁ ହେଉ, ମୁସଲମାନ ହେଉ ବା ଖ୍ରୀଷ୍ଟିୟାନ ହେଉ ଯେ ଏ ଜାତିର ଭାର ନେବାକୁ ବିନା ଦ୍ୱିଧାରେ ବିନା ସର୍ତ୍ତରେ ଆଗେଇ ଆସେ ତା’ ପାଖରେ ମୁଣ୍ଡ ନୁଆଁଇବାକୁ ଅପରାଧ ବୋଲି କାହିଁକି ଭାବିବି ?

 

ଯାହାହେଉ ଖ୍ରୀଷ୍ଟିୟାନ ମିଶନ ସାହାଯ୍ୟରେ ଅନେକ ଲୋକ ଉପକୃତ ହେଲେ । ବନ୍ୟାଞ୍ଚଳର ଅଧିକାଂଶ ସ୍ଥାନରେ ମୁଁ ମଧ୍ୟ ବେଶ୍‌ ପରିଚିତ ହେଉଥାଏ । ବନ୍ୟା ଧୀରେ କମି ଆସିଲା, କିନ୍ତୁ ମୋ କର୍ତ୍ତବ୍ୟ କମୁ ନ ଥାଏ । ମୋଦ୍ୱାରା ଯେତିକି ହୋଇପାରିବ ସେତିକି କରିବାରେ ମୋର ମୋଟେ ଦ୍ୱିଧା ଆସୁ ନ ଥାଏ । ଖାଦ୍ୟ ଓ ଔଷଧ ବାଣ୍ଟିବାଠାରୁ କେଉଁ କେଉଁ ଲୋକଙ୍କୁ ସରକାର ଘର ଭଙ୍ଗା ଓ ଚାଷପାଇଁ ସାହାଯ୍ୟଦେବା ଆବଶ୍ୟକ ତାହା ମଧ୍ୟ ମୋତେ କରିବାକୁ ପଡ଼ୁଥାଏ । ମୋର ସୁପାରିଶ ଜିଲ୍ଲା କଲେକ୍‌ଟରଙ୍କ ଆଗରେ ମୁଖ୍ୟଭାବରେ ଗ୍ରହଣୀୟ ହେଉଥାଏ-। ବନ୍ୟା ଛାଡ଼ିବାର ପ୍ରାୟ ଛଅମାସ ପର୍ଯ୍ୟନ୍ତ ମୋତେ ବନ୍ୟା-ବିପନ୍ନଙ୍କପାଇଁ ଧାଇଁବାକୁ ପଡ଼ିଲା-। ଶେଷରେ ମୁଁ ଦିନେ ବାଧ୍ୟ ହେଲି ଓହରି ଆସିବାକୁ । ମୋ କର୍ତ୍ତବ୍ୟରେ ଏତେ ବାଧା ସୃଷ୍ଟି ହେଲା ଯଦ୍ଦ୍ୱାରା ମୁଁ ଆଉ ଆଗକୁ ଆଗେଇବାକୁ ଠିକ୍‌ ମନେ କଲିନାହିଁ । ପ୍ରତି ଗାଁରେ ଟାଉଟର ପଶି ଏପରି ଅବସ୍ଥା ସୃଷ୍ଟି କଲେ ଯେ ପ୍ରକୃତ କାହାର କ’ଣ ଦରକାର ତାହା ବୁଝିବା ମୋ ପକ୍ଷେ ସମ୍ଭବ ହେଲା ନାହିଁ । ଏହାଛଡ଼ା ଖ୍ରୀଷ୍ଟିୟାନ ମିଶନ୍‌ ସହିତ ପୂର୍ବପରି ମୁଁ ଏକମତ ହୋଇ ପାରିଲି ନାହିଁ-ବିଷପ୍‌ ବାଧ୍ୟ କରୁଥାନ୍ତି ମୋତେ ଖ୍ରୀଷ୍ଟିୟାନ ହେବାକୁ । ନିଜ ଧର୍ମ ଛାଡ଼ି ଅନ୍ୟ ଏକ ଧର୍ମ ଗ୍ରହଣ କରିବା ମୋ ପକ୍ଷେ କେବେ ସମ୍ଭବ ବୋଲି ମୁଁ ଭାବିଲି ନାହିଁ । ହିନ୍ଦୁର ନୀତିଶାସ୍ତ୍ର ବେଦ ବେଦାନ୍ତଠାରୁ ବାଇବେଲକୁ ମୁଁ କାହିଁକି ଉଚ୍ଚସ୍ଥାନ ଦେଇ ପାରିଲି ନାହିଁ । ତାଙ୍କ ପ୍ରାର୍ଥନା ସଭାରେ ବସିବାପାଇଁ ମୋର ଆପତ୍ତି ନ ଥାଏ । ବାଇବେଲ ପଢ଼ିବାରେ ମୁଁ କେବେ ସଂକୋଚ କରିନି । ଏକ ଗୋଷ୍ଠୀର ଧର୍ମ ପୁସ୍ତକ ପ୍ରତ୍ୟେକଙ୍କ ପକ୍ଷେ ନମସ୍ୟ; କିନ୍ତୁ ନିଜ ଧର୍ମକୁ ଛାଡ଼ି ଅପର ଧର୍ମ ଗ୍ରହଣ କରିବା ମୋ ପକ୍ଷେ କେବେ ସମ୍ଭବପର ହୋଇ ପାରିଲା ନାହିଁ ।

 

ସେଦିନ ବିଷପ୍‌ଙ୍କ ସହିତ ଅନେକ ଯୁକ୍ତି ହେଲା ବେଦ ଓ ବାଇବେଲ ନେଇ; ବେଦଠାରୁ ବାଇବେଲ ଶ୍ରେଷ୍ଠ ଏହା ଥାଏ ତାଙ୍କର ଯୁକ୍ତି । କିନ୍ତୁ ଠିକ୍‌ ଓଲଟା ଥାଏ ମୋର ମତ । ତାଙ୍କ ନିଜ ଯୁକ୍ତି ତାଙ୍କୁ ହାର ମନାଇଲେ ମଧ୍ୟ ସେ ମୋ ଆଗରେ ହାର ମାନିବାକୁ ପଛେଇ ଯାଉଥାନ୍ତି । ଶେଷରେ ରାତି ଅନେକ ହୋଇ ଯାଇଥିବାରୁ ସେ କୋଠରୀକୁ ମୁଁ ଶୋଇବାକୁ ଗଲି । ମୋର ବିଛଣା ହୋଇ ସାରିଥାଏ । ମିଶନ୍‌ର ଗୋଟିଏ କୋଠରୀରେ ମୁଁ ରହେ । ତେଣୁ କବାଟଟି ଦେଇ ମୁଁ ଶୋଇ ପଡ଼ିଲି । ନିଦ ଆସିବାକୁ ଟିକିଏ ଡେରି ଲାଗିଲେ ମଧ୍ୟ ପ୍ରାୟ ଅଧଘଣ୍ଟାରୁ ବେଶୀ ଡେରି ହୋଇ ନଥାଏ । ମୁଁ ନିଦରେ ଶୋଇବା ଅଳ୍ପ କେତେକ ସମୟ ପରେ ହଠାତ୍‌ ମୋ ନିଦଟା ଭାଙ୍ଗି ଗଲା କାହାର କର ସ୍ପର୍ଶରେ । ପ୍ରଥମେ ଅବଶ୍ୟ ମୋର ଭ୍ରମ ହେଲା ତାହା ସ୍ୱପ୍ନ ବୋଲି; କିନ୍ତୁ ଯେତେବେଳେ ଜାଣିଲି କେହି ଜଣେ ନାରୀ ମୋ ପାଦ ଦୁଇଟି ଉପରେ ହସ୍ତ ସଞ୍ଚାଳନ କରୁଛି, ସେତେବେଳେ ମୋ ମନର ଗୋଟାଏ କୌତୂହଳ ହେଲା । କିଛି ନ ଜାଣିଲାପରି ଅଳ୍ପ ସମୟ ମିଛ ମିଛିକା ଶୋଇବାର ବାହାନା କଲି । ତା’ପରେ ମୁଁ ଭାବିଲି କି ଉଦ୍ଦେଶ୍ୟ ନେଇ କିଏ ମୋର ପଦ ସେବା କରୁଛି ଏହା ଜାଣିବା ନିହାତ୍‌ ଦରକାର । ନହେଲେ ପରେ ହୁଏତ ଅସୁବିଧାରେ ପଡ଼ିବାକୁ ହେବ । ତେଣୁ ମୁଁ ବିସ୍ମୟଜଡ଼ିତ କଣ୍ଠରେ ପ୍ରଶ୍ନ କଲି କିଏ ? ଉତ୍ତର କିଛି ପାଇଲି ନାହିଁ । ପୁଣି ଥରେ ସେହି ପ୍ରଶ୍ନ କଲି । ଏଥର ଚାପା କଣ୍ଠର ସ୍ୱର ଶୁଣିଲି କିଏ ଜଣେ କହୁଛି ପାଟିକର ନା, ହୁଏତ କେହି ଶୁଣିପାରିବ । ମୋ ମନରେ ସନ୍ଦେହ ଆହୁରି ଜାଗି ଉଠିଲା । ମୁଁ ସିଧା ଉଠି ବସିଲି ।

 

ଅଧା ଲିଭା ଲଣ୍ଠନର ଆଲୋକରେ ଦେଖିଲି ଜଣେ ଅପୂର୍ବ ସୁନ୍ଦରୀ ଝିଅ ବସିଛି ମୋ ପାଦ ପାଖରେ । ପ୍ରଥମେ ମୁଁ ନିଜକୁ ବିଶ୍ୱାସ କରି ପାରିଲି ନାହିଁ; କିନ୍ତୁ ବାସ୍ତବତା ମୋ ସମ୍ମୁଖରେ ଯେତେବେଳେ ମୂର୍ତ୍ତିମନ୍ତ ସେତେବେଳେ ଅବିଶ୍ୱାସର ପ୍ରଶ୍ନ ଅଛି କେଉଁଠି ? ମୁଁ ପୁଣି ପଚାରିଲି ତୁମେ କିଏ ?

 

କ୍ଷଣକ ଭିତରେ ତା’ ମୁହଁଟି ଲଜ୍ଜାରେ ନଇଁ ପଡ଼ିଲା । ସେ ଲଜ୍ଜିତ ଅବସ୍ଥାରେ ଉତ୍ତର ଦେଲା ‘‘ମୁଁ ଲିଲି ।’’

 

ଲିଲି ? ଏ ଲିଲି କିଏ ? ଟିକିଏ ମୁଁ ଚିନ୍ତା କଲି; କିନ୍ତୁ ମୋ ସ୍ମୃତିପଥରେ ସେପରି କାହାରିକୁ ପାଇଲି ନାହିଁ । ତେଣୁ ବାଧ୍ୟ ହୋଇ ପଚାରିଲି ଏତେ ରାତିରେ ତୁମର ମୋ ପାଖରେ କି କାମ ଅଛି ?

 

ସେ ଅନୁଚ୍ଚ କଣ୍ଠରେ କହିଲା ଆପଣଙ୍କର ଯୁକ୍ତି ଆପଣଙ୍କର ପାଣ୍ଡିତ୍ୟ ମୋତେ ମୁଗ୍‌ଧ କରିଛି । ମୁଁ ଆପଣଙ୍କ ଭଳି ଲୋକର ପୂଜା କରିବାକୁ ଧାଇଁ ଆସିଛି । ଆପଣ ମୋତେ ମନା କରନ୍ତୁ ନାହିଁ ଆପଣଙ୍କ ପଦ ସେବା କରିବାକୁ ।

 

ମୁଁ ଦୃଢ଼ କଣ୍ଠରେ କହିଲି ‘ନା, ତା’ କେବେ ହୋଇ ପାରେ ନା । କୌଣସି ସ୍ତ୍ରୀଲୋକ ସମ୍ପର୍କରେ ମୁଁ ଆସିବାକୁ ଚାହେନି । ତୁମେ ଦୟାକରି ଏଠାରୁ ଚାଲିଯାଅ ।

 

ସେ କିନ୍ତୁ ଅଚଳ ଅଟଳ । ବାଧ୍ୟ ହୋଇ ମୁଁ ଉଠି ଠିଆ ହେଲି । ତଥାପି ସେ ବସିଥାଏ ସେଇଠି । ମୁଁ ଦରଜା ପାଖକୁ ଆସି କବାଟଟି ଖୋଲିଦେଲି । ଦେଖିଲି ବିଷପ୍‌ ମୋ କୋଠରୀଆଡ଼ୁ ଚାଲି ଯାଉଛନ୍ତି । ମୋର ମନ ହେଲା ଲିଲତ ଖୁବ୍‌ ସମ୍ଭବ ବିଷପ୍‌ଙ୍କ ଦ୍ୱାରା ପ୍ରେରିତ । ତାଙ୍କର ଉଦ୍ଦେଶ୍ୟ ବୋଧେ ଯେ କୌଣସିମତେ ମୋତେ ତାଙ୍କ ଗୋଷ୍ଠୀ ଭିତରେ ଅଟକାଇ ରଖିବା । ଇସ୍‌, କି କଦର୍ଯ୍ୟ ପନ୍ଥା ଏମାନଙ୍କର । ଅବସ୍ଥାକୁ ଭୁଲି ମୁଁ ହଠାତ୍‌ ଡାକି ଦେଲି ବିଷପ୍‌ଙ୍କୁ । ସେ ମୋ ଡାକରେ ପଛକୁ ଫେରି ପଡ଼ି ପଚାରିଲେ କ’ଣ ଏତେବେଳେ ଯାଏ ନିଦ ହୋଇ ନାହିଁ ଆପଣଙ୍କର ? ମୁଁ ବ୍ୟଙ୍ଗୋକ୍ତି କରି କହିଲି, ଆପଣଙ୍କର ଯେତେବେଳେ ହୋଇ ନି ସେତେବେଳେ ମୋର ହେବ କିପରି ? ସେ କହିଲେ ‘କ’ଣ ହୋଇଛି ଆପଣଙ୍କର ’ ? ମୁଁ ମୋ କୋଠରୀକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲି ‘ହେଇ ଦେଖନ୍ତୁ’ । ମୋ କଥା ସମ୍ପୂର୍ଣ୍ଣ ହେବା ପୂର୍ବରୁ ଲିଲି ବାହାରି ଆସିଲା ପଦାକୁ । ବିଷପ୍‌ଙ୍କ ମୁହଁରୁ କିଛି ବାହାରିବା ପୂର୍ବରୁ ସେ କହିଲା ଆମେ ଦୁହେଁ ଠିକ୍‌ କରିଛୁ ବିବାହ କରିବୁ ।

 

ଲିଲି ମୁହଁରୁ ଏ କଥା ଶୁଣିମୁଁ ଆଶ୍ଚର୍ଯ୍ୟ ହୋଇଗଲି । ବିଷପ୍‌ ଥରେ ମୋ ଆଡ଼େ ବ୍ୟଙ୍ଗ ଦୃଷ୍ଟିରେ ଚାହିଁ କହିଲେ ଖୁବ୍‌ ଭଲ କଥା, ତୋ ପରି ସୁନ୍ଦରୀ ସରଳ ଝିଅଟିପାଇଁ ଯୀଶୁ ନିଶ୍ଚୟ ଏପରି ଏକ ବିଜ୍ଞ ବ୍ୟକ୍ତି ପଠାଇଛନ୍ତି । ମୁଁ ଖୁସି ହେଲି ତୁମ ନିଷ୍ପତିରେ, ଏଥର ମୁଁ ଆସୁଛି । ତୁମେ ବିଶ୍ରାମ କର ।

 

ମୋ କଥାକୁ ସେ ଆଉ ଅପେକ୍ଷା ନ କରି ଚାଲିଗଲେ । ମୁଁ ବୋକାଙ୍କ ଭଳି ସେଇଠି ଠିଆ ହୋଇ ରହିଲି । ରାତ୍ରିର ନିର୍ଜନତା ଭିତରେ ଆମେ ଦୁହେଁ ଠିଆ ହୋଇଛୁ, ମୁଁ ଚିନ୍ତା କରୁଥାଏ ଏ କ’ଣହେଲା । ବର୍ତ୍ତମାନ ମୋର ଉପାୟ କ’ଣ ? ସବୁଦିନପାଇଁ ଏ କଠିନ ଶୃଙ୍ଖଳରେ ଭିଡ଼ି ବାନ୍ଧି ଦେବାକୁ କ’ଣ ଭଗବାନ ଏଠାକୁ ପଠାଇଥିଲେ ?

 

ମୋ ଚିନ୍ତାର ପୂର୍ଣ୍ଣଛେଦ ଆଙ୍କି ଲିଲି କହିଲା, ରାତି ବହୁତ ହେଲାଣି ଆସନ୍ତୁ ଟିକିଏ ବିଶ୍ରାମ ନେବା, ମୁଁ ଲିଲି ଆଡ଼କୁ ଲକ୍ଷ୍ୟ କଲି । ସେ ମୁରୁକି ମୁରୁକି ହସୁଥାଏ; ମୋର ମନେ ହେଉଥାଏ ସେଇ ତା’ର ହସତଳୁ ଯେପରି ବିଷର ସୁଅ ଛୁଟି ଆସୁଛି ମୋର ସାରା ଦେହକୁ ବିଷାକ୍ତ କରି ଦେବାକୁ । ମୁଁ ନିରୁତ୍ତର ରହିବା ଦେଖି ସେ ଆଗେଇ ଆସିଲା ମୋ ପାଖକୁ । ଅତି ନିର୍ଲଜ୍ଜୀଙ୍କ ଭଳି ମୋର ଓଠରେ ମୁହଁ ଲଗାଇ ଚେଷ୍ଟା କଲା ମୋତେ ଚୁମ୍ବନ ଦେବାକୁ । ଇସ୍‌ କି କଦର୍ଯ୍ୟ ଏମାନଙ୍କ ପାଶ୍ଚାତ୍ୟ ପ୍ରେମ । ମୁ ମୁହଁକୁ ବୁଲାଇ ନେଇ ତା’ ଚୁମ୍ବନ ଦଂଶନକୁ ଏଡ଼ାଇ ଦେଲି । ଦେଖିଲି ତା’ ଆଖି ଛଳଛଳ ହୋଇ ଆସୁଛି । ଟିକକ ଭିତରେ ତା’ ଓଠ ଦୁଇଟି ଥରି ଉଠିଲା । ସେ ସେହି ଥରିଲା ଓଠ ମୋ ବକ୍ଷ ନିକଟକୁ ଆଣି ମିନତୀ ଭରା କଣ୍ଠରେ କହିଲା ‘ପ୍ରିୟ’ ! ତୁମେ କ’ଣ ମୋତେ ପ୍ରକୃତ ଭଲ ପାଅ ନାହିଁ ? ମୁଁ ତୁମକୁ ଯେତେ ଭଲ ପାଏ ତାହା ଯଦି ଦେଖାଇବାର ଶକ୍ତି ମୋର ଥାନ୍ତା ତେବେ ଏ ହୃଦୟ ଖୋଲି ଦେଖାଇ ଦିଅନ୍ତି—ମୁଁ ତୁମକୁ କେତେ ଭଲପାଏ ! ’

 

ମନେ ପଡ଼ିଲା ଏମିତି ଦିନେ ଧୂପ ମୋତେ କହିଥିଲା । ପୂରବୀ ଇସରା ଦେଇଥିଲା । ଆଜି ଲିଲି ଜୋର୍‌ କରୁଛି । ମୁଁ କ’ଣ ଗୋଟାଏ ମେସିନ୍‌ ଖାଲି ଭଲ ପାଇବାର ଅଭିନୟ ଦେଖାଇ ଚାଲିବି ? ଏ ଜୀବନରେ ମୋର ଭଲ ପାଇବା ଛଡ଼ା ଆଉ କିଛି ନାହିଁ । ମନ ମୋର ଫେରିଗଲା ପୁଣି ସେହି ମହାନଗରୀ କଲିକତାକୁ । ଅତୀତରେ ଘଟିଯାଇଥିବା ଧୂପ ସହିତ ମଧୁର ସମ୍ପର୍କ ଚଳଚ୍ଚିତ୍ର ପରି ଭାସିଗଲା ମାନସପଟରେ । ଶେଷରେ ଖାଇଲି ଧୋକ୍‌କା, କୁକୁର ଆଖ୍ୟା ପର୍ଯ୍ୟନ୍ତ ମତେ ଶୁଣିବାକୁ ହେଲା । ପୁଣି ଏବେ ଆଉ ଗୋଟାଏ ଝିଅ ଦାବୀ କରୁଛି ସେ ଭଲ ପାଏ ବୋଲି; ଧୂପବି ଦିନେ ଭଲ ପାଇଥିଲା ସେ ଭଲ ପାଇବାର ତୁଳନା ବୋଧେ କ୍ୱଚିତ୍‌ ମିଳିବ; ସେ ଭଲ ପାଇବାରେ ନ ଥିଲା ଆବିଳତା, ନ ଥିଲା ପଶୁତା, ଥିଲା ସ୍ନେହ ଗଙ୍ଗାର ପବିତ୍ର ଧାରପରି । ସେଥିପାଇଁ ଦିନେ ଧୂପ କହିଥିଲା ବ୍ରହ୍ମଚାରୀ ଭୀଷ୍ମ ପିତାମହ ଅମ୍ବାଙ୍କୁ ଭଲ ପାଇବାରେ ବୋଧେ ଏତେ କଠୋରତା ନ ଥିଲା, ଏତେ ସଂଯମ ମଧ୍ୟ ନ ଥିଲା ।

 

ମୋ ଭାବନାର ସୂତାଖିଅ ଛିଡ଼ିଗଲା ଲିଲୀର ଗାଢ଼ ଆଲିଙ୍ଗନରେ । କ୍ଷଣକପାଇଁ ଶିହରି ଉଠିଲା ମୋ ଦେହ । ନିଖୁଣ ଷୋଡ଼ଶୀ ଲିଲୀର ଦେହଟି କାମାତୁର ହୋଇ ଢଳିପଡ଼ିଛି ମୋରି ଉପରେ । ମୋତେ ଅସଂଯତ କରିବାକୁ ସେ ତା’ ବଳିଷ୍ଠ ଉରଜର ଚାପ ଥରକୁ ଥର ଦେବାକୁ ଚେଷ୍ଟା କରୁଥାଏ । ମୁଁ ହତବାକ୍‌, ହତବୁଦ୍ଧି ହୋଇପଡ଼ିଲି । ଏପରି କୌଣସି ନାରୀଠାରୁ ଏପରି ଏକ ନିର୍ଲଜ୍ଜ ପରିସ୍ଥିତି ମୁଁ କେବେ ସ୍ୱପ୍ନରେ ମଧ୍ୟ କଳ୍ପନା କରି ପାରି ନ ଥିଲି । ହଠାତ୍ ମୋର ମନେ ପଡ଼ିଲା ଏକ ବୌଦ୍ଧ ଶ୍ରମଣଙ୍କ କଥା । ଜଣେ ନାରୀର ପ୍ରେମରୁ ନିଜକୁ ନିବୃତ୍ତି କରିବାକୁ ସେ ନିଜର ଓଷ୍ଠ ଦଂଶନ କରି ନାରୀ ପ୍ରେମ ସ୍ରୋତ ଉପରେ ରକ୍ତର ପୁଟ ଦେଇ ଦେଇଥିଲେ ।

Unknown

 

ଡାହାଣ ପଟର ତଳ ଓଠଟିକୁ ମୁଁ ମୋର ଦୁଇପଟ ଦାନ୍ତରେ ଚାପ ଦେଲି । ଥପ୍‌ ଥପ୍‌ ହୋଇ ରକ୍ତ ଝରିପଡ଼ିଲା ଲିଲୀର କହରା କେଶଗୁଚ୍ଛ ଉପରେ । ସେ ବୋଧେ ପ୍ରଥମେ ବିଶ୍ୱାସ କରି ପାରିଲା ନାହିଁ ମୁଁ ହଠାତ୍‌ ଏପରି ଏକ ଅପକର୍ମ କରି ବସିବି ବୋଲି । ମୁଁ ନିଜକୁ ଘୁଞ୍ଚାଇ ନେବାକୁ ଈଶ୍ୱରଙ୍କୁ ଡାକୁଥାଏ । ଖୁବ୍‍ ଅସ୍ପଷ୍ଟ କଣ୍ଠରେ ମୁଁ କହିଲି ହେ ଭଗବାନ ପରୀକ୍ଷାରେ କ’ଣ ଶେଷ ହୋଇନାହିଁ । ମୁଁ ନୁହେଁ ମହାଯୋଗୀ ଶଙ୍କର, ମୁଁ ନୁହେଁ ଅଷ୍ଟବସୁମାନଙ୍କ ମଧ୍ୟରେ ପ୍ରଧାନ ବସୁଙ୍କ ଅବତାର ଜିତେନ୍ଦ୍ରିୟ ଭୀଷ୍ମ ପିତାମହ । ମୁଁ ନୁହେଁ, ସ୍ଥବିର ନୁହେଁ ସ୍ଥିତପ୍ରଜ୍ଞ । ରକ୍ତ ମାଂସ ଶରୀର ଦେଇ ଏ ପରୀକ୍ଷା କାହିଁକି ? ଏହାର ଅବସାନ ଏଇଠି ହେଉ । ତୁମେ ସତ୍ୟ, ଶିବ, ସୁନ୍ଦର । ଏ କୁତ୍ସିତତା ତୁମର ସୃଷ୍ଟ ବୋଲି ମୁଁ କିପରି ବିଶ୍ୱାସ କରିବି ।

 

ଯେତେବେଳେ ରକ୍ତ ଧାର ତା’ର କପାଳ ସ୍ପର୍ଶ କଲା ସେତେବେଳେ ସେ ତା’ ହାତରେ ସେହି ରକ୍ତର କିଛି ଅଂଶ ଆଣି ପରୀକ୍ଷାକରି ଚିତ୍କାର କରି ଉଠିଲା ଏ ତୁମେ କ’ଣ କଲ । ସେ ତା’ର ସେମ୍‌ଜୀକୁ ଟେକି ସେହି ରକ୍ତକୁ ପୋଛି ଦେଲା । ଧାଇଁଗଲା ଚିକିତ୍ସାର କିଛି ବନ୍ଦୋବସ୍ତ କରିବାପାଇଁ । ସେତିକିବେଳେ ମୁଁ ପାଇଲି ଅବସର ନିଜକୁ ଅପସାରି ନେବାକୁ । ଗୋଟିଏ ନିଃଶ୍ୱାସରେ ମିଶନ୍‌ ହତା ଟପି ଡେଇଁ ପଳାଇଲି ଦୂରକୁ । ଯେତେ ଦୂରକୁ ଧାଇଁ ପଳାଉଥାଏ ସେତେ ନିଜକୁ ଆସ୍ୱସ୍ତି ମନେ କରୁଥାଏ । କୁଆଡ଼େ ଯେ ମୁଁ ଧାଇଁ ପଳାଉଥାଏ ତାହା ମୋତେ ଜଣାପଡ଼ୁ ନ ଥାଏ । କେବଳ ଏତିକି ମୋର ମନେ ହେଉଥାଏ ମିଶନ୍‌ଠାରୁ ବହୁ ଦୂରକୁ ପଳାଇ ଯାଉଛି ।

 

ଶେଷରେ ଏକ ନିର୍ଜନ ନଦୀ କୂଳରେ ବସିପଡ଼ିଲେ । ଧାଇଁ ଧାଇଁ ହାଲିଆ ଲାଗୁଥାଏ । ସାରା ରାତିଟା ପୁଣି ଅନିଦ୍ରା । କ୍ଳାନ୍ତି ଘୋଟି ଆସିଲା ନିଦ ଲାଗି ଆସିଲା । ଶୋଇପଡ଼ିଲି ସେହି ନଦୀ କୂଳର ଏକ ବୃକ୍ଷ ତଳେ । କେତେବେଳେ ସକାଳ ହେଲା ମୋତେ ଜଣାନାହିଁ । ଯେତେବେଳେ ମୋର ନିଦ ଭାଙ୍ଗିଲା ସେତେବେଳେ ଶୁଣିଲି ଟିକିଏ ଦୂରରୁ ଏକ ଓଜସ୍ୱିନୀ କଣ୍ଠରୁ ଈଶ୍ୱରଙ୍କ ପ୍ରାର୍ଥନାର ଝଙ୍କାର । ଦୂରରେ ହିମାଳୟର ପର୍ବତଶ୍ରେଣୀ । ମନେ ହେଲା ମୁଁ ବୋଧେ ଏକ ଋଷି ଆଶ୍ରମ ନିକଟରେ ପହଞ୍ଚି ଯାଇଛି ।

 

ଟିକିଏ ଦୂରରେ ସେହି ନଦୀକୂଳରେ ଗଛପତ୍ର ଗହଳି ଭିତରେ ଜଣେ ସାଧୁଙ୍କ ଆଶ୍ରମ ମୁଁ ଆବିଷ୍କାର କଲି । ଧୀରେ ଧୀରେ ଆଶ୍ରମ ଭିତରେ ପ୍ରବେଶ କରି ଦେଖିଲି ଏକ ଆମ୍ର ତରୁ ତଳେ ଜଣେ ଗୈରିକ ବସନପରିଧାୟୀ ସନ୍ନ୍ୟାସୀ ଉପବେଶନ କରିଛନ୍ତି ଏବଂ ତାଙ୍କ ପାଖରେ ଆଠ ଦଶ ଜଣ ସେହିପରି ଅଳ୍ପ ବୟସ୍କ ସାଧୁ ବସିଛନ୍ତି । ମୁଁ ଅନୁମାନ କଲି ବୋଧେ ଗୁରୁ ଶିଷ୍ୟମାନଙ୍କୁ ଶାସ୍ତ୍ରର ନିଗୂଢ଼ ତତ୍ତ୍ୱ ପରିବେଷଣ କରୁଅଛନ୍ତି ।

 

ପ୍ରଥମେ ମୁଁ ଗୁରୁଙ୍କ ଦୃଷ୍ଟିଗୋଚରରେ ଆସିଲି । ସେ ଦେଖିବା ମାତ୍ରେ ତାଙ୍କ ବସିବା ସ୍ଥାନରୁ ଉଠି ପଡ଼ି ଛୁଟି ଆସିଲେ ମୋ ପାଖକୁ ପାଛୋଟି ନେବାକୁ । ତାଙ୍କର ଅମାୟିକ ବ୍ୟବହାର ମୋତେ ଖୁବ୍‌ ଆନନ୍ଦ ଦେଲା । ମୁଁ ଅତିଥି ହିସାବରେ ସେ ଆଶ୍ରମରେ ଅବସ୍ଥାନ କଲି । ସେ ଆଶ୍ରମରେ ନିତି ଧର୍ମ ଶାସ୍ତ୍ର ପଢ଼ିବା, ସେ ବିଷୟରେ ଗୁରୁଙ୍କଠାରୁ ବୁଝିବା ଇତ୍ୟାଦିରେ ମୋର ସମୟତକ ବେଶ୍‌ କଟି ଯାଉଥାଏ । ଆତ୍ମା, ପରମାତ୍ମା, ଜନ୍ମ ମୃତ୍ୟୁ ପ୍ରଭୃତି ନିଗୂଢ଼ ତତ୍ତ୍ୱର ମୀମାଂସା ବିଷୟ ନାନା ପ୍ରଶ୍ନ ପଚାରି ମୁଁ ମୋ ସନ୍ଦେହ ମୋଚନ କରୁଥାଏ ।

 

ମୁଁ ଦୀର୍ଘ ଦୁଇବର୍ଷ ସେଠାରେ ଅତିବାହିତ କଲି । ବେଦ, ବେଦାନ୍ତ, ଉପନିଷଦ୍ ଆଦି ବିଭିନ୍ନ ହିନ୍ଦୁ ଧର୍ମ ଶାସ୍ତ୍ର ପାଠ ଓ ଯୋଗାଭ୍ୟାସ କରିବାରେ ଏହି ଦୁଇଟି ବର୍ଷ ବେଶ୍‌ କଟିଗଲା । ଦିନେ ମୁଁ ଆଉ ଗୁରୁଭାଇ ସନ୍ନ୍ୟାସୀ ବିଶୁଦ୍ଧାନନ୍ଦ, ଯାଇ ଥାଉ ଜଙ୍ଗଲ ଭିତରକୁ ବୁଲି । ସେ କଥା କହୁ କହୁ କହିଲେ ‘ଏହି ଯେଉଁ ପାହାଡ଼ ଦେଖୁଛ ଏହା ହିମାଳୟର ଅଂଶ । ଗୁରୁ କହୁଥିଲେ ସେ ପାହାଡ଼ର ଗୁମ୍ଫାରେ ବହୁତ ସାଧୁ ଅଛନ୍ତି । ସେମାନେ ସବୁ ଅଦ୍ଭୁତ କର୍ମା । ଜଣେ କୁଆଡ଼େ ହଜାର ହଜାର ବର୍ଷ ବଞ୍ଚିଛନ୍ତି । ମୃତ୍ୟୁ ତାଙ୍କ ହାତରେ । ସେ ଇଚ୍ଛା କଲେ ଦେହ ଛାଡ଼ିବେ ନଚେତ୍‌ ସେହିପରି ବଞ୍ଚିଥିବେ ।

 

ମୁଁ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲି । ମୁଁ ତାଙ୍କୁ ପଚାରିଲି ତୁମେ କେବେ ଏପରି ସାଧୁଙ୍କୁ ଦେଖିଛ କି ? ସେ ନାସ୍ତି କରି କହିଲେ ଗୁରୁ କାଳେ ବିରକ୍ତ ହେବେ ସେଥିପାଇଁ ଆମେ କେବେ ସେ ସାଧୁଙ୍କ ବିଷୟରେ ଆଉ ବେଶୀକିଛି ବୁଝିବାକୁ ପଚାରି ନାହୁଁ । ଗୁରୁଙ୍କର ଗୁରୁଙ୍କୁ ବର୍ତ୍ତମାନ ହଜାର ବର୍ଷ ପାଖା ପାଖି ହେବ ବୋଲି ଶୁଣିଛି । ସେ ମଧ୍ୟ ହିମାଳୟର ଏକ ଗୁମ୍ଫାରେ ରହନ୍ତି ।

 

ଆମେ ସେହି ଜଙ୍ଗଲ ଭିତରେ ବୁଲୁ ବୁଲୁ ଗୋଟିଏ ପଦାସ୍ଥାନ ଦେଖିବାକୁ ପାଇଲୁ । ସ୍ଥାନଟି ନିହାତି ବଡ଼ ନ ହେଲେ ମଧ୍ୟ ଦଶବାର ହଜାର ଲୋକ ବସିଲା ଭଳି । ସ୍ଥାନଟିର ଚାରିପାଖ ଯାକ ବିଶାଳ ବୃକ୍ଷ ଦଣ୍ଡାୟମାନ । ଠିକ୍‌ ରାଣ ଦେଲା ଭଳି ସେହି ପଡ଼ିଆ ଭିତରେ କେବଳ ଭୂଇଁ ଉପରେ ଗୋଟିଏ ନୀଳ ଗାଲିଚାଭଳି ଘାସଗୁଡ଼ିକ ମାଡ଼ିଯାଇଛି । ଗୋଟିଏ ହେଲେ ବଡ଼ ଗଛ କିମ୍ବା ବୁଦ୍‌ବୁଦିକିଆ କଣ୍ଟାଗଛ ନାହିଁ । ଆମେ ସେ ପଡ଼ିଆଟିରେ ବୁଲୁ ବୁଲୁ ଠିକ୍‌ ପଡ଼ିଆ ମଝିରେ ଏକ ଯଜ୍ଞକୁଣ୍ଡର ଚିହ୍ନ ଦେଖିବାକୁ ପାଇଲୁ । କୁଣ୍ଡଭିତରେ ଅଗ୍ନି ନ ଥିଲା; କିନ୍ତୁ କୋଇଲା ଭର୍ତ୍ତି ହୋଇଥିଲା । ବିଶୁଦ୍ଧାନନ୍ଦ ସେ କୁଣ୍ଡ ଭିତରେ ହାତ ପୁରାଇ ପୁଳାଏ କାଠକୋଇଲା ହାତରେ ଆଣି କହିଲେ ଦେଖୁଛ ! ବହୁବର୍ଷ ତଳେ ବୋଧେ ଏଠାରେ ଏକ ବିରାଟ ଯଜ୍ଞ ହୋଇଥିଲା । ହଜାର ହଜାର ସାଧୁ ସନ୍ନ୍ୟାସୀ ଏଠାକୁ ଆସିଥିଲେ । ତା’ର ନିଦର୍ଶନ ସେହିଭଳି ଏପର୍ଯ୍ୟନ୍ତ ରହିଛି । ହୁଏତ ସେ ଯଜ୍ଞପରେ ପ୍ରଥମ ଆମରି ପାଦ ପଡ଼ିଛି । ଆମ ପୂର୍ବରୁ ଆଉ କେହି ଏଠାକୁ ଆସି ନ ଥିଲେ । ଯଦି କେହି ଆସିଥିବ ତେବେ ଏ ସ୍ଥାନର ମାହାତ୍ମ୍ୟ ବିଷୟରେ ମୋଟେ ପ୍ରଚାର ହୋଇ ନାହିଁ । ଏହି ନିକଟରେ ଆମ ଆଶ୍ରମ ଥିଲେ ମଧ୍ୟ ଆମେ କିଛି ଜାଣିନୁ ।

 

ମୁଁ ମୁଣ୍ଡ ଟୁଙ୍ଗାରି ତାଙ୍କ କଥାକୁ ସମ୍ମତି ଜଣାଉଥାଏ । ତା’ ପରେ ସେ କୁଣ୍ଡରୁ କିଛି ପାଉଁଶ ମୁଣ୍ଡରେ ମାରିଲୁ ଏବଂ ଆଉ କିଛି ଆଶ୍ରମକୁ ନେବାପାଇଁ ସଙ୍ଗରେ ଧରିଲୁ । ସେ ସ୍ଥାନରୁ ପୁଣି କିଛିବାଟ ଜଙ୍ଗଲ ଭିତରେ ବୁଲିଲୁ, ମାତ୍ର ଆଉକିଛି ଦୁଷ୍ଟିଗୋଚର ହେଲାନାହିଁ । ତେଣୁ ସନ୍ଧ୍ୟା ପୂର୍ବରୁ ଆଶ୍ରମକୁ ଫେରି ଆସିଲୁ ।

 

ସନ୍ଧ୍ୟା ଅତୀତ ହେବା ପରେ ଯେତେବେଳେ ଆମେ ସମସ୍ତେ ଏକାଠି ବସିଲୁ ଏବଂ ଗୁରୁ ଶାସ୍ତ୍ରର ନିଗୂଢ଼ ତତ୍ତ୍ୱ ସରଳ ଭାବରେ ବୁଝାଇବାକୁ ଆସିଲେ ସେତେବେଳେ ମୁଁ ସେହି ଯଜ୍ଞ ବିଷୟ ପ୍ରଶ୍ନ କଲି । ସେ ମୋ ଆଡ଼କୁ ଟିକିଏ ନିରୀକ୍ଷଣ କରି ଅନାଇ କହିଲେ ‘ମୁଁ ଜାଣେ ତୁମେ ଜଣେ ବିଶିଷ୍ଟ ବ୍ୟକ୍ତି ହେବ । ସେ ଯଜ୍ଞ ଭୂମିଦେଇ ମୁଁ ଅନେକଥର ଶିଷ୍ୟମାନଙ୍କ ସହିତ ବୁଲୁଛି । ମାତ୍ର ଥରକ ପାଇଁ ବି କାହାରି ସେ ଯଜ୍ଞଭୂମି ଦୃଷ୍ଟିଗୋଚର ହୋଇ ନାହିଁ । ବିଶୁଦ୍ଧାନନ୍ଦ ଓ ତୁମର କିଛି କିଛି ଜ୍ଞାନ ସଂଚାର ହେଲାଣି । ତେଣୁ ତୁମେ ସେ ଭୂମି ଦେଖିବାକୁ ପାଇଲ । ତାହା ଏକ ପବିତ୍ର ଭୂମି । ପୂର୍ବେ ଆର୍ଯ୍ୟ ଋଷିମାନେ ସେଠାରେ ବିଶ୍ୱର ମଙ୍ଗଳ ପାଇଁ ଯଜ୍ଞ କରୁଥିଲେ; କିନ୍ତୁ ଏକଦା ଜଣେ ତାନ୍ତ୍ରିକ ସେଠାରେ ତନ୍ତ୍ର ଉପାସନା କରି ଯଜ୍ଞଭୂମିରେ ମଦ, ମାଂସ ଇତ୍ୟାଦି ଦେବୀଙ୍କୁ ଭୋଗ ଲଗାଇବାରୁ ଆର୍ଯ୍ୟଋଷିମାନେ ସେ ସ୍ଥାନ ପରିତ୍ୟାଗ କରି ଅନ୍ୟତ୍ର ହୋମ ପୂଜାର ବନ୍ଦୋବସ୍ତ କଲେ । ସେହିଦିନଠାରୁ ପ୍ରାୟ ତଥାପି ଏପର୍ଯ୍ୟନ୍ତ ସେ ଭୂମିରେ କେବଳ କୁଶ ଛଡ଼ା ଅନ୍ୟ କିଛି ଜନ୍ମି ନାହିଁ ।

 

ସେହିଦିନଠାରୁ ଗୁରୁଙ୍କର କର୍ତ୍ତବ୍ୟ ମୋ ପ୍ରତି ବୃଦ୍ଧି ପାଇଥିବାର ମୁଁ ହୃଦୟଙ୍ଗମ କଲି ମୁଁ ଆଗରୁ ପ୍ରାଣାୟାମ କରୁଥାଏ । ମୋ ମନର ଦୃଢ଼ତା ଥାଏ ଅସମ୍ଭବ । ଅହିଂସା, ସତ୍ୟନିଷ୍ଠା, ଆସ୍ତେୟ, ବ୍ରହ୍ମଚର୍ଯ୍ୟ ଓ ଅପରିଗ୍ରହ ଏହି ପାଞ୍ଚ ପ୍ରକାର ଯମ ମୁଁ ଅଭ୍ୟାସ କରିଥାଏ । ଗୁରୁଙ୍କ ନିର୍ଦ୍ଦେଶମତେ କ୍ଷିତି, ଅପ୍‌, ତେଜ, ମରୁତ୍‌ ଓ ବ୍ୟୋମ ଦ୍ୱାରା ବାହ୍ୟିକ ଶୁଦ୍ଧି ଓ ଭାବ ଦ୍ୱାରା ଅନ୍ତଃଶୃଦ୍ଧି, ସନ୍ତୋଷ, ତପସ୍ୟା, ସ୍ୱାଧ୍ୟାୟ, ଭଗବତ୍‌ ଚିନ୍ତା ଆଦି କଲି । ଏହାପରେ ଚିତ୍ତ ସଂଯମ କରିବାକୁ ପ୍ରତିପକ୍ଷ ଭାବନା, ମୈତ୍ରୀ, କରୁଣା, ମୁଦ୍ରିତା ଓ ଉପେକ୍ଷାର ଆଶ୍ରୟ ନେବାକୁ ହେଲା । ତା’ପରେ ଦୀର୍ଘ ସମୟ ଧରି ପ୍ରାଣୟାମ କଲି । ଧୀରେ ଧୀରେ ଅଧଘଣ୍ଟାରୁ ଅଧିକ ସମୟ ପୁରକରେ ବାୟୁରୋଧ କରିପାରିଲି । ବେଳେ ବେଳେ ପ୍ରାଣାୟାମ ସାହାଯ୍ୟରେ ଭୂମିଠାରୁ ଊର୍ଦ୍ଧ୍ୱକୁ କିଛିଦୂର ଉଠିଯାଇ ସେହି ଶୂନ୍ୟରେ କିଛି ସମୟ ସ୍ଥିରଭାବେ ବସି ପାରିଲି । ସେହି ସମୟରେ ମୁଁ ଗୋଟାଏ ଅପୂର୍ବ ଜ୍ୟୋତି ଦେଖିବାକୁ ପାଏ । ମୋର ଯୋଗ ଯେତେ ଦୃଢ଼ ହେଉଥାଏ ମୁଁ ସେତେ ସ୍ପଷ୍ଟଭାବେ ଜ୍ୟୋତିକୁ ଦର୍ଶନ କରୁଥାଏ ।

 

ପ୍ରାଣାୟାମ ଦ୍ୱାରା ଦିନ ଦିନ ଧରି ମୁଁ ମଧ୍ୟ ନିଶ୍ୱାସ ରୋଧ କରିପାରେ । ଏହାଦ୍ୱାରା କ୍ଷୁଧା, ତୃଷ୍ଣା, ଶୀତ, ଗ୍ରୀଷ୍ମ କୌଣସିଟା ମୋତେ କଷ୍ଟ ଦେଇପାରେ ନାହିଁ । ମୋର କଠୋର ସାଧନା ଦେଖି ଗୁରୁ ବଡ଼ ଆନନ୍ଦିତ ହେଉଥାନ୍ତି । ଦିନେ ମୋର ଗୁରୁଭାଇମାନଙ୍କ ମଧ୍ୟରୁ ଜଣେ କହିଲେ ତୁମ ଯୋଗୁ ଏ ଆଶ୍ରମ ପବିତ୍ର ହୋଇଛି । ଆମେ ନିତି ଦେଖୁଛୁ ତୁମେ ଧ୍ୟାନରତ ଥିଲାବେଳେ ଗୋଟାଏ ଅଦ୍ଭୁଦ ଜ୍ୟୋତିରେ ଉଦ୍‌ଭାସିତ ହୋଇ ଉଠୁଛ । ଯାହାକି ଆମେ କେହି କେବେ କେଉଁଠି ଦେଖି ନାହୁଁ ।

 

ବେଳେବେଳେ ଆଶ୍ରମ ଛାଡ଼ି ମୁଁ ଘୋର ଜଙ୍ଗଲ ଭିତରେ ପ୍ରବେଶ କରୁଥିଲି ଏବଂ ସେହି ନିବିଡ଼ ଜଙ୍ଗଲ ଭିତରେ ଧ୍ୟାନମଗ୍ନ ହେଉଥିଲି । ଏପରିକି ଦୁଇ ତିନିଦିନ ଧରି ମଧ୍ୟ ମୁଁ ଧ୍ୟାନମଗ୍ନ ରହୁଥିଲି । ଆଶ୍ରମର ସମସ୍ତ ନିୟମ ମୋ ପାଇଁ ଲାଗୁ ହେଉ ନଥିଲା । ମୋର ଅନୁପସ୍ଥିତିରେ ଗୁରୁ ମଧ୍ୟ ବ୍ୟସ୍ତ ହେଉ ନଥିଲେ । କାରଣ ଥରେ ସେ ମୋତେ ଖୋଜିବାକୁ ଯାଇ ଦେଖିଲେ ମୁଁ ଧ୍ୟାନମଗ୍ନ ଅଛି ଏବଂ ମୋ ଚାରିପାଖ ଯାକ ସାତଟା ବାଘ ଜଗି ବସିଛନ୍ତି । ସେ କିଛି ସମୟ ଅପେକ୍ଷା କରି ଦେଖିଲେ ପ୍ରତ୍ୟେକ ବ୍ୟାଘ୍ର ମୋତେ ପ୍ରଦକ୍ଷିଣ କରି ଚାଲି ଯାଉଛନ୍ତି । ମୁଁ କିନ୍ତୁ ନିର୍ବିକାର ଚିତ୍ତରେ ସେହିଠାରେ ବସି ରହିଛି ।

 

ମୁଁ ଅଧିକାଂଶ ଦିନ ଜଙ୍ଗଲ ଭିତରକୁ ଯାଇ ଧ୍ୟାନମଗ୍ନ ରହୁଥିଲି । ସେହି ଜଙ୍ଗଲଭିତରେ ଗୋଟିଏ ଝରଣାକୂଳରେ ଖଣ୍ଡେ ସମତଳ ପଥରଚଟାଣ ଉପରେ ବସି ମୁଁ ନିତି ଧ୍ୟାନ ମଗ୍ନ ହୁଏ । ଦିନେ ସେଠାରେ ପହଞ୍ଚି ଧ୍ୟାନମଗ୍ନ ହେବାକୁ ଚେଷ୍ଟା କଲି । ଆଶ୍ଚର୍ଯ୍ୟ କଥା, ଯାହା ମୁହୂର୍ତ୍ତଭିତରେ ହେବାର କଥା ତାହା ଘଣ୍ଟା ଘଣ୍ଟା ଧରି ଚେଷ୍ଟା କରି ମଧ୍ୟ ବିଫଳ ହେଲି । ମନ ମୋର ଏକନିଷ୍ଠ ମୋଟେ ହୋଇ ପାରୁ ନ ଥାଏ । ପ୍ରାଣାୟାମ କଲାବେଳେ ନାନା ପ୍ରକାର ଭୁଲ, ହୋଇ ଯାଉଥାଏ । ଶେଷରେ ନିଷ୍ଫଳ ହୋଇ ଉଠିଲି ଯିବାକୁ । ଠିକ୍‌ ଏତିକିବେଳେ କାହାର ଗୋଟିଏ ବିଦ୍ରୂପ ହସ ମୋତେ ଆଶ୍ଚର୍ଯ୍ୟ କରି ପକାଇଲା । କିଛିକ୍ଷଣ ଚାରି ଆଡ଼କୁ ଚାହିଁ ଦେଖିଲି ଜଣେ ଶ୍ୱେତକାୟ ରକ୍ତାମ୍ବର ପରିହିତ ବ୍ୟକ୍ତି ଗୋଟାଏ ମହାବଳ ବ୍ୟାଘ୍ର ଉପରେ ଉପବେଶନ କରି ମୋ ଆଡ଼କୁ ଚାହିଁ ବିଦ୍ରୂପ କରି କହିଲେ କ’ଣ ଯୋଗ ହେଲା ନାହିଁ ? ମୂର୍ଖ ମହାମାୟାଙ୍କ ପୂଜା କରିଛୁ । ମୁଁ ମୁଣ୍ଡ ହଲାଇ ନାହିଁ କଲି । ସେ ପୁଣି ହସି ହସି କହିଲେ ତନ୍ତ୍ର-ସାଧନା କରିଛୁ ? ମୁଁ ମୁଣ୍ଡ ହଲାଇ ନାସ୍ତି କଲି । ସେ ପୁଣି ହସି ଉଠିଲେ ।

 

ଯୋଗଠାରୁ ତନ୍ତ୍ରସାଧନା ବଡ଼ ନୁହେଁ ତାହା କହିବା ଦୁଃସାଧ୍ୟ । ଯୋଗ ମଧ୍ୟ ତନ୍ତ୍ରର ଏକ ଅଙ୍ଗ । ସେ ଯୋଗ କିନ୍ତୁ ତନ୍ତ୍ରାନୁମୋଦିତ ନୁହେଁ, ମାତ୍ର ଅଲୌକିକ ଶକ୍ତି ତନ୍ତ୍ର-ସାଧନଦ୍ୱାରା ଦେଖାଇ ହେବ । ଯାହାଦ୍ୱାରା ସାରା ବିଶ୍ୱକୁ ପଦାନତ ମୁହୂର୍ତ୍ତକ ଭିତରେ କରିହେବ । ପ୍ରତ୍ୟେକ ସାଧନାର ଅନ୍ତର୍ଭୁକ୍ତ । ଖାଲି ମନ୍ତ୍ର ପଢ଼ି କେହି କେବେ କିଛି କରି ପାରେ ନାହିଁ । ସାପୁଆ କେଳା ଯେପରି ସାପକୁ ପୋଷା ମନାଇଲା ପରେ ସେ ତାକୁ ବାହାରକୁ ନେଇ ଲୋକଙ୍କ ଆଗରେ ପଦ୍ମତୋଳା ବୋଲି ଖେଳାଇ ବାହାବା ନେଇ ଥାଏ, ଠିକ୍‌ ସେହିପରି ମନ୍ତ୍ରକୁ ପ୍ରଥମେ ନିଜର ଆୟତ୍ତକୁ ଆଣିବାକୁ ହୁଏ । ତାହା ମଧ୍ୟ ଏତେ ସହଜ ନୁହେଁ । ସାଧକର ଜନ୍ମ ଜନ୍ମ ବିତିଗଲେ ମଧ୍ୟ ମନ୍ତ୍ର କରାୟତ୍ତ ନ ହେଉଥିବା ମୁଁ ଜାଣିଛି । ଖୁବ୍‌ କ୍ୱଚିତ୍‌ ଲୋକ ଅଛନ୍ତି ଯେ କି ଅଳ୍ପ ସମୟ ମଧ୍ୟରେ ତନ୍ତ୍ରକୁ କରାୟତ୍ତ କରି ପାରିବାକୁ ସମର୍ଥ ହେଉଛନ୍ତି ।

 

ତନ୍ତ୍ର-ସାଧକ ହସି ହସି ତଳୁ ପୁଳାଏ ବାଲିଧରି ଦୂରକୁ ଫିଙ୍ଗିଦେବା ମାତ୍ରେ ତାହା ହୁ ହୁ ହୋଇ ଜଳିବାକୁ ଲାଗିଲା । ପୁଣି ମୁଠାଏ ବାଲି ଉପରକୁ ଫିଙ୍ଗି ଦେବାରୁ ଆକାଶରୁ ଭୁଷ୍‌ ଭୁଷ୍ ହୋଇ ପାଣି ବର୍ଷିବାକୁ ଲାଗିଲା । ସେ ଖାଲି ପାଗଳଙ୍କ ପରି ହୋ ହୋ ହସୁଥାନ୍ତି ଏବଂ ବିଭିନ୍ନ ଐନ୍ଦ୍ରଜାଲିକ ବିଦ୍ୟା ଦେଖାଇ ଚାଲୁଥାନ୍ତି । ସେ ତାଙ୍କ ବିଦ୍ୟାର ପରାକାଷ୍ଠା ଦେଖାଇ ମୋ ମନକୁ ତାଙ୍କ ଆଡ଼କୁ ଟାଣି ନେବାକୁ ଚେଷ୍ଟା କଲାବେଳେ ମୁଁ ଆଖି ବୁଜି ଧ୍ୟାନମଗ୍ନ ହେଲି । ଦୀର୍ଘ ସମୟ ଧରି ଯାହା ଚେଷ୍ଟା କରି ପାରୁ ନ ଥିଲି, ମୁହୂର୍ତ୍ତକ ଭିତରେ ମୁଁ କିପରି ଧ୍ୟାନମଗ୍ନ ହେଲି ତାହା ସେତେବେଳେ ଜାଣିବା କଷ୍ଟ ଥିଲା ।

 

ପ୍ରଥମେ ମନକୁ ଆୟତ୍ତ କରି ପ୍ରାଣ-ପବନକୁ ହୃଦୟ ଭିତରେ ରୁନ୍ଧି ସମାଧିସ୍ଥ ହେଲା ପରେ ବିଶ୍ୱରେ ଆଉ କ’ଣ ହେଉଛି ନ ହେଉଛି ତାହା ଆଉ ଜଣା ପଡ଼ିବ କେଉଁଠୁ ? ମୁଁ ଅନେକ ସମୟ ଧରି ଧ୍ୟାନ ମଗ୍ନ ହେଲି । ଯେତେବେଳେ ମୋର ଧ୍ୟାନ ଭାଙ୍ଗିଲା ସେତେବେଳେ ଦେଖିଲି ତନ୍ତ୍ର ସାଧକ ମୋ ଆଡ଼କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଛନ୍ତି । ଆଶ୍ଚର୍ଯ୍ୟ ହେବାର କାରଣ ତାଙ୍କର ଯଥେଷ୍ଟ ଥିଲା । କାରଣ ସମାଧିସ୍ଥ ହେବା ପରେ ତାଙ୍କର ସକଳ ପ୍ରକାର ମନ୍ତ୍ର-ଶକ୍ତି ହାର ମାନିଛି ମୋତେ ଧ୍ୟାନରୁ ବିଚ୍ୟୁତ କରିବାକୁ । ମୁଁ ଧ୍ୟାନରୁ ଉଠି ତାଙ୍କ ପଦପ୍ରାନ୍ତରେ ନମସ୍କାର କଲି । ସେ ହାତ ଉଠାଇ ଆଶିଷ ଦେଲେ । ତା’ ପରେ ସେ ମୋତେ ସଙ୍କେତ ଦେଲେ ତାଙ୍କ ସହିତ ଯିବାକୁ । ଦ୍ୱିଧା କରିବାର ମୋର କିଛି ନ ଥିଲା । ମୁଁ ଚାଲିଲି ତାଙ୍କ ପଛେ ପଛେ ।

 

ଜୀବନପଥର ଏଇ ଛକି ଉପରେ ହିଁ ଆରମ୍ଭ ହେଲା ମୋର ବିରାଟ ପରିବର୍ତ୍ତନ । ଏଇଠି ମୁଁ ତେଲ ଲୁଣର ଦୁନିଆ ଛାଡ଼ି ଯେଉଁ ନୂଆ ଦୁନିଆରେ ପ୍ରବେଶ କଲି ତା’ ହୁଏତ ମୋ ଜୀବନୀର ପାଠକଙ୍କ ନିକଟରେ ଦୁଃସ୍ୱପ୍ନ ପରି ମନେ ହେବ ।

 

ଆମର ଦୃଶ୍ୟମାନ ଜଗତ୍‌ ବାହାରେ ଆଉ ଗୋଟିଏ ଜଗତ୍‌ ଅଛି ଯାହାକି ଏ ହସ କାନ୍ଦର ଜଗତଠାରୁ ଯଥେଷ୍ଟ ବଡ଼, ଯଥେଷ୍ଟ ପରିବ୍ୟାପ୍ତ । କିନ୍ତୁ ତା’ର ବ୍ୟାପକତା ଆମରି ମନ ଓ ପ୍ରାଣ ମଧ୍ୟରେ ସୀମିତ । ତେଣୁ ସେଇ ଆଭ୍ୟନ୍ତରୀଣ ଅଦୃଷ୍ଟ ଜଗତର ରହସ୍ୟ ଭେଦ କରି ଶାଶ୍ୱତ ଲକ୍ଷ୍ୟରେ ପହଞ୍ଚିବା ଲାଗି ଯୁଗ-ଯୁଗ ଧରି ଏ ଦେଶରେ ସାଧକ ବିଭିନ୍ନ ସାଧନାର ପଥ ଅନ୍ୱେଷଣ କରି ଚାଲେ ।

 

ଆଧିଭୌତିକ ତନ୍ତ୍ର ସାଧନା ମଧ୍ୟରୁ ଅନ୍ୟତମ । ଅଦ୍‌ଭୁତ କ୍ରିୟା ସମ୍ପାଦନଦ୍ୱାରା ଚରମ ଭୌତିକ ସୁଖ ହିଁ ଏ ସାଧନାର ଲକ୍ଷ୍ୟ । ମହାକାଳୀ ହେଉଛନ୍ତି ଏ ସାଧନାର ଉପାସ୍ୟା ଦେବୀ । ସେ ଯେପରି ଭୟଙ୍କରୀ ସେହିପରି ସୌମ୍ୟା ।

 

ବହୁ ତାନ୍ତ୍ରିକର ସାଧନାର ଲୀଳାଭୂମି ଏହି ଭାରତରେ ତନ୍ତ୍ର ହୁଏତ ପରବର୍ତ୍ତୀ କାଳର ଏକ କୁସଂସ୍କାର ବା ପୁରାଣର ଆଖ୍ୟାୟିକାରେ ପରିଣତ ହୋଇଛି । ସାଧନାର କ୍ରମିକତା ଭାଙ୍ଗି ପଡ଼ିବା ଫଳରେ ତା’ର ବାସ୍ତବତା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ତଥାପି ହୁକୁମ୍‌ ବାଣ ପେଷଣ ଇତ୍ୟାଦି ନିମ୍ନସ୍ତରରେ ତନ୍ତ୍ର-ସାଧନାଗୁଡ଼ିକ ଅନେକ ସମୟରେ ବିରାଟ ତନ୍ତ୍ର-ଜଗତର ଆଂଶିକ ପରିଚୟ ଦେଇଥାଏ ।

 

ବହୁ ଅତିମାନସ ସାଧନା ପରି ତନ୍ତ୍ର ଯେ ଏକ ବିରାଟ ସତ୍ୟ ଓ ବାସ୍ତବତା ତା’ ମୋର ପରବର୍ତ୍ତୀ କାହାଣୀ ହିଁ କହିବ । ଆଉ ସେଇ କାହାଣୀ ହିଁ ହେବ ତନ୍ତ୍ର-ସାଧନା ନିରାଟତ୍ୱର ମୁଖପତ୍ର-

 

ତନ୍ତ୍ର ଶକ୍ତି ଆୟତ୍ତ କରିବାକୁ ମୋର ଖୁବ୍‌ ଇଚ୍ଛା ହେଲା ତେଣୁ ତାଙ୍କୁ ଗୁରୁବୋଲି ସ୍ୱୀକାରକରି ତନ୍ତ୍ରସାଧନା ଆରମ୍ଭ କଲି । ବିଭିନ୍ନ ସାଧନାରେ ନିଜକୁ ହଜାଇ ଦେଇ ବିଭିନ୍ନ ତନ୍ତ୍ର କରାୟତ୍ତ କରିବାରେ ମୋତେ ବେଶୀ କିଛି କଷ୍ଟ ସ୍ୱୀକାର କରିବାକୁ ପଡ଼ିଲା ନାହିଁ । ସମସ୍ତଙ୍କଠାରୁ ସାରତନ୍ତ୍ର ସ୍ତମ୍ଭନ, ମୋହନ, ବଶୀକରଣ ଉଚ୍ଚାଟନ; କିନ୍ତୁ ମୋର ସମ୍ୟକ୍‌ରୂପେ କରାୟତ୍ତ ହେଲା ନାହିଁ ।

 

ମୋର ଦିନେ ମନେ ହେଲା ବ୍ରହ୍ମ-ଉପାସନାଠାରୁ ତନ୍ତ୍ର ଉପାସନା କରିବା ମୋ ପକ୍ଷେ ଉଚିତ୍‌ ହେବ ନାହିଁ । ନିକୃଷ୍ଟ ତନ୍ତ୍ର ଶାସ୍ତ୍ରପାଇଁ ଯେତିକି ସମୟ ନଷ୍ଟ କରୁଛି ସେହି ସମୟରେ ମୁଁ ଯଦି ପ୍ରାଣାୟାମ ଯୋଗ ଇତ୍ୟାଦି କରୁଥାନ୍ତି ତେବେ ମୁଁ ଅନେକ ବାଟ ଈଶ୍ୱରଙ୍କ ନିକଟକୁ ଆଗେଇ ଯାଇଥାନ୍ତି । ଏହି ଧାରଣା ଧୀରେ ଧୀରେ ମନରେ ମୋର ଦୃଢ଼ୀଭୂତ ହେବାକୁ ଲାଗିଲା । ଫଳରେ ତନ୍ତ୍ର ପ୍ରତି ବିରକ୍ତି ଆସିଲା । ଏଥିପାଇଁ ଦିନେ ମୋର ସେହି ତନ୍ତ୍ରଗୁରୁ ଅନନ୍ତ ଭୈରବଙ୍କ ଆଶ୍ରମରୁ ବାହାରି ପଳାଇ ଗଲି । ଅନନ୍ତ ଭୈରବଙ୍କ ଆଶ୍ରମଟି ନିବିଡ଼ ଅରଣ୍ୟମଧ୍ୟରେ ଅବସ୍ଥିତ । ସେଠାରୁ ବାହାରି ଯେଉଁଆଡ଼କୁ ଗଲେ ମଧ୍ୟ ଭୀଷଣ ଜଙ୍ଗଲ, ନିହାତ୍‌ କମ୍‌ରେ ଆଠ ମାଇଲ୍‌ ପଡ଼ିବ । ସାଧକ ଅନନ୍ତ ଭୈରବଙ୍କ ପକ୍ଷେ ସବୁ ସମାନ । ସେ ପାଦୁକାମନ୍ତ୍ର ସିଦ୍ଧି କରିଥାନ୍ତି । ଯଦ୍ଦ୍ୱାରା ମୁହୂର୍ତ୍ତକ ମଧ୍ୟରେ ଶହ ଶହ ମାଇଲ୍‌ ଚାଲିଯାଇ ପାରନ୍ତି । ମୋ ପକ୍ଷରେ ଯିବା ସାଧାରଣ ମଣିଷଙ୍କ ଭଳି; ତେଣୁ ବନ୍ୟ ଜନ୍ତୁଙ୍କ ଯିବାପଥ ଯାହାକି ନିବିଡ଼ ଜଙ୍ଗଲଭିତରେ ରାସ୍ତା ପଡ଼ିଲା ପରି ହୋଇଥାଏ—ସେହି ପଥର ଆଶ୍ରୟ ନେଲି । ହିଂସ୍ରଜନ୍ତୁଙ୍କ ପ୍ରତି ଭୟ ମୋର ନ ଥାଏ । ମୁଁ ଜାଣେ ମୁଁ ଯେତିକି ମନ୍ତ୍ର ସିଦ୍ଧି କରିଛି ସେଥିରେ ହିଂସ୍ରଜନ୍ତୁ ମୋର କିଛି କରି ପାରିବେ ନାହିଁ । ମୁଁ ଗଲାବେଳେ ଦେଖୁଥାଏ ମୋରି ଆଗରେ ବାଘ, ହାତୀ, ଭାଲୁ ଇତ୍ୟାଦି ଚାଲିଯାଉଥାନ୍ତି । ମୋ ପ୍ରତି ସେମାନଙ୍କର ବିଦ୍ୱେଷ ନ ଥାଏ, ତନ୍ତ୍ରର ଅଦ୍ଭୁତ ଶକ୍ତି ଉପରେ ମୋର ଅବିଶ୍ୱାସ ନ ଥାଏ; କିନ୍ତୁ ତାନ୍ତ୍ରିକ ହୋଇ ତନ୍ତ୍ର ଦ୍ୱାରା କୌଣସି ବିଷୟ ସିଦ୍ଧି କରିବା ଅପେକ୍ଷା ଯୋଗ ପ୍ରାଣାୟମ ଯାହାକି କେତେବର୍ଷ ହେଲା ଶିକ୍ଷା କରି ଅଭ୍ୟାସ କରି ଆସିଛି ତାହା ମୋ ପକ୍ଷରେ ସହଜ ଓ ଶ୍ରେୟସ୍କର ବୋଲି ମନେହେଲା ।

 

ମୁଁ ସେହି ଭୀଷଣ ଜଙ୍ଗଲଭିତରେ ଚାଲୁ ଚାଲୁ ଅନ୍ଧାର ମାଡ଼ି ଆସିଲା ଏବଂ ସେହି ଅନ୍ଧାରରେ ହଠାତ୍‌ ଏକ ଆଲୋକ ଦେଖିବାକୁ ପାଇଲି । ଦୃଢ଼ ପଦରେ ଆଗେଇ ଗଲି ସେହି ଆଲୋକବତି ଆଡ଼କୁ । ଠିକ୍‌ ଆଲୋକ ପାଖରେ ପହଞ୍ଚିଲା ବେଳକୁ ହଠାତ୍‌ ଆଲୋକ ଲିଭିଗଲା । ରାତିର ଭୀଷଣ ଅନ୍ଧକାରରେ ମୋତେ ଟିକିଏ ଅପେକ୍ଷା କରିବାକୁ ପଡ଼ିଲା । ତା’ ପରେ ଠିକ୍‌ ମୋ ମାତୃଭାଷା ଓଡ଼ିଆରେ ଶୁଣିବାକୁ ପାଇଲି ତୁମକୁ ଅପେକ୍ଷା କରି ମୁଁ ଏଠାରେ ଠିଆ ହୋଇଛି । ଶୀଘ୍ର ମୋ ପଛେ ପଛେ ଆସ । ସଙ୍ଗେ ସଙ୍ଗେ କାହାର ପଦଶବ୍ଦ ଆଗକୁ ଆଗକୁଯାଉଥିବାର ଶୁଣିବାକୁ ପାଇଲି । ସେହି ଶବ୍ଦ ପଛେ ପଛେ ମୁଁ ଚାଲିଲି । ପ୍ରଥମେ ମୋ ମାତୃଭାଷା ଓଡ଼ିଆ ଶୁଣି ମୁଁ ଯେତିକି ବିସ୍ମିତ ହୋଇଥିଲି ତାଠୁଁ ଅଧିକ ବିସ୍ମିତ ହୋଇଥିଲି ମୋତେ ଅପେକ୍ଷା କରି କେହି ଜଣେ ରହିଥିବାରୁ । ଅନ୍ଧାରରେ ସେହି ଭୀଷଣ ଜଙ୍ଗଲଭିତରେ ପଦଶବ୍ଦକୁ ଅନୁସରଣ କରି ଗଲାବେଳେ କେତେ ନାହିଁ କେତେ ଭାବନା ମୋ ଭିତରେ ରାଜୁତି କରି ଚାଲୁଥାନ୍ତି । ଶେଷରେ ହଠାତ୍‌ ଦେଖିଲି ଏକ ବିରାଟ ପ୍ରସ୍ତର ଆମ ଆଗରେ । ସେଇଠାରେ ମୋତେ ଅପେକ୍ଷା କରି ରହିଥିବା ମହାପୁରୁଷଙ୍କ ଅସ୍ପଷ୍ଟମୂର୍ତ୍ତୀ ଦେଖିବାକୁ ପାଇଲି । ସେ ସେଇଠି ଠିଆ ହୋଇ ସେହି ବିରାଟ ପଥରଟିକୁ ନିଜହାତରେ ଅନାୟାସରେ ଟେକି ଦେଲେ । ମୁଁ ଦେଖିବାକୁ ପାଇଲି ପଥର ତଳେ ଏକ ବିରାଟ ଗହ୍ୱର ଲୁଚି ରହିଥିଲା । ସେ ମୋତେ ନିର୍ଦ୍ଦେଶ ଦେଲେ ସେହି ଗହ୍ୱର ଭିତରେ ପ୍ରବେଶ କରିବାକୁ । ଭୀଷଣ ଅନ୍ଧକାର ଭିତରେ ମୁଁ ସେହି ଗହ୍ୱର ମୁହଁକୁ ଆଗେଇ ଯାଇ ଦେଖିଲି ଗହ୍ୱରଭିତରଟି ଆଲୋକିତ ହୋଇଯାଇଛି । ବିନା ଦ୍ୱିଧାରେ ମୁଁ ଭିତରେ ପ୍ରବେଶ କଲି । କିଛିବାଟ ଗଲାପରେ ଦେଖିଲି କେତେ ଜଣ ସାଧୁ ପଦ୍ମାସନରେ ବସିଛନ୍ତି । ମୁଁ ଭୂମିଷ୍ଠ ପ୍ରଣାମ କଲି । ପ୍ରତ୍ୟେକ ହାତ ଉଠାଇ ଆଶୀର୍ବାଦ କଲେ । ତାଙ୍କ ଭିତରୁ ଜଣେ ଓଡ଼ିଆରେ କହିଲେ ତୁମେ ଆମରି ଭଳି ଯୋଗୀ ହେବାକୁ ଇଚ୍ଛାକର ଏହା ଆମେ ଜାଣିଛୁ । ତୁମେ ମଧ୍ୟ ହୃଦୟଙ୍ଗମ କରିଛି ଯୋଗରେ ବସିଲେ ସଂସାରର କୌଣସି ବିଷୟ ସ୍ପର୍ଶ କରି ପାରିବ ନାହିଁ । ତୁମେ ଅଳ୍ପ ସମୟ ଭିତରେ ଖୁବ୍‌ ଉଚ୍ଚ ସ୍ତରକୁ ଯାଇପାରିଛ; କିନ୍ତୁ ଏହାଠାରୁ ଆଉ ବେଶି କିଛି ବାଟ ଯାଇ ପାରିବ ନାହିଁ । ତୁମର ବହୁତ କାର୍ଯ୍ୟ ବାକି ଅଛି ଆମରି ସ୍ତର ପର୍ଯ୍ୟନ୍ତ ଆସିବାକୁ । ତୁମକୁ ସଂସାର ଅପେକ୍ଷା କରିଛି । ଯେତେବେଳେ ସଂସାରରେ ତୁମର କ୍ରିୟା ଅସମାପ୍ତ ରହିଛି ସେତେବେଳେ ତୁମେ ଆମଭଳି ହୋଇପାରିବ କିପରି ? ଆମେ ଆଶୀର୍ବାଦ କରୁଛୁ ତୁମେ ସଂସାରକୁ ଫେରିଯାଇ ସମ୍ମାନିତ ହୁଅ । ବହୁତ ହଟଚମଟ ଦେଖାଇ ଲୋକଜଗତକୁ ସ୍ତବ୍‌ଧ କରିଦିଅ । ତୁମର ବହୁତ କାମ ବାକି ଅଛି ତୁମେ ଫେରିଯାଅ । ବାକି କାମ ଶେଷ କରି ଫେରିଲା ପରେ ପ୍ରଥମେ ମୁଁ ତୁମକୁ ହିମାଳୟ ପାଦଦେଶରେ ଭେଟିବି ।

 

ଅନେକ କଥା ତାଙ୍କୁ ପଚାରିବାର ଥିଲେ ମଧ୍ୟ କୌଣସିଟା ପଚାରି ପାରିଲି ନାହିଁ । ଗୋଟାଏ ଅପୂର୍ବ ପୁଲକ ମୋ ଭିତରେ ମୁଁ ଅନୁଭବ କରୁଥାଏ । ମୁଁ ଯୋଡ଼ ହସ୍ତରେ ସେହି ଅମର ସାଧୁମାନଙ୍କ ଆଗରେ ବସି ଶୁଣୁଥାଏ ତାଙ୍କ ବାଣୀକୁ । ଶେଷରେ ସେ ମୋତେ ଆଦେଶ ଦେଲାଭଳି କହିଲେ, ‘‘ତୁମର ତ କିଞ୍ଚିତ୍‌ ସିଦ୍ଧି ହୋଇଛି । ଆମ ଭଳି ତ୍ରି କାଳଦର୍ଶୀ, ଇଚ୍ଛା କଲା ମାତ୍ରେ ବିଶ୍ୱର ଯେ କୌଣସି ସ୍ଥାନର ଅବସ୍ଥା ଦର୍ଶନ କରିବା ତୁମ ପକ୍ଷେ ବର୍ତ୍ତମାନ ସମ୍ଭବ ନୁହେଁ । ତୁମେ ଉଠ ଏଥର । ତୁମର କର୍ମ ଶେଷ କରି ତୁମେ ନିକଟରେ ପୁନର୍ବାର ଏଠାକୁ ଫେରିଆସ’’ ।

 

ମୁଁ ତାଙ୍କୁ ଭୂମିଷ୍ଠ ପ୍ରଣାମ କରି ଉଠିଲି । ବାହାରକୁ ଆସିବା ପାଇଁ ରାସ୍ତା ଖୋଲା ଥିଲା । ଠିକ୍‌ ମୁଁ ପଦାକୁ ବାହାରି ଆସିଲା ପରେ ସେହି ବିରାଟ ପଥରଟି ଗହ୍ୱରର ମୁହଁଟିକୁ ବନ୍ଦ କରିଦେଲା-। ସେ ପର୍ଯ୍ୟନ୍ତ ଅନ୍ଧାର ଛାଇ ହୋଇଥାଏ । ବାଟ ପାଇବାକୁ ମୁଁ ଟିକିଏ ଇତସ୍ତତଃ ହେଲି, ମାତ୍ର ପର ମୁହୂର୍ତ୍ତରେ ମୋର ଆଗଦେଇ ଗଛ ପତ୍ରକୁ ହଲାଇ କେହି ଜଣେ ଯାଉଥିବାର ଲକ୍ଷ୍ୟ କଲି-। ମୁଁ ଅନୁସରଣ କଲି ସେହି ସାଙ୍କେତିକ ଗତିକୁ । ସେହି ଜଙ୍ଗଲ ଭିତରର ଚଲା ବାଟରେ ପ୍ରାୟ ଦୁଇ ମାଇଲ୍‌ ହେବ ଗଲା ପରେ ଅଚାନକ ଭାବରେ ମୋର ତନ୍ତ୍ରଗୁରୁ ଅନନ୍ତଭୈରବଙ୍କୁ ଆଗରେ ଦେଖିଲି । ସେ ମୋତେ କିଛି କହିବା ପୂର୍ବରୁ ମୁଁ ତାଙ୍କ ପାଦ ପ୍ରାନ୍ତରେ ପଡ଼ି କ୍ଷମା ମାଗିଲି-। ସେ ହସି ହସି କହିଲେ ବ୍ୟସ୍ତ ହେବାର କ’ଣ ଅଛି । ଆଶ୍ରମକୁ ଫେରିଯାଅ । ମୁଁ ସବୁକଥା ତୁମର ଜାଣିଛି । ମା’ର ଅନୁଗ୍ରହ ତୁମ ଉପରେ ଅଛି । ତୁମେ ଦିନେ ବିରାଟ ସାଧକ ହେବ । ଏତିକି କହି ଗୋଟାଏ ଅସ୍ୱାଭାବିକ ହସ ହସି ଉଠିଲେ । ମୁଁ ଜାଣିଛି ପାଗଳଙ୍କ ପରି ହସିବା ତାଙ୍କର ଅଭ୍ୟାସ-। ଯାହାହେଉ ମୁଁ ତାଙ୍କ ପାଖରୁ ପଳାଇ ଆସିବା ଦ୍ୱାରା ସେ ବିରକ୍ତ ନୁହନ୍ତି । ଏହା ସ୍ପଷ୍ଟଭାବରେ ମୁହଁରୁ ଜଣା ପଡ଼ୁଥାଏ । ମୁଁ ଆଶ୍ରମ ଆଡ଼କୁ ଯିବାପାଇଁ ଗୋଡ଼ କାଢ଼ିଲାବେଳେ ସେ ପଛରୁ ଡାକି କହିଲେ ଆଶ୍ରମ ତ ଗୁଡ଼ାଏ ବାଟ, ଯିବ କିପରି ? ସତେ ସେ ସିନା ପାଦୁକାମନ୍ତ୍ର ଜାଣିଛନ୍ତି ଯାହାଦ୍ୱାରା ମୁହୂର୍ତ୍ତକ ଭିତରେ ଶହ ଶହ ମାଇଲି ଚାଲିଯିବେ, ମୁଁ ଯିବି କିପରି ?

 

ମୁଁ କିଛି କହିବା ପୂର୍ବରୁ ତିନୋଟି ତାଳି ମାଇଲେ । ସଙ୍ଗେ ସଙ୍ଗେ ଏକ କୃଷ୍ଣସାର ମୃଗ ତାଙ୍କ ପାଖରେ ଆଜ୍ଞା ପାଳିବାକୁ ହାଜର ହୋଇଗଲା । ସେ ଆଦେଶ ଦେଲେ ଏହାଙ୍କୁ ଆଶ୍ରମରେ ନେଇ ଛାଡ଼ିଆସ । ବିନା ଦ୍ୱିଧାରେ ସେ ମୋ ପାଖରେ ପହଞ୍ଚିଲା । ଘୋଡ଼ାରେ ବସିଲା ଭଳି ମୁଁ ତା ଉପରେ ବସିଲି । ସେ ଆଖି ପିଛୁଳାକେ ଧାଇଁ ଚାଲିଲା । ଖୁବ୍‌ ଅଳ୍ପ ସମୟରେ ମୋତେ ସେ ଆଶ୍ରମରେ ପହଞ୍ଚାଇ ଦେଲା । ମୋ ପହଞ୍ଚିବା ଆଗରୁ ଅନନ୍ତଭୈରବ ପହଞ୍ଚି ସାରିଥିଲେ । ସେ ମୋତେ ଦେଖି ଖୁବ୍‌ ଗମ୍ଭୀର ହୋଇ ଆଦେଶ ଦେଲେ ତାଙ୍କ ଆଗରେ ବସିବାକୁ । ମୁଁ କୁଶାସନରେ ବସିଲି । ସେ ମୋ ଆଡ଼କୁ କଟମଟ କରି ଅନାଇ କହିଲେ, ‘ତୁ କ’ଣ ଚାହୁ’ ? ମୁଁ ଟିକିଏ ଶଙ୍କିତ ଗଳାରେ ଉତ୍ତର ଦେଲି—ମୁଁ ଈଶ୍ୱରଙ୍କୁ ଦେଖିବାକୁ ଚାହେ ।

 

ତୁ ଈଶ୍ୱରଙ୍କୁ ଦେଖିବାକୁ ଚାହୁଁ ? ହେଇ ଦେଖ ଏ ସାରା ବିଶ୍ୱ ହିଁ ଈଶ୍ୱର । ଈଶ୍ୱରଙ୍କ ଛଡ଼ା ଏ ବିଶ୍ୱରେ ଆଉ କାହାର ଅସ୍ତିତ୍ୱ ଅଛି ? ଅଣୁଠାରୁ ପରମାଣୁ ପର୍ଯ୍ୟନ୍ତ ସବୁଥିରେ ସେ ପୂରି ରହିଛନ୍ତି । ସମସ୍ତ ଶକ୍ତିର ଆଧାର ସେ । ତୁ ଯଦି ତାଙ୍କୁ ଦେଖିବାକୁ ଚାହୁ ଚାଲ୍‌ ତୋତେ ଦେଖାଇ ଦେବି । ଏହା କହି ଧଡ଼୍‌ କରି ଉଠିପଡ଼ିଲେ ।

 

ମୁଁ ଭଲରୂପେ ଜାଣେ ଯେ କୌଣସି ଅଦ୍ଭୁତ ଜିନିଷ ଦେଖାଇବା ତାଙ୍କ ପକ୍ଷେ କିଞ୍ଚିତ୍‌ ମାତ୍ର । ସେ ଧାଇଁଗଲେ ତାଙ୍କ ସାଧନାପୀଠକୁ । ସ୍ତୂପୀକୃତ ଅସ୍ଥି-କଙ୍କାଳର ଗୋଟିଏ କଡ଼ରେ ତାଙ୍କର ଖଣ୍ଡିଏ ବ୍ୟାଘ୍ରଚର୍ମ ପଡ଼ିଥାଏ । ସେହି ବ୍ୟାଘ୍ରଚର୍ମ ଆସନ ଆଗରେ ମହା ଭୈରବୀ କାଳୀଙ୍କ ମୂର୍ତ୍ତି—ପଥରମୂର୍ତ୍ତି ହେଲେ ମଧ୍ୟ ଦେହରେ ପ୍ରାଣ ସଞ୍ଚାର ହେଉଥିଲା ପରି ବୋଧ ହେଉଥାଏ । ଅନନ୍ତଭୈରବ ତାଙ୍କ ଆସନରେ ବସି ଟିକିଏ ଧ୍ୟାନମଗ୍ନ ହେଲେ; ତତ୍ପରେ ପାଗଳଙ୍କ ପରି କହି ଉଠିଲେ ‘ମା’ ଏ ମୂର୍ଖଟା ତୋତେ ଟିକିଏ ଦେଖିବାପାଇଁ ଚାହୁଛି । ତୁ ଟିକିଏ ଦେଖାଦେ । ଏହିପରି କହି ଉଠିଲାବେଳେ ତାଙ୍କ ଲୋମଗୁଡ଼ିକ ଟାଙ୍କୁରି ଗଲା । ଆଖିରୁ ଧାରଧାର ହୋଇ ବହି ଚାଲିଲା ଲୁହ । ଟିକିକ ପରେ ଏକ ବିରାଟ ଘଡ଼ଘଡ଼ି ମାରିଲା ଭଳି ଶବ୍ଦ ହେଲା । ମୋର ମନେ ହେଲା ସେ ଶବ୍ଦ ଯେପରି ପୃଥିବୀକୁ ଦୁଲୁକାଇ ଦେଉଛି । ସାରା ଜଙ୍ଗଲର ଗଛ ପତ୍ର ଦୋହଲି ଗଲା । ମନେ ହେଲା ପ୍ରଭଞ୍ଜନ ଆକାଶର ରଙ୍ଗମଞ୍ଚ ଛାଡ଼ି ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସିଛି । ଦେଖୁ ଦେଖୁ ସେହି ପ୍ରସ୍ତର ମୂର୍ତ୍ତି ଅଟ୍ଟହାସ୍ୟ କରି ଉଠିଲା । ତା’ର ଅଟ୍ଟହାସ୍ୟ ସହିତ ଅନନ୍ତ ଭୈରବଙ୍କ ଅଟ୍ଟହାସ୍ୟ ମିଳିତ ହେଲା । ଅନନ୍ତଭୈରବ ପାଗଳଙ୍କ ପରି ନାଚି ଉଠିଲେ । ସତେ ଯେପରି ମହାଯୋଗୀ ଭୈରବ ସତୀଙ୍କ ବିହୁନରେ ତାଣ୍ଡବ ଆରମ୍ଭ କରିଛନ୍ତି । ଶକ୍ତିର ବରପୁତ୍ର ସେ । ପ୍ରସ୍ତରମୂର୍ତ୍ତିରେ ମହାମାୟାଙ୍କ ଆବିର୍ଭାବରେ ଉତ୍‌ଫୁଲ୍ଲ ହୋଇ ଉଠିଲେ ।

 

ଆଶ୍ଚର୍ଯ୍ୟ କଥା ସେହି ପ୍ରସ୍ତର କାଳୀମୂର୍ତ୍ତି ବଦଳରେ ଦେଖିବାକୁ ପାଇଲି ଏବ ଅପୂର୍ବ ଚିନ୍ମୟ ମୂର୍ତ୍ତି । ସେ ମୋତେ ଅନାଇ କହିଲେ ‘ତୁ ଚାହୁଁଥିଲୁ ମୋତେ ଦେଖିବାକୁ ? ମୁଁ ପରା ସବୁବେଳେ ତୋ ପଛେ ପଛେ ଅଛି । ମୁଁ ଲମ୍ୱ ହୋଇପଡ଼ିଗଲି ସେହି ଚିନ୍ମୟୀ ମାତୃମୂର୍ତ୍ତି ଆଗରେ । ଠିକ୍‌ ମଣିଷ ଭଲି ସେ ଡାକି କହିଲେ, ‘ଉଠ୍‌ରେ, ମୁଁ ଜାଣେ ତୁ ମୋତେ ଭୁଲିନାହୁଁ । ତୁ ଆଉ ବ୍ୟସ୍ତ ହେବୁ ନାହିଁ । ଏଣିକି ମୋ ପାଖରେ ବସି ନିତି ଚଣ୍ଡି ପାଠ କରିବୁ’ ।

 

ମୁଁ ତଳୁ ଉଠି ଦେଖିଲି ସେହି ଅପୂର୍ବ ଜ୍ୟୋତିରେ ଉଦ୍ଭାସିତ ଚିନ୍ମୟୀ ମାତୃ ମୂର୍ତ୍ତି ସେହି ମୃଣ୍ମୟୀ ପ୍ରସ୍ତରମୂର୍ତ୍ତି ଭିତରେ ଉଭେଇ ଗଲେ । ମୁଁ ମଧ୍ୟ ଅନନ୍ତଭୈରବଙ୍କ ଭଳି ମା’ ମା’ ବୋଲି ଚିତ୍କାର କରି ଉଠିଲି । ମୋତେ ଜଣାଗଲା ସେହି ମୃଣ୍ମୟୀ ମୂର୍ତ୍ତିଭିତରୁ ଚିନ୍ମୟୀ ମୂର୍ତ୍ତି ହସି ଉଠି କହୁଛି ମୁଁ ପରା ତୋର ଆଗରେ ।’

 

ସେହିଦିନଠାରୁ ପ୍ରତିଦିନ ତ୍ରିସନ୍ଧ୍ୟା ଚଣ୍ଡୀ ପାଠ କଲି । ମା’ର ଲୀଳା କୀର୍ତ୍ତନ କରିବାରେ ମୋର ସମୟ ଅତିବାହିତ ହେଲା ।

 

ଦୁଷ୍ମନ୍ତ ଓ ସୁଶାନ୍ତର କବର ଉପରେ ଆରମ୍ଭ ହେଲା ମୋର ତନ୍ତ୍ରସାଧନା, ବ୍ରହ୍ମକୁ ପ୍ରତ୍ୟକ୍ଷୀଭୃତ କରି ସିଦ୍ଧିଦାତ୍ରୀ ବରଦାକୁ ମୋର ନିଷ୍କାମ ଉପାସନା ମଧ୍ୟରେ ସକାମ କରିବାର ଅନାହତ ଉଦ୍ୟମ—ଶ୍ମଶାନରେ ମତ୍ସ୍ୟ, ମୈଥୁନ, ମୁଦ୍ରା, ମଦ, ମାଂସ ଆଦି ବିବିଧ ଦ୍ରବ୍ୟ ନେଇ ମୁଁ ଖେଳିଲି ମୋ ଜୀବନକୁ ଏକ ଅଭିନବ ପଥରେ ପରିଚାଳିତ କରି । ଷୋଡ଼ଶ ଉପଚାର, ମାନସୋପଚାର ଆଦିରେ କଲି ଆରଧନା—ସହସ୍ର ସହସ୍ର ଥର ମନ୍ତ୍ର ଉଚ୍ଚାରଣ ପରେ ପୁନର୍ବାର ପୁରଶ୍ଚରଣ କାର୍ଯ୍ୟ— ଦୁଷ୍ମନ୍ତ, ସୁଶାନ୍ତର ଖୋଳ ଭିତରେ ପ୍ରବେଶ କଲା ତନ୍ତ୍ରସାଧକ କାପାଳିକର ଆତ୍ମା । ଧୀରେ ଧୀରେ ଖୋଳରେ କାପାଳିକର ପୁଟ ଲାଗି ବିରୂପ କରିବାରେ ଆଗେଇ ଗଲା ।

 

ଚଣ୍ଡୀର ମହାନ୍‌ ତତ୍ତ୍ୱ ମୋତେ ଉଦ୍‌ବୁଦ୍ଧ କରି ତୋଳିଲା । ଚଣ୍ଡୀର ତ୍ରିମୂର୍ତ୍ତି ଦର୍ଶନ, ମହାଲକ୍ଷ୍ମୀ ରୂପର ବିଶେଷତ୍ୱ ତଥା ବିଶ୍ୱରୂପ ଦର୍ଶନ ଗୀତା ପରି ଏକ ଶ୍ରେଷ୍ଠ ଶାସ୍ତ୍ରଠାରୁ ମୋତେ ଅଧିକ ବାସ୍ତବ ଭଳି ଲାଗିଲା । ସର୍ବ ଦେବତାଙ୍କ ମହାତେଜରୁ ଯେଉଁ ମହାଦେବୀଙ୍କ ଆବିର୍ଭାବ ତାଙ୍କଠାରେ ବିଶ୍ୱରୂପ ଦର୍ଶନ କରିବା ଯୁକ୍ତି ଗୀତାର ବିଶ୍ୱରୂପ ଦର୍ଶନ ଠାରୁ ଅଧିକ ଯୁକ୍ତିଯୁକ୍ତ ବୋଲି ମନେ କଲି ।

 

ସେ ଶକ୍ତିରୂପିଣୀ—ଶକ୍ତିର ପୂଜକ ଶାକ୍ତ । ଏହି ଶାକ୍ତ ନିଜେ ବ୍ରହ୍ମା ମହାବିଷ୍ଣୁଙ୍କ ଯୋଗନିଦ୍ରା ଭଙ୍ଗ ନିମିତ୍ତ ସେ କଲେ ତାମସୀ ଜନନୀ କାଳିକାଙ୍କ ସ୍ତବ—ତ୍ୱଂ ସ୍ୱାହା, ତ୍ୱଂ ସ୍ୱଧା, ତ୍ୱଂହି— ବଷଟ୍‌କାର ସ୍ୱରାତ୍ମିକା ସ୍ୱଧା ତ୍ୱମକ୍ଷରେ ନିତ୍ୟେ କ୍ରିଧା ମାତ୍ରାତ୍ମିକା ସ୍ଥିତା....ବାଃ ବାଃ କି ସୁନ୍ଦର ଭାବ, କି ସୁନ୍ଦର ଅଭିବ୍ୟକ୍ତ ।

 

ସୃଜନୀ ଶକ୍ତି ବ୍ରହ୍ମା, ପାଳନ ଶକ୍ତି ବିଷ୍ଣୁ ଏବଂ ସଂହାର ଶକ୍ତି ମହେଶ୍ୱର ସେହି ମହାଶକ୍ତିଠାରୁ ସୃଷ୍ଟି । ସଚରାଚର କୋଟି କୋଟି ବିଶ୍ୱ ସେ କରିଛି ସୃଷ୍ଟି । ସେ କରୁଛି ପାଳନ, ପୁନର୍ବାର ସେ କରିବ ଧ୍ୱଂସ । କାହାର ସାଧ୍ୟ ନାହିଁ ତା’ର ଇଚ୍ଛା ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ । ସେ ଇଚ୍ଛାମୟୀ । ସମସ୍ତ ଇଚ୍ଛାର ପରିସମାପ୍ତି ଘଟେ ତା’ରି ଇଚ୍ଛାରେ । ଚଣ୍ଡୀ ପରି ଏକ ସାକାର ବ୍ରହ୍ମ ଏବଂ ନିରାକାର ବ୍ରହ୍ମର ଉପାସନା ପୃଥିବୀର ଆଉ କୌଣସି ଗ୍ରନ୍ଥରେ ନାହିଁ ବୋଲି ମୋର ମନେ ହେଲା । ଯେଉଁ ଦେବୀ ସର୍ବଭୂତରେ ମାତୃ ରୂପରେ, ଭଗ୍ନି ରୂପରେ ଶକ୍ତି ରୂପରେ, ବୃଦ୍ଧି ରୂପରେ, ଦୟା ରୂପରେ, ଶାନ୍ତି ଆଦି ରୂପରେ, ଅବସ୍ଥାନ କରିଛନ୍ତି ତାଙ୍କୁ ମୁଁ ନମସ୍କାର କରୁଛି । ଏହାଠାରୁ ଶ୍ରେଷ୍ଠ ଉପାସନା ଆଉ କ’ଣ ଅଛି । ନିତି ଚଣ୍ଡୀ ପାଠରେ ଉତ୍‌ବୁଦ୍ଧ ହୋଇପଡ଼ିଲି । ମୁଁ କେହି ନୁହେଁ, ଶକ୍ତିରୂପିଣୀ ମା’ ର ଅସମ୍ଭବ ଶକ୍ତିଦ୍ୱାରା ମୁଁ ବଳୀୟାନ ଏ ଭାବନାରେ ମୋ ଭିତରେ ଅସମ୍ଭବ ଦୃଢ଼ତା ଆଣିଦେଲା । ମା’ର ସେବା ପୂଜାରେ ନିଜକୁ ବିନିଯୋଗ କରିବାରେ ମୁଁ ଅନୁଭବ କଲି ଅତୁଳ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଛି । ଯାହା କି ଅନନ୍ତଭୈରବ ପାଇ ପାରି ନାହାନ୍ତି ।

 

ଅନନ୍ତଭୈରବଙ୍କ ଦ୍ୱାରା ସଂଗୃହୀତ ବିଭିନ୍ନ ତନ୍ତ୍ର ପୋଥିଗୁଡ଼ିକ ମୁଁ ଅଧ୍ୟୟନ କରି ଜାଣି ପାରିଲି ଶିବଙ୍କ ପଞ୍ଚମୁଖ ନିଃସୃତ ଯେଉଁ ଜ୍ଞାନ ଗଙ୍ଗାର ପାଞ୍ଚଟିଧାର କେବଳ ଭାରତ କାହିଁକି ସାରା ବିଶ୍ୱକୁ ପ୍ଲାବିତ କରିଛି, ତନ୍ନଧ୍ୟରୁ ତନ୍ତ୍ରଶାସ୍ତ୍ର ଅନ୍ୟତମ । ବିଶ୍ୱକୁ ବିସ୍ମୟାବିଭୂତ କରି ଉକ୍ତ ତନ୍ତ୍ରଶାସ୍ତ୍ର ତ୍ରିଧାରାରେ ଗତ କରିଛି । ଏ ତ୍ରିଧାର ନାମ—ଆଗମ, ଯାମଳ ଏବଂ ତନ୍ତ୍ର ।

 

ଦେବାଦିଦେବ ମହାଦେବ ଭାରତ ଭୂଖଣ୍ଡକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଏକ ଏକ ବିଭକ୍ତ ନାମ କ୍ରାନ୍ତା, ପ୍ରଥମେ ଅଶ୍ୱକ୍ରାନ୍ତା ଏହା ବିନ୍ଧ୍ୟଠାରୁ ମହାସାଗର ପର୍ଯ୍ୟନ୍ତ । ୨ୟରେ ରଥକ୍ରାନ୍ତା—ବିନ୍ଧ୍ୟଠାରୁ ମହାଚୀନ ପର୍ଯ୍ୟନ୍ତ ଓ ୩ୟରେ ବିଷ୍ଣୁକ୍ରାନ୍ତା ବିନ୍ଧ୍ୟଠାରୁ ଚଟ୍ରଳପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ଭୂଖଣ୍ଡ । ପ୍ରତି କ୍ରାନ୍ତାରେ ଶିବ ୬୪ ଖଣ୍ଡ କରି ତିନୋଟି କ୍ରାନ୍ତାରେ ୧୯୨ ଖଣ୍ଡ ତନ୍ତ୍ର ପ୍ରଚାର କରିଛନ୍ତି । କେଉଁ କେଉଁ ତନ୍ତ୍ର କେଉଁ କ୍ରାନ୍ତା ପାଇଁ ଉଦ୍ଦିଷ୍ଟ ତାହା ତାନ୍ତ୍ରିକର ପ୍ରଥମେ ଜାଣିବା ଉଚିତ ।

 

ବୈଦିକ ମନ୍ତ୍ର ସକଳ ଏ ଯୁଗରେ ବିଷହୀନ ସର୍ପଭଳି ନିର୍ବାର୍ଯ୍ୟ ହୋଇଥିବାରୁ ତନ୍ତ୍ରର ଆବଶ୍ୟକତା ମହାଦେବ ଅନୁଭବ କରି ପ୍ରଚାର କରିଛନ୍ତି ତନ୍ତ୍ର । ମୁଁ ମୋ ଜନ୍ମଭୂମି ଓଡ଼ିଶାରେ ଶୁଣିଛିଥରେ ଗଜପତି ମହାରାଜା ଜଣେ ପଣ୍ଡିତଙ୍କୁ ସେ ଦିନର ତିଥି କ’ଣ ପୁଛନ୍ତେ, ପଣ୍ଡିତ ଭାଙ୍ଗ ନିଶାରେ ଅମାବାସ୍ୟା ବୋଲି ବ୍ୟକ୍ତ କଲେ । ମାତ୍ର ପ୍ରକୃତରେ ସେ ଦିନ ପୂର୍ଣ୍ଣିମା । ମହାରାଜା ପଣ୍ଡିତଙ୍କ ବାକ୍ୟ ଶ୍ରବଣ କରି କିଞ୍ଚିତ୍‌ ହାସ୍ୟ ସହିତ ରାତ୍ରିକୁ ଅପେକ୍ଷା କରିବାକୁ କହିଲେ । ପଣ୍ଡିତଙ୍କ ଭାଙ୍ଗନିଶା ଛାଡ଼ି ଯିବା ପରେ ପୂର୍ଣ୍ଣମୀକୁ ଅମାବାସ୍ୟା କହିଥିବାରୁ ବଡ଼ ବ୍ୟସ୍ତ ହେଲେ । ସଂଧ୍ୟା ଆଗତପ ପ୍ରାୟ, ବର୍ତ୍ତମାନ ଆଉ ଉପାୟ କ’ଣ ଅଛି ? ସେ ନେଲେ ତନ୍ତ୍ର ଆଶ୍ରୟ, ଏକ ନୂତନ ମାଟିହାଣ୍ଡିକୁ ମନ୍ତ୍ରପୂତ କରି ଚନ୍ଦ୍ରର ପ୍ରତିମୂର୍ତ୍ତିଟିଏ ଆଙ୍କି ତାକୁ ଜୀବନ୍ୟାସ ଦେଇ ସେହି ମୂର୍ତ୍ତିଟି ଉପରେ ହାଣ୍ଡିଟିକୁ ଘୋଡ଼ାଇ ଦେଲେ । ସଂଧ୍ୟା ପରେ ଆକାଶରେ ଅଗଣିତ ତାରକାପନ୍ତି ଦୃଶ୍ୟମାନ-। ପୂର୍ଣ୍ଣମୀର ଚନ୍ଦ୍ର କାହିଁ ? ଅବଶେଷରେ ମହାରାଜାଙ୍କ ଅନୁରୋଧରେ ପଣ୍ଡିତେ ହାଣ୍ଡିଟି ବାହାର କରି ଆଣିବାଦ୍ୱାରା ଆକାଶରେ ଚନ୍ଦ୍ର ଉଦିତ ହେଲେ । ଏକଦା ଉତ୍କଳ ତନ୍ତ୍ର କ୍ଷେତ୍ର ନାମରେ ପରିଚିତ ଥିଲା । ସ୍ୱୟଂ ଜଗନ୍ନାଥ ତନ୍ତ୍ରଦେବତାରୂପେ ପୂଜା ପାଉଥିଲେ । ତନ୍ତ୍ରାଚାର୍ଯ୍ୟ ଶଙ୍କରାଚାର୍ଯ୍ୟଙ୍କ ତନ୍ତ୍ର ପ୍ରଭାବ ଅଳ୍ପେ ବହୁତେ ପ୍ରାୟ ଅଧିକାଂଶ ଜାଣନ୍ତି । ତନ୍ତ୍ରର ଅମାପ ଶକ୍ତିରେ ବୌଦ୍ଧଶ୍ରମଣ ହାରମାନିବାକୁ ବାଧ୍ୟ ହୋଇଥିଲେ । ତତ୍‌ପରେ ବୌଦ୍ଧ ଶ୍ରମଣମାନେ ତନ୍ତ୍ରର ଆଶ୍ରା ନେଲେ । ତନ୍ତ୍ରଶାସ୍ତ୍ରରେ ‘ଶାବରୀ’ ବିଦ୍ୟା ଉତ୍କଳର ବୌଦ୍ଧ ଶବରମାନଙ୍କ ଦାନ ।

 

ଶାକ୍ତତନ୍ତ୍ର ଅଥର୍ବ ବେଦର ‘ସୌଭାଗ୍ୟକାଣ୍ଡ’ ସହିତ ସ୍ୱୀକୃତ । ତାନ୍ତ୍ରିକ ଉପନିଷଦ୍‌ରୁ ଯଜୁଃ ତଥା ଋଗ୍‌ ବେଦର ସମ୍ୱନ୍ଧ ପରିଦୃଷ୍ଟ ହୁଏ । କୌଳ, ତ୍ରିପୁରା ମହୋପନିଷଦ, ଭାବନା, ବହୁତ, ଅରୁଣୋପନିଷଦ୍‌, କାଳୀ, ତାରାଦି ଉପନିଷଦ୍‌ରେ ଉକ୍ତ ତନ୍ତ୍ରମତ ପ୍ରତିପାଦିତ ହୋଇଛି ।

 

ଅନେକ ଦିନ ସେହି ଭୀଷଣ ଜଙ୍ଗଲରେ ଅନନ୍ତଭୈରବଙ୍କ ସହିତ ରହିଗଲି । ଦିନେ ଅନନ୍ତଭୈରବଙ୍କ ଇଚ୍ଛା ହେଲା ହିମାଳୟ ପରିଭ୍ରମଣମାଇଁ । ଅବଶ୍ୟ ଆଶ୍ରମଟି ଠିକ୍‌ ହିମାଳୟର ପାଦଦେଶରେ ହୋଇଥାଏ । ସକାଳୁ ଦୁହେଁ ସ୍ୱଇଚ୍ଛାରେ ଚାଲି ଚାଲି ପର୍ବତଶୃଙ୍ଗମାନେ ଆରୋହଣ କଲୁ । ଜନମାନବଶୂନ୍ୟ ହିମାଳୟରେ ହଠାତ୍‌ ଏକ ଆନନ୍ଦ ଉତ୍ସବର ଆଭାସ ଦେଖିବାକୁ ପାଇଲି । କିଛିବାଟ ଆଗକୁ ଗଲାପରେ ଦେଖିଲି ଦିବ୍ୟ ବେଶଭୂଷାରେ ଭୂଷିତ ହୋଇ ଅତି ସୁନ୍ଦର ସ୍ତ୍ରୀ ପୁରୁଷମାନେ ଚାଲିଛନ୍ତି । ଏମାନେ କିଏ ଏବଂ କେଉଁଆଡ଼େ ଯାଉଛନ୍ତି ବୋଲି ମୁଁ ଅନନ୍ତ ଭୈରବଙ୍କୁ ପ୍ରଶ୍ନ କଲି । ସେ କହିଲେ ସ୍ୱର୍ଗର ଦେବ ପୁରୁଷ ଏମାନେ । ତୋର ଅନେକଟା ସିଦ୍ଧି ଆସିଯାଇଛି । ତେଣୁ ତୁ ଏମାନଙ୍କୁ ଦେଖିବାକୁ ପାଉଛୁ । ସାଧାରଣ ମାନବ ଏସବୁର ଲେଶ ମାତ୍ର ଜାଣିପାରେ ନାହିଁ ।

 

ଦିନ ବଢ଼ିବା ସଙ୍ଗେ ସଙ୍ଗେ ସୂର୍ଯ୍ୟଙ୍କ କିରଣ ହିମାଳୟ ଉପରେ ପତିତ ହୋଇ ଚକ ଚକ କରି ଉଠିଲା । ପ୍ରାୟ ଦ୍ୱିପହରରୁ କିଞ୍ଚିତ୍‌ ବେଶୀ ହେବ । ହଠାତ୍‌ ଅନନ୍ତ ଭୈରବଙ୍କ ତୃଷ୍ଣା ଆକ୍ରମଣ କଲା । ବିରାଟ ସାଧକ ଅନନ୍ତ ଭୈରବଙ୍କ ତୃଷ୍ଣା ନିବାରଣ ନିମିତ୍ତ ମୁଁ ଜଳ ଅନ୍ୱେଷଣରେ ଗଲି ତାଙ୍କୁ ଏକ ଅଶୋକ ଛାୟାତଳେ ବସାଇ ଦେଇ । ନିକଟରେ କୌଣସି ସ୍ଥାନରେ ଜଳର ସନ୍ଧାନ ମିଳିଲା ନାହିଁ । ମୁଁ ବଡ଼ ବ୍ୟସ୍ତହୋଇ ଚାଲିଥାଏ । ଯେଉଁଠି ସ୍ରୋତସ୍ୱତୀମାନଙ୍କର କଳ କଳ ସ୍ୱର ସାଧାରଣ ଭ୍ରମଣକାରୀଙ୍କୁ ତୃଷ୍ଣାଠାରୁ ଦୂରରେ ରଖେ, ସେଇଠି ଅନନ୍ତ ଭୈରବଙ୍କ ପରି ବିରାଟ ସାଧକଙ୍କୁ ତୃଷ୍ଣା ଆକ୍ରମଣ କରିବା ଏକ ଆଶ୍ଚର୍ଯ୍ୟର ବିଷୟ । ମାତ୍ର ନିୟତୀ କେନ ବାଧ୍ୟତେଃ।

 

ଅନନ୍ତ ଭୈରବଙ୍କଠାରୁ ମୁଁ ଟିକିଏ ଦୂରକୁ ଚାଲିଗଲି । କିଛିବାଟ ଗଲାପରେ ମୁଁ ଜଳର ସନ୍ଧାନ ପାଇଲି । ମୁଁ ଦେଖିବାକୁ ପାଇଲି କୁଳୁ କୁଳୁ ହୋଇ ଗୋଟିଏ ଝରଣା ବହି ଯାଉଛି । ବନ୍ୟଜନ୍ତୁ ପାଣି ପିଇବା ପାଇଁ ଯେଉଁ ଚଲାବାଟ ପକାଇଥିଲେ, ମୁଁ ସେହି ବାଟରେ ଓହ୍ଲାଇ ଗଲି ଝରଣା କୂଳକୁ । ଝରଣା କୂଳରେ ଯାହା ଦେଖିଲି ସେଥିରେ ହତ୍‌ବାକ୍‌ ହୋଇଗଲି । ମୋର ମନେ ହେଲା ମୁଁ ସ୍ୱପ୍ନ ଦେଖୁଛି, ମାତ୍ର ମୁଁ ସମ୍ପୂର୍ଣ୍ଣ ଜାଗ୍ରତ ଏହା ସେତେବେଳେ ଅନୁଭବ କଲି ସେତେବେଳେ ଯାହା ଦେଖୁଛି ତାହା ବାସ୍ତବ ନୁହେଁ—ଏହା ଭାବିବି ବା କିପରି ? ପୁଣି ଟିକିଏ ଭଲ ଭାବରେ ଦେଖିଲି । ନା, ସନ୍ଦେହ କରିବାର କିଛି ନାହିଁ । ଚେହେରାଟା ଠିକ୍‌ ମିଳି ଯାଉଛି । ସାମନା ସାମନି ହେବାକୁ ମୋ ମନରେ ଭୟ ଆସିଲା । ସଂକୋଚ ବି ଆସିଲା । ତଥାପି ଉପାୟ ନାହିଁ ଫେରି ଯିବାକୁ । ମୁଁ ମହା ଦ୍ୱନ୍ଦରେ ପଡ଼ିଲି । କୌଣସିଟା ଠିକ୍‌ କରିବା ପୂର୍ବରୁ ସେ ତା’ର କଳସିରେ ପାଣିଭରି ମୋରି ଆଡ଼କୁ ମୁହଁ କଲା ଯିବାକୁ । ତାହା କାପୁରୁଷତା ହେଉ ବା ମହାପୁରୁଷତା ହେଉ ମୋର ସାହସ ହେଲା ନାହିଁ ତା’ ମୁହଁକୁ ସିଧାସିଧି ଅନେଇବାକୁ ।

 

ସେ ମୋତେ ଦେଖି ପ୍ରଥମେ ଟିକିଏ ଲଜ୍ଜିତ ହେଲାଭଳି ହୋଇ ରହିଲା । ତା’ ପରେ କହିଲା, ଏ ଘୋର ଜଙ୍ଗଲ ଭିତରେ ତୁମେ ବି ଅଛ ?

 

ମୋ ଭିତରେ ଦୁର୍ବଳତାର ଅସୀମ ରାଜତ୍ୱ ଚାଲିଥାଏ । ସାଧନା ସଂଯମ ଯାହା କିଛି ମୋର ଥିଲା କୌଣସିଟା ସନ୍ଧାନ ମୁଁ ସେ ମୁହୂର୍ତ୍ତରେ ପାଇଲି ନାହିଁ । ମନ କହୁଥାଏ ସବୁ ଭୁଲି ତାକୁ କୋଳଇ ନେବି । ପୂର୍ବପରି ଛୋଟ ପିଲାଙ୍କ ଭଳି ତା ମୁହଁରେ ବୋକ ଦେଇ କହିବି ମୁଁ ତୋତେ ଏବେ ବି ଭଲ ପାଏରେ ଧୂପ ! ତୁ ସିନା ମୋତେ ଭୁଲିଗଲୁ ମୁଁ କିନ୍ତୁ ତୋତେ ଭୁଲି ନାହିଁ । ମୋର ପ୍ରତି ଶିରାରେ ଶିରାରେ ତୋ ଭଲ ଭଲପାଇବାର ମୋହ ଏବେ ବି ଜାଗ୍ରତ ଅଛି ।

 

ବୁଢ଼ୀମା କାହାଣୀପରି ନିବିଡ଼ ଜଙ୍ଗଲ । କାଉ କୋଇଲି ଛୁଆର ରାବ ବି ନାହିଁ । ରାଜାଝିଅ ପାଣିମାଠିଆ ଧରି ନଈରୁ ଏକା ଆସୁଛି । ହଠାତ୍‌ ଭେଟ ହୋଇଗଲା ତା’ ମନ ରାଇଜର ରଜାପୁଅ ସଙ୍ଗେ । ତା ପରେ... ।

 

ମୁଁ ସେତେବେଳେ ଭାବୁଥାଏ ବର୍ତ୍ତମାନ କ’ଣ କରାଯାଇ ପାରେ ? ମୋ ପାଇଁ ସବୁବାଟ ଖୋଲା ଅଛି । ଯାହା ମୁଁ କରିପାରେ । ପୁଣି ମନରେ ଆସିଲା କ’ଣ ମୁଁ କରିପାରେ ? ଧୂପକୁ ଭଲ ପାଇ ଆସିଛି, ଠିକ୍‌ ପତ୍ନୀ ଭଳି ମୁଁ ତାକୁ ଭଲ ପାଇଛି; କିନ୍ତୁ ଭୁଲ୍‌ରେ ସମ୍ଭୋଗ ଲାଳସରେ ନିଜକୁ ଅଜାଡ଼ି ଦେଇନି । ଶତ ନୁହେଁ, ସହସ୍ର ନୁହେଁ, ଲକ୍ଷ ବି ନୁହେଁ ଅଶେଷ ଥର ମନ ଭିତରେ ସେ ଦୁର୍ବଳତା ଅନୁଭବ କରିଛି । ସମୟ ସୁଯୋଗ କେତେଥର ପାଇଲେ ମଧ୍ୟ ଦୂରେଇ ଯାଇଛି ସେ ଖସଡ଼ା ବାଟରୁ । ଶେଷରେ କ’ଣ ଏହି ନିବିଡ଼ ଜଙ୍ଗଲ ଭିତରେ କା ପୁରୁଷଙ୍କ ଭଳି ମୁଁ ଫେରିଯିବି ସେହି ଗତ ଦିନର ବାସ୍ତବକୁ । ସେ ମୁହୂର୍ତ୍ତରେ କ’ଣ କରାଯାଇପାରେ ମୁଁ ଠିକ୍‌ ଭାବେ ଚିନ୍ତା କରିପାରିଲି ନାହିଁ । ସେ ସେଠାକୁ କାହିଁକି କିପରି ଆସିଲା ତାହା ମଧ୍ୟ ମୁଁ ଭାବି ପାରିଲି ନାହିଁ-

 

ମୋର ନିରବତା ଦେଖି ଧୂପ କହିଲା, ବାବା, ମା, ଇରା ଓ ମୁଁ ଆସିଛୁ ହିମାଳୟ ବୁଲି ଦେଖିବାକୁ । ଏହି ନିକଟରେ ଆମର କ୍ୟାମ୍ପ ପଡ଼ିଛି । ମୁଁ ଆସିଥିଲି ପାଣି ପାଇଁ ।

 

ମୁଁ ତା’ ମୁଁହକୁ ଚାହିଁ ନ ପାରିଲେ ମଧ୍ୟ ସାରା ଦେହଟି ଆଡ଼କୁ ଆଖି ଫେରାଇ ଆଣିଲି । ପାଣି ନେବାକୁ ଆସି ବୋଧେ ଗାଧୋଇ ପଡ଼ିଛି ସେ ଝରଣାଟିରେ । ସରୁ ଓଦା ଲୁଗାଟି ଠାଏ ଠାଏ ତା’ ଅବୟବରେ ଜଡ଼ି ଯାଇଛି । ଅର୍ଦ୍ଧ ଉଲଗ୍ନ ତା’ର ସେ ଭରା ଯୌବନ ଲୋଭିଲା ଦେହଟି ମୋତେ ଆହୁରି ଦୁର୍ବଳ କରିପକାଇଲା । ମନେ ହେଲା ସଲ୍ଲଜ ମୁହଁଟି ତା’ର କହିବାକୁ ଚାହୁଁଚି ମୋତେ ଧର ପ୍ରିୟ । ଯୌବନ ଭାରରେ ଭାଙ୍ଗି ପଡ଼ୁଥିବା ପୁଷ୍ପିତା ଅଙ୍ଗ-ଲତାଟିକୁ ଗୁଡ଼େଇ ନିଅ ତୁମ ସବଳ ଦେହରେ । ସେହି ପ୍ରବଳ ଉତ୍ତେଜନାର ବଶବର୍ତ୍ତୀ ହୋଇ ମୁଁ ଆଗେଇ ଯିବାକୁ ସେତେବେଳେ ଇଛା କଲି ଠିକ୍‌ ସେତେବେଳେ ଦେଖିଲି ତା’ର ସେ ମୁଁହଟି ଝାପ୍‌ସା ଝାପ୍‌ସା ହୋଇ ଆଉ କାହା ମୁଁହ ଭଳି ଦେଖାଯାଉଛି । ପୁଣି ଦେଖିଲି ନାଁ ତ, ଠିକ୍‌ ଧୂପ ମୁଁହଭଳି ନିଖୁଣ ମୁହଁଟି ।

 

ହଠାତ୍‌ ମୋ ଭିତରେ ତନ୍ତ୍ରଗୁରୁ ଅନନ୍ତଭୌରବଙ୍କର ଗୋଟିଏ କଥା ଉଙ୍କି ମାରିଲା । ସେ କହିଥିଲେ ଏ ଅଞ୍ଚଳରେ ଯେତେ ସ୍ତ୍ରୀ ଲୋକଙ୍କୁ ଦେଖିବୁ ସେମାନେ ସମସ୍ତେ ‘ମା’, ଅନେକ ସମୟରେ ସାଧକକୁ ପରୀକ୍ଷା କରିବାପାଇଁ ମା’ ପଡ଼ୋଶୀ ରୂପରେ ଦେଖାଦିଏ । ଯଦି ସାଧକର ଭାଗ୍ୟ ଭଲ ଥାଏ ତାହା ହେଲେ ସେ ମା’କୁ ମା’ ଭାବରେ ଗ୍ରହଣ କରେ । ‘ମା’ ଏହି ଶବ୍ଦ ପରଶରେ ମୁହୂର୍ତ୍ତକ ଭିତରେ ମୋ ଭିତରର ସମସ୍ତ ଅବସାଦ କେଉଁଆଡ଼େ ମିଳେଇଗଲା । ମୁଁ ଆଖିବୁଜି ବଡ଼ ପାଟିରେ ଚିତ୍କାର କରି ଉଠିଲି । ‘ମା’ ‘ମା’ ଏ କ’ଣ ମା’ ? ଏପରି ଏକ ବିରାଟ ପରୀକ୍ଷାରେ ତୁ ତୋର ଦୁର୍ବଳ ସନ୍ତାନକୁ କାହିଁକି ପକାଉଛୁ ?

 

ସେ ଖିଲ୍ ଖିଲ୍ ହୋଇ ହସି ଉଠିଲା । ସେ ହସ ମୋର ଚିର ପରିଚିତ । ସେ ହସି ହସି ତୁମେ ତୁମର ପ୍ରୀୟାକୁ କ’ଣ ଚିହ୍ନି ପାରୁନା ?

 

ତା’ର ସେ ପ୍ରଗଲ୍‍ଭା ହସ, ତା’ର ସ୍ୱର ତା’ର ଚେହେରା ସବୁ ଧୂପ ବୋଲି ପରିଚୟ ଦେଲେ ମଧ୍ୟ ମୋ ଭିତରେ ତା’ପ୍ରତି ଦୁର୍ବଳତା ପ୍ରକାଶ ପାଇବାର କୌଣସି ଉପକ୍ରମ ହେଲା ନାହିଁ । ମା’ ଆସିଛି ପରୀକ୍ଷା କରିବାକୁ ଏହି ଧାରଣାରୁ ନିଜକୁ ଦୂରକୁ ନେଇ ପାରିଲି ନାହିଁ । ସେହି କଠିଣ କର୍କଶ ଭୂମିରେ ସାଷ୍ଟାଙ୍ଗ ପ୍ରଣିପାତ ହୋଇ କହିଲି ମା’, ତୋର ମାୟାରେ ହରିହର ମୋହିତ । ମୁଁ ତ ଅତି ଦୁର୍ବଳ । ତୁ ତୋର ଏ ମାୟା ସମ୍ୱରଣ କରି ସନ୍ତାନକୁ ଦେଖା ଦେ । ସନ୍ତାନକୁ ମାୟାରେ ବଶୀଭୂତ କରିବା ତୋ ପକ୍ଷେ ସମ୍ଭବ ନୁହେଁ । ମୁଁ କିନ୍ତୁ ତୋର ଏ ମାୟାରେ ପଶିବାକୁ ପ୍ରସ୍ତୁତ ନୁହେଁ-

 

ପୁଣି ସେ ପ୍ରଗଲଭା ନାରୀ ଖିଲ୍ ଖିଲ୍ ହୋଇ ହସିଉଠି କହିଲା, ତୁମେ କ’ଣ ପାଗଳ ହୋଇଗଲ ? କାହାକୁ ତୁମେ କ’ଣ ସମ୍ୱୋଧନ କରୁଛ ?

 

ମୁଁ କୌଣସି କଥାକୁ କର୍ଣ୍ଣପାତ ନ କରି କେବଳ ସେହି ଗୋଟିଏ କଥା କହୁଥାଏ ମା’ । ଅବଶେଷରେ ଏକ ମହାବଳ ବାଘର ଗର୍ଜନ ଶୁଣିବାକୁ ପାଇଲି । ମନେହେଲା ତା’ର ଭୀଷଣ ଗର୍ଜନରେ ବନସ୍ଥଳ ପ୍ରକମ୍ପିତ ହୋଇ ଉଠିଛି । ହିମାଳୟ କନ୍ଦରରେ ସେ ଧ୍ୱନୀ ପ୍ରତିଧ୍ୱନୀତ ହେବାକୁ ଲାଗିଛି । ତା’ପରେ ଶୁଣିବାକୁ ପାଇଲି କୋମଳ କଣ୍ଠରେ କେହିଜଣେ କହୁଛି ଉଠ୍ । ତୋର ସାଧନା ସମ୍ପୂର୍ଣ୍ଣ ହୋଇଛି । ମୋତେ ସ୍ମରଣ କରି ତୁ ଯାହା ଚାହିବୁ ତାହା କରିବାକୁ ସକ୍ଷମ ହେବୁ; କିନ୍ତୁ ମନେରଖ ରାଜନୀତି କ୍ଷେତ୍ରରେ କୌଣସି ଫଳ ପାଇବୁ ନାହିଁ । ଆଉ କୌଣସି ସ୍ତ୍ରୀଲୋକ ସମ୍ପର୍କରେ ଆସି ତାକୁ ଭଲ ପାଇଲେ ତୋର ସମସ୍ତ ସାଧନା ନଷ୍ଟ ହୋଇଯିବ । ତା’ ପରେ ସାଧାରଣ ମାନବ ଓ ତୋ ଭିତରେ କିଛି ତଫାତ୍ ରହିବ ନାହିଁ ।

 

ଏହି ଶୂନ୍ୟବାଣୀ ଶୁଣି ମୁଁ ଉଠି ଦେଖିଲି କେହି ନାହିଁ । ଧୂପ ନାହିଁ, ବ୍ୟାଘ୍ର ନାହିଁ କି ପ୍ରକୃତିରୂପିଣୀ ‘ମା’ ନାହିଁ । ମୁଁ ପାଗଳଙ୍କ ପରି ମା’ ମା’ ବୋଲି ଚିତ୍କାର କଲି । ଶୁଣିଲି କେହି ଜଣେ କହୁଛି ତୁ ତୋର କର୍ତ୍ତବ୍ୟ କର । ମୋର କର୍ତ୍ତବ୍ୟ ? ସତେତ, ଗୁରୁ ତୃଷାରେ ଆତୁର ହେଉଥିବେ । ତରତର ହୋଇ ପତର ଠୁଙ୍ଗାରେ ପାଣି ଧରି ଫେରିଲି ଗୁରୁଙ୍କ ପାଖକୁ । ଗୁରୁଙ୍କୁ ଯେଉଁଠି ବସାଇ ଯାଇଥିଲି ଦେଖିଲି ସେଠାରେ ସେ ନାହାନ୍ତି । ଅନ୍ୱେଷଣ କଲି ସେହି ନିକଟରେ କେଉଁଠି ଥିବେ ବୋଲି; କିନ୍ତୁ କୌଣସିଠାରେ ତାଙ୍କର ସନ୍ଧାନ ପାଇଲି ନାହିଁ । ଉଚ୍ଚ କଣ୍ଠରେ ତାଙ୍କୁ ଡାକିଲି । ବନଭୂମିରେ ମୋରି ଡାକ କେବଳ ପ୍ରତିଧ୍ୱନୀ ହେବାଛଡ଼ା ଗୁରୁଙ୍କର କଣ୍ଠ ଶୁଣିବାକୁ ପାଇଲି ନାହିଁ ।

 

ହଠାତ୍‌ ସେହି ଖିଲ୍‌ ଖିଲ୍‌ ହସ ଶୁଣିଲି । ଯେଉଁଆଡ଼ୁ ହସ ଆସୁଥିଲା ସେ ଆଡ଼କୁ ଚାହିଁ ଦେଖିଲି ଗୋଟିଏ ଅପୂର୍ବ ସ୍ତ୍ରୀ ଲୋକ ସହିତ ଗୁରୁ ଚାଲିଛନ୍ତି ହିମାଳୟ ଆଡ଼କୁ । ମୁଁ ଖୁବ୍‌ ଉଚ୍ଚ କଣ୍ଠରେ ତାକୁ ଡାକି ଡାକି ତାଙ୍କ ପଛରେ ଧାଇଁଲି; କିନ୍ତୁ ସବୁ ବ୍ୟର୍ଥ । ଦେଖିଲି ପରମ ସାଧନ ଅନନ୍ତଭୈରବ ସେହି ଅନିନ୍ଦ୍ୟ ରୂପସୀର କଟିଦେଶକୁ ନିଜ ଭୁଜଦ୍ୱାରା ବେଷ୍ଟନ କରିଛନ୍ତି । ସେହି ରୂପସୀ ନଇଁ ଆସିଛନ୍ତି ତାଙ୍କ ଛାତି ଉପରକୁ । ମୋର ପାଦ ଦୁଇଟା ଅଚଳ ହୋଇଗଲା ପରି ମନେ ହେଲା । ଏ କ’ଣ ମୁଁ ଦେଖୁଛି ?

 

ପୁଣି ସେମାନେ ଆଗେଇଲେ ଆଗକୁ । ମୁଁ ଗୁରୁ, ଗୁରୁ ବୋଲି ଚିତ୍‌କାର କଲି । ମାତ୍ର ମନେହେଲା ମୋ ଡାକ ତାଙ୍କ କାନ ପର୍ଯ୍ୟନ୍ତ ଯେପରି ଯାଇ ପାରୁ ନାହିଁ । ପୁଣି ଡାକିଲି ‘ମା’ ଏ କ’ଣ ? ଗୁରୁ ଅନନ୍ତଭୈରବଙ୍କୁ ସେହି ମାୟା ଫାଶରେ କାହିଁକି ଛନ୍ଦୁଛୁ ? ମୁକ୍ତ କରି ଦେ ମା’ । ସନ୍ତାନକୁ ତୁ ତୋର ମାୟାଚକ୍ରରୁ ଉଦ୍ଧାର କର ମା’ ।

 

ଶୂନ୍ୟରୁ ସେହି ଆଦ୍ୟା, ଜଗଜ୍ଜନନୀ ‘ମା’ କହିଲେ—ମୋ ଚକ୍ରରେ ଯେ ପଡ଼ିବାର ସେ ପଡ଼ିଲା । ତା’ର ଏ ଜନ୍ମରେ ଆଉ ମୁକ୍ତି ନାହିଁ । ତୁ ତୋର ବାଟ ଦେଖେ । ତୁ ଫେରି ଯା’ ମାନବସମାଜ ଭିତରକୁ । ଜଗତ୍‌ ତୋତେ ଅପେକ୍ଷା କରିଛି ।’’ ମୁଁ ଗୁରୁ ଅନନ୍ତ ଭୈରବଙ୍କ ଆଡ଼କୁ ଅନାଇ ଦେଖିଲି ସେ ଅଦୃଶ୍ୟ ହୋଇ ଯାଉଛନ୍ତି ଏକ କ୍ଷୁଦ୍ର ପାହାଡ଼ତଳେ । ମୁଁ ସେଇଠି ଗୁରୁଙ୍କ ଉଦ୍ଦେଶ୍ୟରେ ସାଷ୍ଟଙ୍ଗ ପ୍ରଣାମ କରି ଉଠିଲି ଯିବାକୁ ।

 

ସାରା ଜୀବନ ମୋତେ ଅଭିନୟ କରିବାକୁ ପଡ଼ିଛି । ବିଭିନ୍ନ ରଙ୍ଗମଞ୍ଚରେ ବିଭିନ୍ନ ଭୂମିକା ନେଇ ମୁଁ ଆଗେଇ ଯାଇଛି । ପ୍ରଥମେ ଟିକିଏ ବେଖାପ ମନେ ହୋଇଛି; କିନ୍ତୁ ପରେ ନିଜକୁ ତା’ର ଭିତରେ ମିଶେଇ ନେଇଛି । ମୁଁ କିଏ ? କେଉଁଠୁ ଆସିଛି, କେଉଁଠିକୁ ଯିବି ତାହା ଭାବିବାର ମଧ୍ୟ ଅବସର ପାଇ ନାହିଁ । ଚାଲିଛି ଆଗକୁ ଆଗେଇ । ଆଜି ମୁଁ ଅନୁଭବ କରିଛି କେହି ଜଣେ ବିଶ୍ୱର ନିର୍ଦ୍ଦେଶକ ଅଛି । ଯାହାର ନିର୍ଦ୍ଦେଶରେ ମୁଁ ଏକା କାହିଁକି ସାରା ବିଶ୍ୱ ଧାଇଁ ଚାଲିଛି । ଉଚିତ, ଅନୁଚିତ, ଭଲ, ମନ୍ଦ, ଠିକ୍‌, ଭୁଲ୍‌, କିଛି ନାହିଁ । ଆମେ ତ ନିମିତ୍ତ ମାତ୍ର । କୌଣସି ବିଚାରରେ ଆମର ପ୍ରଶ୍ନ କାହିଁକି ଉଠୁଛି । କେଳା କଣ୍ଢେଇଗୁଡ଼ିକୁ ଘୋଡ଼ାବାଳରେ ବାନ୍ଧି ଯେପରି ସେ ନଚାଏ, କଣ୍ଢେଇ ଠିକ୍‌ ସେହିପରି ନାଚନ୍ତି । ଦେଖଣାହାରୀ ଦେଖନ୍ତି ପ୍ରତ୍ୟେକ କଣ୍ଢେଇ ଗୋଟିଏ ଗୋଟିଏ କର୍ତ୍ତା; କିନ୍ତୁ ଏକମାତ୍ର କର୍ତ୍ତା ସେହି କେଳା । ଭଲ, ମନ୍ଦ, ପାପ, ପୁଣ୍ୟ ବିଚାରରେ କଣ୍ଢେଇର କର୍ତ୍ତବ୍ୟକୁ ତଉଲିବା ଅଧମତା ଛଡ଼ା ଆଉ କ’ଣ ହୋଇପାରେ ? ସେହିପରି ଆମେ ସବୁ ପାପ ପୁଣ୍ୟ, ଭଲ ମନ୍ଦଠାରୁ ବହୁ ଦୂରରେ ।

 

ନାଗରାଜ ହିମାଳୟର ପାଦଦେଶ ବନାନୀରୁ ମୁଁ ମନ୍ତ୍ରସିନ୍ଧ ହୋଇ ଫେରି ଚାଲିଲି ପୁଣି ମାନବସମାଜ ଭିତରକୁ । କୃଷ୍ଣ ଶ୍ମଶ୍ରୁପୂର୍ଣ୍ଣ ମୂଖମଣ୍ଡଳ । ପିନ୍ଧିଥାଏ ଖଣ୍ଡେ ଗେରୁଆ ଲୁଗା । ହାତରେ ଥାଏ କାଷ୍ଠ-କମଣ୍ଡଳୁ, ଗୋଡ଼ରେ ହଳେ କାଷ୍ଠ ପାଦୁକା । ମୁଁ ଅଶିକ୍ଷିତ ନୁହେଁ । ବିଶ୍ୱର ସଭ୍ୟସମାଜରେ ନିଜକୁ ମିଶାଇ ଦେବାର ଅଭିଜ୍ଞତା ଯଥେଷ୍ଟ ମୋର ଥାଏ । କିନ୍ତୁ ଏ ନୂଆ ବେଶରେ ସଭ୍ୟସମାଜ ଆଗରେ କିପରି କ’ଣ ପରିଚୟ ଦେବି ତାହା ଥାଏ ମୋ ପାଖରେ ଗୋଟାଏ ପ୍ରଶ୍ନ । ଯାହା ହେଉ ମୁଁ ଚାଲିଥାଏ ଦୃଢ଼ ପଦରେ ଅରଣ୍ୟ ଅତିକ୍ରମ କରି ଜନସମାଗମ ଭୂମି ଆଡ଼କୁ । ମୁଁ ନୁହେଁ ଐନ୍ଦ୍ରଜାଲିକ କିମ୍ବା ନୁହେଁ ଅନନ୍ତଭୈରବ । ବିରାଟ ଅରଣ୍ୟକୁ ଅତିକ୍ରମ କରିଯିବା ମୋ ପକ୍ଷେ ସହଜସାଧ୍ୟ ହେବ । ମୁଁ ଚାଲିଥାଏ ଠିକ୍‌ ସାଧାରଣ ମଣିଷଙ୍କ ଭଳି । କେବଳ ମନରେ ନ ଥାଏ ଭୟ, ଦୁଃଖ, ଶୋକ, ଭୋକ, ଅବଶତା । ମୁଁ ସିଦ୍ଧ ହୋଇଛି, ଏହି ଆନନ୍ଦ ମୋତେ ଅସ୍ଥିର କରି ପକାଇଥାଏ । ମୋତେ ସଂସାର ଭିତରକୁ ଫେରିଯାଇ ନିଜକୁ ପ୍ରତିଷ୍ଠିତ କରିବାକୁ ହେବ । ପ୍ରଥମେ ହୁଏତ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଗୋଟାଏ ଦୁଇଟା ଶକ୍ତିର ପରୀକ୍ଷା ହେଲାପରେ ହୁଏତ ସରଳ ହୋଇଯିବ ମୋ ରାସ୍ତା ।

 

ଦିନ ଯାଇ ରାତି ଆସିଲା । ତଥାପି ମୋ ବାଟର ଶେଷନାହିଁ । ଅତି ଦୃଢ଼ ଗତିରେ ଧାଇଁ ଚାଲିଥାଏ । ତଥାପି ସରୁ ନ ଥାଏ ଅରଣ୍ୟ । ସତେ ଯେପରି ଅମାପ ଏ ଅରଣ୍ୟ । ଏହାର ଶେଷ ନାହିଁ । ପ୍ରାୟ ରାତି ବାରଟା ହେବ ମୁଁ ? ଲୋକ-କୋଳହଳ ଶୁଣିବାକୁ ପାଇଲି । ମନେହେଲା ନିକଟରେ ବୋଧେ କୌଣସି ଜନବସତି ଅଛି । ଗଛପତ୍ର ଫାଙ୍କରୁ ଉଜ୍ଜ୍ୱଳ ଆଲୋକରେଖା ଦେଖି ମନେହେଲା ବୋଧେ ଛୋଟ ସହରଟିଏ ଆଗରେ ପଡ଼ିବ । ଆଉ କିଛି ବାଟ ଗଲା ପରେ ଦେଖିଲି ଗୋଟିଏ ଛୋଟ ମନ୍ଦିର ତା’ର ପାଖରେ ଲୋକ-କୋଳହଳ । ସେହି ମନ୍ଦିର ପାଖରେ ପହଞ୍ଚିଲି । ଦେଖିଲି ଶହ ଶହ ଲୋକ ଯିବାଆସିବା କରୁଛନ୍ତି ।

 

ପ୍ରଥମେ ମୁଁ ଗୋଟିଏ ପଥରଖଣ୍ଡ ଉପରେ ବସିପଡ଼ି ଅବସ୍ଥାଟା ବୁଝିବାକୁ ଚେଷ୍ଟା କଲି ମୁଁ ବସୁ ବସୁ ଗୋଟି ଗୋଟି ହୋଇ କେତେ ଗୁଡ଼ିଏ ଲୋକ ମୋ ଚାରିପାଖରେ ଜମା ହୋଇଗଲେ-। ଟିକକ ପରେ କେତେକ କଲେଜ ଛାତ୍ର ଲୋକଙ୍କୁ ଆଡ଼େଇ ମୋ ଆଗକୁ ଆସି ଠିଆ ହେଲା-। ସେମାନେ ଇଂରେଜୀରେ ମୋ ବିଷୟ ନେଇ କଥାବାର୍ତ୍ତା ହେଉଥାନ୍ତି । ଜଣେ ଛାତ୍ର ମୋ ବିଷୟରେ ମନ୍ତବ୍ୟ ଦେଉ ଦେଉ ଗୋଟିଏ ସଂସ୍କୃତ ଶ୍ଳୋକ ବୋଲି ବସିଲେ । ଯାହାର କି ଅର୍ଥ–ଦିନରେ ଉପାସ, ରାତ୍ରିରେ ଆମିଷାହାର, ମୁଣ୍ଡରେ ଜଟାଭାର ବ୍ୟଭିଚାରର ଚରମ, କଷାଲୁଗା ପରିଧାନ, ହାତରେ ଆଶାବାଡ଼ି, ଏହି ଲୋକମାନେ ଶଠଙ୍କର ଅଗ୍ରଣୀ ଏବଂ ଭଣ୍ଡ ।

 

ମୁଁ ସବୁ ମନ୍ତବ୍ୟ ଶୁଣିସାରିଲା ପରେ ଇଂରେଜୀରେ କହିଲି ଏପରି କୌଣସି ବ୍ୟକ୍ତି ଆପଣଙ୍କୁ କ’ଣ କେବେ ଠକି ଦେଇଛି ? ମୋ ମୁହଁରୁ ଖାଣ୍ଟି ଇଂରେଜୀ ଭାଷା ଶୁଣି ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ । ତା’ ମୋ ସହିତ ସେମାନେ ଇଂରେଜୀରେ କଥାବାର୍ତ୍ତା କରିବାକୁ ଲାଗିଲେ; ଖୁବ୍‌ ଅଳ୍ପ ସମୟ ଭିତରେ ସେମାନେ ମୋତେ ବିଶ୍ୱାସ କରିଗଲେ ଯେ କେହି ଲୋକ ଯଦି ମୋ ବିରୁଦ୍ଧରେ କିଛି ସେଠାରେ କହିଥାନ୍ତା ତାହାହେଲେ ସେମାନେ ପ୍ରଥମେ ତା’ର ଉତ୍ତର ଦେଇଥାନ୍ତେ ବେଶ୍‌ କଡ଼ାଭାବରେ । ମୁଁ ହିମାଳୟରୁ ଫେରିଛି ଏବଂ ସେଠାରେ ସାଧୁ—ସନ୍ନ୍ୟାସୀଙ୍କ ବିଷୟରେ ମୋର ସମ୍ୟକ୍‌ ଧାରଣା ଅଛି ଏହି କଥା ସମସ୍ତଙ୍କ ମନକୁ ମୋ ଆଡ଼କୁ ଆକର୍ଷଣ କରି ଆଣିଲା ।

 

ଚୈତ୍ରପୂର୍ଣ୍ଣିମା ଯାତ୍ରା ଯୋଗୁ ବନଦେବୀଙ୍କ ପୂଜାପାଇଁ ସେହି ଦିନଟି ପ୍ରସିଦ୍ଧ ଲାଭ କରିଆସିଛି । ସାରା ପ୍ରଦେଶରୁ ବହୁ ଯାତ୍ରୀ ବନଦେବୀଙ୍କ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି । କଥିତ ଅଛି ଏହି ଦିନଟି ଠାକୁରାଣୀଙ୍କ ଦର୍ଶନ କଲେ ସାପ, ବାଘ ପ୍ରଭୃତିଙ୍କ ଭୟ ରହେ ନାହିଁ ଦେବୀ ପ୍ରସ୍ତରମୂର୍ତ୍ତି ହେଲେ ମଧ୍ୟ ତାଙ୍କ ମହିମା ଅମାପ । ସାପକାମୁଡ଼ା ରୋଗୀକୁ ଠାକୁରାଣୀଙ୍କ ମନ୍ଦିରରେ ଶୁଆଇ ଦେଲେ, ବିଷ ଝଡ଼ିଯାଏ । ସେ ଯାହା ହେଉ ଦେବୀଙ୍କୁ ସେ ପ୍ରଦେଶର ସମସ୍ତେ ପ୍ରାୟ ଭକ୍ତି କରନ୍ତି । ଚୈତ୍ରପୂର୍ଣ୍ଣିମୀ ଦିନ ବନଦେବୀ ଠାକୁରାଣୀଙ୍କର ଯାତ୍ରା ପଡ଼େ । ପାହାଡ଼ିଆ ଅଞ୍ଚଳର ବିଭିନ୍ନ ଜାତିର ଆଦିବାସୀ ସ୍ତ୍ରୀ, ପୁରୁଷ, ପିଲା ରୁଣ୍ଡ ହୁଅନ୍ତି । ଦିନସାରା ଛେଳି-ମେଣ୍ଢା-ବୋଦା ବଳି ପଡ଼େ-। ସେହି ମାଂସ ସେହିଠାରେ ରାନ୍ଧି ପ୍ରସାଦ ଆଖ୍ୟା ଦେଇ ପ୍ରତ୍ୟେକ ପ୍ରାୟ ଖା’ନ୍ତି ।

 

ସେହିଠାରେ କଥାବର୍ତ୍ତା ହେଉଛୁଁ ଏତିକିବେଳେ ଜଣେ ଲୋକକୁ ଗୋଟିଏ ଖଟିଆ ଉପରେ ପକାଇ ଠାକୁରାଣୀଙ୍କ ପାଖକୁ ବୋହି ଆଣିଲେ । ରୋଗୀକୁ ମନ୍ଦିର ପାଖରେ ଥୋଉ ନ ଥୋଉଣୁ ଲୋକେ ଚାରିପାଖଯାକ ରୁଣ୍ଡ ହୋଇଗଲେ । ଖବର ନେଇ ବୁଝିଲି ଗୋଟିଏ ଲୋକକୁ ସାପ କାମୁଡ଼ିଛି । ତେଣୁ ଠାକୁରାଣୀଙ୍କ ପାଖକୁ ନେଇ ଆସିଛନ୍ତି ବିଷ ଝଡ଼ିଯିବ ବୋଲି । ସାପ କାମୁଡ଼ିବା ପରେ ପରେ ଲୋକଟି ସଜ୍ଞା ହରାଇ ବସିଛି । କେତେକ କହନ୍ତି ମରିଯାଇଛି, କେତେକ କହନ୍ତି ବଞ୍ଚିଛି । ପ୍ରକୃତ ଅବସ୍ଥାଟା କ’ଣ ଜାଣିବାପାଇଁ ମୁଁ ଉଠିଲି ଦେଖିବାକୁ । ରୋଗୀ ପାଖରେ ଅସମ୍ଭବ ଭିଡ଼ ହୋଇଥାଏ । ଠାକୁରାଣୀଙ୍କ ପୁଝାରୀ କହେ ଆଜି ଭଳି ଦିନରେ ସାପ କାମୁଡ଼ିଲେ ବିଷ ଝଡ଼ିବା କଷ୍ଟ । ସେ ଠାକୁରାଣୀଙ୍କ ପାଖରେ ଦୋଷ କରିଥିବାରୁ ତାକୁ ସାପ କାମୁଡ଼ିଛି । ମୁଁ ପରିକ୍ଷା କରି ଦେଖିଲି ଉତ୍କଟ ବିଷ ସାରା ଦେହ ଗ୍ରାସ କରିବାକୁ ଲାଗିଛି । ମନେ ମନେ ଗୁରୁ ଅନନ୍ତଭୈରବଙ୍କୁ ସ୍ମରଣ କଲି । ତା’ ପରେ କିଛି ସମୟ ଗାରେଡ଼ି ମନ୍ତ୍ର ଜପ କରିବାକୁ ଲାଗିଲି; କିନ୍ତୁ ବିଶେଷକିଛି ଉପକାର ହେଲାଭଳି ଲାଗିଲା ନାହିଁ । କେତେକଡ଼ା କଉଡ଼ି ଆଣିବାକୁ କହିଲି । ସଙ୍ଗେ ସଙ୍ଗେ କଉଡ଼ି ଆସିଗଲା । ମୁଁ ସେହି କଉଡ଼ିକୁ ମନ୍ତ୍ରିତ କରି ବିଭିନ୍ନ ଦିଗକୁ ଫୋପାଡ଼ିବାକୁ ଲାଗିଲି ଏବଂ ଯେ କୌଣସିମତେ ସାପକୁ ଆଣିବାକୁ ଆଦେଶ ଦେଲି । ପ୍ରାୟ ଘଣ୍ଟାଟିଏ ଅତୀତ ହୋଇଗଲା ସାପ କି କଉଡ଼ି କେହି ଫେରିଲେ ନାହିଁ । ଦେଖଣାହାରୀମାନେ ନିଶ୍ଚଳ ଭାବେ ଠିଆ ହୋଇଥାନ୍ତି । ହଠାତ୍ ପଛ ପଟରୁ ପାଟିହେଲା ବାଟ ଛାଡ଼, ବାଟ ଛାଡ଼ ସାପ ଆସିଗଲା । ସମସ୍ତେ ରୋଗୀର ଗୋଟିଏ ପାଖକୁ ଚାଲିଗଲେ । ଦେଖାଗଲା ଏକ ବିରାଟ ନାଗସାପ ଫଣା ଟେକି ଫୁ ଫୁକାର ଗର୍ଜନ କରି ଲୋକଙ୍କ ପାଖରୁ କିଛି ବାଟରେ ଠିଆ ହୋଇଛି । ତା’ ମୁଣ୍ଡରେ, ଲାଞ୍ଜରେ ଓ ଦେହର ମଧ୍ୟଭାଗରେ ତିନୋଟି କଉଡ଼ି ଅଠା ମାରିଲା ପରି ଲାଗି ରହିଛି ।

 

ଲୋକମାନେ ଘୁଞ୍ଚିଯିବା ପରେ ସାପକୁ ଆଦେଶ ଦେଲି ତୁ ଯେଉଁଠି କାମୁଡ଼ିଛୁ ସେଇଠି ମୁହଁ ଲଗାଇ ବିଷ ବାହାର କର । ବାଧ୍ୟ ଶିଶୁଭଳି ସେ ତାହାହିଁ କଲା । ଟିକକ ପରେ ସାପଟି ଅତିରିକ୍ତ ବିଷ ଗ୍ରହଣ କରିନିଶ୍ଚଳ ହୋଇପଡ଼ିଲା । ମୁଁ ତାକୁ ଆଦେଶ ଦେଲି ବିଷ ବାହାରେ ବାନ୍ତି କରିବାକୁ । ସେ ତାହାହିଁ କଲା । ତା’ପରେ ପୁଣି ମୁହଁ ଲଗାଇ ବିଷ ଟାଣିଲା । ଅନେକ ସମୟପରେ ସାପଟି ନିସ୍ତେଜ ହୋଇ ପଡ଼ିଲା । ତା’ ପରେ ପରେ ଲୋକଟିର ହାତ ଗୋଡ଼ ହଲିବାକୁ ଲାଗିଲା । ତା’ ମୁହଁରେ ପାଣି ଛଟାଛଟି କଲା ପରେ ତାର ସଂଜ୍ଞା ଫେରି ଆସିଲା । ଏହା ହିଁ ହେଲା ମୋର ଜନସମାଜରେ ପ୍ରଥମ ଶକ୍ତି ପରୀକ୍ଷା ।

 

ଲୋକଟି ଭଲ ହୋଇ ସାରିଲା ପରେ ସାପଟିକୁ ନ ମାରି ଛାଡ଼ିଦେଇ ଆସିଲି ଦୂରରେ । ତା’ ପରେ ମୋତେ ଆଉ ବେଶୀ କିଛି କରିବାକୁ ପଡ଼ି ନାହିଁ । ଖାତିର୍‌, ସମ୍ମାନ ମୋର ଯଥେଷ୍ଟ ବଢ଼ି ଯାଇଥାଏ । ଆସାମୀ ଭାଷାରେ ସନାତନ ଧର୍ମ ବିଷୟରେ ଲୋକଙ୍କୁ ବୁଝାଉଥାଏ । ଅନେକ ମଧ୍ୟ ନାନା ପ୍ରଶ୍ନ କରୁଥାନ୍ତି । କେତେଜଣ ଅଧ୍ୟାପକ ଦ୍ୱେତବାଦ ଅଦ୍ୱେତବାଦ ଉପରେ ନାନା ପ୍ରଶ୍ନ କରୁଥାନ୍ତି ଇଂରେଜୀରେ । ମୁଁ ତାର ଉତ୍ତର ମଧ୍ୟ ଇଂରେଜୀରେ ଦେଉଥାଏ । ସେହିଠାରେ ଧର୍ମ ବିଷୟରେ କଥାବାର୍ତ୍ତା ହେଉ ହେଉ ଶୁଣିବାକୁ ପାଇଲି କାମରୂପରେ ଧର୍ମ-ମହାସଭା ହେଉଛି । ବିଭିନ୍ନ ଧର୍ମର ଧର୍ମଯାଜକମାନେ ଯାଉଛନ୍ତି ନିଜ ନିଜ ଧର୍ମବିଷୟରେ କହିବାକୁ । ଚୈତ୍ର ପୂର୍ଣ୍ଣମୀଠାରୁ ତା’ର ଆରମ୍ଭ । ମୋର ଇଚ୍ଛା ହେଲା ସେହି ଧର୍ମସଭାକୁ ଯିବାକୁ ।

 

ରାତି ପାହିବା ପୂର୍ବରୁ ଦଳ ଦଳ ହୋଇ ଲୋକେ ନିଜ ଘରକୁ ବାହୁଡ଼ିବାକୁ ଲାଗିଲେ । ମୁଁ କୁଆଡ଼େ ଯିବି କିଛି ଠିକ୍‌ କରିବା ପୂର୍ବରୁ ଜଣେ ଅଧ୍ୟାପକ ଅତି ବିନୟର ସହିତ ମୋତେ କହିଲେ ଯଦି ଆପଣଙ୍କର କୌଣସି ଦ୍ୱିଧା ନ ଥାଏ ତେବେ ଆପଣଙ୍କୁ ମୁଁ କାମରୁପଠାରେ ହେଉଥିବା ଧର୍ମ ମହାସଭା ପର୍ଯ୍ୟନ୍ତ ନେଇଯାଇ ପାରନ୍ତି । ମୁଁ ଜଣେ ଦର୍ଶନଶାସ୍ତ୍ର ଅଧ୍ୟାପକ । ସେହି ସଭାରେ ମୋର ମଧ୍ୟ କିଛି କହିବାର ପ୍ରୋଗ୍ରାମ ଅଛି ।

 

ତାଙ୍କ କଥା ଶୁଣି ମୋର ମନେ ହେଲା ଏହା ହିଁ ବୋଧେ ‘ମା’ର ନିର୍ଦ୍ଦେଶ । ତାଙ୍କ କଥାରେ ଅସମ୍ମତି ପ୍ରକାଶ କରିବାର କୌଣସି କାରଣ ନ ଥିଲା । ସେ ତାଙ୍କ ମଟରଗାଡ଼ିରେ ମୋତେ ବସାଇ ସିଧା ସେହି ସଭା ଅଭିମୁଖେ ଚାଲିଲେ । ପ୍ରଥମ ଓ ଦ୍ୱିତୀୟ ଦିନ ମୁଁ କେବଳ ଜଣେ ଶ୍ରୋତା ହିସାବରେ ନୀରବରେ ବସି ସମସ୍ତଙ୍କ ବକ୍ତବ୍ୟ ଶୁଣି ଯାଉଥାଏ । ଭାରତର ପ୍ରତ୍ୟେକ ଧର୍ମର ବିଶିଷ୍ଟ ଧର୍ମଯାଜକମାନେ ସେଠାକୁ ଆସିଥାନ୍ତି । ପ୍ରତ୍ୟେକଙ୍କର କେବଳ ଗୋଟିଏ କଥା ନିଜ ଧର୍ମର ପ୍ରଶସ୍ତିଗାନ । ସକାର ଏବଂ ନିରାକାର ଉପରେ ବିଭିନ୍ନ ଯୁକ୍ତି ଦର୍ଶାଇ ନିରାକାର ପୂଜାକୁ ଉଚ୍ଚ ସ୍ଥାନ ଦେଉଥାନ୍ତି । ସେହି ପୁରୁଣା ଶଙ୍କର, ବିବେକାନନ୍ଦ, ଯୀଶୁ, ନାନକ, ମହମ୍ମଦ, ଗୀତା, ବେଦ ଆଦିର ବାଣୀ ଅଳ୍ପ-ବହୁତେ ପ୍ରତ୍ୟେକ କିଛି କିଛି କହୁଥାନ୍ତି ।

 

ମୋର ସେହି ଅଧ୍ୟାପକ ପାର୍ଥସାରଥି ଶର୍ମାଙ୍କ ଚେଷ୍ଟାରେ ତୃତୀୟ ଦିନ ବା ଉଦ୍‍ଯାପନ ଦିବସରେ ମୋତେ କୋଡ଼ିଏ ମିନିଟ୍ କହିବାକୁ ସମୟ ମିଳିଥାଏ । ମୋ ପୂର୍ବରୁ ଜଣେ ଖ୍ରୀଷ୍ଟିୟାନ ଧର୍ମଯାଜକ ଏବଂ ଜଣେ ମୁସଲମାନ ଧର୍ମଯାଜକ ସେମାନଙ୍କ ଧର୍ମ ଉପରେ କହି ଯାଇଥାନ୍ତି । ସଭାପତି ମୋ ନାମ ପଢ଼ି ସେତେବେଳେ ଅନୁରୋଧ କଲେ ମୋତେ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ କିଛି କହିବାକୁ, ସେତେବେଳେ ମୋ’ ଠାରୁ କିଛି ଶୁଣିବାକୁ ଉତ୍ସୁକ ଥିବା ବିରାଟ ଜନସମୁଦ୍ରକୁ ଦେଖି ମୁଁ ପ୍ରଥମେ ଟିକିଏ ହତବାକ୍‌ ହୋଇଗଲି କ୍ଷଣକପାଇଁ । ମନେ ମନେ ସେହି ଆଦ୍ୟାଶକ୍ତି ଦେବୀଙ୍କୁ ସ୍ମରଣ କରି ଯେତେବେଳେ କହିବାକୁ ଉଠିଲି ସେତେବେଳେ ମୁଁ ସ୍ପଷ୍ଟ ଦେଖି ପାରିଲି ସେହି କୋଟି ବ୍ରହ୍ମାଣ୍ଡକର୍ତ୍ତୀ ଦେବୀଙ୍କୁ । ମୁଁ ତାଙ୍କୁ କେବଳ ସ୍ମରଣ କର କହି ଚାଲିଥାଏ କ’ଣ ମୋର ପାଟିରୁ ବାହାରିଲା; ମୁଁ କଣ କହୁଛି ତାହା ନିଜେ ବୁଝି ପାରିଲି ନାହିଁ । ଖାଲି ମନେ ହେଉଥାଏ ମୁଁ କଣ ଗୁଡ଼ାଏ କହି ଚାଲିଛି ଏବଂ ବେଳେ ବେଳେ ଦର୍ଶକମଣ୍ଡଳୀରୁ ତାଳିଶବ୍ଦ ଶୁଭୁଛି । ପରେ ଲୋକମୁଖରୁ ଓ ଖବରକାଗଜରୁ ମୋ ବକ୍ତୃତା ଶୁଣି ମୁଁ ନିଜେ ଆଶ୍ଚର୍ଯ୍ୟ ହେଲି । ମୋର ମନେ ହେଲା ସେହି ଅପୂର୍ବ ଶକ୍ତି ହିଁ ସବୁ କରିଛି ।

 

ପ୍ରଥମ ସଭାପତି ଓ ଦର୍ଶକଣ୍ଡଳୀଙ୍କୁ ସମ୍ବୋଧନ କରି ମୁଁ କହିଲି ଭଗବାନ୍‌ କେବଳ ନିରାକାର ଏହା ଯେଉଁମାନେ ଯୁକ୍ତି କରନ୍ତି ସେମାନେ ମନେ ରଖିବା ଉଚିତ୍‌ ଭଗବାନ୍‌ ଯେପରି ନିରାକାର ସେହିପରି ସାକାର ମଧ୍ୟ । ଏହି ନିରାକାର ସାକାରଛଡ଼ା ଆଉ ଯେତେ ରୂପ ଅଛି ତାହା ମଧ୍ୟ ଈଶ୍ୱରଙ୍କର । ଯେଉଁମାନେ କହନ୍ତି ମୃତ୍ତିକା’ କାଷ୍ଠ’ ପ୍ରସ୍ତର ମୂର୍ତ୍ତି ଗୋଟାଏ ପ୍ରହସନ ମୁଁ ସେମାନଙ୍କୁ ସତର୍କ କରି ଦେଉଛି ଅଣୁଠାରୁ ପରମାଣୁ ପର୍ଯ୍ୟନ୍ତ ପ୍ରତ୍ୟେକରେ ଈଶ୍ୱରଙ୍କ ଅସ୍ତିତ୍ୱ ବିଦ୍ୟମାନ । ସେ ଈଶ୍ୱର ନୁହନ୍ତି ବା ତାଙ୍କର ପୂଜା ଅଧମତାର ପରିଚାୟକ ଏହା ଯେଉଁମାନେ କହି ପ୍ରବଳ ଯୁକ୍ତି ବାଢ଼ନ୍ତି ମୁଁ ସେମାନଙ୍କୁ ସେହି କାଷ୍ଠ ପାଷାଣ ମୂର୍ତ୍ତି ଭିତରେ ଈଶ୍ୱରଙ୍କ ଅସ୍ତିତ୍ୱ ଉପଲବ୍‌ଧି କରାଇ ଦେବାକୁ ଚାହେଁ । ଯେଉଁମାନେ ଚାହାନ୍ତି ସେହି କାଷ୍ଠ-ପାଷାଣଭିତରୁ ଈଶ୍ୱରଙ୍କୁ ଦର୍ଶନ କରିବାକୁ ସେମାନେ ଦେଖନ୍ତୁ ଏ ଗୋଟିଏ ପ୍ରସ୍ତରମୂର୍ତ୍ତି । ଏତିକି କହି ମୁଁ ମୋ ଗେରୁ ଲୁଗା ଭିତରୁ ଛ ଇଞ୍ଚ ଉଚ୍ଚର ଏକ କାଳିମୂର୍ତ୍ତି ବାହାର କରି ଦେଖାଇଲି । କ୍ଷୁଦ୍ର ମୂର୍ତ୍ତିଟିକୁ ଦେଖିବାପାଇଁ ପ୍ରତ୍ୟେକ ନିଜ ନିଜ ବସିବା ସ୍ଥାନରୁ ଉଠି ପଡ଼ିଲେ । ମୁଁ ପାଟି କରି କହିଲି ଉଠିବା ଆବଶ୍ୟକ ନାହିଁ-। ନିଜ ନିଜ ସ୍ଥାନରେ ପ୍ରତ୍ୟେକ ବସନ୍ତୁ ଆପେ ଆପେ ପ୍ରତ୍ୟେକ ସୁଚାରୁରୂପେ ଦେଖି ପାରିବେ ମୂର୍ତ୍ତିକୁ ଏବଂ ମହାଦେବୀଙ୍କୁ ।

 

ତତ୍‌ପରେ ମୁଁ ସେହି ମୂର୍ତ୍ତିଟିକୁ ମୋରି ଆଗରେ ଥୁଆ ହୋଇଥିବା ମେଜଟି ଉପରେ ଥୋଇ ଧ୍ୟାନମଗ୍ନ ହେଲି । ମୁଁ ଧ୍ୟାନମଗ୍ନ ଥିବାବେଳେ ଦେଖାଗଲା ମୂର୍ତ୍ତିଟି ଧୀରେ ଧୀରେ ବୃଦ୍ଧିପ୍ରାପ୍ତ ହେବାକୁ ଲାଗିଲା । କ୍ଷୁଦ୍ର କାଳୀ ମୂର୍ତ୍ତିଟି ଶେଷରେ ଏତେ ବିରାଟ ଆକାର ଧାରଣ କଲା, ଯାହାକି ପ୍ରତ୍ୟେକ ଦର୍ଶକଙ୍କ ମନରେ ଭୟ ସଞ୍ଚାର କରାଇଲା । ପ୍ରତ୍ୟେକ ଦେଖିବାକୁ ପାଇଲେ ଦେବୀ ହୁଁ କାର ଗର୍ଜନ କରି ଅସୀମ ନୀଳ ଆକାଶ ଉପରକୁ ଲମ୍ପ ପ୍ରଦାନ କଲେ, ସମସ୍ତେ ଲକ୍ଷ୍ୟ କରିଛନ୍ତି ସେହି ମୂର୍ତ୍ତି ସାରା ନୀଳ ଆକାଶ ଉପରେ ବିଛାଇ ହୋଇ ଭାସି ବୁଲିଲେ । ଧୀରେ ଧୀରେ ତାଙ୍କର କାୟା ବ୍ୟାପକ ହେବାକୁ ଲାଗିଲା । ତାଙ୍କର ସେହି ଲାଲ ଟହ ଟହ ଜିହ୍ୱାଟି ସାରା ଆକାଶକୁ ଘୋଡ଼ାଇ ଦେଲା । ଅବଶିଷ୍ଟ ଅଙ୍ଗ-ପ୍ରତ୍ୟେଙ୍ଗ ଦେଖିବାର ଅବକାଶ ରହିଲା ନାହିଁ । ତତ୍‌ପରେ ଦେଖାଗଲା ଅନନ୍ତ ଆକାଶ ଉପରୁ ସେହି ରକ୍ତଜିହ୍ୱାରୁ ଥପ ଥପ ହୋଇ ରକ୍ତବିନ୍ଦୁ ଝରିବାକୁ ଲାଗିଲା । ବହୁ ଦୂରର କ୍ଷୁଦ୍ର ରକ୍ତବିନ୍ଦୁ ଦର୍ଶକମାନଙ୍କର ଯେତେ ନିକଟକୁ ଆସୁଥାଏ ସେତେ ବିରାଟ ଆକାର ଧାରଣ କରୁଥାଏ । ଶେଷରେ ଦେଖାଗଲା ପ୍ରତ୍ୟେକ ବିନ୍ଦୁ ଗୋଟିଏ ଗୋଟିଏ ଗ୍ରହ । ନକ୍ଷତ୍ର ଖସିଲା ପରି ପ୍ରତ୍ୟେକଟି ତଡ଼ିତ୍‌ ବେଗରେ ଖସି ଖସି ଲୋକ ଲୋଚନରେ ଘୂରି ଘୂରି ପୁଣି ସେହି ରକ୍ତ ଜିହ୍ୱା ଭିତରେ ଲୀନ ହୋଇ ଯାଉଥାଏ । ପ୍ରତ୍ୟେକ ଗ୍ରହର ଘୂର୍ଣ୍ଣାୟମାନ ଶବ୍ଦ ଲୋକଙ୍କ କର୍ଣ୍ଣକୁ ସ୍ତବ୍‌ଧ କରି ଦେଉଥାଏ । ସ୍ଥାଣୁ ପରି ପ୍ରତ୍ୟେକେ ନୀରବରେ ଅବସ୍ଥାନ କରି ଦର୍ଶନ କରୁଥାନ୍ତି ଅଦୃଷ୍ଟ, ଅଶ୍ରୁତ, ଅଗୋଚର ଈଶ୍ୱରର ସତ୍ତା ।

 

ମୁହୂର୍ତ୍ତକ ମଧ୍ୟରେ ଅସଂଖ୍ୟ ଜୀବଜଗତ ତାଙ୍କ ଚକ୍ଷୁ ଆଗକୁ ଆସି ଅଦୃଶ୍ୟ ହୋଇଯାଉଛନ୍ତି । ଯାହା କି କେହି କେବେ ଭୁଲ୍‌ରେ କଳ୍ପନା କରି ନାହଁ ତାହାହିଁ ସମସ୍ତେ ଦେଖି ତଟସ୍ଥ ହୋଇଗଲେ । ମୁହୂର୍ତ୍ତକ ଭିତରେ ଶହ ଶହ ଗ୍ରହ ଲୋକଲୋଚନକୁ ଆସି ଅଦୃଶ୍ୟ ହେଉଥାଏ । କେଉଁଗ୍ରହରେ ବନ୍ୟାସ୍ରୋତ ସ୍ଥଳଭାଗକୁ ପ୍ଳାବିତ କରି ମହାସମୁଦ୍ରରେ ଲୀନ ହେଉଥାଏ, କେଉଁ ଗ୍ରହରେ ବିରାଟ ସମୁଦ୍ର ଘୁ, ଘୁ, ଗର୍ଜନ କରି ସ୍ଥଳଭାଗରୁ ଗ୍ରାସ କରିବାକୁ ଛୁଟି ଆସୁଛି, କେଉଁ ଗ୍ରହରେ ପ୍ରଳୟର ତାଣ୍ଡବଲୀଳାରେ ତା’ର ଜୀବଜଗତ ଆକୁଳରେ ଅବୋଧ୍ୟ ଭାଷାରେ ଚିତ୍କାର କରୁଥାନ୍ତି, କେଉଁ ଗ୍ରହରେ ଆଗ୍ନେୟ ଗିରିରୁ ଅଗ୍ନି ଉଦ୍‌ଗିରଣ ହେଉଛି, ଭୂମିକମ୍ପରେ ଜୀବଜଗତ ମୃତ୍ୟୁମୁଖରେ ପତିତ ହେଉଛନ୍ତି । ଖାଲି ଧ୍ୱଂସର ତାଣ୍ଡବଲୀଳା । ପ୍ରଳୟର ବାର୍ତ୍ତା, ହାହାକାର, ମୃତ୍ୟୁ, ତା’ ପରେ ପୁଣି ଦୃଶ୍ୟମାନ ହେଲା ଶାନ୍ତିର ବାର୍ତ୍ତା । ଶହ ଶହ ଗ୍ରହ ବକ୍ଷରେ ସୁଶ୍ୟାମଳ ଶସ୍ୟକ୍ଷେତ୍ର ପବନରେ ନର୍ତ୍ତନ କରୁଛି । ବିଭିନ୍ନ ରଙ୍ଗର ପୁଷ୍ପ ପ୍ରସ୍ଫୁଟିତ ହୋଇ ଦର୍ଶକଙ୍କ ମନରେ ଆନନ୍ଦ ଭରି ଦେଉଛି । କୃଷକ କାହିଁ ଭୂମି କର୍ଷଣ କରି ଚାଲିଛି, କାହିଁ ଗାଡ଼ି ଗାଡ଼ି ଶସ୍ୟ ଭର୍ତ୍ତି ହୋଇ ଚାଲିଛି । କେଉଁଠି ବୃଷ୍ଟି ହେଉଛି, କେଉଁଠି ନଦୀ ବନ୍ଧା ହୋଇ ନାଳଦ୍ୱାରା ଶସ୍ୟକ୍ଷେତ୍ରକୁ ଜଳ ଯୋଗାଯାଉଛି, କେଉଁଠି କଳ କାରଖାନା ଚାଲିଛି, ବାଷ୍ପୀୟ ଯାନ ଜଳ, ସ୍ଥଳ ଆକାଶରେ ଧାଇଁ ବୁଲୁଛି । ପୁଣି କେଉଁଠି ଯୁଦ୍ଧ ଚାଲିଛି, ଲକ୍ଷ ଲକ୍ଷ କୋଟି କୋଟି ଲୋକ କମାଣ ମୁଁହରେ ଧ୍ୱଂସ ପାଇଯାଉଛନ୍ତି । ନଦୀ, ଗିରି, ବଣ, ପ୍ରାନ୍ତର ସମୁଦ୍ର, ସ୍ଥଳଭାଗ ପ୍ରଭୃତି ବିଭିନ୍ନଗ୍ରହରେ କ୍ଷଣକ ଭିତରେ ଦିଶି ଯାଉଛି । ସବୁଗୁଡ଼ିକୁ ସେହି ପ୍ରକୃତିରୂପିଣୀ କାଳିକାର ଲହ ଲହ ଜିହ୍ୱାତଳକୁ ଖସି ଆସୁଛି ପୁଣି ଘୂରି ଘୂରି ସେହି ଜିହ୍ୱା ଭିତରେ ଲୀନ ହୋଇଯାଉଛି । ଏହି ଅସଂଖ୍ୟ ଗ୍ରହ ଦେଖୁ ଦେଖୁ ଆମେ ବାସ କରୁଥିବା ପୃଥିବୀ ମଧ୍ୟ ଦୃଶ୍ୟମାନ ହେଲା । ଭାରତ ତା’ରି ଭିତରେ ଆସାମର କାମରୂପ ଧର୍ମ ସଭାର ଅସଂଖ୍ୟ ଜନତା ନିର୍ବାକ ହୋଇ ଚାହୁଁଛନ୍ତି, ସବୁ କ୍ଷଣକ ଭିତରେ ଦିଶିଯାଇ ଅଦୃଶ୍ୟ ହୋଇଗଲା । ପୁଣି ଆଉ ଗୋଟାଏ ଗ୍ରହ ଘୂରି ଆସିଲା । ବିଜ୍ଞାନର ଅଗ୍ରଗତି ସେଠାରେ ଶୀର୍ଷ ସ୍ଥାନ ଅଧିକାର କରିଛି । ହୁଏତ ମଙ୍ଗଳ ଗ୍ରହ ହୋଇପାରେ କିମ୍ବା ସେହିପରି କୌଣସି ଗୋଟାଏ ଗ୍ରହ । ପୁଣି ଆଉ ଗୋଟାଏ ଗ୍ରହ ଆଖି ଆଗକୁ ଆସିଗଲା । ସେଠି ବି ବିଜ୍ଞାନର କାରସାଦି । ମୁହୂର୍ତ୍ତକ ଭିତରେ ଶହ ଶହ ବୈଜ୍ଞାନିକଙ୍କଦ୍ୱାରା ଉନ୍ନତଶୀଳ ଗ୍ରହଗୁଡ଼ିକ ଲୋକ ଚକ୍ଷୁକୁ ଆସି ଅଦୃଶ୍ୟ ହୋଇ ଯାଉଥାଏ ।

 

ବିଜ୍ଞାନ ଶୀର୍ଷ ସ୍ଥାନ ଅଧିକାର କରିଛି ? ମାରଣାସ୍ତ୍ର ସଜ୍ଜିତ ଲକ୍ଷ ଲକ୍ଷ ସେନା ଉଭୟ ପକ୍ଷରେ ଠିଆ ହୋଇଛନ୍ତି ଅହମିକାର ମଦ ପାନ କରି । ବିଭିନ୍ନ ବୋମା, ତୋପ ଫୁଟି ଚାଲିଛି । ନିରୀହ ନିରସ୍ତ୍ର ଜନତା ଭୟଭୀତ ହୋଇ ସରୀସୃପ ପରି ମାଟିତଳେ ଲୁଚୁଛନ୍ତି । ଆକାଶ-ଯାନରେ ଉଭୟ ପକ୍ଷରୁ ଆକ୍ରମଣ ହେଉଛି, ଖସି ପଡ଼ୁଛି କାହାଯାନ ନିଃସହାୟ ହୋଇ । ଉପରୁ ଆକାଶ-ଯାନରେ ଗୁଳିବର୍ଷଣଦ୍ୱାରା କେତେକ ଗ୍ରହର ଉପରିଭାଗ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଉଛି । ସେହି ପ୍ରଳୟ ଶବ୍ଦରେ ଧର୍ମ ମହାସଭାର ଦର୍ଶକମାନେ ଭୟରେ ଚକ୍ଷୁ ବନ୍ଦ କରି ଦେଉଛନ୍ତି । ପୁଣି ଚକ୍ଷୁ ଫିଟାଇଲା ବେଳକୁ ତାହାଠାରୁ ଆହୁରି ଭୟାନକ ଦୃଶ୍ୟ ଦେଖାଯାଏ । ଗୁଳାବର୍ଷଣରେ ପାହାଡ଼ ପର୍ବତ ଟଳି ପଡ଼ୁଛି । ସମୁଦ୍ର କୂଳ ଲଙ୍ଘି ସ୍ଥଳଭାଗକୁ ଭସାଇ ନେଉଛି । ସତେ ଯେପରି ସେ ଗ୍ରହଗୁଡ଼ିକ ଏହି ବିପର୍ଯୟରେ ନିଜେ ନିଜର କକ୍ଷଚ୍ୟୁତ ହୋଇ ଖସି ପଡ଼ିବେ ?

 

ହଠାତ୍‌ ଧର୍ମ-ମହାସଭା ଭିତରୁ ଜଣେ କେହି କହି ଉଠିଲା, ‘‘ବନ୍ଦ କରନ୍ତୁ ଏ ସବୁ । ଆମର ଆଉ ଧୈର୍ଯ୍ୟ ନାହିଁ ଏ ସବୁ ଦେଖିବାକୁ । ଆମେ ସବୁ ବଡ଼ ଭୟାତୁର ହୋଇପଡ଼ିଲୁଣି ।’’ ସଙ୍ଗେ ସଙ୍ଗେ ଭୟାତୁର କଣ୍ଠରେ ବହୁ ଲୋକଙ୍କର ସେହି ଗୋଟିଏ ଶବ୍ଦ ମୁହଁରୁ ବାହାରିଲା । ବନ୍ଦ କରନ୍ତୁ ଏ ସବୁ ।’ ଜନତାର ଭୟାତୁର ଚିତ୍‌କାର ଶୁଣି ମୁଁ ଅନନ୍ତ ଭୈରବଙ୍କ ଭଳି ପାଗଳ ହୋଇ ହସି ଉଠିଲା । ସେହି ତାତ୍ସଲ୍ୟ ବିକଟ ହସରେ ସଭାସ୍ଥିତ ସକାଳ ବ୍ୟକ୍ତି ଆଉରି ଭୟାତୁର ହୋଇ ପଡ଼ିଲେ । ତା’ପରେ ଦେଖାଗଲା ଧୀରେ ଧୀରେ ସାରା ଆକାଶ ବ୍ୟାପ୍ତ ସେହି ରକ୍ତଜିହ୍ୱା ଭିତରେ ସକଳ ଗ୍ରହ ଅଦୃଶ୍ୟ ହୋଇଗଲେ । ସଂକୁଚିତ ହୋଇ ଆସିଲା ସେହି ବିରାଟ ଜିହ୍ୱା । କ୍ଷଣକ ଭିତରେ ଦେଖାଗଲା କାଳିକା ଦେବୀଙ୍କ ମୁଣ୍ଡ । ତା’ପରେ ହାତ ଗୋଡ଼ । ଧୀରେ ଧୀରେ ସଂକୁଚିତ ହୋଇ ଓହ୍ଲାଇ ଆସିଲେ ପୃଥିବୀ ବକ୍ଷକୁ । ମୋ ନିର୍ଦ୍ଦେଶରେ ଗୋଟିଏ ଫଳପୂର୍ଣ୍ଣ ଡାଲା ଜଣେ ଧରି ଆସିଲା । ମୁଁ ତା’ ଭିତରୁ କଦଳୀ କେତୋଟି ଛଡାଇ ‘ମା’ ର ମୁଖ ପାଖକୁ ବଢ଼ାଇ ଦେଲି । ସର୍ବ ସମକ୍ଷରେ ସେ ସାଧାରଣ ମଣିଷଙ୍କ ଭଳି ନିର୍ବିକାର ଚିତ୍ତରେ ଖାଇବାକୁ ଲାଗିଲେ । ମୋ ପଛ ପଟରେ ଠିଆ ହୋଇଥିବା ଅଧ୍ୟାପକ ପାର୍ଥସାରଥି ଶର୍ମାଙ୍କୁ ନିର୍ଦ୍ଦେଶ ଦେଲି ‘ମା’ କୁ ଗୋଟିଏ କଦଳୀ ଖାଇବାକୁ ଦେବାକୁ । ସେ ଆନନ୍ଦରେ ଗୋଟିଏ କଦଳୀ ଛଡ଼ାଇ ମା’ ଙ୍କୁ ଦେଲେ । ‘ମା’ ତାକୁ ଗ୍ରହଣ କଲେ । ଜଣେ ଖ୍ରୀଷ୍ଟିୟାନ ଧାଇଁ ଆସିଲେ ସତ୍ୟତା ପରୀକ୍ଷା କରିବାକୁ । ତା’ ହାତରୁ କିନ୍ତୁ କିଛି ଗ୍ରହଣ କଲେ ନାହିଁ ‘ମା’ । ମୁଁ ବିନୟସହକାରେ କହିଲି, ସମସ୍ତ ତୋର ସନ୍ତାନ । ସେ ଖ୍ରୀଷ୍ଟିୟାନ ହେଉ ବା ହିନ୍ଦୁ କିମ୍ବା ମୁସଲମାନ ହେଉ କାହାରି ପ୍ରତି ତୋର ପକ୍ଷପାତ ଉଚିତ୍‌ ନୁହେଁ । ଏ ଦୁର୍ବଳ ମନୋବୃତ୍ତି ତୋ ପକ୍ଷରେ ଶୋଭା ପାଏ ନାହିଁ ମା’ ।

 

ଆକାଶରୁ ହଠାତ୍‌ ଶୁଭିଲା ‘‘ଯେ ମୋତେ ବିଶ୍ୱାସ କରେ ନାହିଁ ତା’ ହାତରୁ ମୁଁ କିପରି ଗ୍ରହଣ କରିବ ?’’

 

ଚମତ୍କୃତ ହେଲେ ସଭାସ୍ଥିତ ବ୍ୟକ୍ତି । ନିର୍ବାକ ହୋଇ ପଡ଼ିଲେ ସମସ୍ତେ । ମୁଁ ପୁଣି ଅନୁନୟ କରି କହିଲି ‘‘ତୁ ତୋ ସନ୍ତାନ ହାତରୁ ଖାଦ୍ୟ ଗ୍ରହଣ କଲେ କ’ଣ ସେ ବିଶ୍ୱାସ କରିବେ ନାହିଁ ତୋର ଅସ୍ତିତ୍ୱକୁ ?’’

 

ଆଶ୍ଚର୍ଯ୍ୟ କଥା, ମୋ କହିବା ସଙ୍ଗେ ସଙ୍ଗେ ତା’ ହାତରୁ ଗୋଟିଏ କଦଳୀ ଏବଂ ଗୋଟିଏ ସେଓ ଗ୍ରହଣ କଲେ ସେହି ମୂର୍ତ୍ତି । ସର୍ବ ସମକ୍ଷରେ ମଣିଷଙ୍କ ଭଳି ପାଟି ପାକୁଳି ବୁଲାଇ ସେ ମଧ୍ୟ ଗର୍ଭସ୍ଥ କଲେ ଦିଆ ହୋଇଥିବା ଖାଦ୍ୟତକ । ଚକ୍ଷୁ ସମକ୍ଷର ସତ୍ୟତାକୁ ମିଥ୍ୟା ବୋଲି କିଏ ବା କିପରି କହିବ ? ସର୍ବଧର୍ମଯାଜକର ମୁଣ୍ଡ ନଇଁ ପଡ଼ିଲା ସେହି ମୂର୍ତ୍ତି ପାଖରେ । ଦୂର ହୋଇ ଗଲା ନାସ୍ତିକବାଦ, ବାସ୍ତବ ସତ୍ୟତାର ଅପୂର୍ବ ଦର୍ଶନରେ । ଧନ୍ୟ ହେଲେ ସଭାସ୍ଥିତ ଜନତା-। କ୍ଷଣକପାଇଁ ମୁଖରିତ ହୋଇ ଉଠିଲା ସଭାସ୍ଥଳ ନାନା ସ୍ତବ, ସ୍ତୋତ୍ର ପାଠରେ ।

 

ତା’ପରେ ସେହି ମୂର୍ତ୍ତି ଆଉରି ସଂକୁଚିତ ହୋଇ ପୂର୍ବର ସେହି କ୍ଷୁଦ୍ର ମୂର୍ତ୍ତିରେ ପରିଣତ ହେଲେ । କୋଟି କୋଟି ଗ୍ରହ ଯାହାର ମୁଖରୁ ନିର୍ଗତ ହୋଇଥିଲା ସେହି ଅନନ୍ତ ଦେବୀ କାଳିକାଙ୍କ କ୍ଷୁଦ୍ର ମୂର୍ତ୍ତିକୁ ମୁଁ ପୁଣି ଗେରୁଆ ବସ୍ତ୍ରରେ ବାନ୍ଧି ରଖିଲି ମୋ କଟି ଦେଶରେ । କ୍ଷୁଦ୍ରରୁ ବିରାଟ ଏବଂ ବିରାଟରୁ କ୍ଷୁଦ୍ର ଏ ଦର୍ଶନ ବହୁ ପୁରୁଣା ହେଲେ ମଧ୍ୟ ସେହି ସମୟରେ ବିସ୍ମୟାଭିଭୂତ କଲା ସକଳ ବ୍ୟକ୍ତିଙ୍କୁ ।

 

ଜୟ ହେଲା ସନାତନ ଧର୍ମ ଆସ୍ତିକ ବାଦର । ସେହି ଦିନର ସେହି ଜୟଗାନ ପକ୍ଷାନ୍ତର ହେଲା ବ୍ୟକ୍ତି ବିଶେଷ ମାଧ୍ୟମରେ ମୋର । ସବୁ ଦେଶର ସବୁ ଭାଷାର ଖବରକାଗଜରେ ମୋ ଫଟ ସହିତ ମୋର ଅଦ୍ଭୁତ କରଣିସାରା ପୃଥିବୀକୁ ଚମତ୍‌କୃତ କରି ଦେଲା । ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଯେଉଁ ସତ୍ୟତା ଲୁକ୍‌କାୟିତ ଅବସ୍ଥାରେ ଥିଲା ତାହାକୁ ଯେତେବେଳେ ଜଣେ ନୁହେଁ ଦୁଇଜଣ ନୁହେଁ ହଜାର ହଜାର ଦର୍ଶକଙ୍କ ଆଗରେ ଉପସ୍ଥିତ କରାଗଲା ସେତେବେଳେ ମୋର ଜୟଗାନ ସାରା ପୃଥିବୀରେ ବ୍ୟାପିଯିବାର ନୂତନତ୍ୱ କିଛି ନ ଥିଲେ ମଧ୍ୟ ମୁଁ ନୂତନତ୍ୱ ଅନୁଭବ କଲି-। ସାଧାରଣ ମଣିଷଙ୍କଭଳି ଉଦ୍‌ବୁଦ୍ଧ ହୋଇ ପଡ଼ିଲି ମଧ୍ୟ । ଏତେ ବଡ଼ ସମ୍ମାନର ଅଧିକାରୀ ହେବି, ଏ କଳ୍ପନା କେବେ ଦିନେ ମୋତେ ସ୍ପର୍ଶ କରି ପାରି ନ ଥିଲା । ହଠାତ୍‌ ଏତେବଡ଼ ସମ୍ମାନ ମୋତେ ସାଧାରଣ ମଣିଷଙ୍କ ଭଳି ଅଳ୍ପ ସମୟପାଇଁ ଗର୍ବିତ କରି ଦେଲା । ମାତ୍ର ନିଃସ୍ୱ ଦୁଷ୍ମନ୍ତ ଏହି ଅହମିକାରେ କେତେ ସମୟ ବା ନିଜକୁ ହଜାଇ ଦେଇ ପାରିବ ? ପ୍ରଥମ ଦିନର ଜୟଗାନ ପରେ ଦ୍ୱିତୀୟଦିନ ଯେତେବେଳେ ପ୍ରଶ୍ନ ଉଠିଲା ଏ କିଏ ? ଆସାମୀ, ବଙ୍ଗାଳି, ହିନ୍ଦୁସ୍ଥାନୀ ନା ଓଡ଼ିଆ-। କାରଣ ମୁଁ ଏହି ଚାରୋଟି ଭାରତୀୟ ଭାଷାରେ ବେଶ୍‌ ସୁନ୍ଦରଭାବେ କଥାବାର୍ତ୍ତା କରିପାରୁଥିଲେ-। କେତେକ ସାମ୍ବାଦିକ ମୋ ସମ୍ବନ୍ଧରେ ଜାଣିବାକୁ ମୋତେ ଅନେକ ପ୍ରଶ୍ନ କରିଥିଲେ; କିନ୍ତୁ ମୋଠାରୁ ଯେଉଁ ଭାଷାଭାଷୀ ଅଞ୍ଚଳର ତାହା ଠିକ୍‌ କରିବା ତାଙ୍କ ପକ୍ଷେ କଠିନ ହୋଇ ପଡ଼ିଲା-। ମୁଁ ଜାଣେ ଭାରତୀୟ ଏହାହିଁଥିଲା ମୋର ଶ୍ରେଷ୍ଠ ପରିଚୟ ।

 

ବିରାଟ ଧର୍ମ ସଭା ପରେ ମୋତେ ବିଭିନ୍ନ ମଠରେ ରହିବାକୁ ଅନୁରୋଧ କଲେ, ମାତ୍ର ମୁଁ କୌଣସି ମଠ ବା ବ୍ୟକ୍ତିବିଶେଷଙ୍କ ଘରେ ରହିବାକୁ ପସନ୍ଦ କଲି ନାହିଁ । କାମରୂପ ସହରତଳେ ଏକ ଝରଣା କୁଳରେ ମୁଁ ମୋର ଏକ ଆଶ୍ରମ ସ୍ଥାପନ କରିବାକୁ ମନସ୍ଥ କଲି । ଅଧ୍ୟାପକ ଶର୍ମା ମୋ କହିବା ଅନୁସାରେ ସବୁ ପ୍ରକାର ବନ୍ଦୋବସ୍ତ କରିଦେଲେ । ସେଠାରେ ରହିବାଦ୍ୱାରା ମୋତେ ପୂଜା ଉପାସନା କରିବାକୁ ସୁବିଧା ହେଲା । ଏହିଠାରେ ରହିବା ସମୟରେ ଆଉ ଗୋଟାଏ ବିରାଟ ଘଟଣା ଘଟିଲା । ଯାହା ମୋ ପ୍ରତିଭାକୁ ଆହୁରି ବଢ଼ାଇ ଦେଇଥିଲା ।

 

ସେଦିନ ସବୁଦିନ ପରି ବ୍ରାହ୍ମ ମୁହୂର୍ତ୍ତରେ ଉଠି ନିତ୍ୟକର୍ମ ସାରି ପ୍ରାଣାୟମ ଦ୍ୱାରା ବାୟୁ ଗ୍ରହଣ, ନିରୋଧ ଏବଂ ନିଷ୍କାସନ କରି ଚିତ୍ତଶୁଦ୍ଧି କରିବାରେ ବ୍ୟାପୃପ୍ତଥିବାବେଳେ ଜଣେ ବୃଦ୍ଧ ମୋ ଆଗରେ ସାଷ୍ଟାଙ୍ଗ ପ୍ରଣିପାତପୂର୍ବକ ଉପାଧ୍ୟା ପରି ପଡ଼ି ରହିଲେ । ଯେତେବେଳେ ମୁଁ ପ୍ରଣାୟମରୁ ଉଠିଲି ସେତେବେଳେ ଜଣେ ବୃଦ୍ଧଙ୍କୁ ଏପରି ଅବସ୍ଥାରେ ଦେଖି ଆଶ୍ଚଯ୍ୟ ହେଲି । କାରଣ ଜିଜ୍ଞାସା କରି ଜାଣିଲି ଯେ ତା’ର ପୁଅକୁ ଝାଡ଼ା ବାନ୍ତି ଦୁଇଦିନ ହେଲା ହେଉଛି । ଡାକ୍ତରଙ୍କ ଆଶ୍ରୟ ନେଇ ମଧ୍ୟ ବିଶେଷ କିଛି ସୁଫଳ ଫଳିନି । ବରଂ ଅବସ୍ଥା ବେଳୁ-ବେଳ ଖରାପ ହେଉଛି । ଏପରି ଏକ ମୁମୂର୍ଷୁ ରୋ‌ଗୀକୁ ମୁଁ ବା କି ଉପାୟରେ ଭଲ କରିବି ? ବୁଢ଼ାର କାକୁତି ମିନତୀ ଦେଖି ନାସ୍ତି ମଧ୍ୟ କରି ହେଉ ନାହିଁ । ତା’ର ଅଟଳ ବିଶ୍ୱାସ ତା’ ଘରେ ମୋ ପାଦ ପଡ଼ିଲେ ପୁଅ ଭଲ ହୋଇ ଯିବ କ’ଣ କରିବି ?.... ଅନ୍ୟନ୍ୟୋପାୟ ହୋଇ ମୁଁ ଚାଲିଲି ତା’ ପଛେ ପଛେ । ଏ ବି ଏକ ଶକ୍ତିର ପରୀଷା–ଏ ପରୀକ୍ଷାରେ ମୋତେ ଉତ୍ତୀର୍ଣ୍ଣ ହେବାକୁ ହିଁ ପଡ଼ିବ, ତା’ ନ ହେଲେ ବ୍ୟଥି ହୋଇଯିବ ସବୁ ସୁକୃତ ।

 

ଗଲାବେଳେ ସେହି ଅନନ୍ତା ଜଗଜ୍ଜନମୀ ମା’ ଙ୍କୁ ସ୍ମରଣ-ପୂର୍ବକ ଯାତ୍ରା କଲି । ମୋର ସେହି ତନ୍ତ୍ରଗୁରୁ ଅନନ୍ତଭୈରବଙ୍କ ଭୈରବରୂପ ମୋ ଆଖି ଆଗରେ ଦେଖାଗଲା । ମୁଁ ଅନନ୍ତ ଭୈରବ ନ ହେଲେ ମଧ୍ୟ ଅନନ୍ତଭୈରବଙ୍କଠାରୁ ଅନେକଟା ଶିକ୍ଷା କରିଥାଏ । ତନ୍ତ୍ରଦ୍ୱାରା ମୃତବ୍ୟକ୍ତି ଦେହରେ ପ୍ରାଣ ସଞ୍ଚାର କରିବା ତାନ୍ତ୍ରିକର ଶେଷ କୃତୀ । ପୁରାଣ ପୃଷ୍ଠାରୁ ଶୁକ୍ରଙ୍କର ସଞ୍ଜୀବନୀମନ୍ତ୍ରଦ୍ୱାରା ମୃତ ବ୍ୟକ୍ତିକୁ ଜୀବଦାନପ୍ରଥା ଏକଦା ଦେବଗୁରୁ ବୃହସ୍ପତିଙ୍କ ପୁନ୍ତ୍ର ‘କଚ’ଙ୍କ ମର୍ତ୍ତ୍ୟ ଆଗମନ ବିଷୟ ଏ ସଭ୍ୟ ମାନବକୁ ଚମତ୍କୃତ କରେ । ଅନନ୍ତଭୈରବଙ୍କଠାରୁ ସେ ମନ୍ତ୍ର ମୁଁ କଣ୍ଠସ୍ଥ କରିଥିଲେ ମଧ୍ୟ ମନ୍ତ୍ରକୁ ମୁଁ ମୋ କରାୟତ୍ତ କରି ନଥିଲି । ଯେ ପର୍ଯ୍ୟନ୍ତ ତାନ୍ତ୍ରିକ ମନ୍ତ୍ରକୁ ସାଧନାଦ୍ୱାରା ସ୍ୱଆୟତ୍ତ କରି ପାରି ନାହିଁ ସେପର୍ଯ୍ୟନ୍ତ ମନ୍ତ୍ର ବା ତା’ ବୋଲ ମାନିବ କାହିଁକି ? ତନ୍ତ୍ରଦ୍ୱାରା ରୋଗ ବହିଷ୍କାର କରିବା ତାନ୍ତ୍ରିକର ଏକ ବିଶେଷ କୃତୀ । ମୁଁ ସେ ବିଷୟରେ କିଛି ଆୟତ୍ତ କରିଥିଲି; କିନ୍ତୁ ପରୀକ୍ଷା ଦ୍ୱାରା ସଫଳତା କେବେ ପାଇବାର ପାଇ ନ ଥିଲି ।

 

କିଛି ସମୟପରେ ମୁଁ ପହଞ୍ଚିଲି ବୃଦ୍ଧଙ୍କ ଗୃହରେ । ଦେଖିଲି ବୃଦ୍ଧଙ୍କର ସେହି ଏକମାତ୍ର ପୁତ୍ର ସଂଜ୍ଞାହୀନ ଅବସ୍ଥାରେ ପଡ଼ିଛନ୍ତି । ଜଣେ ଚିକିତ୍ସକ ତାଙ୍କ ଦେହ ପରୀକ୍ଷା କରୁଛନ୍ତି । ମୋତେ ଦେଖିଲା ମାତ୍ରକେ ପ୍ରତ୍ୟେକ ନିଜନିଜ ସ୍ଥାନରୁ ଉଠି ସମ୍ମାନ ପ୍ରଦର୍ଶନ କଲେ । ତା’ ପରେ ରୋଗୀଟିକୁ ମୁଁ କିଛିକ୍ଷଣ ନିରୀକ୍ଷଣ କରି ତନ୍ତ୍ର ପ୍ରୟୋଗ କରିବାରେ ଲାଗିଲି । ବିଶେଷ କିଛି ସୁଫଳ ମିଳିଲା ନାହିଁ । ଅନ୍ତଃଶୁଦ୍ଧି ପାଇଁ ଧ୍ୟାନମଗ୍ନ ହେଲି କିଛି ସମୟ । ତା’ପରେ ମୁଁ ଧ୍ୟାନ ଛାଡ଼ି, ରୋଗୀଟିକୁ ଟିକିଏ ପରୀକ୍ଷା କରି ସର୍ବରୋଗନାଶିନୀ ସେହି ଅଭୟାଙ୍କୁ ଚିନ୍ତା କଲି । ତତ୍‌ପରେ ମୁଁ କିଛି ଜାଣି ପାରି ନାହିଁ । ଲୋକେ କହନ୍ତି ମୁଁ ପାଗଳଙ୍କ ଭଳି ନାଚି ଉଠିଲି । ମୋର ବିକଟ ହସ ପ୍ରତ୍ୟେକଙ୍କ ପ୍ରାଣରେ ଭୟ ସଞ୍ଚାର କଲା । ଦିବସ ହେଲେ ମଧ୍ୟ ରାତ୍ରୀ ପରି ପ୍ରତ୍ୟେକ ଅନୁଭବ କଲେ ।

 

ସେହି ରୋଗ-ଯନ୍ତ୍ରଣା ପୀଡ଼ିତ ଯୁବକକୁ କେନ୍ଦ୍ର କରି ଘୂରି ବୁଲିଲି, ମୋର ବିକଟ ଚିତ୍‌କାର ଓ ଭୟଙ୍କର ମୂର୍ତ୍ତିର ଉପମା ଦେବା ଲୋକଙ୍କ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ । ଶେଷରେ ପ୍ରତ୍ୟେକ ଦେଖିବାକୁ ପାଇଲେ ଏକ କୁତ୍ସିତ କାଦାକାର ଶୀର୍ଣ୍ଣ ଛାୟା ମୂର୍ତ୍ତି ରୋଗୀ ଦେହରୁ ବାହାରି ଚାଲିଯାଉଛି ଏବଂ ରୋଗୀର ସଂଜ୍ଞା ଫେରି ଆସୁଛି । ଯେତେବେଳେ ପୂର୍ଣ୍ଣଭାବରେ ସଜ୍ଞା ଫେରିଆସିଲା ସେତେବେଳେ ମୁଁ ନାଚି ନାଚି ପଡ଼ିଗଲି ତଳେ । ତା’ପରେ ମୋର ବି ସଂଜ୍ଞା ଲୋପ ପାଇଗଲା ।

 

ମୁଁ ଯେତେବେଳେ ଆଖି ଫିଟାଇ ଅନାଇଲି ସେତେବେଳେ ଦେଖିଲି ଉପସ୍ଥିତ ଜନତା ବିମର୍ଷ ବଦନରେ ମୋ ପାଖରେ ଦଣ୍ଡାୟମାନ । ରୋଗୀ ଏବଂ ତା’ର ବୃଦ୍ଧ ପିତା ମୋ ଗୋଡ଼ ପାଖରେ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି ।

 

ଏହି ଘଟଣା ଖବରକାଗଜରେ ମଧ୍ୟ ବିସ୍ତୃତଭାବରେ ଛପା ହେଲା । ଅତି ରଞ୍ଜିତ ହୋଇ ପ୍ରକାଶ ପାଇଲା, ଲୋକମାନେ ଦେଖିଛନ୍ତି ମୃତ ବ୍ୟକ୍ତିର ଆତ୍ମାକୁ ଯମ ନେବାପାଇଁ ଆସିଥିଲା, ମାତ୍ର ମୋର ଅଦ୍ଭୁତ କ୍ଷମତା ବଳରେ ଯମ ଶୂନ୍ୟ ହସ୍ତରେ ଫେରିଯିବାକୁ ବାଧ୍ୟ ହୋଇଥିଲା । ଚାରିଆଡ଼େ ମୋର ପ୍ରଶଂସା ଏପରି ବ୍ୟାପୀ ଗଲା ଯେ ଲକ୍ଷ ଲକ୍ଷ ଲୋକ ନିତି ଆସିଲେ ମୋର ଟିକିଏ ଦର୍ଶନ ପାଇବାପାଇଁ । ଏହି କର୍ମ ମୋର ତନ୍ତ୍ରସାଧନାର କର୍ମ; ନିଜ ମଧ୍ୟରେ ବିରାଟ ଶକ୍ତିକୁ ଅନୁଭବ କରି ସାଧକ ଏହିଭଳି ହୁଏ ।

 

ମୁଁ ପ୍ରତ୍ୟେକକୁ ଲକ୍ଷ୍ୟ କରି ମୋର ସେହି ଆଶ୍ରମ ତ୍ୟାଗ କରିବାକୁ ମନସ୍ଥ କଲି । ତା’ ନ ହେଲେ ଲକ୍ଷଲକ୍ଷ ଲୋକଙ୍କଦ୍ୱାରା ସେହି ସ୍ଥାନଟି ଅଚିରେ ଏକ ନରକର ଭୟାବହ ସ୍ଥାନ ହୋଇ ଉଠିବ । କାହିଁକିନା ପ୍ରତ୍ୟେକ ଆସୁଥାନ୍ତି ମୋତେ ଏକ ହୁକୁମଦିଅ ବାବାଜି ବୋଲି ଭାବି । ଠିକ୍‌ ଏତିକିବେଳେ ଆସାମ ଓ ବଙ୍ଗଳାର କେତେକ ସ୍ଥାନରେ ଦୁର୍ଭିକ୍ଷ ଦେଖାଗଲା । ମୋର ମନେ ହେଲା ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରାଇବାପାଇଁ ଏହା ବୋଧେ ‘ମା’ ର ଏକ ନିମନ୍ତ୍ରଣ ।

 

ପ୍ରତିଦିନ ଅନ୍ତତଃ ଦୁଇ ତିନିଘଣ୍ଟା ମୁଁ ବିଭିନ୍ନ ଶାସ୍ତ୍ର ବିଷୟରେ ଲୋକଙ୍କୁ ବୁଝାଏ । ସେଥିପାଇଁ ସମୟ ମଧ୍ୟ ଠିକ୍‌ କରି ଦେଇଥାଏ । ହଜାର ହଜାର ଶ୍ରୋତା ରୁଣ୍ଡ ହୁଅନ୍ତି ଧର୍ମ ବିଷୟରେ ମୋ ମୁହଁରୁ ପଦେ ଶୁଣିବାକୁ । ଗୀତା, ବେଦ, ଉପନିଷଦ୍‌, ଚଣ୍ଡୀ ପ୍ରଭୃ‌ତି ବିଷୟରେ ଆଲୋଚନା କରେ । କେତେକ ପ୍ରଶ୍ନଛଳରେ ଯୁକ୍ତି ମଧ୍ୟ କରନ୍ତି, କିନ୍ତୁ ମୋର ସରଳ ବାଖ୍ୟାଦ୍ୱାରା ସେମାନେ ବାଧ୍ୟ ହୁଅନ୍ତି ନୀରବ ହେବାକୁ । ମୁଁ ମଧ୍ୟ ଆହ୍ୱାନ କରେ ପ୍ରଶ୍ନ କରିବାକୁ । ଜନ୍ମ ପୁନର୍ଜନ୍ମ ବିଷୟରେ ଯେତେବେଳେ ଆଲୋଚନା ହୁଏ ସେତେବେଳେ ପ୍ରଶ୍ନ ଉପରେ ପ୍ରଶ୍ନ ହୁଏ ଗୋଟିଏ ଗୋଟିଏ ବାକ୍ୟ ଉପରେ । ମୁଁ ଖୁବ୍‌ ଧୀର-ସ୍ଥିର ଭାବରେ ପ୍ରତ୍ୟେକଙ୍କର ପ୍ରଶ୍ନ ଉତ୍ତର ଦିଏ । ସେଦିନ ମୃତ୍ୟୁ ପରେ ଜୀବ ପ୍ରେତ-ଜଗତରେ କିଛି ସମୟ ଘୂରି ବୁଲିବା ଉପରେ ନାନା ପ୍ରଶ୍ନ ହେଲା । କେତେକ ବ୍ୟାସଙ୍କ ଭାଗବତରୁ ଦୃଷ୍ଟାନ୍ତ ଆଣି କହିଲେ ଜୀବ ଘଟ ଛାଡ଼ିବା ପୂର୍ବରୁ ପ୍ରକୃତି ତାକୁ ଆଉ ଗୋଟିଏ ନୂତନ ମଜବୁତ ଘଟ ଦେଖାଏ ଯାହାକି ତା’ର ସେ ପୁରାତନ ଘଟ ଅପେକ୍ଷା ଅଧିକ ପ୍ରୟୋଜନୀୟ ବୋଲି ମନେ କରି ଜୀବ ପୁରାତନ ଘଟ ଛାଡ଼ି ସେହି ନୂତନ ଘଟରେ ଆଶ୍ରୟ ନିଏ ।

 

ମୁଁ ଆଜି ମୋର ଏହି ଅଭିନୟ ଶେଷ କରିବାକୁ ଯାଉଥିଲାବେଳେ ମିଥ୍ୟାର ଅବତାରଣା କରିବା ଉଚିତ ନୁହେଁ । ମୁଁ ତାନ୍ତ୍ରିକ, ଯୋଗୀ, ସାଧକ । କୌଣସି ଅଦ୍ଭୁତ ଘଟଣା ଲୋକ-ସମ୍ମୁଖରେ ଉପସ୍ଥାପିତ କରିବାକୁ ମୋତେ ବେଶୀ କିଛି କଷ୍ଟ ପଡ଼ିନାହିଁ । ଆଜି ମୁଁ କହୁଛି ଯେତେ ଅଦ୍ଭୁତ କ୍ରିୟା ମୁଁ ଦେଖାଇଛି, ତାହା ମୋର ସାଧନା ଓ ତନ୍ତ୍ରବଳରେ, କିନ୍ତୁ ସେଥିରେ ବାସ୍ତବତା ମୋଟେ ନାହିଁ କହିଲେ ଭୁଲ୍‌ ହେବ । ଶିକ୍ଷାର ପ୍ରସାର ଯେତେ ବଢ଼ି ବଢ଼ି ଚାଲିଛି ସେତେ ଲୁପ୍ତ ହେଉଛି ଏ ଦେଶ ବକ୍ଷରୁ ଏ ଜାତିର ସଂସ୍କୃତି । ତା’ର ମୂଳରେ ରହିଛି ପାଶ୍ଚାତ୍ୟ ଶିକ୍ଷା । ଏ ଦେଶରୁ ଏ ଜାତିର ଫର୍ମୁଲା କହ ବା ପୋଥି କହ ଯାହା ଦେହରେ ଲିପିବଦ୍ଧ ହୋଇ ରହିଥିଲା ବିଭିନ୍ନ ବିଜ୍ଞାନ ତାହା ସବୁ ଚାଲିଗଲା ପାଶ୍ଚାତ୍ୟ ଦେଶମାନଙ୍କୁ । ସେମାନେ ଭାରତୀୟ ଭାଷା ଶିଖି କଲେ ଅନୁଧ୍ୟାନ; ଫଳରେ ଆଜିକାର ବୈଜ୍ଞାନିକ ଯୁଗରେ ସେମାନେ ନେଲେ ବାହାବା । ବାମନ ଯୁଗରୁ ଆରମ୍ଭ କରି ପରଶୁରାମ, ରାମ, କୃଷ୍ଣଙ୍କ ପର୍ଯ୍ୟନ୍ତ ବିଜ୍ଞାନ ଯେଉଁ ଶୀର୍ଷ ସ୍ଥାନ ଅଧିକାର କରିଥିଲା ସେ ପର୍ଯ୍ୟନ୍ତ ପାଶ୍ଚାତ୍ୟଗୋଷ୍ଠୀ ଯାଇ ପାରିବେ ବୋଲି ମୋର ବିଶ୍ୱାସ ହୁଏ ନାହିଁ । ଏ ପର୍ଯ୍ୟନ୍ତ ଗୋଟିଏ ସୂର୍ଯ୍ୟରେ କେତେ ଗ୍ରହ ଉପଗ୍ରହ ଅଛନ୍ତି ତାହା ସମ୍ପୂର୍ଣ୍ଣରୂପେ ଜଣା ପଡ଼ି ନାହିଁ; କିନ୍ତୁ ଭାରତୀୟ ପୁରାଣ କହେ ଶିବ ବାରଟି ସୂର୍ଯ୍ୟ ଓ ତାଙ୍କର ଗ୍ରହ ଉପଗ୍ରହମାନଙ୍କ ବିଷୟର ଇତିବୃତ୍ତି ଜାଣିଥିଲେ । ମହାଭାରତର ପରମାଣୁ ଅସ୍ତ୍ର ଏ ପର୍ଯ୍ୟନ୍ତ ଆବିଷ୍କାର ତ ଦୂରର କଥା କେହି ସାହାସ କରି ପାରୁ ନାହାନ୍ତି ସେ ବିଷୟରେ କିଛି ଚିନ୍ତା କରିବାକୁ । ସେହିପରି ତନ୍ତ୍ର, ଯୋଗ, ସମସ୍ତଙ୍କ ସମ୍ମୁଖରେ ଅଦ୍ଭୁତ ହୋଇ ରହିଛି । ସେ ଯୁଗର ଇତିହାସ ଯାହାକୁ କି ଆମେ ପୁରାଣ ଆଖ୍ୟା ଦେଇଛୁ ସେଥିରେ ପରିଷ୍କାରଭାବରେ ଲେଖାଅଛି । ଦେବାସୁର ସଂଗ୍ରାମରେ ଯେତେ ଯେତେ ମରନ୍ତୁ ନା କାହିଁକି ଦେବତାଙ୍କ ଗୁରୁ ବୃହଷ୍ପତି ସଂଜୀବନୀ ଔଷଧଦ୍ୱାରା ଏବଂ ଶୁକ୍ର ସଂଜୀବନୀ ମନ୍ତ୍ରଦ୍ୱାରା ମୃତ ବ୍ୟକ୍ତିକୁ ପୁର୍ନଜୀବିତ କରୁଥିଲେ । ଶେଷରେ ବୃହସ୍ପତି ଏହି ସଂଜୀବନୀ ମନ୍ତ୍ର ଶିକ୍ଷା କରିବାକୁ ତାଙ୍କ ପୁତ୍ର କଚକୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ପଠାଇଥିଲେ । ଔଷଧ ପ୍ରୟୋଗରେ ଲୋକେ ଯେତେ ସୁଫଳ ପାଉଛନ୍ତି ତନ୍ତ୍ର ପ୍ରୟୋଗ କରି ସେତେ ସୁଫଳ ପାଉ ନାହାନ୍ତି । ଏହାର ଏକମାତ୍ର କାରଣ ତନ୍ତ୍ରସାଧକର ଅଭାବ; ଯେ କେହି ଲୋକ ତନ୍ତ୍ର ପ୍ରୟୋଗ କରିପାରେନା । ଯାହାର ତନ୍ତ୍ର ସିଦ୍ଧ ହୋଇ ନାହିଁ ସେ କିପରି ତନ୍ତ୍ରଦ୍ୱାରା ଅନ୍ୟକୁ ଚମକ୍ତୃତ କରି ପାରିବ ? ସେହିଭଳି ଜନ୍ମ-ମୃତ୍ୟୁର ଇତିବୃତ୍ତି । ଯାହା ଏ ଯୁଗର ଭାରତୀୟଙ୍କ ନିକଟରେ କୁଜ୍‍ଝଟିକାପୂର୍ଣ୍ଣ । ମୃତ୍ୟୁ ପରେ ମାନବର ଆତ୍ମା । ପ୍ରେତଲୋକରେ ଘୂରି ବୁଲେ । ମାଟି ଧୂଳିର ପାର୍ଥିବମାୟା ତ୍ୟାଗ କରିବା ଆତ୍ମା ପକ୍ଷରେ ସମ୍ଭବ ହୋଇପାରେ ନାହିଁ । ଫଳରେ ବିଦେହୀ ଆତ୍ମାଗୁଡ଼ିକ ଇହ ଜଗତରେ ଦୀର୍ଘ ସମୟ ଘୂରିବୁଲେ । ଯେଉଁ ପୁଣ୍ୟତ୍ମାଗୁଡ଼ିକ ଇହଲୋକ ତ୍ୟାଗ କରି ଊର୍ଦ୍ଧ୍ୱଗାମୀ ହୋଇ ଅନ୍ଧକାରଚ୍ଛନ୍ନ ବା ଧୂମ୍ରବର୍ଣ୍ଣ ପଥଦେଇ ଗମନ କରନ୍ତି ସେମାନେ ପ୍ରଥମେ ପିତୃଲୋକରେ ଉପସ୍ଥିତ ହୁଅନ୍ତି । ତତ୍‌ପରେ ପିତୃଲୋକଠାରୁ ଦେବଲୋକକୁ ଗମନ କରନ୍ତି । ଦେବଲୋକରୁ ବ୍ରହ୍ମ ଲୋକକୁ ଯାଇ ବ୍ରହ୍ମପଦରେ ଅଭିଷିକ୍ତ ହୁଅନ୍ତି ସେମାନେ ଗଢ଼ନ୍ତି ଏକ ନୂତନ ଜଗତ । ଯେଉଁ ଆତ୍ମା ବ୍ରହ୍ମପଦରେ ଅଭିଷିକ୍ତ ହୋଇ ନୂତନ ସର୍ଜନା କରିବାରେ ଅସମର୍ଥ ହୁଅନ୍ତି ସେମାନେ ଆସନ୍ତି ଇହଜଗତରେ ମହାପୁରୁଷରୂପରେ ଜନ୍ମଗ୍ରହଣ କରିବାକୁ ।

 

ପ୍ରେତାତ୍ମାଗୁଡ଼ିକ ଊର୍ଦ୍ଧ୍ୱଗାମୀ ହୋଇ ପିତୃଲୋକକୁ ଗମନ କରିବାକୁ ଶୁଦ୍ଧକ୍ରିୟାରେ ବିଭିନ୍ନ ବେଦୋକ୍ତ ମନ୍ତ୍ର ପାଠ ହୋଇଥାଏ । ସେହି ମନ୍ତ୍ରମାନଙ୍କର ଅର୍ଥ କଲେ ଜଣାଯାଏ ଆତ୍ମାକୁ ଊର୍ଦ୍ଧ୍ୱଗାମୀ ହେବାକୁ ଉପଦେଶ ତଥା ନୀର୍ଦ୍ଦେଶାତ୍ମକ ସେଗୁଡ଼ିକ । ଯଦ୍ଦ୍ୱାରା ଆତ୍ମା ଇହଲୋକର ମାୟା ତ୍ୟାଗ କରି ପିତୃଲୋକକୁ ଗମନ କରେ ।

 

ଏକଦା ହିମାଳୟର ମୁନି ମାର୍ଗ ଗିରିଗୁହାକୁ ଗମନ କଲା ବେଳେ ସନ୍ଧ୍ୟା ପୃଥିବୀ ବକ୍ଷକୁ ଅନ୍ଧକାର କରି ମାଡ଼ି ଆସିଲା । ନିର୍ଭୟ ଚିତ୍ତରେ ମୁଁ କଙ୍କର ତରଙ୍ଗାୟିତ ପଥ ଅତିକ୍ରମ କରୁ କରୁ ଏକ ଘୂର୍ଣ୍ଣିବାତ୍ୟାର ସମ୍ମୁଖୀନ ହେଲି । ଏକ ସାମାନ୍ୟ ଘୂର୍ଣ୍ଣିବାତ୍ୟା ମନେ କରି ମୁଁ ତାକୁ ଭ୍ରୂକ୍ଷେପ ନ କରି ଆଗକୁ ଆଗକୁ ଚାଲିଲା ବେଳେ ସେ ମୋତେ ଏପରି କାବୁ କରି ଦେଲା ଯେ ମୋର ଗୋଡ଼ ଭୂମିଠାରୁ ଊର୍ଦ୍ଧ୍ୱକୁ ଉଠିବାକୁ ଲାଗିଲା । ସେତେବେଳେ ମୁଁ ତନ୍ତ୍ର ସାଧାନରେ ମୋର ଯଥେଷ୍ଟ ଦକ୍ଷତା ଆସି ଯାଇଥାଏ । ଘୂର୍ଣ୍ଣିବାୟୁର ରକ୍ଷା ପାଇବାପାଇଁ ମୁଁ ବାଧ୍ୟ ହେଲି ମୋର ଉପାସ୍ୟା ଦେବୀଙ୍କ ଶରଣାପନ୍ନ ହେବାକୁ । ଯେତେବେଳେ ମୁଁ ମୋର ଇଷ୍ଟଦେବୀଙ୍କ ଚିନ୍ତାରେ ମଗ୍ନ ଠିକ୍‌ ସେତିକିବେଳେ ଦେଖିଲି ଭୀଷଣ ଅଟ୍ଟହାସ୍ୟ ସହିତ ଏକ ଦେବୀ ମୂର୍ତ୍ତି ଭଳି ଏକ ପ୍ରେତ ଆବିର୍ଭାବ ହେଲା । ମୁଁ ବିସ୍ମିତ ହୋଇ ତାକୁ ଲକ୍ଷ୍ୟ କରି ପ୍ରଶ୍ନ କଲି ତୁମେ କିଏ ? ସେ ଈଷତ୍‌ ହାସ୍ୟ ସହ ଉତ୍ତର ଦେଲା ମୁଁ ଗୋଟିଏ ପ୍ରେତ । ପ୍ରେତ ଯେ ବାତ୍ୟା ସୃଷ୍ଟି କରି ପାରେ ଏହା ମୋର କଳ୍ପନାର ବାହାରେ ଥିଲା । ତାହାଠାରୁ ଯାହା ଜାଣିଲି ସେ ଜଣେ ଶିକ୍ଷିତା ନାରୀ ଥିଲା । ଦର୍ଶନ ଶାସ୍ତ୍ରରେ ମାଷ୍ଟର ସନନ୍ଦ ପାଇ ହିମାଳୟ ଭ୍ରମଣ ଆଶା ତା ମନରେ ବଳବତୀ ହୋଇ ଉଠିଲା । ସେ ତାହାର ଆଶା ସଫଳ ନିମିତ୍ତ ବିଭିନ୍ନ ଉପାୟ ଚିନ୍ତା କରୁଥିବାବେଳେ ଦିନେ ବିଷାକ୍ତ ସର୍ପ ଦଂଶନରେ ମୃତ୍ୟୁ ମୁଖରେ ପତିତ ହେଲା । ତତ୍‌ପରେ ତା’ର ପ୍ରେତାତ୍ମା ଯାନ୍ତ୍ରା କଲା ତା ପୂର୍ବ ଆଶା ପୂରଣପାଇଁ ହିମାଳୟ ।

 

ପ୍ରେତରୂପେ ଦୀର୍ଘ ଦିନ ଅତିବାହିତ କଲା ପରେ ତା’ର ମନ ବିଭ୍ରାନ୍ତ ହେବାକୁ ଲାଗିଲା-। କୁ-ପ୍ରେତ ଭଳି ସେ ବାତ୍ୟା, ଧ୍ୱନି ଆଦି ସୃଷ୍ଟି କରି ପଥଚାରିମାନଙ୍କୁ ଭ୍ରାନ୍ତ କରିବାକୁ ଭୁଲିଲା ନାହିଁ-। ସେ ଭୁଲିଗଲା ପ୍ରକୃତ ଦର୍ଶନକୁ । ଯଦି ସେ ମୋ ହାବୁଡ଼େ ପଡ଼ି ନ ଥାନ୍ତା ତେବେ ଆଉ କେତେ ଦିନ ସେ ସେହିପରି ଘୂରି ବୁଲି ଥାଆନ୍ତା ତାହା କିଏ କହିବ ?

 

ମୁଁ ତା’ର ଇତିବୃତ୍ତି ଶୁଣି ତାକୁ ଊର୍ଦ୍ଧ୍ୱଗାମୀ ହୋଇ ପିତୃଯାନ ଦେବଯାନ ଦେଇ ବ୍ରାହ୍ମଲୋକକୁ ଗମନ କରିବାକୁ ନାନା ଉପଦେଶ ଦେଲି । ବେଦ ବେଦାନ୍ତର ମନ୍ତ୍ର ବୋଲି ତା’ ପ୍ରେତ ମନରେ ନବ ଭାବ ଜାଗ୍ରତ କଲି । ଶେଷରେ ସେ ମୋ ବାକ୍ୟ ଅନୁଯାୟୀ ଊର୍ଦ୍ଧ୍ୱ ଲୋକକୁ ଗମନ କଲା । ତା’ ର ସେହି ଗମନ ସମୟରେ ଯେଉଁ ବିରାଟ ବାତ୍ୟା ସୃଷ୍ଟି ହେଲା ତାହା ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି । ଆତ୍ମା ଦ୍ରୁତ ଗତିରେ ଊର୍ଦ୍ଧ୍ୱ ଦେଶକୁ ଗମନ କଲାବେଳେ ଏପରି ଅଦ୍ଭୁତ ବାୟୁ ସୃଷ୍ଟି କରେ ଏବଂ ତଦ୍ଦ୍ୱାରା ସେହି ଅଞ୍ଚଳର କେତେକ ସ୍ଥାନ ପ୍ରକମ୍ପିତ ହୁଏ ତାହା ମୁଁ ଜାଣିବାକୁ ପାଇଲି ପ୍ରଥମ କରି ।

 

ସେ ଦିନର ସେହି ଜନ୍ମ-ମୃତ୍ୟୁବିଷୟକ ଆଲୋଚନା ସଭାରେ ମୁଁ ବାଧ୍ୟ ହେଲି ଧର୍ମଶାସ୍ତ୍ର ଛାଡ଼ି ତନ୍ତ୍ରଶାସ୍ତ୍ରର ଆଶ୍ରୟ ନେବାକୁ । ତନ୍ତ୍ରଦ୍ୱାରା ନିଜର ଅସୀମ ଶକ୍ତି ପ୍ରୟୋଗ କରି ଲୋକଜଗତକୁ ସ୍ତବ୍‌ଧ କରିଦେବା ବଡ଼ ସହଜ ମୋ ପକ୍ଷରେ । କେତେକ ବାସ୍ତବ ଏବଂ କଳ୍ପନାକୁ ଏକନ୍ତ୍ର କରି ମୁଁ ସେଦିନ ଉପସ୍ଥିତ ଜନତାକୁ ଆହ୍ୱାନପୂର୍ବକ କହିଲେ ଯଦି ଠିକ୍‌ ମୃତ୍ୟୁ ପରେ ପରେ ଜନ୍ମ ହେଉଥାନ୍ତା ତେବେ ପ୍ରେତ-ଜଗତ ନ ଥାନ୍ତା, ଆପଣଙ୍କ ଭିତରୁ ଅଧିକାଂଶ ଲୋକ ଯାହାକୁ ଚିହ୍ନିଛନ୍ତି ଯେ କି ନିକଟରେ ଇହଧାମ ପରିତ୍ୟାଗ କରିଥିବ ଏପରି ଏକ ଲୋକକୁ ମୁଁ ବର୍ତ୍ତମାନ ପ୍ରେତ-ଜଗତଭିତରୁ ଟାଣିଆଣି ଦେଖାଇବି । ଆପଣମାନେ ମୁହୂର୍ତ୍ତକପାଇଁ ଚକ୍ଷୁ ବନ୍ଦ କରି ପୁଣି ମେଲା କରନ୍ତୁ ।

 

ମୋ କହିବା ମୁତାବକ ସମସ୍ତେ ଚକ୍ଷୁ ବନ୍ଦ କରି ପୁଣି ଖୋଲିଲେ; ଖୋଲିବା ମାତ୍ରେ ଦେଖିଲେ ଆଲୋକରେ ଉଦ୍‌ଭାସିତ ହେଉଥିବା ସେ ସ୍ଥାନଟିରେ ଅନ୍ଧକାର ପୁରା ରାଜତ୍ୱ କରୁଛି । ତା’ ପରେ ସମସ୍ତେ ଅନୁଭବ କଲେ ଗୋଟାଏ ଘୂର୍ଣ୍ଣିବାୟୁ ଘୁ ଘୁ ହୋଇ ସେହି ସ୍ଥାନରେ ଘୂରି ବୁଲୁଛି-। ଶେଷରେ ସେହି ବାୟୁ ସର୍ବ ସମକ୍ଷରେ ଉଜ୍ଜ୍ୱଳ ଧାରାରେ ପରିଣତ ହେଲା-। ସେହି ଆକାଶବ୍ୟାପୀ ସମୁଜ୍ଜ୍ୱଳ ପବନଧାରା ଭିତରେ ଅସ୍ପଷ୍ଟ ଭାବରେ କେତେକ ଚିତ୍ର ଦେଖାଗଲା-। ଧୀରେ ଧୀରେ ତାହା ସୁସ୍ପଷ୍ଟ ହେବାକୁ ଲାଗିଲା ସେହି ସୁସ୍ପଷ୍ଟ ଚିତ୍ରରେ ସମସ୍ତେ ଦେଖିବାକୁ ପାଇଲେ ଏକ ପ୍ରେତ-ଜଗତ ତାଙ୍କ ସମ୍ମୁଖରେ ଘୂରି ବୁଲୁଛି । କଦାକାର, ଭୟଙ୍କର ଅସଂଖ୍ୟ ପ୍ରେତାତ୍ମା ଲୋକ-ଜଗତକୁ ଅସ୍ଥିର ଦୃଷ୍ଟିରେ ଲକ୍ଷ୍ୟକରି ପୁଣି ସେହି ଘୂର୍ଣ୍ଣିବାୟୁ ଭିତରେ ମିଳାଇ ଯାଉଛନ୍ତି । ତତ୍‌ପରେ ଲକ୍ଷ୍ୟ କଲେ ଦର୍ଶକମଣ୍ଡଳ, ସେହି ପ୍ରେତ-ଜଗତରେ ଯେତେ ପ୍ରେତାତ୍ମା ବୁଲୁଛନ୍ତି ତନ୍ମମଧ୍ୟରୁ କେତେକ ପରସ୍ପରର ଚିହ୍ନା ପରେ ଦେଖା ଯାଉଛନ୍ତି । ସେମାନେ ଲକ୍ଷ୍ୟ କରୁ ନାହାନ୍ତି କାହାରିକୁ; ସୂକ୍ଷ୍ମ ଶରୀର ଧରି ବରୟୁମଣ୍ଡଳଭିତରେ ଘୂରିବୁଲୁଛନ୍ତି । ଏହିପରି କିଛି ସମୟ ଅତିବାହିତ ହେବାପରେ ସମସ୍ତେ ଦେଖିବାବୁ ପାଇଲେ ଜଣେ ସମସ୍ତଙ୍କର ଚିହ୍ନା ଲୋକ ‘ଜନସେବକ’ ସେହି ବାୟୁମଣ୍ଡଳ ଭିତରେ ଘୂରି ଆସି ସମସ୍ତଙ୍କ ଆଗରେ ଠିଆ ହେଲେ । ସମସ୍ତେ ବିସ୍ମିତ ହୋଇ ତାଙ୍କୁ କିଛି ସମୟ ଲକ୍ଷ କଲେ । କେହି କେହି ପ୍ରଣାମ ପୂର୍ବକ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ ।

 

ଅଳ୍ପ ସମୟ ପରେ ମୁଁ ଉଚ୍ଚ ସ୍ୱରରେ କହିଲି ସେ ଆଉ ବେଶୀ ସମୟ ରହିବାକୁ ଇଚ୍ଛା କରୁ ନାହାନ୍ତି । ସେ ବର୍ତ୍ତମାନ ଚାଲିଯିବେ । ମୁଁ କହୁ କହୁ ସେହି ଉଜ୍ଜ୍ୱଳ ଘୂର୍ଣ୍ଣିବାୟୁ ଅନ୍ଧକାରରେ ପରିଣତ ହେଲା । ସେହି ଅନ୍ଧକାରଭିତରେ ଘୂଣ୍ଣିବାୟୁ ଦୂରକୁ ଦୂରକୁ ଚାଲି ଯାଉଥିବା ଛଡ଼ା ଅନ୍ୟ କେହି କିଛି ଦେଖିବା ତ ଦୂରର କଥା ଅନୁଭବ କରି ପାରିଲେ ନାହିଁ । ତତ୍‌ପରେ ଆଲୋକ ବତିଗୁଡ଼ିକ ଦପ୍‌ ଦପ୍‌ କରି ଜଳି ଉଠିଲା । ପ୍ରତ୍ୟେକ ନିର୍ବାକ୍‌ ହୋଇ ପଡ଼ିଥିଲେ । ଯାହା ଦେଖିଲେ ତା’ର ଆଲୋଚନା କରିବାକୁ କେହି ସାହସ ମଧ୍ୟ କଲେ ନାହିଁ ।

 

ସମସ୍ତେ ନିଜ ନିଜ ଘରକୁ ବାହୁଡ଼ିବା ପୂର୍ବରୁ ପଶ୍ଚିମ ଆସାମ ଓ ବଙ୍ଗଳାରେ ପଡ଼ିଥିବା ଦୁର୍ଭିକ୍ଷରେ ନିଜକୁ ଉତ୍ସଗ କରିବାକୁ ମନସ୍ଥ କରିଥିବା କଥା ବ୍ୟକ୍ତ କଲି ଏବଂ ଯେ ଯାହାର ଶକ୍ତିମୁତାବକ ସାହାଯ୍ୟ କରିବାକୁ ନିବେଦନ କଲି ।

 

ମୋ ନିବେଦନ ବିଭିନ୍ନ ଭାଷାର ପତ୍ର ପତ୍ରିକାରେ ଆଗ ପୃଷ୍ଠାରେ ବେଶ୍‌ ସ୍ଥାନ ପାଇଥାଏ । ପ୍ରତ୍ୟେକରେ ଥାଏ ଦୁର୍ଭିକ୍ଷର କରାଳ କବଳରୁ ମୁକ୍ତ କରିବାକୁ ସନ୍ନ୍ୟାସୀ ‘ଜ୍ଞାନ ଦାତା’ଙ୍କ ଦୃଢ଼ ପ୍ରତିଜ୍ଞା । ତା ତଳକୁ ଥାଏ କାମରୂପ ଧର୍ମସଭରେ ଯେଉଁ ବିରାଟ ମହାତ୍ମା ନିର୍ଜୀବ ପ୍ରସ୍ତର ମୂର୍ତ୍ତିକୁ ସାକାର ତଥା ନିରାକରରୂପେ ବିଭିନ୍ନ ଧର୍ମୀଙ୍କ ଆଗରେ ଉପସ୍ଥାପିତ କରି ଭାରତ ତଥା ପୃଥିବୀକୁ ଚମକାଇ ଦେଇଥିଲେ ସେହି ମହାପୁରୁଷ ଆସାମ ଓ ବଙ୍ଗଳାରେ ଦେଖା ଦେଇଥିବା ଦୁର୍ଭିକ୍ଷରୁ ଜୀବ-ଜଗତକୁ ବଞ୍ଚାଇବାକୁ ସାରା ପୃଥିବୀକୁ ନିବେଦନ କରିଛନ୍ତି । ସେ ନିଜେ ଭିକ୍ଷାଥାଳୀ ଧରି ଲୋକଙ୍କ ଆଗରେ ଠିଆ ହୋଇଛନ୍ତି ଜଣେ ସାଧାରଣ ଭିକାରି ଭଳି । ତାଙ୍କର ଐଶୀ ଶକ୍ତିଦ୍ୱାରା ଦୁର୍ଭିଷ ଘୁଞ୍ଚିଯିବ ବୋଲି ଲୋକଙ୍କର ଦୃଢ଼ ବିଶ୍ୱାସ ହୋଇଛି । ତାଙ୍କ ଭଳି ମହାତ୍ମାଙ୍କର ଏପରି ଏକ ଦୁର୍ଦ୍ଦିନରେ ଦୁର୍ଭିକ୍ଷ-ପ୍ରପୀଡ଼ିତ ଅଞ୍ଚଳକୁ ଆଗମନ କରିବା ଦେଶପକ୍ଷେ ଏକ ଆନନ୍ଦର କଥା ଇତ୍ୟାଦି ଛପା ହୋଇଥାଏ ।

 

ପ୍ରାୟ ଏକ ସପ୍ତାହ ପରେ ଦିବ୍ରୁଗଡ଼ରେ ଗୋଟିଏ ବିରାଟସଭାରେ ଲୋକଙ୍କୁ ଧର୍ମବିଷୟରେ କିଛି କହି ଦୁର୍ଭିକ୍ଷ ବିଷୟରେ କହିଲି, ‘ଆଜିକାର ଏହି ବିରାଟ ସଭାରେ ଧନୀ, ଦରିଦ୍ର, ମଧ୍ୟବିତ୍ତପ୍ରବୃତି ସବୁ ଶ୍ରେଣୀର ଲୋକେ ରୁଣ୍ଡ ହୋଇଛ—କେବଳ ଧର୍ମ ବିଷୟରେ ଦି’ପଦ ଶୁଣି ଏ ସସାଂର-ସମୁଦ୍ରକୁ ପାରି ହେବାପାଇଁ ଯଦି କୌଣସି ନୂତନ ପଥ ମିଳିପାରେ ସେହି ଆଶାରେ । ମୁଁ ଜଣେ ସନ୍ୟାସି । ଦୁନିଆରେ ମୋର କେହି ନାହିଁ, କିନ୍ତୁ ବିଶ୍ଳେଷଣ କଲେ ସମସ୍ତେ ବେଶ୍ ଅନୁଭବ କରିପାରିବ ମୋର ଦୁନିଆରେ ସବୁ ଅଛି । ତା’ ନ ହେଲେ ମୋର ଏଠାରେ ରହିବା ମଧ୍ୟ ଆବଶ୍ୟକ ନ ଥାନ୍ତା । ଯାହାର ଜନ୍ମ ଅଛି ତା’ ର ମୃତ୍ୟୁ ନିଶ୍ଚୟ ଅଛି । ମୃତ୍ୟୁପରେ ଜନ୍ମ ମଧ୍ୟ ଆମେ ହେବା । କେବଳ ଯେଉଁମାନେ ବୁଦ୍ଧ ବା ଜ୍ଞାନୀ ହୁଅନ୍ତି, ଯେଉଁମାନେ କି ପ୍ରତ୍ୟେକ ବିଷୟରେ ବିଶେଷଭାବେ ଜୀବ ପରମ ବିଷୟରେ ଅବଧାରଣା କରି ପାରିଛନ୍ତି ତାଙ୍କରି ମୃତ୍ୟୁ ପରେ ଆଉ ଜନ୍ମ ନ ହୋଇପାରେ । ଏପରି ଅବସ୍ଥାକୁ ବୋଧେ କେହି ଆସିନୁ । ତେଣୁ ଭାବି ଦେଖ ପ୍ରତ୍ୟେକ ଆମେ ମରିବା ଏବଂ ଏ ଜନ୍ମର ସଞ୍ଚିତ ଧର୍ମ ନେଇ ଆସନ୍ତା ଜନ୍ମରେ ପୁଣି ଜନ୍ମ ଗ୍ରହଣ କରିବା । ଭଲ କର୍ମ କରିଥିଲେ ଭଲ ଫଳ ନିଶ୍ଚୟ ପାଇବା ଏବଂ ମନ୍ଦ କାମ କରିଥିଲେ ମନ୍ଦ ଫଳ ନିଶ୍ଚୟ ଭୋଗ କରିବା । ଏହାକୁ ବଦଳାଇ ଦେବାର ଶକ୍ତି ହୁଏତ ଇଶ୍ୱରଙ୍କର ବି ନାହିଁ । ଜଣେ ଲୋକର ତଣ୍ଟି ଶୁଖି ଯାଉଛି; ଯଦି ତୁମ ପାଖରେ ପାଣି ଥାଏ ତେବେ ତାକୁ ମନ୍ଦାଏ ଦେବା ତୁମର ଧର୍ମ । ତୁମେ ଯାହା ଦାନ କଲ ତାହା ତୁମପାଇଁ ସଞ୍ଚିତ ହୋଇ ରହିଲା । ପର ଜନ୍ମରେ ତାହା ଭୋଗ କରିବା । ଯଦି ଥାଇ ନ ଦେଇ ଥାଅ ତେବେ ସେହିଭଳି ଅବସ୍ଥା ତୁମର ପର ଜନ୍ମରେ ଆସିବ ଏବଂ ଯେତେ ଚିତ୍କାର କଲେ ମଧ୍ୟ କେହି ତୁମ ଶୁଖିଲା ତଣ୍ଟିକୁ ଓଦା କରାଇ ଦେବେ ନାହିଁ । ଏହା ବିଶ୍ୱର ଚିରାଚରିତ ନିୟମ । କୌଣସିଟା କେବେ କାହାର ଅପୂରଣ ରହି ନାହିଁ; ଯଦି ଭଗବାନଙ୍କର ଇଚ୍ଛା ନ ଥିବ ତେବେ ଯେତେ ଚେଷ୍ଟା କଲେ ମଧ୍ୟ କିଛି ହେବ ନାହିଁ; ଯଦି ଈଶ୍ୱରଙ୍କର ଇଚ୍ଛା ଥାଏ ତେବେ ତୁମେ ନ କଲେ ଆଉ ଜଣେ କେହି ନିଶ୍ଚୟ କରିବ । ଆଉ ତୁମେ ତୁମ ପାଖରେ ଥାଇ ଯେଉଁ କୃପଣ ପଣିଆ ଦେଖାଇଲ ତାହା ତୁମ ପାଇଁ ଅପେକ୍ଷା କରି ରହିଲା ।

 

ହେ ଧନୀକ ! ହେ ଦାତା ! ମୁଁ ଆଜି ତୁମ୍ଭମାନଙ୍କୁ ଆହ୍ୱାନ କରି କହୁଛି ମୁଁ ଜଣେ ଭିକ୍ଷୁ । ମୁଁ ତୁମ ପାଖରେ ଅଞ୍ଜଳି ପାତି ଭିକ୍ଷା ମାଗୁଛି । ମୁଁ ସେହି ଭିକ୍ଷା ନେଇ ଦୁର୍ଭିକ୍ଷ ପ୍ରପୀଡ଼ିତ ଭୋକିଲା ପ୍ରାଣୀଙ୍କୁ ଦେଇ ବଞ୍ଚାଇବି ଆଉ ମନେରଖ ତୁମେ ଯେପରି ଆଜି ଦାନ କରିବ ପରଜନ୍ମରେ ଈଶ୍ୱର ସେହିଭଳି ତୁମକୁ ଦେବେ । କେହି ଆସିଲାବେଳେ ବା ଜନ୍ମ ସମୟରେ କିଛି ସଙ୍ଗରେ ଧରି ଆସି ନ ଥାଏ; କିନ୍ତୁ ବିଚାର କଲେ ଦେଖି ପାରିବ ସେ ସଙ୍ଗରେ ଯାହା ଧରି ଆସିଥାଏ, ତାହା ତା’ର କର୍ମର ଫଳ ।

 

ମୁଁ ଆସାମର ପ୍ରତ୍ୟେକ ବଡ଼ ବଡ଼ ସହରରେ ଗୋଟିଏ ଗୋଟିଏ ସଭା କରି ଦୁର୍ଭିକ୍ଷପାଇଁ ଅଞ୍ଜଳି ପତାଇ ଭିକ୍ଷା ମାଗିଲି । ଶହ କିମ୍ବା ହଜାର ନୁହେଁ, ଲକ୍ଷ ଲକ୍ଷ ଟଙ୍କା ଚାନ୍ଦା ଆଦାୟ ହେଲା । ସେହି ଟଙ୍କାରେ ଚାଉଳ ଗହମ ଖର୍ଦ୍ଦିକରି ଦୁର୍ଭିକ୍ଷ ଅଞ୍ଚଳକୁ ପଠାଗଲା । ମୁଁ ନିଜେ ଗଲି ଦୁର୍ଭିକ୍ଷ ଅଞ୍ଚଳ ବୁଲି ଦେଖିବାକୁ । ଦୁର୍ଭିକ୍ଷର କରାଳକବଳରେ ଜୀବ-ଜଗତର ହାହାକାର ମୋତେ ମୁହ୍ୟମାନ କରି ପକାଇଲା । ସେହି ମର୍ମସ୍ପର୍ଶୀ ଦୃଶ୍ୟ ଆଜି ମୁଁ ଏ ରଙ୍ଗମଞ୍ଚରେ ମୋର ଯବନିକାପାତ କରିବାକୁ ଯାଉଥିଲାବେଳେ ବର୍ଣ୍ଣନା କରିବାକୁ ପ୍ରୟାସ କରୁ ନାହିଁ । ତଥାପି ଆପେ ଆପେ ମୋ ଆଖି ଆଗରେ ସେ ଦୃଶ୍ୟଗୁଡ଼ିକ ଭାସିଯାଉଛି—ଭୟଙ୍କର ଦୁର୍ଭିକ୍ଷର କରାଳ ଚିତ୍ର । ଯେଉଁଆଡ଼େ ଚାହିଁବ ଖାଲି କ୍ଷୁଧାକ୍ଲିଷ୍ଟ ମାନବର କଙ୍କାଳ—ହା ଅନ୍ନର ଚିତ୍କାର । ଶ୍ମଶାନ ବୋଲି କୌଣସି ନିଦ୍ଧିଷ୍ଟ ସ୍ଥାନ ନାହିଁ ଗ୍ରାମମୁଣ୍ଡରେ କୁକୁରଙ୍କ ଚିତ୍କାର ମନରେ ଗୋଟାଏ ଅଜଣା ଭୟର ରେଖାପାତ କରେ ମୁହୁର୍ମୁହୁଃ ଶାଗୁଣାପଲ ଆକାଶରେ ଘୂରି ଘୂରି ତଳେ ବସି ପଡ଼ୁଛନ୍ତି । ଗ୍ରାମ ଜନପଦ ସବୁଆଡ଼େ ଶାଗୁ‌ଣାଙ୍କର ଭୋଜୀ ଉତ୍ସବ ।

 

ଜଣେ ଲୋକ ମୋ ଆଗରେ ତା’ ଦୁଃଖ କହିବାକୁ ଆସି ପହଞ୍ଚିଲା । ବୟସ ତିରିଶି ମଧ୍ୟରେ ହେଲେ ମଧ୍ୟ ୭୦।୮୦ ବର୍ଷ ବୁଢ଼ା ପରି ସେ ଦେଖାଯାଉଥାନ୍ତି । ତାଙ୍କର ଗୋଟିଏ ଛୋଟ ପୁଅକୁ ଦେଖିଲି । ବୟସ ୫/୬ ବର୍ଷ ହେବ; କିନ୍ତୁ କେଇଖଣ୍ଡ ହାଡ଼ ଉପରେ ଖାଲି ଚମର ଢାଙ୍କୁଣି-। ଖାଦ୍ୟାଭାବରେ କହିବା ତ ଦୂରର କଥା କାନ୍ଦିବା ମଧ୍ୟ କଷ୍ଟ ହେଉଛି; ସେ ପିଲାର-। ଗୋଟିଏ ୧୬।୧୭ ବର୍ଷର ଯୁବତୀକୁ ଦେଖିଲି ତା’ ଦେହରେ ଯୌବନର କୌଣସି ଚିହ୍ନ ନାହିଁ । ଯାଉ ଯାଉ ବାଟରେ ଦେଖିଲେ କ୍ଷୁଧାତୁର ହୋଇ ଗୋଟିଏ ସ୍ତ୍ରୀଲୋକ ପଡ଼ିଛି । ମୋତେ ଦେଖି କ୍ରନ୍ଦନ ସ୍ୱରରେ କହିଉଠିଲା ମୋ ପୁଅ ! ମୁଁ କିଛି ବୁଝି ନପାରି ଚାରିଆଡ଼କୁ ଚାହିଁଲି । ସେ ଅସ୍ପଷ୍ଟ ସ୍ୱରରେ କହିଲା ମୋ କୋଳରୁ ମୋର ଜୀଅନ୍ତା ପୁଅକୁ କୁକୁର ପଞ୍ଝାଏ ନେଇଗଲେ । ସତକୁ ସତ ଟିକିଏ ଦୂରରେ ପଞ୍ଝାଏ କୁକୁର ନିଜର ଭିତରେ କାମୁଡ଼ା କାମୁଡ଼ି ହୋଇ କ’ଣ ଗୋଟାଏ ଖାଇବାରେ ଲାଗିଛନ୍ତି-। ଆଉ ଗୋଟିଏ ଗାଁରେ ଦେଖିଲି ଗୋଟିଏ ସ୍ତ୍ରୀଲୋକ କ୍ଷୁଦ୍ର ଶିଶୁକୁ ଧରି ବୋଧେ ଅନ୍ନଛତ୍ରକୁ ଯାଉଥିଲା, ଆଉ ଚାଲି ନ ପାରି ଗୋଟିଏ ଅଧମଲା ଗଛତଳେ ବସୁ ବସୁ ଟଳି ପଡ଼ିଛି-। ଅବୋଧ୍ୟ ଶିଶୁଟି ମୃତ—ମା କୋଳରେ କାନ୍ଦି କାନ୍ଦି କାଶୁଛି ।

 

ଶହ ଶହ ଅନ୍ନଛତ୍ର ଖୋଲା ହୋଇଛି ବିଭିନ୍ନ ଅନୁଷ୍ଠାନପକ୍ଷରୁ । ସମସ୍ତଙ୍କ ଅପେକ୍ଷା ମୋଦ୍ୱାରା ଖୋଲା ହୋଇଥିବା ଅନ୍ନଛତ୍ରଗୁଡ଼ିକ ବେଶ ସୁଚାରୁରୂପେ ଚଳୁଥାଏ । ମୋ ଅନୁରୋଧରେ ଶହ ଶହ ସ୍ୱେଚ୍ଛାସେବକ ଲାଗି ପଡ଼ିଛନ୍ତି ଦୁର୍ଭିକ୍ଷଗ୍ରସ୍ତ ଲୋକଙ୍କୁ ବଞ୍ଚାଇବାକୁ । ଜଣେ ଜଣେ ଲୋକ ମୋ ନାମରେ ଲକ୍ଷ ଲକ୍ଷ ଟଙ୍କାର ଚେକ୍ ଦୁର୍ଭିକ୍ଷପାଇଁ ଦାନ କରୁଛନ୍ତି । ବ୍ୟାଙ୍କରୁ ଟଙ୍କା ଆଣି ତୁରନ୍ତ ଖାଦ୍ୟ ବାହାରୁ କିଣି ବିଭିନ୍ନ ଅନ୍ନଛତ୍ରକୁ ଯୋଗାଇ ଦିଆ ହେଉଛି । ଅଜଗରପରି ମୂଖ ବ୍ୟାଦାନ କରିଛି ସର୍ବଗ୍ରାସୀ ଦୁର୍ଭିକ୍ଷ । ଯେତେ ଦେଲେ ତା’ର ଗୋଟିଏ କୋଣ ବି ପୂରଣ ହେଉନି ।

 

ମୁଁ ଦୁର୍ଭିକ୍ଷ ଅଞ୍ଚଳ ବୁଲି ଗୋଟିଏ ମୋଟାମୋଟି ଧାରଣା ନେଇ ପୁଣି ଚାଲିଲି ବାହାରୁ ଅର୍ଥ ଯୋଗାଡ଼ କରିବାପାଇଁ । ମୁଁ ଗୋଟିଏ ଗୋଟିଏ ବିଭାଗ ଖୋଲିଥାଏ । ଲୋକଙ୍କୁ ଆବଶ୍ୟକୀୟ ପରିମାଣରେ ଖାଦ୍ୟ ଯୋଗାଇବାକୁ ଗୋଟିଏ ଲେଖାଁ ଦଳ ଥାଆନ୍ତି । ସେମାନଙ୍କୁ ସେ ଅଞ୍ଚଳର ବିଶିଷ୍ଠ ଲୋକ ସବୁ ବିଷୟରେ ମଧ୍ୟ ସହଯୋଗ କରୁଥାନ୍ତି । ଦଳେ ଥାନ୍ତି ଖାଦ୍ୟ ବିଭିନ୍ନ କେନ୍ଦ୍ରରେ ପହଞ୍ଚାଇବା ଦାୟିତ୍ୱରେ । କେଉଁ କେନ୍ଦ୍ରକୁ କେତେ ଯିବ ସେ ଦାୟିତ୍ୱରେ କେତେକଙ୍କୁ ରଖିଥାଏ । ଚାହିଦା ଅନୁସାରେ ଖାଦ୍ୟ ଦ୍ରବ୍ୟ ଯୋଗାଇବାପାଇଁ ବ୍ୟବସ୍ଥା କରିଥାଏ । ଅର୍ଥ ଯୋଗାଡ଼ ଦାୟିତ୍ୱରେ ଥାଏ ମୁଁ । ବଡ଼ ବଡ଼ ଧନୀମାନଙ୍କ ପାଖରୁ ଅର୍ଥ ସଂଗ୍ରହ କରି ମୁଁ ପଠାଉଥାଏ ଦ୍ରବ୍ୟ କ୍ରୟ କରିବାକୁ ।

 

ଆସାମରୁ ପ୍ରଚୁର ଅର୍ଥ ମିଳିବାର ଆଶା ନ ଦେଖି ମୁଁ କଲିକତା ଯାତ୍ରା କରିବାକୁ ଠିକ୍ କଲି । କଲିକତାରୁ କେତେକ ବିଶିଷ୍ଟଲୋକ ମୋତେ ସେଠାକୁ ଯିବାପାଇଁ ଅନେକଥର ନିମନ୍ତ୍ରଣ କରିଥିଲେ । ଦେଶର ଏହି ଦୁର୍ଦ୍ଦିନରେ ସେହି ସୁଯୋଗକୁ ମୁଁ ସ୍ୱାଗତ କରି କଲିକତା ଯାତ୍ରା କରିବାର ସମସ୍ତ ବନ୍ଦୋବସ୍ତ କଲି । ମୋର ସୁନାମ ଏତେ ବ୍ୟାପି ଯାଇଥାଏ ଯେ କୌଣସିଟା ଅସାଧ୍ୟ ନ ଥାଏ ମୋ ପାଖରେ ।

 

ହାବୁଡ଼ା ଷ୍ଟେସନରେ ଓହ୍ଲାଇବାମାତ୍ରେ ହଜାର ହଜାର ଲୋକ ବିପୁଳ ଅଭ୍ୟର୍ଥନା ଜଣାଇ ମୋତେ ପାଛୋଟି ନେଲେ । ମୋ ସହିତ ମଧ୍ୟ କେତେକ ଲୋକ ଆସିଥିଲେ ଯେଉଁମାନେ କି କଲିକତା ସହିତ ସହଯୋଗ ରଖି ମୋ ଯିବାର ବିଶେଷ ବନ୍ଦୋବସ୍ତ କରିଥିଲେ । କଲିକତାରେ ମୋତେ ବେଶୀକିଛି କଷ୍ଟ କରିବାକୁ ପଡ଼ି ନାହିଁ କିମ୍ବା ନିଜ ଶକ୍ତିର ପରିକ୍ଷାଦେବା ଆବଶ୍ୟକ ହୋଇନି । କେବଳ କେତୋଟି ସ୍ଥାନରେ ଗୋଟିଏ ଗୋଟିଏ ଧର୍ମସଭା କରି ପୋଖତ ରାଜନୀତିଜ୍ଞଙ୍କ ପରି ସେହି ଧର୍ମ ଭିତରେ ଦୁର୍ଭିକ୍ଷର କରାଳଚିତ୍ର ଲୋକଙ୍କ ସମ୍ମୁଖରେ ଉପସ୍ଥାପିତ କରି ସାହାଯ୍ୟପାଇଁ ହାତ ପାତିଲି । ଭାରତର ସର୍ବଶ୍ରେଷ୍ଠ ସହର କଲିକତା ନଗରୀରେ ଅର୍ଥର ଅଭାବ ନାହିଁ । କେବଳ ଲୋକଙ୍କ ପାଖରୁ ବାହାର କରି ପାରିଲେ ହେଲା । ଦୁର୍ବଳ ହୃଦୟ ଧନିକମାନେ ମୋ ଭଳି ଜଣେ ସିଦ୍ଧ ପୁରୁଷ ହାତରେ ଲକ୍ଷ ଲକ୍ଷ ଟଙ୍କା ଦାନ କରିବାକୁ ମଧ୍ୟ କୁଣ୍ଠିତ ହେଲେ ନାହିଁ ।

 

ମୋର ସେହି ପ୍ରିୟ କଲିକତା ସହର । ଯେଉଁଠି ଜୀବନ ପରି ସାଥି ପାଇଥିଲି । ଯାହାର ସାହାଚର୍ଯ୍ୟ ସଂସାରପଥରେ ଚାଲିବାକୁ ଧୈର୍ଯ୍ୟ, ବଳ ଦେଇଥିଲା । ସରସ୍ୱତୀ ବାବୁଙ୍କ ପରି ଅମାୟିକ ବ୍ୟକ୍ତିଙ୍କର ସ୍ନେହ ମୋତେ ମଣିଷଭଳି ଚାଲିବାକୁ ଶକ୍ତି ଦେଇଥିଲା । ଅଧିକାଂଶ ସମୟ ମୁଁ ବିଭିନ୍ନ ବିଷୟରେ ବ୍ୟସ୍ତ ଥାଏ । କିଛି ଭାବିବାକୁ ସମୟ ପାଏ ନାହିଁ । ଖୁବ୍ ଅଳ୍ପସମୟ ପାଇଁ ଧୂପ, ଇରା ପ୍ରଭୃତି ମନେ ପଡ଼ନ୍ତି । ଇଚ୍ଛା ହୁଏ ସେମାନଙ୍କ ବିଷୟରେ କିଛି ଜାଣିବାକୁ, ମାତ୍ର ତାହା ସମ୍ଭବ ହୋଇ ପାରେ ନାହିଁ । ଅନେକଥର ଜୀବନକୁ କଲିକତାରେ ଦେଖିଛି । ସେ ଜଣେ ବିଶିଷ୍ଟ ସାମ୍ବାଦିକ । ଧର୍ମବିଷୟରେ ମୁଁ କହୁଥିଲାବେଳେ ସେ ଚିହ୍ନିଲା ଚିହ୍ନିଲା ଆଖିରେ ମୋତେ ଅନାଏ । ମୁଁ ଜାଣି ଜାଣି ତା’ ଆଖିକୁ ଏଡ଼ାଇଲା ଭଳି ବ୍ୟବସ୍ଥା କରେ । ଦୀର୍ଘଦିନ ଗତ ହୋଇ ଯାଇଛି ଏହା ଭିତରେ । ତା’ ସହିତ କୌଣସି ସମ୍ପର୍କ ମୁଁ ରଖି ନାହିଁ । ଚେହେରା ବଦଳି ଯାଇଛି ଆମ ଦୁହିଁଙ୍କର । ମୋର ଶ୍ମଶ୍ରୁ ବହୁଳ ମୁଖମଣ୍ଡଳଭିତରୁ ସେ ତା’ର ସାଥି ଦୁଷ୍ମନ୍ତକୁ ଖୋଜି ପାଇବା ଏତେଟା ସମ୍ଭବ ନୁହେଁ । ବେଳେ ବେଳେ ମୋ ଭିତରେ ଦୁର୍ବଳତା ଆସେ । ମୋର ଅତିପ୍ରିୟ ସାଥି ଜୀବନକୁ ଚିହ୍ନା ଦେବାକୁ ବ୍ୟଗ୍ର ହୋଇପଡ଼େ; କିନ୍ତୁ ପରକ୍ଷଣରେ ପୁଣି ନିଜକୁ ସଞ୍ଜତ କରିନିଏ । ଦୁଷ୍ମନ୍ତର ମୃତ୍ୟୁ ହୋଇଥିଲା ସରସ୍ୱତୀ ବାବୁଙ୍କ କାର୍‌ ଦୁର୍ଘଟଣାରେ । ସେହି ଦୁଷ୍ମନ୍ତକୁ ସରସ୍ୱତୀ ବାବୁ ସୁଶାନ୍ତ ଭାବେ ଦୁନିଆରେ ପରିଚିତ କରାଇବାକୁ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ସବୁ ଅସୁବିଧା ସତ୍ତ୍ୱେ ଦୁଷ୍ମନ୍ତ ସୁଶାନ୍ତରୂପେ ଠିଆହେଲା, ମାତ୍ର ତାଙ୍କର କନ୍ୟା ଧୂପ ସୁଶାନ୍ତ ହେବାକୁ ଦେଲା ନାହିଁ । ଅବଶେଷରେ ଅଭିନେତା ସୁଶାନ୍ତ ରୂପ ବଦଳାଇ ଜଣେ ବିଶିଷ୍ଟ ସନ୍ନ୍ୟାସୀରୂପେ ଜ୍ଞାନଦାତାଭାବରେ ଠିଆହେଲା । ଏ ଜ୍ଞାନଦାତା କିଏ, ଘର କେଉଁଠି, ଓଡ଼ିଶା କି ବଙ୍ଗାଳୀ କି ମାରୱାଡ଼ି କି ହିନ୍ଦୁସ୍ଥାନୀ ଆଶାମୀ କିମ୍ବା ଆଉ କିଏ ତାହା ଏପର୍ଯ୍ୟନ୍ତ ଜାଣିବାକୁ କେହି ସକ୍ଷମ ହୋଇପାରିନାହାନ୍ତି । ଆଜି ମୁଁ ନିଜେ ନିଜେ ମୋର ପରିଚୟ ଯେତେ ଯେ ପ୍ରିୟ ହେଉନା କାହିଁକି ତାକୁ ଦେବା ଉଚିତ୍ ହେବ ନାହିଁ । ଦୁଇକାନରୁ, ଚାରିକାନ, ଚାରିକାନରୁ ଚାରିଶହ, ଚାରିହଜାର ଶେଷରେ ଦେଶତମାପ ବ୍ୟାପି ଯିବାଟା ଅସମ୍ଭବ ନୁହେଁ ।

 

ଦିନେ ପୂରବୀ ଘୋଷ ଓ ତାଙ୍କ ଭାଇ ଆସିତ୍ ଘୋଷଙ୍କୁ ମୋ ଧର୍ମସଭାରେ ଦେଖିବାକୁ ପାଇଲି । ପ୍ରାୟ ଦୀର୍ଘ କୋଡ଼ିଏ ବର୍ଷ ପରେ ପୂରବୀ ଘୋଷଙ୍କୁ ଚିହ୍ନିବାରେ ମୋର ଏତେ ଟିକିଏ ଭୁଲ୍ ହୋଇ ନାହିଁ । ଅବଶ୍ୟ ସେଦିନ ବୌଦ୍ଧଧର୍ମ ବିଷୟରେ କେତେକ ପ୍ରଶ୍ନର ଉତ୍ତର ଦେବାକୁ ଥିଲା । ମୁଁ ଆଗରୁ ଆଶା କରୁଥିଲି ପୂରବୀ ଘୋଷଙ୍କୁ ସେହି ଧର୍ମସଭାରେ ଦେଖିବାକୁ । ସେଦିନ ଅଧିକାଂଶ ବୌଦ୍ଧ-ସଂପ୍ରଦାୟର ଲୋକ ଆସିଥାନ୍ତି ମୁଁ ବୁଦ୍ଧଙ୍କ ବିଷୟରେ କ’ଣ କ’ଣ କହିବି ଶୁଣିବାକୁ । ମୋର ମନେ ହେଲା ମୋତେ ଏମାନେ ବୌଦ୍ଧଶାସ୍ତ୍ର ତ୍ରିପଟକ, ସଂଯୁତ୍ତନିକାୟ, ଅଙ୍କୁତ୍ତରନିକାୟ ପ୍ରଭୃତିରୁ କେତେକ ପ୍ରଶ୍ନ କରିପାରନ୍ତି । ଯଦ୍ଦ୍ୱାରା ମୋର ପରିଚୟ ହୁଏତ ଏଥିରେ କିଛି ଜଣାଯାଇ ପାରେ । ମୋର କହିବାର ଚାତୁରୀ କେତେକ ପରିମାଣରେ ମୋତେ ପଦାରେ ପକାଇଦେବ । ସେଥିପାଇଁ ପ୍ରଥମରୁ ଟିକିଏ ଇନ୍ଦ୍ରଜାଲର ଆଶ୍ରୟ ନେବାକୁ ପଡ଼ିଲା ।

 

ମୋତେ ଯେ ଭଲଭାବେ ନିରୀକ୍ଷଣ କରିବାକୁ ଚେଷ୍ଟା କରେ ସେ ଦେଖେ ମୋ ରୂପ ବୁଦ୍ଧଙ୍କ ରୂପଭଳି ଦେଖାଯାଉଛି । ସତେ ଯେପରି ଭଗବାନ ବୁଦ୍ଧ ଶ୍ମଶ୍ରୁଜାଳରେ ନିଜ ମୁହଁକୁ ଘୋଡ଼ାଇବାର ଚେଷ୍ଟା କରିଛନ୍ତି । ମୋର ଚକ୍ଷୁ ବଶୀକରଣ ତଥା ଇନ୍ଦ୍ରଜାଲ ପ୍ରକ୍ରିୟା ରହିଗଲା ସେମାନଙ୍କ ଆଗୋଚରରେ । ମୁଁ ଦେଖିବାକୁ ପାଇଲି ମୋତେ ନିରୀକ୍ଷଣ କରି ସେମାନେ ପରସ୍ପର ଭିତରେ କ’ଣ କଥାବାର୍ତ୍ତା କରୁଛନ୍ତି । ତାହା ଯେ ମୋର ଚେହେରା ବିଷୟ ଏହା ଅନୁମାନ କରିନେଲି । ପରେ ଖବରକାଗଜରୁ ଜାଣିଲି ଲୋକେ ଦେଖିବାକୁ ପାଇଛନ୍ତି ତଥାଗତ ବୁଦ୍ଧ ମୋତେ ପ୍ରସନ୍ନ ହୋଇଥିଲେ କିମ୍ବା ମୋ ଭିତରେ ପ୍ରବେଶ କରିଥିଲେ । ଯଦ୍ଦ୍ୱାରା ସାରା କଲିକତା ସହର ଚମତ୍କୃତ ହୋଇଛି ।

 

ପ୍ରଚୁର ଅର୍ଥ କଲିକତାରୁ ଦୁର୍ଭିକ୍ଷ ସାହାର୍ଯ୍ୟ ପାଇଁ ମିଳିଲା । ଯେଉଁଦିନ ଯାହା ମିଳୁଥାଏ ତାହା ପଠାଯାଉଥାଏ ଦୁର୍ଭିକ୍ଷ ଅଞ୍ଚଳକୁ ଚାଉଳ, ଗହମ ପ୍ରଭୃତି ଆକାରରେ । ଦୁର୍ଭିକ୍ଷ ଅଞ୍ଚଳକୁ ଆଉଥରେ ବୁଲିଯିବା ମୋ ଭାଗ୍ୟରେ ଘଟି ନାହିଁ । କେବଳ ଅର୍ଥ ସଂଗ୍ରହ କରି ସାହାର୍ଯ୍ୟ ଦେବାଛଡ଼ା ଆଉଥରେ ଅବସ୍ଥା ପର୍ଯ୍ୟବେକ୍ଷଣ କରିବାକୁ ବେଳ ପାଇ ନାହିଁ । କଲିକତାରେ ଦେଢ଼ଟି ମାସ ରହିଲି । ଏହି ଦେଢ଼ମାସ ଭିତରେ କୋଟିଏ ପାଖାପାଖି ଟଙ୍କା ସଂଗ୍ରହ କରି ମୁଁ ପଠାଇଛି ।

 

କଲିକତାରେ ରହୁଥିବାବେଳେ ଜୀବନ ଆସି ମୋ ପାଖରେ ଗୋଟିଏ ପ୍ରସ୍ତାବ ବାଢ଼ି କହିଲା ଦେଖନ୍ତୁ ଆପଣ ତ ଦୁର୍ଭିକ୍ଷ ଅଞ୍ଚଳପାଇଁ ପାଥେୟ ସଂଗ୍ରହ କରି ପଠାଉଛନ୍ତି, ମାତ୍ର ଏହି କଲିକତାରେ ଯେ ଦୁର୍ଭିକ୍ଷ ପଡ଼ିଛି ଓ ଲୋକେ ଖାଇବାକୁ ପାଉନାହାନ୍ତି—ଏହି କଥା ଆପଣ ଥରେ ଚିନ୍ତା କରିଛନ୍ତି କି ?

 

ମୁଁ କଲିକତାରେ ଦୀର୍ଘଦିନ ରହିଛି । ସବୁଶ୍ରେଣୀ ଲୋକଙ୍କ ସହିତ ଅଳ୍ପ—ବହୁତ ମିଶିଛି, ମାତ୍ର ମୁଁ କେବେ ଅନୁଭବ କରି ନାହିଁ ଏଠାରେ ଦୁର୍ଭିକ୍ଷଗ୍ରସ୍ତ ପରି ଲୋକେ ଖାଇବାକୁ ପାଉ ନାହାନ୍ତି ବୋଲି । ତେଣୁ ଜୀବନ କଥାରେ ମୁଣ୍ଡ ହଲାଇ ନାସ୍ତି କଲି । ସେ ଟିକିଏ ହସି କହିଲା ସେ ମୋ ବିଷୟରେ ମୁଁ ବିଶେଷ କିଛି କହିବାକୁ ଉଚିତ୍ ମନେ କରୁ ନାହିଁ । ଯଦି ଦୟା କରି ମୋ ସହିତ ଥରେ ଆସନ୍ତି ତେବେ ପ୍ରକୃତ ସତ୍ୟତା ଉପଲବଧି କରିବାରେ ଆଉ ଦ୍ୱିଧା ରହନ୍ତା ନାହିଁ । ମୁଁ ତା’ କଥାରେ ରାଜିହୋଇ ତା’ ସହିତ ଚାଲିଲି । ସେ ମୋତେ ବିଭିନ୍ନ କାରଖାନାର କାମ କରୁଥିବା ଶ୍ରମିକବସତି ଅଞ୍ଚଳ ବୁଲାଇ ଦେଖାଇଲା । ମୁଁ ଦେଖିଲି ପ୍ରକୃତରେ ଲୋକଗୁଡ଼ିକ ବଡ଼ ରୋଗା ହୋଇ ଯାଇଛନ୍ତି । ତାଙ୍କ ପିଲାମାନେ କ୍ଷୁଧା-କ୍ଲିଷ୍ଟ ଶୀର୍ଣ୍ଣ ଅବୟବ ଧରି ମୋ ଆଡ଼କୁ ବଡ଼ ଆଶାୟୀ ଚକ୍ଷୁରେ ଅନାଇ ଠିଆ ହୋଇଛନ୍ତି । ସହରର ରାସ୍ତାଗୁଡ଼ିକ ପରିଷ୍କୃତ ପରିଛନ୍ନ ଥିଲେ ମଧ୍ୟ ଶ୍ରମିକବସତି-ଅଞ୍ଚଳ ଗୁଡ଼ିକରେ ଗୋଟିଏ ସପ୍ତାହରେ ଥରେ ଅଳିଆ ସଫା ହୁଏ କି ନାହିଁ ସନ୍ଦେହ । ମାଛି-ମଶାଙ୍କଠାରୁ ଆରମ୍ଭକରି ଡିଆଁ ଜୋକ ପର୍ଯ୍ୟନ୍ତ ପୂରି ରହିଛନ୍ତି ।

 

ଏହି ଶ୍ରମିକବସତି ଅଞ୍ଚଳ ବୁଲିଲା ବେଳେ ହଠାତ୍ ଗୋଟିଏ ସ୍ତ୍ରୀ ଲୋକକୁ ଦେଖି ମୁଁ ବିଚଳିତ ହୋଇ ପଡ଼ିଲି । ସେ ତାର ଗୋଟିଏ ଛୋଟ ରୋଗା ପୁଅକୁ ଧରି ମୋ ପାଖରେ ପ୍ରଣିପାତପୂର୍ବକ ତା’ର ଦୁଃଖ ନିବେଦନ କରି ମୋ କୃପାପ୍ରାର୍ଥୀ ହେଲା । ସେହି ଚିହ୍ନା ମୁହଁ । ସେହି ପରିଚିତ ସ୍ୱର । କେବଳ ଦୁଃଖ ଦୈନ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି ଯାହା । ମୁଁ ସେ ସ୍ତ୍ରୀ ଲୋକକୁ କିଛି କହିବା ପୂର୍ବରୁ ଜୀବନ ମୋତେ ଇଂରେଜୀରେ କହିଲା, ଏ ସ୍ତ୍ରୀ ଲୋକଟି ପୂର୍ବେ ମୋତେ ବିରାଟ ଭ୍ରମ ଭିତରକୁ ଟାଣି ନେଇଥିଲା । ମୁଁ ତା କଥାରେ ବିସ୍ମିତ ହୋଇ ତା ମୁହଁକୁ ଅନାଇଲି । ସେ କେବଳ ହସିଲା ମୁହଁରେ ମୋତେ ଇଙ୍ଗିତ ଦେଲା ପରେ ତାହା ପ୍ରକାଶ କରିବ ବୋଲି । ମୁଁ ସେ ସ୍ତ୍ରୀ ଲୋକ ଏବଂ ତାର ରୋଗା ପିଲାଟିକୁ ଆଶିଷ ଦେଇ ଟିକିଏ ଦୂରକୁ ଗଲା ପରେ ଜୀବନ ଆପେ ଆପେ କହିଲା ମୋର ସୁଶାନ୍ତ ନାମରେ ଜଣେ ସାଥି ଯେ କି ଜଣେ ଧନୀକନ୍ୟା ସହିତ ଗୁପ୍ତ ପ୍ରଣୟରେ ଆବଦ୍ଧ ଥିଲା । ସେ ଧନୀ କନ୍ୟାଟି ଅବିକଳ ଏହି ସ୍ତ୍ରୀ ଲୋକଟି ଭଳି । ସେତେବେଳେ ଏ ସ୍ତ୍ରୀ ଲୋକଟିକୁ ଆମେ ବିଭିନ୍ନ ଲୋକଙ୍କ ସହିତ ଦେଖି ସୁଶାନ୍ତର ବାକ୍‍ଦତ୍ତା ପ୍ରତି ସନ୍ଦେହ କରିଥିଲୁ, ମାତ୍ର ବହୁ ଦିନ ପରେ ମୁଁ ପ୍ରକୃତ ସତ୍ୟ ଉଦ୍‍ଘାଟନ କଲି ।

 

ମୁଣ୍ଡରେ ମୋର ବଜ୍ର ଖସିପଡ଼ିଲା, କି ଉତ୍ତର ଦେବି ମୁଁ ? ଧୂପର ଅବିକଳ ନକଲ ଆଉ ଜଣେ ଏ କଥା ବା ମୁଁ ଜାଣିବି କିପରି ? ଧୂପର ଚରିତ୍ର ପ୍ରତି ମୋର ସନ୍ଦେହ ଯେ ଭ୍ରାନ୍ତ ଏ କଥା ଦୀର୍ଘ କେତେ ବର୍ଷ ପରେ ଜାଣି ଆଉ ଲାଭ କ’ଣ ! ସଂଶୋଧନର ସମୟ ଗତ ହୋଇଯାଇଛି କେଉଁକାଳୁ । କେବଳ ବାକି ଅଛି ଶୋଚନାର । ଗୋଟିଏ ନିଷ୍କପଟ ଚରିତ୍ରାର ଚରିତ୍ର ଉପରେ ଆଞ୍ଚ ଆଣି ଯେଉଁ ଅପରାଧ କରିଛି ତା’ର ପ୍ରାୟଶ୍ଚିତ ମୁଁ କିଭଳି ଭାବରେ କରିବି ତାହା ଠିକ୍ କରି ପାରିଲି ନାହିଁ । ଜୀବନ ଆଗରେ ନିଖୁଣ ଅଭିନେତାପରି ମୁଁ ଆଶକ୍ତିଶୂନ୍ୟ ନିର୍ବିକାର ଚିତ୍ତରେ କହିଲି ମଣିଷର ଏହିଭଳି ଭୁଲ୍ ହେବାଟା ସ୍ୱାଭାବିକ୍ । ତା’ପରେ ଜୋର୍‍ କରି ନିଜକୁ ଟାଣି ନେଲି ସେତେବେଳେକାର କର୍ତ୍ତବ୍ୟ ଭିତରକୁ ।

 

ଶ୍ରମିକମାନଙ୍କର ଦୁର୍ଦ୍ଦଶା ଦେଖି ସେ ବିଷୟରେ ଆଲୋଚନା କରି ଚାଲିଥାଉ ସେ ଓ ମୁଁ-। ପ୍ରତ୍ୟେକ ଆମକୁ ନମସ୍କାର କରି ସମ୍ମାନ ଦେଖାଉଥାଆନ୍ତି । ବେଳେବେଳେ ଦଳ ଦଳ ଶ୍ରମିକମାନେ ଆମ ସହିତ ଚାଲିଥାନ୍ତି କୃତଜ୍ଞତା ଦେଖାଇ । କଲିକତା ସହରରେ ଯେ କ୍ଷୁଧାର କରାଳ ରୂପ ଏହି ପରି ଭୟାଭାହ ତାହା ମୋ ଭିତରେ ନୂତନ ରେଖାପାତ କଲା । କ୍ଷୁଧା, କ୍ଷୁଧା ଖାଲି ଚାରିଆଡ଼େ ଲକ୍ଷ୍ମୀଛଡ଼ା କଙ୍କାଳର ଆର୍ତ୍ତନାଦ ମୋତେ ବ୍ୟଥିତ କରି ପକାଇଲା । କ୍ଷୁଦ୍ର ମଣିଷ ମୁଁ । କେତେ ଶକ୍ତି ବା ଅଛି ଏ ସର୍ବଗ୍ରାସୀ କ୍ଷୁଧାକବଳରୁ ଜାତି ତଥା ଦେଶକୁ ରକ୍ଷା କରିବି-?

 

ମୁଁ ସେସବୁ ଅଞ୍ଚଳ ବୁଲି ଫେରିଲାବେଳେ ଜୀବନକୁ ପଚାରିଲି, ଏ ବିପଦରୁ ଶ୍ରମିକମାନଙ୍କୁ ରକ୍ଷା କରିବାକୁ ତୁମେ କି ଉପାୟ ସ୍ଥିର କରିଛି ? ସେ ମୋତେ ଅତି ସରଳ ଭାବରେ କହିଲା କେବଳ ବିପ୍ଳବ ଛଡ଼ା ଅନ୍ୟ କେଉଁଥିରେ ହେବା ସମ୍ଭବ ନୁହେଁ । ମୁଁ ଜିଜ୍ଞାସୁ ଦୃଷ୍ଟିରେ ତା’ ଆଡ଼କୁ ଚାହିଁଲି । ସେ ମୋତେ କହିଲା, ଦେଖନ୍ତୁ କାରଖାନାର ମାଲିକମାନେ ସ୍ୱର୍ଗସୁଖ ଲାଭ କରୁଥିବା ବେଳେ, ଯେଉଁମାନେ ତାଙ୍କୁ ଏତେ ପ୍ରାଚୁର୍ଯ୍ୟଭିତରେ ରଖୁଛନ୍ତି ସେମାନଙ୍କପାଇଁ ମାଲିକମାନେ କ’ଣ କରୁଛନ୍ତି ? ଏଥିପାଇଁ କେବଳ ମାଲିକମାନଙ୍କ ବିରୁଦ୍ଧରେ ବିପ୍ଳବ କରିବା ଛଡ଼ା ଅନ୍ୟ କୌଣସି ବାଟରେ ହେବାର ଆଶା ମୁଁ ଦେଖି ପାରୁନାହିଁ ।

 

ସଂସାରର ସମସ୍ତ ମାୟା ବନ୍ଧନକୁ କାଟି ମୁଁ ସମସ୍ତ ନ୍ୟାସ କରି ସନ୍ନ୍ୟାସୀ ହୋଇଛି । ବିପ୍ଳବ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ଆଧ୍ୟାତ୍ମିକ ଉପାୟରେ ଯଦି କରି ହୁଏ ତାହା ହେଲେ ସେ ପଥ ମୋର କାମ୍ୟ; କିନ୍ତୁ ନିଜେ ନିଜକୁ ବିଶ୍ଲେଷଣ କରି ମୁଁ ମୋ ଯୁକ୍ତିରୁ କେତେକ ପରିମାଣରେ ଓହରି ଆସେ । ସନ୍ନ୍ୟାସୀର ମୂଳମନ୍ତ୍ର ‘ସତ୍ୟ ନିଷ୍ଠା’ ମୁଁ କର ପାଳନ କରିଛି ?’’ ନିରୀହ ଜନତାକୁ ବୋକା କରି ମୋର ଇଛା ଶକ୍ତିଦ୍ୱାରା ସମସ୍ତଙ୍କୁ ବଶୀଭୂତ କରି ଅଦଭୂତ ମନ୍ତ୍ରଦ୍ୱାରା ଯେଉଁ ବାହାବା ମୁଁ ନେଇଛି ସେଥିରେ କ’ଣ ସତ୍ୟର ଲେଶମାତ୍ର ଚିହ୍ନ ଅଛି ?

 

ମନ, ଇନ୍ଦ୍ରିୟ ଓ ଶରୀରଦ୍ୱାରା ନିଷ୍ପନ୍ନ କର୍ମର, ପୂର୍ଣ୍ଣ କର୍ତ୍ତାପଣ ତ୍ୟାଗପୂର୍ବକ ନିଷ୍କାମ କର୍ମର ସାଧକ ଏକମାତ୍ର ସନ୍ନ୍ୟାସୀ ହୋଇପାରେ; ନିଜର ସାଧନା ଶକ୍ତିଦ୍ୱାରା କାହାକୁ ଆକୃଷ୍ଟ କରିବା ସନ୍ନ୍ୟାସୀପକ୍ଷେ ମୋଟେ ଉଚିତ ନୁହେଁ । ଯୁକ୍ତି ହୋଇ ପାରେ ପ୍ରକୃତ ସତ୍‍ମାର୍ଗରେ ଲୋକଙ୍କୁ ଚାଲିବାକୁ ଉପଦେଶ ଦେଲେ ସେମାନେ ସହଜରେ ଗ୍ରହଣ କରି ନ ପାରନ୍ତି । ଯଦି କେହି ମହାପୁରୁଷ ହୋଇଥାଏ ଯେ କି, ପାଗଳା ହାତୀକୁ ବଶୀଭୂତ କରିପାରେ, କ୍ଷୁଧିତ ବ୍ୟାଘ୍ର ପାଟିରେ ହସ୍ତ ଭର୍ତ୍ତି କରି ତା’ର ମାଂସ ଲାଳସୀ ଜିହ୍ୱାକୁ ଟାଣି ପାରେ, ଏହିପରି ଅସମ୍ଭବକୁ ସମ୍ଭବ କରି ପାରେ ତାହାରି ଭଲ ହେଇ, ଖରାପ ହେଉ, ଉପଦେଶକୁ ଜାତି ମୁଣ୍ଡ ପାତି ମାନିନେଇପାରେ ମୁଁ ତାହାହିଁ କରିଛି । ଲୋକଚକ୍ଷୁରେ ସେହି ମହାପୁରୁଷଙ୍କ ମଧ୍ୟରୁ ମୁଁ ଜଣେ ହୋଇ ଠିଆ ହୋଇଛି । ମୋ ତୁଣ୍ଡରୁ କଥା ପଦେ ଶୁଣିବାକୁ ହଜାର ହଜାର ଲୋକ ରୁଣ୍ଡ ହେଉଛନ୍ତି । କେବଳ ମୋର ଅଦ୍‌ଭୁତ ଶକ୍ତିର ପରାକାଷ୍ଠା ଦେଖି । ତାହା କେତେଦୂର ବାସ୍ତବ ସେ କଥା ବିଚାର କରୁଛି କିଏ ?

 

ମୁଁ ଆଗେ ଆସନଶୁଦ୍ଧି କରି ପ୍ରାଣୟାମ ପୂର୍ବକ ଯୋଗାରୂଢ଼ ହେଉଥିଲେ ଦିନ ଦିନ ଧରି ଯୋଗରେ ବସି ରହୁଥିଲି । ହୃଦୟ ଭିତରେ ନିଃଶ୍ୱାସ ରୋଧ କଲାବେଳେ ମୋର ଆସନ ମନକୁ ମନ ଭୂମିଠାରୁ ଶୂନ୍ୟକୁ ଉଠି ଯାଉଥିଲା, କିନ୍ତୁ ଏବେ ସେପରି ଖୁବ୍ କ୍ୱଚିତ୍ ହେଉଛି । ମନକୁ ସଂଯତ କରିବା ମୋ ପକ୍ଷେ ସମ୍ଭବ ହେଉ ନାହିଁ । ଆକାଂକ୍ଷିତ ବିଚଳିତ ମନ ଯୋଗରେ ବେଶିକ୍ଷଣ ରହି ପାରୁ ନାହିଁ । ଏଥିପାଇଁ ବେଳେ ବେଳେ ମନରେ ଆସେ, ମୋର ପତନ ଆରମ୍ଭ ହୋଇଛି, ମାତ୍ର ମନକୁ ସ୍ଥିର କରି ଯୋଗଦ୍ୱାରା ସକଳ ସମ୍ପର୍କରୁ ନିଜକୁ ମୁକ୍ତ କରି ପାରେନାହିଁ ।

 

ମୁଁ ବେଶ୍‍ରୂପେ ହୃଦୟଙ୍ଗମ କରିଛି କାମନା ମୋତେ ପ୍ରଲୁବ୍ଧ କରିଛି । କାମିନୀ କାଞ୍ଚନଠାରୁ ବହୁ ଦୂରକୁ ଚାଲି ଯାଇ ମୁଁ ଯେଉଁ ମହତୀ ଶକ୍ତି ପ୍ରାପ୍ତ ହୋଇଥିଲି ତାହାକୁ ନିତି ଅପପ୍ରୟୋଗ ଦ୍ୱାରା କ୍ଷୟ କରିଚାଲିଛି । ତଥାପି ମୁଁ ଓହୋରି ଆସୁନାହିଁ ଏ ସର୍ବନାଶ ପଥରୁ । ମର ଜଗତର ବାହାବା ମୋତେ ଏତେ ଆଚ୍ଛନ୍ନ କରି ଦେଇଛି ଯେ ଶୋଚନା କଲେ ମଧ୍ୟ ନିସ୍ତାର ପାଏ ନାହିଁ । ମୋ ନିଜପାଇଁ ନ ହେଲେ ମଧ୍ୟ ମୁଁ କାଞ୍ଚନାଭିଳାଷୀ ହୋଇଛି । ଏହା ପରେ ଯେ କାମିନୀ ଆଡ଼କୁ ନ ଯିବି ଏହା ବା କହିବି କିପରି ? ମୁଁ ଧର୍ମ ସଭାରେ ଯେତେବେଳେ ପୂରବୀ ଘୋଷଙ୍କୁ ଦେଖିଲି ସେତେବେଳେ ମୋର ଅବିଚଳିତ ଚିତ୍ତ ଟିକିଏ ଚଞ୍ଚଳ ହେବାର ଲକ୍ଷ କରିଛି । ଅବଶ୍ୟ ପୂରବୀ ଘୋଷଙ୍କ ସହିତ ମୋର କୌଣସି ଦୁର୍ବଳ ସମ୍ପର୍କ ନଥିଲା । ବରଂ ତାଙ୍କର ଥିଲା ମୋ ପ୍ରତି; ମାତ୍ର ମୁଁ ଯେ କାହିଁକି ଚଞ୍ଚଳ ହେଲି ତାହା ସଠିକ୍ ଭାବରେ କହି ପାରିବି ନାହିଁ । ପୁଣି ମନ ଚାହୁଁ ଥିଲା ଧୂପ ବିଷୟରେ କିଛି ଜାଣିବାକୁ । ପୂର୍ବର ଅନ୍ତରଙ୍ଗ ବନ୍ଧୁ ଜୀବନ ଯାହାକୁ ମୁଁ ମୋ ନିଜ ପରିଚୟ ଦେବାକୁ କୁଣ୍ଠିତ ହେଉଛି ତା ପ୍ରତି ମୋର ସେ ବନ୍ଧୁତା ରହିଛି ଏ କଥା ନିଃସନ୍ଦେହରେ ମୁଁ ମାନିଯିବି । ତା ନ ହେଲେ ଶ୍ରମିକ-ବସତି-ଅଞ୍ଚଳ ବୁଲି ଦେଖିବା ମୋର କି ଆବଶ୍ୟକ ଥିଲା ? ମୋର ସେହି ନିଷ୍କାମ ମନକାମନାସୂତ୍ରରେ ଆପେ ଆପେ ଗୁଡ଼େଇ ହୋଇ ଯାଉଛି ଏହା ଜାଣି ପାରିଲି । ଏହାର ଏକମାତ୍ର ଉପାୟ ଏ ସ୍ଥାନ ପରିତ୍ୟାଗ ଛଡ଼ା ଅନ୍ୟ କିଛି ନୁହେଁ ବୋଲି ଭାବିଲି । ଠିକ୍ ଏତିକିବେଳେ ବମ୍ବେ ଯିବାପାଇଁ କେତେକ ବିଶିଷ୍ଠ ଲୋକ ମୋ ପାଖରେ ପ୍ରସ୍ତାବ ବାଢ଼ିଲେ । ଜୀବନ ମଧ୍ୟ ଏ ପ୍ରସ୍ତାବକୁ ଅନୁମୋଦନ କଲା ।

 

ବହୁ ଭାବି ଚିନ୍ତି ଶେଷରେ ବମ୍ବେ ଯିବା ପ୍ରସ୍ତାବକୁ ଗ୍ରହଣ କଲି । କଲିକତାରୁ ବମ୍ବେ ଆସିଲାବେଳେ କଲିକତାର ଲକ୍ଷ ଲକ୍ଷ ଜନତା ମୋତେ ଅଶ୍ରୁ ପୂର୍ଣ୍ଣ ମୁଖରେ ଦେଲେ । ଖୁବ୍ ଶୀଘ୍ର ଫେରିବି ବୋଲି ସେମାନଙ୍କୁ ସାନ୍ତ୍ୱନା ଦେଇ ବମ୍ବେ ଅଭିମୂଖେ ଯାତ୍ରା କଲି ।

 

ଟ୍ରେନରୁ ଓହ୍ଲାଇ ବମ୍ବେ ସହରରେ ପାଦ ଦେଲାମାତ୍ରେ ଅସଂଖ୍ୟ ଜନତାଙ୍କଦ୍ୱାରା ମୁଁ ଅଭିନନ୍ଦିତ ହେଲି । ବମ୍ବେ ଷ୍ଟେସନଟି କେବଳ ମୋରି ଜୟଗାନରେ ପୁରି ଯାଇଥିଲା । ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକ ମୋତେ ସମ୍ମାନ ପ୍ରଦର୍ଶନ କରୁଥିଲେ । ବିଶିଷ୍ଟ ଲୋକଙ୍କ ଦେଖା କରିବାକୁ ଯେପରି ଲୋକେ ଭିଡ଼ ବାନ୍ଧିଥାନ୍ତି ଠିକ୍ ସେହିପରି ମୋର ଦର୍ଶନ ପାଇଁ ରେଳ ଷ୍ଟେସନଠାରୁ ମୋ ରହିବା ସ୍ଥାନ ପର୍ଯ୍ୟନ୍ତ ଅସଂଖ୍ୟ ନର-ନାରୀ, ବାଳ, ବୃଦ୍ଧ ଭରି ରହିଥିଲେ । ସୁଗନ୍ଧି ପୁଷ୍ପହାର ମୋ ଉପରେ ଓଜାଡ଼ି ହୋଇ ପଡ଼ିଲା ଭଳି ଲାଗୁଥାଏ । ଯେତେ ନିଜ ଦେହରୁ କାଢ଼ି ଜନତା ଉପରକୁ ନିକ୍ଷେପ କଲେ ମଧ୍ୟ ସେତେ କଣ୍ଠଦେଶରେ ଗୁଡ଼େଇ ହୋଇ ପଡ଼ୁଥାଏ । ଉତ୍କଣ୍ଠିତ ଜନତା ଯେପରି ମୋର ଦର୍ଶନ ପାଇ ପାରିବେ ସେଥିପାଇଁ ଗୋଟିଏ ଖୋଲା ମଟରଗାଡ଼ି ବନ୍ଦୋବନ୍ତ ହୋଇଥାଏ, ମାତ୍ର ମୁଁ ମଟରରେ ନ ଯାଇ ଚାଲି ଚାଲି ଯିବାକୁ କହିବାରୁ ଥୋକେ ଲୋକ ଆପତ୍ତି କଲେ; କିନ୍ତୁ ଚାଲିଯିବା କଥାଟି ମୋର ସମର୍ଥିତ ହେଲା ।

 

ମୁଁ ଚାଲି ଚାଲି ଯାଉଥିଲାବେଳେ ବାଟଯାକ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ସମ୍ମାନିତ ହେଉଥିଲି । ପୋଲିସ ବାହିନୀ ଶୃଙ୍ଖଳା ପାଇଁ ବଡ଼ ତତ୍‍ପର ଥିବା ମୁଁ ଦେଖିବାକୁ ପାଇଲି । ମନେ ହେଲା ଏପରି ଅଭିନନ୍ଦନ ମୁଁ କେବେ କେଉଁଠି ପାଇନାହିଁ । ରାସ୍ତା କଡ଼ରେ ଧାଡ଼ି ଧାଡ଼ି ହୋଇ ମୋତେ ଦେଖିବାକୁ ଠିଆ ହୋଇଥାନ୍ତି; ମୋ ଗତିରେ ବିଭିନ୍ନ ରଙ୍ଗର ମନୋହର ପୁଷ୍ପ ଆଞ୍ଜୁଳା ଆଞ୍ଜୁଳା ହୋଇ ଗଦା ହୋଇ ପଡ଼ୁଥାଏ । ମୋରି ଜୈନ୍ତ୍ରଗାନରେ ସାର ପଥ ଉଛୁଳି ପଡ଼ୁଥାଏ । ରାସ୍ତା କଡ଼ କାନ୍ଥ ବାଡ଼ରେ ମୋର ଆଗମନି ବାର୍ତ୍ତା ବହନ କରି ପୋଷ୍ଟରମାନ ମରା ହୋଇଥିବାର ମୁଁ ଦେଖିବାକୁ ପାଇଲି ।

 

ସେହିଦିନ ସଂଧ୍ୟାରେ ଏକ ବିରାଟ ସଭାରେ ମୋତେ ଧର୍ମ ବିଷୟରେ ଭାଷଣ ଦେବାକୁ ହେଲା । ପ୍ରଥମେ ଜଣେ ବିଶିଷ୍ଟ ଲୋକ ଜନତାକୁ ମୋର ପରିଚୟ ଦେବାକୁ ଠିଆ ହୋଇ ଏପରି ମୋତେ ଉଚ୍ଚ କରି ତୋଳିଲେ ଯେ ସାକ୍ଷାତ ଭଗବାନଙ୍କର ଏକ ପ୍ରତିମୂର୍ତ୍ତି ମୁଁ ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଗୋଟାଏ ମଞ୍ଚ ଉପରେ ମୁଁ ବସିଥାଏ । ମୋ ପାଖରେ ସହରର ବିଶିଷ୍ଟ ଲୋକ ଏପରି କି ବମ୍ୱେ ସହରର ମେୟର ବସିଥାନ୍ତି । ମୋର ପରିଚୟ ଦେଲାବେଳେ ଏପରି ଅତିରଞ୍ଜିତ କରି ସେ କହୁଥାନ୍ତି ଯେ ବେଳେ ବେଳେ ମୋର ଇଚ୍ଛା ହେଉଥାଏ ପ୍ରତିବାଦ କରିବାକୁ-

 

ମୁଁ ଯେତେବେଳେ ଉପସ୍ଥିତ ଜନତାଙ୍କୁ କହିବାକୁ ଉଠିଲି ସେତେବେଳେ ତାଳି ଶବ୍ଦରେ ସ୍ଥାନଟି ପ୍ରକମ୍ପିତ ହୋଇ ଉଠିଲା । ମୁଁ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସମ୍ୱୋଧନ କରି କହିଲା ଧର୍ମ ଜାଗରଣ ଭାରତ ବର୍ଷରେ ନୂତନ ନୁହେଁ । କିନ୍ତୁ ପ୍ରତ୍ୟେକଟି ହୃଦୟଙ୍ଗମ କରିବା ଏବେବି ଏ ଦେଶରେ କେତୋଟିଙ୍କୁ ଛାଡ଼ିଦେଲେ ଅଧିକାଂଶ ଲୋକ ସେ ବିଷୟରେ ଅଜ୍ଞ ବୋଲି କୁହାଯିବ । ପାପ ପୁଣ୍ୟ ପାଇଁ ମଣିଷ ଧର୍ମର ଆଶ୍ରା ନେବାଟା ସକଳ ଦେଶରେ ଦୃଷ୍ଟିହୁଏ । ମାତ୍ର ଏ ଦେଶ ଗୀତାର ଦେଶ, ଏଠି ସେ ଯୁକ୍ତିର ସ୍ଥାନ ନାହିଁ, ଯାହା ହେଉଛି ବା ହେବ ତାହାଏ ଇଶ୍ୱରଙ୍କ ଅଭିପ୍ରେତ । ତାଙ୍କର ଇଛାକୁ ଏଡ଼ାଇ ଦେବାର ଶକ୍ତି କାହାରି ନାହିଁ । ଆମେ ପ୍ରତ୍ୟେକଟି ଇଶ୍ୱରଙ୍କ ଦ୍ୱାରା ଗଢ଼ା ହୋଇଥିବା ଗୋଟିଏ ଗୋଟିଏ କଣ୍ଢେଇ ଭଳି । କର୍ତ୍ତା ଯେଭଳି ନଚାଉଛି ଆମେ ଠିକ୍ ସେହିଭଳି ନାଚୁଛୁ । ମଣିଷ ମଣିଷକୁ ମାରୁଛି, ପୁଣି ମଣିଷ ଅନ୍ୟର ଜୀବନ ରକ୍ଷା କରୁଛି । ଏଠାରେ ନିନ୍ଦାର ପ୍ରଶ୍ନ ନାହିଁ କିମ୍ୱା ପ୍ରଶଂସାର ପ୍ରଶ୍ନ ବି ନାହିଁ । ସେ ଇଚ୍ଛା କଲେ ପଙ୍ଗୁକୁ ଗିରି ଲଙ୍ଘାଇ ଦେଇପାରେ । ସେ ଇଛା କଲେ ଗୋଡ଼ଥିବା ଲୋକ ଗୋଟିଏ ପାଦ ଆଗକୁ ପକାଇ ପାରେ ନାହିଁ । ଦୁଃଖ ବିପଦ ଯେତେବେଳେ ସୀମାସ୍ପର୍ଶ କରେ, ସେତେବେଳେ ଭଗବାନ ତାହା ଦୂର କରିବାକୁ ଅବତୀର୍ଣ୍ଣ ହୁଅନ୍ତି । ଏହିପରି ଧର୍ମ ବିଷୟରେ ଅନେକ କହି ଦାରିଦ୍ର୍ୟ ବିଷୟରେ କିଛି କହିବାକୁ ଗଲି । କଣ କହିଲି ତାହା ଠିକ୍ ଭାବେ ବର୍ତ୍ତମାନ ମନେ ପଡ଼ୁନାହିଁ । ଯେଉଁ କେତୋଟି ଛୋଟ ଛୋଟ ଉଦାହରଣ ଦେଇ ମୁଁ କହିଥିଲି ତନ୍ମଧ୍ୟରେ ଥିଲା ଯନ୍ତ୍ରର ପ୍ରସାର ଯୋଗୁ ଦାରିଦ୍ର୍ୟତା ବ୍ୟାପୁଛି କହିବାଟା ଏକଦମ୍ ଠିକ୍ ହେବ । ଗୋଟିଏ ଗୋଟିଏ ଯନ୍ତ୍ର ହଜାର ହଜାର ଲୋକଙ୍କର କାମ କରୁଛି । ତେଣୁ ହଜାର ହଜାର ଲୋକ ବେକାର ହେଉଛନ୍ତି । ଯେଉଁ ପୁଞ୍ଜିପତିମାନେ ପୁଞ୍ଜି ଖଟାଇ ବୈଜ୍ଞାନିକମାନଙ୍କୁ ଦରମା ଦେଇ ଯନ୍ତ୍ରପାତି ତିଆରି କରାଉଛନ୍ତି, ସେହିମାନେ ହେଉଛନ୍ତି ଧନୀ । ଏ ଯନ୍ତ୍ରଯୁଗର ଅବସାନ ନ ହେବା ପର୍ଯ୍ୟନ୍ତ ଦେଶରୁ ଦାରିଦ୍ର୍ୟ ଦୂର ହୋଇ ପାରିବ ନାହିଁ । କେବଳ ଏତିକି ନୁହେଁ, ଆଜି କାଲିକାର ଏହି ଯାନ୍ତ୍ରିକ ଯୁଗ ବା ବିଜ୍ଞାନ ଯୁଗ ଏପରି ଅବସ୍ଥାକୁ ଆସିଲାଣି ଯଦ୍ୱାରା ଲୋକେ ବାଧ୍ୟ ହେଲେଣି ବା ହେବେ ମାଟି ତଳେ ଘର କରିବାକୁ । ଦ୍ୱାପର ଯୁଗରେ ବିଜ୍ଞାନ ଏତେ ଅଗ୍ରଗତି କରିଥିଲା ଯେ ଲୋକ ସ୍ୱଚ୍ଛନ୍ଦରେ ବସବାସ କରି ପାରୁ ନ ଥିଲେ । ସେଥିପାଇଁ ଭଗବାନ କୃଷ୍ଣ, ମହାଭାରତ ଯୁଦ୍ଧର ବ୍ୟବସ୍ଥା କରି ଯନ୍ତ୍ର ଯୁଗର ଧ୍ୱଂସ ଆଣିଥିଲେ ।

 

ଏହିପରି କହୁ କହୁ କହିଲି ବର୍ତ୍ତମାନ ବେଳେ ଆସିଛି ଏହାର ପ୍ରତିରୋଧ କରିବାକୁ । ସମସ୍ତେ ଏକତ୍ରିତ ହୋଇ ଅନ୍ୟାୟ ବିରୁଦ୍ଧରେ ଠିଆ ହେଲେ ଅନ୍ୟାୟ ନିଶ୍ଚୟ ପରାହତ ହେବ । ସମୂହ ଚେଷ୍ଟାରେ ସବୁ କିଛି ହୋଇପାରେ । ଭଗବାନ ଯୁଗେ ଯୁଗେ ମଣିଷ ରୂପରେ ଏ ଧରାଧାମକୁ ଓହ୍ଲାଇ ଆସନ୍ତି । ପ୍ରତ୍ୟେକଙ୍କ ଅନ୍ତରାତ୍ମା ସେହି ବିରାଟ ପରମାତ୍ମାଙ୍କର ଅଙ୍ଗ ବିଶେଷ-। ପ୍ରତ୍ୟେକଙ୍କ ମଧ୍ୟରେ ଯେପରି ବିଶ୍ୱର ସତ୍ତା ରହିଛି ସେହିପରି ଦୁଃଖ ସୁଖ ପ୍ରତ୍ୟେକକୁ ପ୍ରତ୍ୟକ ଗ୍ରହଣ କରିବା ଉଚିତ୍‌ । ଜଣେ ଖାଲି ସୁଖ ଭୋଗ କରୁଥିବ ଆଉଜଣେ ଦୁଃଖ ଭୋଗ କରୁଥିବ ଏହା ଉଚିତ୍‌ ନୁହେଁ ।

 

ଏହି ଧର୍ମ ସଭାର ଦୁଇଦିନ ପରେ ଜଣେ ପୋଲିସ୍‌ ଇନ୍‌ସପେକ୍‌ଟର ଓ କେତେଜଣ କନେଷ୍ଟବଳ ଆସି ପହଞ୍ଚିଲେ ଧର୍ମ ସମ୍ବନ୍ଧରେ ମୁଁ ଉପଦେଶ ଦେଉଥିବା ବେଳେ । ପ୍ରଥମେ ସେମାନେ କିଛି ସମୟ ନୀରବରେ ବସି ରହିଲା ପରେ ଇନ୍‌ସପେକ୍‌ଟର ଜଣଙ୍କ ମୋ ପାଖକୁ ଆସି ଅତିବିନୟ ସହକାରେ କହିଲେ ଆପଣ ମୋ ସହିତ ଦୟାକରି ଟିକିଏ ଥାନାଯାଏ ଚାଲନ୍ତୁ । ମୁଁ କାରଣ ପୁଚ୍ଛା କରନ୍ତେ ସେ ମୋତେ ମାଜିଷ୍ଟ୍ରେଟଙ୍କ ବନ୍ଦୀ ଆଦେଶନାମା ଦର୍ଶାଇଲେ । କୌଣସି ବିଷୟରେ ଚିନ୍ତା ନକରି ତ ଦଣ୍ଡେ ମୁଁ ଚାଲିଲି ତାଙ୍କ ସହିତ ଥାନାକୁ ।

 

ମୁଁ ହାଜତରେ ଚାରୋଟି ଦିନ ରହିଲି । ବମ୍ବେ ଆସିବା ପରଠାରୁ ମୁଁ ଖବର କାଗଜ ଦେଖିନଥିଲି ମୁଁ କଲିକତାରୁ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ଏଠାକୁ ଆସିଥିବା କଥା କେବଳ ହାଜତରେ ହଁ ଜାଣିଲି । ମୁଁ ବମ୍ବେରେ ପହଞ୍ଚିବା ପରଠାରୁ ଶ୍ରମିକ ଆନ୍ଦୋଳନ ତେଜି ଉଠିଲା । ବିଶେଷ ଭାବେ ମୋ ସଭାପର ଠାରୁ ବମ୍ୱେରେ ସବୁ କଳ କାରଖାନା ବନ୍ଦ ହୋଇଗଲା । ଶ୍ରମିକମାନେ ଦାବିକଲେ ବେତନ ବଢ଼ାଅ, ମଣିଷଙ୍କ ଭଳି ରହିବା ପାଇଁ ପ୍ରତ୍ୟେକ ଶ୍ରମିକଙ୍କୁ କାରଖାନା ତରଫରୁ ଘର ତିଆରି କରିଦିଅ । ଶ୍ରମିକମାନଙ୍କ ପିଲାଙ୍କୁ ବିନା ପଇସାରେ ଶିକ୍ଷା ଦେବାର ବ୍ୟବସ୍ଥା କର ଇତ୍ୟାଦି-। କେବଳ ଏତିକି ନୁହେଁ କେତେକ ସ୍ଥାନରେ ଶ୍ରମିକମାନେ କେତେକ ହିଂସାତ୍ମକ କାଣ୍ଡମାନ ମଧ୍ୟ ଆରମ୍ଭ କରିଦେଲେ । ସେଥିପାଇଁ ମିଲ୍ ମାଲିକମାନଙ୍କୁ ତରଫରୁ ଗୋଟିଏ ମୋକଦ୍ଦମା ରୁଜୁ କରାଯାଇଥିଲା । ସେହି ମୋକଦ୍ଦମାରେ ମୋତେ ଅଟକବନ୍ଦୀ କରାଗଲା, କରଣ ମୋରି ଉଦ୍‌ବୋଧନ ଦ୍ୱାରା ଏସବୁ ହୋଇଛି ବୋଲି ।

 

ମୁଁ ସ୍ଥବିର ନୁହେଁ, ମୁଁ ସ୍ଥିତ ପ୍ରଜ୍ଞ ନୁହେଁ, ମୁଁ ବୁଦ୍ଧ ନୁହେଁ । ଓଡ଼ିଶାର କ୍ଷୁଦ୍ର ପଲ୍ଲୀର ଜଣେ ନିଃସ୍ୱ ଯୁବକ ଏତେ ବଡ଼ ସୁନାମର ଅଧିକାରୀ ହୋଇଥିଲା ଏହି ବାର୍ତ୍ତା କେତେ କଣ ଜାଣିବେ ତାହା ମୁଁ କହି ପାରିବି ନାହିଁ । ମୁଁ ପ୍ରତ୍ୟେକ ଭିତରେ ଜଣେ ଅଭିନେତା ପରି ଅଭିନୟ କରି କରି ଚାଲିଛି । ଓସ୍ତାଦ ହେବାର ଭାଗ୍ୟ ମୋର ନାହିଁ । ମାତ୍ର ଜାଣିଛି ମୋର ଅଭିନୟ ଏତେ ଚିତ୍ତାକର୍ଷକ ହୋଇଛି ଯେ ସାରା ବିଶ୍ୱକୁ ମୁଁ ମୁହ୍ୟମାନ କରି ପକାଇଛି । ତନ୍ତ୍ରଶକ୍ତି ଏବଂ ଇଚ୍ଛା ଶକ୍ତି ଉଭୟକୁ ମିଳିତ କରି ଯେଉଁ ବର୍ଣ୍ଣନାତୀତ ଅସମ୍ଭବ ଘଟଣା ଲୋକଚକ୍ଷୁ ସମକ୍ଷରେ ଉପସ୍ଥାପିତ କରି ପାରିଛି, ମୋ ପୂର୍ବରୁ ଏପରି କେହି କରିଥିବେ ତାହା ପୁରାଣ କିମ୍ଭା ଇତିହାସ ପୃଷ୍ଠା ଭିତରୁ ଖୋଜି କେହି ପାଇନାହିଁ । ମୁଁ ହେଉଛି ଏ ପଥର ପ୍ରଥମ ପ୍ରଦର୍ଶକ । ମୋର ଏ ଅଭିନୟ ଶେଷ ହୋଇଯାଇଛି । ମୁଁ ପଡ଼ିଛି ‘ମା’ର ସେହି ଘୂର୍ଣ୍ଣାୟମାନ ମାୟା ଚକ୍ରରେ । ମୁଁ ସିଦ୍ଧି ଲାଭ କଲାବେଳେ ଜାଣିଥିଲି ରାଜନୀତି ଏବଂ ସ୍ତ୍ରୀର ସମ୍ପର୍କରେ ଆସିଲେ ମୋର ସମସ୍ତ ସାଧନାର ଫଳ ନଷ୍ଟ ହୋଇଯିବ । ମୋର ତନ୍ତ୍ରଗୁରୁ ଅନନ୍ତ ଭୈରବ ଯେ କି ଅସମ୍ଭବ ତନ୍ତ୍ରର ସାଧକ ଥିଲେ ସେ ମାୟା ତନ୍ତ୍ରରେ ବୋଧେ ବର୍ତ୍ତମାନ ବି ଘୂରି ବୁଲୁଥିବେ । ମୁଁ କିନ୍ତୁ ଆଉ ଚାହେନି ଘୂରି ବୁଲିବାକୁ । ନିଷ୍ଫଳ ଜୀବନ ଧରି ବଞ୍ଚିବା ଅପେକ୍ଷା ସଫଳ ଜୀବନ କାମନାରେ ମରିବାକୁ ମୁଁ ଇଚ୍ଛାକରେ । ହୁଏତ ମୁଁ ଭୁଲ୍‍ କରିଛି ଏପରି ଏକ ସର୍ବନାଶୀ କାମନା କରି । ହିନ୍ଦୁ ଦାର୍ଶନିକ ହିସାବ କରି କହିଛନ୍ତି ଜୀବକୁ ତେୟାଳିଶ ଲକ୍ଷ ସହସ୍ର ଥର ଏ ପୃଥିବୀରେ ବିଭିନ୍ନ ରୂପରେ ଜନ୍ମ ହେବାକୁ ହୋଇଥାଏ । ମୁଁ କେତୋଟି ଗଲେଣି ଆଉ କେତୋଟି ଅଛି ତାହା କହି ପାରିବି ନାହିଁ । କେବଳ ଏତିକି କହିବି ଆହୁରି ଅନେକ ବାକି ଅଛି ନିର୍ବାଣ ପାଇବାକୁ ।

 

ଚାରିଦିନ ପରେ ମୋତେ ମୁକ୍ତ କରି ଦିଆଗଲା ହାଇକୋର୍ଟର ଆଦେଶରେ । ମୋ ପାଇଁ ଗୋଟିଏ ସ୍ୱତନ୍ତ୍ର ରିଟ୍‌ ହୋଇଥିଲା । ଜଣେ ଧର୍ମ ଜାଜକକୁ ରାଜନୈତିକ ବୋଲି ଗ୍ରହଣ କରି ନେବା ଠିକ୍‌ ହେବନାହିଁ ଏହିମତ ହାଇକୋର୍ଟର ବିଚାରପତିମାନେ ଦେଲେ । ପୃଥବୀର ଜଣେ ବିଶିଷ୍ଟ ସନ୍ୟାସୀ ଯାହାଙ୍କର କି ଅସାଧାରଣ ପ୍ରତିଭା ପୃଥିବୀ ସାରା ବ୍ୟାପୀ ଯଇଛି, ତାଙ୍କୁ ରାଜନୀତିଜ୍ଞ ହିସାବରେ ଗ୍ରହଣ କରିବା ଦ୍ୱାରା ବମ୍ୱେ ପୋଲିସ୍‌ ତଥା ସରକାରଙ୍କୁ ମଧ୍ୟ ବିଚାରପତିମାନେ ନିନ୍ଦା କରିଛନ୍ତି ଏବଂ ମୋତେ ତୁରନ୍ତ ମୁକ୍ତି ଦେବାପାଇଁ ଆଦେଶ ଦେଇଛନ୍ତି ।

 

ମୋତେ ମୁକ୍ତି ଦିଆଗଲା । ମୁଁ ଜେଲ୍‌ ଭିତରୁ ବାହାରକୁ ଯେତେବେଳେ ଆସିଲି, ଅଗଣିତ ଲୋକଙ୍କ ଦ୍ୱାରା ଅଭିନନ୍ଦିତ ହେଲି । ବିରାଟ ପଟୁଆର ମଝିରେ ମୁଁ ଚାଲୁଥିଲା ବେଳେ ମୋର ଜୟଗାନ ଏବଂ ବମ୍ୱେ ସରକାର ନିନ୍ଦା ଗାନ ଶୁଣିବାକୁ ପାଉଥାଏ । କେଉଁଟା ଉଚିତ୍‌ କେଉଁଟା ଅନୁଚିତ ତାହା ମୁଁ ମଧ୍ୟ ଠିକ୍‌ କରି ପାରିଲି ନାହିଁ । ଜଣେ ନିରୀହ ଲୋକ ପରି ମୁଁ ଚାଲିଥାଏ ସମସ୍ତଙ୍କ ସହିତ । ଆଗକୁ ଠିକ୍‌ ହୋଇଥାଏ ଗୋଟିଏ ମିଲ୍‌ ଆଗରେ ସଭା ହେବା ପାଇଁ-। ସବୁତ ମୋ ଅଗୋଚରରେ ଥିଲା, ତେଣୁ ଜାଣିବି କିପରି କ’ଣ କେଉଁଠି ହେବ ବୋଲି ।

 

ଯେଉଁ ମିଲ୍‌ ଆଗରେ ସଭା ହେବାର ଥାଏ ଆମ ପଟୁଆର ଠିକ୍‌ ସେଇଠି ପହଞ୍ଚିବା ପରେ ଗୋଟାଏ ତୁମୁଳ କାଣ୍ଡ ଘଟିଗଲା । ସେହି ସଭାର ଉଦ୍ୟମକାରୀ କମ୍ୟୁନିଷ୍ଟ ନେତାମାନଙ୍କ ନାମରେ ସରକାର ଗୋଟିଏ ୱାରଣ୍ଟ ବାହାର କରି ସେହିଠି ବନ୍ଦୀ କରିବାକୁ ଚେଷ୍ଟା କଲେ । ଏହା ହେବାଦ୍ୱାରା ଗୋଟାଏ ବିରାଟ ଗଣ୍ଡଗୋଳ ହୋଇଗଲା । ଏଇ ଗଣ୍ଡଗୋଳ ଭିତରେ ଜଣେ ସ୍ତ୍ରୀ ଲୋକ ଚାରୋଟି ଗୁର୍ଖା ଦରୱାନଙ୍କ ସାହାଯ୍ୟରେ ସେହି ପଟୁଆର ଘେର ମଧ୍ୟରେ ପଶି ମୋ ସମ୍ମୁଖକୁ ଛୁଟି ଆସିଲେ । ମୁଁ ହଠାତ୍‌ ସେ ସ୍ତ୍ରୀ ଲୋକଟିକୁ ଚିହ୍ନି ନ ପାରିଲେ ମଧ୍ୟ ଚିହ୍ନିବାକୁ ବେଶି କିଛି ସମୟ ଲାଗି ନଥିଲା ସେ ସିଧା ମୋରି ଆଗରେ ଗୋଟିଏ ପିସ୍ତଲ ଧରି କହିଲା ତୁମେ ଜଣେ ସାଧୁ ନା ଭଣ୍ଡ ? ସାରା ଦୁନିଆକୁ ଠକି ଏଠାକୁ ଆସିଛ ନେତା ହେବାକୁ ? ଶ୍ରମିକମାନଙ୍କୁ ମତାଇ ସବୁ କାରଖାନାକୁ ଜାତୀୟ ସମ୍ପତି କରିବାକୁ ତୁମେ ଆସିଛ ଧାଇଁ ଆସାମରୁ । ତୁମଭଳି ଜଣେ ଭଣ୍ଡକୁ କୁକୁର ପରି ଗୁଳି କରି ମାରିବାକୁ ମୁଁ ତିଳେ ମାତ୍ର କୁଣ୍ଠିତ ହେବି ନାହିଁ ।

 

ଆଖି ମୋର ଝଲସି ଉଠିଲା । ନିର୍ବାକ୍‌ ହୋଇ ପଡ଼ିଲି ମୁଁ । ସେହି ପରିଚିତ ସ୍ୱର, ସେହି ପରିଚିତ ମୁହଁ, କିନ୍ତୁ ମୁଣ୍ଡରେ ନାହିଁ କୁଙ୍କୁମର ବିନ୍ଦୁ କିମ୍ବା ହାତରେ ନାହିଁ ସୁନାର କଙ୍କଣ । ମୁହଁରେ ଭାଙ୍ଗ ପଡ଼ି ଆସିଲାଣି । ସେହି ହସ ହସ ମୁହଁ କଳା ପଡ଼ିଗଲାଣି । ବହୁ ମୂଲ୍ୟ ବସନ ବଦଳରେ ଖଣ୍ଡେ ଛେଦା ଧଳା ଲୁଗା । ସାରା ଦେହଟିରୁ ଚପଳତା ଉଭେଇ ଯାଇ ଗାମ୍ଭୀର୍ଯ୍ୟ ଗୁମୁରି ଉଠୁଛି ।

 

ଭୁଲିଗଲି ନିଜକୁ ନିଜେ ମୁଁ । ପୁଞ୍ଜିଭୂତ ହୋଇଥିବା ଦୀର୍ଘ ଦିନର ଅଭିମାନ ପ୍ରକାଶ ପାଇଲା ଜଣେ ସାଧାରଣ ଲୋକଭଳି ମୋଠାରେ । ଛାତି ଉପରେ ଗେରୁଆ ପଞ୍ଜାବୀ ଖଣ୍ଡକ ଦୁଇ ହାତରେ ମେଲାଇ ଦେଇ କହିଲି, ମନେ କର ନାହିଁ ତୁମ ଭାଷାର ଭଣ୍ଡ ସନ୍ନ୍ୟାସୀ, ସେଥିପାଇଁ ତିଳେ ହେଲେ ଦୁଃଖ କରିବ । ତୁମର ଏହି ପରି କଟୁକ୍ତି ଦିନେ ମୋରଭଳି ଜଣେ ନିରୀହ ଲୋକଙ୍କୁ ତଡ଼ି ଦେଇ ଥିଲା ବହୁତ ଦୂରକୁ । ଆଜି ହୁଏତ ତଡ଼ିଦେବ ଏ ସଂସାରରୁ । ସେଥିପାଇଁ ତିଳେହେଲେ ମୁଁ ଶୋଚନା କରୁ ନାହିଁ । ମାରିବ ତ ମାରୁ ତୁମର କଟୂକ୍ତି-ଗୁଳିରେ ଭିତରଟାକୁ ଘାଇଲା କରି ଦେଇଥିଲ, ଏବେ ବାହାରଟାକୁ ଘାଇଲା କରିବ । ତୁମ ଗୁଳି ଆଗରେ ନିଜକୁ ପତେଇ ଦେବାକୁ ମୁଁ ତିଳେ ହେଲେ ମୁଁ ଭୀତ ନୁହେଁ । ମୁହୂର୍ତ୍ତକ ମଧ୍ୟରେ ତା’ ମୁହଁର ସେ ଭାବ କୁଆଡ଼େ ଉଭେଇ ଗଲା । ତା’ ହାତରେ ପିସ୍ତଲ ତଳେ ଖସିପଡ଼ିଲା । ପାଟିରୁ ଅଚାନକ ଭାବରେ ବାହାରି ପଡ଼ିଲା, ତୁମେ ? ତା’ ପରେ ଓଃ....କହି ସେ ଢଳି ପଡ଼ିଲା । ସେ ତଳେ ପଡ଼ିବା ପୂର୍ବରୁ ମୁଁ ମୋ ଦୁଇ ହାତରେ ତାକୁ ତୋଳି ଧରିଲି ।

 

ଇସ୍ ! ତା’ ଛାତିରେ ବାଜିଛି ଗୋଟାଏ ଗୁଳି । କେଉଁଠୁ ଆସିଲା ଏ ଗୁଳି ବୋଲି, ମୁଁ ଚାରି ଆଡ଼ରୁ ଥରେ ଆଖି ବୁଲାଇ ଆଣିଲି । ମୋ ନଜରରେ ପଡ଼ିଲା ତା’ ହାତରୁ ଖସି ପଡ଼ିଥିବା ପିସ୍ତଲ ଉପରେ । ସେତେବେଳ ପର୍ଯ୍ୟନ୍ତ ପିସ୍ତଲମୁହଁରୁ କ୍ଷୀଣ ଧୂମ ନିର୍ଗତ ହେଉଥିଲା । ମୋତେ ଜାଣିବାକୁ ଆଉ ବାକି କିଛି ରହିଲା ନାହିଁ । ତା’ର ନିଜ ଗୁଳିରେ ସେ ନିଜେ ଆହତ ହୋଇଛି । ଅପେକ୍ଷାର କିମ୍ୱା ଭାବିବାର ବେଳ ସେତେବେଳ ମୋର ନଥିଲା । ତା’ର କ୍ଷତ ଶରୀରଟିକୁ କାନ୍ଧରେ ପକାଇ ଲୋକଗହଳି ଭିତରୁ ଦୃଢ଼ ପଦରେ ଧାଇଁ ଚାଲି ଆସିଲି ଏଠାକୁ । ଦୁର୍ଘଟଣା ଘଟିଥିବା ସ୍ଥାନଠାରୁ ଏ ସ୍ଥାନଟି ଖୁବ୍‌ ନିକଟରେ । ଯେଉଁ କାରଖାନା ଆଗରେ ସଭା ହେବାର ଥିଲା ସେ କାରଖାନାଟି ହେଉଛି ସରସ୍ୱତୀ ବାବୁଙ୍କର । ପାଖକୁ ଲାଗି ମାଲିକଙ୍କ ରହିବା ଘର । ସବୁ ମୁଁ ଠିକ୍‌ କରିଥିଲି । ତେଣୁ ମୋର ଅଜଣା କିଛି ନାହିଁ ।

 

ଏହି ଘରେ ମୁଁ ରହୁଥିଲି । ଏବେ ବି ମୋର ସେହି ଯୁବକ ବେଳର ଫଟଟି ଟଙ୍ଗା ହୋଇଛି । ଧୂପକୁ ଆଣି ଏହି କୋଠରୀରେ ତା’ ପଲଙ୍କ ଉପରେ ଶୁଆଇ ଦେଇ ଡାଃ ସମ୍ପଦ ବାବୁଙ୍କୁ ଫୋନ୍‌ଦ୍ୱାରା ଡାକିଲି । ସେ ଆସି ତା’ ଛାତି ଅପରେସେନ୍‌ କରି ଗୁଳିଟି ବାହାର କରି ଦେଇ ବ୍ୟାଣ୍ଡେଜ କରି ଦେଇଗଲେ । ଗଲାବେଳେ କହିଗଲେ ଆଶା ଖୁବ୍‌ କ୍ଷୀଣ ।

 

ଧୂପର ଚେତନା ଆସିଲା ବହୁତ୍‌ ଡେରିରେ । ମୃତ୍ୟୁ ପୂର୍ବରୁ ସେ ତା’ର ସମସ୍ତ କଥା ଖୁବ୍‌ ସଂକ୍ଷେପରେ କହିଗଲା । ସ୍ଥାଣୁଭଳି ତା’ର ଆସନ୍ନ ମୃତ୍ୟୁ ଶଯ୍ୟାରେ ତା’ ମୁଣ୍ଡଟିକୁ କୋଳରେ ରଖି ସବୁ କଥା ଶୁଣିଗଲି । ସେ ଯେତିକି ପ୍ରକାଶ କଲା ସେତିକି ମୋ ପକ୍ଷରେ ଯଥେଷ୍ଟ ବୋଲି ଧରି ନେଉଛି । କିନ୍ତୁ ତା’ର ରହିଗଲା ବହୁତ ବାକି ସେହି ବାକିତକ ବୋଧେ ମୋତେ ପରଜନ୍ମରେ ଶୁଣିବାକୁ ହେବ ।

 

ମୁଁ ସେହି ସନ୍ନ୍ୟାସୀ, ଯେକି ମୃତ ବ୍ୟକ୍ତିକୁ ଜୀବନଦାନ ଦେଉଥିଲି । ଗୁରୁ ଅନନ୍ତଭୈରବଙ୍କଠାରୁ ବହୁତ ତନ୍ତ୍ରବିଦ୍ୟା ଶିଖିଛି । ଶୁଆ, ସାରୀ ପୂର୍ବରୁ ହରିନାମ ଗାଆନ୍ତି, କିନ୍ତୁ ବିଲେଇ ତାଙ୍କୁ ଧଇଲାବେଳେ ସେ ପାସୋର ଯାନ୍ତି । କେବଳ ବିକଳରେ ଚିତ୍‌କାର କରିବାଛଡ଼ା ଆଉ କ’ଣ ଅଛି ତାଙ୍କର । ମୋର ଠିକ ତାହାହିଁ ହେଲା । ସବୁ ଜାଣିଥିଲେ ମଧ୍ୟ କୌଣସିଟା ସ୍ମରଣ ହେଲା ନାହିଁ । ଦୁର୍ବଳରୁ ଆହୁରି ଦୁର୍ବଳ ହୋଇ ପଡ଼ିଲି ମୁଁ । ଏତେ ଦୁର୍ବଳତା ମୁଁ କେବେ ଅନୁଭବ କରି ନ ଥିଲି । ବାବାଙ୍କ ମୃତ୍ୟୁ ମୁଁ ଦେଖିଛି । ତାଙ୍କ ମୃତ୍ୟୁ-ଶଯ୍ୟା କଡ଼ରେ ବସି କାନ୍ଦିଛି । ସାନବାପାଙ୍କଠାରୁ ନିର୍ଯ୍ୟାତିତ ହୋଇ ଘର ଛାଡ଼ି ପଳାଇ ଆସିଛି । ଧୂପଠାରୁ ତିରସ୍କୃତ ହୋଇ କଲିକତା ଛାଡ଼ି ଚାଲିଯାଇଛି; କିନ୍ତୁ ଏତେ ଦୁର୍ବଳତା ମୁଁ କେବେ ଅନୁଭବ କରିନାହିଁ ।

 

ଧୂପ ତା’ର ଶେଷ ନିଃଶ୍ୱାସ ଛାଡ଼ିବା ପୂର୍ବରୁ ମୋତେ ଅସମ୍ପୂର୍ଣ୍ଣଭାବେ ଯେଉଁ କେତେଗୁଡ଼ିଏ କଥା କହିଗଲା ସେଥିରୁ ଜାଣିଲ ମୁଁ କଲିକତା ଛାଡ଼ିଲା ପରେ ସେ ବହୁତ ଖୋଜିଛି । ସରସ୍ୱତୀ ବାବୁ, ପ୍ରୀତି ଦେବୀ ମୋତେହିଁ ଝୁରି ଝୁରି ଆଖି ବୁଜିଛନ୍ତି । ସରସ୍ୱତୀବାବୁ ଆଖି ବୁଜିବା ପୂର୍ବରୁ ଧୂପକୁ ଜୋର କରି ଜଣେ ବିରାଟ ଧନୀଲୋକ ସହିତ ବିବାହ କରି ଦେଇଥିଲେ, ମାତ୍ର ବିବାହର ଗୋଟିଏ ଦିନ ପରେ ହୃଦ୍‌ରୋଗରେ ତାଙ୍କର ମୃତ୍ୟୁ ଘଟିଲା । ଧୂପ ଆଉ ତା’ର ଶାଶୁ ଘରେ ରହି ପାରିଲା ନାହିଁ । ବିବାହିତ ସ୍ୱାମୀ ସହିତ ଥରକ ପାଇଁ ବି କୌଣସି ବୈବାହିକ ସମ୍ପକ ନ ଥିଲେ ମଧ୍ୟ ତାକୁ ବୈଧବ୍ୟ ବ୍ରତ ପାଳନ କରିବାକୁ ପଡ଼ିଲା । ତା’ ବିବାହର ଗୋଟିଏ ବର୍ଷ ପରେ ଇରା‌ର ବିବାହ ସରସ୍ୱତୀ ବାବୁ କରି ଦେଇ ଆଖି ବୁଜିଲେ । ତାଙ୍କ ମରିବାର ଛ ମାସ ପରେ ପ୍ରୀତି ଦେବୀ ଚାଲିଗଲେ ।

 

ସରସ୍ୱତୀ ବାବୁ ମରିବା ପୂର୍ବରୁ କଲିକତା ମିଲ୍‌କୁ ଇରା ନାମରେ ଓ ବମ୍ୱେ ମିଲ୍‌କୁ ଧୂପ ନାମରେ ଲେଖି ଯାଇଥିଲେ । କଲିକତା ବାସଭବନକୁ ଦୁଇଜଣଙ୍କ ଭିତରେ ନ ବାଣ୍ଟି ମୋ ନାମରେ ଗୋଟିଏ ଉଇଲ୍‌ କରି ଯାଇଛନ୍ତି । ଯଦି କେବେ ମୁଁ ଫେରେ ମୁଁ ତାଙ୍କର ପ୍ରକୃତ ରକ୍ତଜ ହୁଏ ବା ନ ହୁଏ ତାହା ବିଚାର ନ ହୋଇ ତାଙ୍କର ଅବଶିଷ୍ଟ ସମସ୍ତ ସମ୍ପତ୍ତିର ମାଲିକ ହେବି ଏବଂ ଧୂପ ପରେ ବମ୍ୱେ ମିଲ୍‌ ମଧ୍ୟ ମୋଦ୍ୱାରା ପରିଚାଳିତ ହେବ ।

 

ମୋର ଯୌବନ ଗତ ହୋଇଯାଇଛି । ଯୁବକର ଭଲ ପାଇବାର ନିଶା ମୋ ଭିତରୁ କେଉଁ କାଳୁ ଅପସରି ଯାଇଛି । ବାର୍ଦ୍ଧକ୍ୟ-ସିଡ଼ିର କେତୋଟି ପାହାଚ ଅତିକ୍ରମ କଲିଣି ତାହା କହି ପାରିବି ନାହିଁ । ଯୋଗର ଅଦ୍ଭୁତ ଶକ୍ତିରେ ନିଜର ଯୌବନ ଅତୁଟ ରଖିଥିଲେ ମଧ୍ୟ ବାର୍ଦ୍ଧକ୍ୟକୁ ମୁଁ ଅନେକ ଦିନରୁ ମନଭିତରେ ସ୍ଥାନ ଦେଇସାରିଛି । ଆଜି ମୁଁ କେବଳ ମୃତ୍ୟୁକାମୀ । ମୋର ଆବଶ୍ୟକ ନାହିଁ ଆଉ ଏ ଦୁନିଆଁରେ ଏ ବେଶ ପିନ୍ଧି ବୁଲିବା । ଧୂପ ସ୍ନେହରେ ଯେତେ ଆବିଳତା ଯେତେ ଦୁଷଣୀୟତ ଥାଉନା କାହିଁକି ମୁଁ ତା’ର ଦେହାନ୍ତ ପରେ ସେ ବିଷୟରେ କୌଣସି ଦୁଶ୍ଚିନ୍ତା ଅନ୍ତରରେ ସ୍ଥାନ ଦେଉ ନାହିଁ । ଜୀବର ଦୁଷ୍କର୍ମ ଠାରୁ ଈଶ୍ୱରଙ୍କର ଆର୍ଶୀବାଦ କ’ଣ ବଡ଼ ନୁହେଁ ? ମୁଁ ତାକୁ ଦିନେ ଭଲ ପାଇଥିଲି । ଆଜି ସେହି ଭଲ ପାଇବାର ମୋହ ପୂରାପୂରି କଟି ଯାଇଛି କହିଲେ ଭୁଲ୍‌ ହେବ । ତଥାପି ସବୁର ସମାଧି ଦେଇ ମୁଁ ଚାଲି ଯାଉଛି ବହୁତ ଦୂରକୁ । ହିମାଳୟରେ କୌଣସି ଏକ ଗୁହା ଭିତରେ ଅବଶିଷ୍ଟ ଜୀବନଟାକୁ ସାଧନା ଉପାସନାରେ ନିୟୋଜିତ କରିବାକୁ ।

 

କେହି କେବେ ସବୁବେଳେ ଠିକ୍‌ ବାଟରେ ଚାଲେ ନାହିଁ । ପଥଭ୍ରଷ୍ଟ ନ ହୋଇଥିବା ପଥିକ କ୍ୱଚିତ୍‌ ବି ନଥିବେ । କୌଣସି ଆତ୍ମୀୟ ପଥଭ୍ରଷ୍ଟ ହେଲା ବୋଲି ତାକୁ ଛାଡ଼ିଯିବା ସ୍ୱାର୍ଥପର ପକ୍ଷେ ସମ୍ଭବ । ଅବାଟରେ ଯାଉଥିବା ପଥିକକୁ ବାଟକୁ ଆଣିବା କେବଳ ମଣିଷ ପକ୍ଷେ ସମ୍ଭବ । ଯାହା ଯାଇଛି ତାକୁ ଆଉ ସୁଧାରିବାର କୌଣସି ଉପାୟ ନାହିଁ ବର୍ତ୍ତମାନ । ଧୂପ ତା’ ବିଷୟ ସଂକ୍ଷେପରେ କହି ସାରିଲାପରେ ଅନୁରୋଧ କରିଥିଲା ଗୋଟିଏ ବାକ୍‌ସ ଫିଟାଇ ତା’ଭିତରୁ ତା’ ବିଷୟରେ କିଛି ବାସ୍ତବ କଥା ଜାଣିବାକୁ । ସେ ବଞ୍ଚିଥିବାବେଳେ ମୁଁ ତାକୁ ଫିଟାଇଥିଲି । ସୁନାଫେମ୍‌ ଦିଆ ମୋର ଗୋଟିଏ ଫଟ ନିତି ଫୁଲ ଚନ୍ଦନ ଦେଇ ପୂଜା କରେ ଏହା ପ୍ରଥମେ ସେ ବାକ୍‌ସରୁ ଜାଣିବାକୁ ପାଇଲି ।

 

ମୁଁ ଭୁଲ୍‌ କରୁଛି କି ଠିକ୍‌ କରିଛି ଆଜି ବିଚାର କରିବାର ବେଳ ନାହିଁ । ଭୁଲ୍‌ ଠିକ୍‌ ଉର୍ବର ମସ୍ତିଷ୍କର ଧାରଣା ହୋଇ ପାରେ ନା । ମୁଁ କେହି ନୁହେଁ, ମୋର କିଛି କରିବାର ଶକ୍ତି ନାହିଁ । ମୁଁ ଆସିଥିଲି, ପୁଣି ଫେରି ଯାଉଛି । ସବୁ ନିମିତ୍ତ ମାତ୍ର । ଉପନିଷଦ୍‌ରେ ଲେଖାଅଛି ଯକ୍ଷଙ୍କର ପରିଚୟପାଇଁ ଇନ୍ଦ୍ର ଅଗ୍ନିଙ୍କୁ ପଠାଇଲେ । ଅଗ୍ନି ନିଜର ପରିଚୟ ଦେଇ କହିଲେ ସାରା ବିଶ୍ୱକୁ ମୁଁ ଦଗଧ୍‌ କରି ଦେଇପାରେ । ଯକ୍ଷ ତାଙ୍କ ଆଗରେ ଖଣ୍ଡେ କୁଟା ଧରି ଆହ୍ୱାନ କଲେ ଅଗ୍ନିଙ୍କୁ ପୋଡ଼ିବାପାଇଁ । ଅଗ୍ନି ଶତଚେଷ୍ଟା କରି ମଧ୍ୟ ସାମାନ୍ୟ ତୃଣ ଖଣ୍ଡକୁ ଦଗଧ୍‌ କରି ପାରିଲେ ନାହିଁ । ସାରା ବିଶ୍ୱକୁ ଉଡ଼ାଇ ନେବାର ଶକ୍ତି ପବନଙ୍କର ଥିଲେ ମଧ୍ୟ ସାମାନ୍ୟ ତୃଣଶକ୍ତିକୁ ସେ ମଧ୍ୟ ଉଡ଼ାଇ ନେଇ ପାରିଲେ ନାହିଁ । ତା’ର ଏକମାନ୍ତ୍ର କାରଣ, ସେ କେହି ନୁହନ୍ତି । ତାଙ୍କର କିଛି ଶକ୍ତି ନାହିଁ, ସର୍ବ ଶକ୍ତିମାନ ସେହି ବିରାଟ ଈଶ୍ୱରଙ୍କ ଶକ୍ତିରୁ କଣାଏ ମାତ୍ର ଆଣି ସେମାନେ ନିଜକୁ ବିରାଟ ଶକ୍ତିର ଅଧିକାରୀ ବୋଲି ଭାବୁଥିଲେ । କିନ୍ତୁ ଯେତେବେଳେ ସେମାନେ ପରାସ୍ତ ହେଲେ ସେତେବେଳେ ସେମାନଙ୍କର ଆଉ ସେ ଅହଂଭାବ ରହିଲା ନାହିଁ ।

 

ଆଜି ମୁଁ ଉପଲବ୍‌ଧି କରିଛି ଏହି କଥା, ମୁଁ କେହି ନୁହେଁ । ସବୁ ସେ କରୁଛି । ମୁଁ କେବଳ ନିମିତ୍ତମାତ୍ର ନାମରେ ଅଧିକାରୀ ହୋଇଛି । ମୁଁ ସେହି ନିମିତ୍ତ ମାତ୍ର ନାମରେ ଅଧିକାରୀ ହୋଇ ମନରେ ମୋ ଗର୍ବ ଆସିଛି ଅନେକ ଥର । କିନ୍ତୁ ମୁଁ ତାକୁ ଜୋର୍‍ କରି ମନରୁ ହଟାଇ ଦେଇଛି; କିନ୍ତୁ ଲୋକଙ୍କୁ ମୋ ପ୍ରତି ଆକର୍ଷଣ କରିବାକୁ ମୁଁ ନାନା ପନ୍ଥା ଅବଲମ୍ଭନ କରିଛି । ତାହା ଠିକ୍‌ ହେଉ ବା ଭୁଲ୍‌ ହେଉ ତାହା ଈଶ୍ୱରଙ୍କର ନିର୍ଦ୍ଦେଶ ବୋଲି କହିବି । କେହି କେବେ ପାପ କରି ନ ଥିଲା, କରୁନାହିଁ କିମ୍ବା କରିବ ନାହିଁ । ଯାହା ହେଉଛି ବା ହୋଇଛି ବା ହେବ ତାହା ସବୁ ଈଶ୍ୱରଙ୍କ ନିର୍ଦ୍ଦେଶ । କାହାର କି ସାଧ୍ୟ ଅଛି ସେ ଭଲ କିମ୍ବା ମନ୍ଦ କରିବ ?

 

ମୁଁ ଧୂପର ମୃତ ଦେହକୁ ନିଜ ହାତରେ ଏହି କାରଖାନା ହତା ଭିତରେ ପୋତି ସମାଧି ମନ୍ଦିରର ଶୁଭ ଦେଇଛି । ମୁଣ୍ଡି ମାରିବାକୁ ମୋର ସହଯୋଗ ବା ଉପସ୍ଥିତ ଆବଶ୍ୟକ ନାହିଁ । ତା’ର ଅଜସ୍ର ଟଙ୍କା ତା’ ସମାଧି-ମନ୍ଦିରରେ ମୁଣ୍ଡି ନିଶ୍ଚୟ ମାରିବ । ମୁଁ ଜନ-ସମାଜ ଭିତରେ ଜଣେ ମଣିଷ ଭାବରେ ଅବିବାହିତ କରିବାକୁ ଇଚ୍ଛା କରିଥିଲି, କିନ୍ତୁ ତାହା ହୋଇ ପାରିଲା ନାହିଁ । ସଂସାରର କୁଟିଳ ଚକ୍ରାକାର ଗତିରେ ମୋର କଳ୍ପିତପଥ ଆପେ ଆପେ ବକ୍ର ହୋଇଗଲା । ମୁଁ ନୁହେଁ ରାଜନୀତିଜ୍ଞ, ଜେଲ୍‌ ଯିବା ହେବ ମୋର ଭୂଷଣ । ଆଜି ଜେଲ୍‌ରୁ ଫେରିଲା ପରେ ମୋ ଭିତରେ ମୋ ପ୍ରତି ବିତୃଷ୍ଣା ଆସିଛି । ସମସ୍ତଙ୍କ ଆଗରେ ଜନତାର ନେତା ଆଖ୍ୟା ନେଇ ଜଣେ ସୁଦକ୍ଷ ରାଜନୀତିଜ୍ଞ ଭଳି ମୁହଁ ଦେଖାଇବାକୁ ପସନ୍ଦ କରୁନାହିଁ । ତା ପୂବରୁ ଏ ଇହଜଗତରୁ ଚାଲିଯିବା ମୋ ପକ୍ଷେ ବରଂ ଉଚିତ୍‌ । କିନ୍ତୁ ମୋଭଳି ଜଣେ ସାଧକ ସାଧାରଣ ଲୋକଙ୍କ ଭଳି ଆତ୍ମହତ୍ୟା କରିବାକୁ ପସନ୍ଦ କରୁ ନାହିଁ ।

 

ମୋ ଭିତରେ ଅହଂଭାବ ପୂରି ରହିଛି ଏ କଥା ମୁଁ ସ୍ୱୀକାର କରୁଛି । ତା’ ନ ହେଲେ ମୋ ଭଳି ଲୋକ ଜେଲ ଗଲା ଏ ଧାରଣା ହୁଅନ୍ତା କାହିଁକି ? ମୁଁ ନିର୍ଲିପ୍ତଭାବରେ ଆଗେଇବାକୁ ଠିକ୍‌ କରିଥିଲେ ମଧ୍ୟ ଆଗେଇ ପାରି ନାହିଁ । କେବଳ ଯେଉଁମାନେ ସଂସାରର ଲୋକଙ୍କ ସହିତ କୌଣସି ସମ୍ପର୍କ ନ ରଖି ଗିରି ଗୁହାରେ ଯୋଗରତ ସେହିମାନେ ଯାହା ମୁକ୍ତ ତା’ ନ ହେଲେ ମୁକ୍ତ ହେବା ସମ୍ଭବପର ନୁହେଁ । ଆତ୍ମା ଅଜର, ଆତ୍ମା ଅମର । ତା’ର ଜନ୍ମ ନାହିଁ କି ମୃତ୍ୟୁ ନାହିଁ । ଜନ୍ମର ପରେ ଏବଂ ମୃତ୍ୟୁର ପୂର୍ବରୁ ଆତ୍ମାର ସ୍ଥିତି ଅନୁଭବ ଛଡ଼ା ଅନ୍ୟ କିଛି ଜାଣି ହୁଏ ନାହିଁ । ବ୍ୟକ୍ତି ପୁରାତନ ବସ୍ତ୍ର ପରିତ୍ୟାଗପୂର୍ବକ ନୂତନ ବସ୍ତ୍ର ପରିଧାନ କଲା ଭଳି ଆତ୍ମା ଏକ ପୁରୁଣା ଦେହ ତ୍ୟାଗ କରି ନୂତନ ଦେହ ଗ୍ରହଣ କରେ । ମୃତ୍ୟୁ ହିଁ ମୃତ୍ୟୁ । ତାହା ଯେଉଁଭଳି ହେଉନା କାହିଁକି ନ ସେଥିରେ ବିଶେଷ ବିଶେଷତ୍ୱ ନାହିଁ । ଆତ୍ମହତ୍ୟା ଅତି ଦୁର୍ବଳ ମାନବିକତାର ପରିଚୟ । ଜଣେ ମଣିଷ ପକ୍ଷେ ତାହା ନିତାନ୍ତ ଅବିବେକତା । ମୁଁ କେହି ନୁହେଁ, ମୋର ମଧ୍ୟ କିଛି କରିବାର ଶକ୍ତି ନାହିଁ । ଗୋଟିଏ ଅଦୃଶ୍ୟ ଶକ୍ତିର କଠୋର ନିର୍ଦ୍ଦେଶରେ ମୁଁ ଆଗେଇ ଚାଲିଛି ମାତ୍ର ।

 

ମୋର ମନ୍ତ୍ରଗୁରୁ ଅନନ୍ତ ଭୈରବଙ୍କଠାରୁ ମୁଁ ମୃତସଞ୍ଜୀବନୀ ମନ୍ତ୍ର ଶିଖିଥିଲି ଏବଂ ଏହି ମୃତସଞ୍ଜୀବନୀର ଅଭୁତ ଶକ୍ତିପାରାକାଷ୍ଠା ମୁଁ ପରୀକ୍ଷାଦ୍ୱାରା ବେଶ୍‌ ରୂପେ ଜାଣି ପାରିଥିଲି । ମାତ୍ର ମୋର ଅତି ପ୍ରିୟ ଧୂପର ମୃତ ଶରୀରରେ ପ୍ରାଣ ସଞ୍ଚାଇ କରାଇବାରେ ସମର୍ଥ ହୋଇ ପାରିଲି ନାହିଁ-। ମୋର ଦୁର୍ବଳ ହୃଦୟର ଚଞ୍ଚଳମନ ମନ୍ତ୍ରଶକ୍ତି ପ୍ରୟୋଗରେ କ୍ଷମ ହୋଇପାରିଲା ନାହିଁ । ତାନ୍ତ୍ରିକ ଜୀବନରେ ପ୍ରାୟ ଏହା ହିଁ ନିୟମକୁ ଏଡ଼ାଇ ଦେବା ସମ୍ଭବ ହେଲା ନାହିଁ । ଆଜି ଋକ୍‌ବେଦର ସେହି ପବିତ୍ର ରାତ୍ରିସୂକ୍ତି ମୋର ମନେପଡ଼େ । ଦୀର୍ଘ ତେୟାଳିଶ ଲକ୍ଷ ବର୍ଷରୁ ଊର୍ଦ୍ଧ୍ୱ ହେବ ଏହି ରାତ୍ରିସୂକ୍ତି ବୋଧ ଆର୍ଯ୍ୟ ଋଷିଙ୍କ କଣ୍ଠରୁ ନିଃସୃତ ହୋଇଥିଲା । ସୃଷ୍ଟିର ଆଦ୍ୟ ଗ୍ରନ୍ଥ ଋକ୍‌ବେଦର ରାତ୍ରିସୂକ୍ତି ଆଜି ବି ବେଦାଧ୍ୟାୟୀଙ୍କ ମନରେ ଅପୂର୍ବ ଝଙ୍କାର ତୋଳେ । ଆଜି ଏହି ରାତ୍ରୀଦେବୀଙ୍କ କୋଳରେ ନଗରବାସୀ ସୁଖରେ ନିଦ୍ରିତ । ଦେବୀ ରାତ୍ରି ପ୍ରତ୍ୟେକଙ୍କୁ ତାଙ୍କ ସୁକୋମଳ କୋଳରେ ଆଶ୍ରୟ ଦେଇନିଶ୍ଚିନ୍ତ ରହିଛି; କିନ୍ତୁ ମୁଁ ସେହି ସର୍ବଲୋକକାମ୍ୟ ରାତ୍ରିର ସୁଶୀତଳ କୋମଳ ପରଶରୁ ବଞ୍ଚିତ-

 

ସେହି ଅଜା, ଜନ୍ମମୃତ୍ୟୁରହିତା ପରମା ପ୍ରକୃତି ଦେବୀରାତ୍ରିଙ୍କଠାରେ ମୁଁ ଶରଣାପନ୍ନ, ଏହି ତାମସୀ ମାୟା ମୋହଜଡ଼ିତ କରାଳ କବଳରୁ ମୋତେ ସେ ଉଦ୍ଧାର କରି ଉଚିତ୍‌ ବାଟ ଦେଖାଇବେ ଏହା ହିଁ ମୋର ବିଶ୍ୱାସ । ଆଉ ଅଳ୍ପ ସମୟପରେ ରାତ୍ରି ଦେବୀଙ୍କଦ୍ୱାରା ପ୍ରେରିତ ଉଷାଦେବୀ ଆସିବେ ଘୂମନ୍ତ ଚକ୍ଷୁରୁ ନିନ୍ଦ୍ରାଦେବୀଙ୍କୁ ଅପସାରିତ କରାଇବାକୁ । ସେହି ବ୍ରାହ୍ମ ମୁହୂର୍ତ୍ତରେ ଅତୀତ ବର୍ତ୍ତମାନକୁ ପଛକୁ ପକାଇ ଆଗେଇ ଯିବି ହିମାଳୟର ଏକ ଅଜ୍ଞାତ ଗୁହାକୁ । ଅବଶିଷ୍ଟ ଜୀବନକୁ ବ୍ୟାପୃତ ରଖିବି ଯୋଗରେ ।

 

ବିଶ୍ୱକୁ ପଥ ଦେଖାଇବା ବା ବିଶ୍ୱର ମଙ୍ଗଳ କରିବା ସେହି ମଙ୍ଗଳମୟ ସବଂ ନିୟନ୍ତ୍ରଣକାରୀ ଈଶ୍ୱରଙ୍କ କାର୍ଯ୍ୟ । ଦୁର୍ଭିକ୍ଷଜନିତ କ୍ଷୁଧାକ୍ଲିଷ୍ଟ ପ୍ରାଣୀଙ୍କୁ ତ୍ରାଣ କରିବା ମୋ ଭଳି ଜଣେ ମାନବ ପକ୍ଷରେ ନିତ୍ୟାନ୍ତ ଧୁଷ୍ଟତା ଛଡ଼ା ଆଉ କ’ଣ ହୋଇପାରେ ? ସବୁ ପରିତ୍ୟାଗ କରି ମୁଁ ବର୍ତ୍ତମାନ କେବଳ ତା’ରି ଶରଣାପନ୍ନ ହେଉଛି । ଆଧ୍ୟାତ୍ମିକ, ଆଧିଭୌତିକ ଏବଂ ଅଧିଦୈବିକଦ୍ୱାରା ବିଭିନ୍ନ ସ୍ଥାନରେ ବିଭିନ୍ନ ଉପାୟରେ ଲୋକେ ଈଶ୍ୱରଙ୍କ ପରି ପୂଜା ପାଉଛନ୍ତି । ଆଧିଭୌତିକ କାର୍ଯ୍ୟଦ୍ୱାରା ମୁଁ ଯେଉଁ ଅଦୃଷ୍ଟ, ଅଶ୍ରୁତ ବିଷୟମାନ ଲୋକ ଜଗତକୁ ଦର୍ଶାଇ ପୂଜ୍ୟ ଆସନୁ ଅଳଂକୃତ କରିଥିଲି ତାହା ଆଜିଠାରୁ ତ୍ୟାଗ କରି ଚାଲିଯାଉଛି ଆତ୍ମାକୁ ସେହି ପରମାତ୍ମାଭିତରେ ଲୀନ କରିଦେବାକୁ ।

 

ମୋତେ କେବଳ ମୁ୍ଁ ମୋ ସ୍ୱୀକାରୋକ୍ତିର ଜବନିକା ଟାଣିବାକୁ ଯାଉଛି । ମନେ ପଡ଼ିଯାଉଛି ଗଙ୍ଗାକୂଳର ସେ ପଣ୍ଡିତଙ୍କର ତିନୋଟି କଥା । ସେ କହିଥିଲେ ସରସ୍ୱତୀବାବୁଙ୍କ ଘରେ ବେଶୀ ଦିନ ରହିପାରିବ ନାହିଁ । ଧୂପ ସହିତ ବିବାହ ପରି ହେବ; କିନ୍ତୁ ଧୂପକୁ ପାଇ ପାରିବି ନାହିଁ । ଆଉ ଶେଷରେ ମୁଁ ଏକ ବିରାଟ ମାନବ ହେବି । ତାଙ୍କର ପ୍ରତ୍ୟେକଟି କଥା ସତ୍ୟ ହୋଇଛି । ନିର୍ବାସିତ ଦୁଷ୍ମନ୍ତ ସୁଶାନ୍ତର ଖୋଳପା ମଧ୍ୟଦେଇ ଏକ ମହାନ୍‌ ତାନ୍ତ୍ରିକ ଆସନକୁ ଆସିପାରିଛି; କିନ୍ତୁ ସେ ତନ୍ତ୍ର ସାଧନା ମୋତେ ସୁଖୀ କରି ପାରିନି । ମୁଁ ସବୁ ପାଇ ମଧ୍ୟ ଯେମିତି କିଛି ପାଇ ନାହିଁ । ଅଦୃଷ୍ଟ ସୂକ୍ଷ୍ମ ଜଗତର ଲକ୍ଷ୍ୟ ଭେଦ କରିବାକୁ ଯାଇ ଆଜି ମୁଁ କ୍ରମେ ଦୃଷ୍ଟ ଜଗତର କ୍ରୀଡ଼ନକରେ ପରିଣତ ହେବାକୁ ଯାଉଛି । ତେଣୁ ମୋର ମୁକ୍ତି ଲୋଡ଼ା—ଅନାହତ ଶାନ୍ତିର ନୀରବତା ଲୋଡ଼ା । ସେ ଶାନ୍ତି କେବଳ ମିଳି ପାରିବ ସମସ୍ତ ଭୌତିକ ସିଦ୍ଧି ଓ ସୁଖର ସମାଧି ଉପରେ । ତେଣୁ ଆଜି ଏକ ତାନ୍ତ୍ରିକର ପ୍ରତାରଣାପୂର୍ଣ୍ଣ ଜୀବନରୁ ମୋର ଏ ପଳାୟନ—ଆଉ ମୋର ଏ ଯାତ୍ରା ହିମାଳୟର ସେଇ ସାଧୁ ଅଧ୍ୟୁଷିତ ଗୁମ୍ଫାକୁ, ଯେଉଁଠିକି ଆଧ୍ୟାତ୍ମିକ ସାଧନା ହିଁ ସେ ଚରମ ଶାନ୍ତି ଦେଇପାରିବ ।

Image